ଜାତି

ତିନିଗୋଟି ମହତ୍ତ୍ବପୂର୍ଣ୍ଣ କାରଣ ପାଇଁ ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସଙ୍କ ଲିଖିତ କ୍ଷୁଦ୍ରକାୟ ପୁସ୍ତିକା ‘ଲକ୍ଷ୍ମୀପୁରାଣ’କୁ ଗୁରୁତ୍ବ ଦିଆଯାଇଥାଏ। ପ୍ରଥମ ହେଲା, ନାରୀର ସ୍ବାଭିମାନ ପ୍ରତିଷ୍ଠା, ଦ୍ବିତୀୟ, ଜାତିଭିତ୍ତିକ ଭେଦଭାବର ବିଲୋପନ ଏବ˚ ତୃତୀୟ ବ୍ରାହ୍ମଣ୍ୟ ଧର୍ମର ଔଦ୍ଧତ୍ୟର ଅସ୍ବୀକାର। ଏହି କ୍ଷୁଦ୍ରକାୟ ପୁସ୍ତିକାଟି ଓଡ଼ିଶାର ସାମାଜିକ ଜୀବନରେ କି ପ୍ରକାର ପ୍ରଭାବ ପକାଇଛି ତାହା ପ୍ରତ୍ୟେକ ଓଡ଼ିଆ ଅଳ୍ପେ ବହୁତେ ଜାଣନ୍ତି।

‘ଲକ୍ଷ୍ମୀପୁରାଣ’ର କାହାଣୀ ଅନୁସାରେ ମା’ ଲକ୍ଷ୍ମୀ ରୁଚିପୂର୍ଣ୍ଣ ଢଙ୍ଗରେ ସୁଦଶାବ୍ରତ ପାଳନ କରୁଥିବା ଦଳିତ ଗୃହନାରୀ ଶ୍ରୀୟା ଚାଣ୍ତାଳୁଣୀ ଘରକୁ ଯାଇଥିବାରୁ ଦେଡ଼ଶୁର ବଳରାମ ତାହାକୁ ନାପସନ୍ଦ କରି ସାନଭାଇ ଜଗନ୍ନାଥଙ୍କୁ କହିଥିଲେ ଯେ ‘ତୋର ଲକ୍ଷ୍ମୀ ଥିଲେ ମୁଇଁ ରହିବଇଁ ନାହିଁ’। ଏଥିରେ ଜଗନ୍ନାଥ ସାମାନ୍ୟ କୁଣ୍ଠାପ୍ରକାଶ କରିବାରୁ ବଳରାମ ବୁଝେଇଥିଲେ, ‘ଭାରିଯା ଅଟଇ ସିନା ପାଦର ପାଣ୍ତୋଇ/ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ।’ ଏ ପରାମର୍ଶ ପରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ବାହାରି ଯିବାକୁ ନିର୍ଦ୍ଦେଶ ଦିଅନ୍ତି। ଲକ୍ଷ୍ମୀ ଯିବା ପରେ ଶ୍ରୀମନ୍ଦିର ଲକ୍ଷ୍ମୀଛଡ଼ା ହୋଇଯାଏ ଏବ˚ ବଡ଼ଠାକୁର ଦିହେଁ ଅଭୁକ୍ତ-ତୃଷାର୍ତ୍ତ ଭାବେ ଘୂରି ଘୂରି ଶେଷରେ ସେଇ ଲକ୍ଷ୍ମୀଙ୍କ ପାଖରେ ଯାଇ ଶରଣାପନ୍ନ ହୁଅନ୍ତି। ତା’ପରେ ଯେତେବେଳେ ସେମାନେ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିର ଫେରି ଆସିବାକୁ ଅନୁରୋଧ ଜଣାନ୍ତି ସେତେବେଳେ ଲକ୍ଷ୍ମୀ ସର୍ତ୍ତ ରଖନ୍ତି, ‘ଯିବି ସତ, ମାତ୍ର ଶ୍ରୀମନ୍ଦିରରୁ ଭେଦଭାବ ଉଠିବା ପ୍ରୟୋଜନ’। କବି ବଳରାମଙ୍କ ଭାଷାରେ, ‘‘ଚଣ୍ତାଳର ହସ୍ତୁ ଅର୍ଣ୍ଣ ବ୍ରାହ୍ମଣ ଖାଇବ/ବ୍ରାହ୍ମଣ ଖାଇଣ ହସ୍ତ ମସ୍ତକେ ପୋଛିବ/ ଅର୍ଣ୍ଣ ଖାଇ ଶିରେ ଯେବେ ନ ପୋଛିବ ହାତ/ ବଡ଼ଦେଉଳକୁ ମୁହିଁ ନ ଯିବି ଜଗନ୍ନାଥ।’ ଏହିପରି ଭାବରେ କବି ବଳରାମ ଦାସ ଯେଉଁ ତିନିଟି କଥା ପ୍ରତିଷ୍ଠିତ କରିବାକୁ ଚାହିଥିଲେ ତାହା ହେଉଛି ସମାଜ ଲାଗି ପୁରୁଷର ଯେଉଁଭଳି ପ୍ରୟୋଜନ, ନାରୀର ମଧୢ ସେହିଭଳି ପ୍ରୟୋଜନ ରହିଛି। ନାରୀ-ପୁରୁଷ ଭେଦଭାବ ବର୍ଜନୀୟ। ଦ୍ବିତୀୟ କଥା ହେଲା ବ୍ରାହ୍ମଣ୍ୟ ଧର୍ମର ଔଦ୍ଧତାପୂର୍ଣ୍ଣ ଆଚରଣର କୌଣସି ଯୁକ୍ତି ନାହିଁ ଏବ˚ ଶେଷୋକ୍ତ ତଥା ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଜାତିଭିତ୍ତିକ ଭେଦାଭେଦ ସମାଜ ପାଇଁ କ୍ଷତିକାରକ। ଓଡ଼ିଶାରେ ଯେ ଭେଦାଭେଦ ଭାବକୁ ନେଇ ତିକ୍ତତର ବିଦ୍ବେଷ ଦେଖାଯାଏ ନାହିଁ ତାହା ପଛରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ଯଥେଷ୍ଟ ଅବଦାନ ରହିଛି।

ଦୁଃଖର କଥା ଯେ ଓଡ଼ିଶାର କବି ବଳରାମ ଦାସ ଯେଉଁ କଥାଟିକୁ ପାଞ୍ଚ ଶହ ବର୍ଷ ଆଗରୁ ମଣିଷ ସମାଜକୁ ଶିକ୍ଷା ଦେଇ ଯାଇଛନ୍ତି ପୁଣ୍ୟସ୍ଥାନ ରୂପେ ପରିଚିତ ହରିଦ୍ବାରର ମୁଷ୍ଟିମେୟ ଶିକ୍ଷିତ ଲୋକ ସେକଥା ଆଜି ମଧୢ ଶିକ୍ଷା କରିବାକୁ କୁଣ୍ଠିତ। ବିପରୀତ ସ୍ରୋତରେ ସେମାନଙ୍କ ମନର ଡଙ୍ଗା ଗତି କଲାଭଳି ସେମାନେ ମଧୢଯୁଗୀୟ କୁତ୍ସିତ ଚିନ୍ତାଧାରା ନିକଟରେ ନିଜ ନିଜର ବିବେକକୁ ବନ୍ଧା ପକେଇଛନ୍ତି। ତାହା ହୋଇନଥିଲେ ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍‌ସରେ ମେଡାଲ ଜିଣିପାରିନଥିବା କାରଣ ଯୋଗୁଁ ବିଚକ୍ଷଣା ହକି ଖେଳାଳି ବନ୍ଦନା କଟାରିୟାଙ୍କୁ ସେମାନେ କଦର୍ଯ୍ୟ ଜାତିଆଣ ଆକ୍ଷେପରେ ଅପମାନିତ କରିନଥାନ୍ତେ। ସେମିଫାଇନାଲ୍‌ରେ ଭାରତୀୟ ମହିଳା ଟିମ୍‌ ଆର୍ଜେଣ୍ଟିନା ନିକଟରୁ ହାରିଯିବା ପରେ କିଛି ବ୍ୟକ୍ତି ବନ୍ଦନାଙ୍କ ଘର ଆଗରେ ଯାଇ ଜାତିଗତ ଆକ୍ଷେପ କରିବା ସହ, ଭାରତର ହକି ଟିମ୍‌ ହାରିବାର ମୂଳ କାରଣ ଏହି ଟିମ୍‌ରେ ଦଳିତ ଖେଳାଳିଙ୍କର ସ˚ପୃକ୍ତି ବୋଲି ସିଧାସଳଖ କହିଥିଲେ। ଏଭଳି କୁତ୍ସିତ ଆଚରଣ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀମାନେ ସମସ୍ତେ ଥିଲେ ପୁରୁଷ ଏବ˚ ଦ୍ବିତୀୟରେ ଉଚ୍ଚ ଜାତିର ଯୁବକ। ସେମାନଙ୍କର ମୂଲ୍ୟବାନ ତତ୍ତ୍ବ ହେଲା, ଦଳିତ ଖେଳାଳିମାନଙ୍କୁ ସମସ୍ତ ଖେଳ ଟିମ୍‌ରୁ ବିଦା କରି ଦେଲେ ଭାରତ ପ୍ରତିଯୋଗିତା ଗୁଡ଼ିକ ସହଜରେ ଜିଣିପାରିବ। ଉଲ୍ଲେଖ ନିଷ୍ପ୍ରୟୋଜନ, ଏହାଠାରୁ ବଳି ହାସ୍ୟାସ୍ପଦ ଓ ଉଦ୍ଭଟ ଯୁକ୍ତି ଆଉ କିଛି ହୋଇ ନ ପାରେ।

ଆସନ୍ତା କାଲି ଭାରତର ସ୍ବାଧୀନତା ଦିବସ। ୧୯୪୭ରେ ସ୍ବାଧୀନତା ଲାଭ କରିଥିବା ଭାରତ ତା’ର ମୁକ୍ତିର ୭୫ତମ ଉତ୍ସବ ପାଳନ କରିବ। ଅଥଚ ସମୃଦ୍ଧ ଭାରତବର୍ଷର ଏକ ରାଜ୍ୟରେ ଆଜି ମଧୢ ଏହିପରି କୁତ୍ସିତ ଚିନ୍ତାଧାରା ଚକା ପକେଇ ବସିଛି। ବସ୍ତୁତଃ ଏହାହିଁ ଭାରତର ଦୁର୍ଗତିର ପ୍ରଥମ ଏବ˚ ଗୁରୁତ୍ବପୂର୍ଣ୍ଣ କାରଣ। ଘୃଣିତ ଜାତିପ୍ରଥା ନାମକ ଜିନିଷଟି ନ ହଟିଲା ପର୍ଯ୍ୟନ୍ତ ଭାରତର ସ୍ବାଧୀନତା ଅର୍ଥହୀନ ଏବ˚ ଈପ୍‌ସିତ ସାମାଜିକ ସ୍ବାଧୀନତା ଆମ ପାଇଁ ଅପହଞ୍ଚ।

ପ୍ରସଙ୍ଗତଃ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଟୋକିଓରେ ଯେଉଁ ଭାରତୀୟ ମହିଳା ଟିମ୍‌ ହକି ଖେଳୁଥିଲା ସେ ଟିମ୍‌ର ସବୁ ଝିଅ ପ୍ରାୟତଃ ସାଧାରଣ ପରିବାରର ସଦସ୍ୟା। ସାହାବାଦର ରାଣୀ ରାମ୍ପାଲଙ୍କର ବାପା ଟାଙ୍ଗା ଚଳାନ୍ତି, ଗୁରୁଜିତ୍‌ କୌରଙ୍କର ବାପା ଅମୃତସରର ଜଣେ କୃଷକ, ଝାଡ଼ଖଣ୍ତର ସାଲିମାର ଭଉଣୀ ପର ଘରେ ପାଇଟି କରନ୍ତି, ନବଜିତ୍‌ କୌରଙ୍କ ବାପା ଜଣେ ମେକାନିକ, ନିଶା ଵାସିସଙ୍କ ବାପା ଦରଜୀ ଏବ˚ ନେହାଙ୍କ ବାପା ଜଣେ ଗରିବ ଚାଷୀ ଯିଏ ଝିଅ ପାଇଁ ଏକଦା ହଳେ ଭଲ ଜୋତା କିଣି ଦେଇପାରିନଥିଲେ। ଓଡ଼ିଶାରୁ ଖେଳୁଥିବା ଦୀପ ଗ୍ରେସ୍‌ଙ୍କ ଘରର ଅବସ୍ଥା ଓଡ଼ିଶାର ସଭିଁଙ୍କୁ ଜଣା। ତାଙ୍କ ଗାଁକୁ ଏ ପର୍ଯ୍ୟନ୍ତ ପିଇବା ପାଣି କିମ୍ବା ବିଜୁଳି ଯାଇନାହିଁ। ଏହି ଟିମ୍‌ର ଅନ୍ୟତମ ସଦସ୍ୟା ହେଉଛନ୍ତି ବନ୍ଦନା। ହରିଦ୍ବାର ରୋସ୍‍ନାବାଦରେ ରହୁଥିବା ବନ୍ଦନାଙ୍କ ପରିବାର ଅତି ଦରିଦ୍ର। ଖେଳିବା ଲାଗି ସେ ହକି ଷ୍ଟିକ୍‌ଟିଏ ଯୋଗାଡ଼ କରିପାରିନଥିବାରୁ ଗଛର ଖଣ୍ତେ ବଙ୍କା ଡାଳ ଯୋଗାଡ଼ କରି ସେଇଥିରେ ଖେଳ ପ୍ରାକ୍‌ଟିସ କରିବା ଆରମ୍ଭ କରିଥିଲେ। କ୍ରମେ ନିଜର ଦକ୍ଷତା ବଳରେ ସେ ଏତେ ପ୍ରସିଦ୍ଧି ଅର୍ଜନ କଲେ ଯେ ଭାରତ ଟିମ୍‌ ତାଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ଦେଇଥିଲା, ଯାହା ଭିତରେ ୨୦୧୩ର ଜୁନିୟର ବିଶ୍ବକପ୍‌ ଅନ୍ୟତମ। ବନ୍ଦନା ଭାରତ ତରଫରୁ ସବୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିଛନ୍ତି। ୨୦୧୪ ଓ ୧୮ର ଏସିଆନ୍‌ ଗେମ୍‌ସ, ୨୦୧୭ର ଏସିଆ କପ୍‌, ୨୦୧୮ର କମନୱେଲ୍‌ଥ ଗେମ୍‌ ସହ ୨୦୧୬ର ରିଓ ଅଲିମ୍ପିକ୍‌ରେ ସେ ଭାରତ ପକ୍ଷରୁ ଖେଳିଆସିଛନ୍ତି। ଅନ୍ୟମାନଙ୍କ ଲାଗି ଅସମ୍ଭବ ମନେ ହେଉଥିବା, ପଡ଼ିଆର ଯେକୌଣସି ଅସୁବିଧାଜନକ ସ୍ଥାନରୁ ସୁଦ୍ଧା ଗୋଲପୋଷ୍ଟକୁ ବଲ୍‌ ମାରିବାରେ ତାଙ୍କର ଦକ୍ଷତା ସମସ୍ତେ ସ୍ବୀକାର କରିଥା’ନ୍ତି। ୨୯ ବର୍ଷ ବୟସ୍କା ଏହି ଖେଳାଳି ନିଜେ ଖେଳିବା ସହ କିଶୋରୀ ହକି ଖେଳାଳିମାନଙ୍କୁ ତାଲିମ ଦେଇ ଆଗାମୀ ଦିନ ଲାଗି ସେମାନଙ୍କୁ ପ୍ରସ୍ତୁତ କରିଥାଆନ୍ତି। ଏଭଳି ଜଣେ ଖେଳାଳି ଭାରତୀୟ ହକି ଦଳର ରତ୍ନ କହିଲେ ଅତିଶୟୋକ୍ତି ହେବ ନାହିଁ। ଅଥଚ ତାଙ୍କ ନିଜ ରାଜ୍ୟ ଓ ନିଜ ଅଞ୍ଚଳର ଲୋକମାନଙ୍କ ଦୃଷ୍ଟିରେ ସେ ଜଣେ ଅଯୋଗ୍ୟା ଖେଳାଳି- କାରଣ ତାଙ୍କର ଜନ୍ମ କୌଣସି ବ୍ରାହ୍ମଣ କି କ୍ଷତ୍ରିୟ ପରି ଉଚ୍ଚ ଜାତିରେ ନୁହେଁ, ବର˚ ଦଳିତ ଜାତିରେ।

