ସୁପ୍ତ ବ୍ୟାଟେରି

ଗଲା ମଙ୍ଗଳବାର ଦିନ ଚାନ୍ଦିପୁରସ୍ଥିତ ‘ଡି.ଆର‌୍‌.ଡି.ଓ’ରେ କାର୍ଯ୍ୟରତ ଚାରିଜଣ ବ୍ୟକ୍ତି ପାକିସ୍ତାନର ଗୁଇନ୍ଦା ସ˚ସ୍ଥା ‘ଆଇ.ଏସ୍‌.ଆଇ.’ର ଏଜେଣ୍ଟମାନଙ୍କୁ ଦେଶ ରକ୍ଷା ସମ୍ବନ୍ଧୀୟ ଅତ୍ୟନ୍ତ ଗୋପନୀୟ ତଥା ସମ୍ବେଦନଶୀଳ ତଥ୍ୟ ଯୋଗାଇ ଦେଇଥିବା ଅଭିଯୋଗରେ ଗିରଫ ହେବା ପରେ ସେମାନଙ୍କ କାର୍ଯ୍ୟସ୍ଥଳ, ଗ୍ରାମ ଏପରିକି ସେମାନଙ୍କ ପରିବାର ଏବ˚ ଅନ୍ୟାନ୍ୟ ଅନ୍ତରଙ୍ଗଙ୍କ ମଧୢରେ ଏହି ନିରବ ବିଶ୍ବାସଘାତକତା ନେଇ ଘୋର ବିସ୍ମୟ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ନିଶ୍ଚିତ। ଆତଙ୍କବାଦୀମାନେ ଅନେକ ସମୟରେ ‘ସ୍ଲିପର ସେଲ୍‌’ (ସୁପ୍ତ ବ୍ୟାଟେରି) କୌଶଳ ଅବଲମ୍ବନ କରିଥାଆନ୍ତି, ଯହିଁରେ ସେମାନଙ୍କ ମଧୢରୁ ଜଣେ ଜଣେ ଅତି ସାଧାରଣ ଚାଲିଚଳଣ ଓ ବ୍ୟବହାର ମାଧୢମରେ କୌଣସି ଏକ ସ୍ଥାନର ଜନସାଧାରଣଙ୍କ ସହିତ ଏଭଳି ମିଶି ଯାଇ ଥାଆନ୍ତି ଯେ ସେମାନଙ୍କର ଅଭିସନ୍ଧି ଠଉରାଇବା ଅସମ୍ଭବ ହୋଇ ପଡ଼ିଥାଏ। ସେଠାରେ ସେମାନେ ରହି ଅତି ସନ୍ତର୍ପଣରେ ନିଜ ସ˚ଗଠନକୁ ଗୁପ୍ତ ଓ ସ୍ପର୍ଶକାତର ତଥ୍ୟମାନ ପ୍ରେରଣ କରିବା ସହିତ କୌଣସି ଏକ ବଡ଼ ଧରଣର ଅନ୍ତର୍ଘାତୀ କାର୍ଯ୍ୟ ଘଟାଇବା ଲାଗି ମୁନିବର ଆଦେଶକୁ ପ୍ରତୀକ୍ଷା କରି ରହିଥାଆନ୍ତି। କହିବା ଅନାବଶ୍ୟକ ଯେ ମୁନିବର ଆଦେଶ ଏଭଳି ‘ସୁପ୍ତ ବ୍ୟାଟେରି’ମାନଙ୍କୁ ଚାର୍ଜ‌୍‌ କରିଥାଏ। ସ˚ପ୍ରତି ଏହି ‘ସ୍ଲିପର ସେଲ୍‌’ ବା ‘ସୁପ୍ତ ବ୍ୟାଟେରି’ ଅଭିବ୍ୟକ୍ତିଟି ଗୁପ୍ତଚର କାର୍ଯ୍ୟକଳାପ ସ˚ଦର୍ଭରେ ମଧୢ ବ୍ୟବହୃତ ହେଲାଣି; ଯେଉଁଥିରେ ବିଭିନ୍ନ ପ୍ରକାର ପ୍ରଲୋଭନର ମୋହ ଦ୍ବାରା କିଛି ଲୋକଙ୍କୁ ‘ସ୍ଲିପର ସେଲ୍‌’ରେ ପରିଣତ କରାଯାଉଛି, ଯେଉଁମାନେ ସମସ୍ତଙ୍କ ଅଲକ୍ଷ୍ୟରେ ନିଜ ଅନୁଷ୍ଠାନ, ସମାଜ ଏପରିକି ରାଷ୍ଟ୍ର ସହିତ ନିରବ ବିଶ୍ବାସଘାତକତା କରି ଚାଲିଛନ୍ତି।

