କୁରୁସଭା

ଆନ୍ତର୍ଜାତିକ କୂଟନୀତିକୁ ସର୍ବଦା ଏକ ପଶାଖେଳ ରୂପେ ବିବେଚନା କରାଯାଇଥାଏ। ବର୍ତ୍ତମାନ ଏହି ପଶାଖେଳର ଏକ ସଦ୍ୟତମ ଚାଲ୍ ସ୍ବରୂପ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଫ୍‌ଗାନିସ୍ତାନରେ ମୁତୟନ ହୋଇଥିବା ସମସ୍ତ ଆମେରିକୀୟ ସୈନ୍ୟ ସାମନ୍ତମାନଙ୍କୁ ଅପସାରିତ କରି ନେଇଛନ୍ତି। ତାଲିବାନ୍ ସହିତ ଖେଳରେ ବାଜି ହାରିବା ପରେ ଆମେରିକା ଏହି ସେନା ଅପସାରଣ ରାସ୍ତା ବାଛି ନେଇଛି।

ପଶାଖେଳରେ ପରାଜୟର ପରାଭବ ଶେଷରେ ଏକ ତୃତୀୟ ପକ୍ଷକୁ କିଭଳି ବିନା ଅପରାଧରେ ଭୋଗିବାକୁ ହୁଏ ତାହାର ଏକ ଚରମ ହୃଦୟବିଦାରକ ଉଦାହରଣ ହେଉଛନ୍ତି ମହାଭାରତର ଦ୍ରୌପଦୀ। ପାଣ୍ଡବ ପକ୍ଷ ଖେଳରେ ହାରିବାରୁ ଭରପୂର କୁରୁସଭାରେ ପାପିଷ୍ଠ ଦୁଃଶାସନ ତାଙ୍କୁ ସର୍ବସମ୍ମୁଖରେ ବିବସ୍ତ୍ର କରିବାକୁ ପ୍ରୟାସ କରିବାରେ ଲାଗିଥିଲା। ସେ ସମୟରେ ଉଭୟ ପକ୍ଷର କୌଣସି ଜଣେ ହେଲେ ବି ଉପସ୍ଥିତ ସଭାସଦ୍ ଦୁଃଶାସନକୁ ଏହି ବର୍ବର କାର୍ଯ୍ୟରୁ ନିବୃତ୍ତ କରିବାକୁ କିମ୍ବା ଦ୍ରୌପଦୀଙ୍କୁ ରକ୍ଷା କରିବା ପାଇଁ ସାମାନ୍ୟତମ ଉଦ୍ୟମ କରି ନ ଥିଲେ।

ମନେହେଉଛି ମହାଭାରତର ସେଇ ଲଜ୍ଜାଜନକ କଳଙ୍କିତ ଦୃଶ୍ୟର ବର୍ତ୍ତମାନ ପୁନରାବୃତ୍ତି ଘଟିବାକୁ ଯାଉଛି କୁରୁ ରାଜମାତା ଗାନ୍ଧାରୀଙ୍କ ଦେଶ ସେ କାଳର ଗାନ୍ଧାର ଓରଫ୍ ଆଜିର ଆଫ୍‌ଗାନିସ୍ତାନ୍‌ରେ। ତେବେ ଫରକ୍ ହେଉଛି, ସେ ସମୟରେ ଜଣେ ମାତ୍ର ଦ୍ରୌପଦୀଙ୍କୁ ଲାଞ୍ଛନା ଭୋଗ କରିବାକୁ ପଡ଼ିଥିବା ବେଳେ ବର୍ତ୍ତମାନ ସହସ୍ର ସହସ୍ର ଆଫଗାନ୍ ରମଣୀମାନେ ଆମେରିକାର ପରାଜୟ ଓ ପଳାୟନ ପରେ ବିଜୟୀ ତାଲିବାନ୍ ହାତରେ ଅକଥନୀୟ ଲାଞ୍ଛନା ଭୋଗ କରିବା ଆଶଙ୍କାରେ ଗାତ୍ରକମ୍ପ ଅବସ୍ଥାରେ ରହିଛନ୍ତି। ସେମାନଙ୍କର ଏହି ଆଶଙ୍କାର ଭିତ୍ତି ହେଉଛି ଦୁଇ ଦଶନ୍ଧି ତଳେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫ୍‌ଗାନିସ୍ତାନ୍‌ରେ ତାଲିବାନ୍ ଶାସନ ସମୟର ଅନୁଭୂତି। ସେଇ ଅନୁଭୂତି ଆଧାରରେ ଆଫ୍‌ଗାନ୍ ମହିଳାମାନେ ବର୍ତ୍ତମାନ କେଉଁଭଳି ପରିସ୍ଥିତିର ସମ୍ମୁଖୀନ ହେ‌ବାକୁ ଯାଉଛନ୍ତି, ସେ ସମ୍ବନ୍ଧରେ ଏକ ସମ୍ୟକ ଧାରଣା ନିମ୍ନ ମତେ କରାଯାଇ ପାରେ।

