ବିହାରୀ ବହିର୍ଗମନ

କାଶ୍ମୀରରେ ବିଗତ ଦୁଇ ସପ୍ତାହ ମଧୢରେ ଘଟିଥିବା ଘଟଣାବଳୀକୁ ଦେଖିଲେ ସ୍ବତଃ ଯେଉଁ ଧାରଣା ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ଆଶଙ୍କାର ରୂପ ନେଇ ଉଙ୍କି ମାରିଥାଏ, ତାହା ହେଉଛି ଏକ ପୁରୁଣା, ଘଷରା କିନ୍ତୁ ଅନିବାର୍ଯ୍ୟ ମନେ ହେଉଥିବା ଆପ୍ତବାକ୍ୟର ପୁନରାବୃତ୍ତି: ‘ଇତିହାସର ବାରମ୍ବାର ପୁନରାବୃତ୍ତି ଘଟିଥାଏ।’ ଏହା କାହିଁକି ଅନିବାର୍ଯ୍ୟ, ତାହାର କାରଣ ଜାଣିବାକୁ ଯେଉଁମାନେ ଆଗ୍ରହୀ, ସେମାନେ ସମୟ ସମୟରେ ପ୍ରଖ୍ୟାତ ଜର୍ମାନ୍‌ ଦାର୍ଶନିକ ଫ୍ରେଡ୍‌ରିକ୍‌ ନିଚାଙ୍କର ପ୍ରସିଦ୍ଧ ‘ଚିରନ୍ତନ ପ୍ରତ୍ୟାବର୍ତ୍ତନ ତତ୍ତ୍ବ’ (‘ଥିଓରି ଅଫ୍‌ ଇଟର୍ନାଲ୍‌ ରିଟର୍ନ’)ର ଆଶ୍ରୟ ନେଇଥା’ନ୍ତି। ଏହି ତତ୍ତ୍ବର ମୂଳାଧାର ହେଉଛି: ଯଦି କାଳ ଓ ସ୍ଥାନ ପ୍ରସାର (ଟାଇମ୍‌ ଆଣ୍ତ୍‌ ସ୍ପେସ୍‌) ହେଉଛି ଅସୀମ, ତେବେ ସେଥିରୁ ଯେଉଁ ଯୁକ୍ତିସିଦ୍ଧ ସିଦ୍ଧାନ୍ତ ଉପଲବ୍‌ଧ ହୋଇଥାଏ, ତାହା ହେଲା ଆମର ଅସ୍ତିତ୍ବର ମଧୢ ଅସ˚ଖ୍ୟ ଥର ପୁନରାବୃତ୍ତି ଘଟି ଚାଲିବ। ଆମର ଅସ୍ତିତ୍ବ ଅର୍ଥ ହେଉଛି, ଆମେ ଓ ଆମେ ସମ୍ପୃକ୍ତ ଥିବା ଘଟଣାମାନ।

