ଭକ୍ତର ଭଗବାନ

ଧର୍ମବିଶ୍ବାସୀ ହିନ୍ଦୁମାନେ ବିଶ୍ବାସ କରିଥା’ନ୍ତି ଯେ ମନ୍ଦିରରେ କାର୍ଯ୍ୟ କରୁଥିବା ପୂଜକ ଭକ୍ତ ଓ ଭଗବାନଙ୍କ ମଧୢରେ ଯୋଗସୂତ୍ର ସ୍ଥାପନ କରିଥା’ନ୍ତି। ଅତୀତର ବ୍ରାହ୍ମଣବାଦ ବହୁଳା˚ଶରେ ବର୍ତ୍ତମାନ ନିଷ୍ପ୍ରଭ ହୋଇ ସାରିଥିଲେ ମଧୢ, ବ୍ରାହ୍ମଣ ପୂଜକମାନେ ହିଁ ଏହି ଯୋଗସୂତ୍ର ସ୍ଥାପନ କରି ପାରିବେ ବୋଲି ଅଧିକା˚ଶ ଭକ୍ତ ଏବେ ବି ବିଶ୍ବାସ କରିଥା’ନ୍ତି, ଯେଉଁଥିପାଇଁ ଅଧିକା˚ଶ ମନ୍ଦିରରେ ବ୍ରାହ୍ମଣମାନେ ହିଁ ସେଇ ଭୂମିକା ନିର୍ବାହ କରିବା ଦେଖାଯାଇଥାଏ। ଏହି ପରିପ୍ରେକ୍ଷୀରେ ଏବେ ତାମିଲନାଡ଼ୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ସେ ରାଜ୍ୟର କେତେକ ମନ୍ଦିରରେ ପୂଜକ ରୂପେ କାର୍ଯ୍ୟ କରିବା ପାଇଁ ୨୪ ଜଣ ଅଣ-ବ୍ରାହ୍ମଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରି ବ୍ରାହ୍ମଣବାଦର ବିଲୋପ ସାଧନ ଦିଗରେ ଖୋଲାଖୋଲି ଏକ ଦୃଢ଼ ପଦକ୍ଷେପ ନେଇଛନ୍ତି ବୋଲି ଦାବି କରିଛନ୍ତି।

ଅନ୍ୟ ଧର୍ମମାନଙ୍କ ଭଳି ହିନ୍ଦୁ ଧର୍ମର କେହି ପ୍ରବର୍ତ୍ତକ ବା ‘ପ୍ରଫେଟ୍‌’ ନ ଥିବାରୁ ଏହି ପୂଜକମାନଙ୍କୁ ହିଁ ଧର୍ମର ବିଧିବଦ୍ଧ ପ୍ରତିନିଧି ରୂପେ ବିଚାର କରାଯାଇପାରେ। ଷ୍ଟାଲିନ୍‌ଙ୍କ ଏହି ପଦକ୍ଷେପକୁ ସେମାନଙ୍କ ବିରୋଧରେ ଏକ ଖୋଲା ବିଦ୍ରୋହ ରୂପେ ବିଚାର କରାଯାଇପାରେ, ଯେଉଁଭଳି ଅତୀତରେ ଏକଦା ତିନି ଆବ୍ରାହାମୀୟ ଧର୍ମ- ଇହୁଦୀ ଧର୍ମ, ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମ-ର ମୁଖ୍ୟ ପ୍ରବର୍ତ୍ତକ ତିନିଜଣଙ୍କ ବିରୋଧରେ ଏକ ବେନାମି ବିଦ୍ରୋହର ପ୍ରସାର ଦେଖିବାକୁ ମିଳିଥିଲା। ମୋଜେସ୍‌, ଯୀଶୁ ଓ ମହମ୍ମଦଙ୍କୁ ତିନି ପ୍ରବଞ୍ଚକ ରୂପେ ଆଖ୍ୟାୟିତ କରି ତ୍ରୟୋଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସରଳ ବିଶ୍ବାସୀ, ଶୋଷିତ ଓ ପ୍ରବଞ୍ଚିତ ଜନସାଧାରଣଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ଗୋପନରେ ପ୍ରସାରିତ ଯେଉଁ ବେନାମି ପୁସ୍ତକ ମାଧୢମରେ ବିଦ୍ରୋହର ସୂତ୍ରପାତ କରିବାକୁ ଚେଷ୍ଟା କରାଯାଇଥିଲା, ତାହାର ସ୍ପଷ୍ଟ ବର୍ଣ୍ଣିତ ଶୀର୍ଷକ ଥିଲା- ‘ଦି ଟ୍ରିଟିଜ୍‌ ଅଫ୍‌ ଦି ଥ୍ରି ଇମ୍ପୋଷ୍ଟର‌୍‌ସ’ (‘ତିନି ପ୍ରବଞ୍ଚକଙ୍କ କାହାଣୀ’)।

ଆଶ୍ଚର୍ଯ୍ୟ ତଥା ଆମୋଦର କଥା, ଏହି ଈଶ୍ବର-ବିରୋଧୀ ବିଦ୍ରୋହର ସ୍ବରକୁ ନିରବ କରିବା ପାଇଁ ଶେଷରେ ଯିଏ ସ୍ବର ଉତ୍ତୋଳନ କରିବା ଦେଖାଯାଇଥିଲା, ସେ ହେଉଛନ୍ତି ଖୋଦ ଇତିହାସରେ ଜଣେ ପ୍ରମୁଖ ବିଦ୍ରୋହୀ ରୂପେ ପରିଚିତ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଦାର୍ଶନିକ ଭଲ୍‌ଟେଆର‌୍‌। ୧୭୭୦ରେ ପ୍ରକାଶିତ ତାଙ୍କର ‘ତିନି ପ୍ରବଞ୍ଚକ ପୁସ୍ତକର ରଚୟିତାଙ୍କୁ ଏକ ପତ୍ର’ ଶୀର୍ଷକ ରଚନାରେ ଭଲ୍‌ଟେଆର‌୍‌ ଈଶ୍ବରଙ୍କ ସମ୍ବନ୍ଧରେ ଯେଉଁ ଏକ ମନ୍ତବ୍ୟ ପ୍ରଦାନ କରିଥିଲେ, ତାହା ଭଲ୍‌ଟେଆର‌୍‌ଙ୍କ ଚିରସ୍ମରଣୀୟ ଉକ୍ତିମାନଙ୍କ ମଧୢରୁ ଅନ୍ୟତମ ରୂପେ ଏବେ ବି ଜନସ୍ମୃତିରେ ଜୀବନ୍ତ ରହିଛି। ଏଠାରେ ଉଦ୍ଧାରଯୋଗ୍ୟ ତାଙ୍କର ସେହି ଉକ୍ତିଟି ହେଲା: ‘‘ମୁଁ ଚାହେଁ ମୋର ଓକିଲ, ମୋର ଦରଜି, ମୋର ଭୃତ୍ୟମାନେ, ଏପରିକି ମୋର ପତ୍ନୀ ମଧୢ ଈଶ୍ବରବିଶ୍ବାସୀ ହୁଅନ୍ତୁ, କାରଣ ତା’ ଅର୍ଥ ମୁଁ ଠକାମି, ଚୋରି ଓ ପରକୀୟା ପ୍ରୀତିର ଶିକାର ହେବା ସମ୍ଭାବନା କମ୍‌ ହେବ… ଯଦି ପ୍ରକୃତରେ ଈଶ୍ବର ବୋଲି କେହି ନଥା’ନ୍ତି, ତାଙ୍କୁ ଉଦ୍ଭାବନ କରିବା ନିହାତି ଆବଶ୍ୟକ।’’ ମନୁଷ୍ୟ କାହିଁକି ଈଶ୍ବରଙ୍କୁ ଆବଶ୍ୟକ କରେ, ଏହା ଠାରୁ ଅଧିକ ଖୋଲାଖୋଲି ସ୍ବାର୍ଥକୈନ୍ଦ୍ରିକ ସ୍ବୀକାରୋକ୍ତି ଆଉ କ’ଣ ହୋଇପାରେ?

କେହି ଯଦି ଏହାର ଏକ ଗଭୀରତର ପ୍ରମାଣ ବା ଉଦାହରଣ ଖୋଜି ବସେ, ସେ ଭାରତରେ ବୌଦ୍ଧ ଧର୍ମର ଆବିର୍ଭାବ, ପ୍ରସାର ଓ ବିଲୟ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ତାହା ଦେଖି ପାରିବ। ସାଧାରଣତଃ ବିଶ୍ବାସ କରାଯାଇଥାଏ ଯେ ଶଙ୍କର, କୁମାରିଲ ଆଦିଙ୍କ ଭଳି ବ୍ରାହ୍ମଣବାଦୀ ହିନ୍ଦୁ ବିଦ୍ବାନ୍‌ମାନଙ୍କ ବିଚକ୍ଷଣ ପ୍ରତିଆକ୍ରମଣ ସମ୍ମୁଖରେ ବୌଦ୍ଧ ଧର୍ମ ଆଉ ଅଧିକ କାଳ ଜନମାନସରେ ତିଷ୍ଠି ରହିପାରିଲା ନାହିଁ ଓ ଭାରତରେ ଅବଲୀଳା କ୍ରମେ ପ୍ରାୟ ନିଶ୍ଚିହ୍ନ ହୋଇଗଲା କହିଲେ ଚଳେ। ସତ କଥା କିନ୍ତୁ ତାହା ନୁହେଁ।
ସିଦ୍ଧାର୍ଥ ଗୌତମ ଜ୍ଞାନାଲୋକ ପ୍ରାପ୍ତ ହେବା ପରେ ପ୍ରସାର କରିଥିବା ଦର୍ଶନକୁ ଯଦି ଧର୍ମ ବୋଲି କୁହାଯାଏ, ଏହା ଥିଲା ଏପରି ଏକ ବିରଳ ଧର୍ମ ଯାହା କୌଣସି ଈଶ୍ବରଙ୍କ ଅସ୍ତିତ୍ବକୁ ବିଶ୍ବାସ କରୁନଥିଲା। ଏହାର ଅନୁଗାମୀମାନେ ଯେଉଁ ବିଶୁଦ୍ଧ ନୈତିକ ଆଚରଣବିଧି ପାଳନ କରିବେ ବୋଲି ଆଶା କରାଯାଉଥିଲା, ତାହା ପଛରେ କୌଣସି ଆଧୢାତ୍ମିକ ଅନୁମୋଦନର ଆବଶ୍ୟକତା ନ ଥିଲା। ଆରମ୍ଭରେ ବ୍ରାହ୍ମଣବାଦ ବିରୋଧରେ ବିଦ୍ରୋହ କରି ଯେଉଁମାନେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ସେମାନଙ୍କ ପକ୍ଷରେ ଏଭଳି କଠୋର ତଥା ବିଶୁଦ୍ଧ ନୈତିକତା ପାଳନ କରିବା ଯେଉଁଭଳି ସମ୍ଭବ ଥିଲା, ପରବର୍ତ୍ତୀ ସମୟରେ ସେଭଳି ଆଉ ସହଜ ହେଲା ନାହିଁ। ହୀନଯାନ ଅନୁଗାମୀମାନେ ଏ ଦିଗରେ କୃଚ୍ଛ୍ର ଉଦ୍ୟମ ଜାରି ରଖିଥିବା ବେଳେ ମହାଯାନ ଅନୁଗାମୀମାନେ କ୍ରମେ ଈଶ୍ବରଙ୍କ ଅଭାବ ପୂରଣ କରିବା ପାଇଁ ପୁଣି ବ୍ରାହ୍ମଣବାଦର ନିକଟତର ହେବାରେ ଲାଗିଲେ। ବ୍ରାହ୍ମଣମାନେ ମଧୢ ବୁଦ୍ଧଙ୍କୁ ଆଉ ଶତ୍ରୁ ରୂପେ ନ ଦେଖି ବିଷ୍ଣୁଙ୍କର ଏକ ଅବତାର ରୂପେ ଦେଖିବାକୁ ଆରମ୍ଭ କଲେ; ବୌଦ୍ଧମାନେ ଏହି ଦାନର ପ୍ରତିଦାନ ସ୍ବରୂପ ବିଷ୍ଣୁଙ୍କୁ ବୋଧିସତ୍ତ୍ବ ପଦ୍ମପାଣି ବା ଅବଲୋକିତେଶ୍ବର ରୂପେ ପ୍ରଦର୍ଶିତ କଲେ।

ବ୍ରାହ୍ମଣବାଦ ଓ ମହାଯାନ ପନ୍ଥାର ଧର୍ମୀୟ ଓ ଦାର୍ଶନିକ ଆଭିମୁଖ୍ୟ କ୍ରମେ ଏକା ଭଳି ପ୍ରତୀୟମାନେ ହେଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାଯାନ ଧର୍ମଧାରଣା ଓ ଆଧିଭୌତିକ ଆଭିମୁଖ୍ୟ କ୍ରମେ ହିନ୍ଦୁମାନଙ୍କର ଅଦ୍ବୈତବାଦ ସହିତ ପ୍ରାୟ ସମ୍ପୂର୍ଣ୍ଣ ମେଳ ଖାଇଯିବା ଦେଖାଗଲା। ସ˚ଖ୍ୟାଧିକ ଅନୁଗାମୀଙ୍କର ଆବଶ୍ୟକତା ପୂରଣ ନିମିତ୍ତ ମହାଯାନ ପନ୍ଥା ଯେଉଁ ମାର୍ଗ ପ୍ରଦର୍ଶନ କଲା ତାହା ହିନ୍ଦୁମାନଙ୍କର ସର୍ବାଧିକ ଅନୁସୃତ ତଥା ଆଦୃତ ଭଗବଦ୍‌ ଗୀତାର ଏକ ଦୁର୍ବଳ ସ˚ସ୍କରଣ ଭଳି ମନେ ହେଲା। ବୌଦ୍ଧିକ ସ୍ତରରେ ରୂପାନ୍ତର ଘଟି ଚାଲି ଏକ ସମୟରେ ଏକ ଦୃଷ୍ଟିଭଙ୍ଗୀର ଆବିର୍ଭାବ ଘଟିବା ମଧୢ ଦେଖାଗଲା ଯେ ମହାଯାନପନ୍ଥା ହେଉଛି ଭାରତରେ ଦେଖା ଦେଇଥିବା ମହାନ୍‌ ବୈଷ୍ଣବ ଆନ୍ଦୋଳନର ଏକ ସମ୍ପ୍ରଦାୟ ମାତ୍ର। ହୀନଯାନର କୃଚ୍ଛ୍ର ପନ୍ଥା ଯୋଗୁଁ ତାହାକୁ ଏକ ଶୈବ ସମ୍ପ୍ରଦାୟ ରୂପେ ବିଚାର କରାଗଲା।

ଷ୍ଟାଲିନ୍‌ଙ୍କ ରାଜ୍ୟ-ଜନ୍ମିତ ମହାନ୍‌ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ତ ପୁରୀର ଜଗନ୍ନାଥ ମନ୍ଦିରକୁ ବୌଦ୍ଧ ଧର୍ମର ବୈଷ୍ଣବବାଦକୁ ରୂପାନ୍ତରର ଏକ ବିଶିଷ୍ଟ ଉଦାହରଣ ରୂପେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ମନ୍ଦିର ମୂଳରୁ ଗୌତମ ବୁଦ୍ଧଙ୍କ ପାଇଁ ନିର୍ମିତ ହୋଇଥିଲା, ସେ ମନ୍ଦିରରେ ବର୍ତ୍ତମାନ ଜଗନ୍ନାଥ ପୂଜା ପାଉଛନ୍ତି। ତାଙ୍କ କହିବା ଅନୁସାରେ ଜଗନ୍ନାଥ ମନ୍ଦିରରେ ବର୍ତ୍ତମାନ ଯେଉଁ ଏକମାତ୍ର ବୌଦ୍ଧ ଧର୍ମର ଛାପ ଦେଖିବାକୁ ମିଳିଥାଏ, ତାହା ହେଲା ସବୁ ଜାତିର ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରିବା- କାରଣ ବୌଦ୍ଧମାନଙ୍କର ଜାତିଭେଦ ନାହିଁ! ତାଙ୍କୁ ଯଦି ଜଣାଥା’ନ୍ତା, ରାଧାକୃଷ୍ଣନ୍‌ ନିଶ୍ଚିତ ରୂପେ ଏଇ ଓଡ଼ିଆ ଢଗଟିର ଉଲ୍ଲେଖ କରିଥା’ନ୍ତେ: ‘‘ବାର ଜାତି ତେର ଗୋଲା, ବଇଷିମ ହେଲେ ସବୁ ଗଲା।’’ ଉଲ୍ଲେଖଯୋଗ୍ୟ ବୈଷ୍ଣବମାନଙ୍କର ଆରାଧୢ ଜଗନ୍ନାଥଙ୍କର ଅନେକ ସେବକ ମଧୢ ହେଉଛନ୍ତି ଅଣ-ବ୍ରାହ୍ମଣ। ତେଣୁ ରାଧାକୃଷ୍ଣନ୍‌ଙ୍କ ବର୍ଣ୍ଣନା ହେଉଛି ପ୍ରମାଣ ଯେ ଷ୍ଟାଲିନ୍‌ ଏବେ କିଛି ବୈପ୍ଳବାତ୍ମକ କାର୍ଯ୍ୟ କରି ନାହାନ୍ତି। ବିବର୍ତ୍ତନଶୀଳ ହିନ୍ଦୁ ଧର୍ମ ପାଇଁ ସ˚ସାର କେବେ ହେଲେ ଏକ ସମସ୍ୟା ନୁହେଁ। ଏଠି ସମସ୍ତଙ୍କ ପାଇଁ ଈଶ୍ବର ମହଜୁଦ ଅଛନ୍ତି, ଭଲ୍‌ଟେଆର‌୍‌ କହିଥିବା ଭଳି ତାଙ୍କୁ କେହି ଉଦ୍ଭାବନ କରିବା ଦରକାର ନାହିଁ; ତାଙ୍କର ଆରାଧନା ପାଇଁ ବ୍ରାହ୍ମଣ ହେବା ମଧୢ ଦରକାର ନାହିଁ। ଭଗବାନ ହେଉଛନ୍ତି କେବଳ ଭକ୍ତର।

ସମ୍ବନ୍ଧିତ ଖବର