‘‘ମୋ’ ବିଚାରରେ କିଏ ଭୋଟ୍‌ ଦେବେ କିମ୍ବା କିପରି ଭୋଟ୍‌ ଦେବେ, ତାହା ହେଉଛି ସମ୍ପୂର୍ଣ୍ଣ ରୂପେ ଗୁରୁତ୍ବହୀନ; କିନ୍ତୁ ଯାହା ଅତିଶୟ ଗୁରୁତ୍ବପୂର୍ଣ୍ଣ ତାହା ହେଉଛି ଏହା- କିଏ ଭୋଟ୍‌ ଗୁଡ଼ିକ ଗଣତି କରିବ, ଏବ˚ କିପରି।’’ ପ୍ରାୟ ଏକ ଶତାବ୍ଦୀ ତଳେ ୧୯୨୩ରେ ସୋଭିଏତ୍‌ ଏକଛତ୍ର ଶାସକ ଜୋସେଫ୍‌ ଷ୍ଟାଲିନ୍‌ ପ୍ରଦାନ କରିଥିବା ଏହି ମନ୍ତବ୍ୟ ଏବେ ମଧୢ ଯେ ତା’ର ବିକୃତ ପ୍ରାସଙ୍ଗିକତା ହରାଇ ନାହିଁ, ଏକ ଭିନ୍ନ କିସମର ଭୋଟ୍‌ ଗଣତିରେ ଘଟିଥିବା ଷ୍ଟାଲିନ୍‌ସୁଲଭ ମୋଡ଼ ତାହା ଏକ ବିସ୍ଫୋରକ ଢଙ୍ଗରେ ପ୍ରମାଣ କରିଛି। ଏ ଯେଉଁ ଜନମତ ନିରୂପଣ ଚଞ୍ଚକତା ବର୍ତ୍ତମାନ ଲୋକ ଲୋଚନକୁ ଆସିଛି, ତାହା ଅବଶ୍ୟ କୌଣସି ରାଜନୈତିକ ନିର୍ବାଚନକୁ କେନ୍ଦ୍ର କରି ଘଟି ନାହିଁ, ତାହା ଘଟିଛି ବୋଧହୁଏ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ଏକ ଇଲାକାରେ- ଅର୍ଥନୈତିକ ଜନମତ ନିରୂପଣ କରୁଥିବା ଏକ ଆନ୍ତର୍ଜାତିକ ରିପୋର୍ଟ‌୍ ପ୍ରସ୍ତୁତ କରିବାରେ।

Advertisment

କେଉଁ ଦେଶରେ ବ୍ୟବସାୟ କରିବା କେତେ ସହଜ, ତାହା ଏହି ରିପୋର୍ଟ‌୍ରୁ ଜଣାପଡ଼ିଥାଏ ବୋଲି ବିଶ୍ବାସ କରାଯାଏ ଏବ˚ ତାହାକୁ ଦିଗ୍‌ଦର୍ଶକ ରୂପେ ବ୍ୟବହାର କରି ଆନ୍ତର୍ଜାତିକ ନିବେଶକମାନେ ବ୍ୟବସାୟ-ଅନୁକୂଳ ବୋଲି ଦର୍ଶାଯାଇଥିବା ଦେଶମାନଙ୍କ ଦିଗରେ ମୁହାଁଇଥାନ୍ତି। ଏହାର ଫଳାଫଳ ଯେ ସମ୍ପୃକ୍ତ ଦେଶମାନଙ୍କ ପାଇଁ ଅସୀମ ଗୁରୁତ୍ବ ବହନ କରିଥାଏ, ଏହା ହୃଦୟଙ୍ଗମ କରିବା ପାଇଁ ଅର୍ଥଶାସ୍ତ୍ରରେ କୌଣସି ଡିଗ୍ରି ଲାଭ କରିଥିବା ଆବଶ୍ୟକ ନାହିଁ। ରିପୋର୍ଟ‌୍ଟି ହେଉଛି ବର୍ତ୍ତମାନ ପୃଥିବୀ ସାରା ସୁପରିଚିତ ବିଶ୍ବବ୍ୟାଙ୍କ୍‌ ଦ୍ବାରା ନିୟମିତ ଭାବରେ ପ୍ରସ୍ତୁତ ଓ ପ୍ରକାଶିତ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରିପୋର୍ଟ‌୍‌’ ବା ‘ବ୍ୟବସାୟ ଚଳାଇବାର ସୁଗମତା ରିପୋର୍ଟ‌୍‌’।

ଏହି ରିପୋର୍ଟ‌୍‌’ ପ୍ରକାଶ ପାଇବା ପରେ ଦେଶମାନେ ସେଥି ପ୍ରତି ପ୍ରକାଶ କରୁଥିବା ପ୍ରତିକ୍ରିୟାରୁ ଜଣାପଡ଼ିଥାଏ ଏହା ସେମାନଙ୍କ ପାଇଁ କିଭଳି ଗୁରୁତ୍ବ ବହନ କରିଥାଏ। ଉଦାହରଣ ସ୍ବରୂପ ୨୦୨୦ର ଏହି ରିପୋର୍ଟ‌୍ରେ ଭାରତ ଯେତେବେଳେ ୧୭ଟି ପାହାଚ ଚଢ଼ି ୬୩ ତମ ସ୍ଥାନରେ ପହଞ୍ଚିଲା, ସରକାର ଏହାକୁ ତାଙ୍କର ସଫଳତାର ଏକ ଶକ୍ତିଶାଳୀ ପରିଚାୟକ ରୂପେ ଯେଉଁ ଭଳି ପ୍ରଚାର କରିଥିଲେ, ତାହା କେହି ଭୁଲି ନ ଥିବେ। ଆନ୍ତର୍ଜାତିକ ଅର୍ଥନୈତିକ ଅନୁଷ୍ଠାନମାନ ମଧୢ ନିର୍ଦ୍ଦିଷ୍ଟ ଦେଶମାନଙ୍କ ପ୍ରତି ନିଜର ନିବେଶ ବା ସହାୟତା ଆଭିମୁଖ୍ୟ ନିର୍ଦ୍ଧାରଣ କରିବା ପାଇଁ ବିଶ୍ବବ୍ୟାଙ୍କ୍‌ର ଏହି ମାନ୍ୟତା ତାଲିକାକୁ ବ୍ୟବହାର କରିବା ଦେଖା ଯାଇଥାଏ। ଯେମିତି, ଗତ ବର୍ଷ ମଧୢ-ପ୍ରାଚ୍ୟ ଭଳି ଅସ୍ଥିରତାଗ୍ରସ୍ତ ଅଞ୍ଚଳରେ ଅବସ୍ଥିତ ଜୋର୍ଡାନ୍‌ ଭଳି ଦେଶକୁ ଋଣ ପ୍ରଦାନ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିବା ବେଳେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍‌’) ଏହାର ଯଥାର୍ଥତା ପ୍ରତିପାଦନ କରିବା ନିମିତ୍ତ ବିଶ୍ବବ୍ୟାଙ୍କ୍‌ ରିପୋର୍ଟ‌୍‌ର ମାନ୍ୟତା ତାଲିକାକୁ ବ୍ୟବହାର କରିଥିଲା।

ବୋଧହୁଏ ଯାହା ସବୁଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ଯେଉଁ ବିଶ୍ବବ୍ୟାଙ୍କ୍‌ ଏହି ମାନ୍ୟତା ତାଲିକା ବହନକାରୀ ରିପୋର୍ଟ‌୍‌ ପ୍ରସ୍ତୁତ କରୁଛି, ସେଇ ବିଶ୍ବବ୍ୟାଙ୍କ୍‌ ଯେତେବେଳେ ବିଭିନ୍ନ ଦେଶମାନଙ୍କରେ କାର୍ଯ୍ୟକାରୀ ହେବା ପାଇଁ ପ୍ରକଳ୍ପମାନ ଆବଣ୍ଟନ କରିଥାଏ, ସେତେବେଳେ କେଉଁ ଦେଶକୁ ଏଥିପାଇଁ ଅଗ୍ରାଧିକାର ପ୍ରଦାନ କରାଯିବ, ତାହା ସ୍ଥିର କରିବା ପାଇଁ ନିଜର ଏହି ରିପୋର୍ଟ‌୍‌କୁ ହିଁ ନିୟମିତ ଭାବରେ ବ୍ୟବହାର କରିଥାଏ ବୋଲି ଏବେ ଏକ ସୂଚନା ଉଙ୍କି ମାରିଛି। ପ୍ରକାଶ ଅପେକ୍ଷାରେ ଥିବା ଏହି ବ୍ୟାଙ୍କ୍‌ର ଏକ ଆଭ୍ୟନ୍ତରୀଣ ମୂଲ୍ୟାୟନ ଅନୁସାରେ ବିଗତ ଦଶନ୍ଧିରେ ବିଶ୍ବବ୍ୟାଙ୍କ୍‌ କାର୍ଯ୍ୟକାରୀ କରିଥିବା ପ୍ରାୟ ୧୫.୫ ବିଲିଅନ୍‌ ଡଲାର‌୍‌ ମୂଲ୍ୟର ୬୭୬ଟି ଏଭଳି ପ୍ରକଳ୍ପ ଆବଣ୍ଟନ କରିବା ପାଇଁ ଲକ୍ଷ୍ୟସ୍ଥଳୀ ଚୟନ କରିବା ସମୟରେ ବ୍ୟାଙ୍କ୍‌ ନିଜର ଏହି ରିପୋର୍ଟ ଅନ୍ତର୍ଗତ ମାନ୍ୟତା ତାଲିକାକୁ ମାପକାଠି ରୂପେ ବ୍ୟବହାର କରିଥିବା ଜଣାପଡ଼ିଛି। ଏଥିରୁ ସହଜରେ ବୁଝି ହେବ, ଯଦି ଏହି ରିପୋର୍ଟ‌୍‌ରେ କୌଣସି ଦେଶର ମାନ୍ୟତାକୁ ଜାଣିଶୁଣି ତଳ ଉପର କରି ଦିଆଯାଇ ପାରିବ, ତେବେ ସେ ଦେଶକୁ କିପରି ଅର୍ଥନୈତିକ ଦୃଷ୍ଟିରୁ ବେଶ୍‌ ଲାଭବାନ୍‌ ବା କ୍ଷତିଗ୍ରସ୍ତ କରିଦିଆଯାଇ ପାରିବ।

ଘୋର ଦୁର୍ଭାଗ୍ୟର କଥା, ଏକ ଅନୁସନ୍ଧାନ ରିପୋର୍ଟ‌୍‌ରୁ ଏବେ ଜଣାପଡ଼ିଛି ଯେ ଚୀନ୍‌କୁ ସାହାଯ୍ୟ କରିବା ପାଇଁ ୨୦୧୭ରେ ବିଶ୍ବବ୍ୟାଙ୍କ୍‌ ଠିକ୍‌ ଏଇଭଳି ଏକ ଆଭ୍ୟନ୍ତରୀଣ ଚକ୍ରାନ୍ତ ରଚନା କରି କାର୍ଯ୍ୟକାରୀ କରିଥିଲା। ଏକ ସ୍ବାଧୀନ ଅନୁସନ୍ଧାନକାରୀ ସ˚ସ୍ଥା ଦ୍ବାରା ପ୍ରସ୍ତୁତ ଏହି ଅନୁସନ୍ଧାନ ରିପୋର୍ଟ‌୍‌ ଅନୁସାରେ ୨୦୧୭ରେ ଚୀନ୍‌ ଯେତେବେଳେ ଏକ ପୁଞ୍ଜି ସ˚ଗ୍ରହ ଅଭିଯାନ ଚଳାଇଥିଲା, ସେତିକି ବେଳେ ବିଶ୍ବବ୍ୟାଙ୍କ୍‌ର ଏହି ମାନ୍ୟତା ତାଲିକାରେ ତା’ର ସ୍ଥାନରେ ସ୍ଖଳନ ଘଟିବା ଅବଶ୍ୟମ୍ଭାବୀ ଥିଲା, ଯାହା ସେଠାରେ ପୁଞ୍ଜି ସ˚ଗ୍ରହ ଅଭିଯାନ ପ୍ରତି ଘୋର ବ୍ୟାଘାତ ସୃଷ୍ଟି କରିଥାନ୍ତା। ଏହି ସମୟରେ ଚୀନ୍‌ ଦ୍ବାରା ପ୍ରଭାବିତ ହୋଇ ବିଶ୍ବବ୍ୟାଙ୍କ୍‌ର ସଭାପତି ଜିମ୍‌ ୟଙ୍ଗ୍‌ କିମ୍‌ ଓ ତତ୍କାଳୀନ ମୁଖ୍ୟ ପରିଚାଳିକା କ୍ରିଷ୍ଟାଲିନା ଜର୍ଜିଏଭା ‘ଡୁଇଙ୍ଗ୍‌ ବିଜ୍‌ନେସ୍‌ ରିପୋର୍ଟ‌୍‌’ ପ୍ରସ୍ତୁତ କରୁଥିବା ଟିମ୍‌କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ଯେ ସେମାନେ ଯେପରି ମାନ୍ୟତା ତାଲିକାରେ ଚୀନ୍‌ର ସ୍ଥାନରେ କୌଣସି ସ୍ଖଳନ ନ ଘଟାନ୍ତି। ଯଦି ନିରପେକ୍ଷ ଭାବରେ ତାଲିକା ପ୍ରସ୍ତୁତ ହୋଇଥାନ୍ତା, ତା’ହେଲେ ଚୀନ୍‌ର ସ୍ଥାନ ୭୮ରୁ ଖସି ଆସି ହୋଇଥାନ୍ତା ୮୫। ନିର୍ଦ୍ଦେଶ ମୁତାବକ ଚୀନ୍‌ର ସ୍ଥାନ କିନ୍ତୁ ସେଇ ୭୮ରେ ବଜାୟ ରହିଲା। ଏଇ ନିକଟରେ ହିଁ ଆମେମାନେ ଦେଖିଛୁ ଅନ୍ୟ ଏକ ଆନ୍ତର୍ଜାତିକ ସ˚ଗଠନ- ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’)ର ମୁଖ୍ୟ ଚୀନ୍‌ ଦ୍ବାରା କିଭଳି ପ୍ରଭାବିତ ହୋଇଥିଲେ। ବର୍ତ୍ତମାନ ବିଶ୍ବବ୍ୟାଙ୍କ୍‌।

ସେତିକି ନୁହେଁ, ଏହି କେଳେଙ୍କାରୀର ଅନ୍ୟତମ ସୂତ୍ରଧାରିଣୀ ଶ୍ରୀମତୀ ଜର୍ଜିଏଭା ହେଉଛନ୍ତି ବର୍ତ୍ତମାନ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍‌’)ର ମୁଖ୍ୟ। ବିଶ୍ବ ବ୍ୟାଙ୍କ୍‌ ପରି ‘ଆଇଏମ୍‌ଏଫ୍‌’ର ମଧୢ ଏକ ପ୍ରଭାବଶାଳୀ ଗବେଷଣା ଓ ରିପୋର୍ଟ‌୍‌ ପ୍ରସ୍ତୁତକାରୀ ବିଭାଗ ରହିଛି। ସାରା ପୃଥିବୀର ଦେଶମାନଙ୍କ ପାଇଁ ବିଭିନ୍ନ ଅର୍ଥନୈତିକ ପରିସ˚ଖ୍ୟାନର ଶୁଦ୍ଧତା ରକ୍ଷା ପାଇଁ ମାନ ନିର୍ଦ୍ଧାରଣର ଦାୟିତ୍ବ ଏହି ସ˚ସ୍ଥା ବହନ କରିଥାଏ।

‘ଆଇଏମ୍‌ଏଫ୍‌’ର ଦୁଇ ବୃହତ୍ତମ ଅ˚ଶୀଦାର ହେଉଛନ୍ତି ଆମେରିକା ଓ ଚୀନ୍‌। ଚୀନ୍‌ ପ୍ରତି ଏଭଳି ପକ୍ଷପାତିତା ପ୍ରଦର୍ଶନ କରିଥିବା ସେଇ କ୍ରିଷ୍ଟାଲିନା ଜର୍ଜିଏଭା ବର୍ତ୍ତମାନ ତେଣୁ ‘ଆଇଏମ୍‌ଏଫ୍‌’ର ମୁଖ୍ୟ ପଦରେ ମହଜୁଦ୍‌ ରହିବା ନୈତିକତା ଦୃଷ୍ଟିରୁ ଯେ ଆଦୌ ଗ୍ରହଣୀୟ ନୁହେଁ, ତାହା ଖୋଦ୍‌ ଜର୍ଜିଏଭା ବେଶ୍‌ ଭଲ ରୂପେ ହୃଦୟଙ୍ଗମ କରିସାରିଥିବେ। ଭବିଷ୍ୟତ୍‌ରେ ଚୀନ୍‌କୁ କେନ୍ଦ୍ର କରି ଯେ କୌଣସି ବିବାଦରେ ତାଙ୍କର ଯେ କୌଣସି ନିଷ୍ପତ୍ତିକୁ ପର୍ଯ୍ୟବେକ୍ଷକମାନେ ନିଶ୍ଚିତ ରୂପେ ସନ୍ଦେହ ଚକ୍ଷୁରେ ଦେଖିବେ। ତା’ ପୂର୍ବରୁ ଜର୍ଜିଏଭା ଆପଣାଛାଏଁ ଇସ୍ତଫା ଦେଇ ‘ଆଇଏମ୍‌ଏଫ୍‌’ରୁ ଚାଲିିଯିବା ଉଚିତ ହେବ।