ଇନ୍ଧନ ଅନ୍ୟାୟ
ଭାରତର ମଟରଗାଡ଼ି ଶିଳ୍ପ ହେଉଛି ବର୍ତ୍ତମାନ ପୃଥିବୀରେ ପଞ୍ଚମ ବୃହତ୍ତମ। ୨୦୩୦ ବେଳକୁ ଏହା ପୃଥିବୀରେ ତୃତୀୟ ବୃହତ୍ତମରେ ପରିଣତ ହେବାକୁ ଯାଉଛି। ବର୍ତ୍ତମାନ ଏହି ମଟରଗାଡ଼ିଗୁଡ଼ିକ ଏଠାରେ ମୁଖ୍ୟତଃ ପେଟ୍ରୋଲ୍, ଡିଜେଲ୍ ଭଳି ଜୀବାଶ୍ମ ଇନ୍ଧନ ଜାଳି ଗତିଶୀଳ ହୋଇଥାନ୍ତି। ୨୦୩୦ ବେଳକୁ ଦେଶର ସମସ୍ତ ଗାଡ଼ି କିନ୍ତୁ ଗତିଶୀଳ ହେବା ପାଇଁ ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍ ସେତେବେଳକୁ ଦେଶର ସମସ୍ତ ମଟରଗାଡ଼ି ହୋଇଯାଇଥିବେ ‘ଇଲେକ୍ଟ୍ରିକ୍ ଭେଇକ୍ଲ’ ବା ସ˚କ୍ଷେପରେ- ‘ଇଭି’।
Sambad is now on WhatsApp
Join and get latest news updates delivered to you via WhatsApp
ମଟରଗାଡ଼ି ଶିଳ୍ପର ଏହି ରୂପାନ୍ତର ପଛରେ ରହିଥିବା ମୁଖ୍ୟ କାରଣମାନ ସୁବିଦିତ: ବର୍ତ୍ତମାନ ଆମକୁ ବହନ କରିବାକୁ ପଡୁଥିବା ବିଦେଶରୁ ତୈଳ ଆମଦାନି ବୋଝ (ଆମର ଆବଶ୍ୟକତାର ୮୨ ଶତା˚ଶ ଆମକୁ ଆମଦାନି ଦ୍ବାରା ପୂରଣ କରିବାକୁ ହୋଇଥାଏ); ଜୀବାଶ୍ମ ଇନ୍ଧନ ଦହନ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ପରିବେଶ ପ୍ରଦୂଷଣ; ପୃଥିବୀ ସମ୍ମୁଖୀନ ହୋଇଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ଆନ୍ତର୍ଜାତିକ ରାଜିନାମାମାନଙ୍କରେ ସ୍ବାକ୍ଷରକାରୀ ଦେଶ ରୂପେ ଆମର ଅଙ୍ଗୀକାରବଦ୍ଧ ଦାୟିତ୍ବ ନିର୍ବାହ ଇତ୍ୟାଦି।
ଏକ ହିସାବ ଅନୁସାରେ ଯେତେବେଳେ ଦେଶରେ ‘ଇଭି’ମାନଙ୍କର ବ୍ୟାପକ ପ୍ରଚଳନ ଆରମ୍ଭ ହେବ, ସେତେବେଳେ ତା’ ସହିତ ତାଳ ଦେଇ ବିଭିନ୍ନ ସୂତ୍ରରୁ ବିଦ୍ୟୁତ୍ ଶକ୍ତିର ଦକ୍ଷ ଉତ୍ପାଦନ ଏପରି ବୃଦ୍ଧି ପାଇବ ଯେ ଏହି ଗାଡ଼ିଗୁଡ଼ିକ ଗୋଟିଏ କିମି ପଥ ଯାତ୍ରା କରିବା ପାଇଁ ମାତ୍ର ପ୍ରାୟ ଗୋଟିଏ ଟଙ୍କାର ବିଦ୍ୟୁତ୍ ଶକ୍ତି ବ୍ୟବହାର କରିବେ। ସେଇ ହିସାବ ଅନୁସାରେ ସେତେବେଳେ ‘ଇଭି’ ମାଲିକମାନଙ୍କ ପାଇଁ ଯେଉଁ ସୁନେଲି ଭବିଷ୍ୟତ୍ର କଳ୍ପନା କରାଯାଇଛି, ତାହା ହେଲା ଜଣେ ‘ଇଭି’ ମାଲିକ ତାଙ୍କ ଗାଡ଼ିରେ ୫,୦୦୦ କିମି ପଥ ଅତିକ୍ରମ କଲେ ଆଜିର ପେଟ୍ରୋଲ୍/ଡିଜେଲ୍ ଚାଳିତ ଗାଡ଼ିରେ ହେଉଥିବା ଖର୍ଚ୍ଚ ତୁଳନାରେ ସେ ୨୦,୦୦୦ ଟଙ୍କା ବଞ୍ଚାଇ ପାରିବେ।
ଅଡ଼ୁଆ କଥା ହେଲା, ବର୍ତ୍ତମାନ କିନ୍ତୁ ସେ ଦିନ ଆସି ନାହିଁ। ବର୍ତ୍ତମାନର ସତ୍ୟ ହେଲା- ଦେଶର ଅଧିକା˚ଶ ସ୍ଥାନରେ ଏହି ଜୀବାଶ୍ମ ଇନ୍ଧନର ଦାମ୍ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇ ସାରିଛି। ସଦ୍ୟ ଉପଲବ୍ଧ ସୂଚନା ଅନୁସାରେ ଭାରତ ଆମଦାନି କରୁଥିବା ବ୍ରେଣ୍ଟ୍ ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍ ପିଛା ୮୦ ଡଲାର୍ ଅତିକ୍ରମ କରି ସାରି ଅବିଳମ୍ବେ ୯୦ ଡଲାର୍ ଛୁଇଁବା ଦିଗରେ ମୁହାଁଇଛି। ଭାରତୀୟ ଖାଉଟିମାନଙ୍କ ପାଇଁ ନିକଟରେ ତେଣୁ ଗାଡ଼ି ତେଲ ଦରରେ ହ୍ରାସ ଘଟିବା ସମ୍ଭାବନା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି ପ୍ରସଙ୍ଗରେ ନିକଟ ଅତୀତର ଇତିହାସ ପ୍ରଣିଧାନଯୋଗ୍ୟ। ଦେଶରେ ଚୀନା କରୋନା ଜନିତ କୋଭିଡ୍ ମହାମାରୀର ଆବିର୍ଭାବର ଠିକ୍ ପୂର୍ବରୁ ୨୦୨୦ ଜାନୁଆରିରେ ଭାରତ ପାଇଁ ଅଶୋଧିତ ତେଳର ବ୍ୟାରେଲ୍ ପିଛା ମୂଲ୍ୟ ଥିଲା ୬୪ ଡଲାର୍। ସେତେବେଳେ ଦିଲ୍ଲୀରେ ଖାଉଟିମାନଙ୍କ ପାଇଁ ପେଟ୍ରୋଲ୍ ଲିଟର ପିଛା ମୂଲ୍ୟ ଥିଲା ୭୫ ଟଙ୍କା। ଏହାର ଚାରି ମାସ ପରେ ଏପ୍ରିଲ୍ରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ଖସି ଆସି ପହଞ୍ଚି ଯାଇଥିଲା ଏକ ଅଭାବନୀୟ ୨୦ ଡଲାର୍ରେ। ଅଶୋଧିତ ତୈଳର ମୂଲ୍ୟରେ ଏପରି ତୀବ୍ର ସ୍ଖଳନ ସତ୍ତ୍ବେ ସେଠାରେ ପେଟ୍ରୋଲ୍ ଦରରେ ଏକ ନାମମାତ୍ର ହ୍ରାସ ଘଟି ଲିଟର ପିଛା ୭୦ ଟଙ୍କା ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୭୩.୫୦ ଡଲାର୍ ଛୁଇଁବା ପରେ ଏଠାରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିଲା। ତୁଳନା କଲେ ଦେଖାଯାଇଥାଏ ଯେ ଅଶୋଧିତ ତୈଳ ଦରରେ ୧୫ ଶତା˚ଶ ବୃଦ୍ଧି ଘଟିବା ପରେ ପେଟ୍ରୋଲ୍ ଦାମ୍ରେ ଘଟିଥିବା ବୃଦ୍ଧିର ହାର ଥିଲା ୩୩ ଶତା˚ଶ।
