ଏହା ଜଣାଶୁଣା ଯେ ସାମ୍ୟବାଦର ପ୍ରବର୍ତ୍ତକ କାର୍ଲ ମାର୍କ୍ସଙ୍କ ରାଜନୈତିକ ଓ ଅର୍ଥନୈତିକ ତତ୍ତ୍ବର କେନ୍ଦ୍ରସ୍ଥଳୀରେ ଯାହା ବିଦ୍ୟମାନ ଥାଏ, ତାହା ହେଉଛି ଶ୍ରମିକ ଓ ତା’ର ଶ୍ରମ ଶକ୍ତି। ଶ୍ରମିକ ଓ ମାଲିକ ବା ପୁଞ୍ଜିପତି ମଧ୍ୟରେ ସଂଘାତ ହେଉଛି ମାର୍କ୍ସବାଦୀ ଅର୍ଥନୀତି ଓ ରାଜନୀତିର ମୌଳିକ ପରିଚୟ। ଯାହା କିନ୍ତୁ ବିଶେଷ ଆଲୋଚିତ ହୋଇ ନ ଥାଏ ଓ ତେଣୁ ବିଶେଷ ଜଣାଶୁଣା ନୁହେଁ, ତାହା ହେଉଛି ମାର୍କ୍ସଙ୍କ ତତ୍ତ୍ବରେ ଶ୍ରମ ବହନ କରୁଥିବା ଏକ ଶକ୍ତିଶାଳୀ ଦାର୍ଶନିକ ଦିଗ।
ତାଙ୍କର ସମସାମୟିକ, କିନ୍ତୁ ବୟସରେ ତାଙ୍କ ଠାରୁ ଚଉଦ ବର୍ଷ ବଡ଼, ତାଙ୍କରି ଦେଶ ଜର୍ମାନୀର ବିଶିଷ୍ଟ ଦାର୍ଶନିକ ଲୁଡ୍ୱିଗ୍ ଫୁଏର୍ବାକ୍ଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଏସେନ୍ସ ଅଫ୍ କ୍ରିଶ୍ଚିଆନିଟି’ (‘ଖ୍ରୀଷ୍ଟଧର୍ମର ସାରମର୍ମ’) ବହନ କରୁଥିବା ‘ବିଚ୍ଛିନ୍ନାବସ୍ଥା’ ବା ‘ଏଲିଏନେସନ୍’ ସମ୍ବନ୍ଧିତ ଏକ ଧାରଣା (ମନୁଷ୍ୟ ଯେଉଁ ଈଶ୍ବରଙ୍କୁ ଉପାସନା କରିଥାଏ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ତା’ର ନିଜର ବିଚ୍ଛିନ୍ନ ଆତ୍ମସତ୍ତା ମାତ୍ର) ଦ୍ବାରା ପ୍ରଭାବିତ ହୋଇ ଯୁବକ ମାର୍କ୍ସ ନିଜର ୧୮୪୪ର ରଚନା ‘ଇକନୋମିକ୍ ଆଣ୍ଡ୍ ଫିଲସଫିକାଲ୍ ମାନୁସ୍କ୍ରିପ୍ଟସ’ରେ ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ ଶ୍ରମିକମାନେ କିପରି ଏଇଭଳି ଚ୍ଛିନ୍ନମୂଳ ଅବସ୍ଥାରେ କାଳାତିପାତ କରିଥା’ନ୍ତି, ତାହାର ବ୍ୟାଖ୍ୟାନ କରିଥିଲେ।
