ନିକଟରେ ପ୍ରକାଶିତ ହୋଇଥିବା ‘ବିଶ୍ବ କ୍ଷୁଧା ସୂଚକାଙ୍କ’ ତାଲିକାରେ ଭାରତର ସ୍ଥାନ ଅଗଣିତ ଭାରତୀୟଙ୍କୁ ମୁହ୍ୟମାନ କରିଛି। ୧୧୬ ରାଷ୍ଟ୍ର ବିଶିଷ୍ଟ ସେହି ତାଲିକାରେ ଭାରତ ରହିଛି ୧୦୧ତମ ସ୍ଥାନରେ। ଗଲା ବର୍ଷ ଏହି ତାଲିକାରେ ୧୦୭ଟି ଦେଶଙ୍କ ମଧୢରେ ଭାରତ ୯୪ତମ ସ୍ଥାନ ଅଧିକାର କରିଥିଲା। ଏଭଳି ସ୍ଥିତିରେ ଗଲା ବର୍ଷ ତୁଳନାରେ ଚଳିତ ବର୍ଷ ଭାରତର ପ୍ରଦର୍ଶନ ଅଧିକ ଭଲ ବା ଖରାପ; ସେ ନେଇ ଆଲୋଚନା କୌଣସି ଅର୍ଥ ରଖି ନ ଥାଏ, କାରଣ ଗଲା ବର୍ଷ ହେଉ ଅଥବା ଏହି ବର୍ଷ; ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଚଳିତ ବର୍ଷର ତାଲିକାରେ କେବଳ ଆଫଗାନିସ୍ତାନକୁ ଛାଡ଼ି ଦେଲେ ଆମର ସମସ୍ତ ପଡ଼ୋଶୀ ରାଷ୍ଟ୍ର ଆମ ଠାରୁ ଉପରେ ସ୍ଥାନ ପାଇଛନ୍ତି। ଏହି ସ˚ଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ଭାରତ ଏକ ଦ୍ରୁତବର୍ଦ୍ଧିଷ୍ଣୁ ବିଶାଳ ଅର୍ଥନୀତି ରୂପେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହି ରିପୋର୍ଟ ଏକ ଅସ˚ଗତି ରୂପେ ଆବିର୍ଭୂତ ହୋଇଛି।
ପ୍ରଥମରୁ ଉଲ୍ଲେଖ କରାଯିବା ଆବଶ୍ୟକ ଯେ ‘କ୍ଷୁଧା ସୂଚକାଙ୍କ’ ନାମଧାରୀ ଏହି ରିପୋର୍ଟ୍ଟି ପ୍ରକୃତରେ କ୍ଷୁଧାର ପରିମାପକ ଭାବେ ପ୍ରସ୍ତୁତ ହୋଇ ନ ଥାଏ ବା ଏଥିରେ କୌଣସି ରାଷ୍ଟ୍ରରେ ଅନାହାର ବା ଅର୍ଧାହାରରେ କାଳାତିପାତ କରୁଥିବା ଜନସାଧାରଣଙ୍କ ସ˚ଖ୍ୟାକୁ ଆଧାର ଭାବେ ଗ୍ରହଣ କରାଯାଇ ନ ଥାଏ। ଏଥିରେ ଯେଉଁ ବିଭାବ ଉପରେ ପ୍ରମୁଖ ଦୃଷ୍ଟି ଦିଆଯାଇଥାଏ, ତାହା ହେଲା କୁପୋଷଣ ବା ଅପପୁଷ୍ଟି; ଏବ˚ ଏହି ପୁଷ୍ଟିହୀନତାକୁ ସାବ୍ୟସ୍ତ କରିବା ଲାଗି ଯେଉଁ ବିଷୟକୁ ଉପଜୀବ୍ୟ କରାଯାଇଥାଏ, ତାହା ହେଉଛି ଶୂନରୁ ପାଞ୍ଚ ବର୍ଷ ବୟସ ମଧୢରେ ଶିଶୁଙ୍କ ଶାରୀରିକ ବିକାଶର ଅଧୢୟନ; ଯହିଁରେ ‘େଵଷ୍ଟି˚’ (ଶିଶୁମାନଙ୍କ ଓଜନ ସେମାନଙ୍କ ବୟସ ଅନୁସାରେ ତୁଳନାତ୍ମକ ଭାବେ କମ୍ ରହିବା) ଏବ˚ ‘ଷ୍ଟଣ୍ଟି˚’ (ଶିଶୁଟି ଏକ ନିର୍ଦ୍ଦିଷ୍ଟ ବୟସରେ ତୁଳନାତ୍ମକ ଭାବେ କମ୍ ଉଚ୍ଚତା ଲାଭ କରିବା) ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ତା’ଛଡ଼ା ମୁଣ୍ତ ପିଛା ଜଣେ ବ୍ୟକ୍ତି ଗ୍ରହଣ କରୁଥିବା ଖାଦ୍ୟର କ୍ୟାଲୋରି ପରିମାଣ (ହାରାହାରି ୧୮୦୦ କ୍ୟାଲୋରି)କୁ ମଧୢ ବିଚାରକୁ ନିିଆଯାଇଥାଏ। ଏହା ସହିତ ଶୂନରୁ ପାଞ୍ଚ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁ ହାରକୁ ମଧୢ ବିଚାରକୁ ନିଆଯାଇଥାଏ। ଏହି ବିଷୟଗୁଡ଼ିକ ମଧୢରୁ ଆମ ଦେଶ ଯେଉଁ ଗୋଟିକରେ ପୂର୍ବ ବର୍ଷ ତୁଳନାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି ତାହା ହେଉଛି ଶିଶୁ ମୃତ୍ୟୁ ହାରରେ ହ୍ରାସ, ଯାହା ଏହି ରିପୋର୍ଟ ଅନୁସାରେ ୩.୪ ପ୍ରତିଶତରେ ପହଞ୍ଚିଛି। କିନ୍ତୁ ‘େଵଷ୍ଟି˚’ ଏବ˚ ‘ଷ୍ଟଣ୍ଟି˚’ ଭଳି ପ୍ରସଙ୍ଗରେ ଆମ ଦେଶର ପ୍ରଦର୍ଶନ ହତାଶା ସୃଷ୍ଟି କରିଥାଏ, ଯାହାର କାରଣ ହେଉଛି ପୁଷ୍ଟିହୀନତା। ଏ ପରିପ୍ରେକ୍ଷୀରେ ଯାହା ଉଲ୍ଲେଖନୀୟ, ତାହା ହେଲା ଆମ ଦେଶରେ ଶିଶୁମାନଙ୍କ ପୁଷ୍ଟି ସାଧନ ସକାଶେ ପଥିକୃତ୍ ଉଦ୍ୟମ ଆରମ୍ଭ ହୋଇଛି।
ଅଙ୍ଗନବାଡ଼ି ଏବ˚ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାମାନଙ୍କ ଲାଗି ମାଗଣାରେ ପୁଷ୍ଟିସାର ପ୍ରଦାନ କରୁଥିବା ଖାଦ୍ୟ ଉପଲବ୍ଧ କରାଯାଉଛି। ତେଣୁ ପ୍ରଶ୍ନ ଉଠେ ଯେ ଏହା ସତ୍ତ୍ବେ ଏଭଳି ଏକ କରୁଣ ପରିସ୍ଥିତିର ଆବିର୍ଭାବ ଘଟୁଛି କାହିଁକି? ଏବଂ ଦ୍ବିତୀୟ ପ୍ରଶ୍ନ ହେଲା ଯେ ଏହି ସମସ୍ୟାର ସମାଧାନ ଲାଗି ଆହାର ପରିପ୍ରେକ୍ଷୀରେ ଆମମାନଙ୍କୁ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ଅଛି କି?
ଏହି ସ˚ଦର୍ଭରେ ‘ଦ ପ୍ରିଣ୍ଟ୍’ରେ ପ୍ରକାଶିତ ଏକ ଅନୁଧୢାନମୂଳକ ନିବନ୍ଧ ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। ଏଥିରେ ଇଭିକା ପେଟ୍ରିକୋଭା ଏବ˚ ଅରବିନ୍ଦ କୁମାର (ନିବନ୍ଧର ଲେଖକ) ଯାହା ପ୍ରତିପାଦନ କରିବାର ଉଦ୍ୟମ କରିଛନ୍ତି, ତାହା ବିଶେଷ କୌତୂହଳପ୍ରଦ। ତହିଁରେ ‘ରୟାଲ୍ ହଲୋେଵ ୟୁନିଭର୍ସିଟି ଅଫ୍ ଲଣ୍ତନ’ରେ ଗବେଷଣାରତ ଏହି ଲେଖକ ଦ୍ବୟ ନିଜେ କରିଥିବା ଏକ ବିସ୍ତୃତ ଅନୁଶୀଳନର ଆଶ୍ରୟ ନେଇ କହିଛନ୍ତି ଯେ ଆମ ଦେଶରେ ପ୍ରଚଳିତ ପାର˚ପରିକ ଧାରଣା ଅନୁସାରେ ଶୂନରୁ ଦୁଇ ବର୍ଷ ବୟସ୍କ ଶିଶୁମାନଙ୍କୁ ଅତ୍ୟନ୍ତ ସୀମିତ କିସମର ଖାଦ୍ୟ ଦିଆଯାଇଥାଏ, ଯାହା (ଅସ˚ଖ୍ୟ ସ୍ବଚ୍ଛଳ ପରିବାରମାନଙ୍କରେ ମଧୢ) ଏଭଳି ଅପପୁଷ୍ଟିର ଏକ କାରଣ। ସେମାନଙ୍କ ମତାନୁସାରେ ଆମ ଦେଶରେ ଜନ୍ମ ହେବା ପରେ ଛଅ ମାସ ପର୍ଯ୍ୟନ୍ତ କେବଳ ମାତୃ ସ୍ତନ୍ୟ ଉପରେ ଆଶ୍ରା କରି ବଢୁଥିବା ଶିଶୁମାନେ ତା’ ପର ଅବସ୍ଥାରେ କେବଳ କେତେକ ଶସ୍ୟଜାତ ଦ୍ରବ୍ୟର ଖିରିକୁ ଅତିରିକ୍ତ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି। ସେମାନଙ୍କ ନିୟମିତ ଆହାରରେ ପନିପରିବା, ଫଳ ଏବ˚ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କ ଶାରୀରିକ ବିକାଶ ଆଶାନୁରୂପକ ନ ହେବାର ସମ୍ଭାବନା ରହିଥାଏ।
ଏହି ପ୍ରସଙ୍ଗରେ ୨୦୧୫-୧୬ରେ ‘ନେସନାଲ୍ ଫାମିଲି ହେଲ୍ଥ ସର୍ଭେ’ ବା ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ରେ ପ୍ରକାଶିତ ଏକ ‘ଡେଟା’ର ଦୃଷ୍ଟାନ୍ତ ପ୍ରଦାନ କରି କୁହାଯାଇଛି ଯେ ଶୂୂନରୁ ଦୁଇ ବର୍ଷ ବୟସର ୫୦ ହଜାର ଶିଶୁଙ୍କ ଏକ ନମୁନାରୁ ଦେଖିବାକୁ ମିଳିଥିଲା ଯେ ସର୍ଭେର ପୂର୍ବ ଦିନ ମାତ୍ର ୨୮ ପ୍ରତିଶତ ଶିଶୁ ମାତୃ ସ୍ତନ୍ୟ ଅତିରିକ୍ତ କୌଣସି ଖାଦ୍ୟ ଖାଇଥିଲେ; ମାତ୍ର ୧୪ ପ୍ରତିଶତ ଅଣ୍ତା ଖାଇଥିଲେ ଏବ˚ ମାତ୍ର ୧୦ ପ୍ରତିଶତ ମାଛ ବା ମା˚ସ ଆମିଷ ଆହାର କରିଥିଲେ। ଏହା ଗବେଷଣାସିଦ୍ଧ ଯେ ଆମିଷ ଆହାର ବା ପ୍ରାଣୀମାନଙ୍କ ସୂତ୍ରରୁ ପ୍ରାପ୍ତ ଖାଦ୍ୟ (ଅଣ୍ତା ବା ଦୁଗ୍ଧ ବା ଦୁଗ୍ଧଜାତ ଦ୍ରବ୍ୟ) ଦ୍ବାରା