‘ଓସାମା’(ଆତଙ୍କବାଦୀ ସଂଗଠନ ଅଲକାଇଦାର ମୁଖ୍ୟ) ନାମ ସହିତ ପରିଚିତ ଥିବା ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ମଧୢରୁ ଅନେକ ହୁଏ’ତ ଏହି ନାମଧାରୀ ଏକ ଅତ୍ୟନ୍ତ ଚମତ୍କାର ଆଫଗାନ ଚଳଚ୍ଚିତ୍ର ସହିତ ପରିଚିତ ନ ଥିବେ; ଯାହା ୨୦୦୩ରେ ନିର୍ଦ୍ଦେଶନା ଉତ୍କର୍ଷ ତଥା କୋମଳ ଆବେଦନ ସକାଶେ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶ˚ସିତ ହେବା ସହିତ ଅତ୍ୟନ୍ତ ସମ୍ମାନାସ୍ପଦ ‘ଗୋଲଡେନ୍ ଗ୍ଲୋବ୍’ ପୁରସ୍କାର ଦ୍ବାରା ସମ୍ମାନିତ ମଧୢ ହୋଇଥିଲା। ତାଲିବାନ ଅଧିକୃତ ଆଫଗାନିସ୍ତାନରେ(୧୯୯୬ରୁ ୨୦୦୧) ଅକଳ୍ପନୀୟ ଭାବେ କଠୋର ‘ସାରିଆ’ ନିୟମ ତଥା କ୍ରୂର ନାରୀ ନିର୍ଯାତନାର ପରିବେଶ ମଧୢରେ ଜଣେ ଆଫଗାନ ଯୁବତୀର ପ୍ରବାହ ବିପରୀତରେ ଗତି କରିବାର ବିରଳ ଓ ବିଫଳ ପ୍ରୟାସ ଏବ˚ ତାର କରୁଣ ପରିଣତିକୁ ଅତ୍ୟନ୍ତ ସମ୍ବେଦନଶୀଳ ଢଙ୍ଗରେ ଗଢ଼ି ତୋଳିଥିଲେ ଏହାର ନିର୍ଦ୍ଦେଶକ ସିଦ୍ଦିକ ବର୍ମାକ, ଯିଏ ସମ୍ଭବତଃ ସେ ସମୟରେ ଅନୁମାନ କରି ପାରି ନ ଥିଲେ ଯେ ପୁନର୍ବାର ତାଲିବାନ ପ୍ରତ୍ୟାବର୍ତ୍ତନ କରିବ ଏବ˚ ତାଙ୍କୁ ନିଜ ପରିବାର ସହିତ କାବୁଲ ଛାଡ଼ିବା ସକାଶେ ପ୍ରାଣାନ୍ତକ ଉଦ୍ୟମ କରିବାକୁ ହେବ।
କହିବା ବାହୁଲ୍ୟ ଯେ କାବୁଲରୁ ପଳାୟନ କରିବାରେ ବିଫଳ ହେଲେ ଏହି ଅତ୍ୟନ୍ତ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଭାଗ୍ୟ ଏକ ଘାତକ ମୋଡ଼ ନେଇପାରେ। ଏହି ପ୍ରେକ୍ଷାପଟରେ ଗଲା ସପ୍ତାହରେ ‘ଆଫଗାନ ଫିଲ୍ମ’(ଆଫଗାନିସ୍ତାନ ସରକାରଙ୍କ ଦ୍ବାରା ପରିଚାଳିତ ଚଳଚ୍ଚିତ୍ର ଅନୁଷ୍ଠାନ)ର ପ୍ରଥମ ମହିଳା ମୁଖ୍ୟ ତଥା ଜଣେ ପ୍ରତିଭାଶାଳୀ ନିର୍ଦ୍ଦେଶକ ସେହରା କରିମିଙ୍କ ଦ୍ବାରା ଲିଖିତ ପତ୍ର ଗୁରୁତ୍ବ ବହନ କରିଥାଏ, ଯାହା ସେ କାବୁଲ ପତନର ଅବ୍ୟବହିତ ପୂର୍ବରୁ ‘ବିଶ୍ବ ଚଳଚ୍ଚିତ୍ର ସମୁଦାୟ’ ଉଦ୍ଦେଶ୍ୟରେ ଲେଖିଛନ୍ତି ଏବ˚ ଯହିଁରେ ସେ ସମର୍ଥନ ଏବ˚ ଏକତା ପ୍ରଦର୍ଶନ ଲାଗି ପ୍ରାର୍ଥନା କରିଛନ୍ତି। ଏହା ଅବଶ୍ୟ ସତ ଯେ ଆଫଗାନିସ୍ତାନ ଭଳି ଏକ ଯୁଦ୍ଧ ଜର୍ଜର ଓ ବିଧ୍ବସ୍ତ ରାଷ୍ଟ୍ରରେ ମାତ୍ର ଦୁଇ ଦଶନ୍ଧିର ସ୍ଥିରତା ତଥା ଭୟଶୂନ୍ୟ ଏବ˚ ଉଦାର ବାତାବରଣ ଯେ ଅନେକ ଉଚ୍ଚକୋଟୀର ସିନେମା ସୃଷ୍ଟି କରିଥିବ ଏବ˚ ଅସାମାନ୍ୟ ପ୍ରତିଭାଧାରୀ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଜନ୍ମ ଦେଇଥିବ, ଏଭଳି ଧାରଣା ହୁଏ’ତ ଅନେକଙ୍କ ଠାରେ ନ ଥିବ। କିନ୍ତୁ ଆଫଗାନିସ୍ତାନ ସମାଜ ଉପରେ ଏହି ସବୁ ସିନେମାର ପ୍ରଭାବ କିଭଳି ଗଭୀର, ତାହା ବର୍ତ୍ତମାନ ତାଲିବାନ ବିରୋଧରେ ଦୃଶ୍ୟମାନ ହେଉଥିବା ମୃଦୁ ପ୍ରତିବାଦରେ ପ୍ରତିଫଳିତ; କାରଣ ଆଫଗାନ ନାରୀମାନଙ୍କ ଠାରେ ଏକ ମୁକ୍ତ ଚେତନାର ବିକାଶରେ ଏହି ସିନେମାଗୁଡ଼ିକ ବିଶେଷ ଭୂମିକା ନିର୍ବାହ କରିଛନ୍ତି ବୋଲି ଅନେକ ପର୍ଯ୍ୟବେକ୍ଷକ ମତ ପ୍ରଦାନ କରିଥାଆନ୍ତି। ତେବେ ବିଡ଼ମ୍ବନାଟି ହେଲା, ତାଲିବାନ ଶାସନରେ ସିନେମା ବା ନାଟକ ବା ସ˚ଗୀତ ଭଳି ମନୋର˚ଜନର ଆଦୌ ସ୍ଥାନ ନ ଥିବାରୁ ସେଠାକାର ସିନେମା ଶିଳ୍ପଟି ଯେ ଅଚିରେ ନିଶ୍ଚିହ୍ନ ହୋଇଯିବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଏହି ପରିପ୍ରେକ୍ଷୀରେ ଏକ ପ୍ରଶ୍ନ ଉଠିଥାଏ ଯେ ଆଫଗାନିସ୍ତାନର ବନ୍ଧୁର ଭୂମିରେ ମୁଣ୍ତ ଟେକିବାକୁ ଉଦ୍ୟମ କରୁଥିବା ସା˚ସ୍କୃତିକ ଚେତନାର ଅଙ୍କୁରଟି କ’ଣ ତା ସହିତ ଅକାଳ ମୃତ୍ୟୁ ଲାଭ କରିବ?
