ଭଗ୍ନ ପୋତ

ଭାରତର ରାଜନୀତିର ମହୋଦଧିରେ କ˚ଗ୍ରେସ ଦଳ ଏକ ଝଡ଼ ବିଧ୍ବସ୍ତ ବିଶାଳ ଭଗ୍ନ ପୋତ ସଦୃଶ ଲକ୍ଷ୍ୟହୀନ ଭାବେ ଭାସି ବୁଲୁଥିବାର ଚିତ୍ରକଳ୍ପଟି ଅନେକ ସମୟରେ ଯଥାର୍ଥ ଭଳି ମନେ ହୋଇଥାଏ। ଏବେ ସେହି ଦୃଷ୍ଟାନ୍ତ ପ୍ରଦାନ କରି ସି.ପି.ଆଇ.ର ଯୁବ ନେତା ତଥା ଜେ.ଏନ୍‌.ୟୁ. ଛାତ୍ର ସ˚ସଦର ପୂର୍ବତନ ସଭାପତି କହ୍ନୈୟା କୁମାର ଦଳକୁ ରକ୍ଷା କରିବା ଉଦ୍ଦେଶ୍ୟରେ କ˚ଗ୍ରେସରେ ଯୋଗ ଦେଇଛନ୍ତି। ପ୍ରକାଶ ଥାଉ କି କହ୍ନୈୟା କୁମାର ବିଧିବଦ୍ଧ ଭାବେ କ˚ଗ୍ରେସରେ ଯୋଗ ଦେଇଥିବା ବେଳେ ଗୁଜରାଟର ଅଗ୍ନି-ବର୍ଷୀ ଦଳିତ ଯୁବ ନେତା ତଥା ସ୍ବାଧୀନ ବିଧାୟକ ଜିଗ୍ନେଶ ମେଵାନି ଦଳରେ ସାମିଲ ହେବା ବିଷୟ ସ୍ପଷ୍ଟ ହୋଇ ସାରିଥିବା ସତ୍ତ୍ବେ ‘ଦଳ ବଦଳ ଆଇନ’ର ଖିଲାପ ଭଳି ପ୍ରତିବନ୍ଧ କାରଣରୁ ସେ ଔପଚାରିକ କ˚ଗ୍ରେସୀରେ ପରିଣତ ହୋଇ ନାହାନ୍ତି। ଆକ୍ରାମକ ମନୋଭାବଧାରୀ ଅତ୍ୟନ୍ତ ଦକ୍ଷ ସ˚ଗଠକ ଭାବେ ପରିଚିତ ଯୁବ ନେତା ଦ୍ବୟଙ୍କ ଦ୍ବାରା ଏକ ମୁମୂର୍ଷୁ କ˚ଗ୍ରେସରେ ନୂତନ ପ୍ରାଣ ସ˚ଚାର ହେବାର ଆଶା ଉଜ୍ଜୀବିତ ହୋଇଛି। କ˚ଗ୍ରେସ ନାମକ ଏହି ବିଶାଳ ଭଗ୍ନ ପୋତକୁ ଦିଗ ପ୍ରଦାନ କରି ଏକ ପୋତାଶ୍ରୟରେ ପହଞ୍ଚାଇବାରେ ଏ ଦୁହିଁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପାରେ ବୋଲି ଅସ˚ଖ୍ୟ କ˚ଗ୍ରେସ ପ୍ରେମୀଙ୍କ ମତ। ସୁତରା˚, ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।

