ଦେବ-ଦାନବ

ପୃଥିବୀର ସର୍ବାଧିକ ଧନୀକ ଜେଫ୍‌ ବେଜସ୍‌ (‘ଆମାଜନ୍‌’, ‘ବ୍ଲୁ ଅରିଜିନ୍‌’ ଆଦି କମ୍ପାନିମାନଙ୍କର ମାଲିକ) ହେଉଛନ୍ତି ଜଣାଶୁଣା ଭାବରେ ଜଣେ ଭୋଗୀ। ଗୌତମ ବୁଦ୍ଧଙ୍କ ଭାଷାରେ ବେଜସ୍‌ଙ୍କ କାମନାର ଅନ୍ତ ନାହିଁ। ଏହାର ପ୍ରମାଣ ସ୍ବରୂପ ନିକଟରେ ସେ ନିଜର ସଉକ ପୂରଣ କରିବା ପାଇଁ ସ୍ବଳ୍ପ ସମୟ ପାଇଁ ଏକ ସୌଖୀନ୍‌ ମହାକାଶ ଯାତ୍ରୀରେ ପରିଣତ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। କିନ୍ତୁ ମହାକାଶର ସୀମା ସ୍ପର୍ଶ କରିବାରେ ତାଙ୍କର ଅନ୍ତହୀନ କାମନାର ଅନ୍ତ ଘଟି ନାହିଁ। ଏବେ ସେ ତାଙ୍କର ନୂତନ କାମନା ସମ୍ବନ୍ଧରେ ଯାହା ସୂଚନା ଦେଇଛନ୍ତି, ତାହା ହେଲା- ସେ ଅମରତ୍ବ ଲାଭ କରିବାକୁ ଚାହାନ୍ତି। କେବଳ ଚାହାନ୍ତି ନାହିଁ, ତାଙ୍କ ପରି ସମଭାବାପନ୍ନ ଆଉ ଦୁଇ ଜଣ ବିଲିଅନେଆର‌୍‌ଙ୍କ ସହିତ ଏକାଠି ହୋଇ ସେ ଏହାର କୌଶଳ ଆବିଷ୍କାର କରିବା ଉଦ୍ଦେଶ୍ୟରେ କାଲିଫର୍ନିଆରେ ‘ଆଲଟସ୍‌ ଲାବ୍‌ସ’ ନାମକ ଏକ ଗବେଷଣାଗାର ପ୍ରତିଷ୍ଠାରେ ପୃଷ୍ଠପୋଷକ ସାଜିଛନ୍ତି।

ବେଜସ୍‌ଙ୍କ ପରି ବିଳାସ ଉପାସକମାନଙ୍କର ଅମରତ୍ବ ଲାଭର କାମନାରେ କେବଳ ଯେ ଏକ ଅନ୍ତର୍ନିହିତ ବିଡ଼ମ୍ବନା ରହିଥାଏ, ତାହା ନୁହେଁ, ଏହା ସମସ୍ୟାମୁକ୍ତ ମଧୢ ନୁହେଁ। ଭାରତର ଚାର୍ବାକ୍‌ଙ୍କ ବ୍ୟତୀତ ବିଳାସକୁ ଜୀବନ ଦର୍ଶନରେ ପରିଣତ କରିବା ପାଇଁ ଅନ୍ୟ ଯେଉଁ ପ୍ରାଚୀନ ଦାର୍ଶନିକ ପ୍ରସିଦ୍ଧ ଥିଲେ, ସେ ହେଉଛନ୍ତି ଖ୍ରୀ:ପୂ. ଚତୁର୍ଥ ଶତାବ୍ଦୀର ଗ୍ରୀକ୍‌ ଦାର୍ଶନିକ ଏପିକ୍ୟୁରସ୍‌। ଏପିକ୍ୟୁରସ୍‌ଙ୍କ ଦର୍ଶନ ଅନୁସାରେ ବିଳାସ ହେଉଛି ଜୀବନର ପ୍ରଧାନ ଆଭିମୁଖ୍ୟ। ସେ ତେଣୁ କହୁଥିଲେ ଜଣେ ବ୍ୟକ୍ତି ଏପରି ପ୍ରକାରେ ତା’ର ଜୀବନ ବିତାଇବା ଉଚିତ, ଯେପରି ସେ ତା’ର ଜୀବନ କାଳରେ ସର୍ବାଧିକ ସମ୍ଭବ ସୁଖ ଉପଭୋଗ କରିପାରିବ। ସେ କିନ୍ତୁ ଅନାବଶ୍ୟକ ଓ କୃତ୍ରିମ ଭାବରେ ଜାତ ହେଉଥିବା କାମନା ସବୁକୁ ଦମନ କରିବା ପାଇଁ ଆହ୍ବାନ ଦେଇଥିଲେ। ଅମରତ୍ବ ଲାଭ ପାଇଁ ବେଜସ୍‌ଙ୍କ କାମନା ଏକ ଆବଶ୍ୟକ କାମନା ତଥା ପ୍ରାକୃତିକ କାମନା କି ନୁହେଁ, ଯେ କୌଣସି ସାଧାରଣ ପର୍ଯ୍ୟବେକ୍ଷକ ଏହାର ଉତ୍ତର ସହଜରେ ଦେଇ ପାରିବେ: ଜନ୍ମ ଥିଲେ ମୃତ୍ୟୁ ନିଶ୍ଚିତ (‘ମର୍ତ୍ତ୍ୟ ମଣ୍ତଳେ ଦେହ ବହି, ଦେବତା ହେଲେ ବି ମରଇ।) ଏବ˚ ନୂତନ ଜନ୍ମ ପାଇଁ ସ୍ଥାନ ସୃଷ୍ଟି କରିବା ପାଇଁ ମୃତ୍ୟୁ ଆବଶ୍ୟକ।

