ଆମକୁ ଯଦି କେହି ପଚାରେ, ‘‘ତୁମେ କାହିଁକି ଏବେ ଥଣ୍ତା ପବନ ବହୁଛି ବୋଲି କିମ୍ବା ବଗିଚାରେ ଫୁଲ ଫୁଟିଛି ବୋଲି କିମ୍ବା ରାସ୍ତାରେ ଗାଡ଼ିମଟର ଶବ୍ଦ କରୁଛନ୍ତି ବୋଲି ବିଶ୍ବାସ କରୁଛ?’’, ଆମେ ନିଶ୍ଚିତ ରୂପେ ଏଇଭଳି କିଛି ଉତ୍ତର ଦେବା: ‘‘ମୋର ସ୍ପର୍ଶେନ୍ଦ୍ରିୟ, ଦର୍ଶନେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ ମତେ ଏହି ସବୁ ସୂଚନା ଦେଉଛନ୍ତି।’’ ସାମାନ୍ୟ ଅନ୍ୟ ପ୍ରକାରେ କହିଲେ, ‘‘ମୋର ଇନ୍ଦ୍ରିୟମାନଙ୍କ ମାଧୢମରେ ମୋର ମସ୍ତିଷ୍କରେ ଯେଉଁ ଧାରଣାମାନ ସୃଷ୍ଟି ହେଉଛି, ତା’ ବଳରେ ହିଁ ମୁଁ ଏହା ଜାଣି ପାରୁଛି।’’ ଅବଶ୍ୟ ମୋର ଧାରଣାକୁ ଅନ୍ୟ ଯେଉଁମାନେ ସହାୟତା ପ୍ରଦାନ କରନ୍ତି, ସେମାନେ ହେଉଛନ୍ତି ମୋର ସ୍ମୃତି ଶକ୍ତି, ଯୁକ୍ତି ସମ୍ମତ ସିଦ୍ଧାନ୍ତ ଓ ଅନୁମାନ। ଏ ସହାୟକମାନେ କିନ୍ତୁ ମୋର ଧାରଣାକୁ ଭିତ୍ତି କରି ହିଁ କାର୍ଯ୍ୟ କରିଥା’ନ୍ତି- ଧାରଣାର ଅନୁପସ୍ଥିତିରେ ସେମାନେ ନିଷ୍କ୍ରିୟ। ଧାରଣା କରିବା ଅର୍ଥ ହେଉଛି ଅନୁଭବ କରିବା- ପବନର ଶୀତଳତା, ଫୁଲର ସୌନ୍ଦର୍ଯ୍ୟ କିମ୍ବା ଗାଡ଼ିମଟରର କୋଳାହଳ।
ମୋ’ର ଏହି ଅନୁଭବ କିନ୍ତୁ ହେଉଛି ସମ୍ପୂର୍ଣ୍ଣ ରୂପେ ମୋ’ର ନିଜସ୍ବ; ମୋ’ର ଅନୁଭବ କେବେହେଲେ ତୁମର ଅନୁଭବ ହୋଇ ପାରିବ ନାହିଁ, ଠିକ୍ ଯେମିତି ମୋ’ର ଯଦି ଦାନ୍ତ ବିନ୍ଧୁଛି, ତୁମେ ତା’ର କଷ୍ଟ ଅନୁଭବ କରି ପାରିବ ନାହିଁ। ମୋର ସ୍ପର୍ଶଜନିତ ଅନୁଭବ କିମ୍ବା ଦୃଶ୍ୟଜନିତ ଅନୁଭବ କିମ୍ବା ଆଘ୍ରାଣଜନିତ ଅନୁଭବ କିମ୍ବା ଶ୍ରବଣଜନିତ ଅନୁଭବ କିମ୍ବା ସ୍ବାଦଜନିତ ଅନୁଭବ ହେଉଛି କେବଳ ମାତ୍ର ମୋ’ର। ତେଣୁ ଏହାକୁ ଭିତ୍ତି କରି ମୋ’ର ଯେଉଁ ଧାରଣା ସୃଷ୍ଟି ହୋଇଥାଏ, ତାହା ତୁମର ଧାରଣା ହୋଇ ପାରିବ ନାହିଁ। ଏହା ହେଉଛି ‘ସଲିପ୍ସିଜ୍ମ’ (ଏହାକୁ ‘ଆତ୍ମକୈନ୍ଦ୍ରିକତା’ ରୂପେ ଅନୁବାଦ କରାଯାଇପାରେ) ନାମକ ଦର୍ଶନ ଶାସ୍ତ୍ରର ଏକ ଅଖାଡ଼ୁଆ ଚିନ୍ତାଧାରାର ମୂଳଭିତ୍ତି। ଏହି ଚିନ୍ତାଧାରା ଅନୁସାରେ ଜଣେ ବ୍ୟକ୍ତିର ଇନ୍ଦ୍ରିୟମାନ ତାକୁ ଯେଉଁ ଦୁନିଆ ସହିତ ପରିଚିତ କରାଇଥା’ନ୍ତି, ତାହା ହେଉଛି ସମ୍ପୂର୍ଣ୍ଣ ରୂପେ ତା’ର ବ୍ୟକ୍ତିଗତ ଦୁନିଆ; ସେ ବ୍ୟକ୍ତି ନାହିଁ ତ, ତା’ର ଦୁନିଆ ନାହିଁ। ଏପରିକି ‘ମୁଁ’ ଯେଉଁ ‘ତୁମକୁ’ ଦେଖୁଛି ବା ଶୁଣୁଛି, ତାହା ସମ୍ପୂର୍ଣ୍ଣ ରୂପେ ମୋ’ର ଅସ୍ତିତ୍ବ ଉପରେ ନିର୍ଭର କରିଥାଏ। ଯଦି ‘ମୁଁ’ ନାହିଁ ତ ‘ତୁମେ’ ନାହଁ; ଠିକ୍ ଯେମିତି ଯଦି ମୁଁ ନାହିଁ ତ ମୋ’ର ଦାନ୍ତବିନ୍ଧା ମଧୢ ନାହିଁ।
ବ୍ୟକ୍ତି ଅବଶ୍ୟ ସର୍ବଦା ଚାହିଁଥାଏ ଯେ ତା’ର ଇନ୍ଦ୍ରିୟମାନଙ୍କ ମାଧୢମରେ ଦୁନିଆ ସମ୍ବନ୍ଧରେ ସେ ଯେଉଁ ବ୍ୟକ୍ତିଗତ ଧାରଣା ଆହରଣ କରିଛି, ଏଭଳି ଇନ୍ଦ୍ରିୟାଶ୍ରୟୀ ଧାରଣା ଉପରେ ନିର୍ଭର କରୁନଥିବା ସ୍ବାଧୀନ ଦୁନିଆ ଠିକ୍ ତାହା ହିଁ ହୋଇଥାଉ। ଅର୍ଥାତ୍ ହଳଦିଆ ଚଷମା ପିନ୍ଧିଥିବା ବ୍ୟକ୍ତିକୁ ସାରା ଦୁନିଆ ଯେମିତି ହଳଦିଆ ଦିଶିଥାଏ ଓ ସେ ବିଶ୍ବାସ କରିଥାଏ ଦୁନିଆରେ ସବୁ ଜିନିଷର ରଙ୍ଗ ହେଉଛି ହଳଦିଆ, ଆମେ ସେମିତି ବିଶ୍ବାସ କରିବାକୁ ଚାହୁଁ ଯେ ଦୁନିଆ ସମ୍ବନ୍ଧରେ ଆମର ଅନୁଭବ ଓ ତଜ୍ଜନିତ ଧାରଣା ଯାହା, ସମସ୍ତଙ୍କର ଧାରଣା ମଧୢ ଅବିକଳ ତାହା। ‘ସଲିପ୍ସିଜ୍ମ’ ଅନୁସାରେ ଆମକୁ କିନ୍ତୁ ଗ୍ରହଣ କରିବାକୁ ହେବ ଯେ କେବଳ ମୋ’ର ଅସ୍ତିତ୍ବ ହେଉଛି ମୋ’ର ନିଜସ୍ବ ଅଧିକାର; ଅନ୍ୟ ସମସ୍ତ ଧାରଣା ହେଉଛନ୍ତି ମୋ’ ଉପରେ ନିର୍ଭରଶୀଳ, ଯେମିତି ମୋ’ର ଦାନ୍ତ ବିନ୍ଧା ମୋ’ ଉପରେ ନିର୍ଭରଶୀଳ।
ଅନେକ ଦାର୍ଶନିକ ଏଭଳି ଚିନ୍ତାଧାରାକୁ ଉଦ୍ଭଟ ମନେ କରି ହସରେ ଉଡ଼ାଇ ଦେଉଥିଲେ ହେଁ, ଅନ୍ୟ କେତେକ କିନ୍ତୁ ‘ସଲିପ୍ସିଜ୍ମ’ର ଯୁକ୍ତିକୁ ଗ୍ରହଣ କରି ତାକୁ ଖଣ୍ତନ କରିବା ପାଇଁ କୌଣସି ବ୍ୟକ୍ତିଗତ ଧାରଣା ଉପରେ ନିର୍ଭରଶୀଳ ହୋଇନଥିବା ସ୍ବାଧୀନ ଦୁନିଆର ଉପସ୍ଥିତି ସମ୍ଭବ ବୋଲି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥା’ନ୍ତି। ମନେ ହେଉଛି ଯେଉଁ ଆବିଷ୍କାର ପାଇଁ ସୋମବାର ଦିନ ଆମେରିକାର ଦୁଇଜଣ ବୈଜ୍ଞାନିକଙ୍କୁ ଚିକିତ୍ସା ବିଜ୍ଞାନରେ ଏ ବର୍ଷର ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି, ତାହା ହେଉଛି ଏହି ଦାର୍ଶନିକମାନେ ‘ସଲିପ୍ସିଜ୍ମ’କୁ ଖଣ୍ତନ କରିବା ପାଇଁ ଖୋଜୁଥିବା ଏକ ବଳିଷ୍ଠ ପ୍ରମାଣ। ଏହି ବୈଜ୍ଞାନିକ ଦ୍ବୟ- ଡେଭିଡ୍ ଜୁଲିଅସ୍ ଓ ଆର୍ଡେମ୍ ପାଟାପୋଟିଆନ୍- ଙ୍କର ଆବିଷ୍କାର ସ୍ପର୍ଶେନ୍ଦ୍ରିୟକୁ କେନ୍ଦ୍ର କରି ହୋଇଥିଲେ ହେଁ, ତାହା କୌଣସି ବ୍ୟକ୍ତିଗତ ଅନୁଭୂତି ଉପରେ ନିର୍ଭରଶୀଳ ନ ହୋଇ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହୋଇଥାଏ।
ମନୁଷ୍ୟ ପୃଥିବୀ ପୃଷ୍ଠରେ ସର୍ବଦା ଏକ ପ୍ରତିକୂଳ ପରିବେଶର ସମ୍ମୁଖୀନ ହୋଇ ଆସିଥିବା ସତ୍ତ୍ବେ ତଥାପି ତିଷ୍ଠି ରହି ପାରିଥିବା ପଛରେ ଯେଉଁ କାରଣମାନ ନିହିତ ଅଛି, ସେଥି ମଧୢରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେଉଛି ତା’ର ଥଣ୍ତା, ଗରମ ଓ ସ୍ପର୍ଶ ଅନୁଭବ କରି ପାରିବାର କ୍ଷମତା। ନିଜର ପରିବେଶ ସହିତ ଅନ୍ତକ୍ରିୟାରେ ପ୍ରବୃତ୍ତ ହେବା ସମୟରେ ଏହି ଅନ୍ତର୍ନିହିତ କ୍ଷମତା ତାକୁ ବିପଦରୁ ରକ୍ଷା କରିଥାଏ- ସେ ନିଆଁ ଠାରୁ ଦୂରେଇ ରହେ, ଶୀତରୁ ରକ୍ଷା ପାଇବା ପାଇଁ ଶରୀରକୁ ଆବୃତ କରିଥାଏ, କଣ୍ଟା ଫୁଟିବାରୁ ପାଦକୁ ରକ୍ଷା କରିବା ପାଇଁ ଜୋତା ପିନ୍ଧିଥାଏ...ଇତ୍ୟାଦି। ଏ ପର୍ଯ୍ୟନ୍ତ କିନ୍ତୁ କାହାରିକୁ ଜଣା ନ ଥିଲା ଆମର ସ୍ନାୟୁମଣ୍ତଳ କିପରି ଆମ ପରିବେଶକୁ ଏପରି ଅନୁଭବ କରିଥାଏ ଓ ତର୍ଜମା କରିଥାଏ। ଉତ୍ତାପ କିମ୍ବା କୌଣସି ଯାନ୍ତ୍ରିକ ଆଘାତ ମସ୍ତିଷ୍କକୁ ସତର୍କ କରିବା ପାଇଁ ଆମର ସ୍ନାୟୁମଣ୍ତଳରେ କିପରି ଏକ ବୈଦ୍ୟୁତିକ ସୂଚନାରେ ପରିଣତ ହୁଏ, ତାହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଥିଲା।
