ଏଇ ଦୀପାବଳି ଉପଲକ୍ଷେ ହୋଇଥିବା କାରବାର ଗଲା ଦଶନ୍ଧିର ରେକର୍ଡ‌୍‌ ଭଙ୍ଗ କରିଛି (୧.୨ ଟ୍ରିଲିଅନ୍‌ ଟଙ୍କା) ବୋଲି ଗଣମାଧୢମରେ ପ୍ରକାଶିତ ହୋଇଛି, ଫଳରେ ଗଲା ବର୍ଷ କୋଭିଡ୍‌ ପାନ୍‌ଡେମିକ୍‌ କାରଣରୁ ରକ୍ତ-ଶୂନ୍ୟତାର ଶିକାର ହୋଇଥିବା ଏହି ବଜାରରେ ଶୋଣିତ ସ˚ଚାର ହୋଇଛି। ଏହା ସହିତ ଆଉ ଯେଉଁ ଉତ୍ସାହ ପ୍ରଦାୟୀ ଖବର ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ତିଆ ଟ୍ରେଡର୍ସ’ ବା ‘ସି.ଏ.ଆଇ.ଟି.’ ଅନୁସାରେ ଏହି ଦୀପାବଳିରେ ଚୀନ ସାମଗ୍ରୀକୁ ବ୍ୟବସାୟୀ ଗୋଷ୍ଠୀ ବର୍ଜନ କରିଥିବାରୁ ଚୀନକୁ ପ୍ରାୟ ୫୦,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ସ୍ବାଭାବିକ ଭାବେ ଏହାର ଲାଭ ଭାରତୀୟ ଉତ୍ପାଦନକାରୀ ଏବ˚ ବ୍ୟବସାୟୀମାନଙ୍କ ନିକଟକୁ ଯାଇ ‘ଆତ୍ମନିର୍ଭର ଭାରତ’ର ଲକ୍ଷ୍ୟକୁ ଚରିତାର୍ଥ କରିଛି।

Advertisment

ଉଲ୍ଲେଖନୀୟ ଯେ ୨୦୧୬ ମସିହାର ଏକ ଆକଳନ ଅନୁସାରେ ଦୀପାବଳିର ବିଶାଳ ବଜାରରେ ଚୀନ୍‌ର ଅ˚ଶ ଥିଲା ପ୍ରାୟ ୪୦ ପ୍ରତିଶତ, ଯାହା ସ୍ବାଭାବିକ ଭାବେ ଆଗକୁ ବୃଦ୍ଧି ପାଇ ଚାଲନ୍ତା, ଯଦି ୨୦୨୦ ମେ ମାସରେ ପୂର୍ବ ଲଦାଖ ଠାରେ ଚୀନ ଦ୍ବାରା ଭାରତ ସୀମା ଅତିକ୍ରମଣ କରା ଯାଇ ନ ଥା’ନ୍ତା ବା ଏକ ବିଶାଳ ସୈନ୍ୟବାହିନୀକୁ ଭାରତ ବିପକ୍ଷରେ ଦୀର୍ଘ ଛଅ ମାସ ଛିଡ଼ା କରାଇ ଭାରତର ଏକ ପରମ ଶତ୍ରୁ ଭାବେ ଆବିର୍ଭୂତ ହୋଇ ନ ଥାଆନ୍ତା। ସୁତରା˚, ଚଳିତ ଦୀପାବଳିର କାରବାରରେ ଚୀନ ସହିଥିବା କ୍ଷତି ଭାରତ ପକ୍ଷରୁ ଏକ ଯଥାର୍ଥ ଜବାବ ବୋଲି ଅପାତତଃ ମନେ ହେଉଥିଲେ ସୁଦ୍ଧା ସଦ୍ୟ ପେଣ୍ଟାଗନ୍‌ ପକ୍ଷରୁ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଏଭଳି ଧାରଣାରେ ନିହିତ ଥିବା ଏକ ଭ୍ରାନ୍ତିକୁ ଦର୍ଶାଇଥାଏ। ଏହି ରିପୋର୍ଟ ଅନୁସାରେ ସମଗ୍ର ପୃଥିବୀ ଉପରେ ଆଧିପତ୍ୟ ବିସ୍ତାର କରିବାର ଏକ ଅଲ˚ଘ୍ୟ ମହତ୍ତ୍ବାକା˚କ୍ଷାର ଅ˚ଶ ହେଉଛି ଲଦାଖ ଠାରେ ସୃଷ୍ଟ ଚରମ ଉତ୍ତେଜନା, ଯେଉଁ ମହତ୍ତ୍ବାକା˚କ୍ଷାର ଚରିତାର୍ଥ ପଥରେ ଭାରତୀୟ ବଜାରରେ ସହିଥିବା କ୍ଷତି ହୁଏ’ତ ଚୀନ୍‌କୁ ଅତ୍ୟନ୍ତ ମାମୁଲି ବୋଧ ହୋଇପାରେ। ପେଣ୍ଟାଗନ୍‌ ରିପୋର୍ଟ ଅନୁସାରେ ଚୀନ ପୋଷଣ କରିଥିବା ଏହି ଉଚ୍ଚାଭିଳାଷୀ ଲକ୍ଷ୍ୟ ହେଉଛି ୨୦୪୯ ମସିହା ସୁଦ୍ଧା ଏକ ନୂତନ ବିଶ୍ବ ବ୍ୟବସ୍ଥା ବା ‘ଵର୍ଲଡ୍‌-ଅର୍ଡର୍‌’ର ପ୍ରତିଷ୍ଠା, ଯହିଁରେ ଚୀନ ଏବ˚ ସେ ଅନୁସରଣ କରୁଥିବା ଆଦର୍ଶ ସର୍ବମାନ୍ୟତା ଲାଭ କରିବ।

