ଭଲ-ମନ୍ଦ

ଈଶ୍ୱର ହେଉଛନ୍ତି ସର୍ବବିଦ୍ୟମାନ, ସର୍ବଜ୍ଞ ଓ ସର୍ବଶକ୍ତିମାନ। ଏହି ମାପକାଠି ପ୍ରୟୋଗ କରି ଆଜିର ଦୁନିଆରେ ଯଦି ଈଶ୍ୱରଙ୍କୁ ଖୋଜାଯାଏ ତେବେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ ଗୁଗ୍‌ଲ ହିଁ ହେଉଛି ଭଗବାନ। ଭଗବାନ ଓ ସଇତାନ ମଧ୍ୟରେ ପ୍ରଭେଦ ହେଲା ସଇତାନ ସର୍ବଦା ମନ୍ଦ କାର୍ଯ୍ୟ କରୁଥିବା ବେଳେ ଭଗବାନ ସର୍ବଦା ଭଲ କାର୍ଯ୍ୟ କରିଥାନ୍ତି। ବୋଧହୁଏ ଏହି କାରଣରୁ ଗୁଗ୍‌ଲ ୨୦୦୦ ସାଲ ଠାରୁ ଯେଉଁ ନୀତିବାକ୍ୟକୁ ନିଜର ବ୍ୟାବସାୟିକ ଆଚରଣ ବିଧିର ପ୍ରତିନିଧି ରୂପେ ପ୍ରଦର୍ଶିତ କରି ଆସିଛି, ତାହା ହେଲା: ‘ମନ୍ଦ ହୁଅ ନାହିଁ’ (‘ଡୋଣ୍ଟ୍‌ ବି ଇଭିଲ୍‌’)। କିନ୍ତୁ ଯଦି କୌଣସି କମ୍ପାନି ବଜାରରେ ନିଜର ଆଧିପତ୍ୟର ଦୁରୁପଯୋଗ କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ସୁଯୋଗରୁ ବଞ୍ଚିତ କରେ, ତାହା ଏକ ମନ୍ଦ କାର୍ଯ୍ୟ ରୂପେ ପରିଗଣିତ ହେବ ନା ନାହିଁ?

ଭାରତର ‘ପ୍ରତିଦ୍ୱନ୍ଦ୍ୱିତା ଆୟୋଗ’ (‘କମ୍ପିଟିସନ୍‌ କମିସନ୍‌ ଅଫ୍‌ ଇଣ୍ଡିଆ’- ‘ସିସିଆଇ’) ମତରେ ତାହା ନିଶ୍ଚିତ ରୂପେ ଏକ ଅଣ-ଈଶ୍ୱର ସୁଲଭ ମନ୍ଦ କାର୍ଯ୍ୟ, ଯେଉଁଥି ପାଇଁ ‘ସିସିଆଇ’ ଗତ ସପ୍ତାହରେ ଗୁଗ୍‌ଲକୁ ୧୩୬ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛି। ପ୍ରାୟ ଛ’ବର୍ଷ ତଳେ ‘ସିସିଆଇ’ ନିକଟରେ ହୋଇଥିବା ଏକ ଅଭିଯୋଗର ଅନୁସନ୍ଧାନ ଓ ବିଚାର କରିବା ପରେ ଗୁଗ୍‌ଲ ଉପରେ ଏପରି ଦଣ୍ଡ ଲାଗୁ କରିବା ପାଇଁ ‘ସିସିଆଇ’ ଏବେ ନିଷ୍ପତ୍ତି ନେଇଛି। ୨୦୧୨ରେ ‘ଭାରତ ମାଟ୍ରିମୋନି’ (ବର୍ତ୍ତମାନ ‘ମାଟ୍ରିମୋନି.କମ୍‌’ ନାମରେ ପରିଚିତ) ନାମକ ଅନ୍‌ଲାଇନ୍‌ ପ୍ରଜାପତି ଘଟସୂତ୍ର ସଂସ୍ଥା ଏବଂ ‘କନ୍‌ଜ୍ୟୁମର୍‌ ୟୁନିଟି ଆଣ୍ଡ୍‌ ଟ୍ରଷ୍ଟ ସୋସାଇଟି’ ନାମକ ସଂସ୍ଥା ଗୁଗ୍‌ଲର ପ୍ରତିଦ୍ୱନ୍ଦ୍ୱିତା ବିରୋଧୀ ଆଚରଣ ବିରୋଧରେ ‘ସିସିଆଇ’ ନିକଟରେ ଫେରାଦ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଗୁଗ୍‌ଲ ଉଭୟ ଅନ୍‌ଲାଇନ୍‌ ଖୋଜାଖୋଜି ସେବା ଏବଂ ଅନ୍‌ଲାଇନ୍‌ ବିଜ୍ଞାପନ ସେବା (‘ଆଡ୍‌ ଓ୍ଵାର୍ଡ୍‌ସ’ ଓ ‘ଆଡ୍‌ ସେନ୍‌ସ’ ମାଧ୍ୟମରେ) ପ୍ରଦାନ ବ୍ୟବସାୟରେ ଭାରତୀୟ ବଜାରରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଅଭିଯୋଗକାରୀମାନେ କୁହନ୍ତି ଯେ ଗୁଗ୍‌ଲ ତା’ର ଏହି କ୍ଷମତାଶାଳୀ ସ୍ଥିତିର ଅପବ୍ୟବହାର କରୁଛି। ଅନୁସନ୍ଧାନ ସମୟରେ ଫେସ୍‌ବୁକ୍‌, ଫ୍ଲିପ୍‌କାର୍ଟ, ମେକ୍‌ ମାଇଁ ଟ୍ରିପ୍‌ ଭଳି ଅନ୍ୟ ଅନ୍‌ଲାଇନ୍‌ ବ୍ୟବସାୟ ସଂସ୍ଥା ମାନେ ମଧ୍ୟ ମୂଳ ଅଭିଯୋଗକାରୀଙ୍କ ସହିତ ସ୍ୱର ମିଳାଇଥିଲେ।

