ଗତିର ଶକ୍ତି

୨୦୨୦ରେ ଯେତେବେଳେ ଚୀନା କରୋନା ଭାଇରସ୍‌ ଜଙ୍ଗଲ ନିଆଁ ଭଳି ହୁତ୍‌ହୁତ୍‌ ହୋଇ ପୃଥିବୀ ସାରା ମାଡ଼ିଗଲା, ସେଥିରୁ ରକ୍ଷା ପାଇବା ପାଇଁ ମାନବ ସମାଜ ଯେଉଁ ଲକ୍‌ଡାଉନ୍‌ ନାମକ କବାଟ-କିଳା ଅଭିଯାନ ଆରମ୍ଭ କରିଦେଲା, ତାହାର ତାତ୍କାଳିକ ପ୍ରଭାବ ସ୍ବରୂପ ସର୍ବତ୍ର ଦୋକାନ ବଜାର, ଗମନାଗମନ, ପରିବହନ ଓ କଳକାରଖାନାମାନ ପ୍ରାୟ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଗଲା। ପୃଥିବୀର ପ୍ରତ୍ୟେକ ଦେଶର ଅର୍ଥନୀତି ଏଥିଯୋଗୁଁ ଗୁରୁତର ସ˚କୋଚନର ସମ୍ମୁଖୀନ ହୋଇ ଦେଶବାସୀଙ୍କ ପାଇଁ ଘୋର ଆର୍ଥିକ ଦୁର୍ଦଶା ସୃଷ୍ଟି କଲା। ନିଯୁକ୍ତି ଓ ଆୟରେ ସ˚କୋଚନ ଘଟିବା ଯୋଗୁଁ ବଜାରରେ ଯେ ଖାଉଟି ଚାହିଦାରେ ସ˚କୋଚନ ଘଟିଲା, କେବଳ ତାହା ନୁହେଁ, ଖାଉଟିମାନେ ସେମାନଙ୍କର ସଞ୍ଚୟ ଆୟ ଖର୍ଚ୍ଚ କରିବାକୁ ଚାହିଁଲେ ମଧୢ ଭାଇରସ୍‌ ଭୟରେ ଘରୁ ପଦାକୁ ଗୋଡ଼ କାଢ଼ିବାକୁ କୁଣ୍ଠିତ ହେବାରୁ ବଜାରରେ ଏକ ଘୋର ମାନ୍ଦା ଅବସ୍ଥା ରାଜୁତି କଲା।
୨୦୨୧ରେ ଯେତେବେଳେ କ୍ରମେ ପ୍ରାୟ ପ୍ରତ୍ୟେକ ଦେଶରେ ଟିକାକରଣ ଅଭିଯାନ ଏକ ଅର୍ଥପୂର୍ଣ୍ଣ ଭାବରେ ଆଗେଇ ଚାଲିଲା ଓ ଲକ୍‌ଡାଉନ୍‌ କ୍ରମେ ଏକ ବିରଳ ଘଟଣାରେ ପରିଣତ ହେଲା, ଏହି ଚାପି ହୋଇ ରହିଥିବା ଖାଉଟି ଚାହିଦାରେ ବିସ୍ଫୋରଣ ଘଟିବାକୁ ଆରମ୍ଭ କଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସାଧାରଣ ସମୟରେ ବଜାରରେ ଚାହିଦାରେ ବୃଦ୍ଧି ଘଟିବା ଦେଖାଗଲେ ଅନତିବିଳମ୍ବେ ତା’ ସହିତ ତାଳ ଦେଇ ଖାଉଟିମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯୋଗାଣରେ ବୃଦ୍ଧି ଘଟିଥାଏ। ସାମ୍ପ୍ରତିକ ସମୟରେ ଅଧିକା˚ଶ ଦ୍ରବ୍ୟର ଉତ୍ପାଦନ କିନ୍ତୁ ଆଉ କୌଣସି ଏକ ନିର୍ଦ୍ଦିଷ୍ଟ ଉତ୍ପାଦନସ୍ଥଳୀରେ ସୀମିତ ହୋଇ ନ ରହି ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଯୋଗାଣ-ଶୃଙ୍ଖଳ ରୂପରେ ବିଛାଡ଼ି ହୋଇ ରହିଥିବା ଦେଖାଯାଇଥାଏ। କୋଭିଡ୍‌-୧୯ ପାଣ୍ତେମିକ୍‌ ସମୟରେ ଏହି ଯୋଗାଣ-ଶୃଙ୍ଖଳମାନ ଯେଉଁ ଭଳି ଗୁରୁତର ଭାବେ ଛିଣ୍ତି ଯାଇଥିଲା, ତାହା କିନ୍ତୁ ଏ ପର୍ଯ୍ୟନ୍ତ ଯୋଡ଼ି ହୋଇପାରି ନାହିଁ।

