ଅକ୍ଷମଣୀୟ

‘‘ନାଁରେ କ’ଣ ଅଛି/ ଝିଅ ପିଲା/ ଏତିକି ଯଥେଷ୍ଟ/ ୟାପରେ ଯୋଡ଼ି ହେବ ତଦନ୍ତ, କମିସନ୍‌, ରାଜନୈତିକ ପର୍ଯ୍ୟଟନ/ ବିରୋଧ ପ୍ରଦର୍ଶନ/ ଇସ୍ତଫା ଦାବି/ ରାସ୍ତାରୋକ/ ଇତ୍ୟାଦି ଇତ୍ୟାଦି/ ଦୁଇ ଚାରିଦିନ ପରେ ସବୁ ସ୍ବାଭାବିକ/ କାହାର ବେଳ ଅଛି ହୋ ଏତେ କଥାକୁ/ ସିଆଡ଼େ ସେୟାର‌୍‌ ବଜାର ବଢ଼ୁଛି ହୁ ହୁ/ ତେଲ ଦର ଉପରେ ଚର୍ଚ୍ଚା ଏବେ ଜୋର‌୍‌ସୋର/ ଏ ଜେସିବି ମେସିନ/ ଆଖୁ କିଆରି, ଏ ସବୁ ନିତିଦିନିଆ କଥା/ ୟାକୁ ନେଇ କ’ଣ ଗୋଟେ ଏତେ ହୋ-ହାଲ୍ଲା?/ ପାଉଁଜି ଓ ସୁନା ଚେନ୍‌ ନେଇ ଘରକୁ ଗଲେଣି ଘରଲୋକେ/ ଡିଏନ୍‌ଏ ରିପୋର୍ଟ ଆସିବା ପରେ ଦିନ ଗଣି ପଣ୍ତିତଙ୍କୁ ପଚାରି ଶୁଦ୍ଧିକ୍ରିୟା କରିବେ/ ତା’ପରେ ବଡ଼ବଡ଼ିଆ ଆସି ପ୍ରବୋଧିବେ/ କ୍ଷତିପୂରଣ ବି ମିଳିବ/ ସତରେ କେଡ଼େ ଦୟାଳୁ ଆମ ସରକାର ବାହାଦୁର!/ କଲମ ଧରୁଥିବା ହାତସବୁ ଚଳଚଞ୍ଚଳ ହୋଇ ଶବ୍ଦ ଖୋଜିବେ/ ବାସ୍‌ ତା’ପରେ ସବୁ ପୁଣି ଶଗଡ଼ଗୁଳାରେ ଚାଲିବ।/ ହଁ, ଏଇ ମଉକାରେ କିଛି ପ୍ରଚାର ହେବ ନିଜର/ ଆଉ ବେଶି କିଛି କହିବା କି ଦରକାର! ଏମିତି ତ ଖୁବ୍‌ ଗୋଟେ ଗାଢ଼ ସମ୍ପର୍କ ନିଆଁ ଆଉ ନାରୀର।’’

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଓଡ଼ିଶାର ସୁପରିଚିତା କବୀ ନବଜ୍ୟୋତି ରାୟଙ୍କର ଏହି କ୍ଷୁଦ୍ର କବିତାଟି ମମିତା ମେହେର ଅପହରଣ ଓ ହତ୍ୟାକାଣ୍ତ ଯୋଗୁଁ ଓଡ଼ିଶାର ସାମୂହିକ ଚେତନାରେ ସୃଷ୍ଟି ହୋଇଥିବା ତୀବ୍ର ଆଲୋଡ଼ନର ଉଦାହରଣ ପାଇଁ ଯଥେଷ୍ଟ। ଏ ପ୍ରକାର ଅପହରଣ ଓ ହତ୍ୟାକାଣ୍ତ ଯେ ଆଗରୁ ଘଟିନାହିଁ କିମ୍ବା ଭବିଷ୍ୟତରେ ଆଉ ଘଟିବ ନାହିଁ ତାହା କହିବା ସତ୍ୟର ଅପଳାପ ହେବ। ମାତ୍ର ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ତରୁଣୀ ଅଧୢକ୍ଷାଙ୍କର ଜଘନ୍ୟ ହତ୍ୟା ସହ ଜଡ଼ିତ ଦୁଇ ତିନିଟି ଘଟଣା ସମସ୍ତଙ୍କୁ ବିବ୍ରତ କରୁଅଛି। ଏହି ଘଟଣାକୁ ଯେଉଁମାନେ ଭଲ ଭାବେ ନିରୀକ୍ଷଣ କରୁଥିବେ ସେମାନେ ଅବଶ୍ୟ ଜାଣିପାରୁଥିବେ ଯେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ନୃଶ˚ସ କାରବାର ସହିତ ୨୦୧୫ରେ ମୁକ୍ତି ଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ହିନ୍ଦୀ ସିନେମା ‘ଦୃଶ୍ୟମ୍‌’ର କିଛି ସାମ୍ୟ ରହିଛି। ଗୋବିନ୍ଦ ସାହୁ ମମିତାଙ୍କର ଶବକୁ ଯେଉଁ ଜାଗାରେ ପୋତିଥିଲେ, ଷ୍ଟାଡିୟମ୍‌ର ସେହି ଜାଗାର ନିର୍ମାଣ କାମ ମଧୢ ସିଏ ପାଇଥିଲେ। ହୁଏ’ତ ଆଉ କିଛି ଦିନ ସମୟ ପାଇଥିଲେ ସେ ମମିତାଙ୍କର ଶବପୋତା ଜାଗା ଉପରେ କ˚କ୍ରିଟ୍‌ର ଢାଞ୍ଚା ମଧ୍ୟ ନିର୍ମାଣ କରିଥାଆନ୍ତେ- ଏଭଳି ଅନୁମାନ ଅସ୍ବାଭାବିକ ନୁହେଁ। ସଭ୍ୟତାର ଉତ୍କୃଷ୍ଟ ପ୍ରମାଣ ଯେଉଁପରି କଳା-ସାହିତ୍ୟରେ ଦେଖିବାକୁ ମିଳେ, ତାହାର ନିକୃଷ୍ଟ ଉଦାହରଣ ଅପରାଧ ଓ ହତ୍ୟା ଘଟଣାରେ ଦେଖିବାକୁ ମିଳିଥାଏ। ଗୋବିନ୍ଦ ସାହୁଙ୍କ କାରବାର ଆମ ସଭ୍ୟତା ଓ ବ୍ୟବସ୍ଥାର ନିକୃଷ୍ଟ ଉଦାହରଣ ଆମ ଆଗରେ ଥୋଇଦେଇଛି।

ଆମକୁ ବିବ୍ରତ କରୁଥିବା ପ୍ରଥମ ଘଟଣାଟି ହେଉଛି ଏପରି ଜଣେ ଅପରାଧୀଙ୍କ ସହ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସର ଅନ୍ତରଙ୍ଗ ସ˚ପର୍କ। ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁସାରେ, ଆଠ ତାରିଖରେ ମମିତା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଫୋନ୍‌ ଡାକରା ପାଇ ଘରୁ ଯାଇଥିଲେ ଓ ‌ଆଉ ଫେରିନଥିଲେ। ନଅ ତାରିଖ ଦିନ ତାଙ୍କର ଘର ଲୋକେ କଲେଜ ଯେଉଁ ଥାନା ଅଧୀନରେ ସେହି କେଗାଁ ଥାନାରେ ଏଫଆଇଆର ଦେବାକୁ ଯାଇଥିଲେ। ଝିଅ ହଜିଥିବା ପରିବାର ଲୋକଙ୍କୁ ସହାନୁଭୂତି ଜଣାଇବା ତ ଦୂରର କଥା ସେମାନଙ୍କୁ ଧମକ ଦିଆଯାଇଥିଲା। ତାଙ୍କ ଅଭିଯୋଗ ଗ୍ରହଣ କରାଯାଇନଥିଲା। ସେଠାରୁ ନିରାଶରେ ଫେରି ମମିତାଙ୍କ ପରିବାର ଲୋକେ ୪ ଦିନ ପରେ ଅର୍ଥାତ୍‌ ତେର ତାରିଖରେ ସିନ୍ଧେକେଲା ଥାନାର ଦ୍ବାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ସେମାନଙ୍କୁ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଯାଇ ଗୋବିନ୍ଦଙ୍କୁ ପୁଲିସ ନେଇ ଟିଟିଲାଗଡ଼ ବାରାକ୍‌ରେ ଅଟକ ରଖିଥିଲା। ସିନ୍ଧେକେଲା କିମ୍ବା କେଗାଁ ପୁଲିସ ଥାନାକୁ ତାଙ୍କୁ ନିଆଯାଇନଥିଲା। ଏପରି ଜଣେ ବ୍ୟକ୍ତିଙ୍କୁ ବାରାକ୍‌ରେ ଖାଇବାକୁ ଦେଇ ପଳେଇଯିବାକୁ କିଭଳି ସୁଯୋଗ ଦେଲା ପୁଲିସ? କାହା ଇଙ୍ଗିତରେ ଗୋବିନ୍ଦଙ୍କ ପଳାୟନ ସମୟରେ ବାରାକ୍‌ର ଆଲୋକ ଗୁଡ଼ିକୁ ଲିଭେଇ ଦିଆଯାଇଥିଲା? କାହା ନିର୍ଦ୍ଦେଶ ଯୋଗୁଁ କେଗାଁ ଏବଂ ସିନ୍ଧେକେଲା ଥାନା ଦ୍ବୟ ମମିତାଙ୍କ ପରିବାର ପ୍ରତି ନିର୍ଦ୍ଦୟ ଏବଂ ଗୋବିନ୍ଦଙ୍କ ପ୍ରତି ଏତେ ସଦୟ ହୋଇଥିଲେ? କଳାହାଣ୍ଡି ଓ ବଲାଙ୍ଗୀର ପୁଲିସର ଏ ପ୍ରକାର ଆଚରଣ କ୍ଷମଣୀୟ ନା ଅକ୍ଷମଣୀୟ? ନିଜେ ଗୋବିନ୍ଦଙ୍କ ବୟାନ ଅନୁସାରେ ମମିତାଙ୍କୁ ହତ୍ୟା କରିବା ତାଙ୍କର ପୂର୍ବ ଯୋଜନା ଥିଲା ଓ ସେଥିପାଇଁ ସେ ଆଗରୁ ଛଅ ତାରିଖରୁ ଗାତଖୋଳା କାମ ଆରମ୍ଭ କରିଦେଇଥିଲେ। ଏହା ସତ୍ତ୍ବେ ସ୍ଥାନୀୟ ପୁଲିସ ଥାନା ନଜରରେ ସେ ଥିଲେ ସମ୍ମାନାସ୍ପଦ ବ୍ୟକ୍ତି। କାହିଁକି? ଏ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳିନାହିଁ, ହୁଏ’ତ ଭବିଷ୍ୟତରେ ସୁଦ୍ଧା ମିଳିବ ନାହିଁ।

ଆମକୁ ଆନ୍ଦୋଳିତ କରିଥିବା ଦ୍ବିତୀୟ କାରଣଟି ହେଉଛି, ଏଇ ଘଟଣା ସ˚ପର୍କରେ ବିଜେଡିର ଜଣେ ତୁଙ୍ଗ ନେତ୍ରୀ ଏବ˚ ପୂର୍ବତନ ମହିଳା ମନ୍ତ୍ରୀଙ୍କ ଦୁର୍ଭାଗ୍ୟଜନକ ବିବୃତି। ସେ ମହାଶୟା ପ୍ରଥମ ଦିନ କହିଥିଲେ ଯେ ଗୋଟେ ଛୋଟିଆ ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଅଛି। ବିଜେଡି ନେତ୍ରୀଙ୍କର ଏହି ମାନସିକତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧୢ କମ୍‌ ହେବ। ଏହା