ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଇରିସ୍ କବି ୱିଲିଅମ୍ ବଟ୍ଲର୍ ୟେଟ୍ସଙ୍କର ଜଣେ ମୁଗ୍ଧ ଅନୁରାଗୀ ରୂପେ ଜଣାଶୁଣା। ୟେଟ୍ସଙ୍କର ପ୍ରସିଦ୍ଧତମ କବିତାମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି: ‘ଦି ସେକେଣ୍ଡ୍ କମିଙ୍ଗ୍’ (‘ଦ୍ବିତୀୟ ଆବିର୍ଭାବ’)। ଏହି କବିତାଟିର ବହୁଳ ଉଦ୍ଧୃତ ପ୍ରସିଦ୍ଧତମ ଧାଡ଼ି କେତୋଟି ହେଉଛି: ‘‘ଥିଙ୍ଗ୍ସ ଫଲ୍ ଏପାର୍ଟ୍; ଦି ସେଣ୍ଟର୍ କ୍ୟାନ୍ନଟ୍ ହୋଲ୍ଡ; ମିଅର୍ ଆନାର୍କି ଇଜ୍ ଲୁଜ୍ଡ ଅପନ୍ ଦି ୱାର୍ଲ୍ଡ... ଦି ବ୍ଲଡ୍ ଡିମ୍ଡ ଟାଇଡ୍ ଇଜ୍ ଲୁଜ୍ଡ... ଦି ବେଷ୍ଟ ଲାକ୍ ଅଲ୍ କନ୍ଭିକ୍ସନ୍, ହ୍ବାଇଲ୍ ଦି ଓର୍ଷ୍ଟ ଆର୍ ଫୁଲ୍ ଅଫ୍ ପାସନେଟ୍ ଇଣ୍ଟେନ୍ସିଟି।’’ (ସବୁ ଭୁଶୁଡ଼ି ପଡୁଛି; କେନ୍ଦ୍ର ଧରି ରଖିପାରୁନାହିଁ; ଦୁନିଆରେ କେବଳ ଅରାଜକତା ମାଡ଼ି ଚାଲିଛି... ରକ୍ତ ଲହରୀ ମାଡ଼ି ଚାଲିଛି... ଶ୍ରେଷ୍ଠତମମାନେ ବିଶ୍ବାସହୀନ ହୋଇଥା’ନ୍ତି, ଆଉ ନିକୃଷ୍ଟତମମାନେ ତୀବ୍ର ଆବେଗରେ ଭରପୂର ହୋଇଥା’ନ୍ତି)।
କାବୁଲ୍ର ପତନ ଯଦି ୟେଟ୍ସଙ୍କ ଏହି କବିତାର ଏକ ବାସ୍ତବ ରୂପାୟନ ଭଳି ମନେ ହେଉଥିଲା, ଏବେ ପଞ୍ଜଶିର ଉପତ୍ୟକାର ପତନ ସେହି ଚିତ୍ରକୁ ସମ୍ପୂର୍ଣ୍ଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେଉଁ କେନ୍ଦ୍ରୀୟ ଶକ୍ତିର ବିଫଳତା ଯୋଗୁଁ ଆଫଗାନିସ୍ତାନ ବର୍ତ୍ତମାନ କକ୍ଷଚ୍ୟୁତ ହୋଇ ବର୍ବର ତାଲିବାନ୍ ହାତରେ ପଡ଼ିଛି, ୟେଟ୍ସପ୍ରେମୀ ବାଇଡେନ୍ ତାହା ଭଲ ଭାବରେ ବୁଝିଥିବେ। ନିଜ ନେତୃତ୍ବାଧୀନ ଆମେରିକାର ବିଶ୍ବାସହୀନ ଆଚରଣ ଶେଷରେ ଆଫ୍ଗାନ୍ମାନଙ୍କୁ ଦୀର୍ଘ ଦୁଇ ଦଶନ୍ଧିର ସଭ୍ୟତାର ସ୍ପର୍ଶଲାଭ ପରେ ପୁଣି ମୌଳବାଦୀ ଇସ୍ଲାମୀୟ ଧର୍ମାନ୍ଧ ଆବେଗ ଭରପୂର ବର୍ବର ତାଲିବାନ୍ କବଳକୁ ଠେଲି ଦେଇଛି- ଏହା ରାଷ୍ଟ୍ରପତି ବାଇଡେନ୍ଙ୍କ ଠାରୁ ଅଧିକ କିଏ ଜାଣିଥିବ? ପଞ୍ଜଶିର୍ର ପତନକୁ ଏହାର ଏକ ଅନ୍ୟତମ ନମୁନା ରୂପେ ଦେଖାଯାଇପାରେ।
