ଅଚଳ ମୁଦ୍ରା!

ଗଲା ଶନିବାର ଦିନ ଜାତିସ˚ଘର ଜେନେରାଲ ଆସେମ୍ଲିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣରେ ସର୍ବାଧିକ ପ୍ରଣିଧାନଯୋଗ୍ୟ ବାକ୍ୟଗୁଡ଼ିକ ମଧୢରୁ ଗୋଟିଏ ହେଲା, ‘ଯଦି ଜାତିସ˚ଘ ନିଜକୁ ପ୍ରାସଙ୍ଗିକ କରି ରଖିବାକୁ ଚାହେ, ତେବେ ତାକୁ ନିଜର ଫଳପ୍ରଦତାରେ ଉନ୍ନତି ଆଣିବାକୁ ହେବ ଏବ˚ ନିଜକୁ ନିର୍ଭରଯୋଗ୍ୟ କରିବାକୁ ହେବ।’ କୋଭିଡ୍‌ ପାନ୍‌ଡେମିକ୍‌ ଏବ˚ ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ଭଳି ସ˚ପ୍ରତି ଘଟିଯାଇଥିବା ଘଟଣା ପରିପ୍ରେକ୍ଷୀରେ ଏକ ନେତୃତ୍ବ ବିହୀନ ପୃଥିବୀ ଅଧିକ ପ୍ରାଞ୍ଜଳ ଭାବେ ଦୃଶ୍ୟମାନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଏକ ଅଭିବ୍ୟକ୍ତି ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଜାତିସଂଘରେ ଆମେରିକାର ଆମ୍ବାସାଡର ଜନ ବୋଲଟନ ୧୯୯୪ ମସିହାରେ ପ୍ରଦାନ କରିଥିବା ଗୋଟିଏ ଉକ୍ତି ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଯହିଁରେ ସେ ମତ ବ୍ୟକ୍ତ କରିଥିଲେ ଯେ ନ୍ୟୁୟର୍କସ୍ଥିତ ଜାତିସ˚ଘର ନଭଶ୍ଚୁମ୍ବୀ ଦପ୍ତରରୁ ଯଦି ଉପର ଦଶ ମହଲା ହଟାଇ ଦିଆଯାଏ, ତେବେ ସୁଦ୍ଧା ଜାତିସ˚ଘର କାର୍ଯ୍ୟକଳାପରେ ବିଶେଷ ବାଧା ସୃଷ୍ଟି ହେବ ନାହିଁ। ଏହା ଦ୍ବାରା ସେ ଯାହା ଇଙ୍ଗିତ କରିଥିଲେ ତାହା ହେଲା ଜାତିସ˚ଘର କାରବାରରେ ଅନେକ ପରିତ୍ୟଜ୍ୟ ଅନାବଶ୍ୟକତା ପ୍ରବେଶ କରି ସାରିଲାଣି। ୧୯୪୫ରେ ଜାତିସଂଘର ପ୍ରତିଷ୍ଠା ପର ଠାରୁ ଇତିମଧୢରେ ଏହି ଅନୁଷ୍ଠାନ ପରିଗ୍ରହଣ କରିଥିବା ଏକ ମାମଥ୍‌-ତୁଲ୍ୟ ବିଶାଳତାର ଅନ୍ଦାଜ କେବଳ ଏଥିରୁ ଲଗାଯାଇପାରେ ଯେ ଗଲା ବର୍ଷ ଏହାର ପରିଚାଳନା ଲାଗି ୫୫ ବିଲିଅନ ଆମେରିକୀୟ ଡଲାରର ପାଣ୍ଠି ଉପଲବ୍‌ଧ କରାଯାଇଥିଲେ ସୁଦ୍ଧା ଏହା କଣ୍ଟାକଣ୍ଟି ବୋଲି ଜାତିସ˚ଘ ପକ୍ଷରୁ କୁହାଯାଇଥିଲା। ପ୍ରକାଶ ଥାଉ କି ଏହି ଅର୍ଥ ରାଶିର ଅଧିକା˚ଶ ଭାଗ ଦପ୍ତର ପରିଚାଳନା ଏବ˚ କର୍ମଚାରୀମାନଙ୍କ ଅତ୍ୟନ୍ତ ପୃଥୁଳକାୟ ବେତନ ପ୍ରଦାନରେ ବ୍ୟୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ନ୍ୟୁୟର୍କର