ଗାନ୍ଧୀ-ସାବୁନ!

ଗଲା ୧୨ ତାରିଖରେ ବୀର ସବରକରଙ୍କ ସହିତ ମହାତ୍ମା ଗାନ୍ଧୀଙ୍କୁ ଯୋଡ଼ି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସି˚ହ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଏକ ବିବାଦର ଝଡ଼କୁ ଜନ୍ମ ଦେଇଛି। ବୀର ସବରକରଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଦତ୍ତ ଭାଷଣରେ ମନ୍ତ୍ରୀ ମହୋଦୟ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ବୀର ସବରକର ତାଙ୍କ ମୁକ୍ତି ଲାଗି ବ୍ରିଟିସ୍‌ ଶାସକଙ୍କ ଠାରେ କ୍ଷମା ଯାଚନା କରିଥିଲେ। ଏଭଳି ଏକ ବକ୍ତବ୍ୟ ପଛରେ ଯେଉଁ ଉଦ୍ଦେଶ୍ୟ ନିହିତ ଥିବା ଅନୁମାନ କରିହୁଏ, ତାହା ହେଲା ଭାରତର ମୁକ୍ତି ସ˚ଗ୍ରାମ ପରିପ୍ରେକ୍ଷୀରେ ଏକ ଗୌଣ ଭୂମିକା ନିର୍ବାହ କରିଥିବା ସବରକରଙ୍କୁ ପ୍ରତିଷ୍ଠା ପ୍ରଦାନ କରିବା। କିନ୍ତୁ ଯେଉଁମାନେ ଏହି ସ˚ଦର୍ଭରେ ଟିକିଏ ଦୂରକୁ ଦୃଷ୍ଟି ନିକ୍ଷେପ କରିଥାଆନ୍ତି, ସେମାନଙ୍କୁ ଏହି ବକ୍ତବ୍ୟରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଉଦ୍ୟମ ଦିଶିଥାଏ; ଯାହା ହେଲା ପ୍ରଥମରେ ବୀର ସବରକରଙ୍କ ଠାରୁ କାପୁରୁଷତାର ଅପବାଦ ଅପହରଣ କରିବା ଲାଗି ଗାନ୍ଧୀଙ୍କ ମୁଣ୍ତରେ ଅଠା ବୋଳାଯିବା ଏବ˚ ଦ୍ବିତୀୟଟିରେ ସବରକରଙ୍କୁ ଭୟାଳୁ ରୂପେ ପ୍ରଦର୍ଶନ କରିବାରେ ଗାନ୍ଧୀଙ୍କୁ ଜଣେ ସମ୍ଭାବ୍ୟ ଚକ୍ରାନ୍ତକାରୀର ଭୂମିକାରେ ଅବତୀର୍ଣ୍ଣ କରାଇବା! ସନ୍ଦେହ ନାହିଁ ଯେ ଏହା ଏକ ଅତ୍ୟନ୍ତ ଅବା˚ଛିତ ବିବାଦ, ଯେଉଁ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ୧୯୧୧ ମସିହାରେ ବିନାୟକ ଦାମୋଦର ସବରକର ଏବ˚ ଗଣେଶ ସବରକର ଭ୍ରାତା ଦ୍ବୟଙ୍କୁ ପଚାଶ ବର୍ଷ ଲାଗି ଆଣ୍ତାମାନର କୁଖ୍ୟାତ ‘ସେଲ୍ୟୁଲାର୍‌ ଜେଲ୍‌’ରେ କାରାବାସର ଦଣ୍ତାଦେଶ ହୋଇଥିଲା। ଏଥିରୁ ମୁକ୍ତି ଲାଗି ବିନାୟକ ସବରକର (ବୀର ସବରକର) ୧୯୧୧ ଏବ˚ ୧୯୧୩ ମସିହାରେ ଇ˚ରେଜ ସରକାରଙ୍କ ନିକଟରେ କ୍ଷମା ପ୍ରାର୍ଥନା ପୂର୍ବକ ଆବେଦନ କରିଥିଲେ। ସେହି ସମୟରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ କରୁଥିଲେ, ସୁତରା˚, ସବରକରଙ୍କ କ୍ଷମା ଯାଚନାରେ ଗାନ୍ଧୀଜୀଙ୍କ କୌଣସି ଭୂମିକା ନ ଥିଲା। ଏବ˚ ପ୍ରକାଶ ଥାଉ କି ୧୯୧୩ର ଆବେଦନରେ ସବରକର ଅକୁଣ୍ଠ ଚିତ୍ତରେ ବ୍ରିଟିସ ସରକାରଙ୍କ ଦୟା ଭିକ୍ଷା କରିବା ସହିତ ଅତ୍ୟନ୍ତ ଦୟନୀୟ ବ୍ରିଟିସ୍‌ ସମର୍ପିତ ଭାବ ପ୍ରକାଶ କରିଥିଲେ। ତେବେ ଯାହାକୁ ଉପଜୀବ୍ୟ କରି ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ମନ୍ତବ୍ୟ ପ୍ରଦାନ କରିଛନ୍ତି; ତାହା ହେଲା ବୀର ସବରକରଙ୍କ ସର୍ବ କନିଷ୍ଠ ଭ୍ରାତା ନାରାୟଣ ସବରକରଙ୍କ ନିକଟକୁ ୧୯୨୦ ମସିହାରେ ଗାନ୍ଧୀଜୀ ଲେଖିଥିବା ଏକ କ୍ଷୁଦ୍ର ଚିଠି, ଯହିଁରେ ଗାନ୍ଧୀ କହିଥିଲେ ଯେ ସବରକର ଭ୍ରାତା ଦ୍ବୟଙ୍କ କାର୍ଯ୍ୟ ଯେ ସଂପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରସୂତ, ତାକୁ ସାବ୍ୟସ୍ତ କରି ତାଙ୍କ ମୁକ୍ତି ଲାଗି ଆବେଦନ କରାଯାଇପାରେ। କାରଣ ସେହି ସମୟରେ ବ୍ରିଟିସ୍‌ ସରକାର ଆଣିଥିବା ‘ରୟାଲ ପ୍ରୋକ୍ଲେମେସନ’ ଅନୁଯାୟୀ ରାଜନୈତିକ ବନ୍ଦୀମାନେ ଆଗକୁ ବ୍ରିଟିସ୍‌ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ନ ରହିବାର ପ୍ରତିଶ୍ରୁତିବଦ୍ଧ ହେଲେ ସେମାନଙ୍କୁ ମୁକ୍ତ କରି ଦିଆଯାଉଥିଲା। ତେବେ, ଗାନ୍ଧୀଜୀ ଲେଖିଥିବା ପତ୍ର ପରିପ୍ରେକ୍ଷୀରେ ଅଧିକ ଜାଣିବା ଲାଗି ଏହାର ପୃଷ୍ଠଭୂମିକୁ ଯିବାକୁ ହେବ। ପ୍ରକୃତ କଥାଟି ହେଲା, ନାରାୟଣ ସବରକର ନିଜ ଭାଇମାନଙ୍କ ମୁକ୍ତି ଲାଗି ଗାନ୍ଧୀଜୀଙ୍କ ହସ୍ତକ୍ଷେପ ଲୋଡ଼ି ଲେଖିଥିବା ଏକ ବିନତିଭରା ପତ୍ରର ଉତ୍ତରରେ ଗାନ୍ଧୀଜୀ ଏହି ଚିଠି ଲେଖିଥିଲେ। ଏହାର କିଛି ମାସ ପୂର୍ବରୁ ସଂଘଟିତ ଜାଲିଆଁଵାଲାବାଗ ଗଣହତ୍ୟା (୧୯୧୯, ଏପ୍ରିଲ ମାସ) ଦ୍ବାରା ଅତ୍ୟନ୍ତ ମ୍ରିୟମାଣ ଗାନ୍ଧୀଜୀ ଲାହୋର (ଅବିଭକ୍ତ ପଞ୍ଜାବ) ଠାରେ ଥିବା ବେଳେ ନାରାୟଣଙ୍କ ଚିଠିଟି ପାଇ ସାଙ୍ଗେସାଙ୍ଗେ ତାର ଉତ୍ତର ଦେଇଥିଲେ। ସେହି ସମୟରେ ସେ ପଞ୍ଜାବ ପ୍ରଦେଶର ଜିଲ୍ଲାମାନ ଗସ୍ତ କରି ସେଠାକାର ଗଭର୍ନର ମାଇକେଲ ଓଡ୍ବାୟାର ଏବ˚ ବ୍ରିଗେଡିଅର ଡାୟାର୍‌ଙ୍କ ନିର୍ମମ ଶାସନ ସମ୍ବନ୍ଧରେ ପ୍ରମାଣ ସ˚ଗ୍ରହରେ ବ୍ୟସ୍ତ ଥିଲେ।

ସେହି ସମୟରେ ଆଉ ଏକ ଅତ୍ୟନ୍ତ ଅପମାନଦାୟକ ଘଟଣା ଘଟିଥିଲା, ଯହିଁରେ ଏକ ପ୍ରଦର୍ଶନକାରୀ ଦଳ ଦ୍ବାରା ଜଣେ ଇ˚ରେଜ ମହିଳା ଆକ୍ରମଣର ଶିକାର ହୋଇଥିବା କାରଣରୁ ଅମୃତସର ସଡ଼କରେ ଭାରତୀୟମାନଙ୍କୁ ଆଣ୍ଠେଇ ଆଣ୍ଠେଇ ଚାଲିିବା ପାଇଁ ସରକାରୀ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ପ୍ରତିକ୍ରିୟାରେ ଗାନ୍ଧୀ ଲେଖିଥିଲେ ଯେ ଏହା ଜାଲିଆଁଵାଲାବାଗ ଘଟଣା ଠାରୁ ମଧୢ ଅଧିକ ଦୁର୍ବିଷହ। ତେଣୁ କହିବା ବାହୁଲ୍ୟ ଯେ ଏଭଳି ଏକ ଦାରୁଣ ଓ ସଘନ ରାଜନୈତିକ ପରିବେଶରେ ଗାନ୍ଧୀଙ୍କ ଭଳି ବିଚାର ସ˚ପନ୍ନ ଜଣେ ବ୍ୟକ୍ତି ସବରକରଙ୍କୁ ନତଜାନୁ ହୋଇ ଇ˚ରେଜ ଶାସକଙ୍କ ଠାରେ କ୍ଷମା ଭିକ୍ଷା କରିବା ଲାଗି ପରାମର୍ଶ ଦେବା କେବଳ ଅସମ୍ଭବ ନୁହେଁ, ଉଦ୍ଭଟ ମଧ୍ୟ। ତେବେ, ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ସବରକରଙ୍କ ସହିତ ବୈଚାରିକ ବିରୋଧ ସତ୍ତ୍ବେ ଭାରତର ମୁକ୍ତି ଲାଗି ଉଦ୍ୟମ କରି ଦଣ୍ତ ଭୋଗୁଥିବା ସବରକର ଭ୍ରାତା ଦ୍ବୟଙ୍କ ପ୍ରତି ଗାନ୍ଧୀଜୀଙ୍କର ସମ୍ମାନ ଥିଲା ଏବ˚ ସେମାନଙ୍କ ମୁକ୍ତି ଲାଗି ସେ ନିଜ ପରିସର ଭିତରେ କେତେକ ଉଦ୍ୟମ ମଧୢ କରିଥିଲେ। କେବଳ ସବରକର ଭ୍ରାତା ନୁହନ୍ତି, ସୌକତ ଅଲ୍ଲୀ ଏବଂ ମହମ୍ମଦ ଅଲ୍ଲୀ ଜୌହର(ଅଲ୍ଲୀ ଭ୍ରାତା)ଙ୍କ ମୁକ୍ତି ସକାଶେ ମଧୢ ଗାନ୍ଧୀଜୀ ଉଦ୍ୟମ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ବିଚାର, ଭାବ, ଆଦର୍ଶ, ଦୋଷ-ଦୁର୍ବଳତା, ତ୍ରୁଟି ଓ ବିଚ୍ୟୁତି ଏବ˚ ହତାଶା ଓ ଅବସୋସ ଇତ୍ୟାଦିର ସାକ୍ଷ୍ୟ ବହନ କରିଥିବା ତାଙ୍କର ଅସୁମାରି