ଦୁଇ ଦଶନ୍ଧି ପୂର୍ବେ ‘ପଞ୍ଜ୍ଶିର୍ ସିଂହ’ରୂପେ ପରିଚିତ ଅହମଦ୍ ଶାହ ମାସୁଦ ଯେତେବେଳେ ତାଲିବାନ୍ ବିରୋଧରେ ଲଢ଼େଇ କରି ସେମାନଙ୍କୁ ପଞ୍ଜଶିର ଠାରୁ ଦୂରରେ ରହିବାକୁ ବାଧ୍ୟ କରିଥିଲେ, ସେତେବେଳେ ଆମେରିକା ଏବଂ ତା’ର ସାଥୀ ଦେଶମାନେ ମାସୁଦ୍ଙ୍କୁ ଏଥିରେ ସହାୟତା ଯୋଗାଇଥିଲେ। ‘ନର୍ଦର୍ନ ଆଲାଏନ୍ସ’ ନାମକ ମାସୁଦଙ୍କ ନେତୃତ୍ବାଧୀନ ତାଲିବାନ୍ ବିରୋଧୀ ବାହିନୀକୁ ସେମାନେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦରୁ ଆରମ୍ଭ କରି ସାଜ୍ଜସରଞ୍ଜାମ ତଥା ପ୍ରଶିକ୍ଷଣ ପର୍ଯ୍ୟନ୍ତ ପ୍ରଦାନ କରି ସେମାନଙ୍କର ଶକ୍ତି ବୃଦ୍ଧି କରିଥିଲେ। ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର୍ ଓ ଅନ୍ୟ ଲକ୍ଷ୍ୟ ସ୍ଥଳୀମାନ ଉପରେ ଆକ୍ରମଣ କରିବାର ଠିକ୍ ଦୁଇଦିନ ପୂର୍ବେ ଆଲ୍ କାଏଦା ଅହମଦ ଶାହ ମାସୁଦ୍ଙ୍କୁ ହତ୍ୟା କରିଥିଲା- କାରଣ ମାସୁଦ୍ ଆଲ୍ କାଏଦାର ଯୋଜନା ସମ୍ବନ୍ଧରେ ସୁରାକ୍ ପାଇ ଯାଇଥିଲେ ଏବଂ ତାହାକୁ ପଣ୍ଡ କରି ଦେଇଥା’ନ୍ତେ।
ବର୍ତ୍ତମାନ ‘ପଞ୍ଜ୍ଶିର୍ ସିଂହ’ଙ୍କର ପୁତ୍ର ୩୨ ବର୍ଷୀୟ ଅହମଦ୍ ମାସୁଦ୍ ପିତାଙ୍କ ପଦାଙ୍କ ଅନୁସରଣ କରି ପଞ୍ଜଶିରୀମାନଙ୍କର ନେତୃତ୍ବ ନେଇ ତାଲିବାନ୍ ବିରୋଧରେ ଲଢ଼େଇ ଚଳାଇଥିଲେ। ସିଂହ ଶିଶୁ ଅହମଦ୍ ମାସୁଦ୍ଙ୍କର ବ୍ୟକ୍ତିତ୍ବ ହେଉଛି ତାଙ୍କର ପ୍ରତିପକ୍ଷ ତାଲିବାନ୍ମାନଙ୍କର ସମ୍ପୂର୍ଣ୍ଣ ବିପରୀତ। ସେ ବ୍ରିଟେନ୍ର ମର୍ଯ୍ୟାଦାଜନକ ସାମରିକ ଶିକ୍ଷାକେନ୍ଦ୍ର ସ୍ୟାଣ୍ଡ୍ହର୍ଷ୍ଟସ୍ଥିତ କିମ୍ବଦନ୍ତିମୂଳକ ‘ରୟାଲ୍ ମିଲିଟାରି କଲେଜ୍’ ଏବଂ ଲଣ୍ଡନ୍ର ପ୍ରସିଦ୍ଧ ‘କିଙ୍ଗ୍ସ କଲେଜ୍’ରେ ଶିକ୍ଷା ଲାଭ କରିବା ପରେ ୨୦୧୬ରେ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପଞ୍ଜଶିର ଦଖଲ ପାଇଁ ତାଲିବାନ୍ର ଉଦ୍ୟମକୁ ପ୍ରତିହତ କରିବା ନିମିତ୍ତ ସେ ଚଳାଇଥିବା ଅଭିଯାନରେ ତାଙ୍କୁ ପୂର୍ବ ଭଳି (ତାଙ୍କ ପିତାଙ୍କ ସମୟରେ) ସହାୟତା ଯୋଗାଇବା ପାଇଁ ସେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଶକ୍ତିମାନଙ୍କୁ ଅନୁରୋଧ କରି ଚାଲିଥିଲେ। ଏହାର ଏକ ଲିପିବଦ୍ଧ ପ୍ରମାଣ ସ୍ବରୂପ ଗତ ମାସରେ ଆମେରିକାରୁ ପ୍ରକାଶିତ ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ‘ୱାସିଙ୍ଗ୍ଟନ୍ ପୋଷ୍ଟ’ରେ ଏକ ଲେଖା ପ୍ରକାଶ କରି ସେ ତାଲିବାନ୍ ବିରୋଧରେ ଲଢ଼ିବା ପାଇଁ ତାଙ୍କୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପାଇଁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସକୁ ଅନୁରୋଧ କରିଥିଲେ। ବାଇଡେନ୍ କିମ୍ବା ଅନ୍ୟ କେହି ପାଶ୍ଚାତ୍ୟ ନେତା ମାସୁଦ୍ଙ୍କ ଏହି ନିବେଦନ ପ୍ରତି କର୍ଣ୍ଣପାତ ମଧ୍ୟ କଲେ ନାହିଁ।
କହିଲେ ଭୁଲ୍ ହେବ ନାହିଁ, ବାଇଡେନ୍ ଓ ତାଙ୍କ ସାଥୀମାନେ ସମଗ୍ର ଆଫ୍ଗାନିସ୍ତାନକୁ ବର୍ତ୍ତମାନ ସେଇମାନଙ୍କ ହାତକୁ ଟେକି ଦେଇଛନ୍ତି ଯେଉଁମାନେ ହେଉଛନ୍ତି ୟେଟ୍ସଙ୍କ ଭବିଷ୍ୟବାଣୀ କବିତାରେ ଉଲ୍ଲେଖ କରାଯାଇଥିବା ତୀବ୍ର ଅନ୍ଧ ଆବେଗ ଦ୍ବାରା ପରିଚାଳିତ ନିକୃଷ୍ଟତମ ମନୁଷ୍ୟମାନଙ୍କର ଜୀବନ୍ତ ଉଦାହରଣ। ଆଫ୍ଗାନ୍ବାସୀ ଏହାର ଭୟଙ୍କର ପରିଣାମ କିପରି ଭୋଗ କରିବାକୁ ଆରମ୍ଭ କଲେଣି, ତାହାର କିଛି କିଛି ଝଲକ ଏବେ ଗଣମାଧ୍ୟମରେ ପ୍ରକାଶ ପାଇ ଚାଲିଛି- କେଉଁ ଗର୍ଭବତୀ ମହିଳାଙ୍କ ପେଟକୁ ଗୁଳି ଚାଲିଲାଣି ତ କାହାର ଆଖି ତାଡ଼ି ଦିଆଗଲାଣି...। ପୃଥିବୀ ସାରା ମାନବାଧିକାର ଓ ଉଦାରବାଦର ରକ୍ଷକ ରୂପେ ଧ୍ବଜା ଉଡ଼ାଉଥିବା ଆମେରିକାର ଏଥିରେ କିନ୍ତୁ କିଛି ଯାଏ ଆସ ନାହିଁ। ସେ ଦେଶର ସରକାର ଓ ଜନସାଧାରଣ ବିଶ୍ବାସ କରନ୍ତି ଯେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେବା ଦ୍ବାରା ଆମେରିକାର ଜାତୀୟ ସ୍ବାର୍ଥ ସୁରକ୍ଷିତ ହେବ, ଆଫଗାନିସ୍ତାନର ଅବସ୍ଥା ଯାହା ହେଉ ନା କାହିଁକି!
