‘ମାଇକ୍ରୋସଫ୍ଟ’ର ପ୍ରତିଷ୍ଠାତା ବିଲ୍ ଗେଟ୍ସ, ‘ଭର୍ଜିନ୍ ଗ୍ରୁପ୍’ର ପ୍ରତିଷ୍ଠାତା ମାଲିକ ରିଚାର୍ଡ ବ୍ରାନ୍ସନ୍, ‘ଆମାଜନ୍’ ତଥା ‘ବ୍ଲୁ ଅରିଜିନ୍’ର ପ୍ରତିଷ୍ଠାତା ମାଲିକ ଜେଫ୍ ବେଜସ୍- ଏମାନେ ସମସ୍ତେ ହେଉଛନ୍ତି ବିଜ୍ଞାନର ସନ୍ତାନ। ବିଜ୍ଞାନର ଅଗ୍ରଗତିରୁ ନିଃସୃତ ପ୍ରବିଧି ସବୁକୁ କାର୍ଯ୍ୟରେ ନିୟୋଜିତ କରି ଏମାନେ କମ୍ପ୍ୟୁଟର୍ରୁ ମହାକାଶ ଯାତ୍ରା ପର୍ଯ୍ୟନ୍ତ କ୍ଷେତ୍ରମାନଙ୍କରେ ସଫଳ ବ୍ୟବସାୟ ସାମ୍ରାଜ୍ୟମାନ ପ୍ରତିଷ୍ଠା କରି ପାରିଛନ୍ତି। ବିଜ୍ଞାନକୁ ବ୍ୟବସାୟରେ ପରିଣତ କରି ଅନୁରୂପ ଖ୍ୟାତି ଲାଭ କରିବାରେ ଅନ୍ୟ ଜଣେ ସଦ୍ୟତମ ବିଚକ୍ଷଣ ଉଦ୍ୟୋଗୀ ହେଉଛନ୍ତି ‘ଟେସ୍ଲା’ ଓ ‘ସ୍ପେସ୍ ଏକ୍ସ’ର ପ୍ରତିଷ୍ଠାତା ମାଲିକ ଏଲନ୍ ମସ୍କ୍।
କେବଳ ବିଲ୍ ଗେଟ୍ସଙ୍କୁ ଛାଡ଼ି ଦେଲେ ବାକି ତିନିଜଣ ବିଜ୍ଞାନ-ଉଦ୍ୟୋଗୀ ବର୍ତ୍ତମାନ ପରସ୍ପର ମଧୢରେ ଏକ ପ୍ରତିଯୋଗିତାରେ ମାତି ଯାଇଛନ୍ତି, ଯାହା ପୃଥିବୀବାସୀଙ୍କୁ ଆମୋଦିତ କରୁଛି। ପ୍ରତିଯୋଗିତାର କ୍ଷେତ୍ର ହେଉଛି ମହାକାଶ ଯାତ୍ରା- ଏଥିରେ କିଏ କାହାକୁ କିଭଳି ପଛରେ ପକାଇବ, ତାହାକୁ ନେଇ ସେମାନେ କିଭଳି ଶିଶୁସୁଲଭ ଈର୍ଷାପୂର୍ଣ୍ଣ ପ୍ରତିଯୋଗିତାରେ ମାତି ଯାଇଛନ୍ତି, ତାହାର ଚର୍ଚ୍ଚାରେ ଗଣମାଧୢମ ଭରପୂର। ବିଜ୍ଞାନର ମୌଳିକ ଚରିତ୍ର ହେଉଛି ସାଧାରଣ ଭାବେ ଦୃଶ୍ୟମାନ ହେଉଥିବା ଦୁନିଆକୁ ଭେଦ କରି ଦୂରକୁ ଦେଖିପାରିବାର କ୍ଷମତା। ଯେଉଁ ମହାକାଶ ବର୍ତ୍ତମାନ ଏହି ବିଜ୍ଞାନ-ଉଦ୍ୟୋଗୀମାନଙ୍କୁ ଏଭଳି ଆକର୍ଷିତ କରିଛି, ସେ ସମ୍ବନ୍ଧରେ ଏକ ବାସ୍ତବ ଧାରଣାର କ୍ରମିକ ଆବିର୍ଭାବ ହେଉଛି ଶତାବ୍ଦୀ ଶତାବ୍ଦୀ ଧରି ଏଇ ଭଳି ବିଜ୍ଞାନସିଦ୍ଧ ଅନ୍ତର୍ଭେଦୀ ଦୃଷ୍ଟିସମ୍ପନ୍ନ ଅନୁସନ୍ଧାନକାରୀମାନଙ୍କର ଉଦ୍ୟମର ଫଳ। ଆଜି ଏମାନଙ୍କର ଏହି ପ୍ରତିଯୋଗିତା ସେମାନଙ୍କର ସେଇ ଅବଦାନ ଉପରେ ହିଁ ପ୍ରତିଷ୍ଠିତ।