ଯେଉଁମାନେ ନିଚାଙ୍କର ଏହି ଦାର୍ଶନିକ ମତବାଦରେ ବିଶ୍ବାସ କରନ୍ତି, ସେମାନେ କିନ୍ତୁ କେବେ ହେଲେ ଆଶା କରିନଥିବେ ଯେ ଏହି ପୁନରାବୃତ୍ତିର ବ୍ୟବଧାନ ଏତେ କମ୍‌ ହୋଇପାରେ ଯେ ନିଜର ଜୀବନ କାଳ ମଧୢରେ ତାହା ପୁଣି ଥରେ ଦେଖିବାକୁ ପାଇବେ। କାଶ୍ମୀରରେ କିନ୍ତୁ ବର୍ତ୍ତମାନ ଯେଉଁ ଘଟଣାବଳୀର ନିଚା-ସୁଲଭ ପୁନରାବୃତ୍ତି ଦେଖିବାକୁ ମିଳୁଛି, ତାହା ମାତ୍ର ଠିକ୍‌ ପ୍ରାୟ ତିନି ଦଶନ୍ଧିର ବ୍ୟବଧାନ ପରେ ଅଭିନୀତ ହେଉଛି। ବିଗତ ଦୁଇ ସପ୍ତାହରେ କାଶ୍ମୀରରେ ଇସଲାମୀୟ ଆତଙ୍କବାଦୀମାନେ ବାଛି ବାଛି ପ୍ରାୟ ଏକ ଡଜନ ହିନ୍ଦୁ ବହିରାଗତ ଶ୍ରମିକମାନଙ୍କୁ ହତ୍ୟା କରି ସେଠାରେ ଯେଉଁ ଆତଙ୍କର ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି, ତାହାର ପ୍ରଭାବରେ ସେ ରାଜ୍ୟକୁ ଜୀବିକା ସନ୍ଧାନରେ ଯାଇଥିବା ନିମ୍ନ ଆୟ ବର୍ଗର ଶ୍ରମିକମାନେ ଦଳ ଦଳ ହୋଇ ନିଜ ନିଜ ରାଜ୍ୟକୁ ଫେରିଆସିବା ବର୍ତ୍ତମାନ ଗଣମାଧୢମରେ ହୃଦୟବିଦାରକ ଦୃଶ୍ୟରେ ପରିଣତ ହୋଇଛି। ଏହି ଶ୍ରମିକମାନେ ମୁଖ୍ୟତଃ ବିହାରରୁ ଯାଇ ସେଠାରେ ଶ୍ରମଦାନ କରି ନିଜର ଜୀବିକା ଅର୍ଜନ କରିବା ସହିତ ସେ ରାଜ୍ୟର ଅର୍ଥନୀତିର ଅଭିବୃଦ୍ଧି ପାଇଁ ମଧୢ ଉଲ୍ଲେଖନୀୟ ସହାୟତା ପ୍ରଦାନ କରୁଥିଲେ।

ଏହା ପ୍ରାୟ ତିରିଶ ବର୍ଷ ତଳର ଯେଉଁ ଘଟଣାର ପୁନରାବୃତ୍ତି ଭଳି ମନେ ହୋଇଥାଏ, ତାହା ହେଲା ୧୯୯୦ ଜାନୁଆରିରୁ ମାର୍ଚ୍ଚ ମଧୢରେ ଆରମ୍ଭ ହୋଇଥିବା ସେଠାକାର ସ୍ଥାୟୀ ଅଧିବାସୀ ହିନ୍ଦୁ ପଣ୍ତିତମାନଙ୍କର କାଶ୍ମୀରରୁ ଗଣ-ବହିର୍ଗମନର ଆରମ୍ଭ। ଏହାର ଠିକ୍‌ ପୂର୍ବରୁ କ˚ଗ୍ରେସ ନେତା ମୁଫ୍‌ତି ମହମ୍ମଦ ସୟିଦ୍‌ଙ୍କର ନିର୍ବାଚନମଣ୍ତଳୀ ଅନନ୍ତନାଗରେ ଇସଲାମୀୟ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀମାନେ ବାଛି ବାଛି ହିନ୍ଦୁ ମନ୍ଦିର, ବାସଗୃହ, ଦୋକାନ, ସମ୍ପତ୍ତି ଆଦି ଉପରେ ଆକ୍ରମଣ କରିବାରେ ଲାଗିଥିଲେ। ତାହା ଅବିଳମ୍ବେ ହିନ୍ଦୁ ପଣ୍ତିତମାନଙ୍କ ଉପରେ ମରଣାନ୍ତକ ଆକ୍ରମଣର ରୂପ ନେଲା। ଆତଙ୍କବାଦୀ ମକ୍‌ବୁଲ୍‌ ଭଟ୍ଟକୁ ମୃତ୍ୟୁଦଣ୍ତ ପ୍ରଦାନ କରିଥିବା ଅବସରପ୍ରାପ୍ତ ବିଚାରପତି ନୀଳକଣ୍ଠ ଗଞ୍ଜୁଙ୍କୁ ଶ୍ରୀନଗର ଠାରେ ହାଇକୋର୍ଟ ସମ୍ମୁଖରେ ହିଁ ଇସଲାମୀୟ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କଲେ। ଭାରତୀୟ ଜନତା ପାର୍ଟି ନେତା ଟିକାଲାଲ୍‌ ଟପ୍‌ଲୁ ମଧୢ ସେଇ ସମୟରେ ଆତଙ୍କବାଦୀ ଗୁଳିର ଶିକାର ହୋଇଥିଲେ। ପ୍ରମୁଖ ସାମ୍ବାଦିକ ତଥା ଓକିଲ ପ୍ରେମନାଥ ଭଟ୍ଟ ଡିସେମ୍ବର ୧୯୮୯ରେ ଅନନ୍ତନାଗ ଠାରେ ଇସଲାମୀୟ ଆତଙ୍କବାଦୀମାନଙ୍କର ଶିକାର ହୋଇଥିଲେ। ଏହି ସମସ୍ତ ପ୍ରଭାବଶାଳୀ ପଣ୍ତିତମାନଙ୍କର ହତ୍ୟା ସମଗ୍ର ପଣ୍ତିତ ସମାଜରେ ଯେଉଁ କୋକୁଆ ଭୟ ସୃଷ୍ଟି କଲା ତାହା ଏକ ବିସ୍ଫୋରକ ପରିସ୍ଥିତିରେ ପରିଣତ ହେଲା, ଯେତେବେଳେ ଆତଙ୍କବାଦୀମାନେ ସେମାନଙ୍କର ଆଗାମୀ ପଣ୍ତିତ ଶିକାର ତାଲିକା ବା ‘ହିଟ୍‌ ଲିଷ୍ଟ୍’ମାନ ପ୍ରସାର କରିବାକୁ ଆରମ୍ଭ କଲେ।

