ଦୁଇ ପୁଅ

ଗଲା କିଛି ଦିନ ଧରି ଆମ ଦେଶରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଅବା˚ଛିତ ଘଟଣା ସକାଶେ ‘ଦୁଇ ପୁଅ’ଙ୍କୁ କେନ୍ଦ୍ର କରି ଘମାଘୋଟ ଚର୍ଚ୍ଚା ଚାଲିଛି। ଏହି ସ୍ତମ୍ଭର କୌଣସି ପାଠକପାଠିକାଙ୍କୁ ଅଗୋଚର ନ ଥିବ ଯେ ସେମାନଙ୍କ ମଧୢରୁ ଜଣେ ହେଉଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ତାରକାଙ୍କ ପୁତ୍ର, ଯିଏ ନିଜ ପିତାଙ୍କ ପ୍ରଭାରେ ଆଲୋକିତ ହୋଇ ପରିଚିତ ଏବଂ ଦ୍ବିତୀୟ ଜଣକ ନିଜେ ଲାଭ କରିଥିବା କୁଖ୍ୟାତି ହେତୁ ନିଜ ପିତାଙ୍କୁ ଏକ ଅଖିଳ ଭାରତୀୟ ପରିଚିତି ପ୍ରଦାନ କରିଛନ୍ତି। ସେମାନେ ହେଉଛନ୍ତି ଯଥାକ୍ରମେ ଆରୟନ୍‌ ଖାଁ (ପିତା ଶାହରୁଖ ଖାଁ) ଏବ˚ ଆଶିଷ ମିଶ୍ର (ପିତା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର)। ଏମାନେ ଯେଉଁ ଘଟଣା ଦ୍ବୟରେ ଜଡ଼ିତ ବୋଲି ଅଭିଯୋଗ ହୋଇଥାଏ, ତାହା ପରସ୍ପର ସହିତ ସ˚ପୂର୍ଣ୍ଣ ଅସ˚ଲଗ୍ନ; କିନ୍ତୁ ସେ ଦ୍ବୟ ମଧୢରେ ଯେଉଁ ଗୋଟିଏ ସାଦୃଶ୍ୟ ରହିଛି, ତାହା ହେଲା ଏ ଦ୍ବୟ ଘଟିବା ପଛରେ ନିହିତ ଥିବା ‘ଅନ୍ଧତ୍ବ’। ତେଇଶ ବର୍ଷ ବୟସ୍କ ଆରୟନ୍‌ଙ୍କୁ ତାଙ୍କ ପିତାଙ୍କ ଅପରିମେୟ ବିତ୍ତ ଏବ˚ ତାରକା-ଆଲୋକର ଛଟା ଅନ୍ଧ କରି ଦେଇଥିବା ବେଳେ ଚାଳିଶ ବର୍ଷ ବୟସ୍କ ଆଶିଷଙ୍କୁ ହୁଏ’ତ ପିତାଙ୍କ ରାଜନୈତିକ ପ୍ରଭାବରୁ ସୃଷ୍ଟ କ୍ଷମତାର ଉଚ୍ଚାଟ ଅନ୍ଧ କରି ଦେଇଥିବ। ତା’ ନ ହେଲେ ସେମାନଙ୍କ ମଧୢରେ ‘ହୁ କେୟାର୍ସ‌୍‌’ ବା ‘କିଏ ଖାତିର କରୁଛି’ ସୁଲଭ ମନୋଭାବ ସୃଷ୍ଟି ହୁଅନ୍ତା ନାହିଁ, ଯାହା ପ୍ରକାରାନ୍ତରେ ଏହି ଭଳି ଅଘଟଣ ବା ଅପରାଧକୁ ଜନ୍ମ ଦେଇଛି।

