ନ୍ୟାୟୋଚିତ ଚୟନ

ଏକ ଗଣତନ୍ତ୍ରରେ ଏକ ଆଦର୍ଶ ନ୍ୟାୟପାଳିକାରେ କେଉଁମାନେ ବିଚାରପତି ଆସନ ଅଳଙ୍କୃତ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ? ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ଯଦି ପୃଥିବୀର ପ୍ରାଚୀନତମ ଗଣତନ୍ତ୍ରର ସାହାଯ୍ୟ ନେଉ, ତେବେ ଏପରି ଏକ ଚିତ୍ର ଆମ ଦୃଷ୍ଟି ସମ୍ମୁଖକୁ ଆସେ, ଯାହା ଯେତିକି ଯୁକ୍ତିସମ୍ମତ ସେତିକି ଅସ୍ବାଭାବିକ ମନେ ହେବ। ପୃଥିବୀ ଇତିହାସରେ ଏହି ସର୍ବପ୍ରଥମ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ଖ୍ରୀ.ପୂ. ୫୦୭ରେ ଗ୍ରୀସ୍‌ର ଏଥେନ୍‌ସ ନଗରୀରେ।

ପ୍ରାଚୀନ ଗ୍ରୀକ୍ ଐତିହାସିକ ହେରୋଡଟସ୍‌ଙ୍କ ଭାଷାରେ ଯାହା ହେଉଛି ଗଣତନ୍ତ୍ରର ସର୍ବାଧିକ ଚମତ୍କାର ଚରିତ୍ର, ତାହା ହେଲା ‘ଆଇନ ଆଗରେ ସମାନତା’। କିନ୍ତୁ ହେରୋଡଟସ୍‌ ଯେଉଁ ସମାନତାର ଏଭଳି ଗୁଣଗାନ କରିଥିଲେ ତାହା ଅବଶ୍ୟ ଏଥେନ୍‌ସର ପ୍ରତ୍ୟେକ ଅଧିବାସୀଙ୍କ ପ୍ରତି ପ୍ରଯୁଜ୍ୟ ନ ଥିଲା। ଉଦାହରଣ ସ୍ବରୂପ ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀର ମଧ୍ୟ ଭାଗରେ ଏଥେନ୍‌ସର ମୋଟ ପ୍ରାୟ ୨,୬୦,୦୦୦ ଅଧିବାସୀଙ୍କ ମଧ୍ୟରୁ ୧,୫୦,୦୦୦ ଥିଲେ କ୍ରୀତଦାସ; ୧୦,୦୦୦ ଥିଲେ ବହିରାଗତ ବାସିନ୍ଦା; ଏବଂ ବିଶୁଦ୍ଧ ନାଗରିକମାନଙ୍କ ସଂଖ୍ୟା ଥିଲା ପ୍ରାୟ ୧,୦୦,୦୦୦ ମାତ୍ର। ଏଥେନ୍‌ସର ପ୍ରସିଦ୍ଧ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଏହି ତିନି ଶ୍ରେଣୀର ବାସିନ୍ଦାମାନଙ୍କ ମଧ୍ୟରୁ କେବଳ ନାଗରିକମାନେ ହିଁ ଅଂଶ ଗ୍ରହଣ କରିପାରୁଥିଲେ- କିନ୍ତୁ ସମସ୍ତ ଏକ ଲକ୍ଷ ଯାକ ନାଗରିକମାନଙ୍କ ପାଇଁ ମଧ୍ୟ ତାହା ଉନ୍ମୁକ୍ତ ନ ଥିଲା। ସେମାନଙ୍କ ମଧ୍ୟରୁ କେବଳ ୧୮ ବର୍ଷ ବୟସରୁ ଅଧିକ ହୋଇଥିବା ପୁରୁଷମାନେ ହିଁ- ଅର୍ଥାତ୍ କେବଳ ମାତ୍ର ୪୦,୦୦୦ ସରିକି ନାଗରିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ପାରୁଥିଲେ।

