ଯନ୍ତ୍ରାରୂଢ଼

ଏକବିଂଶ ଶତାବ୍ଦୀର ଏକ ଚଉଠ ଅତିକ୍ରାନ୍ତ ହେବାକୁ ଯାଉଥିବା ସମୟରେ ଆମେ ଯେଉଁମାନେ ପୃଥିବୀ ପୃଷ୍ଠରେ ବାସ କରୁଛୁ, ବୋଧହୁଏ ବିଶ୍ବାସ କରିଥାଉ ଯେ ଆମେ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ବିଜ୍ଞାନ ଯୁଗରେ ବାସ କରୁଛୁ, ଯାହା ଆମର ଜ୍ଞାନଚକ୍ଷୁ ଖୋଲି ଦେଇ ମାନବ ସମାଜର ମଙ୍ଗଳ ସାଧନକୁ ସୁଗମ କରିବାରେ ଲାଗିଛି। ଅାଣବିକ ବିଜ୍ଞାନରୁ ମହାକାଶ ଅନୁସନ୍ଧାନ ପର୍ଯ୍ୟନ୍ତ, ଇଣ୍ଟର୍‌ନେଟ୍‌ରୁ କୃତ୍ରିମ ମେଧା ପର୍ଯ୍ୟନ୍ତ, ବିଟ୍ କଏନ୍‌ରୁ ବାୟୋଟେକ୍ନୋଲୋଜି ପର୍ଯ୍ୟନ୍ତ ମନୁଷ୍ୟ ଯେଉଁ ଭଳି ନିତ୍ୟନୂତନ ଜ୍ଞାନକୌଶଳମାନ ଆବିଷ୍କାର କରି ନିଜର ଜୀବନଧାରଣର ମାନରେ ଉନ୍ନତି ଘଟାଇବାରେ ପ୍ରୟୋଗ କରି ଚାଲିଛି, ତାହା ତା’ର ଆତ୍ମବିଶ୍ବାସରେ ବୃଦ୍ଧି ଘଟାଇ ନିଜକୁ ଅଧିକରୁ ଅଧିକ ଏକ ଅନ୍ଧବିଶ୍ବାସମୁକ୍ତ, ହେତୁବାଦୀ ପ୍ରାଣୀରେ ପରିଣତ କରିଛି ବୋଲି ଆମେ ଯଦି ବିଶ୍ବାସ କରୁ, ତାହା ଆଦୌ ଅଯୌକ୍ତିକ ହେବ ନାହିଁ।

କିନ୍ତୁ ଏପରି ଏକ ଧାରଣାରେ ଯେଉଁ ଗୋଟିଏ ବିଶେଷ ଦୁର୍ବଳତା ରହିଛି, ତାହା ହେଲା, ଏପରି ଏକ ଧାରଣାର ବଶବର୍ତ୍ତୀ ହେବାରେ ଇତିହାସରେ ଆମେ ପ୍ରଥମ ନୋହୁଁ। ବିଜ୍ଞାନ ଦ୍ବାରା ଉନ୍ମୋଚିତ ସତ୍ୟକୁ ପ୍ରକୃତ ସତ୍ୟ ରୂପେ ଗ୍ରହଣ କରିବା ଓ ତାହାକୁ ହିଁ ମାନବ ସମାଜର ପ୍ରଗତିର ଏକମାତ୍ର ଆଧାର ବୋଲି ଗ୍ରହଣ କରିବାର ଧାରଣାର ପ୍ରଥମ ଆବିର୍ଭାବ ଘଟିଥିଲା ଯେଉଁ ଶତାବ୍ଦୀରେ, ତାହା ହେଉଛି ଅଷ୍ଟାଦଶ ଶତାବ୍ଦୀ- ଆଜିକୁ ପ୍ରାୟ ତିନିଶହ ବର୍ଷ ତଳେ। ୧୬୫୦ରୁ ୧୭୭୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ସମୟ କାଳକୁ ବୌଦ୍ଧିକ ପରିସରରେ ‘ଜ୍ଞାନୋଦୟ ଯୁଗ’ ବା ‘ଏଜ୍ ଅଫ୍ ଏନ୍‌ଲାଇଟେନ୍‌ମେଣ୍ଟ’ ରୂପେ ଅଭିହିତ କରାଯାଇଥାଏ।