ଚାନ୍ଦିପୁର ଘଟଣାରେ ସ˚ପୃକ୍ତ ଏହି ‘ସ୍ଲିପର ସେଲ୍‌’ମାନେ ପାକିସ୍ତାନର ‘ଆଇ.ଏସ୍.ଆଇ.’ ଏଜେଣ୍ଟମାନଙ୍କ ‘ହନି ଟ୍ରାପ୍‌’ (ସୁନ୍ଦରୀ ଯୁବତୀଙ୍କୁ ବ୍ୟବହାର କରି ପକାଯାଉଥିବା ଥୋପ)ର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରାଯାଉଛି, ଯହିଁରେ ଫେସବୁକ୍‌ ଓ ହ୍ବାଟ୍‌ସଆପ୍‌ ଭଳି ‘ସୋସିଆଲ ମିଡିଆ’ ମଞ୍ଚ ଯୋଗାଯୋଗର ଏକ ଚମତ୍କାର ମାଧୢମ ରୂପେ ଆବିର୍ଭୂତ ହୋଇଛନ୍ତି। କହିବା ବାହୁଲ୍ୟ ଯେ ‘ସୋସିଆଲ୍‌ ମିଡିଆ’ ମଞ୍ଚରେ ନିଜକୁ ଏବ˚ ନିଜର ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ସମକ୍ଷରେ ଉନ୍ମୁକ୍ତ କରି ଦେବାର ଦୁର୍ବାର ପିପାସା ଫଳରେ ହିଁ ‘ହନି ଟ୍ରାପ୍‌’ ଭଳି ପଦ୍ଧତିର ବ୍ୟବହାର ଅତ୍ୟନ୍ତ ସହଜ ହୋଇପାରୁଛି; ଏବ˚ ସୋସିଆଲ ମିଡିଆରେ ନିଜ ପରିଚୟକୁ ଗୋପନ ରଖି ଏକ ଛଦ୍ମ ପରିଚୟ ସୃଷ୍ଟିର ସୁବିଧା ଥିବାରୁ ଏହି ପଦ୍ଧତି ଅତ୍ୟନ୍ତ ସଫଳ ମଧୢ ହୋଇପାରୁଛି।

ତେବେ, କେବଳ ‘ହନି ଟ୍ରାପ୍‌’ ନୁହେଁ, ‘ଆଇ.ଏସ୍‌.ଆଇ.’ ଏଜେଣ୍ଟମାନେ ସୋସିଆଲ୍‌ ମିଡିଆକୁ କେତେ ନୂତନ ଭାବେ ବ୍ୟବହାର କରିବାର ବାଟ ଆବିଷ୍କାର କରିଛନ୍ତି, ତା’ର ପ୍ରମାଣ ଗଲା ୨୦୧୯, ନଭେମ୍ବର ମାସରେ ‘ଇକୋନୋମିକ୍‌ସ ଟାଇମ୍‌ସ’ରେ ପ୍ରକାଶିତ ଏକ ସମ୍ବାଦରୁ ମିଳିଥାଏ; ଯାହା ଅନୁସା‌ରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ସେନାବାହିନୀ କାର୍ଯ୍ୟାଳୟରୁ ସେନା କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଜାରି ଏକ ନିର୍ଦ୍ଦେଶନାମାରେ ସତର୍କ କରାଇ ଦିଆଯାଇଥିଲା ଯେ ସେମାନେ ବା ସେମାନଙ୍କ ପରିବାରର ସଦସ୍ୟମାନେ ସାମାଜିକ ଗଣମାଧୢମ ଜରିଆରେ କୌଣସି ନୂଆ ଧର୍ମଗୁରୁ ବା ‘ବାବା’ ଆଦିଙ୍କ ଅନୁଗତ ହେବାରୁ କ୍ଷାନ୍ତ ରହନ୍ତୁ। କାରଣ, ଭାରତୀୟମାନଙ୍କ ‘ବାବା ମୋହ’ ଭଳି ଦୁର୍ବଳତାର ସୁଯୋଗ ନେଇ ‘ଆଇ.