ସେଠାରେ ଗଣତନ୍ତ୍ରର ଯେଉଁ ତିନିଗୋଟି ମୌଳିକ ଅନୁଷ୍ଠାନ ଥିଲା, ସେଥି ମଧ୍ୟରୁ ତୃତୀୟଟି ଥିଲା ‘ଡିକାଷ୍ଟେରିଆ’ ବା ନ୍ୟାୟପାଳିକା। ଆରିଷ୍ଟୋଟ୍‌ଲଙ୍କ ମତରେ ଗ୍ରୀକ୍ ଗଣତନ୍ତ୍ରର ଶକ୍ତିର ମୁଖ୍ୟ ଆଧାର ଥିଲା ଏହି ‘ଡିକାଷ୍ଟେରିଆ’, କାରଣ ଏହାର ସଦସ୍ୟ ବିଚାରପତିମାନେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ। ଆମେ ବର୍ତ୍ତମାନ ମୂଳ ପ୍ରଶ୍ନକୁ ଫେରିଯିବା: ଏହି ବିଚାରପତିମାନଙ୍କୁ କିଭଳି ଚୟନ କରାଯାଉଥିଲା? ଏ ପ୍ରଶ୍ନର ଏକ ଆନୁଷଙ୍ଗିକ ପ୍ରଶ୍ନ ମଧ୍ୟ ପରବର୍ତ୍ତୀ ସମୟରେ ଲର୍ଡ ଆକ୍ଟନ୍‌ଙ୍କ ପ୍ରସିଦ୍ଧ ଉକ୍ତିକୁ ଅନୁସରଣ କରି ପଚରା ଯାଇପାରେ: ଏମାନଙ୍କର ଅଖଣ୍ଡ କ୍ଷମତା ଅଖଣ୍ଡ ଦୁର୍ନୀତିକୁ ଜନ୍ମ ଦେଉ ନ ଥିଲା ତ?

ଏ ଉଭୟ ପ୍ରଶ୍ନର ଉତ୍ତର ସେ ସମୟର ଏଥେନ୍‌ସର ଗଣତନ୍ତ୍ରର ପୂଜାରୀମାନେ ଗଣତନ୍ତ୍ରର ସେଇ ମହିମାରେ ସନ୍ଧାନ କରିପାରିଥିଲେ ଯାହାକୁ ହେରୋଡଟସ୍ ଏଭଳି ପ୍ରଶଂସା କରିଥିଲେ: ଆଇନର ଦୃଷ୍ଟିରେ ସମାନତା। ଏହି ନିୟମ ଅନୁସାରେ ପ୍ରତ୍ୟେକ ନାଗରିକର ବିଚାରପତି ହେବା ପାଇଁ ସମାନ ଅଧିକାର ଥାଏ। ତେଣୁ ୩୦ ବର୍ଷ ବୟସରୁ ଅଧିକ ଉପରୋକ୍ତ ସମସ୍ତ ନାଗରିକଙ୍କ ମଧ୍ୟରୁ ପ୍ରତିଦିନ ଲଟେରି ମାଧ୍ୟମରେ ପ୍ରାୟ ୫୦୦ରୁ ଅଧିକଙ୍କୁ ସେଦିନ ବିଚାରପତି ରୂପେ କାର୍ଯ୍ୟ କରିବା ପାଇଁ ଚୟନ କରାଯାଉଥିଲା। କହିବା ବାହୁଲ୍ୟ, ଏଥିରେ ଲାଞ୍ଚ ଆଦାନପ୍ରଦାନ ସ୍ବାଭାବିକ ଭାବରେ ଅସମ୍ଭବ ମଧ୍ୟ ହୋଇଥାଏ। ଏହା ଠାରୁ ଅଧିକ ଗଣତାନ୍ତ୍ରିକ ହୋଇଥିବା କୌଣସି ଅନୁଷ୍ଠାନ କଥା ଚିନ୍ତା କରାଯାଇ ପାରେ କି? କିମ୍ବା ଏହା ଠାରୁ ଅଧିକ ଉଦ୍ଭଟ ହୋଇଥିବା କୌଣସି ନ୍ୟାୟପାଳିକାର ଗଠନ କଥା ଚିନ୍ତା କରାଯାଇ ପାରେ କି?

