ମେଣ୍ଟରେ ଅଡୁଆ

ପରବର୍ତ୍ତୀ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ନା ଆଗୁଆ ଅନୁଷ୍ଠିତ ହେବ? ଏ ପ୍ରଶ୍ନ ଉପରେ ବିଗତ ବେଶ୍‌ କିଛି ଦିନ ଧରି ଗଣମାଧ୍ୟମ ଓ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ କିଂବା ନିଶ୍ଚିତ ଉତ୍ତର ମିଳି ନାହିଁ। ନିର୍ବାଚନ କେବେ ହେବ, ନିଶ୍ଚିତ ନୁହେଁ, କିନ୍ତୁ ଗୋଟିଏ ବିଷୟ ନିଶ୍ଚିତ ଯେ ଦେଶର ରାଜନୈତିକ ପାଣିପାଗ ନିର୍ବାଚନମୁହାଁ ହୋଇ ସାରିଲାଣି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ରଖିଥିବା ଦୀର୍ଘ ନବେ ମିନିଟ୍‌ର ଭାଷଣ ଏହାର ଏକ ସ୍ପଷ୍ଟ ସଂକେତ।

ତେବେ ଉଲ୍ଲେଖନୀୟ ବିଷୟ ହେଲା, ଗୋଟିଏ ପଟେ ରାଜନୈତିକ ପରିବେଶରେ ନିର୍ବାଚନର ଗନ୍ଧ ସ୍ପଷ୍ଟ ବାରି ହେଉଛି, ଅନ୍ୟପକ୍ଷରେ କିନ୍ତୁ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମେଣ୍ଟରେ ଅସ୍ୱସ୍ତି ଓ ଅଡ଼ୁଆର ଗନ୍ଧ ଉଭୟ ପକ୍ଷର ନେତୃତ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ନା ମୁଖ୍ୟ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ନା କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସମସ୍ୟା ମୁକ୍ତ ବୋଲି କୁହାଯାଇ ପାରିବ। ୟୁପିଏର ସମସ୍ୟା ହେଲା, ମେଣ୍ଟର ରୂପରେଖ ଚୂଡ଼ାନ୍ତ ହୋଇପାରୁ ନାହିଁ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଶା ପ୍ରକାଶ କରିଛନ୍ତି ସବୁ ଧର୍ମନିରପେକ୍ଷ ଓ ସମଭାବାପନ୍ନ ଦଳ ବିଜେପି ବିରୋଧରେ ଏକାଠି ହେବେ। କିନ୍ତୁ ସେ ସବୁ ଧର୍ମନିରପେକ୍ଷ, ସମଭାବାପନ୍ନ ଦଳମାନେ କିଏ? ସବୁ ପୁରୁଣା ସହଯୋଗୀ ଏଥର ମଧ୍ୟ ୟୁପିଏ ମେଣ୍ଟରେ ରହିବେ? ଚଉଦ ପରେ ଆଞ୍ଚଳିକ ସ୍ତରରେ ଯେଉଁ ଅଣ-ବିଜେପି ଦଳମାନେ କଂଗ୍ରେସ ସହ ହାତ ମିଳାଇଥିଲେ, ସେହି ଦଳମାନେ ଏଥର ମଧ୍ୟ କ’ଣ ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ସାମିଲ ହେବେ? କଂଗ୍ରେସ ସହ ବୁଝାମଣା ନେଇ ବାମପନ୍ଥୀଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱର ଶେଷ ପର୍ଯ୍ୟନ୍ତ ସମାଧାନ ହୋଇପାରିବ ତ?

ଏମିତି ଆହୁରି ଅନେକ ପ୍ରଶ୍ନ ଜାତୀୟ ସ୍ତରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ବିକଳ୍ପ ଭାବେ ଆଉ ଏକ ମେଣ୍ଟ ନେଇ ଅନିଶ୍ଚିତତାକୁ ଅଧିକ ଘନୀଭୂତ କରୁଛି। ସଂପ୍ରତି ବିରୋଧୀ ଶିବିରରେ ସମୀକରଣ ଯାହା ସେଥିରେ ବିଜେପି ପ୍ରତିପକ୍ଷ ଶକ୍ତିଙ୍କ ମେଣ୍ଟ ନେଇ ଏ ପ୍ରକାର ଅନିଶ୍ଚିତତା ଓ ଦ୍ୱନ୍ଦ୍ୱ ଆଦୌ ଅପ୍ରତ୍ୟାଶିତ କିଂବା ଅସ୍ୱାଭାବିକ ମନେ ହେଉନାହିଁ। ଆଦର୍ଶଗତ ମତଭେଦ ଏବଂ ଆଞ୍ଚଳିକ ସ୍ତରରେ ରାଜନୈତିକ ଶତ୍ରୁତା-ଯେମିତି ୟୁପିରେ ଏସ୍‌ପି ବନାମ ବିଏସ୍‌ପି ଓ ପଶ୍ଚିମବଂଗରେ ତୃଣମୂଳ ବନାମ ସିପିଆଇଏମ୍‌- ଏକ ବ୍ୟାପକ ସଂପ୍ରସାରିତ ବିଜେପି-ବିରୋଧୀ ମେଣ୍ଟ ଗଠନ ଲାଗି ଅନୁକୂଳ ହୋଇପାରୁ ନାହିଁ। ପୁଣି କଂଗ୍ରେସର ଦୁର୍ବଳିଆ ସ୍ଥିତି ବିଜେପି ବିରୋଧୀ ଧ୍ରୁବୀକରଣ ନେଇ ସମଭାବାପନ୍ନ ଦଳଙ୍କ ମଧ୍ୟରେ ବିଶେଷ ଆଶା ସୃଷ୍ଟି କରିପାରୁ ନାହିଁ।

ହିନ୍ଦୁତ୍ୱ ବିରୋଧୀ ସମଭାବାପନ୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ମେଣ୍ଟ ଗଠନ ଓ ବୁଝାମଣା ନେଇ ଅନିଶ୍ଚିତତା ଓ ବିଭ୍ରାନ୍ତି ଏକ ପ୍ରକାର ସ୍ୱାଭାବିକ ଓ ଅପେକ୍ଷିତ ମନେ ହେଉଥିବାରୁ ବିଶେଷ କାହାରିକୁ ବିସ୍ମିତ କରୁନାହିଁ। କିନ୍ତୁ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ଅସ୍ୱସ୍ତି ଓ ଅଡ଼ୁଆ ନିଶ୍ଚିତ ଭାବେ ଅପ୍ରତ୍ୟାଶିତ ଓ ବିସ୍ମୟର ଅବକାଶ ଥିବାରୁ ବିଶେଷ ଆଲୋଚନାର ଅପେକ୍ଷା ରଖୁଛି। ପରବର୍ତ୍ତୀ ସାଧାରଣ ନିର୍ବାଚନ ନେଇ ଯଦି କୌଣସି ଦଳ ଆଜିର ଦିନରେ ସବୁଠାରୁ ଅଧିକ ତତ୍ପର ଓ ଜୋର୍‌ ପ୍ରସ୍ତୁତି ଚଳାଇଛି, ତେବେ ସେ ହେଉଛି ଭାରତୀୟ ଜନତା ପାର୍ଟି। ଦଳ ମଧ୍ୟ ଆଶା କରେ ଯେ ଏନ୍‌ଡିଏର ଅନ୍ୟ ସହଯୋଗୀମାନେ ମଧ୍ୟ ସମାନ ଭାବେ ଲଢ଼େଇ ପାଇଁ ପ୍ରସ୍ତୁତ ହୁଅନ୍ତୁ। କିନ୍ତୁ ବିଜେପି ନେତୃତ୍ୱର ଆଶାରେ ପାଣି ଢାଳି ଦେଉଛି ସହଯୋଗୀ ମାନଙ୍କ ଖାପ୍‌ଛଡ଼ା ମତିଗତି।

ହିନ୍ଦୁତ୍ୱ ଦଳର ସବୁଠୁ ସ୍ୱାଭାବିକ ସବୁଦିନିଆ ଆଦର୍ଶଗତ ସହଯୋଗୀ ଶିବସେନା ବିଜେପି ବିରୋଧରେ ବହୁ ଦିନରୁ ବିଦ୍ରୋହର ସ୍ୱର ଉଠାଇଛି। ଧମକ ମଧ୍ୟ ଦେଇ ସାରିଲାଣି ଯେ ପରବର୍ତ୍ତୀ ସଂସଦ ଓ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ପୃଥକ୍‌ ହୋଇ ଏକାକୀ ଲଢ଼ିବ। ଶିବସେନାର ବିଦ୍ରୋହ ପରେ ଆନ୍ଧ୍ରପ୍ରଦେଶର ସହଯୋଗୀ ତେଲଗୁ ଦେଶମ୍‌ ମଧ୍ୟ ସମାନ ରାସ୍ତାରେ ଯିବା ଲାଗି ଗୋଡ଼ ଉଠାଇଲାଣି। ଶିରୋମଣି ଅକାଳୀ ଦଳ ମଧ୍ୟ ବିଜେପି ବିରୋଧରେ ‘ମେଣ୍ଟ ଧର୍ମ’ ପାଳନ କରୁନାହିଁ ବୋଲି ଅଭିଯୋଗ କରିି ତା’ର ଅସନ୍ତୋଷ ପ୍ରକାଶ କଲାଣି। ନିକଟରେ ଜଣେ ଅକାଳୀ ନେତା ପରୋକ୍ଷରେ ବିଜେପିକୁ ଚେତାଇ ଦେଇଛନ୍ତି ଯେ ଏଥର ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ପାଇବ ନାହିଁ, ସହଯୋଗୀଙ୍କ ସମର୍ଥନ ଉପରେ ଅଧିକ ନିର୍ଭର କରିବ। ନୀତୀଶ କୁମାର ମଧ୍ୟ ବିଜେପିର ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତାବ ସହ ଏକମତ ନୁହନ୍ତି।

ଏହି ଏନ୍‌ଡିଏ ସହଯୋଗୀମାନେ ବିଜେପି ପ୍ରତି ବିମୁଖ ହେବା ନେଇ ବିଭିନ୍ନ ପ୍ରସଙ୍ଗକୁ ଆଳ କରୁଥାଇ ପାରନ୍ତି। ଯେମିତି ତେଲଗୁ ଦେଶମ୍‌ ଆନ୍ଧ୍ରକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ କିଂବା ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନରେ କେନ୍ଦ୍ରର ଟାଳଟୁଳ ଓ ଶିବସେନା ମହାରାଷ୍ଟ୍ରରେ ଫଡ଼ନାଭିସ୍‌ ସରକାରର ପ୍ରଦର୍ଶନକୁ ପ୍ରସଙ୍ଗ କରିଥାଇ ପାରନ୍ତି। କିନ୍ତୁ ବାସ୍ତବରେ ସବୁ ସହଯୋଗୀ ବିଜେପିର ବଡ଼ଭାଇ ପଣିଆ ଓ ସଂପ୍ରସାରଣବାଦୀ ଆଭିମୁଖ୍ୟର ତାତି ଅନୁଭବ କରୁଛନ୍ତି। ସେଥିପାଇଁ ଆକ୍ରମଣ ହିଁ ଆତ୍ମରକ୍ଷାର ଶ୍ରେଷ୍ଠ କୌଶଳ ନୀତିରେ ବିଜେପି ଉପରେ କିଛି ପ୍ରସଙ୍ଗକୁ ଆଳ କରି ପାଲଟା ଚଢ଼ାଉ କରୁଛନ୍ତି। ସହଯୋଗୀଙ୍କ ଆଶଙ୍କା ଯେ, ଆଗାମୀ ନିର୍ବାଚନରେ ବିଜେପି ନେତୃତ୍ୱ ଚଉଦର ଆସନ ବୁଝାମଣାର ସମୀକ୍ଷା କରି ଅଧିକ ଆସନ ହାସଲ ଲାଗି ଚାପ ଦେବ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ବିଜେପିର ସ୍ଥାନୀୟ ନେତାମାନଙ୍କ ବୟାନରେ ଏହା ସ୍ପଷ୍ଟ ପ୍ରତିଫଳିତ। ପୁଣି ସହଯୋଗୀଙ୍କ ରାଜନୈତିକ ଗଡ଼ରେ ନିଜର ପ୍ରଭାବ ବିସ୍ତାର ଲାଗି ନିରନ୍ତର ଉଦ୍ୟମ ପାରସ୍ପରିକ ସନ୍ଦେହ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି। ଫଳରେ ନିଜର ସ୍ଥିତିର ସୁରକ୍ଷା ପାଇଁ ଚାପରେ ଥିବା ସହଯୋଗୀଙ୍କୁ ଆକ୍ରମଣାତ୍ମକ ହେବାକୁ ବାଧ୍ୟ କରିଛି ।

ସହଯୋଗୀଙ୍କ ମତରେ ‘ମେଣ୍ଟ ଧର୍ମ’ର ପାଳନର ଅର୍ଥ ହେଲା ଆସନ ବୁଝାମଣା ନେଇ ସ୍ଥିତାବସ୍ଥା ବଜାୟ ରହୁ। ସହଯୋଗୀଙ୍କ ଭାବନାକୁ ସମ୍ମାନ ମିଳୁ। ମୋଟାମୋଟି ସହଯୋଗୀମାନେ ମେଣ୍ଟ ନେତୃତ୍ୱ ଠାରୁ ଅଧିକ ରାଜନୈତିକ ଉଦାରତା ଆଶା କରନ୍ତି। କିନ୍ତୁ ବିଡ଼ମ୍ବନା ହେଲା ରାଜନୈତିକ ବାଧ୍ୟବାଧକତା ବିଜେପିକୁ ଉଦାର ହେବାର ଅବକାଶ ଦେଉନାହିଁ। ନିକଟରେ ଦୁଇଟି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ‘ମୁଡ୍‌ ଅଫ୍‌ ଦି ନେସନ୍‌’ ଜନମତ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ଓ ବିଜେପି ପୂର୍ବାପେକ୍ଷା କମ୍‌ ଆସନ ପାଇବ ବୋଲି ଆକଳନ କରାଯାଇଥିଲା। ସେଥିପାଇଁ ନିଜର ଏକାକୀ ସଂଖ୍ୟାଗରିଷ୍ଠତା ସ୍ଥିତିକୁ ବଜାୟ ରଖିବା ପାଇଁ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେବା ଲାଗି ବ୍ୟଗ୍ର। ନିଜର ପ୍ରଭାବ ବିଜୟ ସମ୍ଭାବନା ଥିବା ନିର୍ବାଚନମଣ୍ଡଳୀ ଦୁର୍ବଳ ସହଯୋଗୀଙ୍କୁ ଛାଡ଼ିବା ଅଯଥା ଆସନର ଅପଚୟ ବୋଲି ବିଜେପି ନେତୃତ୍ୱ ବିଚାର କରୁଛନ୍ତି। ଏହି ଛକାପଞ୍ଝା ମେଣ୍ଟରେ ଅସ୍ୱସ୍ତିକର ଅବିଶ୍ୱାସ ଓ ସନ୍ଦେହର ବାତାବରଣ ସୃଷ୍ଟି କରିଛି। ଆଗାମୀ ସମୟ କହିବ, ଏ ଛକାପଞ୍ଝା କି ପ୍ରକାର ମୋଡ଼ ନେବ ଓ ବିଜେପି କେତେ ଦୂର ସହଯୋଗୀଙ୍କୁ ସାଙ୍ଗରେ ନେଇ ମିଳିତ ଲଢ଼େଇ ପାଇଁ ପ୍ରସ୍ତୁତ କରିପାରିବ।

ସମ୍ବନ୍ଧିତ ଖବର