ମୁଣ୍ଡ ଜାମିନ

ଆଫଗାନିସ୍ତାନ ୨୦ ବର୍ଷ ପରେ ପୁଣି ଥରେ ତାଲିବାନ୍ ଦଖଲକୁ ଆସିବା ପରେ ଉଭୟ ‘ଇଣ୍ଟର୍‌ନେସନାଲ୍ ମନିଟାରି ଫଣ୍ଡ୍’ (‘ଆଇଏମ୍‌ଏଫ୍’) ଓ ତା’ର ଭଗିନୀ ଅନୁଷ୍ଠାନ ‘ୱାର୍ଲଡ୍ ବ୍ୟାଙ୍କ୍’ ସେ ଦେଶ ସହିତ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ବନ୍ଦ କରି ଦିଆଗଲା ବୋଲି ଘୋଷଣା କରିଥିଲେ। ସେମାନଙ୍କ ସହିତ ଅନ୍ୟ ଦ୍ବିପାକ୍ଷିକ ସହାୟତା ପ୍ରଦାନକାରୀମାନେ ମଧ୍ୟ ତାଲିବାନ ଶାସନାଧୀନ ଆଫଗାନିସ୍ତାନକୁ ସମସ୍ତ ସାହାଯ୍ୟ ଦେବା ବନ୍ଦ କରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପୃଷ୍ଠଭୂମିରେ ସୋମବାର ଦିନ ଜାତିସଂଘ ଦ୍ବାରା ପ୍ରକାଶିତ ଏକ ସୂଚନା ସମସ୍ତଙ୍କୁ ନିଶ୍ଚିତ ରୂପେ ଚକିତ କରି ଦେଇଥିବ ଯେ ଏହାର କେତେକ ସଦସ୍ୟ ଆଫଗାନିସ୍ତାନକୁ ୧.୧ ବିଲିଅନ୍ ଡଲାର୍‌ର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆମେରିକା ୬୪ ନିୟୁତ ଡଲାର ସହାୟତା ଦେବା ପାଇଁ ଘୋଷଣା କରିଛି।

ଏଥିରେ କିନ୍ତୁ ଚକିତ ହେବାର କିଛି ନାହିଁ। ଆଜିର ଦୁନିଆରେ ମୁଣ୍ଡଜାମିନ କୌଶଳ ସମ୍ବନ୍ଧରେ ସମସ୍ତେ ପରିଚିତ। ଦୁର୍ଦ୍ଦାନ୍ତ ଅପରାଧୀମାନେ କେତେବେଳେ କେଉଁ ସ୍କୁଲ୍‌ରେ ପ୍ରବେଶ କରି ପିଲାମାନଙ୍କୁ ମୁଣ୍ଡଜାମିନ ବା ପଣବନ୍ଦୀ କରିବା ଦେଖା ଯାଇଥାଏ ତ, କେତେବେଳେ କେଉଁ ବିମାନର ଯାତ୍ରୀମାନଙ୍କୁ ପଣବନ୍ଦୀ କରାଯାଇଥାଏ ତ, ‌େକତେବେଳେ କେଉଁ ବ୍ୟାଙ୍କ୍‌ର କର୍ମଚାରୀମାନଙ୍କୁ ଡକାୟତମାନେ ମୁଣ୍ଡଜାମିନ କରିଥା’ନ୍ତି। ଏହି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କର ଦାବି ପୂରଣ ନ ହେଲେ ମୁଣ୍ଡଜାମିନରେ ଥିବା ନିରୀହ ଲୋକମାନଙ୍କ ଜୀବନ ବିପନ୍ନ ହେବାର ଦୃଢ଼ ସମ୍ଭାବନା ଥିବାରୁ, ସେମାନଙ୍କର ଜୀବନ ରକ୍ଷା କରିବା ପାଇଁ ବଦମାସ୍‌ମାନଙ୍କର ଦାବି ପୂରଣ କରାଯାଇଥାଏ।