ମାର୍କ୍ସ ସେଥିରେ କହିଥିଲେ, ‘ପୁଞ୍ଜିବାଦୀ ବ୍ୟବସ୍ଥାରେ ଶ୍ରମିକମାନେ ଚାରି ପ୍ରକାରର ବିଚ୍ଛିନ୍ନୀକରଣର ଶିକାର ହୋଇଥା’ନ୍ତି। ସେମାନେ ଉତ୍ପାଦନ କରୁଥିବା ଦ୍ରବ୍ୟ ତାଙ୍କର ହୋଇ ନ ଥାଏ, ତେଣୁ ସେମାନେ ସେଥିରୁ ବିଚ୍ଛିନ୍ନ ହୋଇଥା’ନ୍ତି; ସେମାନଙ୍କ କାର୍ଯ୍ୟ କଠିନ ଓ ଅସୁଖକର ହୋଇଥିବାରୁ କାର୍ଯ୍ୟ-ସମ୍ପାଦନ-ଜନିତ ସନ୍ତୋଷ ଲାଭରୁ ସେମାନେ ବିଚ୍ଛିନ୍ନ ହୋଇଥା’ନ୍ତି; ଯେହେତୁ ସେମାନେ ମାଲିକ ପାଇଁ ନିଜର ସ୍ବାଭାବିକ ଶକ୍ତି ଅର୍ଥାତ୍ ଶ୍ରମ ଶକ୍ତିର ଉପଯୋଗ କରିଥା’ନ୍ତି, ସେମାନେ ତେଣୁ ନିଜ ପାଇଁ ନିଜ ଶକ୍ତିର ଉପଯୋଗ ଠାରୁ ବିଚ୍ଛିନ୍ନ ହୋଇଥା’ନ୍ତି; ଏବଂ ଚତୁର୍ଥରେ, ଯେହେତୁ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସେମାନଙ୍କ ସମ୍ପର୍କ ପାରସ୍ପରିକ ଆଦାନପ୍ରଦାନ ଉପରେ ପ୍ରତିଷ୍ଠିତ ନ ହୋଇ ହିସାବ ଭିତ୍ତିକ ଦେଣ-ନେଣ ଉପରେ ପ୍ରତିଷ୍ଠିତ ହୋଇଥାଏ, ଏହି ଶ୍ରମିକମାନେ ତେଣୁ ଅନ୍ୟ ଲୋକମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଥା’ନ୍ତି।
ଲକ୍ଷ୍ୟ କରିବା କଥା ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ ଶ୍ରମିକମାନେ ଏ ଯେଉଁ ବିଚ୍ଛିନ୍ନାବସ୍ଥାର ସମ୍ମୁଖୀନ ହୋଇଥା’ନ୍ତି, ତାହାର ଜନ୍ମଦାତା ହେଉଛନ୍ତି ସେମାନେ ନିଜେ ହିଁ- ଶ୍ରମିକମାନେ ହିଁ ଶ୍ରମଦାନ କରି ପୁଞ୍ଜିବାଦକୁ ଜନ୍ମ ଦେଇଥା’ନ୍ତି, ଯାହା ସେମାନଙ୍କୁ ଶୋଷଣ କରିବାରେ ଲାଗେ, ଯେମିତି ମେରୀ ସେଲିଙ୍କ ପ୍ରସିଦ୍ଧ କାହାଣୀରେ ଡକ୍ଟର୍ ଫ୍ରାଙ୍କେନ୍ଷ୍ଟାଇନ୍ ସୃଷ୍ଟି କରିଥିବା ରାକ୍ଷସ ତା’ର ସମସ୍ତ କ୍ରୋଧ ତା’ର ସୃଷ୍ଟିକର୍ତ୍ତାଙ୍କ ଉପରେ ଶୁଝାଇବାକୁ ଲାଗିପଡ଼ିଥାଏ। ମାର୍କ୍ସ ବର୍ଣ୍ଣନା କରିଥିବା ଏହି ଆତ୍ମସୃଷ୍ଟ ବିଚ୍ଛିନ୍ନାବସ୍ଥା (ଏଲିଏନେସନ୍) ପରବର୍ତ୍ତୀ ସମୟରେ ଆଧୁନିକ ମନୁଷ୍ୟ ସମ୍ମୁଖୀନ ହୋଇଥିବା ଏକ ପ୍ରଧାନ ଅସ୍ତିତ୍ବ ସଂକଟ ରୂପେ ଦାର୍ଶନିକ, ମନସ୍ତତ୍ତ୍ବବିତ୍ ଓ ସମାଜତତ୍ତ୍ବବିତ୍ମାନଙ୍କ ଦ୍ବାରା ବିବେଚିତ ହୋଇ ଆସିଛି।