ଲେଖାଲେଖି ପ୍ରାୟ ଏକ ଶହ ଖଣ୍ତ ବିଶିଷ୍ଟ ବିପୁଳ ରଚନା-ଭଣ୍ତାର ସୃଷ୍ଟି କରିଛି, ଯାହା ତାଙ୍କୁ ଏଭଳି ଏକ ଖୋଲା ପୁସ୍ତକରେ ପରିଣତ କରିଛି ଯେ ତାଙ୍କ ବାବଦରେ ଗୋପନୀୟ ହୋଇ ଆଉ କିଛି ନାହିଁ। ତେଣୁ ଏହା ସ୍ବାଭାବିକ ଯେ ଗାନ୍ଧୀଙ୍କ ସ˚ଦର୍ଭରେ ଧୂମାଭ ପରିବେଶ ସୃଷ୍ଟିର ଉଦ୍ୟମ ହେଲେ ଶୀଘ୍ର ଧୂଆଁକୁ ଦୂର କରି ବାତାବରଣକୁ ନିର୍ମଳ କରିବା ସମ୍ଭବ ହୋଇଥାଏ। ସୁତରା˚, ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନର ଅଜସ୍ର ପ୍ରତିବାଦରେ ତଥ୍ୟ ପ୍ରମାଣ ସହିତ ଏକ ଭୁଲ୍‌ ବୁଝାମଣା ସୃଷ୍ଟିର ସମ୍ଭାବନାକୁ ଦୂର କରାଯାଇପାରିଛି। କିନ୍ତୁ, ଏହି ପରିପ୍ରେକ୍ଷୀରେ ଯାହା ଉଦ୍‌ବେଗଜନକ, ତାହା ହେଲା ଗାନ୍ଧୀଜୀଙ୍କୁ ଘୋର ବିଭ୍ରାନ୍ତିକର ଆଲୋକରେ ପ୍ରଦର୍ଶିତ କରାଯିବାର ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରବଣତା, ଯାହା ଏକ ଗାନ୍ଧୀ ବିରୋଧୀ ବ୍ୟାଖ୍ୟାନ ସୃଷ୍ଟିର କାରଣ ହୋଇଛି। ଏଥିରେ ସନ୍ଦେହ ନାହିଁ ଯେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଦାନ କରିଥିବା ବକ୍ତବ୍ୟକୁ ବିଶ୍ବାସ କରିଥିବା ଅନେକଙ୍କ ଚକ୍ଷୁରେ ଗାନ୍ଧୀ ଅଯଥାରେ ଖର୍ବାକୃତି ଦିଶି ପାରନ୍ତି।

ସବରକର ଭ୍ରାତା ଦ୍ବୟଙ୍କୁ ୧୯୨୪ ମସିହାରେ ମୁକ୍ତ କରି ଦିଆଯାଇଥିଲା। ଏହା ପରେ ଭାରତ ସ୍ବାଧୀନତାର ପୂର୍ବବର୍ତ୍ତୀ ପ୍ରାୟ ଦୁଇ ଦଶକର କାଳ ଖଣ୍ଡରେ ବୀର ସବରକର ବ୍ରିଟିସ୍‌ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି ନ ଥିଲେ; ଯେଉଁ ବିଷୟଟି ସ˚ପ୍ରତି ଦକ୍ଷିଣପନ୍ଥୀମାନଙ୍କ ଲାଗି ଏକ ଅସ୍ବସ୍ତିର କାରଣ ହୋଇଥାଏ। ତେଣୁ, ସବରକରଙ୍କ ଭାବମୂର୍ତ୍ତିରୁ ଏହି ଦାଗ ଛଡ଼ାଇବା ଲାଗି ସମ୍ଭବତଃ ଗାନ୍ଧୀଜୀଙ୍କୁ ଏକ ସାବୁନ ରୂପେ ବ୍ୟବହାର କରାଯାଇଛି, ଯାହା ଫଳରେ ବୀର ସବରକର ଉଜ୍ଜ୍ବଳ ଦିଶି ପାରନ୍ତି, କିନ୍ତୁ ଗାନ୍ଧୀ-ସାବୁନ କ୍ଷୟ ପାଇ ପାଇ ଯିବ!

ସମ୍ବନ୍ଧିତ ଖବର