ମୁଖ୍ୟ ଦପ୍ତର ଛଡ଼ା ପୃଥିବୀର ବିଭିନ୍ନ ଦେଶରେ ଜାତିସ˚ଘର ୧୨୦୦ଟି ‘କଣ୍ଟ୍ରି ଅଫିସ୍‌’ ବା ଆଂଚଳିକ ଦପ୍ତର କାର୍ଯ୍ୟ କରିଥାଏ (୧୦୦ଟି ଦେଶରେ ୧୦ଟିରୁ ଅଧିକ ‘କଣ୍ଟ୍ରି ଅଫିସ୍‌’ ବିଦ୍ୟମାନ), ଯହିଁରୁ ଅନେକ ଅଣ-ସ˚ଯୋଜିତ ଏବ˚ ଉଦ୍ଦେଶ୍ୟହୀନ ଅସ୍ତିତ୍ବର ଅଧିକାରୀ। ଏହି ବିଶାଳତା ଏଭଳି ଏକ ନିୟନ୍ତ୍ରଣହୀନତାକୁ ଜନ୍ମ ଦେଇଛି ଯେ ଏହାର ଅନେକ ଏଜେନ୍‌ସି ପରସ୍ପର ବିରୋଧୀ ଆଭିମୁଖ୍ୟ ବହନ କରିଥିବା ଦେଖାଯାଉଛି। ଏହାର ଏକ ଉଦାହରଣ ସ୍ବରୂପ ଜଳ ଏବ˚ ଶକ୍ତି କ୍ଷେତ୍ରରେ ୧୭ଟି ଏଜେନ୍‌ସି ଏକ ସୀମିତ ପାଣ୍ଠିର ଅ˚ଶୀଦାର ହେବା ଲାଗି ପରସ୍ପରର ଗୋଡ଼ ଟାଣିବାରେ ଲିପ୍ତ ଏବ˚ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଜାତିସ˚ଘରେ ୩୦ଟି ସରିକି ଏଜେନ୍‌ସି ଉପସ୍ଥିତ। ଏହା ଜାତିସ˚ଘକୁ କିଭଳି ଭାରସାମ୍ୟ ହରାଇଥିବା ଏକ ବିଶାଳ ଜାହାଜରେ ପରିଣତ କଲାଣି, ତାହା ହୃଦ୍‌ବୋଧ କରି ହୋଇଥାଏ।

ଏଠାରେ କୁହାଯାଇପାରେ ଯେ ଶୀତଳ ଯୁଦ୍ଧ କାଳ (୧୯୪୬ରୁ ୧୯୯୧)ରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ସୋଭିିଏତ୍‌ ୟୁନିଅନ ପରସ୍ପରର ମୁହାଁମୁହିଁ ହୋଇଥିବା ବେଳେ ଜାତିସ˚ଘ ଯେପରି ଅନେକ କ୍ଷେତ୍ରରେ ଅତ୍ୟନ୍ତ ନିଷ୍ପ୍ରଭାବୀ ହୋଇ ପଡ଼ିଥିବା ଦୃଷ୍ଟିଗୋଚର ହୋଇଥିଲା, ଶୀତଳ ଯୁଦ୍ଧର ଅବସାନ ପରେ ଏବେ ମଧୢ ସେଭଳି ଦୁର୍ବଳତା ପରିଲକ୍ଷିତ ହେଉଛି; ଯାହାର ଗୋଟିଏ କାରଣ ହେଲା ଜାତିସ˚ଘକୁ ଅଧିକ ଅର୍ଥ ଅନୁଦାନ ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକ ଦ୍ବାରା ଜାତିସ˚ଘ ଉପରେ ଆଧିପତ୍ୟ ବିସ୍ତାର କରାଯିବାର ଦୁର୍ବାର ପ୍ରବଣତା। ତେବେ, ସୋଭିଏତ୍‌ ୟୁନିଅନ୍‌ର ବିଲୟ ପରେ ଜାତିସ˚ଘର ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକା ସମ୍ମୁଖରେ ସୋଭିଏତ୍‌ ସ୍ଥାନରେ ଉଭା ହୋଇଛି ଚୀନ, ଯିଏ ନିଜ ଆଭିମୁଖ୍ୟରେ ଏକ ‘ଉଲ୍‌ଫ ଵାରିଅର‌୍‌ସ’(ଚୀନ୍‌ରେ ନିର୍ମିତ ଏକ ଚମକପ୍ରଦ ହିଟ୍‌ ସିନେମା ଯାହାର ଅର୍ଥ ଗଧିଆ-ଯୋଦ୍ଧା)ସୁଲଭ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି, ଯାହା ଅନ୍ତତଃ ସୋଭିଏତ୍‌ ଠାରେ ଦିଶୁ ନ ଥିଲା। ସ˚ପ୍ରତି ଜାତିସ˚ଘ ଲାଭ କରୁଥିବା ଅନୁଦାନର ଦ୍ବିତୀୟ ସର୍ବାଧିକ ପରିମାଣ ଆସିଥାଏ ଚୀନ୍‌ରୁ (ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ) ଯାହା ହେଉଛି ସମୁଦାୟ ରାଶିର ୧୨ ପ୍ରତିଶତ। ସୁତରା˚, ବହୁ ପୂର୍ବରୁ ଜାତିସ˚ଘର ବିଭିନ୍ନ କାର୍ଯ୍ୟକଳାପରେ ବିଘ୍ନ ସୃଷ୍ଟି କରି ଆସୁଥିବା ଚୀନ୍‌ର ପ୍ରାଦୁର୍ଭାବ ସ˚ପ୍ରତି ଅଧିକ ହୋଇଛି।

ଉଦାହରଣ ସ୍ବରୂପ ଜାତିସ˚ଘର ‘ନିରାପତ୍ତା ପରିଷଦ’ର ସ୍ଥାୟୀ ସଦସ୍ୟତା ଲାଭ କରି ପୃଥିବୀର ୧.୩ ବିଲିଅନ ଜନସ˚ଖ୍ୟାକୁ (ଭାରତବାସୀ) ପ୍ରତିନିଧିତ୍ବ ପ୍ରଦାନ କରିବା ଲାଗି ଭାରତର ଯଥୋଚିତ ଉଦ୍ୟମ ପଥରେ ଚୀନ ହିଁ ଏକମାତ୍ର ଅନ୍ତରାୟ ଭାବେ ଛିଡ଼ା ହୋଇଛି। ଏଠାରେ ପ୍ରକାଶ ଥାଉ କି ୧୯୯୪ ମସିହାରେ ଜାପାନ ଦ୍ବାରା ପ୍ରାରମ୍ଭ ହୋଇଥିବା ‘ନିରାପତ୍ତା ପରିଷଦ’ର ସଦସ୍ୟ ସ˚ଖ୍ୟାରେ ବୃଦ୍ଧିର ଉଦ୍ୟମ ଚୀନ୍‌ର ଏକ ନ୍ୟସ୍ତ ସ୍ବାର୍ଥବାଦୀ କାର୍ଯ୍ୟ ଦ୍ବାରା ବିଫଳ ହୋଇଥିଲା, ଯେତେବେଳେ ଚୀନ୍‌ର ପ୍ରରୋଚନାରେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ମଧୢ ତହିଁରେ ଆସନ ଦାବି କରିଥିଲେ। ଚୀନ୍‌ର ଏତାଦୃଶ କାର୍ଯ୍ୟକଳାପର ତାଲିକା ବେଶ୍‌ ଦୀର୍ଘ। ସ˚ପ୍ରତି କୋଭିଡ୍‌ ସ˚କ୍ରମଣ ଏକ ଭୟାବହ ପ୍ରାଣଘାତୀ ପାନ୍‌ଡେମିକ୍‌ରେ ପରିଣତ ହେବା ପଛରେ ଚୀନ ଦ୍ବାରା ପ୍ରଭାବିତ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ସନ୍ଦିଗ୍‌ଧ ଭୂମିକା ସ˚ପର୍କରେ ଅଧିକ କୁହାଯିବା ଅନାବଶ୍ୟକ। ସେହିଭଳି ଆଫଗାନିସ୍ତାନରେ ତାଲିବାନର ଶାସନକୁ ସ୍ବୀକୃତି ପ୍ରଦାନ କରିବାରେ ଚୀନ୍‌ର ଅଗ୍ରଣୀ ଭୂମିକା ତାକୁ ଏଭଳି ଏକ ଦାୟିତ୍ବହୀନ ରାଷ୍ଟ୍ରର ପରିଚୟ ପ୍ରଦାନ କରିଛି, ଯାହାର ପ୍ରଭାବ ତଳେ ଅଧିକ କାଳ ରହିଲେ ଜାତିସ˚ଘ ବିଶ୍ବ ସମୁଦାୟର ବିଶ୍ବାସହାନିର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଜାତିସ˚ଘରେ ଚୀନ୍‌ର ପ୍ରଭାବ ବିସ୍ତାର ପ୍ରକ୍ରିୟାରେ ଯାହା