ଏସ୍‌.ଆଇ.’ ଏଜେଣ୍ଟମାନେ ବାବା ରୂପରେ ଆବିର୍ଭୂତ ହେଲେଣି ଏବଂ ସେମାନଙ୍କ ଅନୁଗତ ଭକ୍ତମାନଙ୍କ ମାଧୢମରେ ସେମାନେ ଏଭଳି ଅନେକ କାର୍ଯ୍ୟ କରାଇ ନେବାକୁ ସମର୍ଥ, ଯାହା ରାଷ୍ଟ୍ର ସୁରକ୍ଷା ପ୍ରତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ସ˚ଘଟିତ ବୈପ୍ଳବିକ ବିକାଶ ଦ୍ବାରା ବୈଦ୍ୟୁତିକ ବେଗରେ ସ˚ପର୍କ ସ୍ଥାପନ, ବାର୍ତ୍ତା ବା ଫଟୋ ଅଥବା ଭିଡିଓ ପ୍ରେରଣ ସମ୍ଭବ ହୋଇପାରିଛି। ତେଣୁ, ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ ହ୍ବାଟ୍‌ସଆପ୍‌, ଟେଲିଗ୍ରାମ, ସ୍କାଇପ୍‌, ଟିକ୍‌ଟକ୍‌ ଏବ˚ ୟୁଟ୍ୟୁବ୍‌ର ବ୍ୟବହାର କ୍ଷେତ୍ରରେ ସ˚ଯମ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯିବାରେ ବିସ୍ମିତ ହେବାର କୌଣସି କାରଣ ନାହିଁ।

ଏହି ସ˚ଦର୍ଭରେ ଆଉ ଏକ ଦୁର୍ଲଭ ଉଦାହରଣ ଦେଖିବାକୁ ମିଳିଛି ଗଲା ମେ ମାସରେ। ଏହି ଘଟଣାରେ ମଧୢପ୍ରଦେଶର ‘ମୋଓ ମିଲିଟାରି ଟାଉନ୍‌ସିପ୍‌’ରେ ବାସ କରୁଥିବା ଦୁଇ ଭଗିନୀ ରାଷ୍ଟ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଭଳି ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଫଟୋ ଓ ଭିଡିଓ ‘ଆଇ.ଏସ୍‌.ଆଇ.’ ଏଜେଣ୍ଟକୁ ପ୍ରଦାନ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜଣାପଡ଼ିଛି ଯେ ଦୁଇଜଣ ‘ଆଇ.ଏସ୍‌.ଆଇ.’ ଏଜେଣ୍ଟ ଏକ ଅନ୍‌ଲାଇନ୍‌ ବୈବାହିକ (ମାଟ୍ରିମୋନି) ସାଇଟ୍‌ରେ ଏହି ଭଉଣୀ ଦ୍ବୟଙ୍କ ବରପାତ୍ର ଅନ୍ବେଷଣ ବିଜ୍ଞାପନ ଦେଖି ନିଜକୁ ଜଣେ ଜଣେ ସୁଯୋଗ୍ୟ ପ୍ରାର୍ଥୀ ରୂପେ ଉପସ୍ଥାପନ କରିଥିଲେ ଏବ˚ ସେମାନଙ୍କ ବିଶ୍ବାସ ଓ ହୃଦୟ ଜିଣି ନେଇ ସେମାନଙ୍କ ଜରିଆରେ ଲକ୍ଷ୍ୟ ହାସଲ କରିପାରିଥିଲେ। ପ୍ରକାଶ ଥାଉ କି ଗଲା ଦୁଇ ମାସ ମଧୢରେ ପାକିସ୍ତାନ ଲାଗି ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଆଉ ତିନି ଜଣ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ହିଁ ‘ଆଇ.ଏସ୍‌.ଆଇ.’ ଏଜେଣ୍ଟଙ୍କ ଥୋପରେ ପଡ଼ିଥିଲେ।