ଏହି ବୟସ ବର୍ଗର ଶିଶୁମାନଙ୍କୁ ଯେଉଁ ପୁଷ୍ଟିସାର ଏବ˚ ଜୀବନୀକା ବା ଭିଟାମିନ୍ ‘ଏ’ ମିଳିଥାଏ, ତାହା ଶିଶୁମାନଙ୍କ ଶାରୀରିକ ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନିବନ୍ଧକାର ଦ୍ବୟ କୁକୁଡ଼ା ପାଳନ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିଥାଆନ୍ତି, କାରଣ ସେମାନଙ୍କ ଅନୁଶୀଳନ କହିଥାଏ ଯେ ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବହୁଳ ଭାବେ କୁକୁଡ଼ା ପାଳନ କରାଯାଉଥିବାରୁ ଶୂନରୁ ପାଞ୍ଚ ବର୍ଷ ବୟସ ବର୍ଗରେ ଶିଶୁମାନେ ତୁଳନାତ୍ମକ ଭାବେ ଅଧିକ ହୃଷ୍ଟପୁଷ୍ଟ। ଏହି ତୁଳନାତ୍ମକ ନିଷ୍କର୍ଷ କହିଥାଏ ଯେ ଏପରିକି ଉତ୍ତର ଭାରତର ରାଜ୍ୟଗୁଡ଼ିକ ଯେଉଁଠି ଗୋ-ପାଳନକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଥାଏ, ତା’ ତୁଳନାରେ ଉତ୍ତର-ପୂର୍ବୀୟ ଭାରତୀୟ ରାଜ୍ୟେର କୁପୋଷଣର ଶିକାର ହେଉଥିବା ଶିଶୁଙ୍କ ସ˚ଖ୍ୟା ୩୦ ପ୍ରତିଶତ କମ୍। ଏହାର କାରଣ ଉତ୍ତର ଭାରତୀୟ ରାଜ୍ୟରେ ଗୋ-ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଶିଶୁମାନଙ୍କ ଅତିରିକ୍ତ ଆହାର ହେଉଥିବା ବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶିଶୁମାନେ କୁକୁଡ଼ା ମା˚ସ ଏବ˚ ଅଣ୍ତାକୁ ଆହାର ଭାବେ ଲାଭ କରିଥାଆନ୍ତି। ସୁତରା˚, ସେମାନଙ୍କ ମତରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକ କୁକୁଡ଼ା ପାଳନ ମାଧୢମରେ ଶିଶୁମାନଙ୍କ ପୁଷ୍ଟିହୀନତାକୁ ଯଥେଷ୍ଟ ଦୂର କରିପାରିବାର ଆଶା ରହିଛି। କେବଳ ସେତିକି ନୁହେଁ ଶିଶୁମାନଙ୍କ ଲାଗି ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆଦ୍ୟ ଛଅ ମାସ ପରେ ଶିଶୁମାନଙ୍କ ଆହାରରେ ଏକ ବ୍ୟାପକ ବିବିଧତା ଦୃଷ୍ଟିଗୋଚର ହେବା।
