୧୯୪୨ର ଅଗଷ୍ଟ କ୍ରାନ୍ତି ଆହ୍ବାନ ପୂର୍ବରୁ ସେଇବର୍ଷ ମଇ ମାସରେ ମହାତ୍ମା ଗାନ୍ଧୀ ‘ହରିଜନ’ ପତ୍ରିକାରେ ବ୍ରିଟିସ୍ ସରକାରଙ୍କୁ ଉଦ୍ଦେଶ୍ୟ କରି ଲେଖିଥିଲେ, ‘‘ଭାରତକୁ ଈଶ୍ବରଙ୍କ ହାତରେ ଛାଡ଼ିଦିଅନ୍ତୁ। ଯଦି ତାହା ଅସମ୍ଭବ ମନେ ହେଉଥାଏ, ତାହାହେଲେ ତାକୁ ଅରାଜକତା ଭିତରେ ଛାଡ଼ି ଚାଲିଯାଆନ୍ତୁ। ବର୍ତ୍ତମାନର ଯେଉଁ ନିୟମବନ୍ଧା ଅରାଜକତା ଚାଲିଛି ତାହା ଆଗେ ଯିବା ଦରକାର। ସେଥିପାଇଁ ଯାହା ମୂଲ୍ୟ ଦେବାକୁ ପଡ଼ିବ ତାହା ଦେବାଲାଗି ମୁଁ ପ୍ରସ୍ତୁତ।’’ ବାସ୍ତବରେ ଗାନ୍ଧୀ ଏଇ କଥା ପୂର୍ବରୁ ବ୍ରିଟେନରେ ତାଙ୍କ ସହ ଏକ ସାକ୍ଷାତକାର ଅବସରରେ କହିଥିଲେ। କ୍ରିପ୍ସ ମିସନ୍ର ବିଫଳତା ପରେ ଗାନ୍ଧୀ ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ, ‘‘ଆମେ ସରକାରଙ୍କୁ ରୁଟି ମାଗିଥିଲୁ, ମାତ୍ର ତା’ ବଦଳରେ ଆମକୁ ପଥର ମିଳିଛି।’’ ଏହା ଆମ ପାଇଁ କଦାପି ଗ୍ରହଣଯୋଗ୍ୟ ନୁହେଁ। ଆଜିଠାରୁ ‘କର ବା ମର’ ଅଭିଯାନ ଆରମ୍ଭ ହେଲା। ମୁମ୍ବାଇରେ ମହାତ୍ମା ଗାନ୍ଧୀଙ୍କ ଏହି ଘୋଷଣା ସାରା ଭାରତରେ ଅଗ୍ନି ସ˚ଚାର କରିଥିଲା। ଏହି ଅଭିଯାନକୁ ଦମନ କରିବା ଲାଗି ବ୍ରିଟିସ୍ ଶକ୍ତି ଯାହା ସବୁ ପ୍ରୟୋଗ କରିଥିଲା ତାହା ଆଜି ଇତିହାସର ବିଷୟ।
ଆଜି ଭାରତବର୍ଷ ସେଇ ଅଗଷ୍ଟ କ୍ରାନ୍ତିର ଅଶୀ ବର୍ଷ ପାଳନ କରୁଛି। ବହୁ ବର୍ଷ ହେଲା ସାଧାରଣ ଜନତାଙ୍କ ସ˚ପୃକ୍ତିହୀନତା ଯୋଗୁଁ ଭାରତର ସ୍ବାଧୀନତା ଦିବସ ହେଉ କି ସାଧାରଣତନ୍ତ୍ର ଦିବସ ହେଉ, ଏସବୁର ପାଳନ କେବଳ ଉପଚାର ମାତ୍ର ହୋଇ ପଡ଼ିଛି। ବହୁଦିନୁ ଭାରତୀୟ ନାଗରିକ ତା’ର ସେହି ଭୂମିକାରୁ ଖାଉଟି ଭୂମିକାକୁ ଓହ୍ଲେଇ ଆସିଛି ଏବ˚ ସ˚ଖ୍ୟାଗରିଷ୍ଠ ନାଗରିକଙ୍କ ମନ ଭିତରେ ସେଇ ପ୍ରକାର ଦେଶପ୍ରେମର ଚିହ୍ନ ଆଦୌ ନାହିଁ ଯାହା ୧୯୪୨ରେ ଭାରତର ବିପ୍ଳବୀ କବିମାନେ ଲେଖିଯାଇଥିଲେ।
ଆଜି ଆମେମାନେ ଅଗଷ୍ଟ କ୍ରାନ୍ତିର କଥା କହୁଥିବା ବେଳେ, ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଟେଲିଫୋନ୍ଗୁଡ଼ିକୁ ଇସ୍ରାଏଲ୍ର ‘ପେଗାସସ୍’ ଗୁଇନ୍ଦା ସ˚ସ୍ଥା ଟ୍ୟାପ୍ କରିବାର ଅଭିଯୋଗ ନେଇ ସ˚ସଦରେ ଉଷ୍ମତା ଜାରି ରହିଛି। ଯଦି କୌଣସି ଦେଶର ନାଗରିକ, ସାମ୍ବାଦିକ, ଜନନେତା କିମ୍ବା ପ୍ରଶାସକଙ୍କର ବ୍ୟକ୍ତିଗତ ଗୋପନୀୟତା ରହିବ ନାହିଁ, ତାହାହେଲେ ସେମାନେ କିଭଳି ନିର୍ଭୟ ଓ ସ୍ବାଧୀନ ଭାବରେ ତାଙ୍କ କାର୍ଯ୍ୟ କରିପାରିବେ? ଆଜି ଆମ ଦେଶର ହଜାର ହଜାର ଲୋକ ବିନା ଦୋଷରେ ଜେଲ୍ର କଳାକୋଠରି ଭିତରେ କାଳ କାଟୁଛନ୍ତି। ୨୦୧୫ରୁ ୨୦୧୯ ଭିତରେ ୭୮୪୦ ଜଣ ବ୍ୟକ୍ତିଙ୍କୁ ୟୁଏପିଏ (ଅନ-ଲ’ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ) ଅନୁସାରେ ବନ୍ଦୀ କରାଯାଇଛି। ଏମାନଙ୍କ ଭିତରୁ ମାତ୍ର ୧୫୫ ଜଣଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଅଭିଯୋଗ ପ୍ରମାଣିତ ହୋଇପାରିଛି। ପୂର୍ବରୁ ଥିବା କ˚ଗ୍ରେସ ନେତୃତ୍ବ ‘ଉପା’ ସରକାର ମଧୢ ନାଗରିକଙ୍କ ଅଧିକାର ଦମନ କ୍ଷେତ୍ରରେ କିଛି ପଛରେ ନ ଥିଲା। ୧୯୯୪ ପର୍ଯ୍ୟନ୍ତ ପ୍ରାୟ ୬୭ ହଜାର ‘ଟାଡା’ ଆଇନ ଅନୁସାରେ କାରାରୁଦ୍ଧ ହୋଇଥିଲେ। ଏମାନଙ୍କ ଭିତରୁ ମାତ୍ର ୭୨୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଆଜି ୨୦୨୧ ମସିହାରେ ଭାରତର ସାମାଜିକ ଓ ରାଜନୈତିକ, ଅର୍ଥନୈତିକ ଏବ˚ ସା˚ସ୍କୃତିକ ଚିତ୍ର ଉପରେ ନଜର ବୁଲେଇଲା ବେଳେ ଗାନ୍ଧୀଙ୍କର ସେହି କଥା ମନେପଡ଼େ। ବାସ୍ତବରେ ଆମେ ରୁଟି ଲୋଡ଼ିବାକୁ ଯାଇ ପଥର ପାଖରେ ପହଞ୍ଚି ଯାଇଛୁ କି? ଯଦି ତାହା ହୋଇଥାଏ, ତାହାହେଲେ ସେଥିପାଇଁ କିଏ ଦାୟୀ? ଆମେ ତ ଆମ ନିଜର ଦୁର୍ଦଶା ଲାଗି ଆଜି ଆଉ ଇ˚ରେଜମାନଙ୍କୁ ଦାୟୀ କରିପାରିବା ନାହିଁ।
ସମଗ୍ର ଦେଶ କୋଭିଡ୍ ଆକ୍ରମଣରେ ଆଜି ଛଟପଟ। ଆମର ଦୁର୍ଦଶା ଏପରି ଶୋଚନୀୟ ହୋଇନଥା’ନ୍ତା ଯଦି ମୂଳରୁ ଆମେ ସ୍ବାସ୍ଥ୍ୟକ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଥାଆନ୍ତେ। କୋଭିଡ୍ ଏକ ମହାମାରୀ ନିଶ୍ଚୟ, ମାତ୍ର ଆମର ପ୍ରସ୍ତୁତି ଯେ ପ୍ରୟୋଜନଠାରୁ ଦୟନୀୟ ଭାବେ ଢେର୍ ପଛରେ ଥିଲା, ତାହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ସାଧାରଣ ନାଗରିକଟିଏ ଆଜି ଭାବୁଛି, ଆମର ପ୍ରଶାସନ ଜରୁରୀ ପ୍ରୟୋଜନଗୁଡ଼ିକ କଥା ଭୁଲି ଗୁରୁତ୍ବହୀନ ପ୍ରସଙ୍ଗ ପଛରେ ପଡ଼ିଯାଇଛି। ଏହା ଆମ ଦେଶର କି ଦୀର୍ଘମିଆଦୀ ହିତ ସାଧନ କରିବ- ତାହା ହିଁ ଆଜିର ଅନୁଚିନ୍ତା ହେବା ଆବଶ୍ୟକ।
ସ୍ବାଧୀନ ଭାରତର ବଡ଼ ଆହ୍ବାନ ହେଉଛି ଦୁର୍ନୀତି। ଯେଉଁ ଦେଶର ସରକାର କିମ୍ବା ନାଗରିକ ନିଜର ସ˚କୀର୍ଣ୍ଣ ସ୍ବାର୍ଥର ଊର୍ଦ୍ଧ୍ବକୁ ଉଠିପାରିବେ ନାହିଁ, ସେ ଦେଶ କଦାପି ସ୍ବାଭିମାନୀ ଦେଶ ହୋଇପାରିବ ନାହିଁ। ବର୍ତ୍ତମାନ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, ଦେଶର ସବୁ ବଡ଼ ବଡ଼ ଅନୁଷ୍ଠାନ- ସୁପ୍ରିମକୋର୍ଟ ହେଉ କି ନିର୍ବାଚନ ଆୟୋଗ, ସଭିଙ୍କୁ ଦଖଲ କରିବାଲାଗି ବା ନିୟନ୍ତ୍ରଣ ଭିତରକୁ ନେବା ଲାଗି ଉଦ୍ୟମ ଜାରି ରହିଛି। ଆମ ବିଚାରରେ ଏହା ସବୁ ଦୁର୍ନୀତିର ଜନନୀ। ଏହାର କୁପ୍ରଭାବ ସମଗ୍ର ଦେଶକୁ ଭୋଗିବା ଲାଗି ପଡ଼ିବ।
ଦ୍ବିତୀୟ ଆହ୍ବାନ ହେଉଛି ଆମର ଶିକ୍ଷା ବ୍ୟବସ୍ଥା। ଆଜି ପର୍ଯ୍ୟନ୍ତ ନାନା ପ୍ରକାର ପରୀକ୍ଷା ନିରୀକ୍ଷା ଭିତର ଦେଇ ଗତି କରୁଥିବା ଭାରତର ଶିକ୍ଷା ବ୍ୟବସ୍ଥା ଏଭଳି ଯେ କାଗଜପତ୍ରରେ ଆମର ୭୪ ପ୍ରତିଶତ ସାକ୍ଷର ବୋଲି ଦାବି କଲେ ସୁଦ୍ଧା ବାସ୍ତବିକ ଆମେ ପ୍ରତିବର୍ଷ ଲକ୍ଷ ଲକ୍ଷ ନିଯୁକ୍ତି-ଅଯୋଗ୍ୟ ଯୁବକଯୁବତୀ ତିଆରି କରୁଛୁ। ସ୍ବାସ୍ଥ୍ୟ ପରି ଶିକ୍ଷା ବିଭାଗ ପ୍ରତି ଆମର ସାମୂହିକ ଅବହେଳାର ସୀମା ନାହିଁ। ଭାରତବର୍ଷର ତୃତୀୟ ବଡ଼ ସମସ୍ୟା ପରିବେଶ ଓ ପରିମଳ ବ୍ୟବସ୍ଥା। ଏହା କେତେଦୂର ଜଟିଳ ତାହା ସ୍ବୟ˚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନମାମି ଗଙ୍ଗା’ ପରି ମହତ୍ତ୍ବାକା˚କ୍ଷୀ ଯୋଜନାର ବିଫଳତାରୁ ସହଜରେ ଅନୁମେୟ। ଆମର ଗାଁଗଣ୍ତା ଠାରୁ ନେଇ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା; କୋଉ ଗୋଟିଏ ସହର ବାସ ଉପଯୋଗୀ ହୋଇରହିନାହିଁ। ସର୍ବନିମ୍ନ ନିର୍ମଳ ପରିବେଶ ଆଜି ଯେପରି ମରୀଚିକା। ଅନ୍ୟପକ୍ଷରେ ପରିବେଶ ପ୍ରଦୂଷଣ ରୋକିବା କ୍ଷେତ୍ରରେ, ତାହା ପ୍ଲାଷ୍ଟିକ ନିଷିଦ୍ଧ କରିବା କଥା ହେଉ କି ରାସ୍ତାକଡ଼ରୁ ପଶୁପକ୍ଷୀ କଟା କ˚ସାଇ ଦୋକାନ ଦୂରକୁ ନେବା କଥା ହେଉ, କୌଣସିଟି କ୍ଷେତ୍ରରେ ଆନ୍ତରିକତା ପ୍ରଦର୍ଶନ କରିପାରିନାହୁଁ। ଏହାର ପ୍ରଭାବ ମଧ୍ୟ ଆମକୁ ଭୋଗିବାକୁ ପଡୁଛି।
ମହାତ୍ମା ଗାନ୍ଧୀ କହିଥିଲେ, ଯେତେବେଳେ ଜଣେ ନାରୀ ନିର୍ବିଘ୍ନରେ ନିଶାର୍ଦ୍ଧରେ ବୁଲିପାରିବ ସେତେବେଳେ ହିଁ ବୁଝିବାକୁ ପଡ଼ିବ ଯେ ଦେଶ ଆମର ସ୍ବାଧୀନ। ଆଜି ନିଶାର୍ଦ୍ଧ ତ ବହୁ ଦୂରର କଥା, ଦିନ ଦିପହରେ ମଧୢ ନାରୀ ନିଜକୁ ସୁରକ୍ଷିତ ମନେ କରୁନାହିଁ। ନିର୍ଭୟା ଗଣ ବଳତ୍କାର ବେଳେ ଖୁବ୍ ବେଶି ସଚେତନତା ପ୍ରକାଶ ପାଇଥିଲା, ମାତ୍ର ଏବେ ତାହା ନିଶ୍ଚେତନାରେ ପରିଣତ ହୋଇ ସାରିଲାଣି। ଭାରତର ବେକାରି ଓ ନିଯୁକ୍ତିହୀନତାର ଚେହେରା ଆଜି ଦୟନୀୟ। କୋଭିଡ୍ ସମୟରେ କୋଟି କୋଟି ପ୍ରବାସୀ ଶ୍ରମିକଙ୍କର ଯୋଉ ନିର୍ଯାତନା ଆମେ ଲକ୍ଷ୍ୟ କଲେ ତାହାର ମୂଳ କାରଣ ଏଇଠି। ୨୦୧୭ ତୁଳନାରେ ଆଜି କର୍ମହୀନଙ୍କ ସ˚ଖ୍ୟା ଅନେକ ବଢ଼ିଚାଲିଛି। ଏହା ନିଶ୍ଚୟ ଅତି ସୁଖର ସମ୍ବାଦ ନୁହେଁ। ପାର୍ଲାମେଣ୍ଟ ଭିତରେ ପେଗାସସ୍ ଝଡ଼ ପରି ପାର୍ଲାମେଣ୍ଟ ବାହାରେ କୃଷକ ଆନ୍ଦୋଳନ ଗତ ଅଗଷ୍ଟ ମାସରୁ ଜାରି ରହିଛି। ସରକାର ସେମାନଙ୍କ ସହ ଆଲୋଚନାର ପଥ ବନ୍ଦ କରି ଦେଇଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ କୃଷି କର୍ମ ଲାଭଜନକ ହେଉନଥିବା ବେଳେ ଅନ୍ୟପଟେ ସରକାରୀ ଉଦାସୀନତା ଏହି କର୍ମ ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ଲାଗି ସମସ୍ୟା ହୋଇ ଠିଆ ହୋଇଛି।
