ସଂଖ୍ୟା ଭୟ

୧୯୯୦ ମସିହାରେ ପଦାର୍ଥ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ଜିଣିଥିବା ହେନରି ଡବ୍ଲ୍ୟୁ. କେନ୍‌ଡଲଙ୍କ ଏକ ପ୍ରସିଦ୍ଧ ଉକ୍ତି ହେଉଛି: ‘ଶିକ୍ଷା ହେଉଛି ସର୍ବାଧିକ ପ୍ରଭାବଶାଳୀ ଗର୍ଭ ନିରୋଧକ।’ ତାଙ୍କ ସହିତ ତାଳ ଦେଇ ଅନେକ ବିଦ୍ବାନ-ଚିନ୍ତକ ଅନେକତ୍ର କହିବା ଶୁଣାଯାଇଛି ଯେ ସଚେତନତା, ବିକାଶ ଏପରିକି ମୁଦ୍ରାସ୍ଫୀତି ଇତ୍ୟାଦି ମଧ୍ୟ ହେଉଛନ୍ତି ଗୋଟିଏ ଗୋଟିଏ ସଫଳ ଗର୍ଭ ନିରୋଧକ, ଯାହା ପ୍ରଜନନକ୍ଷମ ଦଂପତିମାନଙ୍କୁ ଅଧିକ ସନ୍ତାନ ଉପୁଜାଇବାରୁ କ୍ଷାନ୍ତ କରିଥାଏ। ତେଣୁ ଏଥିରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ ଯେ ପୃଥିବୀର ଜନସ˚ଖ୍ୟା ବୃଦ୍ଧିର ହାର ପଞ୍ଚମ ବା ଷଷ୍ଠ ଦଶକରେ ଯାହା ଥିଲା, କ୍ରମଶଃ ତହିଁରେ ହ୍ରାସ ଘଟୁଛି। ସେହି ଧାରାରେ ଭାରତରେ ମଧୢ ଜନସ˚ଖ୍ୟା ବୃଦ୍ଧିର ହାରରେ କ୍ରମ ଅବରୋହଣର ଧାରା ଦେଖିବାକୁ ମିଳିଛି; ଯଦିଓ ଅଚିରେ ଭାରତ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେବା ନିଶ୍ଚିତ। କିନ୍ତୁ ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ଏକ ଧାରଣା ସ˚ପ୍ରତି ଆମ ଦେଶରେ ବଦ୍ଧମୂଳ ହେବାରେ ଲାଗିଛି, ତାହା ହେଲା ହିନ୍ଦୁମାନଙ୍କ ସଂଖ୍ୟା ବୃଦ୍ଧିର ଧାରାରେ ହ୍ରାସ ଘଟୁଥିବା ବେଳେ ମୁସଲମାନମାନଙ୍କ ଅବିରାମ ସଂଖ୍ୟା ବୃଦ୍ଧି କ୍ରମେ ଆମ ଦେଶର ଜନସାଂଖ୍ୟିକ ସଂରଚନାରେ ଏକ ଭୂସ୍ଖଳନ ସୃଷ୍ଟି କରିବ ଏବଂ ହିନ୍ଦୁମାନେ କ୍ରମେ ମୁସଲମାନମାନଙ୍କ ଦ୍ବାରା ‘ସଂଖ୍ୟା ଗରିଷ୍ଠ’ ହେବାରୁ ଅପସାରିତ ହେବେ। କିନ୍ତୁ ଏଭଳି ଧାରଣାକୁ ନିଷ୍ପ୍ରଭ କଲା ଭଳି ଏକ ବିସ୍ତୃତ ସମୀକ୍ଷାମୂଳକ ରିପୋର୍ଟ ନିକଟରେ ‘ପିଉ ରିସର୍ଚ୍ଚ ସେଣ୍ଟର’ ଦ୍ବାରା ପ୍ରକାଶିତ ହୋଇଛି, ଯାହା ଏହି