ସେମାନଙ୍କ କହିବା ଅନୁସାରେ ଗୁଗ୍‌ଲ ଯେଉଁ ଭଳି ତାହାର କ୍ଷମତାର ଦୁରୁପଯୋଗ କରିଥିଲା ତାହା ଚୁମ୍ବକରେ ଏହିପରି। ଯେତେବେଳେ କେହି ଗୁଗ୍‌ଲର ସର୍ଚ୍ଚ ଇଞ୍ଜିନ୍‌ ବ୍ୟବହାର କରି କିଛି ସୂଚନା ଖୋଜନ୍ତି, ଗୁଗ୍‌ଲ ସେତେବେଳେ ଜାଣିଶୁଣି ନିଜକୁ ଓ ନିଜ ସହଯୋଗୀମାନଙ୍କୁ ସୁହାଇବା ଭଳି ସୂଚନା ଫଳାଫଳ ପ୍ରଦର୍ଶିତ କରିଥାଏ। ଗୁଗ୍‌ଲ ସୂଚନା ଖୋଜିବା ପାଇଁ ଯେଉଁ ଗାଣିତିକ ସୂତ୍ର ବା ଆଲ୍‌ଗୋରିଦ୍‌ମ ବ୍ୟବହାର କରିଥାଏ ତାହା ଏପରି ନିୟନ୍ତ୍ରିତ ହୋଇଥାଏ ଯେପରି ଗୁଗ୍‌ଲ ନ୍ୟୁଜ୍‌, ୟୁଟ୍ୟୁବ୍‌ ବା ଗୁଗ୍‌ଲ ମ୍ୟାପ୍‌ ଭଳି ଗୁଗ୍‌ଲର ନିଜର ସେବାମାନଙ୍କୁ ପ୍ରାଧାନ୍ୟ ଦେଇ ତା’ର ପ୍ରତିଦ୍ୱନ୍ଦ୍ୱୀ ସେବାମାନଙ୍କ ସମ୍ବନ୍ଧରେ ସୂଚନା ସବୁକୁ ଚାପି ଦିଏ। ଏହା ଫଳରେ ପ୍ରତିଦ୍ୱନ୍ଦ୍ୱୀ ଖୋଜାଖୋଜି ସେବା ପ୍ରଦାନକାରୀ ମାନଙ୍କର ଚାହିଦା ହ୍ରାସ ପାଏ। ବିଜ୍ଞାପନଦାତାମାନଙ୍କୁ ମଧ୍ୟ ଗୁଗ୍‌ଲ ତା’ର ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟ୍‌ଫର୍ମ ବ୍ୟବହାରରୁ ନିରୁତ୍ସାହିତ କରିଥାଏ।