ଆଫଗାନିସ୍ତାନରେ ବର୍ତ୍ତମାନ ଏଇଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ବିମାନ ଅପହରଣକାରୀମାନେ ବିମାନର ଯାତ୍ରୀ ଓ କର୍ମଚାରୀମାନଙ୍କୁ ମୁଣ୍ଡଜାମିନ ରଖିବା ଭଳି ଆଫଗାନିସ୍ତାନର ଅପହରଣକାରୀ ତାଲିବାନ୍‌ମାନେ ସେ ଦେଶର ଆବାଳ ବୃଦ୍ଧ ବନିତାଙ୍କୁ ମୁଣ୍ଡଜାମିନ ରଖିଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ। ତୁରନ୍ତ ସାହାଯ୍ୟ ନ ପହଞ୍ଚିଲେ ଅବିଳମ୍ବେ ସେ ଦେଶର ପ୍ରାୟ ଚାରି କୋଟି ଲୋକ ଅନାହାରର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଆଶଙ୍କା କରି ଆନ୍ତର୍ଜାତିକ ସମୁଦାୟ ଆଫଗାନିସ୍ତାନ ପାଇଁ ବନ୍ଦ କରାଯାଇଥିବା ସହାୟତା ସିନ୍ଦୁକର ଚାବି ପୁଣି ଫିଟାଇବା ଆରମ୍ଭ କରିଛି।
ବ୍ୟାପାରଟି କିନ୍ତୁ ଏତିକିରେ ସୀମିତ ନୁହେଁ। ୨୦୦୧ରେ ସେଠାରୁ ତାଲିବାନ୍ ବିତାଡ଼ିତ ହେବା ପରେ ଆମେରିକୀୟ ଓ ଆନ୍ତର୍ଜାତିକ ସହାୟତା ବଳରେ ଆଫଗାନିସ୍ତାନରେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରରେ ବିଗତ ୨୦ ବର୍ଷ ଧରି ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଥିଲା। ବର୍ତ୍ତମାନ ଯଦି ହଠାତ୍ ସମସ୍ତ ସହାୟତା ବନ୍ଦ କରି ଦିଆଯାଏ, ଢଗରେ ଥିବା ବାର ବର୍ଷର ନୁହେଁ, କୋଡ଼ିଏ ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଯିବା ନିଶ୍ଚିତ ବୋଲି ସଭ୍ୟ ଜଗତ୍‌ ଅନୁଭବ କରୁଛି।