ପ୍ରଚଳିତ ଦୃଷ୍ଟିଭଙ୍ଗୀକୁ ପରିତ୍ୟାଗ କରି ଏକ ଅପରିଚିତ, ଅଣପାରମ୍ପରିକ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବାର କ୍ଷମତା ଥିଲା ସେଇ ପୂର୍ବସୂରୀମାନଙ୍କର ବିଶେଷତ୍ବ। ହଜାର ହଜାର ବର୍ଷ ଧରି ମନୁଷ୍ୟ ତା’ର ମୁଣ୍ତ ଉପରେ ଆକାଶ ଓ ପାଦ ତଳେ ପୃଥିବୀ ଥାଏ ବୋଲି ବଦ୍ଧମୂଳ ଧାରଣା ପୋଷଣ କରି ଆସିଥିଲା ଓ ସେଇ ଅନୁସାରେ ସ୍ବର୍ଗ ଓ ମର୍ତ୍ତ୍ୟର କଳ୍ପନା କରି ଆସିଥିଲା। ମନୁଷ୍ୟର ପାଦ ତଳେ ମଧୢ ଆକାଶ ବ୍ୟାପିଥାଏ ବୋଲି ବିଶ୍ବାସ କରିବା ଠାରୁ ଆଉ ଅଧିକ ଉଦ୍ଭଟ ପରିକଳ୍ପନା ସେତେବେଳେ କିଛି ନ ଥାଇ ପାରିଥାଏ। ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆନାକ୍ସିମାଣ୍ତର୍ ବୋଧହୁଏ ହେଉଛନ୍ତି ପ୍ରଥମ ବୈଜ୍ଞାନିକ ଯିଏ ଛବିଶ ଶତାବ୍ଦୀ ତଳେ ଠିକ୍ ଏଇ ଭଳି ଏକ ସ୍ଥୂଳଦୃଷ୍ଟି-ଭେଦକାରୀ ଉଦ୍ଭଟ ଅନ୍ତର୍ଦୃଷ୍ଟି ପ୍ରକାଶ କରିବାକୁ ସାହସ କରିଥିଲେ। ସମୁଦ୍ର ବକ୍ଷରେ ଏକମୁହାଁ ଯାତ୍ରା କରି ଜାହାଜଟିଏ ପୃଥିବୀ ପରିକ୍ରମା କରିବାରେ ସଫଳ ହୋଇ ଏହା ଏକ ଗୋଲାକାର ଗ୍ରହ ବୋଲି ପ୍ରମାଣ କରିବାର ବହୁ ପୂର୍ବରୁ ଆନାକ୍ସିମାଣ୍ତର୍ କଳ୍ପନା କରି ପାରିଥିଲେ ଯେ ଆକାଶ କେବଳ ଆମ ମୁଣ୍ତ ଉପରେ ନାହିଁ, ଆମ ପାଦ ତଳେ ମଧୢ ଲାଗି ରହିଛି। ସେ ପୃଥିବୀକୁ ଅନ୍ତରୀକ୍ଷରେ ଖସି ନ ପଡ଼ି ଭାସମାନ ଅବସ୍ଥାରେ ଥିବା ଏକ ବିଶାଳ ପଥର ଖଣ୍ତ ରୂପେ ପରିକଳ୍ପନା କରିଥିଲେ।
ବୋଧହୁଏ ପରବର୍ତ୍ତୀ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ପାର୍ମେନିଡେସ୍ ମହାଶୂନ୍ୟରେ ଉଡ଼ି ବୁଲୁଥିବା ଏହି ପୃଥିବୀକୁ ଏକ ଗୋଲକ ଆକୃତିର ବୋଲି ପରିକଳ୍ପନା କରିବାରେ ହେଉଛନ୍ତି ପ୍ରଥମ। ତାଙ୍କ ପରେ ଖ୍ରୀ.ପୂ. ୩୫୦ରେ ରଚିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଅନ୍ ଦି ହେଭେନ୍ସ’ (‘ମହାକାଶ ସମ୍ବନ୍ଧରେ’)ରେ ଆରିଷ୍ଟୋଟ୍ଲ ଉଭୟ ପୃଥିବୀ ଓ ତାକୁ ପରିବେଷ୍ଟିତ କରି ରହିଥିବା ମହାକାଶ ଯେ ହେଉଛନ୍ତି ଗୋଲକ ଆକୃତିର, ତାହା ସପକ୍ଷରେ ଦୃଢ଼ ବିଜ୍ଞାନ ସମ୍ମତ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଧାରଣା କରିଥିଲେ ଯେ ଏହି ମହାଶୂନ୍ୟରେ ପୃଥିବୀକୁ କେନ୍ଦ୍ର କରି ଅନ୍ୟ ସମସ୍ତ ଗ୍ରହମାନେ ନିଜ ନିଜର କକ୍ଷପଥରେ ଘୂରି ବୁଲୁଛନ୍ତି। ପାଖାପାଖି ଦୁଇ ହଜାର ବର୍ଷ ଧରି ଆରିଷ୍ଟୋଟ୍ଲଙ୍କର ଏହି ପୃଥିବୀ-କୈନ୍ଦ୍ରିକ ବ୍ରହ୍ମାଣ୍ତ ଧାରଣା ଏଭଳି ବଳବତ୍ତର ଥିଲା ଯେ ଏହାକୁ ଭେଦ କରି ଅନ୍ୟ କୌଣସି ପରିକଳ୍ପନା କରିବାର ଉଦ୍ୟମ ଏକ ଦୁଃସାହସ ରୂପେ ବିବେଚିତ ହେଉଥିଲା। ଏହାର ଏକ କ୍ରୂର ଉଦାହରଣ ସ୍ବରୂପ ଷୋଡ଼ଶ ଶତାବ୍ଦୀର ମଧୢଭାଗରେ କୋପରନିକସ୍ ପୃଥିବୀ ସ୍ଥାନରେ ସୂର୍ଯ୍ୟଙ୍କୁ ବିଶ୍ବ ବ୍ରହ୍ମାଣ୍ତର କେନ୍ଦ୍ର ସ୍ଥଳରେ ସ୍ଥାପନ କରିବା ପରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଲିଓନାର୍ଡୋ ବ୍ରୁନୋ ଯେତେବେଳେ ତାଙ୍କର କଳ୍ପନା ପ୍ରକାଶ କଲେ ଯେ ଅସୀମ ଦୂରତାରେ ଥାଇ ଜୁକୁ ଜୁକୁ କରୁଥିବା ତାରାମାନେ ପ୍ରକୃତରେ ହେଉଛନ୍ତି ଆମ ସୂର୍ଯ୍ୟଙ୍କ ଭଳି ଗୋଟିଏ ଗୋଟିଏ ସୂର୍ଯ୍ୟ, କ୍ୟାଥଲିକ୍ ଚର୍ଚ୍ଚ ଏଥି ପାଇଁ ଧର୍ମଦ୍ରୋହ ଅପରାଧରେ ୧୬୦୦ ସାଲରେ ତାଙ୍କୁ ଜିଅନ୍ତା ଜଳାଇ ଦେଇଥିଲା।