ନିଷିଦ୍ଧ ନିଶା ଦ୍ରବ୍ୟ ସେବନ କରିବା ତଥା ତାକୁ ପାଖରେ ରଖିଥିବା ଅଭିଯୋଗରେ ଆରୟନ୍‌ଙ୍କୁ ‘ନେସନାଲ ନାର୍‌କୋଟିକ୍‌ସ ବ୍ୟୁରୋ’ର ଅଧିକାରୀମାନେ ଗିରଫ କରିବା ନେଇ ଅନେକ ବିଶେଷ ବିସ୍ମୟ ପ୍ରକାଶ କରି ନ ଥାଆନ୍ତି। କାରଣ ତାଙ୍କର ବିଭିନ୍ନ ପ୍ରକାର ବିଳାସର ନଗ୍ନ ସ୍ଥିର ଓ ଚଳତ୍‌ ଚିତ୍ର ଅନେକ ସମୟରେ ସାମାଜିକ ଗଣମାଧୢମରେ ଘୂରି ବୁଲିଥାଏ। ଏପରି କି ସେ ନିଜେ ପୋଷ୍ଟ କରୁଥିବା ଶହ ଶହ ‘ଇନ୍‌ଷ୍ଟାଗ୍ରାମ୍‌’ ଫଟୋ ଏବ˚ ଭିଡିଓରେ ତାଙ୍କ ବନ୍ଧନହୀନ ମଉଜର ଦୃଶ୍ୟମାନ ଦେଖିବାକୁ ମିଳିଥାଏ। ଗଣମାଧୢମ ସୂତ୍ରରୁ ପ୍ରକାଶ ଯେ ସେ ପନ୍ଦର ବର୍ଷ ବୟସରୁ ନିଷିଦ୍ଧ ଡ୍ରଗ୍‌ସ ସେବନ କରି ଆସିଥିବା ବିଷୟ ସ୍ବୀକାର କରିଛନ୍ତି। ସେହିଭଳି ତାଙ୍କ ଦ୍ବାରା ପ୍ରଦତ୍ତ ଆଉ ଏକ ବୟାନ ଚର୍ଚ୍ଚିତ ହୋଇଥାଏ, ଯାହା କହିଥାଏ ଯେ ନିଜ ପିତାଙ୍କୁ ଭେଟିବାକୁ ହେଲେ ତାଙ୍କୁ ମଧ୍ୟ ପୂର୍ବରୁ ‘ଆପଏଣ୍ଟମେଣ୍ଟ୍‌’ ନେବାକୁ ପଡ଼ିଥାଏ। ଏଥିରୁ ଏକ ବିକ୍ଷିପ୍ତ ‘ଖାଁ’ ପରିବାରର ଚିତ୍ର ଦିଶିଥାଏ, ଯାହା ସମ୍ଭବତଃ ଏଭଳି ଏକ ଧାରଣାର ବଶବର୍ତ୍ତୀ ଯେ ବିତ୍ତର ଔଜ୍ଜ୍ବଲ୍ୟ ଜୀବନର ଯେ କୌଣସି ଅନ୍ଧକାରକୁ ଦୂର କରିବାକୁ ସମର୍ଥ। ସମ୍ଭବତଃ ସେହି କାରଣରୁ ବର୍ତ୍ତମାନ ଅନେକ ଅମିତ ବିତ୍ତଶାଳୀ ପରିବାରର ଦାୟାଦମାନେ ଜୀବନର ଗଭୀରତାକୁ ନ ଯାଇ ଅତ୍ୟନ୍ତ ବେପରୁଆ ଭାବେ ତାକୁ ନିଃଶେଷ କରିବାରେ ମଗ୍ନ, ଯାହା ପ୍ରାଚୁର୍ଯ୍ୟ ପ୍ରଦର୍ଶନ ରୂପରେ ସେମାନଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟରେ ସ୍ଥାନ ପାଇଥାଏ। ତାହା ହୋଇ ନ ଥିଲେ ଭାରତୀୟ ମୂଳର ଆମେରିକୀୟ ଧନୀକ ଦୁଲାଳ ପରମ ଶର୍ମା ନିଜ ପିତାଙ୍କ ଅର୍ଜିତ ଟଙ୍କାର କୁଢ଼ ସହିତ ନିଜର ଫଟୋ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଅପ୍‌ଡେଟ୍‌ କରୁଥିବା ଦେଖିବାକୁ ମିଳନ୍ତା ନାହିଁ! ଆରୟନ୍‌ ମଧୢ ସେହିଭଳି ଅନେକଙ୍କ ମଧୢରୁ ଜଣେ ଯିଏ ଅଗତ୍ୟା ଏକ ବେଆଇନ କାର୍ଯ୍ୟ କରିଥିବା ଅପରାଧରେ ଦହଗଞ୍ଜ ହେଉଛନ୍ତି।