ଆଫଗାନିସ୍ତାନ ହେଉଛି ପୃଥିବୀର ସର୍ବାଧିକ ବୈଦେଶିକ ସହାୟତା ନିର୍ଭରଶୀଳ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି) ର ପ୍ରାୟ ୪୦ ଶତାଂଶ ବୈଦେଶିକ ସହାୟତାର ରୂପ ନେଇଥିବା ବେଳେ ସରକାରୀ ବ୍ୟୟର ତିନି-ଚତୁର୍ଥାଂଶ ସମ୍ଭବ ହୋଇଥାଏ ବୈଦେଶିକ ସହାୟତା ସୂତ୍ରରୁ। ବିଦ୍ୟାଳୟ ଗୃହ ନିର୍ମାଣରୁ ଶିକ୍ଷକମାନଙ୍କ ବେତନ ପ୍ରଦାନ ପର୍ଯ୍ୟନ୍ତ, ଡାକ୍ତରଖାନା ନିର୍ମାଣ, ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ବେତନ ପ୍ରଦାନରୁ ବିଭିନ୍ନ ଅର୍ଥନୈତିକ ଭିତ୍ତିଭୂମି ନିର୍ମାଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବୈଦେଶିକ ସାହାଯ୍ୟ ଉପରେ ନିର୍ଭରଶୀଳ ହୋଇଥା’ନ୍ତି।
ଏହି ସମୟ ମଧ୍ୟରେ ବୈଦେଶିକ ସହାୟତା ଦ୍ବାରା ସେଠାରେ ହାସଲ ହୋଇପାରିଥିବା ସଫଳତା ମଧ୍ୟ ଚମକପ୍ରଦ ହୋଇଛି ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ଉଦାହରଣ ସ୍ବରୂପ ଆଧୁନିକ ଶିକ୍ଷାକୁ ଅନାବଶ୍ୟକ ବୋଲି ବିଚାର କରୁଥିବା ତାଲିବାନ ଶାସନ ସମୟରେ (ନିକଟରେ ନୂତନ ତାଲିବାନ୍ ସରକାରରେ ଶିକ୍ଷା ମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିବା ପରେ ଶେଖ୍ ମୌଲବୀ ନୁରୁଲ୍ଲା ମୁନିର୍ ନାମକ ମୁଲ୍ଲା ଘୋଷଣା କରିଛନ୍ତି ଯେ ପିଏଚ୍‌ଡି, ସ୍ନାତକୋତ୍ତର ଶିକ୍ଷା ଆଦିର ଆଜି କୌଣସି ମୂଲ୍ୟ ନାହିଁ; ଏହାର ବଳିଷ୍ଠ ପ୍ରମାଣ ସ୍ବରୂପ ସେ ଯାହା ଉପସ୍ଥାପିତ କରିଥିଲେ, ତାହା ହେଲା ମୁଲ୍ଲା ବା ତାଲିବାନ୍‌ମାନଙ୍କର ସ୍କୁଲ୍‌ରେ ବି ପାଦ ପଡ଼ି ନ ଥିଲେ ମଧ୍ୟ ସେମାନେ ହିଁ ମହାନ୍‌ତମ ମନୁଷ୍ୟରେ ପରିଣତ ହୋଇଛନ୍ତି।) କୋରାନ୍ ହିଁ ସମସ୍ତ ଜ୍ଞାନର ସର୍ବଶେଷ ଭଣ୍ଡାର ରୂପେ ବିଚାର କରାଯାଉଥିଲା।

ଏହି କାରଣରୁ ସେଠାରେ ମଦ୍ରାସାମାନ ଭରପୂର ଥିଲା ବେଳେ ସ୍କୁଲ୍‌ମାନ ଖାଲି ପଡୁଥିଲା ତଥା ନୂଆ ସ୍କୁଲ୍ ସ୍ଥାପନ ହେଉ ନ ଥିଲା। ପୂର୍ବ ଥର ତାଲିବାନ୍‌ର ବିଦାୟ ସମୟ ବେଳକୁ ୨୦୦୧ରେ ଆଫଗାନିସ୍ତାନରେ ମୋଟ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ପ୍ରାୟ ଦଶ ଲକ୍ଷ। ବର୍ତ୍ତମାନ ୨୦ ବର୍ଷର ବିରତି ପରେ ସେଠାରେ ତାଲିବାନ୍‌ର ଦ୍ବିତୀୟ ଆଗମନ ସମୟରେ ସେଇ ସଂଖ୍ୟାରେ ପ୍ରାୟ ଦଶ ଗୁଣ ବୃଦ୍ଧି ଘଟି ଏକ କୋଟି ପାଖାପାଖି ହୋଇଛି। ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଶତାଂଶ ହେଉଛନ୍ତି ବାଳିକା (ନାରୀଶିକ୍ଷା ପ୍ରତି ତାଲିବାନ୍‌ର ଆଭିମୁଖ୍ୟ ସମ୍ବନ୍ଧରେ କିଛି ନ କହିଲେ ଭଲ)।

