ମଣିଷ ଚରାଇବାର ବାଗ ପାଇ ଯାଇଥିଲେ ବୋଲି ହୁଏ’ତ ଅତି ତରୁଣ ବୟସରେ ମାର୍କ ଜୁକରବର୍ଗ କ୍ଷୁଦ୍ର ଚାରଣ ଭୂମିଟିଏ ପ୍ରସ୍ତୁତ କରି ତା’ର ନାମ ଦେଇଥିଲେ ‘ଫେସ୍‌ବୁକ୍‌’(୨୦୦୪ ମସିହାରେ)। ତା’ ପରେ ଅତ୍ୟନ୍ତ ସ୍ବଳ୍ପ ସମୟ ଖଣ୍ତ ମଧୢରେ ‘ଫେସ୍‌ବୁକ୍‌’ ଏଭଳି ଏକ ଦିଗନ୍ତ ବିସ୍ତାରୀ ଚାରଣ ଭୂମିରେ ପରିଣତ ହୋଇଛି ଯେ ତହିଁରେ ପୃଥିବୀର ପ୍ରାୟ ଅର୍ଧେକ ମନୁଷ୍ୟ ଚରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ଇତିମଧୢରେ ବିଚକ୍ଷଣ ଜୁକରବର୍ଗ ମଣିଷ ଜାତିକୁ ମେଣ୍ଢା ଗୋଠରେ ମଧୢ ପରିଣତ କରିପାରିଛନ୍ତି, ଯାହାର ପ୍ରମାଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ, ଯେତେବେଳେ ଅଭିଯୋଗ ଆସେ ଯେ କୌଣସି ରାଷ୍ଟ୍ରର ନିର୍ବାଚନ ବେଳେ ଜନ-ମତ ନିର୍ଦ୍ଧାରଣ କରିବାରେ ବା ସା˚ପ୍ରଦାୟିକ ବା ବର୍ଣ୍ଣ ବୈଷମ୍ୟବାଦୀ ଦଙ୍ଗା ସ˚ଘଟିତ କରିବାରେ ଅଥବା କୌଣସି ଅପରିଚିତ ଗୁରୁ ଖୁବ୍‌ କମ୍‌ ସମୟ ମଧୢରେ ବିଶ୍ବବ୍ୟାପୀ ଲକ୍ଷଲକ୍ଷ ଶିଷ୍ୟ ଲାଭ କରିବାରେ ‘ଫେସ୍‌ବୁକ୍‌’ର ଦୁର୍ବାର ପ୍ରଭାବ ମୁଖ୍ୟ ଭୂମିକା ନିର୍ବାହ କରିଛି। କିନ୍ତୁ ଏ ସ˚ଦର୍ଭରେ ଯାହା ଅତ୍ୟନ୍ତ ଚିନ୍ତାଜନକ, ତାହା ହେଲା ମଣିଷକୁ ମେଣ୍ଢାରେ ପରିଣତ କରିବା ଲାଗି ‘ଫେସ୍‌ବୁକ୍‌’ ଉଦ୍ଭାବନ କରିଥିବା ଉପାୟ; ଯହିଁରେ ମଣିଷ ସମାଜ ମଧୢରେ ଘୃଣାର ପ୍ରସାର ପ୍ରମୁଖତା ଲାଭ କରିଛି। ‘ଫେସ୍‌ବୁକ୍‌’ରେ ଏକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିବା ଫ୍ରାନ୍‌ସେସ୍‌ ହୋଗେନ୍‌ ନାମଧାରୀ ଜଣେ ମହିଳା ବିବେକ ଦ˚ଶନ ଜର୍ଜରିତା ହୋଇ ନିକଟରେ ଚାକିରି ପରିତ୍ୟାଗ କରି ଏ ସ˚ପର୍କରେ ସମଗ୍ର