ଦୁଇଟି ଘଟଣା

ମାତ୍ର ୧୨ ଦିନ ବ୍ୟବଧାନରେ ଭାରତର ପଶ୍ଚିମ-ଉପକୂଳର ସମୁଦ୍ରରେ ଦୁଇଟି ଘଟଣାରେ ତିନିଟି ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ କରାଗଲା। ଜାହାଜ ତିନିଟି ମଧୢରୁ ଦୁଇଟି ଥିଲା ପଣ୍ୟବାହୀ ଏବ˚ ଗୋଟିଏ ଥିଲା ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜାହାଜ ବା ‘କ୍ରୁଜ୍‌ ଲାଇନର‌୍‌’। ପଣ୍ୟବାହୀ ଜାହାଜ ଦ୍ବୟ ଗୁଜରାଟର କଚ୍ଚସ୍ଥିତ ଆଦାନୀ ପରିଚାଳିତ ମୁନ୍ଦ୍ରା ବନ୍ଦରରେ ଲଙ୍ଗରାବଦ୍ଧ ଥିଲେ ଏବ˚ ‘କ୍ରୁଜ୍‌ ଲାଇନର‌୍‌’ଟି ମୁମ୍ବାଇ ବନ୍ଦର ଛାଡ଼ିବାର କିଛି ସମୟ ପରେ ତହିଁରେ ଚଢ଼ଉ ହୋଇଥିଲା। ଏହି ବେଆଇନ ନିଶା ଦ୍ରବ୍ୟ କାରବାରରେ ଗିରଫ ହୋଇଥିଲେ ୨୨ ଜଣ; ଯହିଁରୁ ଦୁଇ ଜଣ ପଣ୍ୟବାହୀ ଜାହାଜ ସହିତ ଜଡ଼ିତ ଥିବା ଅଭିଯୋଗରେ ଏବ˚ ଅବଶିଷ୍ଟ ‘କ୍ରୁଜ୍‌ ଲାଇନର‌୍‌’ରେ କରିଥିବା ବେଆଇନ କାର୍ଯ୍ୟ ଲାଗି। ପଣ୍ୟବାହୀ ଜାହାଜ ସ˚କ୍ରାନ୍ତ ଖବର ଗଣମାଧୢମରେ ଅତ୍ୟନ୍ତ ଗୌଣ ସ୍ଥାନ ଅକ୍ତିଆର କରିବା ସହିତ ତୁରନ୍ତ ଏକ ନିରବ ମୃତ୍ୟୁ ଲାଭ କଲା; କିନ୍ତୁ ‘କ୍ରୁଜ୍‌ ଲାଇନର୍‌’ ସ˚ପର୍କିତ ଖବର ସମ୍ବାଦ-ବିସମ୍ବାଦର ଯେଉଁ ସୁନାମି ସୃଷ୍ଟି କଲା, ତହିଁରେ ସମଗ୍ର ଭାରତ ଦୁଇ ସପ୍ତାହରୁ ଅଧିକ କାଳ ଶ୍ବାସରୁଦ୍ଧ ହୋଇଗଲା ଭଳି ଡୁବି ରହିବା ପରେ ମଧୢ ଏବେ ସୁଦ୍ଧା ତହିଁରୁ ବାହାରି ପାରିନାହିଁ। ଯଦି ଏତିକି ମାତ୍ର ପୃଷ୍ଠଭୂମିରେ ଆମେ ଘଟଣା ଦ୍ବୟର ଆଲୋଚନା କରିବା ତେବେ ସ୍ବାଭାବିକ ଭାବେ ଯାହା ଦିଶିବ, ତାହା ହେଲା ‘କ୍ରୁଜ୍‌ ଲାଇନର‌୍‌’ ମାମଲାଟି ତା’ର ଗୁରୁତ୍ବ ଦୃଷ୍ଟିରୁ ଅପେକ୍ଷାକୃତ ଅନେକ ଗୁଣ ଅଧିକ ଓଜନଦାର! କିନ୍ତୁ ଏହି ଉପର ପରସ୍ତ ଭେଦ କରି ଭିତରକୁ ଗଲେ ଏ ଧାରଣା କିଭଳି ଭ୍ରମାତ୍ମକ ସାବ୍ୟସ୍ତ ହୋଇଥାଏ, ତାହା ବିଶେଷ ଆଲୋଚନା ସାପେକ୍ଷ।

