ମଉଳା ସ୍ୱପ୍ନ

ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ତା’ର ଗଠନ ପର ଠାରୁ ଯେଉଁ ଦୁର୍ବାର ସ୍ବପ୍ନକୁ ଛାତିରେ ଧରି ଚାଲିଛି ଏବ˚ ବିଶ୍ବ ସମୁଦାୟର ମନ ଭୂମିରେ ତାକୁ ରୋପଣ କରିବାର ଅଦମ୍ୟ ଚେଷ୍ଟା କରି ବିଫଳ ହୋଇଛି; ସେହି ସ୍ବପ୍ନଟି ହଠାତ୍‌ ଗୋଟିଏ ଆତଙ୍କବାଦୀ ସ˚ଗଠନର ପରିକଳ୍ପନାରେ ଅଙ୍କୁରିତ ହୋଇଥିବା ତାକୁ ଅବଶ୍ୟ କିଛି ସାନ୍ତ୍ବନା ପ୍ରଦାନ କରିଥିବ। ଉଲ୍ଲେଖ କରିବା ଅନାବଶ୍ୟକ ଯେ ତାହା ହେଉଛି କାଶ୍ମୀର ଦଖଲର ସ୍ବପ୍ନ, ଯାହା ଆନ୍ତର୍ଜାତିକ ଆତଙ୍କବାଦୀ ସ˚ଗଠନ ‘ଅଲ କାଏଦା’ ଦ୍ବାରା ପ୍ରଦତ୍ତ ଏକ ବୟାନରେ ଦୃଷ୍ଟିଗୋଚର ହୋଇଥାଏ, ଯହିଁରେ କୁହାଯାଇଛି ଯେ ତାଲିବାନ ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକା ଓ ‘ନାଟୋ’ ଶକ୍ତିର ଦୟନୀୟ ପରାଜୟ ପରେ ଏବେ କାଶ୍ମୀର, ୟେମେନ ଓ ପାଲେଷ୍ଟାଇନ୍‌ ଆଦି ଭଳି ମୁସଲିମ ଭୂମିକୁ ଜିହାଦୀ ଯୁଦ୍ଧ ମାଧୢମରେ ମୁକ୍ତ କରିବାର ସମୟ ଉପନୀତ। ସ୍ବାଭାବିକ ଭାବେ ଏହା ଯଦିଓ ଭାରତକୁ ତା’ର ଅଭ୍ୟନ୍ତରୀଣ ସୁରକ୍ଷା ନେଇ ଖୁବ୍‌ ଅଧିକ ସତର୍କତା ଅବଲମ୍ବନ କରିବାକୁ ବାଧୢ କରିବ, ତେବେ ‘ଅଲ କାଏଦା’ ପକ୍ଷରୁ ଏଭଳି ଏକ ସ୍ବପ୍ନ ପୋଷଣ କରାଯିବା କେତେ ଦୂର ବାସ୍ତବଧର୍ମୀ, ସେ ସ˚ପର୍କରେ ଏକ ଆଲୋଚନା ପ୍ରଣିଧାନଯୋଗ୍ୟ।