କିନ୍ତୁ ଏଥି ସତ୍ତ୍ବେ କୋପର୍ନିକସ୍ ସୂତ୍ରପାତ କରିଥିବା ବିପ୍ଳବ ଅପ୍ରତିହତ ଭାବରେ ଆଗେଇ ଚାଲିଲା ଏବ˚ ଉନ୍ନତ ଦୂରବୀକ୍ଷଣ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣମାନ ମାଧୢମରେ ଏହା ସାବ୍ୟସ୍ତ ହେବାକୁ ଲାଗିଲା ଯେ ଆମର ଏହି ସୌରଜଗତ୍ ହେଉଛି ପ୍ରକୃତରେ ଏଇଭଳି ଆହୁରି ଅସ˚ଖ୍ୟ ସୌରଜଗତ୍ମାନଙ୍କ ମଧୢରୁ ଅନ୍ୟତମ ଏବ˚ ସୂର୍ଯ୍ୟ ନାମକ ତାରା ହେଉଛି ପ୍ରାୟ ଦଶ ହଜାର କୋଟି ଏଇ ଭଳି ତାରାମାନଙ୍କୁ ନେଇ ଗଠିତ ନକ୍ଷତ୍ରମଣ୍ତଳ ବା ‘ଗାଲାକ୍ସି’ ମଧୢରେ ଥିବା ଏକ କଣିକା ମାତ୍ର। ୧୯୩୦ ଦଶକରେ ଜ୍ୟୋତିର୍ବିଜ୍ଞାନୀମାନେ ନିର୍ଭୁଲ୍ ଗଣନା ମାଧୢମରେ ଯାହା ସାବ୍ୟସ୍ତ କଲେ, ତାହା ଆମର ଏହି ବିଶାଳ ମନେ ହେଉଥିବା ପୃଥିବୀ, ସୂର୍ଯ୍ୟ, ସୌରଜଗତ୍ ଓ ଏପରିକି ନକ୍ଷତ୍ରମଣ୍ତଳକୁ ମଧୢ ବିଶ୍ବ ବ୍ରହ୍ମାଣ୍ତରେ ଏପରି ସ୍ଥାନ ପ୍ରଦାନ କଲା ଯେ ଏମାନେ ସମସ୍ତେ ଧୂଳିକଣା ମାତ୍ର ଭଳି ପ୍ରତୀୟମାନ ହେଲେ। କାରଣ ସେମାନେ ଆବିଷ୍କାର କରିଛନ୍ତି ଯେ ଏହି ନକ୍ଷତ୍ରମଣ୍ତଳ ହେଉଛି ଏଇଭଳି ଅସ˚ଖ୍ୟ ନକ୍ଷତ୍ରମଣ୍ତଳମାନଙ୍କୁ ନେଇ ଗଠିତ ନକ୍ଷତ୍ରମଣ୍ତଳ ପଟଳ ମଧୢରେ ଥିବା ସାମାନ୍ୟ କଣିକାଟିଏ ମାତ୍ର। ଏବ˚ ଆମର ସର୍ବାଧିକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଇ ପାରୁଥିବା ଦୂରତା ପର୍ଯ୍ୟନ୍ତ ଏହି ନକ୍ଷତ୍ରମଣ୍ତଳ ପଟଳ ବିସ୍ତାରିତ ହୋଇ ରହିଛି ଏବ˚ ନିଶ୍ଚିତ ରୂପେ ଦେଖା ଯାଉନଥିବା ଅନ୍ତହୀନ ଦୂରତାରେ ମଧୢ ଏହି ବିସ୍ତାର ଲାଗି ରହିଥିବ।
ଅତଏବ ଏଥିରୁ ସାବ୍ୟସ୍ତ ହୋଇଥାଏ ଯେ ଅସୀମ ମହାଶୂନ୍ୟରେ ଆମ ସୂର୍ଯ୍ୟଙ୍କ ଭଳି ଲକ୍ଷ ଲକ୍ଷ କୋଟିରୁ ଅଧିକ ସ˚ଖ୍ୟକ ସୂର୍ଯ୍ୟମାନ ଭାସି ବୁଲୁଛନ୍ତି। ନିକଟ ଅତୀତରେ ଏହା ମଧୢ ସାବ୍ୟସ୍ତ ହୋଇଛି ଯେ ଏଥି ମଧୢରୁ ଅଧିକା˚ଶ ସୂର୍ଯ୍ୟ ନିଜ ନିଜର ଗ୍ରହମାନଙ୍କ ଦ୍ବାରା ପରିବେଷ୍ଟିତ। ଏଣୁ ଏ ବିଶ୍ବ ବ୍ରହ୍ମାଣ୍ତରେ ଥିବା ପୃଥିବୀ ପରି ଗ୍ରହମାନଙ୍କର ସ˚ଖ୍ୟା ଯେ ଅଗଣନ, ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପୃଷ୍ଠଭୂମିରେ ବେଜସ୍, ମସ୍କ୍ କିମ୍ବା ବ୍ରାନ୍ସନ୍ ଆଦିଙ୍କର ପୃଥିବୀ ବାହାରକୁ ଗମନ କରିବାର ଇଚ୍ଛା ଯେ ପିମ୍ପୁଡ଼ିର ପର୍ବତାରୋହଣ ଇଚ୍ଛା ଠାରୁ ମଧୢ ଆହୁରି ହାସ୍ୟାସ୍ପଦ, ଏଥିରେ କୌଣସି ସନ୍ଦେହ ନାହିଁ- ଏହା ଏକ ଶିଶୁସୁଲଭ କ୍ଷଣିକ ବିଳାସ ମାତ୍ର।
ଏମାନଙ୍କ ତୁଳନାରେ ଯାହାଙ୍କର ଆଭିମୁଖ୍ୟରେ ଅଧିକ ବିଜ୍ଞାନସିଦ୍ଧ ଅନ୍ତର୍ଦୃଷ୍ଟି ଓ ଦାୟିତ୍ବବୋଧ ପ୍ରତିଫଳିତ ହୋଇଥାଏ, ସେ ହେଉଛନ୍ତି ବିଲ୍ ଗେଟ୍ସ। ଏଥିଯୋଗୁଁ ହିଁ ସେ ଆନାକ୍ସିମାଣ୍ଡର ବା ପାର୍ମେନିଡେସ୍ଙ୍କ ଭଳି ପ୍ରଚଳିତ ଧାରାରେ ବ୍ୟତିକ୍ରମ ଘଟାଇ ଅନୁଭବ କରିପାରିଛନ୍ତି ଯେ ଏହି ପୃଥିବୀ ନାମକ ଗ୍ରହରେ ମାନବଜାତିର ମଙ୍ଗଳ ସାଧନ ପାଇଁ ଏତେ କାମ ଅପେକ୍ଷା କରି ରହିଛି ଯେ, ସେଥି ପ୍ରତି ଧୢାନ ନ ଦେଇ ପୃଥିବୀ ବାହାରକୁ ପଳାୟନ କରିବାର ଇଚ୍ଛା ହେଉଛି ବିଶୁଦ୍ଧ ଦାୟିତ୍ବହୀନ ବିଳାସ। ତାଙ୍କର ଫାଉଣ୍ତେସନ୍ ମାଧୢମରେ ସେ ପୃଥିବୀରୁ ମ୍ୟାଲେରିଆ, ଟିବି, ଏଡ୍ସ ଭଳି ଭୟଙ୍କର ବ୍ୟାଧି ସବୁକୁ ଲୋପ କରିବା ପାଇଁ ଚଳାଇ ଆସିଥିବା ଉଦ୍ୟମ ତାଙ୍କର ଆନ୍ତରିକତାର ପରିଚୟ ବହନ କରିବା ସଙ୍ଗେ ସଙ୍ଗେ ଉପରୋକ୍ତ ଚାରି ଜଣଙ୍କ ମଧ୍ୟରୁ ତାଙ୍କୁ ହିଁ କେବଳ ବିଜ୍ଞାନର ବୈଧ ସନ୍ତାନ ରୂପେ ସାବ୍ୟସ୍ତ କରିଥାଏ।