ସେହିପରି ୨୦୦୧ରେ ସେଠାରେ ପାଞ୍ଚ ବର୍ଷ ବୟସ ତଳକୁ ଶିଶୁ ମୃତ୍ୟୁ ହାର ଥିଲା ପ୍ରତି ଏକ ହଜାର ଜନ୍ମିତ ଜୀବନ୍ତ ଶିଶୁଙ୍କ ମଧ୍ୟରୁ ୧୯୧ ଜଣ; ୨୦୨୧ରେ ତାହା ହ୍ରାସ ପାଇ ପହଞ୍ଚିଛି ୫୦ ଜଣରେ- ଅର୍ଥାତ୍ ପୂର୍ବ ସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ ମାତ୍ର। ପୂର୍ବରୁ ଆଫଗାନିସ୍ତାନରେ କୌଣସି ଜାତୀୟ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଚିହ୍ନବର୍ଣ୍ଣ ନ ଥିଲା। ବିଗତ ୨୦ ବର୍ଷ ମଧ୍ୟରେ ସେଠାରେ ପ୍ରତିଷ୍ଠା କରାଯାଇଥିବା ‘ସେହତ୍‌ମନ୍ଦି’ କାର୍ଯ୍ୟକ୍ରମ ଅଧୀନରେ ସେ ଦେଶର ସମସ୍ତ ୩୪ଟି ଯାକ ପ୍ରଦେଶରେ ୩,୦୦୦ଟି ସ୍ବାସ୍ଥ୍ୟସେବା ପ୍ରଦାନକାରୀ କ୍ଲିନିକ୍ ପ୍ରତିଷ୍ଠିତ ହୋଇ ଆଫଗାନ୍‌ମାନଙ୍କର ଏହି ମୌଳିକ ଆବଶ୍ୟକତା ପୂରଣ କରି ଚାଲିଛି।

ସେଠାରେ ଏ ସମସ୍ତ ସମ୍ଭବ ହୋଇ ପାରିଛି କେବଳ ସେଠାକୁ ସୁଅ ଛୁଟିଥିବା ଅପର୍ଯ୍ୟାପ୍ତ ବୈଦେଶିକ ଆର୍ଥିକ ସହାୟତା ଯୋଗୁଁ। ବର୍ତ୍ତମାନ ଯଦି ସେ ସହାୟତା ସ୍ରୋତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଏ, ତେବେ ଆଫଗାନିସ୍ତାନ ଯେ ପୁଣିଥରେ ୨୦୦୧ ପୂର୍ବର ଅବସ୍ଥାକୁ ଫେରିଯିବ, ତାହା ନୁହେଁ, ସେଠାରେ ଏକ ମାନବୀୟ ବିକାଶ ବିପର୍ଯ୍ୟୟ ସୃଷ୍ଟି ହେବ। ସଭ୍ୟ ଜଗତ୍‌ ଏଭଳି ସେଠାରେ ଘଟିବା ଚାହୁଁନାହିଁ; ଏଣୁ ପୁଣି ସହାୟତା ସଂଗଠିତ କରିବା ପାଇଁ ଯୋଜନା କରୁଛି। ତାଲିବାନ୍‌ର ଦୃଷ୍ଟିଭଙ୍ଗୀ ହେଲା, ସାରିଆ ନିୟମ ଅନୁସାରେ ସେମାନେ ଋଣ ଗ୍ରହଣ କରିବେ ନାହିଁ, କାରଣ ସାରିଆର ନିର୍ଦ୍ଦେଶ ହେଉଛି କେହି ସୁଧ ନେଇପାରିବେ ନାହିଁ କିମ୍ବା ଦେଇପାରିବେ ନାହିଁ। ଅତଏବ ମାନବବାଦୀ ବାହାର ଜଗତ୍‌ ସେମାନଙ୍କୁ ଦାନ ଦେବା ଅବ୍ୟାହତ ରଖିବାକୁ ବାଧ୍ୟ- ଉଦ୍ଦେଶ୍ୟ ମୁଣ୍ଡଜାମିନ ଥିବା ଆଫଗାନ୍‌ବାସୀମାନଙ୍କୁ ଉଦ୍ଧାର କରିବା। କିନ୍ତୁ ସ‌ାହାଯ୍ୟ ଅର୍ଥକୁ ତାଲିବାନ୍ ସରକାର ଜନସ୍ବାର୍ଥ ସାଧନରେ ବିନିଯୋଗ କରିବା ସମ୍ଭାବନା କ୍ଷୀଣ- ଏହା ହେଉଛି ନିଷ୍ଠୁର ସତ୍ୟ।

ସମ୍ବନ୍ଧିତ ଖବର