ତେବେ ଖୋଦ୍‌ ଏପିକ୍ୟୁରସ୍‌ଙ୍କ ଠାରୁ ହିଁ ଏହାର ଉତ୍ତର ମଧୢ ମିଳିଥାଏ। ଅମରତ୍ବ ଲାଭ ଇଚ୍ଛା ପଛରେ ବେଜସ୍‌ଙ୍କର ଯେଉଁ ଏକ ଭାବନା ଅବିଚ୍ଛିନ୍ନ ଭାବରେ ଯୋଡ଼ି ହୋଇ ରହିଛି, ତାହା ନିଶ୍ଚିତ ରୂପେ ହେଉଛି ମୃତ୍ୟୁ ପ୍ରତି ଭୟ। ଏପିକ୍ୟୁରସ୍‌ ଯେଉଁ ଭୋଗ ବିଳାସକୁ ମନୁଷ୍ୟର ମୁଖ୍ୟ ଲକ୍ଷ୍ୟ ରୂପେ ପ୍ରଦର୍ଶିତ କରିଥିଲେ, ତାହା ତା’ର ଜୀବନ କାଳ ମଧୢରେ ହିଁ ସୀମିତ ଥିଲା, ମୃତ୍ୟୁ ତାଙ୍କ ପାଇଁ ଅପ୍ରାସଙ୍ଗିକ ଥିଲା। (ଚାର୍ବାକ୍‌ କହିଥିବା ଭଳି: ‘‘ଯାବଜ୍ଜୀବେତ୍‌ ସୁଖ˚ ଜୀବେତ୍‌ ଋଣ˚ କୃତ୍ବା ଘୃତ˚ ପିବେତ୍‌। ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନ˚ କୁତଃ।।’’) ଖ୍ରୀ.ପୂ ଷଷ୍ଠ ଶତାବ୍ଦୀର ଏହି ଭାରତୀୟ ଦାର୍ଶନିକଙ୍କୁ ଅନୁସରଣ କଲା ଭଳି ଏପିକ୍ୟୁରସ୍‌ ଦୃଢ଼ ମତ ପୋଷଣ କରୁଥିଲେ ଯେ ଆମେ ମୃତ୍ୟୁକୁ ଆଦୌ ଭୟ କରିବା ଉଚିତ ନୁହେଁ, କାରଣ ‘‘ଯେତେବେଳେ ଆମେ ଥାଉ, ସେତେବେଳେ ମୃତ୍ୟୁ ନ ଥାଏ; ଆଉ ମୃତ୍ୟୁ ଯେତେବେଳେ ଆସିଥାଏ, ସେତେବେଳେ ଆ‌େମ ନ ଥାଉ।’’ ଅତଏବ ଜେଫ୍‌ ବେଜସ୍‌ଙ୍କ ପରି ଏପିକ୍ୟୁରସ୍‌ଙ୍କର ଜଣେ ପ୍ରସିଦ୍ଧ ଅନୁଗାମୀ ମୃତ୍ୟୁକୁ ଭୟ କରି ଅମରତ୍ବ ସନ୍ଧାନରେ ବାହାରି ପଡ଼ିବା ଏକ ସ୍ପଷ୍ଟ ବିଡ଼ମ୍ବନା ନୁହେଁ କି?

