ନିର୍ବୋଧ ଆମେରିକା

ତିନି ଦିନ ତଳେ ‘ନ୍ୟୁୟର୍କ ଟାଇମ୍‌ସ’ରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଛି, ଯାହାର ଶୀର୍ଷକ ହେଉଛି, ‘ଆଇ କମାଣ୍ତେଡ୍‌ ଦ ଆଫଗାନ ଟ୍ରୁପ୍‌ ଦିସ୍‌ ଇଅର; ଵି େଵୟାର ବିଟ୍ରେଡ୍‌’ ଅର୍ଥାତ୍‌ ‘ମୁଁ ଏହି ବର୍ଷ ଆଫଗାନ ସେନାର ନେତୃତ୍ବ ନେଇଥିଲି: ଆମେ ବିଶ୍ବାସଘାତକତାର ଶିକାର ହେଲୁ।’ ଏହି ଆଲେଖ୍ୟରେ ଏହାର ଲେଖକ ଯୁବ ଜେନେରାଲ ସାମି ସାଦତଙ୍କ ମର୍ମ-ବେଦନା ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ପରିସ୍ଫୁଟିତ ହୋଇଛି, ଯହିଁରେ ସେ ଲେଖିଛନ୍ତି କିଭଳି ଏକ ଗାର୍ଜନ ଭାବେ ହାତ ଧରି ପହଁରା ଶିଖାଇବାକୁ ଡାକି ନେଇ ମଝି ନଈରେ ହାତ ଛାଡ଼ି ଚାଲିଯିବା ତୁଲ୍ୟ ଆଚରଣ ଆମେରିକୀୟ ସେନାବାହିନୀ ପ୍ରଦର୍ଶନ କରିଛି; କିଭଳି ଜୋ ବାଇଡେନ୍‌ଙ୍କ ଘୋଷଣା ମାତ୍ରକେ ଆମେରିକୀୟ ସେନା ସେମାନଙ୍କ ଅନୁଜପ୍ରତିମ ଆଫଗାନ ସେନାବାହିନୀ ସହିତ ଅପରିଚିତଙ୍କ ଭଳି ଆଚରଣ କରିଥିଲେ; ଆଫଗାନ ସେନା ଯୁଦ୍ଧ କରିବାର ସ˚କଳ୍ପ ହରାଇଛନ୍ତି ବୋଲି ଜୋ ବାଇଡେନ୍‌ଙ୍କ ଆକ୍ଷେପ କିଭଳି ଯଥାର୍ଥ ନୁହେଁ। ପ୍ରକାଶ ଥାଉ କି ସାମି ସାଦତ ଦକ୍ଷିଣ ଆଫଗାନିସ୍ତାନସ୍ଥିତ ଲସ୍‌କର ଗାହ ଅଞ୍ଚଳରେ ଆଫଗାନ ସେନାର ‘କୋର‌୍‌ କମାଣ୍ତର‌୍‌’ ଭାବେ ତାଲିବାନମାନଙ୍କ ବିରୋଧରେ ନିରବଚ୍ଛିନ୍ନ ଭାବେ ତିନି ମାସ ଧରି ବିନିଦ୍ର ରଜନୀ ସଘନ ସ˚ଘର୍ଷରେ କାଟିଥିଲେ, ଏବ˚ ସଫଳତାର ସହିତ ସେମାନଙ୍କ ପ୍ରତିରୋଧ କରିଥିଲେ।

