ପିତା ଓ ପୁତ୍ର

ବୌଦ୍ଧ ଗାଥା ଅନୁସାରେ ଗୌତମ ବୁଦ୍ଧଙ୍କ ଅନୁଗତ ମଗଧର ରାଜା ବିମ୍ବିସାରଙ୍କ ପୁତ୍ର ଅଜାତଶତ୍ରୁଙ୍କର ଗୌତମଙ୍କ ପ୍ରତି ଶତ୍ରୁଭାବାପନ୍ନ ଦେବଦତ୍ତଙ୍କ ସହିତ ପ୍ରଗାଢ଼ ବନ୍ଧୁତା ଥିଲା। ଦେବଦତ୍ତଙ୍କ ପ୍ର‌େରାଚନାରେ ଅଜାତଶତ୍ରୁ ପିତାଙ୍କୁ ହଟାଇ ନିଜେ କିପରି ରାଜ ସିଂହାସନ ଦଖଲ କରିଥିଲେ, ଇତିହାସ ଓ ସାହିତ୍ୟ ମାଧ୍ୟମରେ ତାହାର ହୃଦୟବିଦାରକ ବର୍ଣ୍ଣନା ସହିତ ପିଢ଼ି ପରେ ପିଢ଼ି ଭାରତୀୟମାନେ ସୁପରିଚିତ (ଯେମିତି ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ କାହାଣୀ ‘ପିତା ଓ ପୁତ୍ର’)। ପୁତ୍ର ହାତରେ ବନ୍ଦୀ ବିମ୍ବିସାର ଭୋକ ଉପାସରେ କାରାଗାରରେ ଥାଇ ମୃତ୍ୟୁକୁ ଅପେକ୍ଷା କରୁଥିବା ସମୟରେ କୋଠରିର ଗବାକ୍ଷ ଦେଇ ସେ ଦେଖିପାରୁଥିବା ଯେଉଁ ଦୃଶ୍ୟ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରୁଥିଲା, ତାହା ହେଲା ଅନତି ଦୂରରେ ଗୃଦ୍ଧକୂଟ ପାହାଡ଼ ଉପରେ ଅବସ୍ଥିତ ତାଙ୍କର ତପସ୍ୟା ସ୍ଥଳୀକୁ ତଥାଗତ ବୁଦ୍ଧଙ୍କର ଆରୋହଣର ଦୃଶ୍ୟ।

ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ, ଏବେ ପୂର୍ବତନ ମଗଧର ଅଦୂରବର୍ତ୍ତୀ ଏକ ଅଞ୍ଚଳରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏକ ଧାରଣା ସୃଷ୍ଟି କରିଥାଏ ସତେ ଯେମିତି ଇତିହାସ ନିଜେ ନିଜକୁ ଆମୋଦିତ କରିବା ପାଇଁ କେତେକ ପରିବର୍ତ୍ତନ ସହ ସେଇ ‘ପିତା ଓ ପୁତ୍ର’ କାହାଣୀର ଏକ କ୍ୟାରିକେଚର୍ ବା ବ୍ୟଙ୍ଗସଂସ୍କରଣ ଅଭିନୀତ କରାଇଛି। ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ଙ୍କର ୮୬ ବର୍ଷୀୟ ପିତା ନନ୍ଦ କୁମାର ବାଘେଲ୍‌ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ଓ ଏଥି ପ୍ରତି ତାଙ୍କର ଉତ୍ସାହ ପାଇଁ ସେ ଜଣାଶୁଣା (ବୌଦ୍ଧ ଧର୍ମକୁ ଭାରତର ଜାତୀୟ ଧର୍ମ ରୂପେ ଘୋଷଣା କରାଯାଉ ବୋଲି ସେ ଦାବି କରି ଆସିଛନ୍ତି।)। ଏହି ଉତ୍ସାହର ଅଂଶ ସ୍ବରୂପ ସେ ସର୍ବଦା ଏକ ବ୍ରାହ୍ମଣ-ବିରୋଧୀ ଅାଭିମୁଖ୍ୟ ଗ୍ରହଣ କରିଆସିବା ଦେଖାଯାଇଛି।