ଉପର ଠାଉରିଆ ଭାବରେ ଦେଖିଲେ, ବିଚ୍ଛିନ୍ନାବସ୍ଥା ଏକ ବ୍ୟକ୍ତିଗତ ଅସ୍ବସ୍ତି ଭାବ, ସମ୍ପର୍କହୀନତା କିମ୍ବା ନିର୍ବାସନବୋଧକୁ ସୂଚାଇ ଥାଏ। କିନ୍ତୁ ଏକ ଗଭୀର ଦୃଷ୍ଟିରେ ଦେଖିଲେ ଏହା ଏପରି ଏକ ଢାଞ୍ଚାକୁ ବୁଝାଇଥାଏ ଯେଉଁଥିରେ ବ୍ୟକ୍ତି ନିଜକୁ ତା’ର ସାମାଜିକ ଓ ଆଧ୍ୟାତ୍ମିକ ପରିବେଶର ଏକ ସ୍ବାଭାବିକ ଅଂଶ ରୂପେ ଦେଖିପାରି ନ ଥାଏ।
ମାର୍କ୍ସ ଯଦି ବର୍ତ୍ତମାନ ଜୀବିତ ଥା’ନ୍ତେ, ସେ ଏହି ବିଚ୍ଛିନ୍ନୀକରଣର ଏକ ପଞ୍ଚମ କିସମ ଦେଖିବାକୁ ପାଇଥା’ନ୍ତେ, ଯାହା ଅନ୍ୟ ଚାରି କିସମ ଭଳି ଶ୍ରମିକମାନଙ୍କ ଦ୍ବାରା ଆତ୍ମ-ସୃଷ୍ଟ ନ ହୋଇ ଏକ ବାହ୍ୟ ଅନୁପ୍ରବେଶକାରୀ ଦ୍ବାରା ସ˚ଘଟିତ ହୋଇଥାଏ। ଏହି ଅନୁପ୍ରବେଶକାରୀଟି ହେଉଛି ବର୍ଷାଧିକ କାଳ ସାରା ପୃଥିବୀକୁ ଏକ ଭୟାନକ ପାଣ୍ତେମିକ୍ କବଳରେ ପକାଇଥିବା ଚୀନା କରୋନା ଭାଇରସ୍। ମାର୍କ୍ସଙ୍କ ସମୟର ଶ୍ରମିକମାନଙ୍କର କର୍ମ ସ୍ଥଳୀ ଥିଲା କୌଣସି କାରଖାନା କିମ୍ବା କାର୍ଯ୍ୟାଳୟ। ସେଠାରେ ସେମାନେ ଉପରୋକ୍ତ ଚତୁର୍ବିଧ ବିଚ୍ଛିନ୍ନୀକରଣର ସମ୍ମୁଖୀନ ହେଉଥିଲେ ହେଁ ସେଠାରେ ସେମାନଙ୍କ ପାଇଁ ଯାହା ତଥାପି ଅଛିନ୍ନ ହୋଇ ରହୁଥିଲା, ତାହା ହେଲା ପରସ୍ପର ମଧୢରେ ସାନ୍ନିଧୢ ଓ ପରିଚାଳକଙ୍କ ସହିତ ସାନ୍ନିଧୢ। ଚୀନା କରୋନା କିପରି ଏହି ସାନ୍ନିଧୢକୁ ଛିନ୍ନ କରି ଏକ ପଞ୍ଚମ କିସମର ବିଚ୍ଛିନ୍ନୀକରଣକୁ ଜନ୍ମ ଦେଇଛି, ତାହା ଏବେ ଏପରି ସୁପରିଚିତ ଯେ ସେ ସମ୍ବନ୍ଧରେ ଅଧିକ କହିବା ନିଷ୍ପ୍ରୟୋଜନ ମନେହୁଏ।