ଅନ୍ୟ ଭାଷାରେ କହିଲେ, ଉଦାହରଣ ସ୍ବରୂପ କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଶ୍ରମିକମାନେ ସେମାନଙ୍କର ପୂର୍ବ କର୍ମସ୍ଥଳୀକୁ ତଥାପି ଫେରି ନ ଥିବା ବେଳେ ସେଥିରେ ବ୍ୟବହୃତ ହେଉଥିବା କଞ୍ଚାମାଲ୍‌ କିମ୍ବା ଯନ୍ତ୍ରା˚ଶମାନ ମଧୢ ଯଥେଷ୍ଟ ପରିମାଣରେ ଉତ୍ପାଦନସ୍ଥଳୀମାନଙ୍କରେ ଉପଲବ୍‌ଧ ହେଉନାହିଁ। ଅନେକ ସମୟରେ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କର ଶରୀର ସୁସ୍ଥ ହେବା ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ପ୍ରକାର ଦୁର୍ବଳତାର ଶିକାର ହେଉଥିବା ଭଳି, ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଯୋଗାଣ-ଶୃଙ୍ଖଳ ସମସ୍ୟା ବିଭିନ୍ନ ରୂପରେ ଆବିର୍ଭୂତ ହେବା ଦେଖାଯାଉଛି। ଉଦାହରଣ ସ୍ବରୂପ ଚୀନ୍‌ରେ ଦେଖା ଦେଇଥିବା ଶକ୍ତି ସ˚କଟ ଯୋଗୁଁ ସେଠାରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ବ୍ୟାହତ ହୋଇଥିବା ବେଳେ ବ୍ରିଟେନ୍‌ରେ ‘ବ୍ରେକ୍‌ସିଟ୍‌’ ଯୋଗୁଁ ଯଥେଷ୍ଟ ସ˚ଖ୍ୟକ ଟ୍ରକ୍‌-ଚାଳକ ମିଳୁ ନ ଥିବାରୁ ସେଠାରେ ପରିବହନ ଗୁରୁତର ଭାବରେ ବାଧା ପାଇଛି।
ଯୋଗାଣ-ଶୃଙ୍ଖଳର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା କଣ୍ଠରୋଧ ଅବସ୍ଥା ଯୋଗୁଁ ଅର୍ଥନୀତିର ଯେଉଁ ସବୁ କ୍ଷେତ୍ର ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଖବର ନିୟମିତ ଭାବରେ ପ୍ରକାଶ ପାଇବାରେ ଲାଗିଛି, ସେମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଅଛି ଇଲେକ୍ଟ୍ରୋନିକ୍‌ସରୁ ମଟର ଗାଡ଼ି ପର୍ଯ୍ୟନ୍ତ, ଆହାର ସାମଗ୍ରୀରୁ ଔଷଧ ପତ୍ର ପର୍ଯ୍ୟନ୍ତ। ଯୋଗାଣର ମନ୍ଥର ଅବସ୍ଥା ସ୍ବାଭାବିକ ଭାବରେ ବିଭିନ୍ନ ଦ୍ରବ୍ୟ ଓ ସେବା ଆଦିର ମୂଲ୍ୟରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇ ପୃଥିବୀ ସାରା ଚିନ୍ତାର କାରଣ ହୋଇଛି।

