ଉଜାଣି ଯମୁନା
ପ୍ରାୟ ଛ’ବର୍ଷ ତଳେ ଭାରତକୁ ଏକ ‘ଡିଜିଟାଲ୍ ପ୍ରବିଧି ଦ୍ବାରା ସଶକ୍ତ ଜ୍ଞାନ-ଅର୍ଥନୀତିରେ ରୂପାନ୍ତରିତ’ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ‘ଡିଜିଟାଲ୍ ଇଣ୍ତିଆ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଟେଲିକମ୍ ହେଉଛି ଏହି ଡିଜିଟାଲ୍ ଅର୍ଥନୀତିର ବୋଧହୁଏ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ତଥା ସର୍ବାଧିକ ଦୃଶ୍ୟମାନ ଅ˚ଶ। ଗତ ସପ୍ତାହରେ ସରକାର ଏହି କ୍ଷେତ୍ର ପାଇଁ ଯେଉଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି, ତାହା ଏହି ସମୟ ମଧୢରେ କେବଳ ଯେ ସର୍ବବୃହତ୍, ତାହା ନୁହେଁ, ଏହାକୁ ପ୍ରକୃତରେ ଜୀବନ ରକ୍ଷାକାରୀ ରୂପେ ବିଚାର କରାଯାଇ ପାରେ।
Sambad is now on WhatsApp
Join and get latest news updates delivered to you via WhatsApp
କେତେ ବର୍ଷ ତଳେ ଘରୋଇ ଟେଲିକମ୍ କମ୍ପାନିମାନେ ଯେତେ ଅଧିକ ସ˚ଖ୍ୟକ ସମ୍ଭବ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ପ୍ରାଣମୂର୍ଚ୍ଛା ପ୍ରତିଯୋଗିତା ଏଠାରେ ଆରମ୍ଭ କରିଥିଲେ। ବଜାରରେ ବହୁ ବିଳମ୍ବରେ ପ୍ରବେଶ କରିଥିବା ମୁକେଶ ଅମ୍ବାନୀଙ୍କ ‘ଜିଓ’କୁ ଏହି ମରଣାନ୍ତକ ପ୍ରତିଯୋଗିତା ପାଇଁ ଦାୟୀ କରାଯାଉଥିଲେ ହେଁ, ତା’ର ବହୁ ପୂର୍ବରୁ ’ଏଆର୍ଟେଲ୍’, ‘ଭୋଡ଼ାଫୋନ୍’, ‘ଆଇଡିଆ’ ଆଦି କମ୍ପାନିମାନେ ଏହି ଧାରାର ଆରମ୍ଭ କରି ଦେଇଥିଲେ। ସେମାନେ ଏଥିପାଇଁ ଯେଉଁ ପରସ୍ପର ବିରୋଧୀ ଦ୍ବିବିଧ କୌଶଳ ଅବଲମ୍ବନ କରିଥିଲେ, ତାହା ହେଲା ଆକାଶଛୁଆଁ ଦାମ୍ ଦେଇ ସରକାରଙ୍କ ଠାରୁ ନିଲାମ ଧରି ସ୍ପେକ୍ଟ୍ରମ୍ କ୍ରୟ କରିବା ଏବ˚ ତାହାକୁ ବ୍ୟବହାର କରି ଅତ୍ୟନ୍ତ ଶସ୍ତା ଦରରେ ଡାଟା ଓ ଫୋନ୍କଲ୍ ବିକ୍ରି କରି ଗ୍ରାହକମାନଙ୍କୁ ଆକର୍ଷିତ କରିବା। ଦୃଶ୍ୟପଟରେ ‘ରିଲାଏନ୍ସ ଜିଓ’ର ଆବିର୍ଭାବ ପୂର୍ବରୁ ‘ଏଆର୍ଟେଲ୍’, ‘ଭୋଡ଼ାଫୋନ୍’, ‘ଆଇଡିଆ’ ଭଳି ଟେଲିକମ୍ କମ୍ପାନିମାନେ ଜୋର୍ଦାର୍ ଡିସ୍କାଉଣ୍ଟ୍ ଦେଇ ପ୍ୟାକ୍ମାନ ବିକ୍ରି କରି ଉପଭୋକ୍ତାମାନଙ୍କୁ ଅଧିକ ଅଧିକ ‘ଜିବି’ର ଡାଟା ବ୍ୟବହାର କରିବା ଏବ˚ ଶସ୍ତାରେ ଅଧିକ ସ˚ଖ୍ୟକ ଓ ଅଧିକ ସମୟର ଫୋନ୍କଲ୍ କରିବାରେ ଅଭ୍ୟସ୍ତ କରି ଦେଇଥିଲେ।
