ବିବର୍ଣ୍ଣ ବାସ୍ତବତା

ପିଲା ବେଳେ କୌଣସି ଏକ ଦେଶ ବା ରାଜ୍ୟର ରଙ୍ଗିନ ମାନଚିତ୍ର ଯେତେ ମନୋହର ଲାଗିଥାଏ, ବଡ଼ ହୋଇଗଲା ପରେ ଭୂମି ଉପର ସ୍ଥିତି ସହିତ ପରିଚିତ ହୁଅନ୍ତେ ହଠାତ୍‌ ହୃଦ୍‌ବୋଧ ହୋଇଥାଏ ଯେ ବାସ୍ତବତାଟି ଏତେ ରଙ୍ଗିନ ନୁହେଁ; ଆଟ୍‌ଲାସର ମାନଚିତ୍ରରେ ସରୁ ଅଥଚ ସ୍ପଷ୍ଟ କଳା ଗାର ଦ୍ବାରା ଚିହ୍ନିତ ସୀମାରେଖାଗୁଡ଼ିକ ମଧୢରୁ ଅସଲରେ ଅନେକ ‘ଧୂସର’ ଏବ˚ ଅସ୍ପଷ୍ଟ। ସେଥି ଲାଗି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହେଉ ବା ଆସାମ ଓ ମିଜୋରାମ ଅଥବା ଆସାମ ଏବଂ ନା‌ଗାଲାଣ୍ଡ ମଧୢରେ ସୀମା ବିବାଦ ଲାଗି ରହିଛି ଯାହା ସମୟାନ୍ତରେ ବେଳେ ବେଳେ ଉତ୍କଟ ରୂପ ଧାରଣ କରିବା ସହିତ କେତେବେଳେ ଅଦାଲତୀ ହସ୍ତକ୍ଷେପ ଲୋଡୁଛି ତ କେତେବେଳେ ରାଜନୈତିକ ହଟଚମଟ ସୃଷ୍ଟି କରୁଛି ଅଥବା ଅତି ବିମର୍ଷକର ଭାବେ ରକ୍ତପାତ ମଧୢ ଘଟାଉଛି। ସୁତରାଂ, ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏବ˚ ଆନ୍ଧ୍ରପ୍ରଦେଶ ମଧୢରେ ଅନେକ ବର୍ଷ ଧରି ରହି ଆସିଥିବା ତଥା ନିକଟରେ ଘନୀଭୂତ ହୋଇଥିବା ସୀମା ବିବାଦ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଇତିହାସ ଉପରେ ଦୃଷ୍ଟି ନିକ୍ଷେପ କ‌େଲ ହୃଦୟଙ୍ଗମ କରି ହୋଇଥାଏ ଯେ ଓଡ଼ିଶା ଏଭଳି ଏକ ବିବାଦରେ ଛନ୍ଦି ହୋଇପଡ଼ିବା ଏକ ପ୍ରକାରର ଭାଗ୍ୟ ସମ୍ଭୁତ; ଯାହା ଏକ ବ୍ରିଟିସ୍‌ ଶାସନାଧୀନ ଭାରତରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଅଙ୍କିତ ହୋଇଯିବା ସହିତ ବୋଧହୁଏ ଅନିବାର୍ଯ୍ୟ ଥିଲା। ଓଡ଼ିଶାକୁ ଲାଗି ରହିଥିବା ପ୍ରଦେଶଗୁଡ଼ିକ ପରବର୍ତ୍ତୀ କାଳରେ ଏଥିରେ ସନ୍ତୁଷ୍ଟ ନ ହୋଇ ଯେ ଆପତ୍ତି ଉଠାଇବେ, ତାହା ପ୍ରମାଣିତ ହୋଇଯାଇଥିଲା ଯେତେବେଳେ ୧୯୪୨ ମସିହାରେ ତତ୍କାଳୀନ ମାଡ୍ରାସ୍‌ ଗଭର୍ନମେଣ୍ଟ ଏହି ସୀମା ବିରୋଧରେ ପ୍ରତିବାଦ ଜଣାଇ ପୁନର୍ବାର ସୀମା ଅଙ୍କନ ଲାଗି ଏକ ଆଦେଶ ଜାରି କରିଥିଲେ। ସେହି ସମୟରେ ଓଡ଼ିଶା, ବିହାର ଏବଂ ମଧ୍ୟପ୍ର‌େଦଶ ଦ୍ବାରା ଏକ ମିଳିତ ସର୍ଭେ କରାଯାଇ ବର୍ତ୍ତମାନ ବିବାଦର ମଞ୍ଜି ହୋଇପଡ଼ିଥିବା କୋଟିଆ ପଞ୍ଚାୟତର ସାତଟି ଗ୍ରାମକୁ ଓଡ଼ିଶାର ରାଜସ୍ବ ଗ୍ରାମ ଭାବେ ରେକର୍ଡଭୁକ୍ତ କରାଯାଇଥିଲା, କିନ୍ତୁ ଅଗତ୍ୟା ସେହି ପଞ୍ଚାୟତର ୨୧ଟି ଗ୍ରାମ ସର୍ଭେ ପରିସର ବାହାରେ ରହିଯାଇଥିଲେ। ଏହା ପରେ ଅର୍ଥାତ୍‌ ୧୯୫୫ ମସିହାରେ ଆନ୍ଧ୍ର ରାଜ୍ୟ ଗଠନ ସମୟରେ ମଧୢ ସେହି ସବୁ ଗ୍ରାମ ଆନ୍ଧ୍ର ଦ୍ବାରା ସର୍ଭେ ପରିସରଭୁକ୍ତ ହେଲେ ନାହିଁ। କହିବା ବାହୁଲ୍ୟ ଯେ ଏହି ଐତିହାସିକ ଅବହେଳା କାରଣରୁ ଏହି ଗ୍ରାମଗୁଡ଼ିକର ମାଲିକାନା ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି: ଯାହା ଫଳରେ ଓଡ଼ିଶା ସରକାର ଅଦାଲତର ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଥିବା ବେଳେ ଆନ୍ଧ୍ରର ରାଜନେତା ଓ ସରକାରୀ ଅଧିକାରୀ ଆଇନକୁ ହାତକୁ ନେଉଥିବା ଦୃଷ୍ଟିଗୋଚର ହେଉଛି। ପ୍ରକାଶ ଥାଉ କି ସୀମା ବିବାଦ ପରିପ୍ରେକ୍ଷୀରେ ଏହାର ସମାଧାନ ଲାଗି ଓଡ଼ିଶା ସରକାର ଅଷ୍ଟମ ଦଶକରେ ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇଥିଲେ, ଯହିଁରେ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି ରହିବାର ରାୟ ମିଳିଥିଲା। ପରେ ୨୦୦୬ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ସ୍ଥିତାବସ୍ଥାକୁ କାଏମ ରଖିଥିଲେ। ତେଣୁ ଏଭଳି ଏକ ସ୍ଥିତିରେ ଗଲା ଫେବ୍ରୁଆରି ମାସରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା କୋଟିଆରେ ପଞ୍ଚାୟତ ନିର୍ବାଚନର ଘୋଷଣା ସ୍ବାଭାବିକ ଭାବେ ଓଡ଼ିଶା ସରକାରଙ୍କ ଦ୍ବାରା କଦାପି ଗ୍ରହଣୀୟ ହୁଅନ୍ତା ନାହିଁ। ତେଣୁ, ରାଜ୍ୟ ସରକାର ପୁନର୍ବାର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। କିନ୍ତୁ ବିଡ଼ମ୍ବନା ହେଲା ଅଦାଲତଙ୍କୁ ଭ୍ରୂକ୍ଷେପ ନ କରିଆନ୍ଧ୍ର ସରକାର କୋଟିଆର ଗୋଟିଏ ଗାଁରେ ପଞ୍ଚାୟତ ନିର୍ବାଚନ କରିଥିବା ସ୍ଥଳେ ଓଡ଼ିଶା ସରକାରଙ୍କ ଆବେଦନ ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଗଲା ଅଗଷ୍ଟ ମାସରେ ଏକ ପରାମର୍ଶ ଦେଇ କହିଛନ୍ତି ଯେ ଏହାର ସମାଧାନ ଉଭୟ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା ଜରିଆରେ ହେବା ଉଚିତ। ତେବେ, ଏହି ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଦ୍ବି-ପାକ୍ଷିକ ଆଲୋଚନା ବା ରାଜନୈତିକ ସମାଧାନ ଜରିଆରେ ଏଭଳି ସ୍ପର୍ଶକାତର ବିବାଦଗୁଡ଼ିକର ଅବସାନ ଘଟିବା ସମ୍ଭବପର କି?