ଏହି ପ୍ରସଙ୍ଗରେ ପ୍ରଥମରୁ ସ୍ପଷ୍ଟ କରିଦିଆଯିବା ଉଚିତ ଯେ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ପକ୍ଷରୁ ଯେତେ ବିଜୟ ସମାରୋହ ପାଳନ କରାଗଲେ ମଧୢ ସେମାନେ ନିଜ ହୃଦୟର କେଉଁ ଏକ ନିଭୃତ କୋଣରେ ନିଶ୍ଚିତ ଉପଲବ୍‌ଧି କରିଥିବେ ଯେ ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ-ପରାହତ ହୋଇ ପଳାୟନ କରିନାହିଁ; ବର˚ ଯେଉଁ ଉଦ୍ଦେଶ୍ୟ ରଖି ୨୦୦୧ ମସିହାରେ ଆଫଗାନିସ୍ତାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରିଥିଲା, ତାହା ୨୦୧୧ ମସିହାରେ ଓସାମା ବିନ୍‌ ଲାଡେନର ହତ୍ୟା ସହିତ ସାଧିତ ହୋଇ ସାରିବା ପରେ ସେଠାରେ ଅବସ୍ଥାନ କରିବା ଆମେରିକା ଲାଗି ଏକ ବାଧୢବାଧକତା ଭଳି ଥିଲା। କାରଣ ଆକାଶ ପଥରେ ୭୪୧୦ ମାଇଲ ଦୂରସ୍ଥ ଏକ ଅତ୍ୟନ୍ତ ପ୍ରତିକୂଳ ଜଳବାୟୁ ସହିତ ବନ୍ଧୁର ଦେଶ ଆଫଗାନିସ୍ତାନରେ ଦୀର୍ଘ ଦୁଇ ଦଶନ୍ଧି ଧରି ଲକ୍ଷାଧିକ ସୈନ୍ୟ, ସାମରିକ ଯାନବାହନ ଏବ˚ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିବା ଏବ˚ ସେହି ବିଧ୍ବସ୍ତ ରାଷ୍ଟ୍ରର ପୁନଃ ନିର୍ମାଣ କରିବାରେ ଏକ ଅତ୍ୟନ୍ତ ବିପୁଳ ଅର୍ଥ ରାଶି (ଏ ପର୍ଯ୍ୟନ୍ତ ୨ ଟ୍ରିଲିଅନ୍‌ ଡଲାର୍‌ରୁ ଅଧିକ ଖର୍ଚ୍ଚ ହୋଇଛି) ବ୍ୟୟ କରିବା ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଏଭଳି ବୋଝତୁଲ୍ୟ ହୋଇଥିବ ଯେ ଏହି ବ୍ୟବସ୍ଥାକୁ ହୁଏ’ତ ଆଉ ଅଧିକ କାଳ ଲାଗି ଚଳାଇ ରଖିବା ସମ୍ଭବ ହୁଅନ୍ତା ନାହିଁ; ପୁନଶ୍ଚ କୋଭିଡ୍‌ ମହାମାରୀ ଦ୍ବାରା ଆକ୍ରାନ୍ତ ଧରାଶାୟୀ ଅର୍ଥନୀତି ପରିପ୍ରେକ୍ଷୀରେ ତୁରନ୍ତ ଏଭଳି କରିବା ଛଡ଼ା ଆମେରିକାର କୌଣସି ଗତ୍ୟନ୍ତର ନ ଥିବ।

ଏହି ସ˚ଦର୍ଭରେ ଅନେକ ସମାଲୋଚକ ଆଫଗାନିସ୍ତାନ ଆକ୍ରମଣ ପରେ ଆମେରିକା ଦ୍ବାରା ପ୍ରଦାନ କରାଯାଇଥିବା ରାଷ୍ଟ୍ର ନିର୍ମାଣର ପ୍ରତିଶ୍ରୁତି ବାବଦରେ ସ୍ମରଣ କରାଇ ଦିଅନ୍ତି। ତେବେ, ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ନିଜ ସ୍ବାର୍ଥ ହାସଲ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ଆମେରିକା ଭଳି ଏକ ରାଷ୍ଟ୍ର ଏକ ଅନିର୍ଦ୍ଦିଷ୍ଟ କାଳ ଯାଏ ଲମ୍ବି ରହିବା ପରି ପ୍ରକଳ୍ପର ପ୍ରତିଶ୍ରୁତି ପୂରଣ କରିବା ସକାଶେ କଦାପି ରାଜି ହୁଅନ୍ତା ନାହିଁ। ଆଫଗାନିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥତା ପ୍ରଦାନ କରିବା ଲାଗି ସମ୍ଭବତଃ ଏଭଳି ଏକ ପ୍ରତିଶ୍ରୁତିର ଆବଶ୍ୟକତା ଥିଲା। କିନ୍ତୁ, ଏହା ମଧ୍ୟ ସତ ଯେ ଦୁଇ ଦଶନ୍ଧି ମଧୢରେ ଆମେରିକାର ତତ୍ତ୍ବାବଧାନରେ ଆଫଗାନିସ୍ତାନ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଆବିର୍ଭୂତ ହୋଇ ଅଗ୍ରଗତି ଲାଭ କରିବା ସହିତ ସେଠାରେ ଉଦାରବାଦୀ ଚେତନାର ପ୍ରସାର ଘଟିବା ସମ୍ଭବ ହୋଇ ପାରିଥିଲା। କିନ୍ତୁ ତା’ ସହିତ ଆଉ ଏକ ବାସ୍ତବତା ହେଲା କୌଣସି ରାଷ୍ଟ୍ରର ଜନ ସମୂହ ମଧୢରେ ଗଣତନ୍ତ୍ରର ଆତ୍ମାକୁ ବିକଶିତ ନ କରି ବାହାରୁ ତାକୁ ଆରୋପଣ କରାଯିବାର ପ୍ରଚେଷ୍ଟା ସର୍ବଦା ବିଫଳ ହୋଇଥାଏ, ଯାହା ଅବଳୀଳା କ୍ରମେ ଆଫଗାନିସ୍ତାନରେ ଦୃଶ୍ୟମାନ ହୋଇଛି। ତେବେ ସେ ଯାହା ହେଉ, ତା’ର ମୂଳ ଲକ୍ଷ୍ୟ ହାସଲ କରିବା ପରେ କୌଣସି ପରିସ୍ଥିତିରେ ମଧୢ ଆମେରିକା ସେଠାରେ ଅଧିକ କାଳ ଅବସ୍ଥାନ କରନ୍ତା ନାହିଁ। ସେହି ଦୃଷ୍ଟିରୁ ଆମେରିକାର ସ୍ବଦେଶ ବାହୁଡ଼ାକୁ ନିଜ ଦ୍ବାରା ପ୍ରଦତ୍ତ ପ୍ରତିଶ୍ରୁତି ଉପରେ ପଛଘୁଞ୍ଚା ବୋଲି ସିନା ଅଭିହିତ କରାଯାଇପାରେ, କିନ୍ତୁ ଏହା ଯେ କଦାପି ତାଲିବାନ ହାତରେ ଆମେରିକାର ପରାଜୟ ନୁହେଁ, ଏ ବିଷୟ ଆଉ କାହାର ନ ହେଲେ ସୁଦ୍ଧା ତାଲିବାନର ହୃଦ୍‌ବୋଧ ହୋଇଥିବ।

କହିବା ବାହୁଲ୍ୟ ଯେ ଏହି କାରଣରୁ ନୂଆ ସରକାର ଗଠନ କଲା ବେଳେ ତାଲିବାନ ପକ୍ଷରୁ ଆଶା କରାଯାଉ ନ ଥିବା ଭଳି ସ˚ଭ୍ରମତା ପ୍ରକାଶ ପାଉଛି। ଗତ କାଲି ତାଲିବାନ ଦ୍ବାରା ନୂତନ ସରକାର କାର୍ଯ୍ୟ ଆରମ୍ଭ କରିଛି, ଯାହାର ଗଠନ ପଛରେ ସେହି ସ˚ଗଠନର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ବାରା ଅନେକ ବିଚାରବିମର୍ଶ ରହିଛି। ସେଠାରେ ଇରାନ ଢାଞ୍ଚାରେ ସରକାର ପରିଚାଳନାର ଲକ୍ଷ୍ୟ ରଖାଯାଇଛି। ସ୍ମରଣରେ ଥାଇପାରେ କି ଏହିଭଳି ପରିପକ୍ବତା ୧୯୯୬ ମସିହାରେ ଆଫଗାନିସ୍ତାନ ଅଧିକାର କରିଥିବା ତାଲିବାନ ଠାରେ ପରିଲକ୍ଷିତ ହେଉ ନ ଥିଲା। ସ˚ପ୍ରତି ତାଲିବାନ ନେତୃତ୍ବ ଆଫଗାନିସ୍ତାନ ଲାଗି ଆନ୍ତର୍ଜାତିକ ସ୍ବୀକୃତି ଲାଭ କରିବାକୁ ବ୍ୟାକୁଳ। ଗଲା ମଙ୍ଗଳ ବାର ଦିନ କାତାରର ଦୋହା ଠାରେ ତାଲିବାନର ‘ପଲିଟିକାଲ ଅଫିସ’ ମୁଖ୍ୟ ଶେର ମହମ୍ମଦ ଆବ୍ବାସ ସ୍ତାନେକଜାୟୀ ଏବ˚ କାତାର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କ ମଧୢରେ ଏକ ଆଲୋଚନା ସ˚ପନ୍ନ ହୋଇଛି, ଯହିଁରେ ଆଫଗାନିସ୍ତାନ ସହିତ କୂଟନୈତିକ ସ˚ପର୍କ ଅବ୍ୟାହତ ରଖିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି। କେବଳ ସେତିକି ନୁହେଁ, ତାଲିବାନ ପକ୍ଷରୁ ଏହା ମଧୢ ସ୍ପଷ୍ଟ କରିଦିଆଯାଇଛି ଯେ ସେଠାକାର ଭୂମିରେ କୌଣସି ଆତଙ୍କବାଦୀ ସ˚ଗଠନକୁ ଅନ୍ୟ ଦେଶ ବିରୋଧରେ କାର୍ଯ୍ୟ କରିବାକୁ ପ୍ରଶ୍ରୟ ଦିଆଯିବ ନାହିଁ।

ଏଭଳି ଏକ ସ୍ଥିତିରେ ଏହା ଆଶା କରାଯାଇପାରେ କି ତାଲିବାନ ସହିତ ପୂର୍ବର ଘନିଷ୍ଠତା ସତ୍ତ୍ବେ ଏହି ପରିବର୍ତ୍ତିତ ପରିସ୍ଥିତିରେ ଅଲ କାଏଦାର ସ୍ବପ୍ନ ଚରିତାର୍ଥ କରିବା ଲାଗି ତାଲିବାନ ରାଜି ହେବ ନାହିଁ। ଏହା ମଧୢ ଏବେ ଜଣାଶୁଣା ଯେ ଓସାମା ବିନ ଲାଡ଼େନର ହତ୍ୟା ତଥା ଏକ ବିରୋଧୀ ଆତଙ୍କବାଦୀ ସ˚ଗଠନ ରୂପେ ‘ଆଇ.ଏସ୍‌.’ର ବିପୁଳ ଶକ୍ତି ବୃଦ୍ଧି ‘ଅଲ କାଏଦା’କୁ ଅତ୍ୟନ୍ତ ଦୁର୍ବଳ କରି ପକାଇଛି। ଏପରି କି ବିଗତ ଦୁଇ ଦଶନ୍ଧି ମଧୢରେ ନିଜର ଅସ୍ତିତ୍ବ ସାବ୍ୟସ୍ତ କରିବା ଭଳି କୌଣସି ଆଖିଦୃଶିଆ ଆତଙ୍କବାଦୀ କାର୍ଯ୍ୟ ଏହି ସ˚ଗଠନ ପକ୍ଷରୁ କରାଯାଇନାହିଁ। ଭାରତରେ ଏହାର ଏକ ଛିଟିକା ‘ଅଲ କାଏଦା ଅନ ଇଣ୍ତିଆନ୍‌ ସଏଲ୍‌’ ବା ‘ଏକ୍ୟୁଆଇଏସ୍‌’ ନାମ ଧାରଣ କରି ସକ୍ରିୟ ଥିବା କଥା କୁହାଯାଉଥିଲେ ମଧୢ ଏ ଯାବତ୍‌ ତା’ର କୌଣସି ପ୍ରଭାବ ଦୃଷ୍ଟିଗୋଚର ହୋଇନାହିଁ। ତେଣୁ ‘ଅଲ କାଏଦା’ର ଏଭଳି ଧମକ ନେଇ ମାତ୍ରାତିରିକ୍ତ ଆତଙ୍କିତ ହେବାର ବିଶେଷ କାରଣ ନାହିଁ।

ଏହା ସତ୍ତ୍ବେ ଭାରତକୁ ତା’ର ଅଭ୍ୟନ୍ତରୀଣ ସୁରକ୍ଷା ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଭୁଲିଗଲେ ହେବ ନାହିଁ ଯେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଅନେକ ମୁମୂର୍ଷୁ ଆତଙ୍କବାଦୀ ସ˚ଗଠନରେ ମଧୢ ନୂତନ ପ୍ରାଣ ସ˚ଚାର କରିଥିବ। ‘ଜୈସ ଏ ମହମ୍ମଦ’ ବା ‘ଲସ୍କର ଏ ତୋଇବା’ ଭଳି ଆତଙ୍କବାଦୀ ସ˚ଗଠନ ଯେଉଁମାନେ ପାକିସ୍ତାନ ଭୂମିରେ ଆଶ୍ରୟ ନେଇ କେବଳ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ, ସେମାନେ ମଧୢ ତାଲିବାନର ସଫଳତାରେ ଉତ୍ସାହିତ ହୋଇଥିବେ। କିନ୍ତୁ ଏହି ଆତଙ୍କବାଦୀ ସ˚ଗଠନଗୁଡ଼ିକ ମଧୢ ମନେ ରଖିବା ଉଚିତ ଯେ ସାମରିକ କ୍ଷମତା ଦୃଷ୍ଟିରୁ ପୃଥିବୀର ଚତୁର୍ଥ ବୃହତ୍ତମ ଶକ୍ତି ଭାରତକୁ ତା’ ନିଜର ଭୂମିରେ ପରାଜିତ କରିବା ଏକ ଅବାନ୍ତର ସ୍ବପ୍ନ। ତେଣୁ କାଶ୍ମୀର ଦଖଲର ଅଭିପ୍ରାୟ ଅଚିରେ ଅଲ କାଏଦାର ଏକ ମଉଳା ସ୍ବପ୍ନ ବୋଲି ପ୍ରମାଣିତ ହେବ।

ସମ୍ବନ୍ଧିତ ଖବର