୨୦୧୬ ସେପ୍ଟେମ୍ବରରେ ମୁକେଶ ଅମ୍ବାନୀ ଯେତେବେଳେ ଏଇ ଟେଲିକମ୍ ଖେଳରେ ମଧୢ ଅ˚ଶ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆରେ ଓହ୍ଲାଇଲେ, ସେ ତାଙ୍କର ଉପଲବ୍ଧ ପ୍ରାୟ ଅସରନ୍ତି ପଇସାର ପାହାଡ଼କୁ ବ୍ୟବହାର କରି ଏହି ଖେଳକୁ ତା’ର ଚରମତମ ସୀମାରେ ପହଞ୍ଚାଇ ଦେଲେ। ସେ ସୀମିତ ସମୟ ପାଇଁ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାଟା ଯୋଗାଇ ଦେଲେ। ‘ଜିଓ’ର ଏହି ଆକ୍ରମଣାତ୍ମକ ରଣକୌଶଳ ଯୋଗୁଁ ଦେଶରେ ଟେଲିକମ୍ ଉପଭୋକ୍ତାଙ୍କ ସ˚ଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଲା ଏବ˚ ସେମାନେ ସମସ୍ତେ ପ୍ରାୟ ‘ଜିଓ’ ଆଡ଼େ ହିଁ ମୁହାଁଇବାରେ ଲାଗିଲେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ପାଇଁ ଅଗତ୍ୟା ନିଜ ନିଜର ଦର ଆହୁରି କମାଇବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା। ଏହାକୁ ରସାତଳ ଗମନ ପ୍ରତିଯୋଗିତା ବା ‘ରେସ୍ ଟୁ ଦି ବଟମ୍’ ନାମରେ ଅର୍ଥନୀତିଜ୍ଞମାନେ ଅଭିହିତ କରିଥା’ନ୍ତି।
ଏଠାରେ ଏହି ପ୍ରତିଯୋଗିତାର ଫଳ ସ୍ବରୂପ ଦେଶରେ ଟେଲିକମ୍ ବ୍ୟବହାରରେ ବ୍ୟାପକ ବୃଦ୍ଧି ଘଟି ଚାଲିଲା କିନ୍ତୁ କମ୍ପାନିମାନଙ୍କ ପାଇଁ ପ୍ରତି ବ୍ୟବହାରକାରୀଙ୍କ ସୂତ୍ରରୁ ଉପୁଜୁଥିବା ହାରାହାରି ଆୟ (‘ଆଭରେଜ୍ ରେଭିନିଉ ପର୍ ଇଉଜର୍’- ‘ଆର୍ପୁ’)ରେ ତୀବ୍ର ସ୍ଖଳନ ଘଟି ଚାଲିଲା। ପରିସ୍ଥିତି ଏଭଳି ହେଲା, ଅମ୍ବାନୀ ଭଣ୍ତାର ଆଶ୍ରିତ ‘ଜିଓ’ ବ୍ୟତୀତ ଅନ୍ୟ ସମସ୍ତଙ୍କ ସ୍ଥିତି ବିପନ୍ନ ହେବାକୁ ଲାଗିଲା। ନିରୁପାୟ ହୋଇ ‘ଜିଓ’ ସହିତ ଟକ୍କର ଦେବା ପାଇଁ ଶେଷରେ ‘ଶତ୍ରୁର ଶତ୍ରୁ ହେଉଛି ମିତ୍ର’ ନୀତି ଅନୁସରଣ କରି ଦୁଇ ଜଣ ପ୍ରତିଦ୍ବନ୍ଦ୍ବୀ ହାତ ମିଳାଇ ମିଶି ଯାଇ ଗୋଟିଏ କମ୍ପାନିରେ ପରିଣତ ହୋଇଗଲେ: ‘ଭୋଡ଼ାଫୋନ୍-ଆଇଡିଆ’। ପରେ ପରେ ନାମ ପରିବର୍ତ୍ତନ କରି ସେଇ ମିଶ୍ରିତ କମ୍ପାନି ନାମ ହୋଇଛି- ‘ଭିଆଇ। ଏହି ନୂତନ ଅବତାର ବର୍ତ୍ତମାନ ଯେଉଁ ଋଣ ପାହାଡ଼ ଉପରେ ବସିଛି, ତାହାର ଆକାର ହେଉଛି ୧.