ବୁର୍ଖା ଦ୍ବାରା ଆପାଦମସ୍ତକ ଆବୃତ ନ ହୋଇ ଏବଂ ସାଥିରେ ଜଣେ କେହି ରକ୍ତ ସମ୍ପକୀୟ ନ ଥାଇ କୌଣସି ମହିଳା ଘରୁ ବାହାରକୁ ଗୋଡ଼ କାଢ଼ି ପାରିବେ ନାହିଁ। ଯେହେତୁ ନାରୀର ପଦଶବ୍ଦ କୌଣସି ପୁରୁଷର କାନରେ ପଡ଼ିବା ଉଚିତ ନୁହେଁ, କୌଣସି ମହିଳା ହାଇହିଲ୍ ଜୋତା ପିନ୍ଧି ପାରିବେ ନାହିଁ, କାରଣ ହାଇହିଲ୍‌ର ଠକ୍‌ଠକ୍‌ ଶବ୍ଦ ପୁରୁଷ କାନରେ ପଡ଼ି ତାକୁ ପ୍ରଲୋଭିତ କରିବ। କୌଣସି ମହିଳା ବାହାରେ କଥାବାର୍ତ୍ତା କରୁଥିବା ବେଳେ ସର୍ବଦା ସତର୍କ ରହିବେ, ଯେପରି କୌଣସି ଅପରିଚିତ ବ୍ୟକ୍ତି ତାଙ୍କ ସ୍ବର ଶୁଣି ନ ପକାନ୍ତି। କାଳେ ରାସ୍ତାରେ ଯାଉଥିବା କାହାର ଦୃଷ୍ଟି ଘର ଭିତରେ ଥିବା ମହିଳାମାନଙ୍କ ଉପରେ ପଡ଼ିଯିବ, ତାହାର ପ୍ରତିଷେଧକ ସ୍ବରୂପ ଘରର ତଳ ମହଲା ଓ ପ୍ରଥମ ମହଲାର ଝରକାମାନ ସଦାବେଳେ ପର୍ଦ୍ଦା ଦ୍ବାରା ଆବୃତ ରହିବ। ମହିଳାମାନଙ୍କର ଫଟୋଚିତ୍ର ଉତ୍ତୋଳନ କରାଯିବା ନିଷିଦ୍ଧ ଏବଂ ତାହା କୌଣସି ପୁସ୍ତକ, ପତ୍ରପତ୍ରିକା, ଦୋକାନ କିମ୍ବା ଏପରିକି ନିଜର ବାସଗୃହରେ ମଧ୍ୟ ପ୍ରଦର୍ଶିତ ହୋଇ ପାରିବ ନାହିଁ। ପ୍ରତ୍ୟେକ ନାମରୁ ‘ନାରୀ’ ଶବ୍ଦ (ଯଦି ଥାଏ) ବାଦ୍ ଦିଆଯିବ। ନାରୀମାନେ ନିଜ ଘରର ବାଲ୍‌କନିରେ ପାଦ ଦେଇ ପାରିବେ ନାହିଁ, କାରଣ ସେଠାରେ ତାଙ୍କର ଦର୍ଶନ ପୁରୁଷମାନଙ୍କୁ ପଥଭ୍ରଷ୍ଟ କରି ଦେଇପାରେ। ନାରୀମାନେ କୌଣସି ଜନସମାବେଶରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ରେଡିଓ, ଟେଲିଭିଜନ୍ ଆଦିରେ ଆବିର୍ଭୂତ ହୋଇପାରିବେ ନାହିଁ। ମହିଳାମାନଙ୍କ ପାଇଁ ସ୍କୁଲ୍, କଲେଜ୍, ୟୁନିଭର୍‌ସିଟି ଆଦିର ଦ୍ବାର ବନ୍ଦ, କାରଣ ନାରୀଶିକ୍ଷା ସାରିଆର ବିରୋଧାଚରଣ କରିଥାଏ। ସେଇଭଳି ସେମାନେ ବାହାରେ ନିଯୁକ୍ତି ଗ୍ରହଣ କରିବା ମଧ୍ୟ ନିଷିଦ୍ଧ।

ପ୍ରକାଶ ପାଉଥିବା ରିପୋର୍ଟସବୁ ଅନୁସାରେ ତାଲିବାନ୍ ଘର ଘର ବୁଲି ଉପଯୁକ୍ତ ବୟସର କିଶୋରୀ ଓ ତରୁଣୀମାନଙ୍କର ତାଲିକା ପ୍ରସ୍ତୁତ କରୁଛି ଏବଂ ତାଲିବାନ୍ ଯୋଦ୍ଧାମାନଙ୍କୁ ବିବାହ କରିବାକୁ ସେମାନଙ୍କୁ ବାଧ୍ୟ କରୁଛି- ଯାହା ଯୌନ କ୍ରୀତଦାସୀରେ ପରିଣତ ହେବା ସହିତ ସମାନ। ଏ ସମସ୍ତ ନିୟମର ଉଲ୍ଲଂଘନର ଶାସ୍ତି ଅତ୍ୟନ୍ତ କଠୋର ହୋଇଥାଏ। ଉଦାହରଣ ସ୍ବରୂପ ପରକୀୟା ପ୍ରୀତି ପାଇଁ ସାରିଆ ଅନୁଯାୟୀ ଦଣ୍ଡ ହେଉଛି ଟେକା ମାଡ଼ ଦ୍ବାରା ମୃତ୍ୟୁ। ବେତ୍ରାଘାତରୁ ଆରମ୍ଭ କରି ଅଙ୍ଗୁଳି ଚ୍ଛେଦନ ପର୍ଯ୍ୟନ୍ତ ଦଣ୍ଡ କୌଣସି କୌଣସି ନିୟମର ଉଲ୍ଲଂଘନ ନିମିତ୍ତ ମହିଳାମାନଙ୍କୁ ଭୋଗିବାକୁ ପଡ଼ିଥାଏ।

ଉଲ୍ଲେଖ ନିଷ୍ପ୍ରୟୋଜନ, ଏ ସମସ୍ତ ନିୟନ୍ତ୍ରଣ ନାରୀମାନଙ୍କୁ ବସ୍ତୁତଃ ବ୍ୟକ୍ତି ସ୍ବାଧୀନତା ରହିତ ବନ୍ଦିନୀରେ ପରିଣତ କରିଥାଏ, ଯେଉଁମାନଙ୍କର ଏକମାତ୍ର ଭୂମିକା ହେଉଛି ପୁରୁଷମାନଙ୍କର ଯୌନ କ୍ରୀଡ଼ନକ ରୂପେ କାର୍ଯ୍ୟ କରିବା। କହିବା ବାହୁଲ୍ୟ ଏହା ହେଉଛି ନାରୀମାନଙ୍କ ପ୍ରତି ପାଶ୍ଚାତ୍ୟ ଗଣତନ୍ତ୍ରମାନଙ୍କର ଆଭିମୁଖ୍ୟର ସମ୍ପୂର୍ଣ୍ଣ ବିପରୀତ। ହାସ୍ୟାସ୍ପଦ ଭାବରେ ମଙ୍ଗଳବାର ଦିନ ତାଲିବାନ୍ ଘୋଷଣା କରିଛି ଯେ ସାରିଆ ଆଇନର ସୀମା ମଧ୍ୟରେ ଥାଇ ନାରୀମାନେ ସବୁ ପ୍ରକାର ସ୍ବାଧୀନତା ଉପଭୋଗ କରି ପାରିବେ। ଏହା କାରାଗାର କୋଠରି ଭିତରେ ପଦଚାରଣା କରିବାର ସ୍ବାଧୀନତା ଭଳି ମନେହୁଏ ନାହିଁ କି?