ସର୍ବାଧିକ ଦାୟୀ, ତହିଁରୁ ଅନ୍ୟତମ ହେଲା ଏହି ଶିଖର ଅନୁଷ୍ଠାନରେ ଅତି ବ୍ୟାପକ ଓ ଗଭୀର ଦୁର୍ନୀତି। ‘ଆସୋସିଏଟେଡ୍‌ ପ୍ରେସ୍‌’ ପକ୍ଷରୁ କରାଯାଇଥିବା ଏକ ଅନୁସନ୍ଧାନମୂଳକ ରିପୋର୍ଟ କହିଥାଏ ଯେ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୁତୟନ ଥିବା ‘ୟୁ.ଏନ୍‌. ପିସ୍‌ କିପି˚ ଫୋର୍ସ‌୍‌’ ବା ‘ଜାତିସ˚ଘ ଶାନ୍ତି ରକ୍ଷା ବାହିନୀ’ ବିଭିନ୍ନ ଗଣହତ୍ୟା ବା ନରସ˚ହାର ଚାଲିଥିବା ବେଳେ ନିରବଦ୍ରଷ୍ଟା ତୁଲ୍ୟ ଛିଡ଼ା ହୋଇ ରହୁଥିବା ବେଳେ ଓଲଟି ସେମାନଙ୍କ ଦ୍ବାରା ସେହି ସବୁ ଅଞ୍ଚଳରେ କରାଯାଉଥିବା ଶୋଷଣ ଓ ଅତ୍ୟାଚାରର ଅଭିଯୋଗଗୁଡ଼ିକୁ ଜାତିସ˚ଘ ଦ୍ବାରା ଫାଇଲ ତଳେ କବର ଦେଇ ଦିଆଯାଏ। ଏହି ରିପୋର୍ଟ ଅନୁସାରେ ଗଲା ୧୨ ବର୍ଷ ମଧୢରେ ଶାନ୍ତି ରକ୍ଷା ବାହିନୀଗୁଡ଼ିକ ଦ୍ବାରା ୨୦୦୦ଟି ସଙ୍ଗିନ ମାନବାଧିକାର ଉଲ୍ଲ˚ଘନ ଓ ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା, ଯହିଁରୁ ୩୦୦ଟି ଥିଲା ଶିଶୁମାନଙ୍କ ବିରୋଧରେ। ଏହି ପରିପ୍ରେକ୍ଷୀରେ ୨୦୧୩ ମସିହାରେ ସାମନାକୁ ଆସିଥିବା ଏକ ସ୍କାଣ୍ତାଲ ମଧୢ ବିଚାରଯୋଗ୍ୟ, ଯହିଁରେ ଅଭିଯୋଗ ଆସିଥିଲା ଯେ ଚୀନ ସରକାରଙ୍କ ଦ୍ବାରା ଉଇଘୁର ମୁସଲମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ବିରୋଧରେ କାର୍ଯ୍ୟ କରୁଥିବା ସମାଜ-କର୍ମୀଙ୍କ ଏକ ତାଲିକା ଜାତିସ˚ଘର ‘ମାନବିକ ଅଧିକାର କମିସନ’ଙ୍କ ପକ୍ଷରୁ ଅତି ସନ୍ତର୍ପଣରେ ଚୀନ୍‌କୁ ହସ୍ତାନ୍ତର କରି ଦିଆଯାଇଥିଲା, ଯାହା ଫଳରେ ଏହି କର୍ମୀମାନଙ୍କ କଣ୍ଠରୋଧ କରିବା ଚୀନ ଲାଗି ସହଜ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଜାତିସ˚ଘର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏ ଆହ୍ବାନ ଜାତିସ˚ଘର ତନ୍ଦ୍ରା ଭଙ୍ଗ କରିବା ଉଚିତ। ତାହା ନ ହେଲେ ଅନେକ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟ କରୁଥିବା ସତ୍ତ୍ବେ ଜାତିସ˚ଘ ବିଶ୍ବକୁ ଦିଗ୍‌ଦର୍ଶନ ଦେବାରେ ତା’ର ଅକ୍ଷମତା ଲାଗି ଏକ ଅଚଳ ମୁଦ୍ରାରେ ପରିଣତ ହେବ।

ସମ୍ବନ୍ଧିତ ଖବର