୯ ଲକ୍ଷ କୋଟି ଟଙ୍କା। କମ୍ପାନି ଏଥିଯୋଗୁଁ ଦେବାଳିଆ ହେବା ନିଶ୍ଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ।
ନିକଟରେ ଏହାର ଅନ୍ୟତମ ମାଲିକ କୁମାରମଙ୍ଗଳମ୍ ବିରଳା ତାଙ୍କ ଅଧିକାରରେ ଥିବା ଅ˚ଶପତ୍ର ସରକାରଙ୍କୁ ହସ୍ତାନ୍ତରିତ କରି ଦେବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ଯେଉଁ ସର୍ତ୍ତ ରଖିଥିଲେ, ତାହା ହେଲା, କମ୍ପାନି ପିଛିଲା ଟିକସ ଆକାରରେ ସରକାରଙ୍କୁ ଯେଉଁ ୬୨,୦୦୦ କୋଟି ଟଙ୍କାରୁ ଅଧିକ ଦେୟ ଏବ˚ ସ୍ପେକ୍ଟ୍ରମ୍ ଚାର୍ଜ୍ ଆକାରରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଦେୟ ଦେବାର ଅଛି, ସରକାରଙ୍କୁ ତାହା ସ୍ଥଗିତ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଅନ୍ୟ ଟେଲିକମ୍ କମ୍ପାନିମାନଙ୍କ ଅବସ୍ଥା ମଧୢ ଊଣା ଅଧିକେ ଏଇ ଭଳି।
କେନ୍ଦ୍ର ସରକାର ବର୍ତ୍ତମାନ ଏହି କ୍ଷେତ୍ରକୁ ସହାୟତାର ହାତ ବଢ଼ାଇବାକୁ ଯାଇ ଯେଉଁ ସ˚ସ୍କାରମୂଳକ ପଦକ୍ଷେପମାନ ଘୋଷଣା କରିଛନ୍ତି, ତାହା ଅନୁସାରେ ଏହି ସମସ୍ତ କମ୍ପାନିମାନଙ୍କୁ ସେମାନଙ୍କର ବୈଧାନିକ ଦେୟ ପୈଠ କରିବା ପାଇଁ ଚାରି ବର୍ଷର ମହଲତ ପ୍ରଦାନ କରାଯାଇଛି; ଭବିଷ୍ୟତ୍ରେ ଯେତେବେଳେ ସ୍ପେକ୍ଟ୍ରମ୍ ନିଲାମ କରାଯିବ, ସେତେବେଳେ ତା’ର ବ୍ୟବହାର ପାଇଁ ‘ସ୍ପେକ୍ଟ୍ରମ୍ ୟୁଜେଜ୍ ଚାର୍ଜ’ ଆଦାୟ କରାଯିବ ନାହିଁ; ଏବ˚ ଏ କ୍ଷେତ୍ରରେ ଶତ ପ୍ରତିଶତ ବୈଦେଶିକ ପୁଞ୍ଜିନିବେଶ ପାଇଁ ସ୍ବୟ˚ଚାଳିତ ପଥ ଉନ୍ମୁକ୍ତ କରିିଦିଆଯିବ। ସରକାର ଆଶା ପ୍ରକାଶ କରିଛନ୍ତି ଯେ ଏହି ସ˚ସ୍କାରମୂଳକ ପଦକ୍ଷେପ ମାନ ଉପସ୍ଥିତ କମ୍ପାନିମାନଙ୍କୁ ବୁଡ଼ିଯିବାରୁ ଉଦ୍ଧାର କରି ତିଷ୍ଠି ରହିବାରେ ସାହାଯ୍ୟ କରିବ ଏବ˚ ସେମାନଙ୍କ ମଧୢରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ଏଥି ସହିତ ଏହି ସ˚ସ୍କାରମାନ ନୂତନ ପ୍ରତିଯୋଗୀମାନଙ୍କୁ ମଧୢ ଏହି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଉତ୍ସାହିତ କରିବ।
ଏଠାରେ ଯେଉଁ ଅନ୍ୟ ଏକ ପ୍ରସ୍ତାବ ଲକ୍ଷ୍ୟ କରିବା କଥା, ତାହା ହେଲା, ଯଦି ଚାରି ବର୍ଷର ମହଲତ ଅବଧି ପୂର୍ଣ୍ଣ ହେବା ପରେ ଟେଲିକମ୍ କମ୍ପାନିମାନେ ତଥାପି ସରକାରଙ୍କୁ ସେମାନଙ୍କ ଦେୟ ପୈଠ କରିବାକୁ ସକ୍ଷମ ନ ହୁଅନ୍ତି, ତା’ହେଲେ ସେମାନେ ଚାହିଁଲେ ସେମାନଙ୍କର ଅ˚ଶପତ୍ର ଆକାରରେ ସରକାରଙ୍କୁ ସେମାନଙ୍କର ଦେୟ ପ୍ରଦାନ କରିପାରିବେ। ଏହାକୁ ଆଧାର କରି ବଜାରରେ କଳ୍ପନା ଜଳ୍ପନା ପ୍ରକାଶ ପାଇବାକୁ ଆରମ୍ଭ କଲାଣି ଯେ ନିକଟ ଭବିଷ୍ୟତ୍ରେ ‘ଭିଆଇ’ ଏକ ରାଷ୍ଟ୍ରାୟତ୍ତ କମ୍ପାନିରେ ପରିଣତ ହେବାକୁ ଯାଉଛି। ସରକାର ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ କମ୍ପାନିମାନଙ୍କରୁ ଓହରି ଯାଇ ସେମାନଙ୍କର ଘରୋଇକରଣ କରିବାକୁ ନିଜର ଘୋଷିତ ନୀତିରେ ପରିଣତ କରିଥିବା ବେଳେ ଏହି ସମ୍ଭାବନା ଏକ ଉଜାଣି ଯମୁନା ଭଳି ସ୍ବାଭାବିକ ଭାବରେ ମନେ ହୋଇପାରେ।
କେତେକ ମହଲରେ ଏହାକୁ ‘ଭିଆଇ’ ଭଳି ଏକ ପୁଞ୍ଜିବାଦୀ ଘରୋଇ ବ୍ୟବସାୟର ବିଫଳତାର ବୋଝକୁ ଦେଶର କରଦାତାଙ୍କ କାନ୍ଧରେ ଲଦିବା ପାଇଁ ଏକ ଚକ୍ରାନ୍ତ ରୂପେ ଚିତ୍ରଣ କରାଯାଉଛି। କିନ୍ତୁ ମନେ ରଖିବା କଥା ଅର୍ଥନୀତିରେ ଟେଲିକମ୍ କ୍ଷେତ୍ର ଅନ୍ୟ ଯେ କୌଣସି ଏକ ସାଧାରଣ କ୍ଷେତ୍ର ଭଳି ନୁହେଁ। ବର୍ତ୍ତମାନ ଯେଉଁ ଧାରା ଆବିର୍ଭୂତ ହୋଇଛି, ସେଥିରୁ ଯେଉଁ ଭବିଷ୍ୟତ୍ର ଚିତ୍ର ଦେଖିବାକୁ ମିଳିଥାଏ, ତାହା ହେଲା ଟେଲିକମ୍ କ୍ଷେତ୍ର ହେବ ସମଗ୍ର ଅର୍ଥନୀତିର ମାତୃ କ୍ଷେତ୍ର। ଏହାର ଅର୍ଥ ଦେଶର ପ୍ରତ୍ୟେକ ନାଗରିକ ପାଖରେ ଶସ୍ତାରେ ଏବ˚ ସହଜରେ ଟେଲିକମ୍ ସେବା ଆବଶ୍ୟକତା ଅନୁସାରେ ଉପଲବ୍ଧ ହେବା ଜରୁରୀ। ପୁଞ୍ଜିବାଦ ଓ ସମାଜବାଦ ମଧୢରେ କୃତ୍ରିମ ବିଭାଜକ ରେଖା ଅଙ୍କନ କରି ଏଥିରେ ପ୍ରତିବନ୍ଧ ସୃଷ୍ଟି କରିବା ଉଚିତ ନୁହେଁ। ଯଦି ତୀରବାସୀମାନଙ୍କର ମଙ୍ଗଳ ହୁଏ, ଯମୁନା ଉଜାଣି ବହିଲେ ବହୁ।