ଉଲ୍ଲେଖଯୋଗ୍ୟ ଯେ ପଣ୍ୟବାହୀ ଜାହାଜ ଦ୍ବୟରୁ ମିଳିଥିଲା ହେରୋଇନ୍‌, ଯାହାର ପରିମାଣ ଥିଲା ପ୍ରାୟ ୩୦୦୦ କିଲୋଗ୍ରାମ୍‌। ଏହା ହେଉଛି ଭାରତ ଇତିହାସରେ କୌଣସି ଗୋଟିଏ ଚଢ଼ଉରେ ଜବତ ହୋଇଥିବା ସର୍ବାଧିକ ପରିମାଣର ନିଷିଦ୍ଧ ନିଶା ଦ୍ରବ୍ୟ। ଏହାର ପରିମାଣ କେତେ ଅଧିକ ତାହାର ଅନ୍ଦାଜ ଏହି ଗୋଟିଏ ଉଦାହରଣରୁ ମିଳିବ ଯେ ୨୦୧୯ ମସିହାରେ ବର୍ଷ ତମାମ ଜବତ ହୋଇଥିବା ସମୁଦାୟ ନିଶା ଦ୍ରବ୍ୟ (୨୪୪୮ କିଲୋଗ୍ରାମ୍‌) ଠାରୁ ମଧୢ ଏହା ଥିଲା ଅଧିକ, ଯାହାର ଆନୁମାନିକ ମୂଲ୍ୟ ହେବ ୨୧ ହଜାର କୋଟି ଟଙ୍କା। ଏହି ସ˚କ୍ରାନ୍ତରେ ସୁଧାକର ଏବ˚ ବୈଶାଳୀ ନାମକ ଏକ ଅନାମଧେୟ ଦ˚ପତିଙ୍କୁ ଗିରଫ କରାଯାଇଛି। ଅପର ପକ୍ଷରେ ‘କ୍ରୁଜ୍‌ ଲାଇନର‌୍‌’ରୁ ଜବତ ହୋଇଥିବା ନିଶା ଦ୍ରବ୍ୟର ପରିମାଣ ଏହିଭଳି: ୧୩ ଗ୍ରାମ୍‌ କୋକେନ୍‌, ୨୧ ଗ୍ରାମ୍‌ ଚରସ୍‌, ୫ ଗ୍ରାମ୍‌ ଏମ୍‌.ଡି ଏବ˚ ୨୨ଟି ଏମ୍‌.ଡି.ଏମ୍‌.ଏ. ବଟିକା। ଏହା ବ୍ୟତୀତ ଏହି ସବୁ ନିଶା ଦ୍ରବ୍ୟର ମଣିଷ ଉପରେ ପ୍ରଭାବ ଦୃଷ୍ଟିରୁ ଏତିକି କୁହାଯାଇପାରେ ଯେ ‘କ୍ରୁଜ୍‌ ଲାଇନର‌୍‌’ରୁ ଜବତ ହୋଇଥିବା ଡ୍ରଗ୍‌ସ ତୁଳନାରେ ହେରୋଇନ୍‌ର ତୀବ୍ରତା ଅନେକ ଗୁଣରେ ଅଧିକ ଏବ˚ ଏହାର ଥରଟିଏ ସେବନ ଜଣକୁ ଏହାର ଅଲ˚ଘ୍ୟ ଆସକ୍ତିର ଦାସରେ ପରିଣତ କରିବାକୁ ଯଥେଷ୍ଟ। କେବଳ ସେତିକି ନୁହେଁ, ଏକ ବିଶେଷଜ୍ଞ ହିସାବ କହିଥାଏ ଯେ ଯେତିକି ପରିମାଣର ହେରୋଇନ୍‌ ମୁନ୍ଦ୍ରା ବନ୍ଦରରେ ଜବତ ହୋଇଛି, ତାହା ପ୍ରାୟ ୭୫ ଲକ୍ଷ ଭାରତୀୟଙ୍କୁ ସ˚ପୂର୍ଣ୍ଣ ନିଶାଗ୍ରସ୍ତ କରି ରଖିବାକୁ ସମର୍ଥ।

ସୁତରା˚, ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ସମ୍ବାଦ ଗଣମାଧୢମ ପକ୍ଷରୁ ମାତ୍ର ଦିନେ ଦୁଇ ଦିନ ମଧୢରେ ପ୍ରାୟ ଅଦୃଶ୍ୟ ହୋଇଗଲା କାହିଁକି? ତେବେ, ଏହାର ଉତ୍ତର କ’ଣ, ତାହା ସମ୍ଭବତଃ ଏହି ସ୍ତମ୍ଭର ଅଧିକା˚ଶ ପାଠକ-ପାଠିକା ମୂଳରୁ ଠଉରାଇ ସାରିଥିବେ; ଯାହା ହେଲା ‘କ୍ରୁଜ୍‌ ଲାଇନର୍‌’ ଘଟଣାଟି ଯେଉଁ ଉଜ୍ଜ୍ବଳ ତାରକା ଆଲୋକ ଦ୍ବାରା ଉଦ୍‌ଭାସିତ ହୋଇଥିଲା, ତାହା ପଣ୍ୟବାହୀ ଜାହାଜ ଉପରେ ପଡ଼ିବାର କୌଣସି