ହୃତ୍‌ପିଣ୍ତର ଈଶ୍ୱର

ଅନେକ ଲୋକ ପ୍ରଶ୍ନ କରିଥାଆନ୍ତି ଯେ ଆମ ଶରୀରକୁ ଜଣେ ଈଶ୍ବର ଗଢ଼ିଛନ୍ତି ନା ଏହା ଏକାଧିକ ଈଶ୍ବରଙ୍କ ସର୍ଜନାଶୀଳତାର ଫଳଶ୍ରୁତି? ଏଭଳି ଜିଜ୍ଞାସାର କାରଣ ସ୍ବରୂପ ସେମାନେ କହିଥାଆନ୍ତି ଯେ ଯଦି ସେହି ଈଶ୍ବର ଯିଏ ଜିହ୍ବା ଗଢ଼ିଛନ୍ତି, ସେ ହୃତ୍‌ପିଣ୍ତ ମଧୢ ଗଠନ କରିଥାଆନ୍ତେ, ତେବେ ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟଗୁଡ଼ିକ ମଧୢରୁ ଅଧିକା˚ଶ ହୃତ୍‌ପିଣ୍ତ ସକାଶେ କ୍ଷତିକର ସାବ୍ୟସ୍ତ ହୁଅନ୍ତା କାହିଁକି? ଯେଉଁମାନେ ଖାଦ୍ୟ ଖାଇଲା ବେଳେ ରସ ଆସ୍ବାଦନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଥାଆନ୍ତି, ସେମାନେ ଏହା ମଧୢ କହୁଥିବାର ଶୁଣାଯାଏ ଯେ ସମ୍ଭବତଃ ଜିହ୍ବା ସୃଷ୍ଟିକର୍ତ୍ତାଙ୍କ ସହିତ ହୃତ୍‌ପିଣ୍ତ ସୃଷ୍ଟିକତ୍ତାଙ୍କ ମଧୢରେ ମନୋମାଳିନ୍ୟ ରହିଥାଇପାରେ ଏବ˚ ଉଲ୍ଲେଖଯୋଗ୍ୟ କଥା ହେଲା ଏଭଳି ମତ ପୋଷଣ କରୁଥିବା ଏବ˚ ସାଧାରଣ ଭାବେ ସ୍ବାଦର ମୋହରେ ପଡ଼ି ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଉଥିବା ଭାରତୀୟ ହେଉଛନ୍ତି ସ˚ଖ୍ୟା ବହୁଳ। ଏକ ବଜାର ଅନୁଧୢାନରୁ ଜଣାଯାଇଥାଏ ଯେ ଭାରତରେ ଅନ୍ୟତମ ସର୍ବାଧିକ ଲୋକପ୍ରିୟ ବ୍ୟ˚ଜନ ‘ଚିକେନ ଟିକ୍‍କା ମସଲା’ ସ୍ବାସ୍ଥ୍ୟ ଲାଗି ସର୍ବାଧିକ ଅହିତକର। ଜଣେ ବ୍ୟକ୍ତି ସାଧାରଣ ଭାବେ ଥରକେ ଯେତିକି ‘ଚିକେନ୍‌ ଟିକ୍‌କା ମସଲା’ ଖାଆନ୍ତି, ତହିଁରୁ ତାଙ୍କୁ ୧୨୪୯ କ୍ୟାଲୋରି ମିଳିଥାଏ, କାରଣ ତହିଁରେ ଜମା ହୋଇଥିବା ଚର୍ବିର ପରିମାଣ ହେଉଛି ପ୍ରାୟ ୯୦ ଗ୍ରାମ୍‌। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରର ହାରାହାରି ଆୟୁଷ ସ˚ପର୍କରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯହିଁରେ ଦର୍ଶାଯାଇଛି ଯେ ଭାରତୀୟଙ୍କ ହାରାହାରି ଆୟୁଷ ଆହୁରି ଅଧିକ ନ ହେବା ପଛରେ ନିହିତ ବିଭିନ୍ନ କାରଣ ମଧୢରୁ ଗୋଟିଏ ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟରେ ଭାରତୀୟଙ୍କ ଅସମ୍ଭବ ରୁଚି।