‘ମିଲିଟାରି ଏଣ୍ତ୍‌ ସିକ୍ୟୁରିଟି ଡେଭଲପ୍‌ମେଣ୍ଟ୍‌ସ ଇନ୍‌ଭଲ୍‌ଭି˚ ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା’ (ଚୀନ୍‌ରେ ସାମରିକ ଓ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି) ଶୀର୍ଷକ ଏହି ୧୯୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଯେଉଁ ତିନିଟି ଚୀନା-ମହତ୍ତ୍ବାକା˚କ୍ଷାକୁ ଦର୍ଶାଇଛି, ସେଗୁଡ଼ିକ ହେଲା ୨୦୪୯ ମସିହା ସୁଦ୍ଧା ସାମରିକ ଶକ୍ତିରେ ଯୁକ୍ତରାଷ୍ଟ୍ର ଆମେରିକାକୁ ନିଷ୍ପ୍ରଭ କରିଦେବା; ଦ୍ବିତୀୟରେ ଚୀନା ଦ୍ରବ୍ୟର ରପ୍ତାନି କ୍ରମେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ନିଜ ଘରୋଇ ବଜାରରେ ସ୍ବ-ଉତ୍ପାଦିତ ଦ୍ରବ୍ୟ ଲାଗି ଅଧିକ ଚାହିଦା ସୃଷ୍ଟି କରିବା ସହିତ କେବଳ ଅତ୍ୟନ୍ତ ଉଚ୍ଚ କ୍ଷମତାସ˚ପନ୍ନ ‘ହାଇ-ଟେକ୍‌’ ଦ୍ରବ୍ୟର ଉତ୍ପାଦନ ଓ ରପ୍ତାନି ମାଧୢମରେ ବିଶ୍ବ ଯୋଗାଣ ଶୃଙ୍ଖଳରେ ଏଭଳି ଅକାଟ୍ୟ ପ୍ରଭାବ ସୃଷ୍ଟି କରିବା, ଯାହା ତା’ର ଉପସ୍ଥିତି ବା ଚାହିଦାକୁ ସର୍ବଦା ଅନିବାର୍ଯ୍ୟ କରି ରଖିବ; ଏବ˚ ତୃତୀୟରେ ନିଜ ଅନୁରକ୍ତ ରାଷ୍ଟ୍ରମାନଙ୍କର ବିକାଶରେ ସ˚ଶ୍ଳିଷ୍ଟ ରହି ପ୍ରକାରାନ୍ତରେ ସେଗୁଡ଼ିକୁ ଗୋଟିଏ ଗୋଟିଏ ଉପନିବେଶରେ ପରିଣତ କରିବା ସହିତ ସେମାନଙ୍କ ସମର୍ଥନରେ ଏଭଳି ଏକ ପ୍ରଭାବ କ୍ଷେତ୍ର ନିର୍ମାଣ କରିବା, ଯହିଁରେ ଚୀନ ଦ୍ବାରା ଅନୁସୃତ ଆଦର୍ଶ ସର୍ବୋତ୍କୃଷ୍ଟ ବୋଲି ବିବେଚିତ ହେବ। ପେଣ୍ଟାଗନ୍‌ ରିପୋର୍ଟ କହିଥାଏ ଯେ ଲଦାଖରେ ସୃଷ୍ଟ ଉତ୍ତେଜନା, ସ˚ଘର୍ଷ ଏବ˚ ଏକ ଅତ୍ୟନ୍ତ ବିଶାଳ ସେନା ପରିଚାଳନା ଇତ୍ୟାଦି ପ୍ରକୃତରେ ଥିଲା ଏକ ‘ଷ୍ଟେଜ୍‌ ରିହର୍ସଲ’, ଯାହାର ଚୀନର ଉଦ୍ଦେଶ୍ୟ ଥିଲା ଏକ ବାସ୍ତବ ସ୍ଥିତିରେ ନିଜର ସାମର୍ଥ୍ୟକୁ ପରଖିବା। ଏହି ରିହର୍ସଲ କ୍ରମରେ ଚୀନ ଦ୍ବାରା ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ବିବାଦୀୟ ଅଂଚଳରେ ୧୦୦ ଘର ବିଶିଷ୍ଟ ଗୋଟିଏ ଗ୍ରାମ ସ୍ଥାପନ କରାଯାଇଛି, ତିବ୍ବତ ଓ ଝାଙ୍ଗଜିଆଙ୍ଗ ‘ମିଲିଟାରି ଡିଷ୍ଟ୍ରିକ୍‌ଟ’ରେ ଆଉ ଏକ ବିଶାଳ ସୈନ୍ୟବାହିନୀର ବ୍ୟୂହ ରଚନା କରାଯାଇ ଆବଶ୍ୟକ ସ୍ଥଳେ ସୀମାନ୍ତରେ ଛିଡ଼ା ହୋଇ ରହିଥିବା ସୈନ୍ୟବାହିନୀକୁ ସହାୟତା ପ୍ରଦାନ ଲାଗି ପ୍ରସ୍ତୁତିର ଅଭ୍ୟାସ କରାଯାଇଛି, ଅତ୍ୟାଧୁନିକ ହେଲିକପ୍ଟର ଓ ବିମାନର ବ୍ୟବହାର ମଧୢ କରାଯାଇଛି। ପେଣ୍ଟାଗନ୍‌ ରିପୋର୍ଟରେ ଚୀନ୍‌ର ନୌ-ବଳର ଅସାମାନ୍ୟ ସାମର୍ଥ୍ୟ ବୃଦ୍ଧି ବିଷୟ ମଧୢ କୁହାଯାଇଛି। ପ୍ରକାଶ ଥାଉ କି ଇତିମଧୢରେ ଚୀନ ନୌ-ସେନା ପୃଥିବୀର ସର୍ବାଧିକ ଶକ୍ତିଶାଳୀରେ ପରିଣତ ହୋଇ ସାରିଛି। କେବଳ ସେତିକି ନୁହେଁ, କିଭଳି ଚୀନ ଯୋଜନାବଦ୍ଧ ଭାବେ ‘ସାଇବର’ ସମର-ସାମର୍ଥ୍ୟ ବା ଜୈବ-ରାସାୟନିକ ଅସ୍ତ୍ରର ବିକାଶକୁ ଅତ୍ୟନ୍ତ ଉଚ୍ଚ ସ୍ତରକୁ ନେଇଗଲାଣି; ତାହାର ଚିତ୍ର ମଧୢ ପେଣ୍ଟାଗନ୍‌ ରିପୋର୍ଟରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ ନବମ ଦଶକର ଶେଷ ଭାଗରେ ହୋଇଥିବା ଜୈବ-ରାସାୟନିକ ଅସ୍ତ୍ର ନିର୍ମାଣ ସମ୍ବନ୍ଧୀୟ ଆନ୍ତର୍ଜାତିକ ଚୁକ୍ତିକୁ ଚୀନ ଆଉ ଭ୍ରୂକ୍ଷେପ କରୁନାହିଁ, ଯହିଁରେ କୌଣସି ଜୈବ-ରାସାୟନିକ ଅସ୍ତ୍ରର ବିକାଶ ଆମେରିକାର ସ୍ବୀକୃତି ଉପରେ ନିର୍ଭରଶୀଳ ଥିଲା। ସେହିଭଳି ଆର୍ଥିକ ସହାୟତା ପ୍ରଦାନ ଆଳରେ ବିପୁଳ ଋଣ ପ୍ରଦାନ କରି ଚୀନ ଦୂର ଆଫ୍ରିକୀୟ ରାଷ୍ଟ୍ରମାନ ପର୍ଯ୍ୟନ୍ତ ପୃଥିବୀ ସାରା ଏଭଳି ଋଣଗ୍ରସ୍ତ ଉପନିବେଶମାନ ସୃଷ୍ଟି କଲାଣି, ଯେଉଁମାନେ ବଶମ୍ବଦ ରାଷ୍ଟ୍ର ଭଳି ଚୀନ ସହିତ ସ୍ବର ମିଳାଇବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଲା ଅକ୍ଟୋବର ମାସରେ ଚୀନ ପକ୍ଷରୁ ‘ହାଇବ୍ରିଡ୍‌-ହାଇପର‌୍‌ସୋନିକ୍‌’ (ଶବ୍ଦର ବେଗ ଠାରୁ ପାଞ୍ଚ ଗୁଣ ଅଧିକ ବେଗ ସ˚ପନ୍ନ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି, ଯାହା ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର, ବିଶେଷ କରି ଯୁକ୍ତରାଷ୍ଟ୍ର ଅାମେରିକା ଲାଗି ଏକ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି। କହିବା ଅନାବଶ୍ୟକ ଯେ ଏହା ଫଳରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ମଧୢ ‘ହାଇପର‌୍‌ସୋନିକ୍‌ କ୍ଷେପଣାସ୍ତ୍ର’ କ୍ଷେତ୍ରରେ ଆହୁରି ଉଚ୍ଚ ସଫଳତା ଲାଭ କରିବା ଲାଗି ଘମାଘୋଟ ଗବେଷଣା ଓ କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି। ଭାରତ ମଧୢ ଏ ପ୍ରତିଯୋଗିତାରେ ପାଦ ଦେବା ନିଶ୍ଚିତ।

