ଧରିତ୍ରୀର ତାତି

ସୋମବାର ଦିନ ୬୬ଟି ଦେଶର ୨୩୪ ଜଣ ବୈଜ୍ଞାନିକଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜାତିସଂଘର ‘ଆଇପିସିସି’ର ସଦ୍ୟତମ ରିପୋର୍ଟ ପ୍ରକାଶ ପାଇ ପୃଥିବୀବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାଞ୍ଚଲ୍ୟର କାରଣ ହେଉଛି, ‘ଆଇପିସିସି’ ନିୟମିତ ଭାବରେ ପ୍ରକାଶ କରି ଆସୁଥିବା ଏ ସଂକ୍ରାନ୍ତୀୟ ରିପୋର୍ଟମାନଙ୍କ ମଧ୍ୟରେ ବର୍ତ୍ତମାନର ଏହି ରିପୋର୍ଟ ହେଉଛି ସର୍ବାଧିକ ଚରମ ଶ୍ରେଣୀର। ଏଥିରେ ସ୍ପଷ୍ଟ କରି ଦିଆଯାଇଛି ଯେ ୨୦୧୫ ପ୍ୟାରିସ୍ ଚୁକ୍ତିରେ ବିଶ୍ବ ତାପନକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଖୁବ୍ ଶୀଘ୍ର ଆମେ ସେଥିରେ ବିଫଳ ହେବାକୁ ଯାଉଛୁ।

ସେ ଲକ୍ଷ୍ୟ ଅନୁଯାୟୀ ଏକବିଂଶ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରାରେ ବୃଦ୍ଧିକୁ ପ୍ରାକ୍-ଶିଳ୍ପ ବିପ୍ଳବ ସମୟ ଠାରୁ ୧.୫ ଡିଗ୍ରି ସେଲ୍‌ସିଅସ୍ ଅଧିକ ମଧ୍ୟରେ ସୀମିତ ରଖିବା କଥା। କିନ୍ତୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ବର୍ତ୍ତମାନ ଏକ ମତ ଯେ ସେ ସମୟ ସୀମା ଛୁଇଁବାର ବହୁ ପୂର୍ବରୁ, ଆଉ ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀର ଉତ୍ତାପ ସେହି ସୀମା ଅତିକ୍ରମ କରିବା ନିଶ୍ଚିତ। ସେମାନେ କହିଛନ୍ତି ଯେ ମନୁଷ୍ୟର କାର୍ଯ୍ୟକଳାପ ହିଁ ହେଉଛି ଏହି ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ। ଏହାକୁ ଆଉ ଟିକିଏ ବିସ୍ତାରିତ କରିବାକୁ ଯାଇ ସେମାନେ କହିଛନ୍ତି ମନୁଷ୍ୟର କାର୍ଯ୍ୟକଳାପ ବର୍ତ୍ତମାନ ପୃଥିବୀର ଜଳବାୟୁରେ ଯେଉଁ ଭଳି ପରିବର୍ତ୍ତନମାନ ଘଟାଇ ଚାଲିଛି, ତାହା ବିଗତ ଲକ୍ଷ ଲକ୍ଷ ବର୍ଷରେ ହେଉଛି ଅଭୂତପୂର୍ବ। ଏଥି ମଧ୍ୟରୁ କେତେକ ପରିବର୍ତ୍ତନକୁ ସେମାନେ ବର୍ତ୍ତମାନ ‘ଅନିବାର୍ଯ୍ୟ’ ତଥା ‘ଅପରିବର୍ତ୍ତନୀୟ’ ବୋଲି ଘୋଷଣା କରିଛନ୍ତି; ଅର୍ଥାତ୍ ସେଥିରୁ ନିସ୍ତାର ନାହିଁ।

୧୯୮୮ରେ ‘ଆଇପିସିସି’ର ସର୍ବପ୍ରଥମ ରିପୋର୍ଟ ପ୍ରକାଶିତ ହେବା ପରେ ଏହା ହେଉଛି ଷଷ୍ଠ ରିପୋର୍ଟ ଏବଂ ଏହାକୁ ଟିକିନିଖି ଯାଞ୍ଚ କରି ପ୍ରସ୍ତୁତ କରିବା ନିମିତ୍ତ ଗବେଷକମାନେ ଦୀର୍ଘ ଆଠ ବର୍ଷ ସମୟ ନେଇଛନ୍ତି। ତେଣୁ ଏହାକୁ ଜଳବାୟୁ-ସନ୍ଦେହୀମାନେ ଏକ ଉପରଠାଉରିଆ ରିପୋର୍ଟ କହି ଉଡ଼ାଇ ଦେଇପାରିବେ ନାହିଁ। ଏହି ତାପନ ବୃଦ୍ଧିର କୁ-ପ୍ରଭାବରୁ ପୃଥିବୀର କୌଣସି ଅଞ୍ଚଳ ରକ୍ଷା ପାଇବ ନାହିଁ ବୋଲି ରିପୋର୍ଟରେ ପରିଷ୍କାର କରି ଦିଆଯାଇଛି। ଆଉ ଏ କୁ-ପ୍ରଭାବ ସବୁର ରୂପରେଖ କିଭଳି ହେବ, ତାହାର ବିଶଦ ବର୍ଣ୍ଣନାରେ ଗତ ତିନି ଦିନ ଧରି ଗଣମାଧ୍ୟମମାନ ଏଭଳି ଭରପୂର ଯେ ତାହାର ଅଧିକ ବର୍ଣ୍ଣନା ଏଠାରେ ନିଷ୍ପ୍ରୟୋଜନ।

ତେବେ ଏତିକି କହିଲେ ‌ଯଥେଷ୍ଟ ହେବ ଯେ ଅସହ୍ୟ ଗରମ ଓ ଅସହ୍ୟ ଶୀତ, ପ୍ରଳୟଙ୍କରୀ ବନ୍ୟା ଓ ବ୍ୟାପକ ମରୁଡ଼ି, ହିମସ୍ଖଳନ ଓ ନିମ୍ନଭୂମି ପ୍ଲାବନ, ସମୁଦ୍ର ଜଳର ଅମ୍ଳାଂଶ ବୃଦ୍ଧି ଓ ଅମ୍ଳଜାନ ହ୍ରାସ ଇତ୍ୟାଦି ଭଳି ପୃଥିବୀ ନାମକ ଗ୍ରହପୃଷ୍ଠରେ ଜୀବନ ଧାରଣ ପାଇଁ ପ୍ରତିକୂଳ ବିବେଚିତ ଯେଉଁ ସବୁ ଘଟଣାମାନ ଘଟିବାକୁ ଯାଉଛି, ତାହାର ତାଲିକା ବେଶ୍ ଲମ୍ବା। ଶିରରେ ହିମାଳୟର ବରଫ ମୁକୁଟ ପରିଧାନ କରିଥିବା ଏବଂ ସାଗରମାଳା ଦ୍ବାରା ପଦ ପ୍ରକ୍ଷାଳନ ହେଉଥିବା ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ ‘ଆଇପିସିସି’ ରିପୋର୍ଟରେ ସୂଚିତ ପ୍ରାୟ କୌଣସି ବିପର୍ଯ୍ୟୟରୁ ଭାରତ ଛାଡ଼ ପାଇବ ନାହିଁ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ।

ଆଉ ଅଳ୍ପଦିନ ପରେ, ଆସନ୍ତା ନଭେମ୍ବରରେ ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋ ସହରରେ ‘କପ୍-୨୬’ ନାମରେ ଅଭିହିତ ଜାତିସଂଘ ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଠି ୧୯୭ଟି ଦେଶର ପ୍ରତିନିଧିମାନେ ଏକତ୍ରିତ ହେବେ। ପ୍ରତିଟି ଦେଶକୁ ଏହି ଅାସନ୍ନ ସଂକଟର ମୁକାବିଲା ପାଇଁ କିଛି ନୂତନ ପ୍ରସ୍ତାବ ଧରି ସମ୍ମିଳନୀକୁ ଆସିବା ପାଇଁ ଅନୁରୋଧ କରାଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହି ରିପୋର୍ଟକୁ ‘କୋଡ୍ ରେଡ୍’ ବା ବିପଦ ଆସନ୍ନ ସୂଚାଉଥିବା ଲାଲ୍ ସିଗ୍‌ନାଲ୍ ରୂପେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ରିପୋର୍ଟ ବଜାଉଥିବା ସତର୍କ ଘଣ୍ଟିର ଆୱାଜ ଏତେ ତୀବ୍ର ଯେ କାନ ଫାଟି ଯାଉଛି। କୋଇଲ‌ା, ପେଟ୍ରୋଲିଅମ ଆଦି ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରିବା ପାଇଁ ସେ ସରକାର, ପୁଞ୍ଜି ନିବେଶକ ଓ ଶିଳ୍ପପତିମାନଙ୍କୁ ପଦକ୍ଷେପ ନେବା ପାଇଁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଜଙ୍ଗଲ କ୍ଷୟରେ ଅନ୍ତ ଘଟାଇବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।

ଆନ୍ତର୍ଜାତିକ ସମ୍ମିଳନୀ, ମହାସଚିବଙ୍କ ଆହ୍ବାନ କିମ୍ବା ସରକାରୀ ଘୋଷଣା ଆଦିର ଏକ ଅନ୍ତର୍ନିହିତ ବିପଦ କିନ୍ତୁ ହେଉଛି ଏହା ଯେ ଏଥିଯୋଗୁଁ ଏକ ଧାରଣା ସୃଷ୍ଟି ହୋଇଥାଏ, ସତେ ଯେମିତି ଏ ସମସ୍ୟାର ସମାଧାନ ହେଉଛି ବ୍ୟକ୍ତିର ପହୁଞ୍ଚ ବାହାରେ ଏବଂ କେବଳ ଏଇ ଅପହଞ୍ଚ ଦୂରତାରେ ଥିବା ଅନୁଷ୍ଠାନମାନେ ହିଁ ଏହାର ମୁକାବିଲା କରିପାରିବେ ଓ ଏହା ହେଉଛି କେବଳ ସେମାନଙ୍କର ଦାୟିତ୍ବ। ଏହା ‌ଆଦୌ ଠିକ୍ ନୁହେଁ, କାରଣ ପୃଥିବୀର ପ୍ରତ୍ୟେକ ବାସିନ୍ଦାର ଆଚରଣ ପୃଥିବୀର ଜଳବାୟୁକୁ ପ୍ରଭାବିତ କରିବାର କ୍ଷମତା ବହନ କରିଥାଏ। ତେଣୁ ଜାତିସଂଘ ବା ‘କପ୍’ ବା ସରକାର ବିପଦର ମୁକାବିଲା କରିବାକୁ ଉଦ୍ୟମ ଚଳାଇଥିବା ବେଳେ, ସେ ଦିଗରେ ଆମେ କ’ଣ କରିପାରିବା, ବର୍ତ୍ତମାନ ସେଥିପ୍ରତି ଧ୍ୟାନ ଦେବାର ବେଳ ଉପସ୍ଥିତ।

ଏହାର ତାଲିକା କରିବସିଲେ, ତାହା ଆମକୁ ଆଶ୍ଚର୍ଯ୍ୟ କଲା ଭଳି ବେଶ୍ ଦୀର୍ଘ ହେବ। ଏଠାରେ ସେଥିରୁ ମାତ୍ର କେତୋଟି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ। ଯେମିତି, ସଚେତନତା ପ୍ରସାର। ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ହେଉଛି ମନ୍ଥର, କିନ୍ତୁ ଦୁର୍ବାର। ଏହି ମନ୍ଥରତା ଯୋଗୁଁ ଅନେକ ଏହାର ଦୁର୍ବାରତାକୁ ବିଶ୍ବାସ କରନ୍ତି ନାହିଁ। ଆମ ପ୍ରତ୍ୟେକଙ୍କର ଦାୟିତ୍ବ ହେଉଛି ଏ ସମ୍ପର୍କରେ ନିଜର ସଚେତନତା ବୃଦ୍ଧି କରିବା ସହିତ ଭାବର ଆଦାନପ୍ରଦାନ ମାଧ୍ୟମରେ ନିଜର ପରିଚିତ ପରିସରରେ ତା’ର ପ୍ରସାର ଘଟାଇବା। ଦେଖାଯାଇଛି ଜଳବାୟୁ ସଚେତନତାରେ ବୃଦ୍ଧି ବ୍ୟକ୍ତିର ପରିବେଶ-ପ୍ରତିକୂଳ ଆଚରଣ (ଯେପରି ପେଟ୍ରୋଲ୍ ଚାଳିତ ଯାନ ବ୍ୟବହାର, ମାଂସାହାର ଇତ୍ୟାଦି)ରେ ସଂକୋଚନ ଘଟାଇଥାଏ।

ସହରରେ ବାସ କରୁଥିବା ଅଧିକାଂଶଙ୍କର ପ୍ରକୃତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ନ ଥିବାରୁ ପ୍ରକୃତିର ସୁରକ୍ଷା ସହିତ ନିଜର ବ୍ୟକ୍ତିଗତ ନିରାପତ୍ତାର ନିବିଡ଼ ସମ୍ପର୍କ ସେମାନେ ହୃଦୟଙ୍ଗମ କରିପାରନ୍ତି ନାହିଁ। ସଚେତନ ପିତାମାତାମାନେ ସେମାନଙ୍କ ପିଲାଙ୍କ ଠାରେ ପ୍ରକୃତି ପ୍ରୀତି ସୃଷ୍ଟି କଲେ ସେମାନଙ୍କର ଆଚରଣ ପରିବେଶ-ଅନୁକୂଳ ହେବା ସମ୍ଭାବନା ଅଧିକ ହେବ। ସେହିପରି ଯାତାୟାତ ପାଇଁ ଯେତେ ଦୂର ଅଧିକ ସମ୍ଭବ ନିଜର ଗୋଡ଼ କିମ୍ବା ସାଇକେଲ୍ ବ୍ୟବହାର କରାଯାଇପାରେ। ନିଜର ବାସଗୃହକୁ ଏପରି ପରିବେଶ ଅନୁକୂଳ ଢାଞ୍ଚାରେ ନିର୍ମାଣ କରାଯାଇପାରେ ଯେପରି କୃତ୍ରିମ ଆଲୋକ ଓ ପବନର ଆବଶ୍ୟକତା ସର୍ବନିମ୍ନ ହେବ।

ଯଦି ପ୍ରତ୍ୟେକ ବ୍ୟକ୍ତି ଏ ସମସ୍ତ ଓ ଆହୁରି ଅନେକ ଏହିପରି ପଦକ୍ଷେପ ନିଅନ୍ତେ, ତେବେ ଧରିତ୍ରୀର ତାତିକୁ ନିୟନ୍ତ୍ରଣ କରିବା ଆଉ ଏପରି ଅସମ୍ଭବ ବିବେଚିତ ହୁଅନ୍ତା ନାହିଁ।

ସମ୍ବନ୍ଧିତ ଖବର