କାରଣ ବା ସମ୍ଭାବନା ନ ଥିଲା। ତେଣୁ ଏହା ମଧୢ କୁହାଯାଇପାରେ ଯେ ସେହି ‘କ୍ରୁଜ୍‌ ଲାଇନର୍‌’ରେ ଯଦି ବଲିଉଡ୍ ସୁପର‌୍‌ ଷ୍ଟାର‌୍‌ ଶାହରୁଖ ଖାଁଙ୍କ ପୁତ୍ର ଆରୟନ୍‌ ଖାଁ ଉପସ୍ଥିତ ନ ଥାଆନ୍ତେ, ତେବେ ଏହି ସମ୍ବାଦଟି ଭାରତର ସମସ୍ତ ଗଣମାଧୢମକୁ ଏଭଳି ମୋହାଚ୍ଛନ୍ନ କରି ରଖନ୍ତା ନାହିଁ; ଯେଉଁ ସ୍ଥିତିରେ ପ୍ରାୟ କୋଡ଼ିଏ ଦିନରୁ ଅଧିକ କାଳ ରାଷ୍ଟ୍ର ସକାଶେ ଗୁରୁତ୍ବପୂର୍ଣ୍ଣ ଅନେକ ସ˚ଦର୍ଭକୁ ଭାରତୀୟ ଗଣମାଧୢମ ସ˚ପୂର୍ଣ୍ଣ ପାଶୋରି ଯାଇଥିଲା। କେବଳ ସେତିକି ନୁହେଁ, ଦେଖିବାକୁ ମିଳିଛି ଯେ ଏହି ଘଟଣାକୁ ନେଇ ସୃଷ୍ଟ ସମ୍ବାଦ-ବିସମ୍ବାଦର ଉତ୍ତାଳ ତରଙ୍ଗରେ ରାଜନୈତିକ ଅଭିସନ୍ଧି, ସରକାରୀ ଅଧିକାରୀଙ୍କ ଦୁର୍ନୀତି, କ୍ଷମତାର ଅପବ୍ୟବହାର, ସରକାରୀ ଅଫିସରଙ୍କ ତାରକାରେ ପରିଣତ ହେବାର ଦୁର୍ବାର କ୍ଷୁଧା ଇଦ୍ୟାଦି ନେଇ ସନ୍ଦେହ ଏବ˚ ଧାରଣାମାନ ଭାସି ବୁଲିବାରେ ଲାଗିଛନ୍ତି। ସ˚ପ୍ରତି ଏହା କାହାକୁ ଅଛପା ନାହିଁ ଯେ ଆରୟନ୍‌ଙ୍କୁ ଗିରଫ କରିଥିବା ଏନ୍‌.ସି.ବି.(ନାର୍କୋଟିକ୍‌ କ˚ଟ୍ରୋଲ ବ୍ୟୁରୋ)ର ଜୋନାଲ ଡାଇରେକ୍ଟର ସମୀର ଵାଙ୍ଖଡ଼େ ତାଙ୍କର ସାଧୁତା ଏବ˚ ଦକ୍ଷତାର ଖ୍ୟାତି ସତ୍ତ୍ବେ ଏବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ; ଯେଉଁଠି ସେ ସ୍ବୟ˚ ଦୁର୍ନୀତିଗ୍ରସ୍ତ ହୋଇଥିବାର ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସମୀର ଵାଙ୍ଖଡ଼େଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିଥିବା ବ୍ୟକ୍ତିବିଶେଷଙ୍କ ମତରେ ସେ ସର୍ବଦା ଗଣମାଧୢମର ଶିରୋନାମା ମଣ୍ତନ କରିବାର ଲାଳସା ଧାରଣ କରିଥାଆନ୍ତି, ଯେଉଁ କାରଣରୁ ବଲିଉଡ୍‌ ତାଙ୍କର ପ୍ରିୟ ଶିକାର ସ୍ଥଳୀରେ ପରିଣତ ହୋଇଛି। ସମ୍ଭବତଃ ଜଣେ ତାରକା ଅଫିସର ହେବାର ନିଶା ତାଙ୍କୁ ରିଆ ଚକ୍ରବର୍ତ୍ତୀ (ସୁଶାନ୍ତ ସି˚ହ ରାଜପୁତ ଅପମୃତ୍ୟୁ ମାମଲାରେ) ବା ଆରୟନ୍‌ ଖାଁଙ୍କ ଉପରେ ଅଯଥା କଠୋରତା ପ୍ରଦର୍ଶନ କରିବାକୁ ପ୍ରରୋଚିତ କରିଛି! ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଣ୍ୟବାହୀ ଜାହାଜ ଘଟଣାଟି ମଧୢ ଏକ ତାରକା-ମୂଲ୍ୟ ଲାଭ କରିଥାଆନ୍ତା, ଯଦି ବନ୍ଦରର ସ୍ବତ୍ବାଧିକାରୀ ଆଦାନୀଙ୍କ ସହିତ ଏହି କାରବାରର ଲେଶମାତ୍ର ସ˚ପୃକ୍ତିର ଆଭାସ ଥାଆନ୍ତା। ଗୋଟିଏ ଗଣମାଧୢମ ଗୋଷ୍ଠୀ ତାହା ପ୍ରମାଣ କରିବାର ପ୍ରୟାସରେ ଥିଲେ ମଧୢ। କିନ୍ତୁ, ଏହାର ଅଣୁ ମାତ୍ର ସମ୍ଭାବନା ନ ଥିବା କାରଣରୁ ସମ୍ବାଦଟି ବିସ୍ଫୋରକ ହୋଇ ପାରିଲା ନାହିଁ।

ଏହି ପରିପ୍ରେକ୍ଷୀରେ ଏହା କହିଲେ ଭୁଲ୍‌ ହେବନାହିଁ ଯେ ଯେଉଁ ସତ୍ୟଗୁଡ଼ିକ ଗଣମାଧୢମର ଚୁମ୍ବକୀୟ କ୍ଷେତ୍ରରେ ରହି କ˚ପନ ସୃଷ୍ଟି କରିବା କଥା, ରହୁନାହାନ୍ତି; ଯଦି ରହୁଥାଆନ୍ତେ, ତାହା ହେଲେ ଆଫଗାନିସ୍ତାନରୁ ଆସି ଦିଲ୍ଲୀ ଅଭିମୁଖେ ଚାଲାଣ ହେବା ଲାଗି ଉଦ୍ଦିଷ୍ଟ ୩୦୦୦ କିଲୋଗ୍ରାମ୍‌ ଓଜନର ହେରୋଇନ୍‌ ଜବତ ହେବା ଭଳି ଘଟଣା ତୁରନ୍ତ ଏକ ଅପ୍ରସଙ୍ଗରେ ପରିଣତ ହୋଇ ନ ଥାଆନ୍ତା କି ‘ନିଶା-ଆତଙ୍କବାଦ’ର ଏକ ଅ˚ଶ ଭାବେ ଭାରତର ଯୁବକମାନଙ୍କୁ ଅନ୍ତଃସାରଶୂନ୍ୟ କରିବାର ଏଭଳି ସନ୍ଦିଗ୍‌ଧ ଓ ଅତ୍ୟନ୍ତ ଘାତକ ଉଦ୍ୟମ ଏକ ସାମୂହିକ ନଜର ଅନ୍ଦାଜର ଶିକାର ହୋଇ ନ ଥାଆନ୍ତା। ନୋବେଲ ପୁରସ୍କାର ବିଜେତା ରୁଷୀୟ କବି ଜୋସେଫ ବ୍ରଡସ୍କି ଥରେ କହିଥିଲେ ଯେ ସତ୍ୟବାହୀ ଗୋଟିଏ ଶବ୍ଦର ଓଜନ ଏ ପୃଥିବୀର ଓଜନ ଠାରୁ ମଧ୍ୟ ଅଧିକ। କିନ୍ତୁ ମୂଳ କଥା ହେଲା ସତ୍ୟ, ଅର୍ଧ-ସତ୍ୟ, ଉପ-ସତ୍ୟ, ଗୌଣ-ସତ୍ୟ, ପ୍ରତୀତ-ସତ୍ୟ ଇତ୍ୟାଦିର ଅରଣ୍ୟରୁ ସେହି ସର୍ବାଧିକ ଓଜନବାହୀ ସତ୍ୟକୁ ବାଛି ପାରିବାର ଦକ୍ଷତା। ଯେଉଁ ଗଣମାଧୢମ ଏଥିରେ ସଫଳ ହେବ, ତାହା ଅଯଥା ହଟଚମଟ ସୃଷ୍ଟି ନ କରି ପୃଥିବୀକୁ ନିରବରେ ବଦଳାଇବାର ଉଦ୍ୟମ କରିବ। ତାହା ହେଲେ ତାରକାର ଭ୍ରମ ସୃଷ୍ଟିକାରୀ ଉଲ୍‌କାମାନ ଅପସରି ଯିବେ ଏବ˚ ଧ୍ରୁବତାରାମାନେ ନିରବଚ୍ଛିନ୍ନ ଆଲୋକ ପ୍ରଦାନ କରି ଦିଗବାରେଣୀରେ ପରିଣତ ହେବେ।

ସମ୍ବନ୍ଧିତ ଖବର