ବନ୍ଦନାଙ୍କ ପରି ହଜାର ହଜାର ଉଦାହରଣରେ ଭାରତର ପୁରାଣ ଓ ଇତିହାସ ଭର୍ତ୍ତି ଯୋଉଠି ଆମେ ଯୋଗ୍ୟତାକୁ ଜାତିର ନିକିତିରେ ତଉଲିବାର ଗର୍ହିତ ଅପରାଧ କରିଆସିଛୁ। ମହାଭାରତର ଏକଲବ୍ୟ ଗୁରୁ ଦ୍ରୋଣଙ୍କ ଦ୍ବାରା ପ୍ରତାରିତ ହୋଇଥିଲେ। ସେହି ମହାକାବ୍ୟର ମହାବୀର କର୍ଣ୍ଣ ମଧୢ ବିନା କାରଣରେ ଜୀବନସାରା ମୁଣ୍ତେଇଥିଲେ ନୀଚ୍ଚ ଜାତିରେ ଜନ୍ମ ହେବାର ବିଡ଼ମ୍ବନା, ଯଦିଓ ବାସ୍ତବରେ ସେ ଥିଲେ ଅଗ୍ରଜ ପାଣ୍ତବ। ଅଥଚ କ୍ରୀଡ଼ାଙ୍ଗନଠାରୁ ନେଇ ସୈନ୍ୟବାହିନୀ ପର୍ଯ୍ୟନ୍ତ ସବୁଠି ଏଭଳି ବୀରମାନଙ୍କର ଯୋଗଦାନ ଭାରତକୁ ଗୌରବାନ୍ବିତ କରିଛି। ଭାରତବର୍ଷର ଇତିହାସ ଏଭଳି ବହୁ ପ୍ରତିଭାଙ୍କ ଅବଦାନରେ ସମୃଦ୍ଧ ଯେଉଁମାନେ ତଥାକଥିତ ଛୋଟ ଜାତିରେ ଜନ୍ମ ହୋଇଥିଲେ। ଦୁର୍ଭାଗ୍ୟର କଥା ଯେ ଏସବୁ ଆଖ୍ୟାନ ଓ କଥନିକା ଆମର ରୁଗ୍‌ଣ ମାନସିିକତାକୁ ସୁସ୍ଥ କରିପାରିନାହିଁ। ଟୋକିଓ ଅଲିମ୍ପିକ୍‌ସରେ ଭାରତର ଉଭୟ ପୁରୁଷ ଏବ˚ ମହିଳା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଖେଳାଳି, ଜନନେତା, ଅଭିନେତା ସମସ୍ତେ ସେମାନଙ୍କୁ ପ୍ରଶ˚ସା କରିଛନ୍ତି। ଏଥିପାଇଁ ୨୦୧୩ ଠାରୁ ହକି ଖେଳକୁ ପୃଷ୍ଠପୋଷକତା ଯୋଗାଇ ଦେଇ ଆସୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପ୍ରଶ˚ସା ଲାଭ କରିଛନ୍ତି। ଭାରତର ମହିଳା ଟିମ୍‌ ମ୍ୟାଚ୍‌ ହାରିଥିଲେ ସୁଦ୍ଧା ଦେଶବାସୀଙ୍କ ହୃଦୟ ଜିଣି ପାରିଛନ୍ତି। ଆସନ୍ତା ମ୍ୟାଚ୍‌ରେ ହୁଏ’ତ ସେମାନେ ମେଡାଲ ମଧୢ ଜିତିବେ। ମାତ୍ର ଭାରତରେ ଥିବା ଯେଉଁ ଘୃଣ୍ୟ ଜାତିପ୍ରଥା ଏକ ଦୁରାରୋଗ୍ୟ ବ୍ୟାଧି ପରି କାୟାବିସ୍ତାର କରି ରହିଛି ତା’ ଉପରେ ଦେଶବାସୀ ବିଜୟ ଲାଭ କରିବେ କେବେ? ଅଗଷ୍ଟ ପନ୍ଦରର ଅବ୍ୟବହିତ ପୂର୍ବରୁ ଏଇ ପ୍ରସଙ୍ଗଟି ଆମମାନଙ୍କୁ ବିବ୍ରତ କରୁ ଏବ˚ ତାଆରି ଭିତରୁ ସମାଧାନର ପନ୍ଥା ସାମ୍ନାକୁ ଆସୁ। ବନ୍ଦନାଙ୍କ ପରି ତରୁଣୀ ଏକଲବ୍ୟମାନଙ୍କୁ ବିନା କାରଣରେ ଅପମାନିତା ହେବାକୁ ନ ପଡୁ।

ସମ୍ବନ୍ଧିତ ଖବର