ଯାହା ଆଫଗାନ୍ ନାରୀମାନଙ୍କ ପାଇଁ ବିଶେଷ ଯନ୍ତ୍ରଣାଦାୟକ ହେବ, ତାହା ହେଲା ବିଗତ ଦୁଇ ଦଶନ୍ଧି ଧରି ସେମାନେ ଯେଉଁ ପ୍ରଗତି ଓ ସ୍ବାଧୀନତା ସହିତ ଅଭ୍ୟସ୍ତ ହୋଇ ଆସିଥିଲେ, ଏବେ ହଠାତ୍ ତାହା ଓଲଟି ଯାଇଛି। ଯାହା ଦୁର୍ଭାଗ୍ୟଜନକ, ତାହା ହେଲା, କୁରୁସଭାରେ ଦ୍ରୌପଦୀଙ୍କ ନିର୍ଯାତନାର ସମସ୍ତେ ନିରବଦ୍ରଷ୍ଟା ସାଜିଥିବା ଭଳି ବର୍ତ୍ତମାନ ଆନ୍ତର୍ଜାତିକ ସମୁଦାୟ ଆଫଗାନ୍ ଦ୍ରୌପଦୀମାନଙ୍କର ଆସନ୍ନ ନିର୍ଯାତନାର ଅନୁରୂପ ନିରବଦ୍ରଷ୍ଟା ସାଜିଛି। ଦୁଃଶାସନ ବା ଦୁର୍ଯ୍ୟୋଧନ ଭଳି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ତାଲିବାନ୍‌ର ବିଜୟକୁ ସ୍ବାଗତ କରିଥିବା ବେଳେ ଏହି କୁରୁସଭାର ପିତାମହ ଭୀଷ୍ମ, ୭୯ ବର୍ଷୀୟ ଜୋ ବାଇଡେନ୍ ନିଜର ସେନା ଅପସାରଣ ନିଷ୍ପତ୍ତିରେ ଭୀଷ୍ମ ଭଳି ଅଟଳ ରହି ବାରମ୍ବାର ବିବୃତି ଦେବାରେ ଲାଗିଛନ୍ତି। ଚୀନ୍ ଓ ରୁଷିଆ ତାଲିବାନ୍ ପ୍ରତି ଏକ ବନ୍ଧୁତ୍ବପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶିତ କରିଥିବା ବେଳେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ତାଲିବାନ୍ ପ୍ରତି ଏକ ନମନୀୟ ଆଭିମୁଖ୍ୟ ପ୍ରଦର୍ଶନ କରି ନିଜର ସୁବିଧାବାଦୀ ପରିଚୟକୁ ମଜଭୁତ କରିଛନ୍ତି ମାତ୍ର।

ଯଦି ଭବିଷ୍ୟତ୍‌ରେ କେବେ ସେଠାରେ ଆଉ ଏକ ଓସାମାର ଆବିର୍ଭାବ ଘଟି ଏହି ରାଷ୍ଟ୍ରମାନଙ୍କ ପ୍ରତି ବିପଦ ସୃଷ୍ଟି କରେ, ତେବେ ହୁଏ’ତ ସେତେବେଳେ ସେମାନେ ସଭ୍ୟତାକୁ ରକ୍ଷା କରିବା ନାମରେ ପୁଣି ଆଫ୍‌ଗାନିସ୍ତାନରେ ପ୍ରବେଶ କରିପାରନ୍ତି; କିନ୍ତୁ ସେଇ ‌ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ତର୍ଜାତିକ କୁରୁସଭା ମାନବିକତାଶୂନ୍ୟ ଭାବରେ ସେଠାରେ ନାରୀମାନଙ୍କର ଅବିରତ ଲାଞ୍ଛନା ମାନ ପ୍ରତି ଉଦାସୀନ ରହିବା ନିଶ୍ଚିତ। ହତାଶାର କଥା, ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହିଜଣେ କୃଷ୍ଣଙ୍କର ଆବିର୍ଭାବର ଅବକାଶ ଏଠାରେ ନାହିଁ।

ସମ୍ବନ୍ଧିତ ଖବର