ସ୍ତମ୍ଭରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଉଲ୍ଳେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ବାରା ପ୍ରତି ଦଶ ବର୍ଷ ଅନ୍ତରରେ କରାଯାଉଥିବା ଜନ ଗଣନା ରିପୋର୍ଟ ଏବ˚ ପ୍ରତି ତିନି ବର୍ଷରେ କରାଯାଉଥିବା ‘ନେସନାଲ ଫାମିଲି ହେଲ୍‌ଥ ସର୍ଭେ’ରୁ ପ୍ରାପ୍ତ ତଥ୍ୟ ଆଧାରରେ ‘ପିଉ’ ଗବେଷଣା ସଂସ୍ଥା ଦ୍ବାରା ଭାରତରେ ସ˚ପ୍ରଦାୟ ଭିତ୍ତିକ ଜନସ˚ଖ୍ୟା ବୃଦ୍ଧିର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ‘ପିଉ’ର ରିପୋର୍ଟ ଅନୁସାରେ ଯଦିଓ ୧୯୫୧ ମସିହାରୁ ୨୦୨୧ ମସିହା ମଧ୍ୟରେ ଭାରତରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସ˚ଖ୍ୟା ୮୪ ପ୍ରତିଶତରୁ ୭୯.୮ ପ୍ରତିଶତକୁ ଖସି ଆସିଥିବା ବେ‌ଳେ ଇସଲାମ ଧର୍ମାବଲମ୍ବୀଙ୍କ ସ˚ଖ୍ୟା ସେହି ସମୟ ଖଣ୍ଡରେ ୯.୮ ପ୍ରତିଶତରୁ ୧୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ତଥାପି ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା କାଳ ପ୍ରବାହରେ ଉଭୟ ହିିନ୍ଦୁ ଏବ˚ ମୁସଲମାନଙ୍କ ସ˚ଖ୍ୟା ବୃଦ୍ଧିର ହାରରେ ଏକ କ୍ରମ ହ୍ରାସମାନ ଧାରା ପରିଲକ୍ଷିତ ହେଉଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟ ମୁସଲମାନ ମହିଳାମାନଙ୍କ ପ୍ରଜନନ ହାର (ଟୋଟାଲ ଫର୍ଟିଲିଟି ରେଟ୍‌ ବା ‘ଟି.ଏଫ.ଆର‌୍‌.’ରେ ଏକ ଉଲ୍ଲେଖନୀୟ ହ୍ରାସ ଘଟି ତାହା ବର୍ତ୍ତମାନ ୨.୬(୧୦ଜଣ ମହିଳାଙ୍କ ୨୬ଟି ସନ୍ତାନ)ରେ ପହଞ୍ଚିଛି, ଯେତେବେଳେ କି ହିନ୍ଦୁ ମହିଳାଙ୍କ ‘ଟି.ଏଫ୍‌.ଆର‌୍‌’ ହେଉଛି ୨.୧ (ଦଶ ଜଣ ମହିଳାଙ୍କ ୨୧ଟି ସନ୍ତାନ)। ପ୍ରକାଶ ଥାଉ କି ୧୯୯୦-୯୧ ମସିହାରେ ମୁସଲମାନ ଓ ହିନ୍ଦୁ ମହିଳାଙ୍କ ପ୍ରଜନନ ହାର ବା ‘ଟି.ଏଫ୍‌.ଆର‌୍‌.’ ଥିଲା ଯଥାକ୍ରମେ ୪.୪ ଏବଂ ୨.