‘ସିସିଆଇ’ର ଅନୁସନ୍ଧାନକାରୀ ଶାଖା (ଡାଇରେକ୍ଟର ଜେନେରାଲ, ଇନ୍‌ଭେଷ୍ଟିଗେସନ୍‌) ତାର ରିପୋର୍ଟରେ ଯାହା ସାବ୍ୟସ୍ତ କରିଥିଲା ତାହା ହେଲା ଗୁଗ୍‌ଲର ଆକାର, ବଜାର ଭାଗ, ଅର୍ଥନୈତିକ ଶକ୍ତି, ସୁବିଧାଜନକ ବାଣିଜ୍ୟିକ ସ୍ଥିତି ଆଦି ମିଶି ଉଭୟ ସାଧାରଣ ଓ୍ଵବ୍‌ ସର୍ଚ୍ଚ ସେବା ପ୍ରଦାନ କ୍ଷେତ୍ରରେ ଓ ଅନ୍‌ଲାଇନ୍‌ ସର୍ଚ୍ଚ ବିଜ୍ଞାପନ କ୍ଷେତ୍ରରେ ଗୁଗ୍‌ଲ ଆଧିପତ୍ୟ ବିସ୍ତାର କରିବାରେ ସହାୟକ ହୋଇଛନ୍ତି। ସିସିଆଇ ଯଦିବା ତା’ର ଏହି ଅନୁସନ୍ଧାନକାରୀ ଶାଖାର ରିପୋର୍ଟ ସମ୍ପୂର୍ଣ୍ଣ ଗ୍ରହଣ କରିନାହିଁ, ତେବେ ଗୁଗ୍‌ଲର ବଜାର ଆଧିପତ୍ୟ ସମ୍ବନ୍ଧରେ ଉପରୋକ୍ତ ସିଦ୍ଧାନ୍ତକୁ ସ୍ୱୀକୃତି ପ୍ରଦାନ କରିଛି। ବସ୍ତୁତଃ ସିସିଆଇର ମୌଳିକ ଭୂମିକା ହେଉଛି ଏହା ହିଁ- କୌଣସି ଗୋଟିଏ ବ୍ୟବସାୟ ବା କମ୍ପାନି ଯେପରି ଏତେ ବିଶାଳ ନହୁଏ ଯାହା ବଜାରକୁ ନିଜର ନିୟନ୍ତ୍ରଣ ମଧ୍ୟକୁ ଆଣି ଶେଷରେ ଖାଉଟିମାନଙ୍କୁ ଶୋଷଣ କରିବାକୁ ଆରମ୍ଭ କରିବ।