ସାଦତ ସେହି ଆଲେଖ୍ୟରେ ଲେଖିଛନ୍ତି କିଭଳି ଅଗଷ୍ଟ ୧୫ ପୂର୍ବରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ତାଙ୍କୁ ଲସ୍‌କର ଗାହରୁ କାବୁଲକୁ ଡକାଇ ତାଙ୍କ ହସ୍ତରେ ଆଫଗାନ ସେନାର ଦାୟିତ୍ବ ଦେବା ସହିତ କାବୁଲକୁ ରକ୍ଷା କରିବାକୁ ଅନୁରୋଧ କରି ସ୍ବୟ˚ ନିରବରେ ବିଦେଶକୁ ପଳାୟନ କରିଥିଲେ। ସେତିକି ବେଳକୁ ଆଫଗାନିସ୍ତାନରୁ ପ୍ରସ୍ଥାନରତ ଆମେରିକୀୟ ସେନାଙ୍କ ବ୍ୟବହାର ଆଫଗାନ ସେନାବାହିନୀର ମନୋବଳକୁ ଚୂର୍ଣ୍ଣ କରିସାରିଥିଲା। ଅତ୍ୟନ୍ତ ମର୍ମଦାହର ସହିତ ସେ ଲେଖିଛନ୍ତି: ‘ଅନ୍ତିମ ଦୁଇ ସପ୍ତାହ ଆଫଗାନ ସେନାକୁ ଯେଉଁ ସ୍ଥିତିରେ ଯୁଦ୍ଧ କରିବାକୁ ପଡ଼ିଥିଲା, ତାକୁ ‘ଅତିବାସ୍ତବ’ (ସର‌୍‌ରିଏଲ୍‌) ବୋଲି ଆଖ୍ୟାୟିତ କରାଯାଇପାରେ। ତଳେ ଯୁଦ୍ଧ କରୁଥିବା ବେଳେ ଆମ ମୁଣ୍ତ ଉପରେ ଚକ୍କର କାଟୁଥିବା ଆମେରିକୀୟ ଯୁଦ୍ଧ ବିମାନ କାଳେ ଆକାଶ ମାର୍ଗରୁ ଆମକୁ କୌଣସି ସହାୟତା ପ୍ରଦାନ କରିବେ ବୋଲି ଆଶା ସ˚ଚାରିତ ହେଉଥିବା ବେଳେ ଆମେ ଦେଖୁ ଯେ ସେମାନେ କେବଳ ଯୁଦ୍ଧର ଦର୍ଶକ ହେବାକୁ ହିଁ ଆସିଛନ୍ତି।’ ସେହି ଆଲେଖ୍ୟରେ ସେ ଆଉ ଯାହା ଲେଖିଛନ୍ତି ତାହା ହେଲା ସେମାନଙ୍କୁ ଯେଉଁ ପାଶ୍ଚାତ୍ୟଧର୍ମୀ ଆଧୁନିକ ଯୁଦ୍ଧ କୌଶଳର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା; ତହିଁରେ ଯୁଦ୍ଧରତ ସ୍ଥଳ ବାହିନୀକୁ ସମାନ୍ତରାଳ ସହାୟତା ପ୍ରଦାନ କରିବା ଲାଗି ବିମାନ ବାହିନୀ, ଇଲେକ୍ଟ୍ରୋନିକ ସର୍ଭେଲାନ୍‌ସ୍‌ ବ୍ୟବସ୍ଥା, ଟେଲି ଯୋଗାଯୋଗ ପ୍ରଯୁକ୍ତି ଇତ୍ୟାଦି ଅତ୍ୟନ୍ତ ଗୁରୁତ୍ବ ଲାଭ କରିଥାଏ। କିନ୍ତୁ ବିନମ୍ବନା, ଏହି ଯୁଦ୍ଧରେ ଏ ସବୁ ସ˚ପୂର୍ଣ୍ଣ ଅଦୃଶ୍ୟ ରହିଲା। ସେ ଲେଖିଛନ୍ତି ଯେ ଆଫଗାନିସ୍ତାନର ବନ୍ଧୁର ଭୂମି ଓ ପ୍ରତିକୂଳ ପରିବେଶରେ ଗରିଲା ଯୁଦ୍ଧର ପ୍ରଶିକ୍ଷଣ ବର˚ ଆଫଗାନ ବାହିନୀ ଲାଗି ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥାଆନ୍ତା!