ହିଜ୍‌ବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସ˚ଗଠନମାନ ସ୍ଥାନୀୟ ଖବରକାଗଜରେ ପଣ୍ତିତମାନଙ୍କୁ କାଶ୍ମୀର ତ୍ୟାଗ କରି ପଳାଇ ଯିବାକୁ ବେନାମି ଆହ୍ବାନମାନ ପ୍ରକାଶ କରିବାକୁ ଲାଗିଲେ। ମସ୍‌ଜିଦମାନଙ୍କରେ ଖଞ୍ଜା ଯାଇଥିବା ଡାକବାଜି ଯନ୍ତ୍ର ସାହାଯ୍ୟରେ ପଣ୍ତିତମାନଙ୍କୁ ପଳାଇଯିବା ପାଇଁ ନିୟମିତ ଧମକ ଦିଆଯିବା ସହିତ ପାକିସ୍ତାନ ଓ ଇସଲାମର ଗୁଣଗାନ କରି ଭାଷଣମାନ ମଧୢ ପ୍ରସାର କରାଗଲା। ଏହା ସହିତ ଯେତେବେଳେ ପଣ୍ତିତମାନଙ୍କ ହତ୍ୟା ନିୟମିତ ଭାବରେ ଘଟିଚାଲିଲା, ଜାନୁଆରି ୨୦ରେ ପ୍ରଥମ କରି ପଣ୍ତିତମାନଙ୍କର ଗଣ-ବହିର୍ଗମନ ଆରମ୍ଭ ହେଲା, ଯାହା ପରବର୍ତ୍ତୀ ସମୟରେ ଯେଉଁ ବହିର୍ଗମନ ବନ୍ୟାର ରୂପ ନେଲା, ସେଥିରେ ଆମେରିକାର ଗୁଇନ୍ଦା ସ˚ସ୍ଥା ‘ସିଆଇଏ’ର ସୂଚନା ଅନୁସାରେ ପ୍ରାୟ ତିନି ଲକ୍ଷ ପଣ୍ତିତ କାଶ୍ମୀରରେ ଥିବା ନିଜର ଭିଟାମାଟି ଛାଡ଼ି ପଳାଇ ଆସିବାକୁ ବାଧୢ ହେଲେ। କାଶ୍ମୀର ଏହାଦ୍ବାରା ପଣ୍ତିତ-ମୁକ୍ତ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