ଠିକ୍‌ ଏହି ସମୟରେ ସ˚ଯୋଗ ବଶତଃ ହେଉ କିମ୍ବା ଏହି ନୂତନ ଯୋଗାଣ-ଶୃଙ୍ଖଳ ସମସ୍ୟାବଳୀକୁ ବିଚାରକୁ ନେଇ ହେଉ; ଭାରତୀୟ ଅର୍ଥନୀତି ଦୀର୍ଘ କାଳ ଧରି ଭୋଗି ଆସୁଥିବା ବିଭିନ୍ନ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଗତିରୋଧକାରୀ ଅଦକ୍ଷତାମାନ ଦୂର କରିବାର ଆବଶ୍ୟକତା ପ୍ରତି ସଚେତନ ହୋଇ କେନ୍ଦ୍ର ସରକାର ଏବେ ସେଥିରେ ଉନ୍ନତି ଘଟାଇବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ିଛନ୍ତି। ଗତ ସପ୍ତାହରେ ସରକାର ଘୋଷଣା କରିଥିବା ‘ଗତି ଶକ୍ତି’ ଅଭିଯାନ ହେଉଛି ବସ୍ତୁତଃ ଭାରତୀୟ ଅର୍ଥନୀତି ସର୍ବଦା ସମ୍ମୁଖୀନ ହୋଇ ଆସିଥିବା ବିଭିନ୍ନ ଯୋଗାଣ-ଶୃଙ୍ଖଳର ପ୍ରତିରୋଧକାରୀ ପ୍ରତିବନ୍ଧମାନ ଦୂର କରି ତାହାକୁ ସୁସ˚ହତ ଓ ସାବଲୀଳ କରିବା ଦିଗରେ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଉଦ୍ୟମ।

ନିକଟରେ ଭାରତୀୟ ଶିଳ୍ପ ବାଣିଜ୍ୟ ସ˚ଗଠନ ‘ସିଆଇଆଇ’ (‘କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ତିଆନ୍‌ ଇଣ୍ତଷ୍ଟ୍ରି’) ଓ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ଶିଳ୍ପ ବ୍ୟବସାୟ କନ୍‌ସଲ୍‌ଟାନ୍‌ସି ସ˚ସ୍ଥା ‘ଆର୍ଥର‌୍‌ ଡି ଲିଟ୍‌ଲ’ ମିଳିତ ଭାବରେ ଭାରତରେ ଯୋଗାଣ-ଶୃଙ୍ଖଳ ବହନ କରୁଥିବା ‘ଲଜିଷ୍ଟିକ୍‌ସ ଖର୍ଚ୍ଚ’ (ପରିବହନ, ଯୋଗାଯୋଗ, ସ˚ଯୋଗ ସ୍ଥାପନ ଆଦି ସଞ୍ଚାଳନଜନିତ ଖର୍ଚ୍ଚ)ର ମାତ୍ରା ଆବିଷ୍କାର କରିବା ପାଇଁ ଏକ ସର୍ବେକ୍ଷଣ କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ଭାରତରେ ଯୋଗାଣ-ଶୃଙ୍ଖଳକୁ ବହନ କରିବାକୁ ହେଉଥିବା ‘ଲଜିଷ୍ଟିକ୍‌ସ ଖର୍ଚ୍ଚ’ର ଅନୁପାତ ହେଉଛି ଦେଶର ମୋଟ ଜାତୀୟ ଉତ୍ପାଦ ବା ‘ଜିଡିପି’ର ଏକ ସୁଉଚ୍ଚ ୧୪ ଶତା˚ଶ। ତୁଳନା କଲେ ଦେଖାଯାଇଥାଏ, ଆମେରିକା ଓ ଇଉରୋପ ଭଳି ଉନ୍ନତ ଅର୍ଥନୀତି ମାନଙ୍କରେ ଏହି ଅନୁପାତ ହେଉଛି ଏକ ଅପେକ୍ଷାକୃତ ନୀଚା ୮-୧୦ ଶତା˚ଶ। ପୃଥିବୀର ଉତ୍ପାଦନ କର୍ମଶାଳାରେ ପରିଣତ ହୋଇ ପ୍ରାୟ ପ୍ରତ୍ୟେକ ବହୁଦେଶୀୟ କମ୍ପାନିର ଯୋଗାଣ-ଶୃଙ୍ଖଳର ଅବିଚ୍ଛେଦ୍ୟ ଅ˚ଶରେ ପରିଣତ ହୋଇଥିବା ଚୀନ୍‌ରେ ଏହି ଅନୁପାତ ହେଉଛି ମାତ୍ର ୯ ଶତା˚ଶ। ବିଶ୍ବ ବ୍ୟାଙ୍କ୍‌ ପ୍ରକାଶ କରିଥିବା ‘ଲଜିଷ୍ଟିକ୍‌ସ ପର‌୍‌ଫର‌୍‌ମାନ୍‌ସ ଇଣ୍ତେକ୍‌ସ’ ବା ଲଜିଷ୍ଟିକ୍‌ସ କ୍ଷେତ୍ରରେ ପ୍ରଦର୍ଶନ ସୂଚକାଙ୍କ ତାଲିକାରେ ଭାରତକୁ ମାତ୍ର ୩.୧୮ ପଏଣ୍ଟ ପ୍ରଦାନ କରାଯାଇଥିବା ବେଳେ ମାଲେସିଆ ଓ ଭିଏତ୍‌ନାମ ପରି କ୍ଷୁଦ୍ର ଦେଶମାନେ ତାଲିକାରେ ଭାରତ ଠାରୁ ଆଗରେ ସ୍ଥାନ ଲାଭ କରିଛନ୍ତି।