ସେଇ ଅଭ୍ୟାସକୁ ବଜାୟ ରଖି ସେ ନିକଟରେ ଦେଶର ବ୍ରାହ୍ମଣମାନଙ୍କୁ ଧମକ ଦେଇଥିଲେ ଯେ ସେମାନେ ଯଦି ନିଜର ଆଚରଣ ନ ବଦଳାନ୍ତି ତେବେ ଏହି ‘ବହିରାଗତ’ମାନଙ୍କୁ ‘ଗଙ୍ଗା’ର ଦେଶରୁ ତଡ଼ି ଦିଆଯାଇ ‘ଭଲ୍‌ଗା’ର ଦେଶକୁ ପଠାଇ ଦିଆଯିବ। ‘ସର୍ବ ବ୍ରାହ୍ମଣ ସମାଜ’ ନାମକ ବ୍ରାହ୍ମଣମାନଙ୍କର ଏକ ସଂଗଠନ ଏହା ବିରୋଧରେ ଅଭିଯୋଗ କରିବାରୁ ପୁତ୍ର ଭୂପେଶ ରାଜଧର୍ମ ରକ୍ଷା କରି ରାଜ୍ୟର ପୁଲିସ୍‌କୁ ତାଙ୍କ ପିତାଙ୍କ ବିରୋଧରେ ଆବଶ୍ୟକ ଦଫାମାନ ଲଗାଇ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଲେ। ଏହା ପରେ ଦେଶବାସୀ ଚମତ୍କୃତ ହୋଇ ଦେଖିଲେ ବିମ୍ବିସାରଙ୍କ ପରି ନନ୍ଦ କୁମାର କାରାଗାର ଗମନ କଲେ। ଅବଶ୍ୟ ବିମ୍ବିସାରଙ୍କ ପରି ସେଠାରେ ତାଙ୍କୁ ଭୋକ ଉପାସରେ ରଖା ନ ଯାଇ, ତାଙ୍କର ସାଦର ଚର୍ଚ୍ଚା କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସ୍ବାଧୀନ ଭାରତ ଇତିହାସରେ ଘଟିଥିବା ଏଭଳି ପ୍ରଥମ ଘଟଣା ଯାହା ସର୍ବପ୍ରଥମେ ପ୍ରମାଣିତ କରିଥାଏ, ତାହା ହେଲା ଏକ ପ୍ରତିକୂଳ ପରିସ୍ଥିତିକୁ ଓଲଟାଇ ଦେଇ ଏକ ଅନୁକୂଳ ପରିସ୍ଥିତିରେ ପରିଣତ କରି ଦେବାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ଙ୍କର ପାରଦର୍ଶିତା। ନ୍ୟାୟ ଓ ଆଇନର ଶାସନ ସମ୍ମୁଖରେ ସେ ନିଜର ପିତାଙ୍କୁ ମଧ୍ୟ ଉତ୍ସର୍ଗ କରିଦେଇ ପାରନ୍ତି, ତାଙ୍କର ରାଜନୈତିକ ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ଏହା ଠାରୁ ବଳି ଅଧିକ ଶକ୍ତିଶାଳୀ ପ୍ରଦର୍ଶନ ଆଉ କ’ଣ ଥାଇ ପାରେ। କିନ୍ତୁ ଅଜାତଶତ୍ରୁଙ୍କ ପରି ନିଜର ସ୍ବାର୍ଥ ସାଧନ ପାଇଁ ସେ ପିତାଙ୍କୁ କୌଣସି କଷଣ ଦେଇ ନାହାନ୍ତି। ପିତା ନନ୍ଦ କୁମାର ଏବେ ଜାମିନରେ ମଧ୍ୟ ମୁକୁଳି ଆସିଲେଣି। ପିତାଙ୍କ ସହିତ ତାଙ୍କର ଆଦର୍ଶଗତ ପାର୍ଥକ୍ୟ ଥିବା ସତ୍ତ୍ବେ ସେ ପିତାଙ୍କୁ ବ୍ୟକ୍ତିଗତ ଭାବରେ ସମ୍ମାନ କରନ୍ତି ବୋଲି ମଧ୍ୟ ଭୂପେଶ ବାଘେଲ୍ ଅଣ-ଅଜାତଶତ୍ରୁସୁଲଭ ଘୋଷଣା କରିଛନ୍ତି।