ଅବଶ୍ୟ ସାଦତ ତାଙ୍କ ଲେଖାରେ ଆଫଗାନିସ୍ତାନର ରାଜନୈତିକ ନେତୃତ୍ବର ବିଫଳତା, ସେନାବାହିିନୀର ଉଚ୍ଚ ସ୍ତରରେ ହେଉଥିବା ଦୁର୍ନୀତି ତଥା ସୈନିକମାନଙ୍କ ମଧୢରେ ଜାତ ହୋଇଥିବା ନିରୁତ୍ସାହ ଭାବ ଉପରେ ମଧୢ ଦୋଷାରୋପ କରିଛନ୍ତି, କିନ୍ତୁ ସେହି ବର୍ଣ୍ଣନାରେ ଯାହା ଅତ୍ୟନ୍ତ ସ୍ପଷ୍ଟ, ତାହା ହେଲା ବିଭିନ୍ନ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ନିଆଯାଇଥିବା ନିଷ୍ପତ୍ତିରେ ପ୍ରମାଦ, ଯହିଁରେ ଏକ ପ୍ରକାର ନିର୍ବୋଧତା ହିଁ ନିହିତ ରହିଥିଲା। କେବଳ ଜୋ ବାଇଡେନ୍‌ଙ୍କ ଦ୍ବାରା ହୋଇଥିବା ସହସା ସୈନ୍ୟ ପ୍ରତ୍ୟାହାରର ନିଷ୍ପତ୍ତି ନୁହେଁ, ବିଦେଶ ଭୂମିରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ‘ରାଷ୍ଟ୍ର ନିର୍ମାଣ’ କରିବାର ଅଭିପ୍ରାୟ ମଧୢ ଏହିଭଳି ନିର୍ବୋଧତା ପ୍ରସୂତ, ଯାହାର ପ୍ରମାଣ ସ୍ବରୂପ ଏହି ବିଗତ ଦୁଇ ଦଶନ୍ଧି ମଧୢରେ ‘ରାଷ୍ଟ୍ର ନିର୍ମାଣ’ ନାମରେ ଇରାକ ଏବ˚ ଆଫଗାନିସ୍ତାନ ଧ୍ବ˚ସ ସ୍ତୂପ ଏବ˚ ଦୁଇଟି ଅରାଜକ ରାଷ୍ଟ୍ରରେ ପରିଣତ ହେବା ସହିତ ବିଶ୍ବ ଆତଙ୍କବାଦର ପ୍ରଜନନ ସ୍ଥଳ ହୋଇ ରହିବାର ଆଶଙ୍କାକୁ ବଳବତ୍ତର ରଖିଛନ୍ତି। ଏସୀୟ ରାଷ୍ଟ୍ରଗୁଡ଼ିକରେ ପ୍ରାଚୀନ ସଭ୍ୟତାର ନିରବଚ୍ଛିନ୍ନ ପ୍ରବାହ ଯେଉଁ ଭଳି ଏକ ସଘନ ତଥା ଜଟିଳ ସାମାଜିକ ଓ ରାଷ୍ଟ୍ରୀୟ ଜୀବନକୁ ଜନ୍ମ ଦେଇଥାଏ, ତା’ର ଗଭୀର ପ୍ରଦେଶକୁ ସ୍ପର୍ଶ କରିବାର ସାମର୍ଥ୍ୟ ବହନ କରି ନ ଥିବା ସତ୍ତ୍ବେ ଆମେରିକା(ମାତ୍ର ଚାରି ଶହ ବର୍ଷର ସଭ୍ୟତା) ଯଦି ‘ରାଷ୍ଟ୍ର ନିର୍ମାଣ’ର ସ୍ବପ୍ନ ଦେଖେ, ତାହା ନିର୍ବୋଧତା ଛଡ଼ା ଆଉ କ’ଣ ହୋଇପାରେ? ଆଫଗାନିସ୍ତାନ ଉପରେ ଆକ୍ରମଣର ଅବ୍ୟବହିତ ପୂର୍ବରୁ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ୍‌ ‘ଫରଏଭର‌୍‌ ଵାର‌୍‌’ ବା ‘ଚିରନ୍ତନ ଯୁଦ୍ଧ’ (ଆତଙ୍କବାଦ ବିରୋଧରେ) ବୋଲି ଯେଉଁ ଏକ ଅଭିବ୍ୟକ୍ତିର ବ୍ୟବହାର କରିଥିଲେ, ତାହା ଯେ ବାସ୍ତବରେ ଅବାନ୍ତର ଏବ˚ ବିଦେଶ ଭୂମିରେ କୌଣସି ରାଷ୍ଟ୍ର ଲାଗି ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସେଭଳି କିଛି ଜାରି ରଖିବା ଯେ ଅସମ୍ଭବ, ତାହା ସମ୍ଭବତଃ ସେ ବୁଝି ପାରି ନ ଥିଲେ; ସୁତରା˚, ଆଫଗାନିସ୍ତାନ ହେଉ ଅଥବା ଇରାକ୍‌ କେଉଁଠାରେ ହେଲେ ବି ‘ଆତଙ୍କବାଦ’ ନିର୍ମୂଳ ହେଲାନାହିଁ, ବର˚ ପାଉଁଶ ତଳର ନିଆଁ ଭଳି ତାହା ଜୀବନ୍ତ ରହି ପୃଥିବୀକୁ ଦହନ କରିବାର ଚିରନ୍ତନ ଆଶଙ୍କାର କାରଣ ହେଲା।

କାବୁଲ ବିମାନ ବନ୍ଦରରେ ‘ଆଇ.ଏସ୍‌.-କେ’ ପକ୍ଷରୁ କରାଯାଇଥିବା ଭୟାବହ ବୋମା ବିସ୍ଫୋରଣରେ ଶତାଧିକ କାବୁଲ ଅଧିବାସୀଙ୍କ ସହିତ ୧୩ ଜଣ ଆମେରିକୀୟ ସୈନିକଙ୍କ ପ୍ରାଣହାନିର ପ୍ରତିଶୋଧ ନେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସ˚ପ୍ରତି ଯେଉଁ ରଣନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି, ତହିଁରେ ମଧୢ ଏକ ନିର୍ବୋଧତା ନିହିତ। ତାହା ହୋଇ ନ ଥିଲେ ‘ଆଇ.ଏସ୍‌.-କେ’ ବିପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ତାଲିବାନ ଉପରେ ଭରସା ପ୍ରଦର୍ଶନ କରାଯାଇ ନ ଥାଆନ୍ତା। ଅବଶ୍ୟ କେତେକଙ୍କ ମତରେ ତାଲିବାନ ଏବ˚ ‘ଆଇ.ଏସ୍‌.-କେ’ ମଧୢରେ ରହିଥିବା ଶତ୍ରୁତା କାରଣରୁ ଆମେରିକାର ଏଭଳି ଆଭିମୁଖ୍ୟରେ ବିଶେଷ ତ୍ରୁଟି ନାହିଁ। କିନ୍ତୁ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ସିରିଆ ବା ଇରାକରୁ ଆସିଥିବା ଅଣ-ଆଫଗାନଙ୍କ ଦ୍ବାରା ‘ଆଇ.ଏସ୍‌.-କେ’ ଗଠିତ ହୋଇଥିଲେ ସୁଦ୍ଧା ଏହା ତୃଣମୂଳ ସ୍ତରରେ ଅସ˚ଖ୍ୟ ଆଫଗାନଙ୍କୁ ଦଳଭୁକ୍ତ କରିସାରିଲାଣି, ଯେଉଁମାନଙ୍କ ମଧ୍ୟରେ ଅନେକ ତାଲିବାନୀ ମଧ୍ୟ ଅଛନ୍ତି, ଯେଉଁମାନେ ବର୍ତ୍ତମାନର ତାଲିବାନ ନେତୃତ୍ବରେ ଅପେକ୍ଷାକୃତ ଅଧିକ କୋମଳତାରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ସା˚ଗଠନିକ ଆନୁଗତ୍ୟ ପରିବର୍ତ୍ତନ କରିଛନ୍ତି। ଏହା ମଧ୍ୟ ସତ ଯେ ବର୍ତ୍ତମାନର ତାଲିିବାନ କିଞ୍ଚିତ ପରିମାର୍ଜିତ ବୋଧ ହେଉଥିଲେ ସୁଦ୍ଧା ସେହି ଦଳ ଏଭଳି ପଦାତିକ ଯୋଦ୍ଧାଙ୍କ ଦ୍ବାରା ଗଠିତ, ଯେଉଁମାନେ କୌଣସି ଗୁଣରେ ‘ଆଇ.ଏସ୍‌.-କେ’ର ସଦସ୍ୟମାନଙ୍କ ଠାରୁ କମ୍‌ ବର୍ବର ନୁହନ୍ତି। ସୁତରାଂ, ତାଲିବାନ ଉପରେ ଆମେରିକାର ନିର୍ଭରଶୀଳତା ଆଦୌ ବୁଦ୍ଧିମାନୀ ନୁହେଁ।