ଏଥିରୁ ହୃଦ୍‌ବୋଧ ହୋଇଥାଏ ଯେ ବଳପୂର୍ବକ ଆଧିପତ୍ୟ ବିସ୍ତାର କରିବା ପାଇଁ ଚୀନ ଦ୍ବାରା ପ୍ରଦର୍ଶିତ ମନୋକାମନା ପୁନର୍ବାର ପୃଥିବୀରେ ଯୁଦ୍ଧାସ୍ତ୍ରର ପ୍ରତିଦ୍ବନ୍ଦ୍ବିତାକୁ ଶାଣିତ କରିବାକୁ ଯାଉଛି। ୨୦୪୯ ମସିହା ବେଳକୁ ଚୀନ ଦ୍ବାରା ନିଷ୍ପ୍ରଭ ଦିଶିିବାର ଲେଶ ମାତ୍ର ସମ୍ଭାବନା ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଅସହ୍ୟ ହେବା ସ୍ବାଭାବିକ। ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ଶୀତଳ ଯୁଦ୍ଧ କାଳୀନ ପୃଥିବୀରେ ସୋଭିଏତ୍‌ ରୁଷିଆ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ସାମରିକ, ଅର୍ଥନୈତିକ, ବିଜ୍ଞାନ ଏବ˚ ପ୍ରଯୁକ୍ତିଗତ ଶ୍ରେଷ୍ଠତା ପ୍ରତିପାଦନର ସଘନ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲା। ତେବେ, କ୍ରମେ ଯାହା ଅଧିକା˚ଶ ପୃଥିବୀକୁ ଆମେରିକା ସପକ୍ଷରେ ଢଳାଇଥିଲା, ତାହା ତା’ର ସାମରିକ ବା ଅର୍ଥନୈତିକ ଶକ୍ତି ନ ଥିଲା, ବର˚ ତାହା ଥିଲା ତା’ର କୋମଳ ଶକ୍ତିର ପ୍ରଭାବ। ହଲିଉଡ୍‌, ଜାଜ୍‌ ସ˚ଗୀତ, ଜିନ୍‌ସ, ବ୍ୟକ୍ତି ସ୍ବାଧୀନତାର ବିଚାର, ଏକ ମୁକ୍ତ ଗଣତନ୍ତ୍ର ଏବ˚ ‘ଲେସେ ଫେୟାର୍‌’ର ଆଦର୍ଶ ଇତ୍ୟାଦି ମାନବ ଜୀବନକୁ ଭେଦି ଯାଇ ଏଭଳି ରସାଣିତ କଲା ଯେ ଆମେରିକା ସାମାଜିକ, ସା˚ସ୍କୃତିକ ଓ ରାଜନୈତିକ ଭାବେ ଆକର୍ଷଣୀୟ ହୋଇ ଉଠିଲା। ମଣିଷର ସମସ୍ତ ସ୍ବପ୍ନ ଚରିତାର୍ଥ ହୋଇ ପାରୁଥିବା ଭଳି ଏକ ସୁବର୍ଣ୍ଣ ଭୂମିରେ ପରିଣତ ହୋଇଥିଲା ଆମେରିକା। ଚୀନ ଠାରେ ସେଭଳି କୋମଳ ଶକ୍ତି କାହିଁ? କହିବା ବାହୁଲ୍ୟ ଯେ ସି ଜିନ ପିଙ୍ଗଙ୍କ ଭଳି ଜଣେ ଏକଛତ୍ରବାଦୀ ଶାସକଙ୍କ ଖିଆଲକୁ ପୂରଣ କରିବା ଲାଗି ଏକ ଅତୃପ୍ତ ଆତ୍ମାସୁଲଭ ଆଚରଣ ପ୍ରଦର୍ଶନ କରୁଥିବା ଚୀନ ପୃଥିବୀକୁ କେବଳ ଏକ ଅଶାନ୍ତ ଗ୍ରହରେ ପରିଣତ କରିବ ସିନା, ବିଶ୍ବକୁ ନେତୃତ୍ବ ପ୍ରଦାନ କରି ପାରିବ ନାହିଁ।