ତେବେ, କହିବା ଅନାବଶ୍ୟକ ଯେ ଆରୟନ୍‌ଙ୍କ ତୁଳନାରେ ଆଶିଷଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନେକ ଗୁଣରେ ଅଧିକ ଗୁରୁତର। ଏହାର ପ୍ରଥମ କାରଣ ହେଲା ଆଶିଷ ଯେଉଁ ଘଟଣାରେ ମୁଖ୍ୟ ଅଭିଯୁକ୍ତ, ତହିଁରେ ଆଠ ଜଣଙ୍କ ଜୀବନ ହାନି ହୋଇଛି। ଏବ˚ ଦ୍ବିତୀୟ କାରଣଟି ହେଲା ନିଷିଦ୍ଧ ଡ୍ରଗ୍‌ସ ସ˚ପର୍କିତ ଆଇନଗତ ପ୍ରାବଧାନ ସମ୍ବନ୍ଧରେ ଆରୟନ୍‌ ଅଜ୍ଞ ଥିବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ସଡ଼କରେ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଲାଗି ଡ୍ରାଇଭର୍‌କୁ ଆଦେଶ ଦେଇଥିବା ଆଶିଷ ନିଶ୍ଚୟ ଅବଗତ ଥିବେ ଯେ ସେଭଳି କାର୍ଯ୍ୟ ଉଭୟ ନୈତିକ ଏବ˚ ଆଇନଗତ ଦୃଷ୍ଟିରୁ ସ˚ପୂର୍ଣ୍ଣ ଅକରଣୀୟ। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ପ୍ରାୟ ଗୋଟିଏ ସମୟରେ ଘଟିଥିବା ଏହି ଦୁଇ ପ୍ରସଙ୍ଗକୁ କେନ୍ଦ୍ର କରି ଗଣମାଧୢମ ଏବଂ ସେ ମାମଲା ଦ୍ବୟରେ ସଂଶ୍ଳିଷ୍ଟ ତଦନ୍ତକାରୀ ସରକାରୀ ବିଭାଗଗୁଡ଼ିକର ଆଭିମୁଖ୍ୟରେ ତାରତମ୍ୟ ଦେଖିବାକୁ ମିଳିଥାଏ। ଉଦାହରଣ ସ୍ବରୂପ ନିଷିଦ୍ଧ ନିଶା ଦ୍ରବ୍ୟ କାରବାରକୁ ନେଇ ମୁମ୍ବାଇରେ ପ୍ରତି ଦିନ ଅନେକ ଗିରଫଦାରି ହେଉଥିଲେ ସୁଦ୍ଧା (୨୦୨୦ରେ ଭାରତରେ ରୁଜୁ ହୋଇଥିଲା ୬୩,୧୩୭ ମାମଲା: ଏନ୍‌.ସି.ଆର‌୍‌.ବି. ତଥ୍ୟ) ଆରୟନ୍‌ ସ˚ପୃକ୍ତ ଥିବା ଏହି ହାଇ ପ୍ରୋଫାଇଲ୍‌ ମାମଲାରେ ଆଗ୍ରହାତିଶଯ୍ୟ ପ୍ରକାଶ ପଛରେ ସମ୍ଭବତଃ ରହିଛି ଯଶର ଆଲୋକରେ ଉଦ୍‌ଭାସିତ ହେବା ଲାଗି ନାର୍କୋଟିକ୍‌ସ ବ୍ୟୁରୋର ଏକ ଲୁକ୍କାୟିତ ଇଚ୍ଛା। ଅପର