ଏହି ସ˚ଦର୍ଭରେ ‘ହାବିଟ୍‌’ ନାମକ ଏକ ଅନୁଷ୍ଠାନ ଦ୍ବାରା କରାଯାଇଥିବା ଏକ ଅନଲାଇନ୍‌ ସର୍ବେକ୍ଷଣ ଏହି ଧାରଣାକୁ ଅଧିକ ଦୃଢ଼ କରିଥାଏ। ଏହି ସର୍ଭେରୁ ଜଣାପଡ଼ିଛି ଯେ ଅଧିକା˚ଶ ଭାରତୀୟ ପୁଷ୍ଟି ସାଧନ କରୁଥିବା ସ୍ବାସ୍ଥ୍ୟକର ଖାଦ୍ୟର ମହତ୍ତ୍ବ ସ˚ପର୍କରେ ହୃଦୟଙ୍ଗମ କରୁଥିଲେ ସୁଦ୍ଧା ସ୍ବାଦହୀନ ହୋଇଥିବା କାରଣରୁ ଏଭଳି ଅଧିକା˚ଶ ଖାଦ୍ୟକୁ ପସନ୍ଦ କରି ନ ଥାଆନ୍ତି। ସେହି ସର୍ଭେରୁ ଜଣାପଡ଼ିଛି ଯେ ଏମିତି ଭାବୁଥିବା ଲୋକଙ୍କ ହାର ହେଉଛି ୭୩ ପ୍ରତିଶତ। ୨୦୨୦ ମସିହାର ଅନ୍ତିମ ପାଦରେ କରାଯାଇଥିବା ଏହି ଅନୁଧୢାନରୁ ଆହୁରି ଜଣାପଡ଼ିଛି ଯେ କୋଭିଡ୍‌ ପାନ୍‌ଡେମିକ୍‌ ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ତଥା ନିୟମିତ ବ୍ୟାୟାମ ଉପରେ ଗୁରୁତ୍ବ ପ୍ରଦାନ କରିବେ ବୋଲି ଶପଥ କରିଥିବା ଭାରତୀୟମାନଙ୍କ ମଧୢରୁ ପ୍ରାୟ ୭୦ ପ୍ରତିଶତ ୨୦୨୧ ମସିହା ବେଳକୁ ତାହା ଭଙ୍ଗ କରି ସାରିଛନ୍ତି। କହିବା ବାହୁଲ୍ୟ ଯେ ଏହି କାରଣରୁ ଆମ ଦେଶରେ ହୃଦ୍‌ରୋଗ ଓ ମଧୁମେହ ଭଳି ରୋଗରେ ମୃତ୍ୟୁ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ପ୍ରକାଶିତ ୨୦୧୯-୨୦ ରିପୋର୍ଟ କହିଥାଏ ଯେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି ୭୦.୮ ବର୍ଷ, ଯେଉଁଠି ବିଶ୍ବର ଏହି ହାରାହାରି ହେଉଛି ୭୩.୪ ବର୍ଷ। ତହିଁରେ ଉଲ୍ଲେଖ କରାଯାଇଛି ଯେ ଏହା ପଛରେ ଥିବା ଏକ ବଡ଼ କାରଣ ହେଉଛି ଭାରତୀୟମାନଙ୍କ ଖାଦ୍ୟ ପସନ୍ଦ ଯହିଁରେ ସ୍ବାସ୍ଥ୍ୟ ରକ୍ଷାକୁ ନଜରଅନ୍ଦାଜ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ହେଲା, ପନିପରିବା, ଫଳ, କୋଳି, ଶସ୍ୟ, ଡାଲି, ମଞ୍ଜି ଓ ଦୁଗ୍‌ଧ ଆଦିର ଉତ୍ପାଦନରେ ଭାରତ ପ୍ରଭୂତ ସଫଳତା ଲାଭ କରିଥିବା ସତ୍ତ୍ବେ ଭାରତୀୟମାନଙ୍କ ଖାଦ୍ୟରେ ସେ ସବୁ କ୍ରମେ ଖୁବ୍‌ ସ୍ବଳ୍ପ ଦୃଶ୍ୟମାନ ହେଉଛନ୍ତି; ବର˚ ଅତ୍ୟଧିକ ଶର୍କରା ଓ ଚର୍ବି ଯୁକ୍ତ ତଥା ପ୍ରକ୍ରିୟାକୃତ ଖାଦ୍ୟ- ଯହିଁରେ କ୍ୟାଲୋରିର ବିସ୍ଫୋରକ ଉପସ୍ଥିତି ସହିତ ଶରୀରର ପୁଷ୍ଟିସାଧନ କରୁଥିବା ତତ୍ତ୍ବର ଅଭାବ ପରିଲକ୍ଷିତ ହୋଇଥାଏ- ଭାରତୀୟଙ୍କ ଜିହ୍ବାକୁ ତା’ର କ୍ରୀତଦାସରେ ପରିଣତ କରି ସାରିଲାଣି। ଫଳ ସ୍ବରୂପ ଭାରତରେ ଅଣ ସ˚କ୍ରାମକ ବ୍ୟାଧି (ହୃଦ୍‌ରୋଗ ବା ମଧୁମେହ ଭଳି)ର କାୟା ବିସ୍ତାର ଘଟିବାରେ ଲାଗିଛି। ଏହି ପ୍ରସଙ୍ଗରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ଭାରତରେ ଅଣସ˚କ୍ରାମକ ରୋଗରେ ବାର୍ଷିକ ପ୍ରାୟ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି; କହିବା ବାହୁଲ୍ୟ ଯାହା ଅତ୍ୟନ୍ତ ଉଦ୍‌ବେଗଜନକ।

ଏହି ସନ୍ଦର୍ଭରେ ପରିସ˚ଖ୍ୟାନ ମନ୍ତ୍ରାଳୟର ଏକ ‘ଡାଟା’ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଭାରତୀୟ ଗ୍ରାମବାସୀମାନେ ସହରବାସୀଙ୍କ ତୁଳନାରେ ଏ ବାବଦରେ କମ୍‌ ସଚେତନ ଏବ˚ ଆର୍ଥିକ ଦୃଷ୍ଟିରୁ କମ୍‌ ସ˚ପନ୍ନ ହୋଇଥିଲେ ସୁଦ୍ଧା ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିବା କାରଣରୁ(ଯଦିଓ ବର୍ତ୍ତମାନ ଗ୍ରାମାଞ୍ଚଳରେ ମଧୢ ଅସ୍ବାସ୍ଥ୍ୟକର ଖାଦ୍ୟର ଅନୁପ୍ରବେଶ ଘଟିଲାଣି) ତୁଳନାତ୍ମକ ଭାବେ ଅଧିକ ସୁସ୍ଥ। ଏହି ଅନୁଧୢାନରେ ଦେଖିବାକୁ ମିଳିଥିଲା ଯେ ୪୮ରୁ ୫୯ ବର୍ଷ ବୟସ ବର୍ଗରେ ୧୩ ପ୍ରତିଶତ ଗ୍ରାମବାସୀ କୌଣସି ରୋଗ ଲାଗି ଚିକିତ୍ସା ଲୋଡ଼ିଥିବା ବେଳେ ୨୧ ପ୍ରତିଶତ ସହରବାସୀ ବିଭିନ୍ନ ରୋଗରେ ଚିକିତ୍ସା ଆବଶ୍ୟକ କରୁଥିଲେ; ଏବ˚ ୧୫ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ତରେ ୧୨ ପ୍ରତିଶତ ସହର ବାସିନ୍ଦା ବିଭିନ୍ନ ବ୍ୟାଧିରେ ପଡ଼ିଥିବା ବେଳେ ୯ ପ୍ରତିଶତ ଗ୍ରାମବାସୀ କୌଣସି ଶାରୀରିକ ଅସୁସ୍ଥତା ଭୋଗିଥିଲେ। ସୁତରା˚, ଏହା ସ୍ପଷ୍ଟ ଯେ ଉପଲବ୍‌ଧତା ଏବ˚ ମୂଲ୍ୟ ଦୃଷ୍ଟିରୁ ସ୍ବାସ୍ଥ୍ୟକର ଖାଦ୍ୟ ଭାରତୀୟଙ୍କ ଲାଗି ଅପହଞ୍ଚ ନୁହେଁ; କେବଳ ଇନ୍ଦ୍ରିୟାସକ୍ତ ଅଭ୍ୟାସ କାରଣରୁ ଏହା ଭାରତୀୟମାନଙ୍କ ଲାଗି ଏକ ଅଭିଶାପରେ ପରିଣତ ହେବାକୁ ବସିଛି।

ଏହି ପରିପ୍ରେକ୍ଷୀରେ ଦୀର୍ଘ ଓ ସୁସ୍ଥ ଜୀବନ ଲାଗି ‘ନେସନାଲ ଜିଓଗ୍ରାଫିକ୍‌’ର ଗବେଷକ ଓ ଲେଖକ ଡାନ ବ୍ୟୁଟନରଙ୍କ ଦ୍ବାରା ପ୍ରସ୍ତୁତ ‘ବ୍ଲୁ ଜୋନ୍‌ ଡାଏଟ୍‌’ ଏକ ସୁଚିନ୍ତିତ ପ୍ରସ୍ତାବ ରୂପେ ଆବିର୍ଭୂତ ହୋଇଛି। ପୃଥିବୀର ଦୀର୍ଘତମ ଆୟୁଷଧାରୀ ବସବାସ କରୁଥିବା ପାଞ୍ଚଟି ଅଞ୍ଚଳରେ ପ୍ରଚଳିତ ଖାଦ୍ୟାଭ୍ୟାସକୁ ଏକ ଆଧାର ରୂପେ ଗ୍ରହଣ କରି ଏହି ମଡେଲକୁ ପ୍ରସ୍ତୁତ କରାଯାଇଛି, ଯହିଁରେ ତଟକା ଓ ସ୍ଥାନୀୟ ଭାବେ ଉତ୍ପାଦିତ ପନିପରିବା ଓ ଫଳର ସାଲାଡ୍‌ ଭକ୍ଷଣ ଉପରେ ବି‌େଶଷ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ସେହିଭଳି ବ୍ୟ˚ଜନରେ ବ୍ୟବହାର ଲାଗି ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ତୈଳବୀଜରୁ ପ୍ରସ୍ତୁତ ତେଲ ଅଗ୍ରାଧିକାର ପାଇଥାଏ; ଉଦାହରଣ ସ୍ବରୂପ ଓଡ଼ିଶା ଲାଗି ସୋରିଷ ବା ରାଶି ବା ବାଦାମ ତେଲ ହୋଇଥିବା ବେଳେ କେରଳ ଲାଗି ତାହା ନଡ଼ିଆ ତେଲ ହୋଇପାରେ। ସ˚ପ୍ରତି ଏକ ସ୍ବାସ୍ଥ୍ୟକର ଖାଇବା ତେଲ ଭାବେ ଅଲିଭ୍‌ ତେଲ ପ୍ରତି ଯେଉଁ ମାତ୍ରାଧିକ ଆଗ୍ରହ ପ୍ରକାଶ ପାଉଛି, ତାହା ଏହି ‘ବ୍ଲୁ ଜୋନ୍‌ ଡାଏଟ୍‌ ମଡେଲ’ରେ ବିଶେଷ ଅର୍ଥ ବହନ କରେନାହିଁ; କାରଣ ଭୂମଧୢସାଗରୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଅଲିଭ ତେଲ ସେଠାକାର ବାସିନ୍ଦାମାନଙ୍କ ଲାଗି ହିତକର ହୋଇଥାଇପାରେ, କିନ୍ତୁ ଜିନ୍‌ଗତ ସ˚ରଚନାର ସ୍ବାତନ୍ତ୍ର୍ୟ ଦୃଷ୍ଟିରୁ ଅତ୍ୟନ୍ତ ଉଚ୍ଚ ମୂଲ୍ୟ ଦେଇ ଏହି ତେଲ କିଣିବା ଭାରତୀୟମାନଙ୍କ ଲାଗି ହୁଏ’ତ ଅନାବଶ୍ୟକ। ସେହିଭଳି ବଗଡ଼ା ଚାଉଳ ଓ ବଗଡ଼ା ଡାଲି, ମଞ୍ଜି ଭାବେ କଖାରୁ ମଞ୍ଜି ବା ଫ୍ଲାକ୍‌ସ ବା ସୁଆଁ ମଞ୍ଜି ଅଥବା ବାଦାମ ମଞ୍ଜି, ଆମିଷ ଭାବେ ଚୂନା ମାଛ ତଥା ଦୁଗ୍‌ଧ ତଥା ଦୁଗ୍‌ଧଜାତ ଦ୍ରବ୍ୟ ଉପରେ ଏହି ମଡେଲ ଅଧିକ ମହତ୍ତ୍ବ ପ୍ରଦାନ କରିଥାଏ। ଅଧିକ ତେଲ ଓ ମସଲାର ବ୍ୟବହାର, ଯାହା ଭାରତୀୟ ଖାଦ୍ୟକୁ ଏକ କୈ˚ବଦନ୍ତିକ ପରିଚିତି ପ୍ରଦାନ କରିଥାଏ; ଯଥା ସମ୍ଭବ ବର୍ଜନଯୋଗ୍ୟ ବୋଲି ଏହି ମଡେଲ ପରାମର୍ଶ ଦେଇଥାଏ। ଏହା ସହିତ ଆମିଷ ଖାଦ୍ୟ ତାଲିକାରୁ ମା˚ସକୁ ବାଦ୍‌ ଦେବା ତଥା ପ୍ରକ୍ରିୟାକୃତ ଖାଦ୍ୟ(ଇନଷ୍ଟାଣ୍ଟ ନୁଡଲ୍‌ସ ଭଳି)ଠାରୁ ଦୂରରେ ରହିବା ଉପରେ ଏହା ସବୁଠାରୁ ଅଧିକ ଜୋର‌୍‌ ଦେଇଛି।

କହିବାରେ ଦ୍ବିଧା ନାହିଁ ଯେ ସ୍ବାସ୍ଥ୍ୟ ସଚେତନ ଅଧିକା˚ଶ ପାଠକ-ପାଠିକାଙ୍କ ଳାଗି ଏହି ଖାଦ୍ୟ ମଡେଲ୍‌ ବିଶେଷ କୌଣସି ନୂତନ ଅନ୍ତର୍ଦୃଷ୍ଟି ପ୍ରଦାନ କରି ନ ଥିବ। ତେବେ, ସ˚ପ୍ରତି ଗୋଟିଏ ଭ୍ରମାତ୍ମକ ଧାରଣାରେ ମଧୢ ଏକ ସୁଧାର ଆସିଲାଣି, ଯାହା କହିଥାଏ ଯେ ସୁସ୍ଥ ଜୀବନ ଜିଇବା ଲାଗି ଶାରୀରିକ ବ୍ୟାୟାମ ତୁଳନାରେ ସ୍ବାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟାଭ୍ୟାସ ଅଧିକ ଗୁରୁତ୍ବପୂର୍ଣ୍ଣ। ଯେହେତୁ ବର୍ତ୍ତମାନ ବ୍ୟକ୍ତି, ପରିବାର ଏବ˚ ରାଷ୍ଟ୍ର ଉପରେ ଅଣସ˚କ୍ରାମକ ଓ ଜୀବନଶୈଳୀଜନିତ ବିଭିନ୍ନ ରୋଗର ବୋଝ ବୃଦ୍ଧି ପାଇବାରେ ଲାଗିଛି(ଜି.ଡି.ପି.ର ୬ରୁ ୧୦ ପ୍ରତିଶତ ଏବ˚ ପ୍ରତି ଭାରତୀୟ ପରିବାରର ମାସିକ ବ୍ୟୟର ହାରାହାରି ୧୫ ପ୍ରତିଶତ), ସମୟ ଉପନୀତ ଯେ ଆମେ ଭାରତୀୟମାନେ ଜିହ୍ବା ଗଢ଼ିଥିବା ଈଶ୍ବରଙ୍କୁ ତୁଷ୍ଟ କରିବା ପରିବର୍ତ୍ତେ ହୃତ୍‌ପିଣ୍ତ ରଚିିଥିବା ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାର ଆୟୋଜନ କରିବା। ନିଃସନ୍ଦେହରେ ଏହା ଆମମାନଙ୍କୁ ଏକ ଦୀର୍ଘ ଓ ନିରାମୟ ଜୀବନ ପ୍ରଦାନ କରିବ।

ସମ୍ବନ୍ଧିତ ଖବର