ଉଲ୍ଲେଖଯୋଗ୍ୟ ଯେ ୨୦୦୧ ମସିହାରେ ଯେତେବେଳେ ଏକ ସା˚ସ୍କୃତିକ ଧ୍ବ˚ସଲୀଳା ସ˚ଘଟିତ କରି ତାଲିବାନ ଦ୍ବାରା ବାମିୟାଁ ଠାରେ ୧୪୦୦ ବର୍ଷର ପ୍ରାଚୀନ ଓ ଅତ୍ୟନ୍ତ ବିଶାଳ ବୁଦ୍ଧ ମୂର୍ତ୍ତିଗୁଡ଼ିକ ଡିନାମାଇଟ୍ ଯୋଗେ ବିଧ୍ବସ୍ତ ହେଉଥିଲେ ଅଥବା ପାଠାଗାର ଏବ˚ ସିନେମା ହଲ୍ଗୁଡ଼ିକ ଭସ୍ମୀଭୂତ ହେଉଥିଲେ; ସେତିକି ବେଳେ ‘ଆଫଗାନ ଫିଲ୍ମ’ରେ କାର୍ଯ୍ୟରତ ହବିବୁଲ୍ଲା ଅଲୀ ନାମକ ଜନୈକ କର୍ମଚାରୀ ତାଙ୍କର କତିପୟ ସହଯୋଗୀଙ୍କ ସହିତ ଅସ˚ଖ୍ୟ ସିନେମା ରିଲ୍ ସବୁ ଭୂ-ଗର୍ଭରେ, କାନ୍ଥ ଭିତରେ ଏବ˚ ନକଲି ଛାତ ଉପରେ ଲୁଚାଇ ରଖି ୭୦୦୦ ସିନେମାର ରକ୍ଷାକର୍ତ୍ତାରେ ପରିଣତ ହୋଇଥିଲେ, ଯାହା ଫଳରେ ଆଫଗାନ ସିନେମାର ଇତିହାସ ମରୁ ମରୁ ଅଗତ୍ୟା ବଞ୍ଚି ଯାଇଥିଲା। ସା˚ସ୍କୃତିକ ସ˚ରକ୍ଷଣ ଲାଗି ଏଭଳି ପ୍ରାଣମୂର୍ଚ୍ଛା ଉଦ୍ୟମ, ସାହସ ଓ ଉତ୍ସାହ ଯେଉଁ ଭୂମିରେ ସମ୍ଭବ, ସେଠାରେ ଏକ ଅନୁକୂଳ ସମୟରେ ଯେ ପୁନର୍ବାର ଏକ ସା˚ସ୍କୃତିକ ଜାଗରଣ ହେବା ଅନିବାର୍ଯ୍ୟ, ତାହା କହିବା ଅନାବଶ୍ୟକ। ସୁତରା˚, ୨୦୦୧ରୁ ୨୦୨୧ ମଧ୍ୟରେ ଅସ˚ଖ୍ୟ ‘ବି’ ଗ୍ରେଡ୍ ଆଫଗାନୀ ସିନେମା ସହିତ ଅନେକ ଅତ୍ୟନ୍ତ ଉଚ୍ଚକୋଟୀର ସିନେମା ମଧୢ ନିର୍ମିତ ହୋଇପାରିଛି, ଯାହା ମଧୢରେ ରହିଛି କାନ୍ଦାହାର(୨୦୦୧), ଓସାମା(୨୦୦୩), ହାବା, ମେରିଅମ, ଆୟେଶା(୨୦୧୯- ଅନ୍ତର୍ଜାତୀୟ ସିନେମା ଶୃଙ୍ଖଳାରେ ଓସ୍କାର ଲାଗି ପ୍ରତିଯୋଗୀ), ଉଲ୍ଫ ଏଣ୍ତ ଦ ସିପ୍(୨୦୧୬), ଅର୍ଫାନେଜ୍(୨୦୧୯), ଦ ଫରବିଡନ୍ ରିଲ୍(୨୦୧୯) ଇତ୍ୟାଦି।