ତାଙ୍କର ସମ୍ବେଦନଶୂନ୍ୟତା ଏବ˚ ହିମଶୀତଳ ହୃଦୟହୀନତାକୁ ହିଁ ପ୍ରକାଶ କରୁଛି। ଆମକୁ ବିବ୍ରତ କରୁଥିବା ତୃତୀୟ କଥାଟି ହେଉଛି, ଗତ କିଛି ମାସ ହେଲା ଘଟିଚାଲିଥିବା ଅପରାଧମୂଳକ ଘଟଣା ନେଇ ସରକାର ଏବ˚ କ୍ଷମତାସୀନ ବିଜେଡି ଦଳର ନରମ ଦୃଷ୍ଟିଭଙ୍ଗୀ। ମାହାଙ୍ଗା ଡବଲ ମର୍ଡର ଘଟଣା ଓ ପରେ ପରେ ଘଟଣାର ସାକ୍ଷୀଙ୍କର ଆଶ୍ଚର୍ଯ୍ୟଜନକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ଚାର୍ଜସିଟ୍‌ରୁ ମନ୍ତ୍ରୀଙ୍କ ନାମ କଟାଯିବା ଘଟଣା ପରଠାରୁ ନବୀନ ପ୍ରଶାସନର ଅପରାଧ ପ୍ରତି ଶୂନ୍ୟ-ସହନଶୀଳତା ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ଲାଗିଛି। ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ˚ପୃକ୍ତ ଥିବା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ ଘଟଣାରେ ପୁଲିସ ବିଭାଗର ଦାୟିତ୍ବହୀନତା ମାହାଙ୍ଗା ଘଟଣାରେ ଉତ୍‌ଥାପିତ ସେହି ପ୍ରଶ୍ନବାଚୀକୁ ଅଧିକ ଗାଢ଼ କରିଛି। ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଦୁର୍ଭାଗ୍ୟଜନକ ଧାରଣା ବଳବତ୍ତର ହେବାରେ ଲାଗିଛି ଯେ କ୍ଷମତାସୀନ ଦଳର ନେତା ବା ଠିକାଦାର ହୋଇଥିଲେ, ଧର୍ଷଣ ଓ ନରହତ୍ୟା ପରି ଜଘନ୍ୟ ଅପରାଧ କରି ମଧ୍ୟ ଏ ରାଜ୍ୟରେ ଖସିଯିବା ସହଜ। ଏହା ହିଁ ଓଡ଼ିଶାର ସାମାଜିକ ଜୀବନ ଲାଗି ସବୁଠାରୁ ବିଡ଼ମ୍ବନା। ନିକଟରେ ଘଟିଥିବା ରାଜଧାନୀ ଭୁବନେଶ୍ବରରେ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହାବିଳଦାର ସଂଘର ଜଣେ ତୁଙ୍ଗ ନେତାଙ୍କ ଦ୍ବାରା ପରିଚାଳିତ ହୋଟେଲର ସଂପର୍କ ଓ ଏଠାକାର ବିଚିତ୍ର କାରବାର ନେଇ ପୁଲିସର କୋହଳ ମନୋଭାବ ରାଜଧାନୀର ଜନସାଧାରଣଙ୍କ ମନ ଭିତରେ ସୃଷ୍ଟି ହୋଇଥିବା ଏ ପ୍ରକାର ନୈରାଶ୍ୟ ଓ ହତାଶା ଭାବକୁ ଅଧିକ ଦୃଢ଼ କରୁଅଛି।