ପୃଥିବୀକୁ ଜଣାଇବା ପାଇଁ ଉଦ୍ୟମ ଆରମ୍ଭ କରିବା ପରେ ଏହି ବିଷୟଟି ଅଧିକ ପ୍ରା˚ଜଳ ହେବା ସହିତ ଖୁବ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିକଟରେ ହୋଗେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌ ଏବ˚ ଇ˚ଲାଣ୍ତର ପାର୍ଲାମେଣ୍ଟ୍‌ରେ ଏ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିସାରିଲେଣି।

Advertisment

‘ଫେସ୍‌ବୁକ୍‌’ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତା ଏହା ଜାଣନ୍ତି ଯେ ସେମାନଙ୍କ ପସନ୍ଦକୁ କେନ୍ଦ୍ର କରି ‘ଫେସ୍‌ବୁକ୍‌’ରେ ବିଭିନ୍ନ ଭିଡିଓ ‘କଣ୍ଟେଣ୍ଟ’ ବା ବିଷୟ ବସ୍ତୁର ଆବିର୍ଭାବ ଘଟିଥାଏ। ଏହାର କାରଣ ‘ଫେସ୍‌ବୁକ୍‌’ ଦ୍ବାରା ବ୍ୟବହୃତ ଅତି ଉନ୍ନତ ମାନର ପ୍ରଯୁକ୍ତି ଯହିଁରେ କୃତ୍ରିମ ବୁଦ୍ଧିମତ୍ତା ବା ‘ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍‌ସ’ ବିଦ୍ୟମାନ ରହି ଯେ କୌଣସି ଉପଭୋକ୍ତାଙ୍କ ଚକ୍ଷୁ ଯୁଗଳ କେଉଁ ବିଷୟ ଉପରେ ଅପେକ୍ଷାକୃତ ଅଧିକ ସମୟ ନିବଦ୍ଧ ରହୁଛି, ତାର ଅନୁଧୢାନ କରି ପକାଏ ଓ ତଡ଼ିିତ୍‌ ତହିଁରୁ ତାଙ୍କର ମନୋଭାବ ସ˚ପର୍କରେ ଏକ ସ୍ଥୂଳ ଧାରଣା କରିନିଏ। ଏବଂ ତା’ ପରେ ସେହି ଆଧାାରରେ ଉପଭୋକ୍ତାଙ୍କ ଏକ ଆନୁମାନିକ ପସନ୍ଦ ନିର୍ଦ୍ଧାରଣ କରି ଅନୁରୂପ ଭିଡିଓମାନଙ୍କ ସୁଅ ଛୁଟାଇଥାଏ।

ତେବେ ଏହି ପରିପ୍ରେକ୍ଷୀରେ ମନୁଷ୍ୟର ପସନ୍ଦ ନିର୍ଦ୍ଧାରଣ କରିବାରେ ମନର ନିଭୃତ ଆକା˚କ୍ଷାଟି ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ଯାହା ପ୍ରାୟତଃ ନକାରାତ୍ମକ ସନ୍ଦେଶ ବହନକାରୀ ବିଷୟବସ୍ତୁ ପ୍ରତି ଅପେକ୍ଷାକୃତ ଅଧିକ ଦୁର୍ବଳତା ପ୍ରଦର୍ଶନ କରିବାରେ ପରିଲକ୍ଷିତ ହୋଇଥାଏ। ତେଣୁ ‘ଫେସ୍‌ବୁକ୍‌’ର ‘କୃତ୍ରିମ ବୁଦ୍ଧିମତ୍ତା’ ଜାଣିଥାଏ ଯେ ମନର କ୍ରୋଧ ପ୍ରକାଶ କରୁଥିବା ‘ଇମୋଜି’ (ଉପଭୋକ୍ତାମାନଙ୍କ ପ୍ରତିକ୍ରିୟାକୁ ରୂପ ଦେବା ଲାଗି ବ୍ୟବହୃତ କ୍ଷୁଦ୍ର ଚିତ୍ର) ଦ୍ବାରା ଚିହ୍ନିତ କଣ୍ଟେଣ୍ଟ୍‌ଗୁଡ଼ିକ ଉପଭୋକ୍ତାମାନେ ଅଧିକ ଦେଖନ୍ତି ଏବ˚ ପ୍ରତିକ୍ରିୟା ଜର୍ଜରିତ ହୋଇ ସେ ସବୁର ଅଧିକ ପ୍ରସାରଣ ବା ‘ସେୟାର୍‌’ କରନ୍ତି ମଧ୍ୟ। ଏହିଭଳି ଭାବେ କ୍ରୋଧ ବା ବିଦ୍ବେଷ ବା ଘୃଣାର ପ୍ରସାର ଘଟିଥାଏ, ଯାହା ଧର୍ମୀୟ ବା ସା˚ପ୍ରଦାୟିକ ବା ରାଜନୈତିକ ବା ବ୍ୟକ୍ତିଗତ ମଧ୍ୟ ହୋଇପାରେ। ହୋଗେନ୍‌ଙ୍କ ଅଭିଯୋଗ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ‘କ୍ୟାପିଟଲ୍‌ ହିଲ୍‌’ ଦଙ୍ଗାର ମୁଖ୍ୟ କାରଣ ଥିଲା ‘ଫେସ୍‌ବୁକ୍‌’ ଦ୍ବାରା ପ୍ରସାରିତ ଘୃଣା। ସେହିଭଳି ୨୦୨୦ ମସିହାରେ ସ˚ଘଟିତ ଦିଲ୍ଲୀ ଦଙ୍ଗାରେ ମଧୢ ‘ଫେସ୍‌ବୁକ୍‌’ର ନିର୍ଦ୍ଦିଷ୍ଟ ପ୍ରଭାବ ପରିଦୃଷ୍ଟ ହୋଇଥିଲା।

ଅବଶ୍ୟ, ଏହା ଉଲ୍ଲେଖଯୋଗ୍ୟ ଯେ ଏ ସ˚ପର୍କିତ ଅଭିଯୋଗମାନ ଆସିବା ପର ଠାରୁ ଏହି ସାମାଜିକ ମଞ୍ଚରେ ପ୍ରସାରିତ ହେଉଥିବା ବିଷୟବସ୍ତୁର ବିଶୁଦ୍ଧୀକରଣ ଲାଗି ‘ଫେସ୍‌ବୁକ୍‌’ ବିପୁଳ ଅର୍ଥ ବିନିଯୋଗ କରୁଛି; କିନ୍ତୁ ବିଡ଼ମ୍ବନାଟି ହେଲା ଏହି ଅର୍ଥ ରାଶିର ୮୪ ପ୍ରତିଶତ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଉଦ୍ଦିଷ୍ଟ। ଆମେରିକାରେ ନିୟନ୍ତ୍ରକ ବା ନିୟାମକ ସ˚ସ୍ଥାଗୁଡ଼ିକ ମାତ୍ରାଧିକ ଜାଗ୍ରତ ଥିବାରୁ ଏବ˚ ସିନେଟ୍‌ ଦ୍ବାରା ଜୁକରବର୍ଗଙ୍କୁ ଡକାଯାଇ ବିଭିନ୍ନ ସମୟରେ ଭର୍ତ୍ସନା କରା ଯାଉଥିବା କାରଣରୁ ସମ୍ଭବତଃ ‘ଫେସ୍‌ବୁକ୍‌’ ଏଭଳି ପଦକ୍ଷେପ ନେଇଛି। କିନ୍ତୁ ଅବଶିଷ୍ଟ ପୃଥିବୀ ଲାଗି ଏକ ଅପେକ୍ଷାକୃତ ସଫାସୁତୁରା ‘ଫେସ୍‌ବୁକ୍‌’ ଉପଲବ୍‌ଧ କରାଇବା ଲାଗି ମାତ୍ର ୧୬ ପ୍ରତିଶତ ଅର୍ଥ ରାଶିର ବିନିଯୋଗ ଆଦୌ ଯଥେଷ୍ଟ ନୁହେଁ। ଏହା ସାବ୍ୟସ୍ତ କରିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଛଡ଼ା ଅନ୍ୟ କେଉଁଠି ହେଲେ ଏହି ବିଶୁଦ୍ଧୀକରଣ ପ୍ରକରଣ ଉପରେ ‘ଫେସ୍‌ବୁକ୍‌’ ଗୁରୁତ୍ବ ପ୍ରଦାନ କରି ନ ଥାଏ। ସୁତରା˚, କହିବା ଅନାବଶ୍ୟକ ଯେ ଏସିଆ ବା ଆଫ୍ରିକାର ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ଲାଗି ଏଭଳି ଉଦାସୀନତା ଆହୁରି ଅଧିକ ଗଭୀର। ଏଠାରେ ପ୍ରକାଶଯୋଗ୍ୟ ଯେ ‘ଫେସ୍‌ବୁକ୍‌’ର ସର୍ବାଧିକ ବ୍ୟବହାରକାରୀ ଭାରତରେ ଅବସ୍ଥାନ କରନ୍ତି, ଯେଉଁମାନଙ୍କ ସ˚ଖ୍ୟା ହେଉଛି ୪୧ କୋଟି (ଆମେରିକାର ସମୁଦାୟ ଜନସ˚ଖ୍ୟାରୁ ମଧୢ ଅଧିକ)। ଗତ ଡିସେମ୍ବର ମାସରେ ମାର୍କ ଜୁକରବର୍ଗ ଭାରତୀୟ ‘ଫେସ୍‌ବୁକ୍‌’ ବ୍ୟବହାରକାରୀମାନଙ୍କ ଉଚ୍ଚ ପ୍ରଶଂସା କରି ଏହା ଦ୍ବାରା ସେମାନେ କିଭଳି ସେମାନଙ୍କ ବନ୍ଧୁ ଓ ପ୍ରିୟଜନମାନଙ୍କ ସହିତ ବାନ୍ଧି ହୋଇ ପାରିଛନ୍ତି, ସେ ବିଷୟରେ ବର୍ଣ୍ଣନା କରିଥିଲେ। କିନ୍ତୁ ଏ ସ˚ଦର୍ଭରେ ଯେଉଁ ନିଷ୍କର୍ଷଟି ‘ଫେସ୍‌ବୁକ୍‌’ର ନିଜସ୍ବ ଗବେଷକ ଦଳ ଦ୍ବାରା ପ୍ରତିପାଦିତ, ତାହା ଜୁକରବର୍ଗଙ୍କ ବିବୃତିର ବିପରୀତଟି ହିଁ କହିଥାଏ।

ଏହି ଗବେଷକମାନଙ୍କ ପରୀକ୍ଷଣ ଯାହା ନିକଟରେ ‘ଵାସି˚ଟନ ପୋଷ୍ଟ’ ଦ୍ବାରା ପ୍ରକାଶିତ, କହିଥାଏ ଯେ ସେମାନେ ଜଣେ ୨୧ ବର୍ଷୀୟ ଉତ୍ତର ଭାରତୀୟ ଯୁବତୀଙ୍କ ପରିଚୟ ବହନକାରୀ ଏକ ନକଲି ‘ଫେସ୍‌ବୁକ୍‌’ ଆକାଉଣ୍ଟ ଖୋଲି