ଏକବି˚ଶ ଶତାବ୍ଦୀର ବର୍ତ୍ତମାନ ସମୟରେ ଆଇଟିରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରମାନଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ‘ଶ୍ରମିକ’ମାନେ ଦୀର୍ଘ ଦିନ ହେଲା ଏ ଯେଉଁ ସାନ୍ନିଧୢ-ଚ୍ଛିନ୍ନ ଅବସ୍ଥା ଦେଇ ଗତି କରି ଆସୁଛନ୍ତି, ତାହାର ସୁପରିଚିତ ନାମ ହେଉଛି- ‘ଵାର୍କ ଫ୍ରମ୍ ହୋମ୍’ ବା ‘ଘରେ ରହି କାମ’। ଏହାର ଅନ୍ୟ ନାମ ହେଉଛି- ‘ରିମୋଟ୍ ଵାର୍କ୍’ ବା ‘ଦୂରରେ ଥାଇ କାମ’। ଏହି ବ୍ୟବସ୍ଥାରେ ସ˚କ୍ରମଣ ଏଡ଼ାଇବା ଉଦ୍ଦେଶ୍ୟରେ କର୍ମଚାରୀମାନେ ଆଉ ପୂର୍ବ ଭଳି ଏକ କାର୍ଯ୍ୟାଳୟକୁ ଆସିବା ପରିବର୍ତ୍ତେ ନିଜ ନିଜର ବାସସ୍ଥାନରେ ରହି ଟେଲିକମ୍ ମାଧୢମରେ ପରସ୍ପର ମଧୢରେ ଯୋଗାଯୋଗ ସ୍ଥାପନ କରି ନିଜ ନିଜର କାର୍ଯ୍ୟ ସମ୍ପାଦନ କରିଚାଲିଛନ୍ତି।
କରୋନା ଭୟରେ ଏଭଳି ସାନ୍ନିଧୢହୀନ କର୍ମ ସମ୍ପାଦନ ବ୍ୟବସ୍ଥାର ଆବିର୍ଭାବ ଘଟିଥିଲେ ହେଁ ଏଥିରୁ ଉପଲବ୍ଧ କେତେକ ଅପ୍ରତ୍ୟାଶିତ ସୁଫଳ ଯୋଗୁଁ କରୋନା ଥମିବା ପରେ ମଧୢ କେତେକ ସ˚ସ୍ଥା ଏହି ବ୍ୟବସ୍ଥା ବଳବତ୍ତର ରଖିବାକୁ ଚାହିଁବା ଦେଖା ଗଲାଣି। ଉଦାହରଣ ସ୍ବରୂପ ଏଥିରେ କାର୍ଯ୍ୟାଳୟ ଚଳାଇବା ବାବଦ ଖର୍ଚ୍ଚ ଆଉ ବହନ କରିବାକୁ ପଡ଼ି ନ ଥାଏ; କର୍ମଚାରୀମାନଙ୍କର ଦୈନନ୍ଦିନ ଯାତାୟାତଜନିତ ଖର୍ଚ୍ଚ ଓ ଅସୁବିଧାମାନ ବିଦାୟ ନେଇଥା’ନ୍ତି, ଇତ୍ୟାଦି। କିନ୍ତୁ ସ୍ବଳ୍ପକାଳୀନ ଭିତ୍ତିରେ ଏହି ସୁଫଳମାନ ଲୋଭନୀୟ ମନେ ହେଉଥିଲେ ହେଁ, ସାନ୍ନିଧୢହୀନ କର୍ମ ସମ୍ପାଦନ ବ୍ୟବସ୍ଥାରୁ ସୃଷ୍ଟି ହେଉଥିବା ବିଚ୍ଛିନ୍ନୀକରଣ ଦୀର୍ଘକାଳୀନ ସୂତ୍ରରେ ଯେ ମହଙ୍ଗା ସାବ୍ୟସ୍ତ ହୋଇ ପାରେ, ତାହା ‘ନେଚର୍ ହ୍ୟୁମାନ୍ ବିହେଭିଅର୍’ ନାମକ ଏକ ଅପେକ୍ଷାକୃତ ନୂତନ କିନ୍ତୁ ମର୍ଯ୍ୟାଦାଜନକ ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ଅନୁଶୀଳନରୁ ଜଣାପଡ଼ିଛି।