ସିସିଆଇ ଏଥି ସହିତ ମଧ୍ୟ ଏକମତ ହୋଇଛି ଯେ ଗୁଗ୍‌ଲ ଭାରତରେ ତା’ର ଏହି ବଜାର ଆଧିପତ୍ୟର ଦୁରୁପଯୋଗ କରିଛି ଏବଂ କେତେକ କୌଶଳ ବ୍ୟବହାର କରି ଅଧିକାଂଶ େଓ୍ଵବ୍‌ ସର୍ଚ୍ଚକୁ ଗୁଗ୍‌ଲମୁହାଁ କରିବା ସହିତ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପାଇଁ ସର୍ଚ୍ଚ ମରୁଡ଼ି ସୃଷ୍ଟି କରିଛି। ଯଦିବା ସିସିଆଇ ଗୁଗ୍‌ଲର ଅପରାଧକୁ ଅତ୍ୟନ୍ତ ଗୁରୁତର ଶ୍ରେଣୀର ବୋଲି ବିଚାର କରିନାହାନ୍ତି, ତଥାପି ଏହି ଅପରାଧ ପାଇଁ ଉପରୋକ୍ତ ଅର୍ଥଦଣ୍ଡ ଲାଗୁ କରାହୋଇଛି। ଏଠାରେ ଯାହା ତତ୍ପର୍ଯ୍ୟପୂର୍ଣ୍ଣ ତାହା ହେଲା ଅର୍ଥଦଣ୍ଡର ଆକାର ହେଉଛି ଗୁଗ୍‌ଲ ପାଇଁ ନଗଣ୍ୟ- ତା’ର ଭାରତୀୟ ବଜାରରୁ ବିଗତ ତିନିବର୍ଷ ମଧ୍ୟରେ ଅର୍ଜିତ ହାରାହାରି ବାର୍ଷିକ ଆୟର ପ୍ରାୟ ୫% ମାତ୍ର; କିନ୍ତୁ ଏଥିସହିତ ବର୍ତ୍ତମାନ ବିଧିବଦ୍ଧ ଭାବରେ ସାବ୍ୟସ୍ତ ହୋଇଗଲା ଯେ ଗୁଗ୍‌ଲ ଭାରତୀୟ ବଜାରରେ ଏକାଧିପତ୍ୟ ଜାହିର କରିସାରିଛି। ଏଣୁ ଏହାକୁ ଆଧାର କରି ଭବିଷ୍ୟତରେ ଅନ୍ୟ ଅଭିଯାଗକାରୀ କମ୍ପାନିମାନେ ଯେ ଗୁଗ୍‌ଲ ବିରୋଧରେ ସିସିଆଇର ଦ୍ୱାରସ୍ଥ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ।

ଗୁଗ୍‌ଲ ପାଇଁ ସମସ୍ୟା ହେଲା କେବଳ ଭାରତରେ ସୁନ୍ଦର ପିଚାଇଙ୍କର ଏହି କମ୍ପାନି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି, ତାହା ନୁହେଁ। ମାତ୍ର କେତେ ମାସ ତଳେ ସେଠାକାର ପ୍ରତିଦ୍ୱନ୍ଦ୍ୱିତା ଆଇନ ଖିଲାପ ଅଭିଯୋଗରେ ଇଉରୋପିଆନ୍‌ କମିସନ୍‌ ଗୁଗ୍‌ଲ ଉପରେ ଏକ ବିଶାଳ ୨.୭ ବିଲିଅନ୍‌ ଡଲାର ଅର୍ଥଦଣ୍ଡ ପକାଇଥିଲେ। ଏହା ବ୍ୟତୀତ କାନାଡ଼ା, ରୁଷିଆ, ଦକ୍ଷିଣ କୋରିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା, ଫ୍ରାନ୍‌ସ, ଇଟାଲି, ଜର୍ମାନୀ ଆଦି ଦେଶମାନଙ୍କରେ ଗୁଗ୍‌ଲ ନିଜ ବିରୁଦ୍ଧରେ ହୋଇଥିବା ଏକାଧିପତ୍ୟ ଅଭିଯୋଗ ସହିତ ଆଇନଗତ ମୁକାବିଲାରେ ବ୍ୟାପୃତ ଅଛି। ରୁଷିଆ ସହିତ ଏକ ବୁଝାମଣାରେ ପହଞ୍ଚିବା ପାଇଁ ଗୁଗ୍‌ଲ ୭.୮୫ ନିୟୁତ ଡଲାର ଅର୍ଥଦଣ୍ଡ ଦେବା ସହିତ ନିଜର ଆଚରଣରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛି। କେବେହେଲେ ମନ୍ଦ ନ ହେବାକୁ ପ୍ରତିଶ୍ରୁତିବଦ୍ଧ ଗୁଗ୍‌ଲ ଏବେ ସଚେତନ ହେଉଥିବ ଯେ ଧରାପୃଷ୍ଠରେ ଅବତୀର୍ଣ୍ଣ ଈଶ୍ୱର ମଧ୍ୟ ନଚାହିଁଲେ ବି ନିଜ ଅଜାଣତରେ କେତେବେଳେ ମନ୍ଦ ହୋଇ ଯାଇ ପାରନ୍ତି। ସେତେବେଳେ ମନୁଷ୍ୟକୃତ ଆଇନ ହିଁ ଭଗବାନଙ୍କୁ ପୁଣି ଭଲ ବାଟକୁ ଆଣିଥାଏ।

ସମ୍ବନ୍ଧିତ ଖବର