ଦିଗ୍ବିଜୟୀ ଫରାସୀ ବୀର ନେପୋଲିଅନ୍ ପ୍ରୁସିଆର ଜେନା ନଗରୀକୁ ଯୁଦ୍ଧରେ ପରାସ୍ତ କରି ୧୮୦୬ ଅକ୍ଟୋବର ୧୩ ଦିନ ସେ ନଗରୀରେ ପ୍ରବେଶ କରିବା ସମୟରେ ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ହେଗେଲ୍ ଜେନା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ। ଅଶ୍ବାରୋହୀ ସମ୍ରାଟ୍ ନେପୋଲିଅନ୍ଙ୍କୁ ସେ ସ୍ବଚକ୍ଷୁରେ ଜେନା ନଗରୀରେ ପ୍ରବେଶ କରିବା ଦେଖିବା ପରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖି ସେ ଦୃଶ୍ୟର ଯେଉଁ ବର୍ଣ୍ଣନା କରିଥିଲେ ତାହାର ଯେଉଁ ଏକ ଅଂଶ ଏ ପର୍ଯ୍ୟନ୍ତ ଇତିହାସରେ କିଂବଦନ୍ତି ହୋଇ ରହିଛି, ତାହା ଏଇଭଳି: ‘‘ମୁଁ ସମ୍ରାଟ୍ଙ୍କୁ ଦେଖିଲି- ସେଇ ବିଶ୍ବ-ଆତ୍ମା- ଘୋଡ଼ା ପିଠିରେ ବସି ନଗରୀ ପରିକ୍ରମା କରିବା ଅବସ୍ଥାରେ; ଏପରି ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ଗୋଟିଏ ମାତ୍ର ଘୋଡ଼ାରେ ବସିଥିବା, କିନ୍ତୁ ସେଠାରୁ ପ୍ରସାରିତ ହୋଇ ସାରା ପୃଥିବୀରେ ପହଞ୍ଚି ତାକୁ ଶାସନ କରିବାର ଦୃଶ୍ୟ ଦେଖିବା ହେଉଛି ପ୍ରକୃତରେ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ...।’’
ହେଗେଲ୍ ଥିଲେ ଇମାନୁଏଲ୍ କାଣ୍ଟ୍ଙ୍କ ପରବର୍ତ୍ତୀ ସମୟରେ ଜର୍ମାନୀର ଶ୍ରେଷ୍ଠତମ ଦାର୍ଶନିକ। ଏଠାରେ ଇଉରୋପକୁ ସେ ସାରା ପୃଥିବୀ ରୂପେ ଦେଖିଛନ୍ତି ଏବଂ ସାରା ଇଉରୋପ ଯେ ନେପୋଲିଅନ୍ଙ୍କ ଦିଗ୍ବିଜୟ ଦ୍ବାରା ପ୍ରଭାବିତ ହୋଇଥିଲା, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ତାଙ୍କ ଭଳି ଜଣେ ମହାନ୍ ଦାର୍ଶନିକ ନେପୋଲିଅନ୍ଙ୍କ ଭଳି ଜଣେ ବିଚକ୍ଷଣ ସମର ବିଶାରଦ ତଥା ଶାସକଙ୍କୁ ସେଇ ମହାଦେଶର ଆତ୍ମା ବା ବିଶ୍ବ-ଆତ୍ମା ବୋଲି ବର୍ଣ୍ଣନା କରିବା ଯେ ନିଶ୍ଚିତ ରୂପେ ଅତିରଞ୍ଜନ ଥିଲା, ଏଥିରେ ସନ୍ଦେହ ନାହିଁ।
ବରଂ ଉଭୟ ବିଶ୍ବ-ଆତ୍ମା ଧାରଣା ଓ ଦିଗ୍ବିଜୟର ଯଥାର୍ଥ ମିଳନ ଅନୁସନ୍ଧାନ କରିବା ପାଇଁ ଦାର୍ଶନିକ ହେଗେଲ୍ ଯଦି ଇତିହାସର ପୃଷ୍ଠା ଲେଉଟାଇ ଥା’ନ୍ତେ ଏବଂ ତାଙ୍କର ଭୂଗୋଳକୁ ଇଉରୋପର ସୀମା ଅତିକ୍ରମ କରାଇ ଭାରତରେ ପହଞ୍ଚିଥା’ନ୍ତେ, ତେବେ ସେ ଅସଲ ବିଶ୍ବ-ଆତ୍ମା ଧାରଣା ସହ ସମ୍ପୃକ୍ତ ଏପରି ଜଣେ ଦିଗ୍ବିଜୟୀ ଦାର୍ଶନିକଙ୍କୁ ଭେଟିଥା’ନ୍ତେ, ଯାହାଙ୍କ ସହିତ ହେଗେଲ୍ଙ୍କ ନମସ୍ୟ ଖୋଦ୍ ଇମାନୁଏଲ୍ କାଣ୍ଟ୍ଙ୍କର ତୁଳନା ପାଶ୍ଚାତ୍ୟ ଦାର୍ଶନିକମାନେ କରି ଆସିଛନ୍ତି। ଏଥିରେ ଯେଉଁ ଏକ ପ୍ରାଚୀନ ପୁସ୍ତକ ହେଗେଲ୍ଙ୍କର ସହାୟକ ହୋଇଥା’ନ୍ତା, ତାହା ହେଉଛି ମାଧବ-ରଚିତ ‘ଶଙ୍କର ଦିଗ୍ବିଜୟ’ କିମ୍ବା ଆନନ୍ଦଗିରି-ରଚିତ ‘ଶଙ୍କର ବିଜୟ’।
ଏ ଶଙ୍କର ଅବଶ୍ୟ ହେଉଛନ୍ତି ଅଦ୍ବୈତ ବେଦାନ୍ତ ଦର୍ଶନର ମୁଖ୍ୟ ପ୍ରବର୍ତ୍ତକ, ଭାରତରେ ଚାରି ଧାମର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟ ବା ଆଦି ଗୁରୁ ଶଙ୍କର। କାଣ୍ଟ୍ ଜ୍ଞାନର ଅନୁସନ୍ଧାନକୁ ତାଙ୍କର ଦର୍ଶନର ପୁରୋଭାଗରେ ରଖି ପ୍ରସିଦ୍ଧି ଲାଭ କରିଥିଲେ। ମନୁଷ୍ୟ ତା’ର ବୋଧଶକ୍ତି ମାଧ୍ୟମରେ ଆହରଣ କରୁଥିବା ଅନୁଭୂତିକୁ ତା’ର ଜ୍ଞାନର ଆଧାର ରୂପେ କାଣ୍ଟ୍ ବିଚାର କରୁଥିଲେ। ଅର୍ଥାତ୍ ମନୁଷ୍ୟ ମସ୍ତିଷ୍କର ବୋଧଶକ୍ତି ଦ୍ବାରା ତା’ର ଜ୍ଞାନ ସମ୍ପୂର୍ଣ୍ଣ ସୀମିତ ବୋଲି କାଣ୍ଟ୍ ବିଶ୍ବାସ କରୁଥିଲେ। ମନୁଷ୍ୟର ଏହି ବୋଧ ପ୍ରକ୍ରିୟାର ଅନୁଶୀଳନ କରି କାଣ୍ଟ୍ ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ, କୌଣସି ବୋଧାତୀତ ବସ୍ତୁ ସମ୍ପର୍କରେ ଜ୍ଞାନ ଆହରଣ କରିବା କୌଣସି ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ। ଏହାର କାରଣ ହେଲା, ଯେଉଁ ବି ବସ୍ତୁ ସମ୍ପର୍କରେ ମନୁଷ୍ୟ ଜ୍ଞାନ ଆହରଣ କରିଥାଏ, ତାହା ଯେଉଁ ସମସ୍ତ ଆବରଣ ଦ୍ବାରା ଆବୃତ ହୋଇଥାଏ, ତାହା ହେଲା ବିଭିନ୍ନ ପ୍ରକାରର ସ୍ଥାନ, କାଳ ଏବଂ ବୋଧ ଶକ୍ତିର ଶ୍ରେଣୀ (କାଣ୍ଟ୍ଙ୍କ ଅନୁସାରେ ୧୨ଟି- ଯେଉଁମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି କାର୍ଯ୍ୟ-କାରଣ ସମ୍ପର୍କ) ମଧ୍ୟରୁ କୌଣସି। ତେଣୁ ଆମେ ଯାହାକୁ ବାସ୍ତବତା ରୂପେ ବିଶ୍ବାସ କରିଥାଉ, ତାହା ପ୍ରକୃତରେ ଅନ୍ତିମ ସତ୍ୟ ବା ବାସ୍ତବତା ନୁହେଁ, ତାହା ହେଉଛି ଆମର ମସ୍ତିଷ୍କ ଆମ ସମ୍ମୁଖରେ ଉପସ୍ଥାପନ କରୁଥିବା ଏହି ଛଦ୍ମବେଶଧାରୀ ଚିତ୍ର ମାନ। କାଣ୍ଟ୍ଙ୍କ ପ୍ରସିଦ୍ଧ ଉକ୍ତି ଅନୁସାରେ: ‘‘ମସ୍ତିଷ୍କ ହିଁ ପ୍ରକୃତିର ନିୟମ ପ୍ରଣୟନ କରିଥାଏ।’’ ଅର୍ଥାତ୍, ପ୍ରକୃତିର ଯେଉଁ ସବୁ ନିୟମକୁ ଆମେ ଚିରନ୍ତନ ବୋଲି ଗ୍ରହଣ କରିଥାଉ, ସେ ସବୁ ବାସ୍ତବରେ ମନୁଷ୍ୟର ମସ୍ତିଷ୍କର ବୋଧଶକ୍ତି ଉପରେ ନିର୍ଭରଶୀଳ ହୋଇଥା’ନ୍ତି। ଅନ୍ୟ ପ୍ରକାରେ କହିଲେ, ଆମେରିକୀୟ ଦାର୍ଶନିକ କ୍ଲାରେନ୍ସ ଲିୱିସ୍ଙ୍କ ଭାଷାରେ, କାଣ୍ଟ୍ ତାଙ୍କର ଦର୍ଶନ ପ୍ରକାଶ କରିବା ପରେ ଜଗତ୍ ହୋଇ ଯାଇଛି ମସ୍ତିଷ୍କାଶ୍ରୟୀ।
ଚମତ୍କୃତ ନ ହୋଇ ରହି ହୁଏ ନାହିଁ ଯେ ଅଷ୍ଟାଦଶ ଶତାବ୍ଦୀର ଏ ଯେଉଁ ଧାରଣାକୁ ପାଶ୍ଚାତ୍ୟ ଦର୍ଶନରେ ଏଭଳି ଯୁଗାନ୍ତକାରୀ ରୂପେ ବିଚାର କରା ହୋଇଥାଏ, ତାହାର ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଅଷ୍ଟମ-ନବମ ଶତାବ୍ଦୀରେ ତାହା ଭାରତରେ ଶଙ୍କରଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା (ମାକ୍ସ ମୁଲର୍ଙ୍କ ଅନୁସାରେ ଶଙ୍କରଙ୍କ ଜନ୍ମ ୭୮୮ ସାଲ ଓ ମହାପ୍ରୟାଣ ୮୨୦ ସାଲରେ ଘଟିଥିଲା)। ଶଙ୍କରଙ୍କ ଅନୁସାରେ ଆମ ଦୃଷ୍ଟିର ଏକ ଘୋର ବିକୃତି ଯୋଗୁଁ ହିଁ ଆମେ ପ୍ରକୃତରେ ଯାହା ହେଉଛି ଏକ ବା ଅଦ୍ବୈତ, ତାହାକୁ ବହୁବିଧ ରୂପରେ ଦେଖିଥାଉ। ଏକ ବିଡ଼ମ୍ବନା ସ୍ବରୂପ ଆମର ବୌଦ୍ଧିକ ଯୁକ୍ତି ବଳରେ ଆମେ ଯେଉଁ ବସ୍ତୁଗତ ଜଗତ୍କୁ ପ୍ରତ୍ୟକ୍ଷ କରିଥାଉ ବା ଅନୁଭବ କରିଥାଉ, ତାହା ପ୍ରକୃତ ସତ୍ୟ ଓ ଆମ ମଧ୍ୟରେ ଅନୁପ୍ରବେଶ କରି ଏକ ପର୍ଦ୍ଦା ସ୍ବରୂପ କାର୍ଯ୍ୟ କରିଥାଏ। ଏବେ ଯାହା ଊଣା ଅଧିକେ ସୁବିଦିତ, ଶଙ୍କରଙ୍କ ଅନୁସାରେ ଆତ୍ମା ହେଉଛି ବ୍ରହ୍ମ ଏବଂ ବ୍ରହ୍ମ ହେଉଛି ଆତ୍ମା। ଆମର ମସ୍ତିଷ୍କ ଏହି ବିଶ୍ବ-ଆତ୍ମାକୁ ବିଭାଜିତ କରିବାକୁ ଚେଷ୍ଟା କରିଥାଏ।