କେଉଁଭଳି ସନ୍ଦେଶମାନ ଆସୁଛି ତାହା ପରଖିବାକୁ ଚାହିଁଥିଲେ। ତହିଁରେ ଦେଖିବାକୁ ମିଳିଥିଲା ଯେ ପ୍ରାରମ୍ଭିକ ଅବସ୍ଥାରେ ‘ଫେସ୍‌ବୁକ୍‌’ ସୂତ୍ରରୁ କେତେକ ‘ମୃଦୁ ଅଶ୍ଳୀଳତା’ ବହନକାରୀ ଭିଡିଓ ‘କଣ୍ଟେଣ୍ଟ୍‌’ ଆସିବା ପରେ କ୍ରମେ ସା˚ପ୍ରଦାୟିକ ଘୃଣା ବ୍ୟ˚ଜକ ଭିଡିଓମାନ ଧାଡ଼ି ବାନ୍ଧି ଆସିଥିଲେ, ଯହିଁରୁ ଅଧିକା˚ଶ ଥିଲା ମିଛ ତଥ୍ୟ ପରିବହନକାରୀ। କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧୢମରେ ଉତ୍ତର ଭାରତୀୟମାନଙ୍କ ଦ୍ବାରା ପସନ୍ଦଯୋଗ୍ୟ ବିଷୟବସ୍ତୁଗୁଡ଼ିକରୁ ଏକ ଧାରଣା ନିର୍ମାଣ କରି ‘ଫେସ୍‌ବୁକ୍‌’ର ପ୍ରଯୁକ୍ତି ସେଭଳି ଭିଡିଓମାନ ଆପଣା ଛାଏଁ ପ୍ରେରଣ କରିବାରେ ଲାଗିଥିଲା।

ଫ୍ରାନ୍‌ସେସ୍‌ ହୋଗେନ୍‌ଙ୍କ ବକ୍ତବ୍ୟ କହିଥାଏ ଯେ ‘ଫେସ୍‌ବୁକ୍‌’ର ପ୍ରାବଧିକ ବ୍ୟବସ୍ଥା ଅନୁସାରେ ‘ଲାଇକ୍‌’ ବା ଭଲ ପାଇବାର ‘ଇମୋଜି’ ଚିହ୍ନିତ ବିଷୟବସ୍ତୁ ତୁଳନାରେ ‘କ୍ରୋଧର ସୂଚନା ବହନକାରୀ ଇମୋଜି’ ଦ୍ବାରା ଚିହ୍ନିତ ବିଷୟବସ୍ତୁଗୁଡ଼ିକ ଚାରିରୁ ପାଞ୍ଚ ଗୁଣ ଅଧିକ ପ୍ରସାରଣ ଯୋଗ୍ୟତା ଲାଭ କରିଥାଏ। କାରଣ ‘ଫେସ୍‌ବୁକ୍‌’ର କୃତ୍ରିମ ବୁଦ୍ଧିମତ୍ତାଟି ନିଶ୍ଚିତ ଥାଏ ଯେ ମଣିଷ ମନ ଗହନରେ ଆତ୍ମଗୋପନ କରି ରହିଥିବା ସଇତାନ ଏଥିରୁ ଆହାର ଗ୍ରହଣ କରି ମଣିଷକୁ କବଳିତ କରି ରଖିବ। କହିବା ବାହୁଲ୍ୟ ଯେ ଜୁକରବର୍ଗ ମଣିଷକୁ ମେଣ୍ଢାରେ ପରିଣତ କରି ସାରିଲେଣି। କିନ୍ତୁ ଏହି ମେଣ୍ଢାମାନଙ୍କୁ ଅଯଥାରେ ଉତ୍ତେଜିତ କରି ଲଢୁଆ କରିଦେଲେ ଏକ ଅତ୍ୟନ୍ତ ଅଶାନ୍ତ ପରିବେଶ ସୃଷ୍ଟି ହେବ। ତାଙ୍କ ‘ଚାରଣ ଭୂମି’ କାରଣରୁ ଏ ପୃଥିବୀ ଏକ ‘କିଲି˚ ଫିଲ୍‌ଡ’ ବା ବଧ ଭୂମିରେ ପରିଣତ ହୋଇ ଯାଇପାରେ!