ଏହି ପ୍ରସଙ୍ଗରେ ଗଲା ଜୁଲାଇ ୨୬ ତାରିଖ ଦିନ ଆସାମ ଓ ମିଜୋରାମ ପୁଲିସ୍‌ ମଧୢରେ ସ˚ଘଟିତ ରକ୍ତାକ୍ତ ସ˚ଘର୍ଷ ବିଷୟଟି ପ୍ରଣିଧାନଯୋଗ୍ୟ, ଯହିଁରେ ଆସାମ ପୁଲିସ୍‌ର ପାଞ୍ଚ ଜଣଙ୍କ ପ୍ରାଣହାନି ଘଟିଥିଲା। ସୂଚନାଯୋଗ୍ୟ ଯେ ମିଜୋରାମ ରାଜ୍ୟ ଗଠନ ସମୟରୁ ହିଁ ଆସାମ ଓ ମିଜୋରାମ ମଧୢରେ ସୀମା ବିବାଦ ରହି ଆସିଛି। ତେବେ ନିକଟରେ ଘଟିଥିବା ଅଘଟଣରେ ପରିଲକ୍ଷିତ ଅସଂଗତିଟି ହେଲା ଆସାମରେ ବିଜେପି ନେତୃତ୍ବାଧୀନ ସରକାର ଥିବା ବେଳେ ମିଜୋରାମରେ ବିଜେପିର ଏକ ମିତ୍ର ଦଳ ‘ମିଜୋ ନେସନାଲ ଫ୍ରଣ୍ଟ୍‌’ର ସରକାର କ୍ଷମତାସୀନ। ତେବେ ଏହାର ରାଜନୈତିକ ସମାଧାନ ହୋଇପାରୁନାହିଁ କାହିଁକି? କାରଣ ରାଜ୍ୟ ଦ୍ବୟର ଜନସାଧାରଣଙ୍କ ଭାବାବେଗ ସହିତ ଗଭୀର ଭାବେ ଜଡ଼ିତ ଏଭଳି ସମସ୍ୟାର ଆପୋସ ରାଜନୈତିକ ସମାଧାନର ଉଦ୍ୟମ କରିବା ଅର୍ଥ ଭୋଟ ରାଜନୀତିରେ ଶାସକ ଦଳ ସକାଶେ ଏକ ରାଜନୈତିକ ‘ହାରାକିରି’କୁ ଆମନ୍ତ୍ରଣ କରିବା। ସୁତରା˚, ଏଥି ଲାଗି କେବଳ ଦୁଇଟି ମାର୍ଗ ଉନ୍ମୁକ୍ତ; ଗୋଟିଏ ହେଉଛି ଅଦାଲତୀ ସମାଧାନ ଯାହାକୁ ଉଭୟ ପକ୍ଷ ସମ୍ମାନ ପ୍ରଦର୍ଶନ କରିବେ ଏବଂ ଅନ୍ୟଟି ସ˚ସଦ ଦ୍ବାରା ସମାଧାନର ଉଦ୍ୟମ। ୨୦୦୬ ମସିହାରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଏହା ସ୍ପଷ୍ଟ କରିଥିଲେ ଯେ ଏହାର ସମାଧାନ ଅଦାଲତର କ୍ଷମତା ବହିର୍ଭୂତ ହୋଇ ଥିବାରୁ ସ˚ସଦ ଦ୍ବାରା ସମାଧାନର ସୂତ୍ର ନିର୍ଦ୍ଧାରଣ କରାଯିବା ଶ୍ରେୟସ୍କର।

କିନ୍ତୁ ଏହାର ଅର୍ଥ ଏହା ମଧ୍ୟ ନୁହେଁ ଯେ ଏହାର ସମାଧାନ ଦିଗରେ ରାଜ୍ୟଗୁଡ଼ିକ ନିଜ ପକ୍ଷରୁ ପ୍ରୟାସ କରିବେ ନାହିଁ। ଏ ନେଇ ଓଡ଼ିଶା ସରକାର ମଧୢ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥି ଲାଗି ଏକ ଗୃହ କମିଟି