୬। ସୁତରା˚, ‘ପିଉ’ ତଥ୍ୟରୁ ଏହା ସ୍ପଷ୍ଟ ଯେ ମୁସଲମାନ ମହିଳାଙ୍କ ପ୍ରଜନନ ହାର କ୍ରମେ ହିନ୍ଦୁ ମହିଳାଙ୍କ ପ୍ରଜନନ ହାରର ସମତୁଲ ହେବା ଆଡ଼କୁ ମୁହାଁଉଛି। ସେହି ଦୃଷ୍ଟିରୁ ଭାରତରେ ସଂପ୍ରତି ଘନୀଭୂତ ହେଉଥିବା ଉଦ୍‌ବେଗ, ଯାହା ମୁସଲମାନଙ୍କ ଲଗାମହୀନ ସ˚ଖ୍ୟା ବୃଦ୍ଧିରେ ନିହିତ, ଅପାତତଃ ଅଯଥାର୍ଥ ଭଳି ମନେ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ପ୍ରସଙ୍ଗଟି ଅନେକ ହିନ୍ଦୁଙ୍କ ଲାଗି ଚିନ୍ତାଜନକ ହୋଇ ପଡ଼ିଛି, ତାହା ହେଲା ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ବିଶେଷ କରି ଆସାମ ଏବ˚ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ପଶ୍ଚିମ ବଙ୍ଗରେ ଇସଲାମ ଧର୍ମାବଲମ୍ବୀଙ୍କ ନାହିଁ ନ ଥିବା ସ˚ଖ୍ୟା ବୃଦ୍ଧି ହେଉଥିବା ନେଇ ଧାରଣା। ‘ପିଉ’ ତଥ୍ୟ ଅନୁସାରେ ଯଦିଓ ଏହା ସତ୍ୟ ଯେ ଏହି ରାଜ୍ୟଗୁଡ଼ିକରେ ମୁସଲମାନମାନଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିଛି, କିନ୍ତୁ ତାହା ହେଉଛି ଆସାମରେ ୩.୩ ପ୍ରତିଶତ ଏବଂ ପଶ୍ଚିମ ବଙ୍ଗରେ ୧.୮ ପ୍ରତିଶତ। ସୁତରାଂ, ଏହି ରାଜ୍ୟ ଦ୍ବୟର ମୁସଲମାନ ସଂପ୍ରଦାୟରେ ଜନସଂଖ୍ୟାର ଗଢ଼ଣକୁ ଦୋହଲାଇ ଦେଲା ଭଳି ସଂଖ୍ୟା ବୃଦ୍ଧି ହୋଇନାହିଁ।

ତେବେ, ଏହା ମଧୢ ସ୍ବୀକାର କରିବାକୁ ହେବ ଯେ କେବଳ ଭାରତ ନୁହେଁ, ପୃଥିବୀର ବିଭିନ୍ନ ଉଦାରବାଦୀ ଏବଂ ଅତ୍ୟନ୍ତ ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧୢ ମୁସଲମାନଙ୍କ ବଂଶ ବିସ୍ତାରକୁ ନେଇ ପ୍ରବଳ ଉଦ୍‌ବେଗ ଓ ଭୟ ପ୍ରକାଶ ପାଇବାରେ ଲାଗିଛି। ଜର୍ମାନି, ଫ୍ରାନ୍‌ସ, ୟୁନାଇଟେଡ୍‌ କି˚ଡମ୍‌ ବା ଡେନମାର୍କ‌୍‌ ଭଳି ଦେଶରେ ବସବାସ କରୁଥିବା ମୁସଲମାନମାନେ ସେଠାକାର ସଂଖ୍ୟା‌ ଗରିଷ୍ଠଙ୍କୁ ବିସ୍ଥାପନ କରିବା ଲାଗି ଏକ ଅଭିସନ୍ଧି ରୂପେ ସଂଖ୍ୟା ବୃଦ୍ଧି କରୁଛନ୍ତି ବୋଲି ବିଚାର କ୍ରମେ ଦୃଢ଼ ହେଉଛି। ଏପରିକି ‘ପିଉ’ର ଆଉ ଏକ ସୂଚନାରୁ ଜଣାପଡ଼େ ଯେ ୯୯ ପ୍ରତିଶତ ଶିକ୍ଷିତଙ୍କୁ ଧାରଣ କରିଥିବା ଫ୍ରାନ୍‌ସ ଭଳି ଏକ ଅତ୍ୟନ୍ତ ସଚେତନ ରାଷ୍ଟ୍ରରେ ସଂଖ୍ୟାଗରିଷ୍ଠ ଖ୍ରୀଷ୍ଟିଆନଙ୍କ ଧାରଣା ଯେ ପ୍ରତି ତିନି ଜଣ ଫରାସୀଙ୍କ ମଧୢରେ ଜଣେ ହେଉଛନ୍ତି ଇସଲାମ ଧର୍ମାବଲମ୍ବୀ ଅର୍ଥାତ୍‌ ଜନସଂଖ୍ୟାର ୩୩ ପ୍ରତିଶତ। କିନ୍ତୁ ସେଠାକାର ଜନଗଣନା ତଥା ଅନ୍ୟାନ୍ୟ ସର୍ବେକ୍ଷଣ ଆଧାରରେ ପ୍ରସ୍ତୁତ ତଥ୍ୟ କହିଥାଏ ଯେ ସେଠାକାର ଜନସଂଖ୍ୟାରେ ମୁସଲମାନଙ୍କ ଅଂଶ ହେଉଛି ମାତ୍ର ୭.୫ ପ୍ରତିଶତ। କେବଳ ସେତିକି ନୁହେଁ, ସଂପ୍ରତି ଆଉ ଯାହା ଦେଖିବାକୁ ମିଳିଛି ତାହା ହେଲା ପୃଥିବୀର ୪୯ଟି ଯାକ ମୁସଲମାନ ବହୁଳ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ହାରରେ ଅବନତି। ସେହି ସବୁ ରାଷ୍ଟ୍ରରେ ୧୯୯୫ ମସିହା ବେଳକୁ ମହିଳାଙ୍କ ପ୍ରଜନନ ହାର ୪.୩ ଥିବା ବେଳେ ୨୦୧୫ ବେଳକୁ ତାହା ୨.୯ରେ ପହଞ୍ଚିଛି। ଏବ˚ ଯାହା ଅତ୍ୟନ୍ତ ବିସ୍ମୟକର, ତାହା ହେଲା, ଇରାନ ଭଳି ଏକ ଧର୍ମ ଭିତ୍ତିକ ଇସଲାମୀୟ ରାଷ୍ଟ୍ରରେ ମହିଳାମାନଙ୍କ ‘ଟିଏଫଆର’ରେ ପରିଲକ୍ଷିତ ସର୍ବାଧିକ ହ୍ରାସ; ୧୯୫୦-୫୧ ମସିହା ବେଳକୁ ଇରାନୀୟ ମହିଳାଙ୍କ ‘ଟିଏଫଆର’ ୭ ଥିବା ବେଳେ ତାହା ବର୍ତ୍ତମାନ ପହଞ୍ଚିଛି ୧.୯ରେ।

କହିବା ବାହୁଲ୍ୟ ଯେ ‘ପିଉ’ ରିପୋର୍ଟ ଦ୍ବାରା ‘ସଂଖ୍ୟା ଭୟ’କୁ ନେଇ ଥିବା ଅନେକ ଭ୍ରାନ୍ତ ଧାରଣା ଏବଂ ପୂର୍ବାଗ୍ରହ ଦୂର ହେବ। ଏହି ସ୍ତମ୍ଭର ପ୍ରାରମ୍ଭରେ ବୈଜ୍ଞାନିକ କେନ୍‌ଡଲଙ୍କ ମତକୁ ପ୍ରମାଣିତ କଲା ଭଳି ଏକ ତଥ୍ୟ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ତାହା ହେଲା ଶିକ୍ଷା ଓ ସଚେତନତା ଦୃଷ୍ଟିରୁ ଭାରତର ସର୍ବାଗ୍ରେ ରହିଥିବା ରାଜ୍ୟ କେରଳରେ ମୁସଲମାନ ମହିଳାଙ୍କ ‘ଟିଏଫଆର’ ୧.୮ ଥିବା ବେଳେ ଶିକ୍ଷା ଓ ସଚେତନତା ଦୃଷ୍ଟିରୁ ଏକ ପଛୁଆ ରାଜ୍ୟ ଉତ୍ତର ପ୍ରଦେଶରେ ମୁସଲମାନ ମହିଳାଙ୍କ ‘ଟିଏଫଆର’ ହେଉଛି ୩.୧। କହିବା ବାହୁଲ୍ୟ ଯେ ଇତି ମଧ୍ୟରେ ଆମ ଦେଶର ସବୁ ସ˚ପ୍ରଦାୟର ଅଧିକରୁ ଅଧିକ ସ˚ଖ୍ୟକ ପୁରୁଷ ଏବ˚ ମହିଳା ଶିକ୍ଷା ତଥା ବିକାଶ ଦ୍ବାରା ଆଲୋକିତ ହେଉଥିବା ଦୃଷ୍ଟିରୁ କ୍ରମେ ସେମାନେ ସଚେତନ ହୋଇ ଏକ ପୋଷଣକ୍ଷମ ପରିବାର ଗଠନ କରିବା ଦିଗରେ ଆଗ୍ରହୀ ହୋଇଛନ୍ତି, ଯାହା ସେମାନଙ୍କୁ ସ୍ବାଭାବିକ ଭାବେ ନିୟନ୍ତ୍ରଣହୀନ ବଂଶ ବୃଦ୍ଧିରୁ ନିବୃତ୍ତ କରିଛି। ଜନସଂଖ୍ୟା ବୃଦ୍ଧିରେ ମୁଦ୍ରାସ୍ଫୀତି କିଭଳି ଅଙ୍କୁଶ ଲଗାଏ, ତାର ଦୃଷ୍ଟାନ୍ତ ମିଳିଥାଏ ଚୀନରୁ, ଯେଉଁଠାରେ ସରକାର ଏକ ନୂତନ ନୀତି ପ୍ରବର୍ତ୍ତନ କରି ଏକାଧିକ ସନ୍ତାନ ଉତ୍ପନ୍ନ କରିବା ଲାଗି ଦ˚ପତିମାନଙ୍କୁ ନିବେଦନ କରିବା ସହିତ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ ଥିବା ସତ୍ତ୍ବେ ସେମାନେ ନିଜ ପରିବାର ବୃଦ୍ଧି କରି ତାକୁ ଚଳାଇବା ଲାଗି ଅତିରିକ୍ତ ଆର୍ଥିକ ବୋଝ ମୁଣ୍ଡାଇବାକୁ ରାଜି ନୁହନ୍ତି। ଅନେକ ଭାରତୀୟ ନିମ୍ନ ଏବଂ ମଧ୍ୟବିତ୍ତୀୟ ପରିବାର ମଧ୍ୟ ଏହି ସମାନ କାରଣରୁ ଛୋଟ ପରିବାର କରିବାକୁ ଆଗ୍ରହୀ।

ଏହି ସ˚ଦର୍ଭରେ କୁହାଯାଇପାରେ ଯେ ଭାରତର ଜନସ˚ଖ୍ୟା ବୃଦ୍ଧିକୁ ରୋକିବାର ଅନିବାର୍ଯ୍ୟତା ଉପରେ ଗୁରୁତ୍ବ ପ୍ରଦାନ କରି କୌଣସି କଠୋର ଆଇନ ଅଣାଯିବା ପରିବର୍ତ୍ତେ ଅନ୍ତର୍ଭୁକ୍ତୀ ଶିକ୍ଷା ଏବ˚ ବିକାଶକୁ ଫଳପ୍ରସୂ କରିବା ଅଧିକ ସମୀଚୀନ ହେବ। ଜନସଂଖ୍ୟା ବୃଦ୍ଧିର ଧାରାରେ ହ୍ରାସ ଘଟିଲେ, ତାହା କେବଳ ଦେଶର ବିକାଶରେ ସହାୟକ ହେବନାହିଁ, ବରଂ ତାହା ଭାରତୀୟ ହିନ୍ଦୁମାନଙ୍କ ମନରୁ ଏକ ପୂର୍ବାଗ୍ରହ ପ୍ରସୂତ ଭୟକୁ ମଧ୍ୟ ଦୂର କରିବ।

ସମ୍ବନ୍ଧିତ ଖବର