କାଶ୍ମୀର ପ୍ରତି ଲାଗୁ ହେଉଥିବା ଭାରତୀୟ ସମ୍ବିଧାନର ଧାରା-୩୭୦ର ଉଚ୍ଛେଦକୁ ଇନ୍ଧନ ଯୋଗାଇଥିବା ଅନ୍ୟତମ କାରଣ ଯେ ସେଠାରେ ଘଟିଥିବା ଏହି ପଣ୍ତିତ-ସଫେଇ, ଏହା କେହି ଅସ୍ବୀକାର କରିପାରିବେ ନାହିଁ। ଆଶା କରାଯାଉଥିଲା, କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ଆସିବା ପରେ ସେଠାରେ ଇସଲାମୀୟ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କର ପ୍ରାଦୁର୍ଭାବ ଲୋପ ପାଇବ ଏବ˚ ବିସ୍ଥାପିତ ହୋଇ କାଶ୍ମୀର ବାହାରେ ଶରଣାର୍ଥୀ ଜୀବନ ଯାପନ କରୁଥିବା ପଣ୍ତିତ ପରିବାରମାନେ ପୁଣି ନିଜର ବାସସ୍ଥାନକୁ ଫେରିଯିବେ। କିନ୍ତୁ ବର୍ତ୍ତମାନ ଦେଖା ଦେଇଥିବା ବିହାରୀ ବହିର୍ଗମନ ଯେ ସେଇ ସମ୍ଭାବ୍ୟ ପଣ୍ତିତ ପ୍ରତ୍ୟାବର୍ତ୍ତନ ପ୍ରତି ଏକ ଗଭୀର ପ୍ରଶ୍ନବାଚୀ ରୂପେ ଆବିର୍ଭୂତ ହୋଇଛି, ତାହା କେନ୍ଦ୍ର ସରକାର ଭଲ ରୂପେ ହୃଦୟଙ୍ଗମ କରିପାରୁଥିବେ।

ଏଥିରେ ସନ୍ଦେହ ନାହିଁ ଯେ ବା˚ଲାଦେଶରେ ସକ୍ରିୟ ହୋଇଥିବା ହିନ୍ଦୁ-ବିରୋଧୀ ଇସଲାମୀୟ ଆତଙ୍କ, ଆଫଗାନିସ୍ତାନରେ ପ୍ରଭାବ ବିସ୍ତାର କରିଥିବା ତାଲିବାନରୁ ଆଇ-ଏସ୍‌-କେ ଆଦି ଇସଲାମୀୟ ଚରମପନ୍ଥୀ ସ˚ଗଠନମାନଙ୍କର କାଶ୍ମୀର ଘଟଣା ସହିତ ନିଶ୍ଚିତ ସମ୍ପର୍କ ରହିଛି। କିନ୍ତୁ ନିଜେ ସିଧାସଳଖ ଦାୟିତ୍ବ ନେବା ପରେ, ସେମାନଙ୍କୁ ପ୍ରତିହତ କରିବାର ଦାୟିତ୍ବ ହେଉଛି ସିଧାସଳଖ କେନ୍ଦ୍ର ସରକାରଙ୍କର, ଯେଉଁଥିରେ ସରକାର ବିଫଳ ହୋଇଛନ୍ତି। ଏଥିପାଇଁ ଏବେ ସରକାର ଆଉ କାହା ଉପରେ ଦୋଷ ଲଦି ପାରିବେ ନାହିଁ।

ସମ୍ବନ୍ଧିତ ଖବର