ଏବ˚ ବେଜସ୍‌ ଓ ତାଙ୍କର ବନ୍ଧୁମାନଙ୍କର ଏହି ଉଦ୍ୟମ ଯଦି ଫଳବତୀ ହୁଏ ଏବ˚ ମନୁଷ୍ୟ ଅମରତ୍ବ ଲାଭ କରେ, ତାହା ଯେ ଅନେକ ଗୁରୁତର ସମସ୍ୟା ସୃଷ୍ଟି କରିବ, ଏହା ହୃଦୟଙ୍ଗମ କରିବା ପାଇଁ ବିଶେଷ ଦୂରଦୃଷ୍ଟିର ଆବଶ୍ୟକତା ନାହିଁ। ତେବେ ଏଗୁଡ଼ିକ ମଧୢରୁ ଗୋଟିଏ ସମସ୍ୟା ଏପରି ସୂକ୍ଷ୍ମ ଯେ, ତାହା ହଠାତ୍‌ ଦୃଷ୍ଟିଗୋଚର ହୋଇ ନ ପାରେ। ସମସ୍ୟାଟି ହେଉଛି ନୈତିକ। ଭଲ କାମ କରିବା ପାଇଁ ଏବ˚ ମନ୍ଦ କାମ ନ କରିବା ପାଇଁ ମନୁଷ୍ୟର ପ୍ରବୃତ୍ତି ହେଉଛି ଏକ ସୁସ୍ଥ ସମାଜର ମୂଳ ଭିତ୍ତି। ଏହାକୁ ମନୁଷ୍ୟର ଅନ୍ତର୍ନିହିତ ନୈତିକତା ରୂପେ ଅଭିହିତ କରାଯାଇଥାଏ। କିନ୍ତୁ ଏହି ଅନ୍ତର୍ନିହିତ ନୈତିକତାର ମୂଳ ଭିତ୍ତି କ’ଣ?

ଅଷ୍ଟାଦଶ ଶତାବ୍ଦୀର ମହାନ୍‌ ଜର୍ମାନ୍‌ ଦାର୍ଶନିକ ଇମାନୁଏଲ୍‌ କାଣ୍ଟ୍‌ ଏହି ପ୍ରଶ୍ନର ଯେଉଁ ଉତ୍ତର ଆବିଷ୍କାର କରିଥିଲେ, ତାହା ତିନି ଭାଗରେ ବିଭକ୍ତ। ପ୍ରଥମ ହେଲା ଈଶ୍ବରଙ୍କ ଉପସ୍ଥିତି; ଦ୍ବିତୀୟ ହେଲା ଅବିନଶ୍ବର ବା ଅମର ଆତ୍ମାର ଉପସ୍ଥିତି; ତୃତୀୟ ହେଲା ସ୍ବାଧୀନ ଇଚ୍ଛାର ଉପସ୍ଥିତି। ଯେଉଁମାନେ ଈଶ୍ବର ଅଛନ୍ତି ବୋଲି ବିଶ୍ବାସ କରନ୍ତି, ସେମାନେ ମଧୢ ବିଶ୍ବାସ କରନ୍ତି ଯେ ଈଶ୍ବର ଭଲ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଓ ମନ୍ଦ କାର୍ଯ୍ୟ ପାଇଁ ଦଣ୍ତ ଦେଇଥାନ୍ତି। ଏହା କିନ୍ତୁ ମୃତ୍ୟୁ ପରେ ଅବିନଶ୍ବର ଆତ୍ମା ପ୍ରତି ଉଦ୍ଦିଷ୍ଟ ହୋଇଥାଏ। ଭଲ କାର୍ଯ୍ୟ କରିଥିବା ବ୍ୟକ୍ତିର ଆତ୍ମା ପୁରସ୍କୃତ ହୋଇଥାଏ ଓ ମନ୍ଦ କାର୍ଯ୍ୟ କରିଥିବା ବ୍ୟକ୍ତିର ଆତ୍ମା ଈଶ୍ବରଙ୍କ ଦ୍ବାରା ଦଣ୍ତ ପାଇଥାଏ।