ସୁତରା˚, ଏଠାରେ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆମ ଦେଶର ଖାଦ୍ୟାଭ୍ୟାସ ନେଇ ରହିଥିବା ପାର˚ପରିକ ଧାରଣାରେ କିଛିଟା ପରିବର୍ତ୍ତନ। ଭାରତ ହେଉଛି ପୃଥିବୀର ସର୍ବାଧିକ ସ˚ଖ୍ୟକ ନିରାମିଷାଶୀଙ୍କୁ ଧାରଣ କରିଥିବା ରାଷ୍ଟ୍ର। ସେହି ଅନୁସାରେ ଅସ˚ଖ୍ୟ ନିରାମିଷାଶୀ ଭାରତୀୟ ପୁଷ୍ଟିସାର ଏବ˚ ଅନେକ ପ୍ରକାର ଜୀବନୀକା ବା ଭିଟାମିନ୍ ଅଭାବର ଶିକାର ହୋଇଥାଆନ୍ତି। ଏହା ମଧୢ ଅନେକ ପରିବାରରେ ଶିଶୁମାନଙ୍କ ଶାରୀରିକ ବିକାଶରେ ପ୍ରତିବନ୍ଧ ଜନ୍ମାଉ ଥିବ। କିନ୍ତୁ ବାସ୍ତବରେ ଦାରିଦ୍ର୍ୟ ଏବ˚ ଅଶିକ୍ଷା ଓ ଅସଚେତନତା ଜର୍ଜରିତ ଭାରତୀୟ ପରିବାରର ଶିଶୁମାନେ ଏହି ଅପପୁଷ୍ଟଙ୍କ ସ˚ଖ୍ୟାରେ ଏକ ବୃହତ୍ ଭାଗ ଅଧିକାର କରିଛନ୍ତି। ୨୦୨୦ ମସିହାର ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ରିପୋର୍ଟ ଅନୁସାରେ ଭାରତର ୨୨ଟି ରାଜ୍ୟରୁ ଅର୍ଧେକରେ ‘ଷ୍ଟଣ୍ଟି˚’ ଏବ˚ ଦୁଇ ତୃତୀୟା˚ଶ ରାଜ୍ୟରେ ‘େଵଷ୍ଟି˚’ର ଶିକାର ଶିଶୁମାନଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିଛି। ଏହି ବାସ୍ତବତାକୁ ସ୍ବୀକାର କଲେ ‘ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟ’ର ବିଶ୍ବସନୀୟତା ବା ଗ୍ରହଣୀୟତାକୁ ନେଇ ବାଦବିବାଦରେ ମଜ୍ଜି ରହିବା ବୁଦ୍ଧିମାନୀ ହୋଇ ନ ପାରେ। ବର˚, ଯାହା ଆବଶ୍ୟକ ତାହା ହେଲା ଆହୁରି ସଘନ ଉଦ୍ୟମ, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଲାଗି ସଚେତନତାର ପ୍ରସାର ଏବ˚ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ଲାଗି ଉପଲବ୍ଧ ଖାଦ୍ୟରେ ବିବିଧତାରେ ବୃଦ୍ଧି। ତା’ ସହିତ ଏହି କାର୍ଯ୍ୟକ୍ରମରେ ହେଉଥିବା ଦୁର୍ନୀତି ଓ ବାଟମାରଣାକୁ ବନ୍ଦ କରାଯିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ସମସ୍ୟାର ମଞ୍ଜିକୁ ନ ଗଲେ ସମାଧାନର ସୂତ୍ର ମିଳିବ ନାହିଁ। କିଛି ଦିନ ତଳେ ଏକ ଅନୁଶୀଳନାତ୍ମକ ସମ୍ବାଦ ପ୍ରକାଶିତ ହୋଇଥିଲା ଯେ ଭାରତୀୟମାନଙ୍କ ହାରାହାରି ଉଚ୍ଚତାରେ କ୍ରମେ ହ୍ରାସ ଘଟିବାରେ ଲାଗିଛି। ଏହାର କାରଣ ପୁଷ୍ଟିହୀନତା କି? ଯଦି ତାହା ହୋଇଥାଏ, ତେବେ ଏ ସମସ୍ୟାର ବହୁ ଆୟାମୀ ସମାଧାନ ଅନ୍ବେଷଣ କରାଯିବା ଜରୁରୀ। ତାହା ନ ହେଲେ ଭବିଷ୍ୟତ୍ରେ ଭାରତର ମର୍ଯ୍ୟାଦା ହିଁ ଅଧିକ ଖର୍ବକାୟ ହେବାର ଆଶଙ୍କା ରହିଛି।