୨୦୧୯-୨୦ରେ ‘ମାଇକ୍ରୋସଫ୍ଟ’ର ୬୦,୦୦୦ କର୍ମଚାରୀଙ୍କର ‘ରିମୋଟ୍ ଵାର୍କ୍’ର ଅନୁଶୀଳନ କରି ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ‘ରିମୋଟ୍ ଵାର୍କ୍’ ଯୋଗୁଁ କର୍ମଚାରୀମାନଙ୍କ ମଧୢରେ ସହଯୋଗେର ଅଧିକ ନିବୁଜତା ଓ ସ୍ଥାଣୁତା ଦେଖା ଯାଇଥିଲା। ସେମାନେ କେବଳ ନିଜର ଅନ୍ତରଙ୍ଗ ସହକର୍ମୀମାନଙ୍କ ସହିତ ଭାବର ଆଦାନପ୍ରଦାନକୁ ସୀମିତ ରଖିବା ଦ୍ବାରା ନୂତନ ଚିନ୍ତାଧାରା ବା ‘ଇନୋଭେସନ୍’ର ପ୍ରସାର ବାଧା ପାଇଥିଲା। ଏକ କାର୍ଯ୍ୟାଳୟ ପରିସରରେ ଭାବର ଆଦାନପ୍ରଦାନ ଯେଉଁଭଳି ସାବଲୀଳ ଓ ଚଳଚଞ୍ଚଳ ହୋଇଥାଏ ଏବ˚ ପରିଚାଳକମାନେ ସମସ୍ୟା ଓ ସମାଧାନ ସହିତ ଯେଉଁଭଳି ତତ୍କ୍ଷଣାତ୍ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇଥା’ନ୍ତି, ଦୂରରେ ଥାଇ କାର୍ଯ୍ୟ ବ୍ୟବସ୍ଥାରେ ତାହା ସମ୍ଭବ ହୋଇ ନଥାଏ। ଅନ୍ୟ ଭାବରେ କହିଲେ, ଛିନ୍ନମୂଳ ‘ଶ୍ରମିକ’ମାନେ ନିଜକୁ କାର୍ଯ୍ୟାଳୟ ପରିବେଶର ଏକ ଅ˚ଶ ରୂପେ ବିଚାର କରନ୍ତି ନାହିଁ, ଯାହା ସେମାନଙ୍କ ଉତ୍ପାଦନଶୀଳତାକୁ ପ୍ରଭାବିତ କରିଥାଏ। ଏହି କାରଣରୁ ଭାରତରେ ‘ଟିସିଏସ୍’ରୁ ‘ଵିପ୍ରୋ’ ପର୍ଯ୍ୟନ୍ତ, ‘ଡେଲଏଟ୍’ରୁ ‘ଆକ୍ସିସ୍ ବ୍ୟାଙ୍କ୍’ ପର୍ଯ୍ୟନ୍ତ ବର୍ଷ ଶେଷ ବେଳକୁ ସେମାନଙ୍କର ପ୍ରାୟ ୯୦ ଶତା˚ଶ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଫେରାଇ ଆଣିବା ପାଇଁ ଯୋଜନା ରଖିଛନ୍ତି ବୋଲି ଘୋଷଣା କରିବା ଦେଖାଗଲାଣି। କରୋନା ଯୋଗୁଁ ଚେର ଛିଣ୍ତି ଯାଇଥିବା କର୍ମଚାରୀମାନଙ୍କୁ ପୁଣି କାର୍ଯ୍ୟାଳୟରେ ରୋପଣ କରିବା ଦ୍ବାରା ଏହି ପଞ୍ଚମ କିସମର ‘ଏଲିଏନେସନ୍’କୁ ଦୂର କରାଯାଇ ପାରିବ ବୋଲି ସେମାନେ ଆଶା କରୁଛନ୍ତି।