ମାତ୍ର ୩୨ ବର୍ଷ ବୟସରେ ସୁଦୂର ହିମାଳୟର କେଦାରନାଥ ଠାରେ ଇହଧାମ ତ୍ୟାଗ କରିଥିବା କେରଳର ଏକ ନମ୍ବୁଦିରି ବ୍ରାହ୍ମଣ ପରିବାରରେ ଜନ୍ମିତ ଶଙ୍କର ସେ ସମୟରେ କିପରି ଏକ ବୌଦ୍ଧିକ ତଥା ଆଧ୍ୟାତ୍ମିକ ଦିଗ୍ ବିଜୟରେ ବାହାରି ସାରା ଭାରତ ଭୂଖଣ୍ଡ ପରିକ୍ରମା କରି ଏହି ଭୂଖଣ୍ଡର ଚାରି କୋଣରେ ସନାତନ ଧର୍ମର ଚାରିଟି ମହାନ୍ ଧାମ (ପୁରୀ ଅନ୍ୟତମ) ପ୍ରତିଷ୍ଠା କରି ପାରିଥିଲେ, ତାହା ତାଙ୍କର ଅଦ୍ବୈତ ଦର୍ଶନ ଠାରୁ କିଛି କମ୍ ଆଶ୍ଚର୍ଯ୍ୟଜନକ ନୁହେଁ। ତାଙ୍କର ସଂକ୍ଷିପ୍ତ ଜୀବନ ବିଭିନ୍ନ ବିରୋଧାଭାସର ସମାହାର ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ: ସେ ଥିଲେ ଉଭୟ ଦାର୍ଶନିକ ଓ କବି; ଜଣେ ଜ୍ଞାନୀ ଓ ସନ୍ନ୍ୟାସୀ; ଜଣେ ରହସ୍ୟବାଦୀ ଓ ଧର୍ମ ସଂସ୍କାରକ। ଯୁବାବସ୍ଥାରେ ତାଙ୍କର ବୌଦ୍ଧିକ ଉଚ୍ଚାକାଂକ୍ଷା ଯେଉଁଭଳି ପ୍ରବଳ ଥିଲା ସେ ସେଇଭଳି ଜଣେ ପ୍ରଚଣ୍ଡ ତର୍କବାଗୀଶ ଥିଲେ; ସେ ମଧ୍ୟ ଥିଲେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଯିଏ ସେ ସମୟର ବହୁଧା ବିଭକ୍ତ ରାଜନୈତିକ ମାନଚିତ୍ର ସମ୍ପନ୍ନ ଭାରତ ଭୂଖଣ୍ଡର ଅଧିବାସୀମାନଙ୍କୁ ସଫଳ ଭାବରେ ଗୋଟିଏ ଆଧ୍ୟାତ୍ମିକ ରଜ୍ଜୁରେ ବାନ୍ଧିବାର ଚମତ୍କାରିତା ହାସଲ କରିପାରିଥିଲେ।
ଯାହା ତାଙ୍କର ସବୁ ଠାରୁ ମହାନ ଅବଦାନ, ତାହା ହେଲା ସେ ଆମମାନଙ୍କ ମନରେ ଏକ ବିଶ୍ବାସ ଜନ୍ମାଇଥିଲେ ଯେ, ଆମେ ଯାହା ଜାଣିଥାଉ, ଆମର ସ୍ଥାନ ହେଉଛି ତାହା ଠାରୁ ବହୁ ଊର୍ଦ୍ଧ୍ବରେ। ଏବେ ତାଙ୍କର ସମାଧି ସ୍ଥଳୀରେ ସ୍ଥାପିତ ତାଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତିର ଦର୍ଶନ ଦେଶବାସୀଙ୍କ ମଧ୍ୟରେ ସେଇ ଆତ୍ମ-ପ୍ରତ୍ୟୟକୁ ଯେ ସୁଦୃଢ଼ କରିବ, ଏଥିରେ ସନ୍ଦେହ ନାହିଁ।