ବିଜ୍ଞାନର ଯେଉଁ ଯୁଗାନ୍ତକାରୀ ଅବଦାନକୁ ଏହି ହେତୁବାଦୀ ଯୁଗର ନାଭିକେନ୍ଦ୍ର ବୋଲି ବିଚାର କରାଯାଇଥାଏ, ତାହା ହେଉଛି- ୧୬୮୭ରେ ପ୍ରକାଶିତ ବ୍ରିଟିସ୍ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍‌ଙ୍କ ପୁସ୍ତକ, ‘ମାଥେମାଟିକାଲ୍ ପ୍ରିନ୍‌ସିପଲ୍‌ସ ଅଫ୍ ନାଚୁରାଲ୍ ଫିଲୋସଫି’, ଯାହା ସଂକ୍ଷେପରେ କେବଳ ‘ଦି ପ୍ରିନ୍‌ସିପିଆ’ ରୂପେ ସୁପରିଚିିତ। ତାଙ୍କ ପୂର୍ବରୁ ଗଣିତଜ୍ଞ-ଦାର୍ଶନିକ ଡେକାର୍ଟ‌୍, ଜ୍ୟୋତିର୍ବିଜ୍ଞାନୀ କେପ୍‌ଲର୍ ଓ ଗାଲିଲିଓ ପ୍ରଦର୍ଶିତ କରିଥିଲେ ମନୁଷ୍ୟ କିପରି ତା’ର ବୁଦ୍ଧିବଳରେ (ଧର୍ମ ଧାରଣା ବଳରେ ନୁହେଁ) ପ୍ରକୃତିର ଅବୋଧ୍ୟ ମନେହେଉଥିବା ନିୟମମାନଙ୍କୁ‌ ଭେଦ କରିପାରେ। ସେମାନଙ୍କର ଆବିଷ୍କାର କିନ୍ତୁ ଗ୍ରହମାନଙ୍କର ଗତିବିଧି ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମିତ ଥିଲା। ଏକ ଅସଲ ପ୍ରଶ୍ନ ତଥାପି ଅସମାହିତ ଥିଲା: ଗାଣିତିକ ପଦାର୍ଥବିଜ୍ଞାନ ସମଗ୍ର ପାର୍ଥିବ ବିଶ୍ବର ରହସ୍ୟ ଉନ୍ମୋଚନ କରିପାରିବ କି?

ନିଉଟନ୍ ପ୍ରମାଣ କଲେ ଯେ ଏହା ସମ୍ଭବ। ଯେମିତି ତାଙ୍କର ମାଧ୍ୟାକର୍ଷଣ ନିୟମ କେବଳ ପୃଥିବୀ ପାଇଁ ନୁହେଁ, ସମସ୍ତ ଗ୍ରହ ଓ ସେମାନଙ୍କର ଉପଗ୍ରହମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। ନିଉଟନ୍‌ଙ୍କ ଅନୁସାରେ ସମଗ୍ର ପାର୍ଥିବ ବିଶ୍ବ ହେଉଛି ଯାନ୍ତ୍ରିକ- ଏକ ‘ଜଗତ ଯନ୍ତ୍ର’। ଏ ଯନ୍ତ୍ରର ସମସ୍ତ ଆଚରଣ- ମହାଶୂନ୍ୟରେ ଗ୍ରହମାନଙ୍କର ଗତିରୁ ଗଛରୁ ସେଓର ପତନ ପର୍ଯ୍ୟନ୍ତ- ଗତିର ଯାନ୍ତ୍ରିକ ନିୟମମାନଙ୍କ ଦ୍ବାରା ବୋଧଗମ୍ୟ ହୋଇଥାଏ। ଏହା ଅନୁଯାୟୀ ପାର୍ଥିବ ଜଗତ୍‌ ହେଉଛି କେବଳ କାର୍ଯ୍ୟ-କାରଣମାନଙ୍କର ସମାହାର। କୌଣସି ପାର୍ଥିବ ବସ୍ତୁ ଏହି କାର୍ଯ୍ୟ-କାରଣ ନିୟମର ନିୟନ୍ତ୍ରଣରୁ ମୁକ୍ତ ନୁହେଁ। ଏହି ନିୟମମାନଙ୍କୁ ପାଳନ କରି ଜଗତ୍‌ର ବିଭିନ୍ନ ଅଂଶମାନ ପରସ୍ପର ସହିତ ତାଳମେଳ ରଖି କାର୍ଯ୍ୟ କରୁଥିବାରୁ ସଂସାର ତିଷ୍ଠି ରହିଛି।

ନିଉଟନ୍‌ଙ୍କର ଏହି ନୂତନ ଦୃଷ୍ଟଭଙ୍ଗୀ ଦ୍ବାରା ଅନୁପ୍ରାଣିତ ହୋଇ ଅଷ୍ଟାଦଶ ଶତାବ୍ଦୀର ଦାର୍ଶନିକମାନେ ସମଗ୍ର ପ୍ରକୃତିରେ- ପଦାର୍ଥ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ- ସଂହତି, ତାଳମେଳ ଓ ନିୟମାନୁବର୍ତ୍ତିତାର ଉପସ୍ଥିତି ଆବିଷ୍କାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ। ସେମାନେ ଚିନ୍ତା କଲେ- ଯଦି ପାର୍ଥିବ ପ୍ରକୃତି ପ୍ରକୃତିର ନିୟମ ମାନି ସୁସଂହତ ଭାବରେ କାର୍ଯ୍ୟ କରୁଛି, ମାନବୀୟ ପ୍ରକୃତି ପ୍ରତି ମଧ୍ୟ ତାହା ନିଶ୍ଚିତ ରୂପେ ପ୍ରଯୁଜ୍ୟ; କାରଣ ମାନବ ଜଗତ୍‌ ମଧ୍ୟ ପ୍ରକୃତିର ଅଂଶ ନୁହେଁ କି?

ଏହି ଚିନ୍ତାଧାରାକୁ ଆଗେଇ ନେଇ ଜନ୍ ଲକ୍‌ଙ୍କ ପରି ଦାର୍ଶନିକମାନେ ଦୃଢ଼ ମତ ପ୍ରକାଶ କରିବା ଦେଖାଗଲା ଯେ ପ୍ରତ୍ୟେକ ମନୁଷ୍ୟ ‘‘ସମାନ ଓ ସ୍ବାଧୀନ’’ ହୋଇଥିବାରୁ କେହି ଅନ୍ୟ ଜଣକର ‘‘ଜୀବନ, ସ୍ବାସ୍ଥ୍ୟ, ସ୍ବାଧୀନତା କିମ୍ବା ସମ୍ପତ୍ତି ପ୍ରତି କ୍ଷତି ପହଞ୍ଚାଇବା ଉଚିତ ନୁହେଁ।’’ ଯାହା ପ୍ରତ୍ୟେକ ସ୍କୁଲ୍ ଛାତ୍ରକୁ ଜଣା; ଜ୍ଞାନୋଦୟ ଯୁଗର ଏହି ମୌଳିକ ଦର୍ଶନ କେବଳ ୧୭୭୬ର ଆମେରିକାର ସ୍ବାଧୀନତା ବିପ୍ଳବ କିମ୍ବା ୧୭୮୯ର ଫରାସୀ ବିପ୍ଳବର ମୂଳାଧାର ଥିଲା, ତାହା ନୁହେଁ, ପୃଥିବୀରେ ପରବର୍ତ୍ତୀ ସମୟର ସମସ୍ତ ମୁକ୍ତି ଆନ୍ଦୋଳନ ତଥା ଆଧୁନିକ ଯୁଗର ମାନବାଧିକାର ସୁରକ୍ଷା ଅଭିଯାନମାନଙ୍କର ଏହା ହିଁ ହେଉଛି ମୂଳଭିତ୍ତି।

କିନ୍ତୁ ନିଉଟନ୍‌ଙ୍କ ଆବିଷ୍କାରକୁ ଆଲୋକ ବର୍ତ୍ତିକା ସ୍ବରୂପ ବ୍ୟବହାର କରି ଦାର୍ଶନିକମାନେ ମାନବ ସମାଜକୁ ମଧ୍ୟଯୁଗୀୟ ଧର୍ମାନ୍ଧତା ଓ ମତାନ୍ଧତାରୁ ମୁକୁଳାଇବା ପାଇଁ ବିଗତ ତିନି ଶତାବ୍ଦୀ ତଳୁ ବାଟ ଦେଖାଇ ଚାଲିଥିଲେ ହେଁ ଏହି ସମାଜର ଏକ ଅଂଶ ଯେ ତଥାପି ସେଇ ଅନ୍ଧାରରେ ବାଟବଣା ଅବସ୍ଥାରେ ରହିଛି, ଗତ ସପ୍ତାହରେ ତାହାର ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଉଦାହରଣମାନ ପୂର୍ବରେ ବାଂଲାଦେଶରୁ ପଶ୍ଚିମରେ ବ୍ରିଟେନ୍ ପର୍ଯ୍ୟନ୍ତ ବିଛାଡ଼ି ହୋଇ ଦେଖିବାକୁ ମିଳିଥିଲା।

ବାଂଲାଦେଶର ବେଗମଗଞ୍ଜ୍ ଠାରେ ହିନ୍ଦୁମାନେ ଦଶହରା ଦିନ ଏକ ମନ୍ଦିରରେ ଉତ୍ସବ ପାଳନ କରୁଥିବା ସମୟରେ, ପ୍ରାୟ ଦୁଇ ଶହ ଇସଲାମୀୟ ଜିହାଦୀ ସେମାନଙ୍କ ଉପରେ ଆକ୍ରମଣ କରିବାରୁ, ଦୁଇଜଣ ହିନ୍ଦୁଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି। ସେ ଦେଶର ପ୍ରାୟ ଏକ ଡଜନ ଜିଲ୍ଲାରେ ଏଭଳି ଜିହାଦୀ ଉପଦ୍ରବ ଦେଖାଦେଇଛି। ଶୁକ୍ରବାର ଦିନ ଆଫଗାନିସ୍ତାନର କାନ୍ଦାହାର ଠାରେ ସଂଖ୍ୟାଲଘୁ ସିଆ ମୁସଲମାନମାନେ ଏକ ମସ୍‌ଜିଦରେ ସମବେତ ପ୍ରାର୍ଥନା କରୁଥିବା ସମୟରେ ସଂଖ୍ୟାଗରିଷ୍ଠ ସୁନ୍ନି ଇସ୍‌ଲାମୀୟ ଜିହାଦୀ ସଂଗଠନ ‘ଆଇଏସ୍‌-କେ’ର ଆତ୍ମଘାତୀ ବୋମା ଆକ୍ରମଣରେ ପ୍ରାୟ ୬୫ ଜଣଙ୍କର ପ୍ରାଣହାନି ଘଟିବା ସହିତ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସପ୍ତାହକ ପୂର୍ବରୁ ସେଇ ଦେଶର କୁନ୍ଦୁଜ୍‌ ଠାରେ ଅବସ୍ଥିତ ଅନ୍ୟ ଏକ ସିଆ ମସ୍‌ଜିଦ ଠାରେ ଏକ ଅନୁରୂପ ଆକ୍ରମଣରେ ଅନ୍ୟୂନ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା।

ଗୁରୁବାର ଦିନ ଉତ୍ତର-ପଶ୍ଚିମ ଇଉରୋପର ଛୋଟିଆ ଦେଶ ନର୍‌ୱେର ଏକ ଛୋଟିଆ ସହର କଙ୍ଗ୍‌ସବର୍ଗ ଠାରେ ଏକ ଅଭାବନୀୟ କାଣ୍ଡ ଘଟିଥିଲା। ଜଣେ ୩୭ ବର୍ଷୀୟ ଯୁବକ ଏକ ସୁପର୍ ମାର୍କେଟ୍‌ରେ ପ୍ରବେଶ କରି ଧନୁଶର ଓ ତୀର ବ୍ୟବହାର କରି ଚାରିଜଣ ବୟସ୍କା ମହିଳାଙ୍କ ସମେତ ପାଞ୍ଚଜଣଙ୍କୁ ହତ୍ୟା କରିଥିଲା ଏବଂ ଆଉ ତିନିଜଣଙ୍କୁ ଆହତ କରିଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆକ୍ରମଣକାରୀ ଜଣକ ଛ’ ମାସ ତଳେ ଧର୍ମାନ୍ତର ମାଧ୍ୟମରେ ଇସଲାମ୍ ଧର୍ମ ଗ୍ରହଣ କରିଥିଲା। ଶୁକ୍ରବାର ଦିନ ଆଉ ଏକ ହୃଦୟବିଦାରକ ଘଟଣା ଯେଉଁ ଦେଶରେ ଘଟିଥିଲା, ତାହା ହେଉଛି ନିଉଟନ୍ ଓ ଜନ୍ ଲକ୍‌ଙ୍କ ଦେଶ ବ୍ରିଟେନ୍‌ରେ। ସେଠାରେ ୬୯ ବର୍ଷୀୟ ଜାଠ ଦଳର ଏମ୍‌ପି ସାର୍ ଡେଭିଡ୍ ଆମେସ୍ ଏକ ଚର୍ଚ୍ଚରେ ନିଜ ନିର୍ବାଚନମଣ୍ଡଳୀର ନାଗରିକମାନଙ୍କୁ ଭେଟୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକ ସର୍ବସମ୍ମୁଖରେ ବାରମ୍ବାର ଛୁରୀ ଭୁସି ତାଙ୍କୁ ହତ୍ୟା କରିଥିଲା। ଯୁବକ ଜଣକ ହେଉଛି ସୋମାଲିଆରୁ ଆସି ବ୍ର‌ିଟେନ୍‌ର ନାଗରିକତ୍ବ ଲାଭ କରିଥିବା ଏକ ଇସ୍‌ଲାମୀୟ ଆତଙ୍କବାଦୀ ବୋଲି ପ୍ରକାଶ ପାଇଛି।

‘ଜ୍ଞାନୋଦୟ’ର ଜ୍ଞାନାଲୋକ ଏ ସମସ୍ତଙ୍କୁ ସ୍ପର୍ଶ କରିବାକୁ ଆଉ କେତେ ଶହ ବର୍ଷ ଲାଗିବ, କିଏ ଜାଣେ? ନିଉଟନ୍‌ଙ୍କ ‘ଜଗତ ଯନ୍ତ୍ର’ ସେ ଯାଏଁ ଏଇଭଳି ଅଖଞ୍ଜ ଅବସ୍ଥାରେ କାର୍ଯ୍ୟ କରୁଥିବ ଓ ସେ ଯନ୍ତ୍ରାରୂଢ଼ ମନୁଷ୍ୟ ସମାଜ ସେଥିଯୋଗୁଁ ଏଇ ଭଳି ଦୁର୍ଦଶା ଭୋଗ କରି ଚାଲିଥିବ- ଏହା ଜଳଜଳ ହୋଇ ଦେଖା ଯାଉଛି।

ସମ୍ବନ୍ଧିତ ଖବର