କ˚ଗ୍ରେସରେ ଯୋଗଦାନ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ କହ୍ନୈୟା କୁମାର ଯାହା କହିଛନ୍ତି, ତାହା ହେଲା ଏକ ‘ବିଶାଳ ଜାହାଜକୁ ବିପଦରୁ ରକ୍ଷା କରା ନ ଗଲେ ଛୋଟ ଡଙ୍ଗାଗୁଡ଼ିକ ମଧ୍ୟ ଡୁବିଯିବେ। ଏହାର ଅର୍ଥ ସେ କଂଗ୍ରେସ ନାମଧାରୀ ଲକ୍ଷ୍ୟହୀନ ଭାବେ ଭାସି ବୁଲୁଥିବା ଏକ ଦୋଦୁଲ୍ୟମାନ ଜାହାଜର ରକ୍ଷାକର୍ତ୍ତା ରୂପରେ ଅପାତତଃ ଆବିର୍ଭୂତ ହୋଇଛନ୍ତି। ସେ ଆହୁରି କହିଛନ୍ତି ଯେ କ˚ଗ୍ରେସ ଭଳି ସର୍ବପୁରାତନ ତଥା ଜାତୀୟ ସ୍ତରରେ ଦ୍ବିତୀୟ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ମୁଖ୍ୟ ସ୍ରୋତୀୟ ପାର୍ଟିକୁ ଅସ୍ତିତ୍ବ-ଶୂନ୍ୟ କରି ଏକ ନିର୍ବିରୋଧ ଓ ନିରଙ୍କୁଶ ଶାସନ ସ୍ଥାପନ ଲାଗି ବିଜେପିର ପ୍ରଚେଷ୍ଟାରେ ବିରାମ ଲଗାଇବା ଅତ୍ୟନ୍ତ ଜରୁରୀ। ଏଥିରୁ ହୃଦ୍‌ବୋଧ ହୋଇଥାଏ ଯେ କ˚ଗ୍ରେସ ପ୍ରତି ଆକର୍ଷିତ ହୋଇ ସେ ଦଳରେ ପ୍ରବେଶ କରିନାହାନ୍ତି, ବର˚ ସେ ନିଜକୁ କ˚ଗ୍ରେସର ଏକ ତ୍ରାଣକର୍ତ୍ତା ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ କହ୍ନୈୟା କୁମାର ଜଣେ ବିଚକ୍ଷଣ ସ˚ଗଠକ ଏବ˚ ମହାଭାରତର ଅର୍ଜୁନଙ୍କ ତୁଲ୍ୟ କ˚ଗ୍ରେସ ସକାଶେ ବିପକ୍ଷ ଆକ୍ରମଣର ଅତ୍ୟନ୍ତ ଦୃଢ଼ ମୁକାବିଲା କରି ପାରିବେ। କିନ୍ତୁ ସମସ୍ୟା ସେତିକିବେଳେ ସୃଷ୍ଟି ହେବାର ସମ୍ଭାବନା ରହିଥାଏ, ଯେତେବେଳେ କହ୍ନୈୟା କୁମାର ନିଜକୁ ଅର୍ଜୁନଙ୍କ ଭୂମିକାରେ ସୀମାବଦ୍ଧ ନ ରଖି ସାରଥି ଶ୍ରୀକୃଷ୍ଣଙ୍କ ଭୂମିକାରେ ମଧୢ ଦେଖିବାକୁ ଇଚ୍ଛା କରିବେ। ତେବେ, ପ୍ରଶ୍ନ ‌େହଲା, କହ୍ନୈୟା କୁମାରଙ୍କ ଭଳି ଯୁବ ନେତା ଯେଉଁ ପ୍ରକାର ନେତୃତ୍ବ ପ୍ରଦର୍ଶନ କରିବାରେ ଅଭ୍ୟସ୍ତ, ତାହାର ସୁଯୋଗ ତାଙ୍କୁ କ˚ଗ୍ରେସ ଦଳରେ ମିଳି ପାରିବ ତ?