ଗଠନ କରାଯାଇଛି, ଯାହାର ବୈଠକ ୨୦୨୧ ଜାନୁଆରି ମାସରେ ବସିଥିଲା। କିନ୍ତୁ ସେହି କମିଟିରେ ସ୍ଥିର କରାଯାଇଥିବା ଭଳି ସଦସ୍ୟମାନଙ୍କ କୋଟିଆ ପଞ୍ଚାୟତ ଗସ୍ତ ଓ ସ୍ଥିତି ସମୀକ୍ଷା ଇତ୍ୟାଦି କାର୍ଯ୍ୟ ଦୀର୍ଘ ନଅ ମାସ ପରେ ମଧ୍ୟ ଆରମ୍ଭ ହୋଇପାରିନାହିଁ। ଅବଶ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ସେହି ସବୁ ଗ୍ରାମରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି; କିନ୍ତୁ କଥା ହେଲା ଆନ୍ଧ୍ର ପକ୍ଷରୁ ମଧ୍ୟ ସମତୁଲ ଉଦ୍ୟମ ହେଉଛି। ତା’ ଛଡ଼ା ଆମ ରାଜ୍ୟରେ ଏଭଳି ଏକ ଧାରଣା ଦୃଢ଼ମୂଳ ହେଉଛି ଯେ ସରକାର ଏହାର ଦାୟିତ୍ବ ଜିଲ୍ଲା ପ୍ରଶାସନ ଉପରେ ସମର୍ପି ଦେଇଛନ୍ତି; କାରଣ ସେଠାରେ ରାଜ୍ୟ ନେତୃତ୍ବର ଏକ ପ୍ରଭାବଶାଳୀ ଉପସ୍ଥିତି ଦେଖିବାକୁ ମିଳୁନାହିଁ। ଯଦିଓ ଏହା ସତ ଯେ ରାଜ୍ୟକୁ ଶାସନ କରିଆସିଥିବା ସମସ୍ତ ସରକାର ଏହି ପ୍ରସଙ୍ଗରେ ଅବହେଳା ଓ ଦୀର୍ଘସୂତ୍ରୀ ଆଭିମୁଖ୍ୟ ପୋଷଣ କରିଛନ୍ତି, କିନ୍ତୁ ସଂପ୍ରତି ଦୃଶ୍ୟମାନ ହୋଇଥିବା ବିବାଦର ତୀବ୍ରତା ଦୃଷ୍ଟିରୁ ବର୍ତ୍ତମାନର ସରକାରଙ୍କ ପଦକ୍ଷେପ ଯେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏହା କହିବା ବାହୁଲ୍ୟ ମାତ୍ର।

ସମସ୍ତ ଆନ୍ତର୍ପ୍ରାଦେଶିକ ସୀମା ବିବାଦର ତୁରନ୍ତ ସମାଧାନ ଅଭାବରେ ତାହା ଯେ କ୍ରମେ ଅଧିକ ଜଟିଳ ଓ ଉତ୍କଟ ହୋଇ ରାଷ୍ଟ୍ରର ସ˚ଘୀୟ ବ୍ୟବସ୍ଥା ଓ ଭାରସାମ୍ୟ ପ୍ରତି ବିପଦ ସୃଷ୍ଟି କରିବ, ଏହା ନିଃସନ୍ଦେହ। ଜମି ବିବାଦରୁ ସୃଷ୍ଟ ଭ୍ରାତୃ କନ୍ଦଳ କିଭଳି ପରିବାରଗୁଡ଼ିକୁ ବିଧ୍ବସ୍ତ କରି ପକାଏ, ତାହାର ଦୃଷ୍ଟାନ୍ତ ଅସୁମାରି। ରାଷ୍ଟ୍ର ପ୍ରସଙ୍ଗରେ ମଧୢ ତାହା ପ୍ରଯୁଜ୍ୟ, ଯେଉଁ କାରଣରୁ ଏଭଳି ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର ଏକ ଅତ୍ୟନ୍ତ କ୍ରିୟାଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ପୁଣି ମନେ ରଖିବାକୁ ହେବ ଯେ ଦୁଇଟି ରାଜ୍ୟ ମଧୢରେ ସୀମା ରେଖା ଟାଣିବା ଏକ ନିଃସ୍ପୃହ ପ୍ରାଶାସନିକ କସରତ ମାତ୍ର ନୁହେଁ; ଭାଷା, ସ˚ସ୍କୃତି ଓ ପର˚ପରା ଭଳି ଅନେକ ବିଭାବ ଏହା ସହିତ ସଂଶ୍ଳିଷ୍ଟ ହୋଇ ରହିଥାଏ। କହିବା ବାହୁଲ୍ୟ ଯେ ଗୋଟିଏ ଗୋଟିଏ ମନ୍ଦିରର ଉପସ୍ଥିତି ମଧ୍ୟ ସୀମା ବିବାଦର ମଞ୍ଜି ହୋଇପାରେ (ଉଦାହରଣ ସ୍ବରୂପ ଆନ୍ଧ୍ରର ଚିତୁର ଜିଲ୍ଲାର ଶତାବ୍ଦୀ ପ୍ରାଚୀନ ‘ଅରୁଲମିଘୁ କନକନଚ୍ୟାମନ କୋଭିଲ’ ମନ୍ଦିରକୁ ନେଇ ତାମିଲନାଡୁ ସହ ବିବାଦ)। କୋଟିଆ ପଞ୍ଚାୟତର ବିବାଦାସ୍ପଦ ଗ୍ରାମଗୁଡ଼ିକର ବାସିନ୍ଦାମାନେ ଏକ ବିଚିତ୍ର ସ୍ଥିତିରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଧାନସଭା ଓ ଲୋକସଭା ଲାଗି ଭୋଟ ଦିଅନ୍ତି ଏବଂ ଉଭୟ ସରକାରଙ୍କ ଠାରୁ ସରକାରୀ ଅନୁଦାନ ଲାଭ କରିଥାଆନ୍ତି। ଏଭଳି ଏକ ସ୍ଥିତିର ପରିସମାପ୍ତି ଲାଗି ଏକ ସଂସଦୀୟ ଉଦ୍ୟମ ଯେ ନିତାନ୍ତ ଆବଶ୍ୟକ ସେଥି‌େର ଦ୍ବିରୁକ୍ତି ନାହିଁ।

ଭୂମି ଉପରେ କଳ୍ପନାର କଳା ଗାର ଟାଣି କାଗଜରେ ରଙ୍ଗିନ ମାନଚିତ୍ର ଅଙ୍କନ କରି ଦିଆଯାଇପାରେ, କିନ୍ତୁ ବିବର୍ଣ୍ଣ ବାସ୍ତବତାକୁ ଦୂର କରାଯିବା ସମ୍ଭବ ହୋଇ ନ ଥାଏ। ଏହାକୁ ଦୂର କରିବାକୁ ହେଲେ ଭାରତ ଭଳି ରାଷ୍ଟ୍ରରେ ଯାହା ଲୋଡ଼ା, ତାହା ହେଉଛି ସଂପୃକ୍ତ ରାଜ୍ୟଗୁଡ଼ିକ ପକ୍ଷରୁ ଏକ ପ୍ରଶସ୍ତ ହୃଦୟବତ୍ତାର ପ୍ରଦର୍ଶନ ସହିତ ନ୍ୟାୟାଳୟ, ସଂବିଧାନ ଓ ସଂସଦ ପ୍ରତି ଅତୁଟ ସମ୍ମାନର ପ୍ରତିଶ୍ରୁତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଐକାନ୍ତିକ ନିଷ୍ଠା।

ସମ୍ବନ୍ଧିତ ଖବର