ଚାନ୍ଦିପୁର ପ୍ରସଙ୍ଗରେ ଏଭଳି ଏକ ମତ ମଧ୍ୟ ପ୍ରକାଶ ପାଇଥାଏ ଯେ ଡି.ଆର‌୍‌.ଡି.ଓ. ଭଳି ରାଷ୍ଟ୍ରର ସୁରକ୍ଷା ତଥା ପ୍ରତିରକ୍ଷା ଦୃଷ୍ଟିରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରତିଷ୍ଠାନରେ ‘ଠିକା କର୍ମଚାରୀ’ଙ୍କ ନିଯୁକ୍ତି (ଦାୟିତ୍ବ ଯେତେ ଗୌଣ ହେଲେ ମଧୢ) ଅପରିଣାମଦର୍ଶିତାର ପରିଚାୟକ। ସେମାନେ କହିଥାଆନ୍ତି ଯେ ଏଭଳି କର୍ମଚାରୀମାନଙ୍କ ଚାକିରିର ‘ଅସ୍ଥାୟିତ୍ବ’ କାରଣରୁ ସେମାନେ ଅନେକ ସ୍ଥଳରେ ନିଜ ଅନୁଷ୍ଠାନ ପ୍ରତି ଐକାନ୍ତିକ ଆନୁଗତ୍ୟ ପ୍ରଦର୍ଶନ କରି ନ ଥାଆନ୍ତି। ଯଦିଓ, ଏହା ସର୍ବଦା ଏବ˚ ସମସ୍ତଙ୍କ ଲାଗି ପ୍ରଯୁଜ୍ୟ ନୁହେ, ତେବେ, ଏଭଳି ଏକ ଧାରଣାକୁ ମଧୢ ନଜରଅନ୍ଦାଜ କରାଯାଇ ନ ପାରେ। ଏମାନଙ୍କ ପୂର୍ବରୁ ଏହି ଚାନ୍ଦିପୁରରେ ଠିକା ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଜନୈକ ଯୁବକ ଗୁପ୍ତଚର କାର୍ଯ୍ୟକଳାପ ଲାଗି ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାବାସ ଭୋଗୁଛନ୍ତି। କେବଳ ସେତିକି ନୁହେଁ, ଏହା ସହିତ ଆଉ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆମ ଅସ୍ଥିମଜ୍ଜାକୁ ଭେଦ କରି ଯାଇଥିବା ଭଳି ଦୁର୍ନୀତିର ଉପସ୍ଥିତି; ଯହିଁରେ ଅସତ୍‌ ଉପାୟରେ ଏବ˚ ସହଜରେ ଅର୍ଥ ଉପାର୍ଜନର ଲକ୍ଷ୍ୟ ଏଭଳି ଦୁର୍ବାର ହୋଇପଡ଼େ ଯେ ସେଥି ଲାଗି କ’ଣ ଜଳାଞ୍ଜଳି ଦେବାକୁ ପଡୁଛି ବା କିଭଳି ବିଡ଼ମ୍ବନାପୂର୍ଣ୍ଣ ସନ୍ଧିମାନ କରିବାକୁ ପଡୁଛି, ତା’ର ବିବେଚନା ମୂଲ୍ୟହୀନ ହୋଇଯାଏ। ଚାନ୍ଦିପୁର ଗୁପ୍ତଚର କାର୍ଯ୍ୟକଳାପରେ ଅଭିଯୁକ୍ତମାନଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି।

