‘‘ପାଦେ ହାଇ ହିଲ୍ ଜୋତା, ହାତେ ରଙ୍ଗିନ୍ ଛତା/ ଛାତି ଫୁଲାଇ ଚାଲେ ଲୋ, ଯୁଗର ବନିତା।’’ ଯୁଗର ବନିତା, ଅର୍ଥାତ୍ ଆଧୁନିକ ନାରୀର ଏ ଯେଉଁ ଚିତ୍ର ସେ କାଳର ଓଡ଼ିଶାରେ କେହି ଜଣେ ଯାତ୍ରା ଗୀତିକାର ଆଙ୍କିଥିଲେ, ତାହାର ମର୍ମ ଥିଲା- ଆଧୁନିକ ନାରୀ ପିଲାଛୁଆ, ଘର ସ˚ସାର ଠାରୁ ଦୂରେଇ ଯାଇ ଏଇ ଭଳି ଅବତାର ଗ୍ରହଣ କରିବାକୁ ପସନ୍ଦ କରିଥାଏ। ଉଭୟ ସ୍ଥାନ ଓ କାଳରେ ଦୀର୍ଘ ତଫାତ୍ ଥିଲେ ମଧୢ ଏଇ ମାତ୍ର ରବିବାର ଦିନ କର୍ଣ୍ଣାଟକ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର କେ ସୁଧାକର ଆଜିର ଆଧୁନିକ ନାରୀ ସମ୍ବନ୍ଧରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି, ଅତୀତର ସେହି ଓଡ଼ିଆ ଯାତ୍ରା ଗୀତ ସହିତ ତାହା ଯେଉଁଭଳି ମେଳ ଖାଇଥାଏ, ତାହା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ।
ବାଙ୍ଗାଲୋର୍ସ୍ଥିତ ମର୍ଯ୍ୟାଦାଜନକ ମାନସିକ ଓ ସ୍ନାୟବିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ‘ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ତ୍ ନିଉରୋସାଇନ୍ସେସ୍’ (‘ନିମ୍ହାନ୍ସ’)ର ସମାବର୍ତ୍ତନ ଉତ୍ସବ ତଥା ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ପ୍ରଦାନ କରିବା ସମୟରେ ଡାକ୍ତର ସୁଧାକର ଗଭୀର କ୍ଷୋଭ ପ୍ରକାଶ କରିଥିଲେ ଯେ ଭାରତରେ ଆଜି ଆଧୁନିକା ନାରୀମାନେ ଅବିବାହିତା ରହିବାକୁ ପସନ୍ଦ କରୁଛନ୍ତି ଏବ˚ ଯଦିବା ବିବାହ କରୁଛନ୍ତି, ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି। ସେ ସମୟର ସ୍ବଳ୍ପ ଶିକ୍ଷିତ ଓଡ଼ିଆ ଯାତ୍ରାଗୀତିକାରଙ୍କ ସହିତ ସ୍ବର ମିଳାଇବା ଭଳି ଆଜିର ଉଚ୍ଚ ଶିକ୍ଷିତ, ତାଲିମପ୍ରାପ୍ତ କନ୍ନଡ଼ ଡାକ୍ତର ତଥା ସଫଳ ରାଜନେତା ଜଣକ ଆଧୁନିକା ନାରୀର ଏପରି ପସନ୍ଦର ତୀବ୍ର ନିନ୍ଦା କରିଛନ୍ତି। ଏମାନଙ୍କ ମତରେ ନାରୀମାନେ ସେମାନଙ୍କର ସ୍ବାଭାବିକ ପ୍ରଜନନ ଭୂମିକାରୁ ଏଭଳି ଦୂରେଇ ଯିବା ନା ସେମାନଙ୍କ ପାଇଁ, ନା ପରିବାର ପାଇଁ, ନା ସମାଜ ପାଇଁ ମଙ୍ଗଳପ୍ରଦ ହୋଇଥାଏ।
ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ନାରୀ-ମୁକ୍ତିବାଦୀ ଓ ଲିଙ୍ଗ-ନ୍ୟାୟ ବାଦୀମାନଙ୍କ ଠାରୁ ଡାକ୍ତର ସୁଧାକର ଏଥିପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ସେମାନଙ୍କ ମତରେ ନାରୀମାନଙ୍କୁ ପ୍ରଜନନ ଦାୟିତ୍ବ ବହନ କରିବାକୁ କହିବା ଅର୍ଥ ନାରୀର ଯୌନ-ପରିଚୟକୁ ତା’ର ବ୍ୟକ୍ତି-ପରିଚୟ ଉପରେ ଜବରଦସ୍ତ ଲଦିବାକୁ ଚେଷ୍ଟା କରିବା। ଏହା ବର୍ତ୍ତମାନ ବ୍ୟାପକ ରୂପେ ସ୍ବୀକୃତ ଯେ ନାରୀର ଯୌନ ପରିଚୟ ପ୍ରକୃତି ସୃଷ୍ଟ ହୋଇଥିବା ବେଳେ ତାହାକୁ ଆଧାର କରି ତା’ ପାଇଁ ନିର୍ଦ୍ଦିଷ୍ଟ ଆଚରଣ ବିଧି ନିର୍ଣ୍ଣୟ କରିବା ଅର୍ଥାତ୍ ତା’ ପାଇଁ ଏକ ଲିଙ୍ଗଗତ ପରିଚୟ ସୃଷ୍ଟି କରିବା ହେଉଛି ସମ୍ପୂର୍ଣ୍ଣ କୃତ୍ରିମ ଏକ ସମାଜସୃଷ୍ଟ ଧାରଣା। ନାରୀର ଏହି କୃତ୍ରିମ ଲିଙ୍ଗ-ପରିଚୟ ଅନୁସାରେ ଯେମିତି ଆଶା କରାଯାଏ ଯେ ସେ ରୋଷେଇ କରିବ, ସନ୍ତାନସନ୍ତତିଙ୍କ ଲାଳନପାଳନ କରିବ, ସେବା ଶ୍ରୁଶ୍ରୂଷା ପ୍ରଦାନ କରିବ, ଇତ୍ୟାଦି; ସେଇଭଳି ଆଶା କରାଯାଏ ଯେ ସେ ବିବାହ କରିବ ଓ ସନ୍ତାନ ଜନ୍ମ କରିବ- ଯେଉଁ ଭଳି ଡାକ୍ତର ସୁଧାକର ଆଶା କରନ୍ତି।
ନାରୀ ମୁକ୍ତିବାଦୀମାନେ କିନ୍ତୁ ବିଶ୍ବାସ କରନ୍ତି ଯେ କାହାରି ବ୍ୟକ୍ତି-ପରିଚୟ ତା’ର ଯୌନ-ପରିଚୟ ଉପରେ ଆଦୌ ନିର୍ଭର କରେ ନାହିଁ; ବ୍ୟକ୍ତି ସତ୍ତା ହେଉଛି ଏକ ସମ୍ପୂର୍ଣ୍ଣ ରୂପେ ଯୌନ-ପରିଚୟ-ମୁକ୍ତ ସତ୍ତା। ଆତ୍ମାର ଲିଙ୍ଗ ଭେଦ ନାହିଁ। ଜଣେ ବ୍ୟକ୍ତିର ହେତୁବାଦୀ ମସ୍ତିଷ୍କ ଯଦି ବିବାହ ନ କରିବାକୁ କିମ୍ବା ସନ୍ତାନ ଜନ୍ମ ନ କରିବାକୁ ନିଷ୍ପତ୍ତି ନିଏ, ବ୍ୟକ୍ତି ଜଣକ ପୁରୁଷ କିମ୍ବା ନାରୀ- ଏଥିରେ ସେଭଳି ଲିଙ୍ଗଗତ ପରିଚୟର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ନାରୀ ମୁକ୍ତିବାଦୀମାନେ କହିଥା’ନ୍ତି। ଏହା ବର୍ତ୍ତମାନ ଏକ ଅତ୍ୟାଧୁନିକ ଧାରଣା ଭଳି ମନେ ହେଉଥିଲେ ମଧୢ ଏହାର ଉନ୍ମେଷ ଯେ ବେଶ୍ ପ୍ରାଚୀନ, ତାହା ଡାକ୍ତର ସୁଧାକରଙ୍କ ଭଳି ପରମ୍ପରାବାଦୀମାନଙ୍କୁ ଆଶ୍ଚର୍ଯ୍ୟ ମନେ ହୋଇପାରେ।