ପକ୍ଷରେ ଲକ୍ଷ୍ମୀପୁର ଖେଡ଼ୀ ନରହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୁଲିସ୍‌ ଏ ପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ କରି ନ ଥିବା ପଛରେ ରାଜନୈତିକ ଚାପ ଥିବା ନିଶ୍ଚିତ। ସେହିଭଳି ଗଣମାଧୢମ ମଧୢ ଏକ ପାତରଅନ୍ତରମୂଳକ ମନୋଭାବ ଦ୍ବାରା ର˚ଜିତ ହୋଇଛି; ଯେଉଁ କାରଣରୁ ଆରୟନ୍‌ ଏବ˚ ଶାହରୁଖ ଇତ୍ୟାଦି ଗଣମାଧୢମର ବିଷୋଦ୍‌ଗାରର ଶିକାର ହୋଇଥିବା ବେଳେ ଆଶିଷଙ୍କ କ୍ଷେତ୍ରରେ ଏକ ବ୍ୟତିକ୍ରମ ଘଟି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଗଣମାଧୢମ ଦ୍ବାରା ସେ ନିର୍ଦ୍ଦୋଷ ବୋଲି ଅଭିହିତ ହେଉଥିବା ଦେଖାଯା‌ଉଛି। ସୁୁତରା˚, ଏହି ଦୁଇ ‘ବିଶିଷ୍ଟ’ ପୁତ୍ରଙ୍କୁ ଦୁଇ ପ୍ରକାର ତରାଜୁରେ ଓଜନ କରାଯାଉଛି ଏବ˚ ଅସ˚ଗତିଟି ହେଲା ଅପେକ୍ଷାକୃତ ହାଲୁକା ଅପରାଧ କରିଥିବା ତରୁଣ ଅଧିକ ଘାତକ ପ୍ରହାର ସହୁଛନ୍ତି!

ଆରୟନ୍‌ଙ୍କ ପରିପ୍ରେକ୍ଷୀରେ ବାଇବଲ୍‌ରେ ବର୍ଣ୍ଣିତ ‘ଦ ରିଟର୍ନ ଅଫ୍‌ ଦ ପ୍ରଡିଗାଲ୍‌ ସନ୍‌’(ଖର୍ଚ୍ଚୀ ପୁଅର ଘର ବାହୁଡ଼ା) ଗଳ୍ପଟି ସ୍ମରଣକୁ ଆସିଥାଏ। କାହାଣୀଟି ଅନୁସାରେ ଜଣେ ଧନୀ ପିତାଙ୍କ ଦୁଇ ପୁତ୍ରଙ୍କ ମଧୢରୁ ବିଳାସପ୍ରିୟ ଖର୍ଚ୍ଚୀ ସନ୍ତାନଟି ପୈତୃକ ସ˚ପତ୍ତିରେ ନିଜ ଭାଗଟି ମାଗି ନେଇ ତାକୁ ଅଚିରେ ଉଡ଼ାଇ ଦେଇ ଏକ ଭିକ୍ଷୁକରେ ପରିଣତ ହେବା ପରେ ଅନୁତପ୍ତ ହୋଇ ପୁଣି ଘରକୁ ବାହୁଡ଼ିବାକୁ ପିତାଙ୍କ ଅନୁମତି ଲୋଡ଼ିଛି। ପିତା ଅନୁମତି ଦେବା ସହିତ ତା’ର ଘର ବାହୁଡ଼ା ଲାଗି ଭବ୍ୟ ସ୍ବାଗତ ଆୟୋଜନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଘରେ ପିତାଙ୍କ ପାଖରେ ରହି ତାଙ୍କ ଆଜ୍ଞାକୁ ସର୍ବଦା ପାଳି ଆସିଥିବା ପୁତ୍ର ବିସ୍ମୟ ପ୍ରକାଶ କରି