ଭାରତ ପୃଥିବୀର ବୃହତ୍ତମ ଗଣତନ୍ତ୍ର ରୂପେ ସର୍ବଦା ଗର୍ବ କରିବା ଦେଖାଯାଇଥାଏ। ପ୍ରାଚୀନ ଏଥେନ୍‌ସର ଗଣତନ୍ତ୍ର ଭଳି, ଏଠାରେ ମଧ୍ୟ ନ୍ୟାୟପାଳିକା ହେଉଛି ଆମ ଗଣତନ୍ତ୍ରର ଶକ୍ତିର ଏକ ମୁଖ୍ୟ ଆଧାର। ଦୁର୍ଭାଗ୍ୟବଶତଃ ଆମ ଦେଶର ନ୍ୟାୟପାଳିକା କିଭଳି ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୋଷ ଦୁର୍ବଳତାମାନଙ୍କରେ ଭରପୂର, ତାହା ସର୍ବଜନବିଦିତ। ଏହା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆମ ନ୍ୟାୟପାଳିକାରେ ବିଚାରପତିମାନଙ୍କର ଚୟନ ଓ ନିଯୁକ୍ତିରେ ଅନୁସୃତ ହୋଇ ଆସୁଥିବା ପଦ୍ଧତି ହେଉଛି ଏହି ଦୁର୍ବଳତାର ଏକ ପ୍ରଧାନ କାରଣ।

ଯୁକ୍ତି ଛଳରେ କଳ୍ପନା କରାଯାଇ ପାରେ, ଏହି ଦୁର୍ବଳତା ଦୂର କରି ଏଥିରେ ଉନ୍ନତି ଆଣିବା ପାଇଁ ପୃଥିବୀର ବୃହତ୍ତମ ଗଣତନ୍ତ୍ର ସେଇ ପ୍ରାଚୀନତମ ଗଣତନ୍ତ୍ର ଅବଲମ୍ବନ କରିଥିବା ଉପରୋକ୍ତ ପଦ୍ଧତି ଅନୁସରଣ କରିବା ଉଚିତ ହୁଅନ୍ତା କି? ଏହି ଏଥେନୀୟ ପଦ୍ଧତି ସପକ୍ଷରେ କୁହାଯାଇପାରେ ଯେ ସ୍ବାଧୀନ ଭାରତର ସମ୍ବିଧାନରେ ହେରୋଡଟସ୍‌ଙ୍କ ସେଇ ଉଚ୍ଚ ଆଦର୍ଶ- ଆଇନ ଆଖିରେ ସମାନତାକୁ ଏକ ବିଶେଷ ସ୍ଥାନ ପ୍ରଦାନ କରାଯାଇ ଉପାସନା କରାଯାଉ ନାହିଁ କି? ଗୋଟିଏ ନୁହେଁ, ଦୁଇଟି ନୁହେଁ- ଧାରା ୧୪ରୁ ଧାରା ୧୬ ଯାଏଁ ସମ୍ବିଧାନର ଲାଗ ଲାଗ ତିନିଟି ଧାରାକୁ ଏହି ସମାନତା ଦେବତାଙ୍କ ଆରାଧନା ନିମିତ୍ତ ଉତ୍ସର୍ଗ କରା ଯାଇ ନାହିଁ କି? ତେଣୁ ଯଦି ପ୍ରାଚୀନ ଏଥେନ୍‌ସକୁ ଅନୁସରଣ କରାଯାଏ, ତା’ହେଲେ ଏଠାରେ ମଧ୍ୟ ଏହି ଆଦର୍ଶକୁ ବାସ୍ତବତାରେ ପରିଣତ କରିବା ପାଇଁ ଏ ଦେଶର ପ୍ରତ୍ୟେକ ନାଗରିକଙ୍କୁ କ୍ରମାନ୍ବୟରେ ବିଚାରପତି ଆସନରେ ବସିବାକୁ ଦିଆଯିବା ଉଚିତ ହେବ ନାହିଁ କି?