କିନ୍ତୁ ଆଫଗାନିସ୍ତାନରେ ଜିହାଦୀ ତାଲିବାନ୍ ଶାସନ ପ୍ରତିଷ୍ଠାର ଫଳାଫଳ ଯେ କେବଳ ଆଫ୍ଗାନ୍ ସୀମା ଭିତରେ ଆବଦ୍ଧ ରହିବ, ତାହା ଭାବିବା ଭୁଲ୍। ହୁଏ’ତ କିଛି ଦିନ ପାଇଁ ଦ୍ବିତୀୟ ଥର କ୍ଷମତାକୁ ଆସିଥିବା ତାଲିବାନ୍ ପୂର୍ବ ଥର ପରି ବିଦେଶରେ ୯/୧୧ ଭଳି ଆତଙ୍କବାଦୀ ଆକ୍ରମଣ ରଚନା କରିବା ପାଇଁ ଆଲ୍ କାଏଦା ଭଳି ଆତଙ୍କବାଦୀ ଗୋଷ୍ଠୀମାନଙ୍କୁ ଆଫ୍ଗାନ୍ ଭୂମି ବ୍ୟବହାର କରିବାକୁ ନ ଦେଇପାରେ; କିନ୍ତୁ ଅସଂଗଠିତ ଆତଙ୍କବାଦୀ ଆକ୍ରମଣ ଏହାଦ୍ବାରା ଅଟକି ଯିବ ନାହିଁ। ତାଲିବାନ୍ ଭଳି ଏକ କ୍ଷୁଦ୍ର ଜିହାଦୀ ଗୋଷ୍ଠୀ ପୃଥିବୀର ଏକମାତ୍ର ସୁପର୍ ପାୱାର୍କୁ ଯଦି ପରାସ୍ତ କରି ଦେଇ ପାରିଲା, ତା’ହେଲେ ଅନ୍ୟ ଜିହାଦୀମାନେ ତାହା କାହିଁକି ହାସଲ କରି ନ ପାରିବେ?- ଏ ଭଳି ଚିନ୍ତାଧାରା ସେମାନଙ୍କର ଉତ୍ସାହରେ ଅଗ୍ନି ସଂଯୋଗ କରିବ। ଆଗାମୀ ଦିନ ମାନଙ୍କରେ ପ୍ରାୟ ପ୍ରତ୍ୟେକ ପାଶ୍ଚାତ୍ୟ ଦେଶରେ ଛକି ରହିଥିବା ଜିହାଦୀମାନେ ଯଦି ଆପଣା ଛାଏଁ ଆତଙ୍କବାଦୀ ଆକ୍ରମଣମାନ ରଚନା କରନ୍ତି (ଯେମିତି ଗତ ସପ୍ତାହରେ ତଥାକଥିତ ଶାନ୍ତିପୂର୍ଣ୍ଣ ଦେଶ ନିଉଜିଲାଣ୍ଡ୍ର ଅକ୍ଲାଣ୍ଡ ସହରସ୍ଥିତ ଏକ ସୁପର୍ମାର୍କେଟ୍ରେ ଏକ ଜିହାଦୀ ଛୁରାମାଡ଼ ଘଟଣା ଘଟିଥିଲା- ଆକ୍ରମଣକାରୀ ଆଫ୍ଗାନ୍ ଘଟଣା ଦ୍ବାରା ଉତ୍ସାହିତ ହୋଇଥିବା ପ୍ରକାଶ କରିଥିଲା), ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସେତିକି ନୁହେଁ, ଏସିଆ ଓ ଆଫ୍ରିକାର ଜିହାଦୀ ଅଧ୍ୟୁଷିତ ଛୋଟ ଛୋଟ ଦେଶମାନଙ୍କରେ- ପାକିସ୍ତାନରୁ ସୋମାଲିଆ ବା ମାଲି ପର୍ଯ୍ୟନ୍ତ ଜିହାଦୀମାନେ ବର୍ତ୍ତମାନ ସିଧାସଳଖ କ୍ଷମତା ଦଖଲ କରିବାକୁ ଦ୍ବିଗୁଣ ଉତ୍ସାହରେ ଲାଗି ପଡ଼ିବେ। ବାକି ପୃଥିବୀକୁ ଏଭଳି ବିପଜ୍ଜନକ ଅସ୍ଥିରତା ମଧ୍ୟକୁ ଠେଲି ଦେଇ ଆମେରିକା ଯଦି ସୁରକ୍ଷିତ ରହିବ ବୋଲି ବାଇଡେନ୍ ବିଶ୍ବାସ କରୁଥା’ନ୍ତି, ତାହା ତାଙ୍କର ଏକ ଭ୍ରାନ୍ତ ଧାରଣା ମାତ୍ର। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପୃଥିବୀ ବର୍ତ୍ତମାନ ହିଁ ଯେ ତାର ଉଦ୍ଧାର ପାଇଁଏକ ‘ଦ୍ବିତୀୟ ଆବିର୍ଭାବ’ ଆବଶ୍ୟକ କରୁଛି, ତାହା ୟେଟ୍ସପ୍ରେମୀ ବାଇଡେନ୍ ବୁଝି ପାରୁଥିବେ ବୋଲି ଆଶା କରାଯାଏ।