ପିତାଙ୍କୁ ପ୍ରଶ୍ନ କରିଥାଏ ଯେ ତା’ ଲାଗି କେବେ ହେଲେ ଏଭଳି ଆୟୋଜନ କରି ନ ଥିବା ପିତା ତାଙ୍କ ପଥଭ୍ରଷ୍ଟ ସନ୍ତାନ ଲାଗି କାହିଁକି ତାହା କରୁଛନ୍ତି? ଉତ୍ତରରେ ପିତା କହନ୍ତି ଯେ ମେଷ ଦଳ ବାହାରକୁ ଯାଇଥିବା ବେଳେ ବାଟବଣା ହୋଇ ହଜି ଯାଇଥିବା ମେଷଟିକୁ ପାଇଗଲା ପରେ ଯେମିତି ମେଷ ପାଳକ ତାକୁ କାଖରେ ଧରି ଫେରିଥାଏ, ସେମିତି ପଥଭ୍ରଷ୍ଟ ହେବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ସନ୍ତାନ ଲାଗି ନିବିଡ଼ ସ୍ନେହ ଆବଶ୍ୟକ। ଗଣମାଧୢମରେ ପ୍ରକାଶିତ ଖବରଗୁଡ଼ିକରୁ ଏକ ଧାରଣା ସୃଷ୍ଟି ହୁଏ ଯେ ଗିରଫ ହେବା ପର ଠାରୁ ଅବିରାମ ଅଶ୍ରୁ ବିସର୍ଜନ କରି ଚାଲିଥିବା ଆରୟନ୍‌ ସମ୍ଭବତଃ ତାଙ୍କ କାର୍ଯ୍ୟ ଲାଗି ଅନୁତପ୍ତ। ଏବେ ଶାହରୁଖ ଖାଁ ଯଦି ଏହି ବାଇବଲ୍‌ର ଗଳ୍ପକୁ ମନେ ପକାଇ ସେହି ପିତାଙ୍କ ସୁଲଭ ଆଚରଣ ପ୍ରକାଶ କରନ୍ତି, ତେବେ ଆରୟନ୍‌ ଜୀବନର ଏଭଳି ଏକ ସ୍ବାଦ ଲାଭ କରିବାର ସମ୍ଭାବନା ରହିଛି, ଯାହା ତାଙ୍କୁ ଭବିଷ୍ୟତ୍‌ରେ ଆଉ ପଥଭ୍ରଷ୍ଟ ହେବାକୁ ଦେବ ନାହିଁ। ସେହି ପ୍ରେକ୍ଷାପଟରେ କୁହାଯାଇପାରେ ଯେ ଆଶିଷ ଯଦି ସତରେ ସ˚ପୃକ୍ତ ଏବ˚ ନିଜ କାର୍ଯ୍ୟ ଲାଗି ଅନୁତପ୍ତ ତେବେ ସେ ମଧୢ ସୁଧୁରିବା ଲାଗି ‘ଘର ବାହୁଡ଼ା’ର ଉଦ୍ୟମ କରିବେ, ଯାହା ତାଙ୍କ ଆଚରଣରୁ ସ୍ପଷ୍ଟ ହେବ। କିନ୍ତୁ, ନିଜର ପୂର୍ବ ବୟାନ ବଦଳାଇ ସେହି ଗାଡ଼ିରେ ସେ ନ ଥିବା ବିଷୟ ଏବେ କହିବା ପ୍ରମାଣ କରିଥାଏ ଯେ ସେ ଅସତ୍ୟର ଆଶ୍ରୟ ନେଇ ଖସିଯିବା ଲାଗି ଉଦ୍‌ଗ୍ରୀବ। ରାଜନୈତିକ କ୍ଷମତାର ପ୍ରଭାବ ଏବ˚ ଏକ ନିର୍ଦ୍ଦିଷ୍ଟ ବର୍ଗର ଗଣମାଧୢମ ଏଥିରେ ତାଙ୍କର ସହାୟକ ମଧୢ ହେବ। ସୁତରା˚, ଖୁବ୍‌ ସମ୍ଭବ ତାଙ୍କର ‘ଘର ବାହୁଡ଼ା’ ଦେଖିବାକୁ ମିଳି ନ ପାରେ।

ସମ୍ବନ୍ଧିତ ଖବର