ଲିଙ୍ଗ-ପରିଚୟ ଯେ ବ୍ୟକ୍ତିର ଯୌନ-ପରିଚୟ ଭଳି ଏକ ଅପରିବର୍ତ୍ତନୀୟ ଧାରଣା ନ ହୋଇ ଏକ ପରିବର୍ତ୍ତନଶୀଳ ଧାରଣା ହୋଇଥାଏ- ଏହି ଚିନ୍ତାଧାରାର ମୂଳଭିତ୍ତି ହେଉଛି ‘ଲିଙ୍ଗ ହୀନ ଆତ୍ମା’ର ପରିକଳ୍ପନା। ମହାନ୍ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ରିପବ୍ଲିକ୍’ର ପଞ୍ଚମ ଭାଗରେ ନାରୀମାନଙ୍କୁ ମଧୢ ପୁରୁଷମାନଙ୍କ ଭଳି ସମାନ ଭାବରେ ରାଷ୍ଟ୍ରର ପରିଚାଳନା ଦାୟିତ୍ବ ପ୍ରଦାନ ସପକ୍ଷରେ ଯେଉଁ ଯୁକ୍ତି ବାଢ଼ିଥିଲେ, ତାହା ମୂଳରେ ଯେଉଁ ଧାରଣା ନିହିତ ଥିଲା, ତାହା ହେଉଛି ଏହି ‘ଲିଙ୍ଗହୀନ ଆତ୍ମା’ର ଧାରଣା। ବ୍ୟକ୍ତିର ଶରୀର ଲିଙ୍ଗ ଭେଦର ପରିଚୟ ବହନ କରୁଥିଲେ ହେଁ ତା’ର ଆତ୍ମା ସମ୍ପୂର୍ଣ୍ଣ ଲିଙ୍ଗ-ମୁକ୍ତ ହୋଇଥାଏ ବୋଲି ପ୍ଲାଟୋ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ। ସରଳ ଭାଷାରେ କହିଲେ, ପ୍ଲାଟୋ ବିଶ୍ବାସ କରୁଥିଲେ ଯେ ନାରୀର ଆତ୍ମା ଓ ପୁରୁଷର ଆତ୍ମା ମଧୢରେ କୌଣସି ଫରକ୍ ନାହିଁ। ତାଙ୍କ ମତରେ ସମାଜରେ ପୁରୁଷକୁ ଯେଉଁ ପ୍ରାଧାନ୍ୟ ଦିଆଯାଇଥାଏ, ତାହା ନାରୀର ଆତ୍ମା ଓ ପୁରୁଷର ଆତ୍ମା ମଧୢରେ ପ୍ରଭେଦ ଥାଏ ବୋଲି ରହିଥିବା ଏକ ଭ୍ରମାତ୍ମକ ବିଶ୍ବାସ ଉପରେ ପ୍ରତିଷ୍ଠିତ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆଧୁନିକ ସମୟରେ ନାରୀ ମୁକ୍ତି ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତ୍ରୀ ରୂପେ ସ୍ବୀକୃତ ବି˚ଶ ଶତାବ୍ଦୀର ବିଖ୍ୟାତ ଫରାସୀ ଦାର୍ଶନିକା ସିମନ୍ ଡି ବିଭ୍ବା ୧୯୪୯ରେ ପ୍ରକାଶିତ ତାଙ୍କର ଯୁଗାନ୍ତକାରୀ ପୁସ୍ତକ, ‘ଦି ସେକେଣ୍ତ୍ ସେକ୍ସ’ରେ ଠିକ୍ ଏଇଭଳି ଏକ ମତ ପ୍ରକାଶ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ସେ କହିଥିଲେ- କେହି ନାରୀ ବା ପୁରୁଷ ହୋଇ ଜନ୍ମ ହୋଇ ନଥାଏ, ସମାଜ ହିଁ ବ୍ୟକ୍ତିକୁ ନିଜ ସମ୍ବନ୍ଧରେ ସେଭଳି ପ୍ରଭେଦରେ ବିଶ୍ବାସ କରିବାକୁ ପ୍ରଭାବିତ କରିଥାଏ। ଯେମିତି ଏହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ସମାଜର ଜଣେ ପ୍ରମୁଖ ପ୍ରତିନିଧି ରୂପେ କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ ଆଜିର ନାରୀମାନଙ୍କ ମଧୢରେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରିଛନ୍ତି ଯେ ବିବାହ କରିବା ଓ ସନ୍ତାନ ଜନ୍ମ କରି ପରିବାର ସୃଷ୍ଟି କରିବା ହେଉଛି ସେମାନଙ୍କର ସ୍ବାଭାବିକ ଦାୟିତ୍ବ। ଏଥିରୁ ବିଚ୍ୟୁତି ସେମାନଙ୍କର ଦାୟିତ୍ବହୀନତାର ପରିଚୟ ବୋଲି ଡାକ୍ତର ସୁଧାକର ଅତୀତର ଯାତ୍ରା ଗୀତିକାରଙ୍କ ଭଳି ଆଜିର ଯୁଗର ବନିତାମାନଙ୍କ ଠାରେ ପ୍ରକାରାନ୍ତରେ ଏକ ଅପରାଧବୋଧ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି।
ଏହା ଅବଶ୍ୟ ସତ ଯେ ଇତିହାସ ସାରା ସମାଜରେ ପୁରୁଷ ଉପଭୋଗ କରିଆସିଥିବା ସମସ୍ତ ପ୍ରାଧାନ୍ୟ ସତ୍ତ୍ବେ ଏବ˚ କରି ଆସିଥିବା ସମସ୍ତ ଆସ୍ଫାଳନ ସତ୍ତ୍ବେ ସୃଷ୍ଟିର ମୌଳିକତମ ଶକ୍ତି ତା’ ଠାରେ ଅନୁପସ୍ଥିତ, ଯାହା କେବଳ ନାରୀର ଅଧିକାରରେ ରହିଛି: ଗର୍ଭଧାରଣ ଓ ସନ୍ତାନ ଭୂମିଷ୍ଠ କରିବାର କ୍ଷମତା। ଏହାର ଅର୍ଥ ନୁହେଁ ଏ କାର୍ଯ୍ୟ କରିବା ପାଇଁ ନାରୀକୁ ତା’ର ଇଚ୍ଛା ବିରୋଧରେ ବାଧୢ କରାଯାଇ ପାରିବ। ମାନବ ସମାଜ ତିଷ୍ଠି ରହିବା ନିମିତ୍ତ ଯଦି ନାରୀ ବିବାହ କରିବା ଓ ସନ୍ତାନ ଜନ୍ମ କରିବା ଅପରିହାର୍ଯ୍ୟ, ତେବେ ଏହି ଅତ୍ୟନ୍ତ କଠିନ, ଆୟାସସାଧୢ କାର୍ଯ୍ୟ କରିବା ପାଇଁ ତାକୁ ଉପଯୁକ୍ତ ଭାବରେ ପ୍ରବର୍ତ୍ତାଯିବା ଆବଶ୍ୟକ ଯାହା ତା’ର ସ୍ବାଧୀନ ଚେତନା ବା ଲିଙ୍ଗ-ମୁକ୍ତ ଆତ୍ମା ପ୍ରତି ସାମାନ୍ୟତମ ଆଘାତ ପହଞ୍ଚାଇବ ନାହିଁ। ସୁଧାକରସୁଲଭ ସମାଲୋଚନା ସେଭଳି ପ୍ରବର୍ତ୍ତନାର ଅ˚ଶ ନୁହେଁ।