ଲଜିଷ୍ଟିକ୍‌ସ କ୍ଷେତ୍ରରେ ଶିଥିଳ ଗତି ସୃଷ୍ଟିକାରୀ ଅଦକ୍ଷତା କେବଳ ଯେ ଉତ୍ପାଦନ ଓ ବଣ୍ଟନ ସମ୍ପର୍କିତ ପ୍ରକ୍ରିୟାମାନଙ୍କୁ ବିଳମ୍ବିତ କରିଥାଏ, ତାହା ନୁହେଁ, ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚରେ ଅନବଶ୍ୟକ ବୃଦ୍ଧି ଘଟିଥାଏ। ଏଥିଯୋଗୁଁ ବଜାରରେ ଭାରତରେ ଉତ୍ପାଦିତ ଦ୍ରବ୍ୟମାନ ମହଙ୍ଗା ହୋଇଥାଏ। ଭାରତ ଯେତେବେଳେ ଚୀନ୍‌ ସହିତ ପ୍ରତିଯୋଗିତା କରି ଏକ ରପ୍ତାନି ଶକ୍ତି ରୂପେ ଆବିର୍ଭୂତ ହେବା ପାଇଁ ଲକ୍ଷ୍ୟ ରଖିଛି, ଏହା ଯେ ସେ ଲକ୍ଷ୍ୟ ହାସଲ ପାଇଁ ସହାୟକ ହେବ ନାହିଁ, ଏହା ସୂଚାଇବା ଅନାବଶ୍ୟକ।

ଏହି ପରିପ୍ରେକ୍ଷୀରେ ୧୬ଟି ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ମଧୢରେ ତତ୍‌କ୍ଷଣାତ୍‌ ଯୋଗସୂତ୍ର ରକ୍ଷା କରି ପ୍ରକଳ୍ପମାନ କାର୍ଯ୍ୟକାରୀ ହେବାରେ ଘଟୁଥିବା ଅଯଥା ବିଳମ୍ବକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ‘ଗତି ଶକ୍ତି’ ଜାତୀୟ ମାଷ୍ଟର‌୍‌ ପ୍ଲାନ୍‌ ଯେ ଏକ ଅତ୍ୟନ୍ତ ସମୟୋପଯୋଗୀ ପଦକ୍ଷେପ, ଏଥିରେ କୌଣସି ସନ୍ଦେହ ନାହିଁ। ସଡ଼କ, ରେଳପଥ, ବିମାନ ବନ୍ଦର ସମେତ ଭାରତ ମାଳା, ସାଗର ମାଳା, ଅଭ୍ୟନ୍ତରୀଣ ଜଳପଥ, ଶୁଷ୍କ ବନ୍ଦର ଓ ଉଡ଼ାନ୍‌ ଆଦି ଭିତ୍ତିଭୂମି ଓ ପ୍ରକଳ୍ପମାନଙ୍କୁ ଦ୍ରୁତ ଗତିଶୀଳ କରିବା ପାଇଁ ଗୋଟିଏ ନେଟ୍‌ଵାର୍କରେ ସ˚ଯୁକ୍ତ କରିବା ଦ୍ବାରା ‘ଗତି ଶକ୍ତି’ ଯୋଜନା ଭାରତର ଲଜିଷ୍ଟିକ୍‌ସ ଦକ୍ଷତାରେ ଯେଉଁ ଉନ୍ନତି ଘଟାଇବ, ତାହା ନିଶ୍ଚିତ ରୂପେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନୂତନ ଶକ୍ତି ଯୋଗାଇବ।

ସମ୍ବନ୍ଧିତ ଖବର