କାହାଣୀର ଅନ୍ୟ ଚରିତ୍ର ନନ୍ଦ କୁମାର ବାଘେଲ୍‌ଙ୍କର ଆଚରଣକୁ ମଧ୍ୟ ତଳେଇ କରି ଦେଖିଲେ ବିଶୁଦ୍ଧ ବିମ୍ବିସାରସୁଲଭ ନୁହେଁ। ବିମ୍ବିସାରଙ୍କ ପରି ନନ୍ଦ କୁମାର ମଧ୍ୟ ହେଉଛନ୍ତି ବୁଦ୍ଧଙ୍କ ଦ୍ବାରା ଅନୁପ୍ରାଣିତ। କ୍ଷତ୍ରିୟ ରାଜକୁଳ ଜନ୍ମିତ ବିମ୍ବିସାର କିନ୍ତୁ ତାଙ୍କରି ଭଳି ରାଜକୁଳ ସମ୍ଭୂତ ଗୌତମଙ୍କୁ ଜଣେ ଅନ୍ଧ ବ୍ରାହ୍ମଣ-ବିରୋଧୀ ରୂବେ ବିଚାର କରିଥିବା କିମ୍ବା ନିଜେ ଅନୁରୂପ ବ୍ରାହ୍ମଣ-ବିଦ୍ବେଷ ପ୍ରସାର କରିଥିବାର କୌଣସି ସମ୍ଭାବନା ନାହିଁ। ଏହା ସତ ଯେ ବୁଦ୍ଧ ଯେଉଁ ‘ଦର୍ଶନ’ ପ୍ରସାର କରିଥିଲେ, ଏବଂ ଯାହାକୁ ‘ଧର୍ମ’ର ନାମ ଦିଆଯାଇଛି, ସେଥିରେ ବୈଦିକ ହିନ୍ଦୁମାନେ ବିଶ୍ବାସ କରୁଥିବା ଭଳି କୌଣସି ଈଶ୍ବରଙ୍କ ସ୍ଥାନ ନ ଥିଲା। ହିନ୍ଦୁମାନେ ‘ଈଶ୍ବର’ ଅଛନ୍ତି ବୋଲି ବିଶ୍ବାସ କରୁଥିବା ବେଳେ ଗୌତମ ସେ ସ୍ଥାନରେ ଯାହା ଅଛି ବୋଲି ବିଶ୍ବାସ କରୁଥିଲେ, ତାହା ହେଲା ମାନବୀୟ ଦୁଃଖ ଯନ୍ତ୍ରଣା। ଏହି ସର୍ବବିଦ୍ୟମାନ ଯନ୍ତ୍ରଣାରୁ ମନୁଷ୍ୟ କିଭଳି ମୁକ୍ତି ପାଇ ପାରିବ ତାହା ହିଁ ବତାଇବା ଥିଲା ତାଙ୍କର ସମଗ୍ର ଦର୍ଶନର ମୂଳ ଲକ୍ଷ୍ୟ।

ଏଭଳି ଏକ ବ୍ୟବସ୍ଥାରେ ତେଣୁ ଈଶ୍ବର ଓ ମନୁଷ୍ୟ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ପାଇଁ ବୈଦିକ ଯୁଗରୁ ଚଳି ଆସିଥିବା ବ୍ରାହ୍ମଣଙ୍କର ଭୂମିକାର କୌଣସି ଆବଶ୍ୟକତା ନ ଥିଲା। ବ୍ରାହ୍ମଣମାନେ ଯେ ଏହାର ସୁଯୋଗ ନେଇ ନିଜର ଲାଭ ପାଇଁ ଯଜମାନଙ୍କର ଶୋଷଣ କରୁଥିଲେ, ତାହା ସୁବିଦିତ। ଏହି ଦୃଷ୍ଟିରୁ ଦେଖିଲେ କୁହାଯାଇପାରେ ବୁଦ୍ଧ ବ୍ରାହ୍ମଣ-ବିରୋଧୀ ଥିଲେ। କିନ୍ତୁ ସେ କେବେ ହେଲେ ନନ୍ଦ କୁମାରଙ୍କ ପରି ଅନ୍ଧ ବ୍ରାହ୍ମଣ-ବିରୋଧୀ ନ ଥିଲେ। ଏହାର ଅନେକ ପ୍ରମାଣ ମଧ୍ୟରୁ ଗୋଟିଏ ହେଉଛି ଏହା ଯେ ତ୍ରିପିଟକରେ ବୁଦ୍ଧ ନିଜେ ଭବିଷ୍ୟବାଣୀ କରିଥିବା ଉଲ୍ଲେଖ ଅଛି ଯେ ସଂସାରରେ ଯେତେବେଳେ ଅଧର୍ମ କାୟାବିସ୍ତାର କରିବ ସେତେବେଳେ ସେ ନିଜେ ଏକ ପ୍ରେମମୟ ‘ମୈତ୍ରେୟ ବୁଦ୍ଧ’ ରୂପେ ଜନ୍ମ ଲାଭ କରି ପୁଣି ଧର୍ମକୁ ପୁନରୁଜ୍ଜୀବିତ କରିବେ। ନନ୍ଦ କୁମାରଙ୍କ ଏଠାରେ ସମସ୍ୟା ହେଲା- ବୁଦ୍ଧ କହିଥିଲେ ଯେ ସେତେବେଳେ ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିବେ।