୨୦୨୦ ମସିହାରେ ଲେଖକ-ସାମ୍ବାଦିକ ତଥା ବି.ବି.ସି.ର ପ୍ରତିରକ୍ଷା ବିଷୟ ସ˚ପାଦକ ଗର୍ଡନ କରେରାଙ୍କ ଦ୍ବାରା ଲିଖିତ ଏକ ପୁସ୍ତକ ‘ରସିଆନ୍‌ସ ଏମଙ୍ଗ ଅସ୍‌’ ପ୍ରକାଶିତ ହୋଇ ପ୍ରଚୁର ପାଠକୀୟ ଆଦୃତି ଲାଭ କରିଛି। ସେହି ପୁସ୍ତକରେ ବର୍ଣ୍ଣିତ ରହିଛି କିଭଳି ସୋଭିଏତ୍‌ ରୁଷିଆ ଅମଳରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଛଦ୍ମ ଆମେରିକୀୟ ପରିଚୟ ବହନ କରିଥିବା ଅନେକ ରୁଷୀୟ ଦଶନ୍ଧି ଦଶନ୍ଧି ଧରି ‘ସ୍ଲିପର ସେଲ୍‌’ ଭାବେ ରହି ଅନ୍ୟାନ୍ୟ ଆମେରିକୀୟ ନାଗରିକଙ୍କ ଭଳି ସେମାନଙ୍କ ‘ସୁବର୍ଣ୍ଣ ଆମେରିକୀୟ ସ୍ବପ୍ନ’ ଚରିତାର୍ଥ କରୁଥିବା ସହିତ ଏଣେ ରୁଷିଆ ଲାଗି ଗୁପ୍ତଚର କାର୍ଯ୍ୟରେ ମଧ୍ୟ ଲିପ୍ତ ରହି ଆସିଛନ୍ତି। ଏପରିକି ଆମେରିକାରେ ଜନ୍ମିତ ଓ ପ୍ରତିପାଳିତ ସେମାନଙ୍କ ସନ୍ତାନମାନେ ଆମେରିକାକୁ ମାତୃଭୂମି ଭାବେ ମଣି ଆସିଥିବା ବେଳେ ଜାଣି ନ ଥାଆନ୍ତି ଯେ ସେମାନଙ୍କ ପିତା ବା ମାତା ଅଥବା ଉଭୟ ଏଭଳି ବିଶ୍ବାସଘାତକତାରେ ମଗ୍ନ। ସେହି ଦୃଷ୍ଟିରୁ ପ୍ରାୟ ଅନୁରୂପ ଘଟଣାଟି ଘଟିଛି ଚାନ୍ଦିପୁରରେ, ଯେଉଁଠି ପରିଚିତମାନଙ୍କ ମଧୢରେ ଏଭଳି ଜଘନ୍ୟ ବିଶ୍ବାସଘାତକମାନେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ଏମାନଙ୍କ ଲାଗି ଅତ୍ୟନ୍ତ କଠୋର ଦଣ୍ତ ବିଧାନ କରାଯିବା ନିହାତି ଜରୁରୀ। କିନ୍ତୁ ଏହି ସ˚ଦର୍ଭରେ ଏଭଳି ପ୍ରଶ୍ନ ମଧୢ ଉଠିଥାଏ ଯେ ଯଦି ଅତ୍ୟନ୍ତ ଅଳୀକ ପ୍ରଲୋଭନ ଆମ ମଧୢରୁ କାହା କାହାର ବିବେକକୁ ଶୁଆଇ ଦେଇ ସେମାନଙ୍କୁ ଗୋଟିଏ ଗୋଟିଏ ବିଶ୍ବାସଘାତକ ‘ସୁପ୍ତ ବ୍ୟାଟେରି’ରେ ପରିଣତ କରିଦେଇ ପାରୁଛି, ତେବେ କ’ଣ କୌଣସି ଦଣ୍ତ ପର୍ଯ୍ୟାପ୍ତ?

ସମ୍ବନ୍ଧିତ ଖବର