ବଜାରରେ ଅନ୍ୟ ଦ୍ରବ୍ୟ ଓ ସେବା ସବୁର ଦର ଉପରେ ତୈଳ ଦର ବୃଦ୍ଧିର ପ୍ରଭାବ ସମ୍ବନ୍ଧରେ ସମସ୍ତେ ଜାଣନ୍ତି। ଦେଶରେ ମୁଦ୍ରାସ୍ଫୀତି ଅବଶ୍ୟମ୍ଭାବୀ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ଆରମ୍ଭ କଲେଣି ମଧୢ। ସୌଭାଗ୍ୟବଶତଃ ଖାଦ୍ୟଦ୍ରବ୍ୟ ଦରରେ ଏକ କ୍ଷୀଣ ସ୍ଖଳନ ଘଟିଥିବା ଯୋଗୁଁ ଶିରୋନାମା ମୁଦ୍ରାସ୍ଫୀତି ପରିସ˚ଖ୍ୟାନ କିଛିଟା ନିୟନ୍ତ୍ରଣ ମଧୢରେ ରହିଛି। ରିଜର୍ଭ ବ୍ୟାଙ୍କ୍ ଏହାକୁ ଆଶ୍ରୟ କରି ବର୍ତ୍ତମାନ ପାଇଁ ସୁଧ ହାରରେ ବୃଦ୍ଧି ଘଟାଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବାରୁ ନିବୃତ୍ତ ରହିଛି।
୨୦୨୧-୨୨ ବିତ୍ତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ୍ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୫.୭ ଶତା˚ଶ ହେବ ବୋଲି ପୂର୍ବାନୁମାନ କରିଛି। ଖାଉଟି ମୁଦ୍ରାସ୍ଫୀତି ହାରକୁ ୪-୬ ଶତା˚ଶ ବଳୟ ମଧୢରେ ଆବଦ୍ଧ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଆଇନ ଅନୁସାରେ ପ୍ରତିଶ୍ରୁତିବଦ୍ଧ। ଯଦି କୌଣସି କାରଣରୁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରରେ ଆଉ ୦.୩ ଶତା˚ଶରୁ ଅଧିକ ବୃଦ୍ଧି ଘଟି ୬.୦ ଶତା˚ଶ ଉପର ସୀମା ଅତିକ୍ରମ କରେ ଓ ତାହା କିଛି ସମୟ ପାଇଁ ସୀମା ସେପଟେ ଅବସ୍ଥାନ କରି ଚାଲେ, ତେବେ ରିଜର୍ଭ ବ୍ୟାଙ୍କ୍କୁ ବାଧୢ ହୋଇ ସୁଧ ହାରରେ ବୃଦ୍ଧି ଘଟାଇବାକୁ ହେବ, ଯାହା ସେ ଏ ପର୍ଯ୍ୟନ୍ତ ଟାଳିବାକୁ ଚେଷ୍ଟା କରି ଆସିଛି। ଏହାର କାରଣ ହେଉଛି- ସୁଧ ହାରରେ ବୃଦ୍ଧି ଯୋଗୁଁ ଋଣ ମହଙ୍ଗା ହୋଇ ନିବେଶକୁ ନିରୁତ୍ସାହିତ କରିବ ଓ ଅର୍ଥନୀତିର ଅଭିବୃଦ୍ଧି ପ୍ରତି ବାଧା ପହଞ୍ଚାଇବ। ବିପଦ ହେଲା ତୈଳ ଦର ଯଦି ଅଧିକ କାଳ ଏଇ ଭଳି ଉଚ୍ଚା ରହେ, ତେବେ ତାହା ମୁଦ୍ରାସ୍ଫୀତିକୁ ଉପରୋକ୍ତ ବଳୟ ଲ˚ଘନ କରିବାକୁ ଇନ୍ଧନ ଯୋଗାଇବା ପ୍ରାୟ ନିଶ୍ଚିତ।
ଏଥିରେ ସନ୍ଦେହ ନାହିଁ ଯେ କେନ୍ଦ୍ର ସରକାର ତୈଳ ଉପରେ ଟିକସରୁ ବେଶ୍ ସମ୍ବଳ ସ˚ଗ୍ରହ କରୁଛନ୍ତି (ବର୍ତ୍ତମାନ ପ୍ରତି ଲିଟର ପେଟ୍ରୋଲ୍ ଉପରେ ଟ. ୩୨.୯୦ ପ ଓ ଡିଜେଲ୍ ଉପରେ ଟ. ୩୧.୮୦ ପ)। ରାଜ୍ୟ ସରକାରମାନେ ମଧୢ ମୂଲ୍ୟଯୁକ୍ତ କର ବା ‘ଭ୍ୟାଟ୍’ ବସାଇ ଏଥିରୁ ମୋଟା ଆକାରର ସମ୍ବଳ ଉପୁଜାଇଥାନ୍ତି। ୨୦୨୦-୨୧ ବିତ୍ତ ବର୍ଷରେ ପେଟ୍ରୋଲ୍, ଡିଜେଲ୍ ବ୍ୟବହାରରେ ପ୍ରାୟ ୯ ଶତା˚ଶ ସ˚କୋଚନ ଘଟିଥିଲେ ହେଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଥିରୁ ମୋଟ ୬.୩୫ ଲକ୍ଷ କୋଟି ଟଙ୍କାର ମୋଟ ଟିକସ ଆଦାୟ କରିଥିଲେ। ବର୍ତ୍ତମାନ କିନ୍ତୁ ଅର୍ଥନୀତି ପୁଣି ସକ୍ରିୟ ହେବାକୁ ଆରମ୍ଭ କରି ସରକାରଙ୍କ ରାଜସ୍ବ ସ˚ଗ୍ରହରେ ଉଲ୍ଲେଖନୀୟ ଉନ୍ନତି ଘଟାଇଲାଣି। ‘ଜିଏସ୍ଟି’ ସ˚ଗ୍ରହ ମାସିକ ହାରାହାରି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ଚାଲିଥିବା ବେଳେ ପ୍ରତ୍ୟକ୍ଷ କର ସ˚ଗ୍ରହରେ ୭୪ ଶତା˚ଶ ବୃଦ୍ଧି ଘଟିବା ଦେଖାଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଦେଇଛି। ତେଣୁ ସରକାର ଚାହିଁଲେ ବର୍ତ୍ତମାନ ପେଟ୍ରୋଲ୍, ଡିଜେଲ୍ ଭଳି ଅତ୍ୟାବଶ୍ୟକ ପଦାର୍ଥ ଉପରେ ଟିକସ ବୋଝ କୋହଳ କରି ଖାଉଟିମାନଙ୍କ ପାଇଁ ଜୀବନ ଧାରଣର ବୋଝ ହାଲୁକା କରିବା ସହିତ ଆସନ୍ନ ମୁଦ୍ରାସ୍ଫୀତି ବିପଦକୁ ଟାଳନ୍ତେ ଓ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାନ୍ତେ।
ଯେ ହେତୁ ଆଉ କେତେ ବର୍ଷ ମଧୢରେ ‘ଇଭି’ମାନଙ୍କର ବ୍ୟାପକ ପ୍ରବେଶ ସହିତ ତାଳ ଦେଇ ଭାରତର ସଡ଼କ ମାନଙ୍କରୁ ପେଟ୍ରୋଲ୍ ଓ ଡିଜେଲ୍ ଇନ୍ଧନ ଜାଳୁଥିବା ଗାଡ଼ିମାନ ଅନ୍ତର୍ଦ୍ଧାନ ହୋଇଯିବା ହେଉଛି ଏକ ଅବଧାରିତ ସତ୍ୟ, ବର୍ତ୍ତମାନ ଏହି ଇନ୍ଧନମାନଙ୍କର ବ୍ୟବହାରକୁ ନିରୁତ୍ସାହିତ କରିବା ଆଳରେ ଉଚ୍ଚା ଟିକସ ମାଧୢମରେ ସେ ସବୁକୁ ମହଙ୍ଗା କରି ସାଧାରଣ ଖାଉଟିମାନଙ୍କର ଅର୍ଥନୈତିକ ମେରୁଦଣ୍ତ ଭାଙ୍ଗିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ମହଙ୍ଗା ଇନ୍ଧନ ମଧୢ ନୂଆ ଗାଡ଼ିର ଚାହିଦାକୁ ସ˚କୁଚିତ କରିଥାଏ, ଯାହା ଏହି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପାଇଁ ଆଘାତ ପହଞ୍ଚାଇଥାଏ। ‘ଇଭି’ ଶିଳ୍ପ ତା’ର ସ୍ଥାନ ନ ନେଇଥିବା ପର୍ଯ୍ୟନ୍ତ, ପାରମ୍ପରିକ ମଟରଗାଡ଼ି ଶିଳ୍ପ ପ୍ରତି ଏଭଳି ବ୍ୟାଘାତ ସୃଷ୍ଟି କରିବା ଭାରତୀୟ ଅର୍ଥନୀତି ପାଇଁ ମଙ୍ଗଳପ୍ରଦ ନୁହେଁ। ଟିକସ ହଟାଇ ବର୍ତ୍ତମାନ ପେଟ୍ରୋଲ୍, ଡିଜେଲ୍କୁ ସୁଲଭ କରିବାର ସମୟ ଉପସ୍ଥିତ।