କହିବା ଅନାବଶ୍ୟକ ଯେ ବର୍ତ୍ତମାନ ଆଫଗାନିସ୍ତାନରେ ସ˚ଘଟିତ ହେଉଥିବା ଘଟଣାକ୍ରମ ଭାରତ ଲାଗି ଉଦ୍‌ବେଗର କାରଣ ହୋଇଛି। ‘ଇସ୍‌ଲାମିକ ଷ୍ଟେଟ୍‌’ ଭଳି ସ˚ଗଠନ ଆତଙ୍କବାଦକୁ ଯେଉଁ ନୂଆ ରୂପ ପ୍ରଦାନ କରିଛି, ତହିଁରେ ବିନା କୌଣସି ସା˚ଗଠନିକ ନେତୃତ୍ବର ଆଦେଶରେ ମଧୢ ଜଣେ ଆତଙ୍କବାଦୀ ଏକାକୀ ହତ୍ୟା ଓ ଆତଙ୍କରାଜ ଚଳାଇ ନିଜ କାର୍ଯ୍ୟକୁ ‘ଆଇ.ଏସ୍‌.’ର କାର୍ଯ୍ୟ ବୋଲି ସଗର୍ବେ ଘୋଷଣା କରିପାରେ। ଏହାର ଦୃଷ୍ଟାନ୍ତ ଆମେରିକାରେ ବା ଇ˚ଲାଣ୍ତରେ ବା ଫ୍ରାନ୍‌ସରେ ଦେଖିବାକୁ ମିଳିଛି। ସ˚ପ୍ରତି ଗଣମାଧୢମରେ ପ୍ରକାଶିତ ସମ୍ବାଦ ଅନୁସାରେ ‘ଆଇ.ଏସ୍‌.-କେ’ରେ କେତେକ କେରଳୀ ସାମିଲ ହୋଇଛନ୍ତି। ଏହା ମଧୢ ସମ୍ଭବ ଯେ ଭାରତରେ ‘ଆଇ.ଏସ୍‌.-କେ’ ଭଳି ‘ଇସ୍‌ଲାମିକ ଷ୍ଟେଟ୍‌’ର ଶାଖାମାନ ବିସ୍ତାର ଲାଭ କରିବାର ସୁଯୋଗରେ ରହିଥିବେ। ପୂର୍ବେ ‘ଆଇ.ଏସ୍‌.’ର ଚେର ଇରାକ୍‌ ମାଟିରେ ଥିଲା, ଯାହା ବର୍ତ୍ତମାନ ଆଫଗାନିସ୍ତାନରେ ଦୃଢ଼ମୂଳ ହୋଇ ଭୌଗୋଳିକ ଦୃଷ୍ଟିରୁ ଭାରତର ସମୀପବର୍ତ୍ତୀ ହୋଇଛି। ସୁତରା˚, ଏହାର ସୁଯୋଗ ନେଇ ତାଲିବାନର ନେପଥ୍ୟ ପରିଚାଳକ ପାକିସ୍ତାନ ଯଦି ଆତଙ୍କବାଦର ଏହି ନୂଆ ସମ୍ଭାବନାକୁ ଭାରତ ବିରୋଧରେ ପ୍ରୟୋଗ କରେ, ତେବେ, ତହିଁରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେରିକାର ସ୍ବାର୍ଥପରତା ତଥା ବୋଧଶୂନ୍ୟ ଅପରିଣାମଦର୍ଶିତା ଯଦି ଭାରତର ଆଖି ଖୋଲି ଦେଇଥାଏ, ତେବେ କହିବା ବାହୁଲ୍ୟ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଓ ଆତଙ୍କବାଦ ବିରୋଧୀ ପ୍ରସ୍ତୁତିରେ ଭାରତ ସ˚ପୂର୍ଣ୍ଣ ସ୍ବାବଲମ୍ବୀ ହେବା ଲାଗି ଉଦ୍ୟମ କରିବ।

ସମ୍ବନ୍ଧିତ ଖବର