ପାରମ୍ପରିକ ପୂଜାପାଠ ପ୍ରତି ବୁଦ୍ଧଙ୍କ ବିରୋଧ ଉପନିଷଦର ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ହୋଇଥିଲା। ଅନେକ ବ୍ରାହ୍ମଣ ମଧ୍ୟ ଉପନିଷଦର ଅନୁଗାମୀ ଥିଲେ। ଜର୍ମାନ୍ ବୌଦ୍ଧ ବିଶେଷଜ୍ଞ ହର୍ମାନ୍ ଓଲ୍‌ଡେନ୍‌ବର୍ଗ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ବୁଦ୍ଧ: ହିଜ୍ ଲାଇଫ୍, ହିଜ୍ ଡକ୍ଟ୍ରିନ୍, ହିଜ୍ ଅର୍ଡର୍’ରେ ଲେଖିଛନ୍ତି ବୁଦ୍ଧ ବ୍ରାହ୍ମଣମାନଙ୍କୁ ବୌଦ୍ଧ ଭିକ୍ଷୁମାନଙ୍କ ଶ୍ରେଣୀଭୁକ୍ତ କରିଥିଲେ ଏବଂ ବୌଦ୍ଧ ଧର୍ମର ସର୍ବାଧିକ ମର୍ଯ୍ୟାଦାବନ୍ତ ସନ୍ନ୍ୟାସୀ (ସେମାନେ ନିର୍ବାଣ ପ୍ରାପ୍ତିର ଜ୍ଞାନ ହାସଲ କରିଥାନ୍ତି) ‘ଅର୍ହତ’ମାନଙ୍କୁ ‘ବ୍ରାହ୍ମଣ’ ବୋଲି ସମ୍ବୋଧନ କରୁଥିଲେ। ଅନ୍ୟ ଜଣେ ପ୍ରସିଦ୍ଧ ବୌଦ୍ଧ ବିଶେଷଜ୍ଞ ଥମାସ୍ ୱିଲିଅମ୍ ରାଇସ୍ ଡେଭିଡ୍‌ସ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ବୁଦ୍ଧିଷ୍ଟ୍‌ ଇଣ୍ଡିଆ’ରେ ବର୍ଣ୍ଣନା କରିଛନ୍ତି ଯେ ଆତ୍ମାର ପୂଜାରୀ ପ୍ରକୃତ ବ୍ରାହ୍ମଣ (ଭଲଟେଆର୍‌ଙ୍କ ପ୍ରସିଦ୍ଧ ଗଳ୍ପ ‘ଷ୍ଟୋରି ଅଫ୍ ଏ ଗୁଡ୍ ବ୍ରାହ୍ମଣ’ ପରି)ଙ୍କ ପ୍ରତି ଗୌତମ ବୁଦ୍ଧ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରୁଥିଲେ। ବୁଦ୍ଧ ସେମାନଙ୍କୁ କେବେ ହେଲେ ‘ଭଲ୍‌ଗା’ ତୀରକୁ ନିର୍ବାସିତ କରିବାକୁ ଚାହାନ୍ତେ ନାହିଁ।

ସମ୍ବନ୍ଧିତ ଖବର