ଅବଶ୍ୟ ଏମିତି କେହି ପାଠକ ପାଠିକା ନ ଥିବେ, ଯାହାଙ୍କୁ ଏଭଳି ଏକ ପ୍ରସ୍ତାବ ପାଗଳର ପ୍ରଳାପ ଭଳି ମନେ ହୋଇ ନ ପାରେ। ଏ ପ୍ରସ୍ତାବର ଉଦ୍ଭଟତାର ଅନେକ କାରଣ ମଧ୍ୟରୁ ସର୍ବାଗ୍ରେ ଯାହା ଦୃଶ୍ୟମାନ ହୋଇଥାଏ, ତାହା ହେଲା- ଆମର ଶହେ କୋଟିରୁ ଅଧିକ ନାଗରିକ ସଂଖ୍ୟା। ଯଦି ଏ ପ୍ରସ୍ତାବ ଯଥାର୍ଥ ଭାବରେ ଅତ୍ୟନ୍ତ ଉଦ୍ଭଟ ଏବଂ ଏଥେନ୍‌ସ ଭଳି ଏକ କ୍ଷୁଦ୍ର ନଗରୀ-ରାଷ୍ଟ୍ରର ମଡେଲ୍ ଅନୁସରଣ କରିବା ଆମ ପକ୍ଷରେ ସମ୍ଭବ ନୁହେଁ, ତେବେ ଆମର ସର୍ବଶ୍ରେଷ୍ଠ ଦ୍ବିତୀୟ ପସନ୍ଦର ପଦ୍ଧତି କିଭଳି ହେବା ଉଚିତ ହେବ? ଏଥିରେ କେହି ବୋଧହୁଏ ଦ୍ବିମତ ହେବେ ନାହିଁ ଯେ, ବିଚାରପତି ଚୟନ ଓ ନିଯୁକ୍ତି ପଦ୍ଧତି ଏଭଳି ହେବା ଉଚିତ ଯାହା ସମ୍ପୂର୍ଣ୍ଣ ରୂପେ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଓ ଦକ୍ଷତା ଉପରେ ପ୍ରତିଷ୍ଠିତ ହେବ।

ଏଇ ଭଳି ଏକ ପଦ୍ଧତି ପ୍ରଚଳନ କରିବା ପାଇଁ ସ୍ବାଧୀନତାର ପୂର୍ବ ମୁହୂର୍ତ୍ତରେ ଭାବୀ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ବିରଳ ଦୂରଦୃଷ୍ଟିର ପରିଚୟ ଦେଇ ଉଦ୍ୟମ ମଧ୍ୟ କରିଥିଲେ। ମେଧାଭିତ୍ତିକ ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୁଲିସ୍ ସେବା ଭଳି ଏକ ମେଧାଭିତ୍ତିକ ସର୍ବଭାରତୀୟ ନ୍ୟାୟିକ ସେବା ମଧ୍ୟ ସୃଷ୍ଟି କରିବା ପାଇଁ ସେ ୧୯୪୬ରେ ତତ୍କାଳୀନ ପ୍ରାଦେଶିକ ପ୍ରଧାନମନ୍ତ୍ରୀମାନଙ୍କ ସମ୍ମିଳନୀରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଭିନ୍ନ କାରଣରୁ ଏ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲ୍‌ଙ୍କର ସେଇ ସ୍ବପ୍ନ ସ୍ବପ୍ନରେ ରହିଯାଇଛି, ଯାହାର ଆଲୋଚନା ଏଠାରେ ନିରର୍ଥକ। ସନ୍ତୋଷର କଥା ଗତ ସପ୍ତାହରେ ଏକ ସର୍ବଭାରତୀୟ ନ୍ୟାୟିକ ସେବା ପ୍ରତିଷ୍ଠା ପାଇଁ ଅନ୍ୟ ପକ୍ଷମାନଙ୍କର ସହମତି ଲୋଡ଼ିବା ସକାଶେ କେନ୍ଦ୍ର ସରକାର ଯେଉଁ ପ‌ଦକ୍ଷେପ ନେବା ସମ୍ବାଦ ପ୍ରକାଶ ପାଇଛି, ତାହା ଯଦି ବାସ୍ତବତାରେ ପରିଣତ ହୁଏ, ତେବେ ତାହା ଆମକୁ ଏଥେନ୍‌ସ ଭଳି ଏକ ବିଶୁଦ୍ଧ ଗଣତନ୍ତ୍ରରେ ପରିଣତ ନ କଲେ ମଧ୍ୟ, ବୃହତ୍ତମ ଗଣତନ୍ତ୍ରର ଏକ ବୃହତ୍ ଦୁର୍ବଳତା ଦୂର କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର