‘ଭି’ ଫର୍ ଭିକ୍ଟ୍ରି!

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଧରାଶାୟୀ ଜାପାନୀ ଅର୍ଥନୀତିର ଚମକପ୍ରଦ ପୁନର୍ଜାଗରଣର ମୁଖ୍ୟ ଦିଗ୍‌ଦର୍ଶକ ରୂପେ ସ୍ବୀକୃତ ପ୍ରସିଦ୍ଧ ଆମେରିକୀୟ ପରିଚାଳନା ବିଶେଷଜ୍ଞ (ତଥା ପରିସଂଖ୍ୟାନବିତ୍, ଇଞ୍ଜିନିଅର୍, ପଦାର୍ଥବିଜ୍ଞାନୀ, ଗଣିତଜ୍ଞ ମଧ୍ୟ) ୱିଲିଅମ୍ ଏଡୱାର୍ଡସ ଡେମିଙ୍ଗ୍ କେବେ ହେଲେ କୌଣସି ଉପରଠାଉରିଆ ଦାବିକୁ ସ୍ବୀକାର ନ କରି ସର୍ବଦା କେବଳ ନିଚ୍ଛକ ତଥ୍ୟ (ଡେଟା)କୁ ନିଜର ଅର୍ଥନୈତିକ ରଣକୌଶଳର ମୁଖ୍ୟ ଆଧାରରେ ପରିଣତ କରି କିମ୍ବଦନ୍ତି ପାଲଟି ଥିଲେ। ଏ ବାବଦରେ ତାଙ୍କର ଯେଉଁ ଏକ ପ୍ରସିଦ୍ଧ ଉକ୍ତି ଏବେ ବି ବହୁଳ ପ୍ରସାରିତ ହେବା ଦେଖା ଯାଇଥାଏ, ତାହା ହେଲା: ‘‘ଈଶ୍ବରଙ୍କ ଉପରେ ଆମର ବିଶ୍ବାସ ଅଛି, ଅନ୍ୟ ସମସ୍ତଙ୍କୁ ତଥ୍ୟ ଆଣିବାକୁ ହେବ।’’

ନିକଟ ଅତୀତରେ ଭାରତ ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଦାବି କରି ଆସିବା ଦେଖାଯାଇଥିଲା ଯେ ଚୀନା କରୋନା ଦ୍ବାରା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଭାରତୀୟ ଅର୍ଥନୀତିରେ ଏକ ଇଂରେଜୀ ଅକ୍ଷର ‘ଭି’ (V) ଆକୃତିର ପୁନର୍ଜାଗରଣ ଘଟିବା ଅବଶ୍ୟମ୍ଭାବୀ। ଏକ ତଳମୁହାଁ ତୀର-ମୁଣ୍ଡ ସଦୃଶ ଏହି ଅକ୍ଷର ଯାହା ସୂଚାଇଥାଏ, ତାହା ହେଲା- ପ୍ରଥମେ ଏକ ତୀକ୍ଷ୍‌ଣ ପତନ ପରେ ପରେ ଏକ ଅନୁରୂପ ଭାବେ ତୀକ୍ଷ୍‌ଣ ଉତ୍‌ଥାନ। ଡେମିଙ୍ଗ୍‌ଙ୍କ ଅନୁଗାମୀମାନେ ସେତେ‌େବଳେ ଯଦି ସୁବ୍ରମଣ୍ୟନ୍‌ଙ୍କ ଦାବିକୁ ଉପରଠାଉରିଆ ବୋଲି ବିଚାର କରି ଆଡ଼େଇ ଦେଇଥିବେ, ବର୍ତ୍ତମାନ ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ ଡେମିଙ୍ଗ୍‌ସୁଲଭ କଠିନ ତଥ୍ୟ ସେମାନଙ୍କୁ ନିଜର ସେଇ ମତ ବଦଳାଇବାକୁ ବାଧ୍ୟ କରୁଥିବ ବୋଲି ବିଶ୍ବାସ କରାଯାଇପାରେ।

ଏହି ତଥ୍ୟ ହେଲା: ଗତ ବିତ୍ତ ବର୍ଷ (୨୦୨୦-୨୧)ର ପ୍ରଥମ ଚଉଠ (ଏପ୍ରିଲ୍-ଜୁନ୍)ରେ କୋଭିଡ୍‌ଜନିତ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ଦେଶର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ରେ ଏକ ଅଭୂତପୂର୍ବ ୨୪.୪% ହାରରେ ପତନ ଘଟିଥିଲା; ଗତ ସପ୍ତାହରେ ‘ଜାତୀୟ ପରିସଂଖ୍ୟାନ ସଂଗଠନ’ (‘ଏନ୍‌ଏସ୍‌ଓ’) ଦ୍ବାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତ ବିତ୍ତ ବର୍ଷ (୨୦୨୧-୨୨)ର ସେଇ ପ୍ରଥମ ଚଉଠରେ ତା’ ସହିତ ପ୍ରାୟ ତାଳ ଦେବା ଭଳି ଦେଶର ‘ଜିଡିପି’ରେ ଉତ୍‌ଥାନ ଘଟିଛି ଏକ ସୁଉଚ୍ଚ ୨୦.୧% ହାରରେ। ଏହି ଚିତ୍ର ଦେଖି ମନେ ହେ‌ବା ସ୍ବାଭାବିକ ଯେ ଦେଶର ଅର୍ଥନୀତିରେ ବାସ୍ତବରେ ଏକ ଡେମିଙ୍ଗ୍‌ସୁଲଭ ତଥ୍ୟଭିତ୍ତିକ ‘ଭି’ ଆକୃତିର ପୁନର୍ଜାଗରଣ ଦେଖା ଦେଇଛି।

କିନ୍ତୁ ଚିତ୍ରଟି ନିଶ୍ଚିତ ରୂପେ ଆଶାଜନକ ହୋଇଥିଲେ ହେଁ, ପୂରାପୂରି ସିଧାସଳଖ କିମ୍ବା ସର୍ତ୍ତମୁକ୍ତ ନୁହେଁ। ପ୍ରଥମ କଥା ହେଲା, ଗତ ବର୍ଷ ‘ଜିଡିପି’ରେ ଏକ ଉଚ୍ଚା ସ୍ଥାନରୁ ଉପରୋକ୍ତ ପତନ ଘଟିଥିବା ବେଳେ, ଏ ବର୍ଷ ଯେଉଁ ଉତ୍‌ଥାନ ଘଟିଛି, ତାହା ଏକ ନୀଚା ଭୂମି (ଲୋ’ ବେସ୍)ରୁ ଘଟିଛି। କୌଣସି ଏକ ବିଷୟରେ ୩୦ ମାର୍କ ରଖିଥିବା ପିଲାଟିଏ ପରବର୍ତ୍ତୀ ସମୟରେ ୬୦ ମାର୍କ ରଖିବା ଯେଭଳି ସହଜ ହୋଇଥାଏ, ସେଇ ବିଷୟରେ ୯୦ ମାର୍କ ରଖିଥିବା ପିଲାଟିଏ ପାଇଁ ୯୫ ରଖିବା ସେଭଳି ସହଜ ହୋଇନଥାଏ। ସେଇ କାରଣରୁ ୨୦.୧% ବୃଦ୍ଧି ହାର ଚମକପ୍ରଦ ମନେ ହେଉଥିଲେ ହେଁ, ଯଦି କୋଭିଡ୍ ପୂର୍ବବର୍ତ୍ତୀ ବର୍ଷ ୨୦୧୯-୨୦ର ପ୍ରଥମ ଚଉଠ ସହିତ ତୁଳନା କରାଯାଏ, ତେବେ ଦେଖାଯାଏ ଯେ ଏହି ଉଚ୍ଚ ବୃଦ୍ଧି ହାର ସତ୍ତ୍ବେ ଚଳିତ ବର୍ଷର ପ୍ରଥମ ଚଉଠରେ ହାସଲ ହୋଇଥିବା ‘ଜିଡିପି’ର ଆକାର ହେଉଛି ୨୦୧୯-୨୦ ପ୍ରଥମ ଚଉଠର ‘ଜିଡିପି’ ଆକାର ଠାରୁ ତଥାପି ୯.୪% କ୍ଷୁଦ୍ରତର।

ତେଣୁ ଏଠାରେ ଯେଉଁ ପ୍ରଶ୍ନ ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ତାହା ହେଲା ପୂର୍ବର ‘ଜିଡିପି’ ସ୍ତରକୁ ଅତିକ୍ରମ କରି ଆଗକୁ ଆଗକୁ ଯିବା ପାଇଁ ଅର୍ଥନୀତିରେ ଆବଶ୍ୟକ ଅଭିବୃଦ୍ଧି ହାର ନିକଟ ଭବିଷ୍ୟତ୍‌ରେ ବଜାୟ ରହି ପାରିବ କି ନାହିଁ? ଏହାର ଉତ୍ତର ‘ହଁ’ ହେବା ପାଇଁ ଯେଉଁଭଳି ଅନୁକୂଳ ପରିବେଶ ଆବଶ୍ୟକ, ତାହା କେତେକାଂଶରେ ଉପଲବ୍‌ଧ ହେବାର ସମ୍ଭାବନା ବର୍ତ୍ତମାନ ବାସ୍ତବ ମନେ ହୋଇଥାଏ। ଯେମିତି, କୋଭିଡ୍‌ର ସବୁଠାରୁ ଖରାପ ସମୟ ବର୍ତ୍ତମାନ ଅତିକ୍ରାନ୍ତ ହୋଇଯାଇଥିବା ଭଳି ମନେହେଉଛି। କୁହାଯାଇପାରେ ଚଳିତ ବିତ୍ତ ବର୍ଷର ସେଇ ପ୍ରଥମ ଚଉଠରେ ହିଁ ଭାରତରେ କୋଭିଡ୍‌ର ଦ୍ବିତୀୟ ଲହର ତା’ର ଶୀର୍ଷ ଛୁଇଁଥିଲା। ବର୍ତ୍ତମାନ ସେଇ ଚୀନା ରାକ୍ଷସର ବଳବୀର୍ଯ୍ୟ ହଟିବାରେ ଲାଗିଛି। ଅବଶ୍ୟ ଏକ ତୃତୀୟ ଲହର ଆବିର୍ଭାବର ଆଶଙ୍କା ଏବେ ବି ବଳବତ୍ତର ରହିଛି। କିନ୍ତୁ ଏହି ନୂତନ ଲହର ଯେଉଁ ଏକ ନୂତନ ପରିସ୍ଥିତିର ସମ୍ମୁଖୀନ ହେବ, ତାହା ହେଲା ତା’ର ଅଧିକାଂଶ ସମ୍ଭାବ୍ୟ ଶିକାରମାନେ ବର୍ତ୍ତମାନ ଟିକା ଦ୍ବାରା ସୁରକ୍ଷିତ। ତେଣୁ ତୃତୀୟ ଲହରର ଜୟଯାତ୍ରା ପୂର୍ବ ଦୁଇ ଲହରର ଜୟଯାତ୍ରା ଭଳି ଅପ୍ରତିହତ ହେବା ସମ୍ଭାବନା କ୍ଷୀଣ। ଅତଏବ ଏହାକୁ ଜୟଯାତ୍ରା ନ କହି କେବଳ ଯାତ୍ରା ବୋଲି କହିବା ଅଧିକ ସମୀଚୀନ ହୋଇପାରେ। ଟିକା ଦ୍ବାରା ସୁରକ୍ଷିତ ଲୋକମାନେ ଭୂତାଣୁକୁ ଭ୍ରୂକ୍ଷେପ ନ କରି ଯେତେବେଳେ ଅର୍ଥନୀତିରେ ନିଜ ନିଜର ଗତାନୁଗତିକ ଭୂମିକା ନିର୍ବାହ କରିଚାଲିବେ, ସେତେବେଳେ ଅନିବାର୍ଯ୍ୟ ଭାବରେ ଅର୍ଥନୀତିରେ ଅଭିବୃଦ୍ଧି ଘଟିଚାଲିବ ଏବଂ କୋଭିଡ୍ ଏହାର ଅସହାୟ ଦର୍ଶକରେ ପରିଣତ ହେବ।

ଏହି ନୂତନ ପରିସ୍ଥିିତି ଯୋଗୁଁ ବୋଧହୁଏ ନିରାପଦରେ ଆଉ ଏକ ଭବିଷ୍ୟବାଣୀ କରାଯାଇ ପାରେ- ତୃତୀୟ ଲହର ଆସୁ କି ଚତୁର୍ଥ ଲହର ଆସୁ, ଏଥିଯୋଗୁଁ ଆଉ ଦେଶବ୍ୟାପୀ ଲକ୍‌ଡାଉନ୍ ଦେଖିବାକୁ ମିଳିବ ନାହିଁ। ଟିକାକରଣ ଅଭିଯାନ ଆଗେଇ ଚାଲିବା ସହିତ ତାଳ ଦେଇ ଅର୍ଥନୀତି ସ୍ବାଭାବିକ ଭାବରେ ତା’ର ଗୁଳାରେ ଗଡ଼ି ଚାଲିବ। କିନ୍ତୁ ଏହି ଗଡ଼ିବାର ବେଗ କେତେ ହେବ, ତାହା ଇଞ୍ଜିନ୍‌ର ଶକ୍ତି ଉପରେ ନିର୍ଭର କରିବ। ଅର୍ଥନୀତିର ଇଞ୍ଜିନ୍ ଦୁଇ କିସମର ଶକ୍ତି ଉପରେ ନିର୍ଭର କରିଥାଏ: ଯୋଗାଣ ଶକ୍ତି ଓ ଚାହିଦା ଶକ୍ତି। ଅଧିକାଂଶ ଅର୍ଥନୀତିଜ୍ଞମାନେ ଏକମତ ଯେ ବର୍ତ୍ତମାନ ଅର୍ଥନୀତିର ଚାହିଦା ପାର୍ଶ୍ବ- ଯାହା ‌େଯାଗାଣକୁ ଆକର୍ଷିତ କରିଥାଏ- ଶକ୍ତିହୀନ ଅବସ୍ଥାରେ ଅଛି। ଅନ୍ତିମ ଘରୋଇ ଖାଉଟି ଖର୍ଚ୍ଚ, ଅନ୍ତିମ ସରକାରୀ ଖାଉଟି ଖର୍ଚ୍ଚ, ମୋଟ ପୁଞ୍ଜିନିବେଶ ଓ ରପ୍ତାନିକୁ ନେଇ ଗଠିତ ଚାହିଦା ପାର୍ଶ୍ବରେ କେବଳ ରପ୍ତାନିକୁ ଛାଡ଼ି ଦେଲେ ବାକି ତିନିଟିର ସ୍ବାସ୍ଥ୍ୟ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଅଛି।

କୋଭିଡ୍ ସମୟରେ ନିଯୁକ୍ତି ଓ ଆୟରେ ଘଟିଥିବା ସଂକୋଚନ ଯୋଗୁଁ ଘରୋଇ ଖାଉଟି ଖର୍ଚ୍ଚରେ ଘଟିଥିବା ସଂକୋଚନ ଦୂର ହେବା ପାଇଁ ସମୟ ଲାଗିବ। ଏହାର ପ୍ରଭାବରେ ଏବଂ ଅବ୍ୟବହୃତ ଅତିରିକ୍ତ ଉତ୍ପାଦନ କ୍ଷମତାର ଉପସ୍ଥିତି ଯୋଗୁଁ ଘରୋଇ ପୁଞ୍ଜିନିବେଶରେ ଆବଶ୍ୟକତା ଅନୁରୂପ ବୃଦ୍ଧି ଘଟିବା ସମ୍ଭାବନା ନିକଟ ଭବିଷ୍ୟତ୍‌ରେ କ୍ଷୀଣ। କୋଭିଡ୍ ଆରମ୍ଭ ହେବା ପର ଠାରୁ ଦେଖାଯାଇଛି ସରକାର ନିଜର ଖର୍ଚ୍ଚରେ କୌଣସି ଚମକପ୍ରଦ ବୃଦ୍ଧି ଘଟାଇ ଚାହିଦା ପାର୍ଶ୍ବକୁ ପରିପୁଷ୍ଟ କରିବା ପାଇଁ ଅମଙ୍ଗ ହୋଇ ଆସିଛନ୍ତି। କେବଳ ନିକଟରେ ରପ୍ତାନିଜନିତ ଚାହିଦାରେ ଏକ ସନ୍ତୋଷଜନକ ବୃଦ୍ଧି ଘଟିବା ଯାହା ଦେଖାଯାଇଥିଲା। ବର୍ତ୍ତମାନ କିନ୍ତୁ ବୈଦେଶିକ ମୁଦ୍ରା ପାଣ୍ଠିରେ ବୃଦ୍ଧି ଘଟି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟାଇବା ଯୋଗୁଁ ଭାରତୀୟ ରପ୍ତାନି ବାଧାପ୍ରାପ୍ତ ହେଲାଣି।

ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ସରକାର କେବଳ ବ୍ୟାଙ୍କ୍ ଋଣ ମାଧ୍ୟମରେ ଚାହିଦା ପାର୍ଶ୍ବରେ ଶକ୍ତି ସଞ୍ଚାର ପାଇଁ କରିଚାଲିଥିବା ଦୁର୍ବଳ ଉଦ୍ୟମ ତ୍ୟାଗ କରି ଏବେ ରାଜକେ‌ାଷରୁ ଖର୍ଚ୍ଚ କରି ସେ ଉଦ୍ଦେଶ୍ୟ ସାଧନ କରିବା ଉଚିତ। ତାହା ହେଲେ ପ୍ରଥମ ଚଉଠରେ ଦେଖାଯାଇଥିବା ଏହି ନୀଚା-ଭୂମି ‘ଭି’ ଅନତିବିଳମ୍ବେ ଏକ ଅଧିକ କାମ୍ୟ ଉଚ୍ଚା-ଭୂମି ‘ଭି’ ରେ ପରିଣତ ହୋଇଯିବ। କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ସେତେବେଳେ ଯାଇ ସଗର୍ବରେ ଆଙ୍ଗୁଳିରେ ‘ଭି’ ସଂକେତ ଦେଖାଇ ଘୋଷଣା କରିପାରିବେ: ‘ଭି’ ଫର୍ ଭିକ୍ଟ୍ରି!’ ଏବେ ନୁହେଁ।

ସମ୍ବନ୍ଧିତ ଖବର