ଏହି ପୁରସ୍କାର ବା ଦଣ୍ତର ଯଥାର୍ଥତା ଯେଉଁଥିରେ ନିହିତ ଥାଏ, ତାହା ହେଉଛି ‘ସ୍ବାଧୀନ ଇଚ୍ଛା’ର ଉପସ୍ଥିତି। ଜଣେ ବ୍ୟକ୍ତିର କାର୍ଯ୍ୟ ଯଦି ତା’ର ସ୍ବାଧୀନ ଇଚ୍ଛା ଉପରେ ନିର୍ଭର କରେ, ତେବେ ସେ କାର୍ଯ୍ୟ ଭଲ ହୋଇଥାଉ କି ମନ୍ଦ ହୋଇଥାଉ, ସେଥି ପାଇଁ ସେଇ ବ୍ୟକ୍ତିକୁ ହିଁ ଦାୟୀ କରାଯିବ। ସେଇ କାରଣରୁ ହିଁ ମୃତ୍ୟୁ ପରେ ତା’ର ଆତ୍ମା ଈଶ୍ବରଙ୍କ ଦ୍ବାରା ପୁରସ୍କୃତ ହୋଇଥାଏ ବା ଦଣ୍ତିତ ହୋଇଥାଏ। ଚାର୍ବାକ୍‌ କହିଥିବା ଭଳି ଭସ୍ମୀଭୂତ ହେବା ପରେ ଦେହ ସିନା ଏଠାକୁ ଆଉ ଫେରି ଆସି ନ ଥାଏ, କିନ୍ତୁ ଯଦି ଆତ୍ମା ଅବିନଶ୍ବର ହୋଇଥାଏ, ତା’ହେଲେ? ଏହି ଅମର ଆତ୍ମାକୁ ଈଶ୍ବରଙ୍କ ଦରବାରରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ- ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯଦି ବେଜସ୍‌ ଚାହୁଁଥିବା ଭଳି ମନୁଷ୍ୟର ଶରୀର ଅବିନଶ୍ବର ବା ଅମର ହୋଇଯାଏ, ତା’ହେଲେ କ’ଣ ହେବ?

୨୦୧୫ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକର ନାମକରଣ ଐତିହାସିକ ୟୁଭାଲ୍‌ ନୋଆ ହାରାରି କରିଥିବା ଭଳି ଆଗାମୀ ଦିନର ଏହି ଅମର ଶରୀରଧାରୀ ମନୁଷ୍ୟ ବୋଲାଇବ- ‘ହୋମୋ ଡିଅସ୍‌’ ବା ‘ମାନବ ଦେବତା’। ଜ୍ଞାନକୌଶଳର ଅନ୍ୟ ସମସ୍ତ ସୀମାନ୍ତ ଅତିକ୍ରମ କରିସାରିଲା ପରେ ମନୁଷ୍ୟ ଅମରତ୍ବ ଲାଭର କୌଶଳ ହାସଲ ଦିଗରେ ଆଗେଇବ ବୋଲି ହାରାରି ଯେଉଁ ଅନୁମାନ କରିଥିଲେ, ‘ଆଲଟସ୍‌ ଲାବ୍‌ସ’ର ପ୍ରତିଷ୍ଠା ହେଉଛି ସେ ଦିଗରେ ଏକ ନିଶ୍ଚିତ ପଦକ୍ଷେପ। ବେଜସ୍‌ଙ୍କ ପରି ମନୁଷ୍ୟମାନେ ଯେତେବେଳେ ‘ମାନବ ଈଶ୍ବର’ରେ ପରିଣତ ହେବେ, ସେତେବେଳେ ଯେଉଁ ଗୋଟିଏ କଥା ନିଶ୍ଚିତ ହେବ, ତାହା ହେଲା କାଣ୍ଟ୍‌ଙ୍କର ଉପରୋକ୍ତ ତ୍ରିବିଧ ନୈତିକତା ନିୟମ ତାଙ୍କ ପ୍ରତି ଆଉ ଲାଗୁ ହେବ ନାହିଁ। ସେ ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ, କିନ୍ତୁ ତାଙ୍କର ମୃତ୍ୟୁ ନ ଥିବାରୁ ତାଙ୍କ ଆତ୍ମାକୁ ଏଥିପାଇଁ ଈଶ୍ବରଙ୍କ ସମ୍ମୁଖରେ ହାଜର ହେବାକୁ ପଡ଼ିବ ନାହିଁ। ତାଙ୍କ ପାଇଁ ପାପ ପୁଣ୍ୟ ଧାରଣା ନିରର୍ଥକ ହୋଇ ପଡ଼ିବ। ହିନ୍ଦୁ ପୁରାଣମାନଙ୍କରେ ବର୍ଣ୍ଣିତ ଅମର ବର ପାଇ ସାରିବା ପରେ ରାକ୍ଷସମାନେ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଥାନ୍ତି, ଏହି ‘ମାନବ ଈଶ୍ବର’ମାନେ ସେଇଭଳି ଆଚରଣ ପ୍ରଦର୍ଶନ କରିବା ନିଶ୍ଚିତ। ମାନବ-ଦେବତାମାନେ ପରିଣତ ହେବେ ଦାନବରେ।

ସମ୍ବନ୍ଧିତ ଖବର