ଉତ୍ତାପର ରହସ୍ୟ ଉନ୍ମୋଚନ କରିବା ପାଇଁ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଜୁଲିଅସ୍ ଯାହାକୁ ଚାବି ରୂପେ ବ୍ୟବହାର କରିଛନ୍ତି, ତାହା ହେଉଛି ଆମର ଅତି ପ୍ରିୟ, ଅପରିହାର୍ଯ୍ୟ ମସଲା- ଲଙ୍କା ମରିଚ। ଲଙ୍କା ମରିଚରେ ଥିବା ଯେଉଁ ରାସାୟନିକ ପଦାର୍ଥ ହେଉଛି ତା’ର ରାଗର ଉତ୍ସ, ତାହା ହେଉଛି ‘କାପ୍ସାଇସିନ୍’। (ଉଲ୍ଲେଖଯୋଗ୍ୟ, ଇ˚ରେଜୀରେ ‘ରାଗ’କୁ ‘ହଟ୍’ ବା ‘ଗରମ’ ବୋଲି କୁହାଯାଇଥାଏ।)। ଜୁଲିଅସ୍ ଏହି ‘କାପ୍ସାଇସିନ୍’ କେଉଁ ପଥ ଦେଇ ମସ୍ତିଷ୍କକୁ ରାଗର ଅନୁଭବ ପ୍ରେରଣ କରିଥାଏ, ତାହା ଚିହ୍ନଟ କରିଛନ୍ତି। ‘କାପ୍ସାଇସିନ୍’ ପ୍ରଥମେ ‘ଟିଆର୍ପିଭି1’ ନାମକ ଏକ ଗ୍ରହଣକାରୀ ପ୍ରୋଟିନ୍ ବା ‘ରିସେପ୍ଟର୍’ ସହିତ ବାନ୍ଧି ହୋଇଯାଏ। ତା’ପରେ ‘ଟିଆର୍ପିଭି1’ ରାଗ ଭାବ ବହନ କରୁଥିବା ଏକ ବୈଦୁତିକ ତରଙ୍ଗକୁ ସ୍ନାୟୁ ଗ୍ରନ୍ଥି ଦେଇ ମସ୍ତିଷ୍କରେ ପହଞ୍ଚିଯିବା ପାଇଁ ବାଟ ଖୋଲିଦିଏ। ‘କାପ୍ସାଇସିନ୍’ ପ୍ରକୃତରେ ଜୀବକୋଷକୁ ଜାଳି ଦିଏ ନାହିଁ କିମ୍ବା ନଷ୍ଟ କରେ ନାହିଁ, କିନ୍ତୁ ‘ଟିଆର୍ପିଭି1’ର ସମ୍ପର୍କରେ ଆସିବା ମାତ୍ରେ ଏହା ମସ୍ତିଷ୍କରେ ଜଳିଯିବା ଭଳି ଏକ ଅନୁଭବ ସୃଷ୍ଟି କରିଥାଏ। ଏହି ଅନୁଭବର ତୀବ୍ରତା ଅନୁସାରେ ମସ୍ତିଷ୍କ ବ୍ୟକ୍ତିର ଶରୀରକୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଉପଯୁକ୍ତ କିଛି ପ୍ରତିକ୍ରିୟା ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ।
ଏହି ଯନ୍ତ୍ରଣାଦାୟକ ଅନୁଭବକୁ କାର୍ଯ୍ୟରେ ଲଗାଇବା ପାଇଁ ଭାରତର ସାମରିକ ଗବେଷଣା ସ˚ସ୍ଥା ‘ଡିଆର୍ଡିଓ’ ନିରାପତ୍ତା ରକ୍ଷା କାର୍ଯ୍ୟାନୁଷ୍ଠାନରେ ବ୍ୟବହାର ଉଦ୍ଦେଶ୍ୟରେ ‘କାପ୍ସାଇସିନ୍’ ଭର୍ତ୍ତି ଗ୍ରେନେଡ୍ ତିଆରି କୌଶଳ ଉଦ୍ଭାବନ ମଧୢ କରିଛି, ଯାହା ଲୁହବୁହା ଗ୍ୟାସ୍ ଠାରୁ ବହୁ ଗୁଣ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏଥିପାଇଁ ପୃଥିବୀର ସବୁଠାରୁ ଭୟଙ୍କର ରାଗ ଲଙ୍କା ରୂପେ ସ୍ବୀକୃତ ନାଗାଲାଣ୍ତ୍ର ‘ନାଗା ମୋରିଚ’ ଏବ˚ ସେଠାକାର ଅନ୍ୟ ଏକ ଏହା ଠାରୁ ସାମାନ୍ୟ କମ୍ ରାଗ ଲଙ୍କା ‘ଭୁତ୍ ଜୋଲାକିଆ’ର ‘କାପ୍ସାଇସିନ୍’କୁ ବ୍ୟବହାର କରାଯାଇଥାଏ। ଜୁଲିଅସ୍ଙ୍କ ନୋବେଲ୍-ବିଜୟୀ ଆବିଷ୍କାର ପରେ ଏବେ ଜଣାପଡ଼ିଛି ଯେ ମନୁଷ୍ୟ ଠାରେ ‘କାପ୍ସାଇସିନ୍’ ଘଟାଉଥିବା ଏହି ଲଙ୍କା-କାଣ୍ତର ସୂତ୍ରଧର ହେଉଛି ତା’ର ଜୀବକୋଷରେ ଥିବା ସେଇ ରିସେପ୍ଟର୍ ‘ଟିଆର୍ପିଭି1’। ଜୁଲିଅସ୍ ସାବ୍ୟସ୍ତ କରିଛନ୍ତି ଯେ ଏହି ‘ଟିଆର୍ପିଭି1’ ରିସେପ୍ଟର୍ ମାଧୢମରେ ହିଁ ପରିବେଶର ଉତ୍ତାପରେ ହ୍ରାସ ବୃଦ୍ଧି ସମ୍ବନ୍ଧରେ ମସ୍ତିଷ୍କ ପାଖରେ ସୂଚନା ପହଞ୍ଚି ଥାଏ।
ଜୁଲିଅସ୍ଙ୍କ ଏହି ଆବିଷ୍କାର ଲଙ୍କାର ତାତି ବା ଖରାର ତାତିକୁ ‘ସଲିପ୍ସିଜ୍ମ’ ତତ୍ତ୍ବ ନିର୍ଦ୍ଦେଶିତ ଏକ ବ୍ୟକ୍ତିଗତ ଧାରଣାରୁ ରୂପାନ୍ତରିତ କରି ଏକ ସାର୍ବଜନୀନ ଧାରଣାରେ ପରିଣତ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେହେତୁ ଲଙ୍କାର ତାତିର ଧାରଣା ଶରୀରରେ ‘ଟିଆର୍ପିଭି1’ ରିସେପ୍ଟର୍ର ଉପସ୍ଥିତି ଉପରେ ନିର୍ଭର କରେ ଏବ˚ ପ୍ରତ୍ୟେକ ମନୁଷ୍ୟର ଶରୀରରେ ଏହି ରିସେପ୍ଟର୍ ରହିଛି, ଏହାକୁ କେହି ଆଉ ତାଙ୍କର ନିଜସ୍ବ ଧାରଣା ବୋଲି କହିବା ଯୁକ୍ତିଯୁକ୍ତ ହେବ ନାହିଁ। ଜୁଲିଅସ୍ ସାବ୍ୟସ୍ତ କରିଛନ୍ତି ବୋଲି କୁହାଯାଇ ପାରିବ ଯେ ଲଙ୍କାର ରାଗ ବା ଖରାର ତାତି କୌଣସି ବ୍ୟକ୍ତିଗତ ଧାରଣା ଉପରେ ନିର୍ଭରଶୀଳ ନୁହେଁ, ତାହା ଏକ ସ୍ବାଧୀନ ଦୁନିଆର ଅ˚ଶ। ଯାନ୍ତ୍ରିକ ସ୍ପର୍ଶଜନିତ ଅନୁଭବ ସମ୍ବନ୍ଧରେ ଅନ୍ୟ ନେବେଲ୍ ବିଜୟୀ ପାଟାପୋରିଆନ୍ ଠିକ୍ ଏଇ ଭଳି ଅନ୍ୟ ଏକ ଆବିଷ୍କାର କରିଛନ୍ତି। ଏ ଉଭୟ ଆବିଷ୍କାରକୁ ବ୍ୟବହାର କରି ଶାରୀରିକ ଯନ୍ତ୍ରଣା ଉପଶମ ପାଇଁ ନୂତନ ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯାଇ ପାରିବ ବୋଲି ଆଶା କରାଯାଉଛି।