ଏଭଳି ପ୍ରଶ୍ନର କାରଣ କ’ଣ ବୋଲି ପଚରାଗଲେ ଉତ୍ତର ସ୍ବରୂପ ଏହି ଦୁଇ ଦିନ ମଧୢରେ ଘଟି ଯାଇଥିବା ଆଉ ଦୁଇଟି ଘଟଣା ଆବିର୍ଭୂତ ହୋଇଥାଏ। ତହିଁରୁ ଗୋଟିଏ ହେଲା କହ୍ନୈୟା କୁମାରଙ୍କ କ˚ଗ୍ରେସରେ ଯୋଗଦାନ କରିବା ଦିନ ହିଁ ପଞ୍ଜାବ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ପଦରୁ ଅତ୍ୟନ୍ତ ଅତର୍କିତ ଭାବେ ନବଜୋତ ସି˚ହ ସିଦ୍ଧୁଙ୍କ ଇସ୍ତଫା ପ୍ରଦାନ ଏବ˚ ଦ୍ବିତୀୟଟି ହେଲା କ˚ଗ୍ରେସର ମୂଳ ନେତୃତ୍ବ ବିରୋଧରେ ବରିଷ୍ଠ ନେତା କପିଳ ଶିବଲଙ୍କ ବିଷୋଦ୍‌ଗାର। ପଞ୍ଜାବରେ ରାଜ୍ୟ ନିର୍ବାଚନ ମୁଣ୍ତ ଉପରେ ଥିବା ବେଳେ ସେଠାକାର କ୍ଷମତାସୀନ କ˚ଗ୍ରେସ ସରକାରରେ ପରିଦୃଷ୍ଟ ହେଉଥିବା ତୀବ୍ର ଦଳୀୟ କନ୍ଦଳ ନେଇ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଅବଗତ ଥିବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସି˚ହ ଏବ˚ ପଞ୍ଜାବ ପ୍ରଦେଶ କ˚ଗ୍ରେସ କମିଟିର ସଭାପତି ନବଜୋତ ସି˚ହ ସିଦ୍ଧୁଙ୍କ ମଧୢରେ ମନୋମାଳିନ୍ୟ ଏବ˚ ସିଦ୍ଧୁଙ୍କ ପକ୍ଷରେ ନିଷ୍ପତ୍ତି ନେଇ କ˚ଗ୍ରେସ ହାଇକମାଣ୍ତଙ୍କ ଦ୍ବାରା ଅମରିନ୍ଦର ସି˚ହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ ସହିତ ଦଳିତ ଶିଖ ନେତା ଚରଣଜିତ ସି˚ହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରିତ୍ବ ପ୍ରଦାନ ଭଳି ଘଟଣାକ୍ରମର ପଟୁୁଆରରେ ଏବେ ଯୋଡ଼ି ହୋଇଛି ସିଦ୍ଧୁଙ୍କ ଦଳୀୟ ପଦରୁ ଇସ୍ତଫା। କହିବା ଅନାବଶ୍ୟକ ଯେ ଏହା ପଞ୍ଜାବ ପ୍ରଦେଶ କ˚ଗ୍ରେସକୁ ଦୁଇଟି ତୀବ୍ର ବିରୋଧୀ ଶିବିରରେ ବିଭାଜିତ କରିବା ସହିତ ଦଳକୁ ଏକ ତ୍ରିଶଙ୍କୁରେ ଛିଡ଼ା କରାଇଛି।

ଗଣମାଧୢମ ସୂତ୍ର ଅନୁସାରେ ସିଦ୍ଧୁଙ୍କ ସଖୀକଣ୍ଢେଇ ହେବାକୁ ନୂତନ ମୁଖ୍ୟମନ୍ତ୍ରୀ ଚନ୍ନି ଅରାଜି ହେବା ହିଁ ସିଦ୍ଧୁଙ୍କୁ କ୍ଷୁବ୍‌ଧ କରିଛି। ସେହିଭଳି କହ୍ନୈୟା କୁମାରଙ୍କ କ˚ଗ୍ରେସ ପ୍ରବେଶ ପରେ ପରେ କପିଳ ଶିବଲଙ୍କ ଦ୍ବାରା ବ୍ୟକ୍ତ ତୀବ୍ର ଅସନ୍ତୋଷର କାରଣ ହେଉଛି ଅତ୍ୟନ୍ତ ଦୁର୍ବଳ ପଡ଼ି ଯାଇଥିବା କ˚ଗ୍ରେସକୁ ଦିଗ୍‌ଦର୍ଶନ ଦେବା ସହିତ ଦଳକୁ ଆକ୍ରାନ୍ତ କରୁଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଲାଗି କ˚ଗ୍ରେସ କାର୍ଯ୍ୟକାରିଣୀ କମିଟି ବା ‘ସି.ଡବ୍ଲ୍ୟୁ.ସି.’ର ବୈଠକ ଆୟୋଜନ ସକାଶେ ହାଇ କମାଣ୍ତଙ୍କ ଅନିଚ୍ଛା। ତେବେ ଏହାର ଅନ୍ତରାଳରେ କପିଳ ଶିବଲ ଏବ˚ ତାଙ୍କ ସମଭାବାସ˚ପନ୍ନ ବରିଷ୍ଠ କ˚ଗ୍ରେସୀ ନେତାମାନେ ପୋଷଣ କରିଥିବା ଇଚ୍ଛାଟି ହେଉଛି କ˚ଗ୍ରେସ ଲାଗି ଏକ ବିକଳ୍ପ ନେତୃତ୍ବର ସନ୍ଧାନ, ଯାହା ଗାନ୍ଧୀ ପରିବାର ବାହାରୁ ଆସୁଥିବ। ତେବେ, କେବଳ ଶିବଲ ବା ତାଙ୍କ ସମଭାବାପନ୍ନ ନେତାମାନେ ନୁହନ୍ତି, ଅଧିକା˚ଶ ରାଜନୈତିକ ପର୍ଯ୍ୟବେକ୍ଷକ ମଧୢ କ˚ଗ୍ରେସର ମଙ୍ଗଳ ସକାଶେ ଏଭଳି ଏକ ବିକଳ୍ପ ନେତୃତ୍ବର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଥାଆନ୍ତି। କିନ୍ତୁ ଏଭଳି ମତ ସହିତ ଯେଉଁ ଅସହଜ ପ୍ରଶ୍ନଟିର ଆବିର୍ଭାବ ଘଟିଥାଏ, ତାହା ସେମାନଙ୍କୁ ପ୍ରାୟତଃ ନିରୁତ୍ତର କରିଦିଏ। ପ୍ରଶ୍ନଟି ହେଲା କ˚ଗ୍ରେସ ନେତୃତ୍ବ ଦେବା ଲାଗି ଗାନ୍ଧୀ ପରିବାର ବାହାରେ ଆଉ ବିକଳ୍ପ ଅଛି କି? ଉଭୟ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ସ˚ପ୍ରତି କ˚ଗ୍ରେସ ନାହିଁ ନ ଥିବା ଦୁର୍ବିପାକଗ୍ରସ୍ତ ହୋଇ ପଡ଼ିଥିବା ସତ୍ତ୍ବେ ଏବେ ସୁଦ୍ଧା ଦଳ ମଧ୍ୟରେ ଗାନ୍ଧୀ ପରିବାର ପ୍ରତି ଅନୁଗତଙ୍କ ସ˚ଖ୍ୟା ସର୍ବାଧିକ; ଏବ˚ କୌଣସି ବରିଷ୍ଠ ନେତା ତାଙ୍କର ସମକକ୍ଷ ନୁହନ୍ତି।

କିନ୍ତୁ ଉଭୟ ସିଦ୍ଧୁ ଏବ˚ କପିଳ ଶିବଲଙ୍କ ଆଚରଣ ଭିତରେ ଯାହା ପରିଦୃଶ୍ୟ ହୋଇଥାଏ, ତାହା ହେଲା ସେମାନେ ମଧ୍ୟ ନିଜ ନିଜକୁ ଦଳ ଠାରୁ ଅଧିକ ଉଚ୍ଚତର ବୋଲି ଏକ ଧାରଣାର ବଶବର୍ତ୍ତୀ। (ଅବଶ୍ୟ, ଦଳର ହାଇକମାଣ୍ତ ମଧ୍ୟ ଏଭଳି ଏକ ଧାରଣାରୁ ମୁକ୍ତ ନୁହେ)। କିନ୍ତୁ ଆପଣା ସୌଖୀନ ମିନାର୍‌ର ଉଚ୍ଚ ମହଲାରେ ଅବସ୍ଥାନ କରୁଥିବା କଂଗ୍ରେସର ଏହି ବରିଷ୍ଠ ନେତାମାନେ ଭୁଲି ଯାଆନ୍ତି ଯେ ଶୀର୍ଷ ସ୍ତରୀୟ ନେତୃତ୍ବ ଦ୍ବାରା ନୁହେ, ବରଂ ତଳକୁ ଓହ୍ଲାଇ ତୃଣମୂଳ ସ୍ତରରେ ହିଁ ଏହି ଅବକ୍ଷୟମୁଖୀ ଦଳରେ ପ୍ରାଣ ସ˚ଚାର କରିବାକୁ ହେବ। କିନ୍ତୁ ବିଡ଼ମ୍ବନା ହେଲା କ˚ଗ୍ରେସର କ୍ବଚିତ୍‌ କୌଣସି ତଥାକଥିତ ବଡ଼ ନେତାଙ୍କ ଠାରେ ତୃଣମୂଳ ସ୍ତରରେ ନେତୃତ୍ବ ଦେବାର ପରାକାଷ୍ଠା ବଞ୍ଚି ରହିଛି।

ସେହି ଦୃଷ୍ଟିରୁ ବିଚାର କଲେ ତୃଣମୂଳ ସ୍ତରରେ ବିଶେଷ ପ୍ରଭାବ ଥିବା କହ୍ନୈୟା କୁମାରଙ୍କ କଂଗ୍ରେସ ପ୍ରବେଶ ଏକ ବରଦାନ ତୁଲ୍ୟ ଭଳି ମନେ ହୋଇପାରେ। କିନ୍ତୁ ଅନେକ ବାସ୍ତବବାଦୀ ଭାରତୀୟ ନାଗରିକ ଏ ନେଇ ବିଶେଷ ଆଶାବାଦୀ ନୁହନ୍ତି; କାରଣ ସେମାନଙ୍କ ମତରେ ଏହା ସମ୍ଭବ ଯେ ‘ତ୍ରାଣକର୍ତ୍ତା’ ବୋଲି ଏକ ଧାରଣାର ବଶବର୍ତ୍ତୀ ହୋଇଥିବାରୁ ଏହି ନେତା ମଧ୍ୟ ତୃଣମୂଳ ସ୍ତରରେ ପ୍ରଭାବ ବିସ୍ତାର କରିବାରେ ତାଙ୍କର ଦୃଢ଼ ସାମର୍ଥ୍ୟ ସତ୍ତ୍ବେ ତହିଁରୁ ଓହରି ଆସି ଶୀର୍ଷ ନେତୃତ୍ବ ଲାଗି ଅଧିକ ଆଗ୍ରହୀ ହୋଇ ପାରନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଭଗ୍ନ ପୋତର ଉପମାକୁ ଗ୍ରହଣ କରାଯାଏ, ତେବେ ଆଶଙ୍କା ସୃଷ୍ଟି ହୁଏ ଯେ ଯଦି ସଦ୍‌ବୁଦ୍ଧି ଉଦୟ ନ ହୁଏ, ତେବେ ଜାହାଜର କ୍ୟାପ୍‌ଟେନ ହେବା ଲାଗି ଅଯଥା କନ୍ଦଳ ଅପରିବର୍ତ୍ତନୀୟ ରହିପାରେ; ସୁତରାଂ, ଲକ୍ଷ୍ୟହୀନ ଭାବେ ଭାସି ବୁଲିବା ଜାହାଜଟିର ଭାଗ୍ୟ ଭୋଗ ହୋଇପାରେ।

ସମ୍ବନ୍ଧିତ ଖବର