ଏସବୁ ଆଲୋଚନା କରିବାର ଅର୍ଥ ନୁହେଁ ଯେ ଭାରତର ଭୌତିକ ପ୍ରଗତି ଘଟୁନାହିଁ। ନିଶ୍ଚୟ ଘଟୁଛି। ଦେଶର ଉନ୍ନୟନ ହାର ସ୍ଥିର ରହିବା ସତ୍ତ୍ବେ ଅର୍ଥନୀତିର ପରିମାଣ ବଢୁଛି। ମାତ୍ର ଆମର ଅର୍ଥନୈତିକ ବିକାଶର ଚେହେରା ଅତ୍ୟନ୍ତ ଅସମତୁଲ। ଆମ ଦେଶର ୬୦ ଭାଗ ଲୋକଙ୍କ ଦୈନିକ ଉପାର୍ଜନ ୨୫୦ ଟଙ୍କା ହୋଇଥିବା ବେଳେ ଆଉ ୨୧ ଭାଗ ଲୋକଙ୍କ ଉପାର୍ଜନ ୧୫୦ ଟଙ୍କା ପାଖାପାଖି। ଅଥଚ ଭାରତର ଦଶ ଭାଗ ଧନୀ ଲୋକ ଦେଶର ୮୦ ଭାଗ ସ˚ପତ୍ତିର ମାଲିକ। ୨୦୧୭ର ଅକ୍ସଫାମ ରିପୋର୍ଟ ସ୍ପଷ୍ଟ ଭାବରେ ଏକଥା ଉଲ୍ଲେଖ କରିଥିଲା ଯେ ଦେଶର ୧ ପ୍ରତିଶତ ଅତି ଧନୀକ ଶ୍ରେଣୀର ଲୋକ ଦେଶର ୫୮% ସ˚ପତ୍ତି ନିଜ ହାତରେ ଠୁଳ କରିରଖିଛନ୍ତି। ଆମେରିକାରେ ଏହି ଅନୁପାତ କମ୍, ଅର୍ଥାତ୍ ସେଠାରେ ଅତି ଧନୀକ ଶତକଡ଼ା ଏକ ପ୍ରତିଶତ ଲୋକ ତାଙ୍କ ଦେଶର ୩୭% ଭାଗ ସ˚ପଦ ନିଜ ହାତରେ ଠୁଳ କରିଥା’ନ୍ତି। ଭାରତର ଦୁର୍ଦଶାକୁ ସାଧାରଣ ଶବ୍ଦରେ ଏମିତି କହିହେବ ଯେ ଏ ଦେଶର ୧୬ ଜଣ ଲୋକଙ୍କ ସ˚ପତ୍ତି ଯାହା ତାହା ୬୦ କୋଟି ସାଧାରଣ ଭାରତୀୟଙ୍କ ସ˚ପତ୍ତିର ମୂଲ୍ୟ ସାଙ୍ଗେ ସମାନ। ଏହାହିଁ ସ୍ବାଧୀନ, ଗଣତନ୍ତ୍ର ଭାରତର ଅସଲ ଚେହେରା। ଏହାର ପରିଣତିରେ ଭାରତର ୭୫ ଭାଗ ଲୋକ ଯେଉଁମାନେ ଆଜି ବି ଗାଁରେ ରହନ୍ତି ସେମାନଙ୍କ ଭିତରୁ ୧୧ ପ୍ରତିଶତ ରେଫ୍ରିଜେରେଟର କ’ଣ ଜାଣନ୍ତି ନାହିଁ ଏବ˚ ୭୫ ଭାଗ ଲୋକ ଦିନ ମଜୁରିଆ ଭାବରେ ଜୀବନ ବିତାନ୍ତି ଯାହାଙ୍କ ପାଇଁ ଆସନ୍ତା କାଲି କେବଳ ଏକ ସ୍ବପ୍ନ।
ଏହି ପୃଷ୍ଠଭୂମିରେ ଦେଶବାସୀମାନେ ଅଗଷ୍ଟ ୯ର ସଫଳତା ବିଫଳତା ନେଇ ଅନୁଚିନ୍ତା କରିବା ଆବଶ୍ୟକ। କେଉଠି ସ୍ବାଧୀନତା, କୋଉଠି ବିକାଶ, କୋଉଠି ସମୃଦ୍ଧି ଏବ˚ ତା’ର ଚେହେରା କ’ଣ? ଆମର ପ୍ରଧାନମନ୍ତ୍ରୀ ରାଜଧାନୀ ଦିଲ୍ଲୀର ଚେହେରା ପରିବର୍ତ୍ତନ ଲାଗି ଉଦ୍ୟମ କରୁଛନ୍ତି। ତାହା ହେବା ଆବଶ୍ୟକ। ମାତ୍ର ଶାସନର ଚେହେରା ସାଙ୍ଗକୁ ଚରିତ୍ର ବଦଳେଇବା ଦିଗରେ ପଦକ୍ଷେପ ନେବା ପ୍ରୟୋଜନ ନୁହେଁ କି?
ଆଜି ଅଗଷ୍ଟ କ୍ରାନ୍ତିର ସ୍ମୃତିରେ ମୁମ୍ବାଇ, ଦିଲ୍ଲୀ ପରି ସବୁଠି ଉତ୍ସବ ପାଳିତ ହେଉଛି। ଏହି ଉତ୍ସବର କୋଳାହଳ ଭିତରେ ପ୍ରତ୍ୟେକ ଭାରତୀୟ ନିଜକୁ ପ୍ରଶ୍ନ ପଚାରିବା ଦରକାର- ଆମେ ରୁଟି ବଦଳରେ ପଥର ପାଇଛୁ କି ଏବ˚ ଯଦି ହଁ, ଏଥିରେ ତା’ର ଯୋଗଦାନ କେତେ!