କଳାହାଣ୍ତିର ମମିତା ମେହେର ହତ୍ୟାକାଣ୍ତ ସ˚ପର୍କରେ ଅଧିକ ବିବ୍ରତ କରୁଥିବା ପ୍ରସଙ୍ଗଟି ହେଉଛି, ଏକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବ୍ୟଭିଚାରମୂଳକ କାର୍ଯ୍ୟକଳାପ ଲାଗି ଉପଯୋଗ କରାଯାଇଛି। କ୍ରମେ ଓଡ଼ିଶାରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଆପତ୍ତିଜନକ କ୍ରିୟାକଳାପ ସହ ଜଡ଼ିତ ହୋଇପଡ଼ୁଥିବା ବାସ୍ତବିକ ଉଦ୍‌ବେଗଜନକ କଥା। ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରସଙ୍ଗ ଜନସ୍ମୃତିରୁ ଦୂର ହୋଇନଥିବା ବେଳେ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ବ୍ୟଭିଚାରମୂଳକ ଘଟଣା ଏ ଧରଣର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପଛର ଅସଲ ଉଦ୍ଦେଶ୍ୟ ସଂପର୍କରେ ପ୍ରଶ୍ନ ଠିଆ କରିଛି। ସ୍କୁଲ୍‌ ଓ ଶିକ୍ଷାନୁଷ୍ଠାନ କିଶୋର କିଶୋରୀଙ୍କ ବୌଦ୍ଧିକ ଓ ମାନସିକ ବିକାଶର କ୍ଷେତ୍ର। ଏହା ତାଙ୍କ ପାଇଁ ମୁକ୍ତ, ସ୍ବାଧୀନ ଏବ˚ ନିରାପଦ ପରିବେଶ ଯୋଗାଇଦେବା ସର୍ବାଦୌ ଆଶା କରାଯାଏ। ଆଗରୁ କିଛି ଘରୋଇ ଶିକ୍ଷାନୁଷ୍ଠାନ ପିଲାଙ୍କ ନମ୍ବର ବଢ଼େଇ ନିଜ ନିଜ କଲେଜର ଗୁରୁତ୍ବ ବୃଦ୍ଧି ପାଇଁ ଅନୈତିକ ଉଦ୍ୟମ କରୁଥିବା କଥା ଗଣମାଧୢମରେ ପ୍ରସାରିତ ହୋଇଥିଲା। ଏବେ ବ୍ୟଭିଚାର ପରି ଅପରାଧକୁ ଏହି ପ୍ରକାର କିଛି ଅନୁଷ୍ଠାନ ରାଜନୈତିକ ପୃଷ୍ଠପୋଷକତା ପ୍ରାପ୍ତି ନିମନ୍ତେ ଆୟୁଧ କଲେଣି। ଥରେ ମମିତା ମେହେରଙ୍କ କଥା ବିଚାର କରାଯାଉ। ମମିତା ସେହି ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଥିଲେ ଏବ˚ ସେହି ଠାରେ ନିଯୁକ୍ତିର ସୁଯୋଗ ପାଇଥିଲେ। ଜଣେ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନର ଶିକ୍ଷକ କିମ୍ବା ଅଧୢାପିକା ହେଲେ ଅଲଗା ପ୍ରକାର ସନ୍ତୋଷ ଅନୁଭବ କରିଥାଏ। ଏକଦା ଛାତ୍ରୀ ଥିବା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଅଧୢାପିକା ହୋଇ ମମିତା ସେହି ଧରଣର ଆନନ୍ଦ ଅନୁଭବ କରିଥିବେ। ମାତ୍ର ତାଙ୍କର ଏହି ଆନନ୍ଦ ଯେ କ୍ଷଣସ୍ଥାୟୀ ଥିଲା ତାହା ସେ କିଭଳି ବା କଳ୍ପନା କରିପାରିଥାଆନ୍ତେ? ଶିକ୍ଷାବିକାଶର ବାନା ଧରି ଠିକାଦାରୀ, ରାଜନୀତି ଓ ବ୍ୟବସାୟ କରୁଥିବା ଗୋବିନ୍ଦ ସାହୁ ପରି ‘ଜହ୍ଲାଦ’ଙ୍କ ପନ୍‌ଝାରେ ଛାଟିପିଟି ହୋଇ ଶ୍ବାସରୁଦ୍ଧ ଅବସ୍ଥାରେ ମରିଥିବା ବେଳେ ମମିତାଙ୍କ ଆଖିରେ ଯେଉଁ ଘୃଣା ଓ ଅସହାୟତା ଫୁଟି ଉଠିଥିବ ତାହା କଳ୍ପନା କରିବା ଲାଗି ବିଶେଷ ଉଦ୍ୟମର ପ୍ରୟୋଜନ ନାହିଁ। ଗୋବିନ୍ଦ ସାହୁଙ୍କର ଏ ପ୍ରକାର ବିଶ୍ବାସଘାତକତା ବାସ୍ତବରେ ଅକ୍ଷମଣୀୟ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସ୍ବଚ୍ଛତାର ଢାଲ ଧରି ଶାସକ ଦଳ ରାଜନୈତିକ କ୍ଷେତ୍ରରେ ଅଗ୍ରଗତି କରି ଚାଲିଛି। ମମିତା ମେହେର ଘଟଣା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସୁଦ୍ଧା ଭିନ୍ନ ଭିନ୍ନ ଦଳର ନେତା ଓ କର୍ମୀଙ୍କୁ ନିଜ ଦଳକୁ ଟାଣି ଆଣି ବିଜେଡିର ନେତାମାନେ ନିଜ ଦଳର ଚୁମ୍ବକୀୟ ଲୋକପ୍ରିୟତାର ବାର୍ତ୍ତା ପ୍ରସାରିତ କରିପାରୁଛନ୍ତି। ଗୋଟିଏ ରାଜନୈତିକ ଦଳ ହିସାବରେ ଏହା ଏକ ସମୟୋପଯୋଗୀ ସୁଚିନ୍ତିତ କୌଶଳ ହୋଇପାରେ ଏବଂ ଏହା ଦ୍ବାରା ଜନମତକୁ ପ୍ରଭାବିତ କରାଯାଇପାରେ। ମାତ୍ର କ୍ଷମତାସୀନ ଦଳ ଏ କଥା ମଧୢ ଭୁଲିବା ଉଚିତ ନୁହେଁ ଯେ, ଏ ପ୍ରକାର ଆତ୍ମ-ନିର୍ମିତ ଅନୁକୂଳ ପରିବେଶକୁ ଖୁବ୍‌ ବେଶି ବିଶ୍ବାସ କରିବା ଆତ୍ମଘାତୀ ହେବ। କାରଣ ବିପଦ ସମୟରେ ନିଜର ଛାଇ ସୁଦ୍ଧା ମଣିଷର ପାଖ ଛାଡ଼ି ଚାଲିଯାଏ। ଏ ଦୃଷ୍ଟିରୁ ନବୀନବାବୁଙ୍କ ପ୍ରଶାସନ ଯେଉଁ ସ୍ବଚ୍ଛତା, ଦୁର୍ନୀତି ଓ ଅପରାଧ ପ୍ରତି ଶୂନ୍ୟ-ସହନଶୀଳତା ଆଦି ଗୁଣ ପାଇଁ ଲୋକପ୍ରିୟ ହୋଇଥିଲା ସେହି ଗୁଣଗୁଡ଼ିକୁ ଫେରେଇ ଆଣିବା ଦଳ ଏବଂ ସରକାର ଉଭୟଙ୍କ ପକ୍ଷେ ଜରୁରୀ।

ସମ୍ବନ୍ଧିତ ଖବର