ତେବେ, ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ତାଲିବାନ କବଳରୁ ସୁରକ୍ଷା ପ୍ରଦାନ କରିବା ଲାଗି ଏହି ସବୁ ସିନେମାକୁ ଆଉ ଲୁଚାଇ ରଖିବାର ଆବଶ୍ୟକତା ନାହିଁ; କାରଣ ସା˚ପ୍ରତିକ ଡିଜିଟାଲ ଯୁଗରେ ଏହି ସିନେମାସବୁ ଏକ ପ୍ରକାର ଅବିନଶ୍ବରତା ଲାଭ କରି ସାରିଛନ୍ତି। କେବଳ ଏଗୁଡ଼ିକ ନୁହେଁ, ହବିବୁଲ୍ଲାଙ୍କ ଉଦ୍ୟମରେ ରକ୍ଷା ପାଇଯାଇଥିବା ୩୨,୦୦୦ ଘଣ୍ଟାର ୧୬ ଏମ୍.ଏମ୍. ସିନେମା ଏବ˚ ୮୦୦୦ ଘଣ୍ଟାର ୩୫ ଏମ୍.ଏମ୍. ସିନେମାକୁ ‘ଡିଜିଟାଇଜ୍ଡ’ କରାଯାଇ ସମତୁଲ ଅମରତ୍ବ ପ୍ରଦାନ କରାଯାଇ ପାରିଛି। କିନ୍ତୁ ତାଲିବାନ ଅଧୀନରେ ଆଫଗାନିସ୍ତାନ ସିନେମା ଓ ଏକ ପ୍ରଶସ୍ତ ଦୃଷ୍ଟିରେ କହିଲେ ଆଫଗାନ୍ ସା˚ସ୍କୃତିକ କ୍ଷେତ୍ର ଯେ ଏକ ବନ୍ଧ୍ୟା ଭୂମି ହୋଇ ରହିବ, ତାହା କହିବା ଅନାବଶ୍ୟକ।
ଅବଶ୍ୟ, ସହରା କରିମିଙ୍କ ପତ୍ରର ଉତ୍ତରରେ ଭାରତୀୟ ସିନେମା ଶିଳ୍ପ ବିଶେଷ କରି ବଲିଲଡ୍ର ଅନେକ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ତାଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବା ସହିତ ତାଲିବାନ ବିରୋଧରେ ଜନମତ ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି। ଏମାନଙ୍କ ମଧୢରେ ପ୍ରମୁଖ ହେଉଛନ୍ତି କବୀର ଖାଁ, ଯିଏ ୨୦୦୬ରେ ତାଙ୍କର ପ୍ରଥମ ଏବ˚ ଅତ୍ୟନ୍ତ ଚମତ୍କାର ଚଳଚ୍ଚିତ୍ର ‘କାବୁଲ ଏକ୍ସପ୍ରେସ’ ମାଧୢମରେ ଉଭୟ ଭାରତ ଏବ˚ ଭାରତ ବାହାରେ ପରିଚିତି ଲାଭ କରିଥିଲେ। କବୀରଙ୍କ ସିନେମାଟି ଆଫଗାନିସ୍ତାନ ପୃଷ୍ଠଭୂମିରେ ନିର୍ମିତ ଏବ˚ ତାହାର ଅଧିକା˚ଶ ସୁଟି˚ ମଧୢ ସେହିଠାରେ ହୋଇଛି। ପ୍ରକାଶ ଥାଉ କି ୧୯୯୬ରୁ ୨୦୦୧ ମସିହା ମଧୢରେ ତାଲିବାନ ଦ୍ବାରା ଫଟୋଗ୍ରାଫି ଉପରେ ମଧୢ ନିଷେଧାଦେଶ ଲାଗିଥିଲା (କେବଳ ପାସପୋର୍ଟ ଫଟୋ ଛାଡ଼ି), ସିନେମା ସୁଟି˚ ତ ଦୂରର କଥା। ସୁତରା˚, ତାଲିବାନର ପତନ ପରେ ଯେତେବେଳେ କବୀର ଖାଁ ତାଙ୍କ ସିନେମା ସୁଟି˚ ସକାଶେ ଦକ୍ଷିଣ ଆଫଗାନିସ୍ତାନର ଏକ ଅପନ୍ତରା ଗାଁରେ ପହଞ୍ଚିଥିଲେ, ସେତିକି ବେଳେ ଆମେରିକାର ଆକ୍ରମଣ କବଳରୁ ରକ୍ଷା ପାଇବା ଲାଗି ସେଠାରେ ଆଶ୍ରୟ ନେଇଥିବା ଜଣେ ତାଲିବାନ ଚରମ ଘୃଣାଭରା ଚକ୍ଷୁରେ ତାଙ୍କ କ୍ୟାମେରାର ଲେନ୍ସକୁ ସିଧା ଚାହିଁ ଯାହା କହିଥିଲା, ତାହା ଥିଲା, ‘ତୁମେ ଭାବୁଛ କି ଆମେ ଫେରିବୁ ନାହିଁ? ଆମେ ଫେରିବୁ।’
ସେହି ସମୟରେ କବୀର ଖାଁଙ୍କ ମେରୁଦଣ୍ତରେ ଏକ ଶୀତଳ ଶିହରଣ ସୃଷ୍ଟି କରିଥିବା ସେହି ଭବିଷ୍ୟବାଣୀ ଏବେ ସତ ହୋଇଛି। କିନ୍ତୁ ଏହା ମଧୢ ସତ ଯେ ଦୀର୍ଘ ଦୁଇ ଦଶନ୍ଧିର ତାଲିବାନ ଅନୁପସ୍ଥିତିରେ ସେମାନଙ୍କ ବର୍ବରତା ବିରୋଧରେ ବା ଆଫଗାନିସ୍ତାନର ଚରମ ପୁରୁଷତାନ୍ତ୍ରିକ ସମାଜକୁ ସମାଲୋଚନା କରି ଯେତିକି ଚଳଚ୍ଚିତ୍ର ନିର୍ମିତ ଓ ପ୍ରଦର୍ଶିତ ହୋଇ ସାରିଛି ତାହା ଜନ-ବିରୋଧକୁ ସ୍ବର ଦେବାରେ ସହାୟକ ହୋଇପାରେ। ବର୍ତ୍ତମାନ କାବୁଲରେ ସ୍ବଳ୍ପ ସ˚ଖ୍ୟାରେ ହେଲେ ମଧୢ ଯେଉଁ ମହିଳା ପ୍ରତିବାଦର ସ୍ପଷ୍ଟ-ଅସ୍ପଷ୍ଟ ସ୍ବର ଶୁଣାଯାଉଛି, ସେଥି ଲାଗି ସାହସର ସ୍ରୋତ ଅନେକା˚ଶରେ ଏହି ସିନେମାଗୁଡ଼ିକରୁ ହିଁ ଆସିଛି। ଆମେରିକାର ଆକ୍ରମଣ ସତ୍ତ୍ବେ ନିଶ୍ଚିହ୍ନ ହୋଇ ନ ଯାଇ ଏକ ଅମରୀ ବଣ ତୁୁଲ୍ୟ ତାଲିବାନମାନେ ଯଦି ପୁଣି ଆବିର୍ଭୂତ ହୋଇପାରିଲେ, ତେବେ ତାଲିବାନ ଆକ୍ରମଣରେ ନିଶ୍ଚିହ୍ନ ହେବାକୁ ବସିଥିବା ଆଫଗାନ ସା˚ସ୍କୃତିକ ଅଙ୍କୁର ଦୁବ ଘାସ ଭଳି ପୁଣି ଯେ ମାଟି ତଳୁ ମୁଣ୍ତ ନ ଟେକିବ; ତାହା କିଏ କହିପାରିବ?