ମହାନ୍ ବ୍ରିଟିସ୍ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍ସ ତାଙ୍କର ଆଦ୍ୟ ଯୁବାବସ୍ଥାରେ ଦୁଇ ବର୍ଷ ପାଇଁ ଲଣ୍ଡନ୍ସ୍ଥିତ ‘ଇଣ୍ଡିଆ ଅଫିସ୍’ରେ ଯୋଗ ଦେଇଥିଲେ। ସେଠାରେ ସେ ଆହରଣ କରିଥିବା ଅନୁଭୂତି ଆଧାରରେ ୧୯୧୩ରେ ଭାରତୀୟ ମୁଦ୍ରା ଓ ବିତ୍ତୀୟ ବ୍ୟବସ୍ଥା ଉପରେ ରଚନା କରିଥିବା ପୁସ୍ତକ, ‘ଇଣ୍ଡିଆନ୍ କରେନ୍ସି ଆଣ୍ଡ୍ ଫାଇନାନ୍ସ’ ଏପରି ଉଚ୍ଚକୋଟୀର ଥିଲା ଯେ ତାହା ଦ୍ବାରା ପ୍ରଭାବିତ ହୋଇ ବ୍ରିଟିସ୍ ସରକାର ସେଇ ବର୍ଷ ଭାରତୀୟ ମୁଦ୍ରା ସମସ୍ୟା ଅନୁଶୀଳନ କରିବା ନିମିତ୍ତ ଗଠନ କରିଥିବା ‘ରୟାଲ୍ କମିସନ୍’ରେ ୨୯ ବର୍ଷୀୟ ଯୁବକ କେନ୍ସଙ୍କୁ ଜଣେ ସଦସ୍ୟ ରୂପେ ଗ୍ରହଣ କରିଥିଲେ, ଯାହା ଏକ ଅତୀବ ବିରଳ ସମ୍ମାନ ଥିଲା।
ଏହାର କେତେ ବର୍ଷ ପରେ ମନୁଷ୍ୟ ମସ୍ତିଷ୍କର କ୍ଳିଷ୍ଟତମ ଉପଲବ୍ଧିମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ପଦାର୍ଥ ବିଜ୍ଞାନର ‘କ୍ବାଣ୍ଟମ୍ ମେକାନିକ୍ସ’ ତତ୍ତ୍ବର ଆବିଷ୍କର୍ତ୍ତା ବିଚକ୍ଷଣ ଜର୍ମାନ୍ ଗଣିତଜ୍ଞ ମାକ୍ସ ପ୍ଲାଙ୍କ୍ଙ୍କ ସହିତ କେନ୍ସ ଏକ ରାତ୍ରି ଭୋଜନରେ ମିଳିତ ହୋଇଥିଲେ। ସେତେବେଳକୁ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ରୂପେ ଖ୍ୟାତି ଲାଭ କରି ସାରିଥିବା କେନ୍ସଙ୍କୁ ଅନାଇ ମାକ୍ସ ପ୍ଲାଙ୍କ୍ ସ୍ବୀକାର କରି କହିଥିବା ଜଣାଯାଏ ଯେ ସେ ମଧ୍ୟ ଏକଦା ଅର୍ଥନୀତିରେ ପ୍ରବେଶ କରିବା ପାଇଁ ମନ ବଳାଇ ଥିଲେ, କିନ୍ତୁ ଏହି ଶାସ୍ତ୍ର ତାଙ୍କୁ ଅତିଶୟ କଠିନ ବୋଧ ହେବାରୁ ସେ ନିଜର ନିଷ୍ପତ୍ତି ବଦଳାଇ ଥିଲେ।
ନଭେମ୍ବର ୮ ତାରିଖରେ ଭାରତରେ ବିମୁଦ୍ରୀକରଣର ପାଞ୍ଚ ବର୍ଷ ପୂରିଲା। ଏହାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ମୋଦୀ ସରକାରଙ୍କର ପ୍ରବକ୍ତାମାନେ ବିଭିନ୍ନ ସମୟରେ ବିଭିନ୍ନ ଲକ୍ଷ୍ୟ ଆମ ସମ୍ମୁଖରେ ଉପସ୍ଥାପନ କରି ଆସିଛନ୍ତି। ସେଇ ପରିପ୍ରେକ୍ଷୀରେ ବର୍ତ୍ତମାନ ପାଞ୍ଚ ବର୍ଷ ପରର ଚିିତ୍ର ଉପରେ ନଜର ପକାଇଲେ ଯେଉଁ ସବୁ ବିଫଳତାମାନ ଦୃଷ୍ଟିକୁ ଆସେ, ତାହା ଦେଖି ମନେ ହୁଏ ଯେଉଁମାନେ ଭାରତୀୟ ମୁଦ୍ରା ସହିତ ସେତେବେଳେ ଏହି ଅବାଞ୍ଛିତ ଖେଳ ଖେଳିବାକୁ ଆଗେଇ ଆସିଥିଲେ, ସେମାନେ ମଧ୍ୟ ଯଦି କେନ୍ସଙ୍କୁ ଅନୁସରଣ କରିବାର ଆସ୍ପର୍ଦ୍ଧା ପରିତ୍ୟାଗ କରି ମାକ୍ସ ପ୍ଲାଙ୍କ୍ଙ୍କ କୁଣ୍ଠାକୁ ସମ୍ମାନ ଦେବାକୁ ପସନ୍ଦ କରିଥା’ନ୍ତେ, ତେବେ ଏଭଳି ପରିସ୍ଥିତି ଉପୁଜିବାର ଅବକାଶ ନ ଥା’ନ୍ତା।
ଇତି ମଧ୍ୟରେ ପାଞ୍ଚ ବର୍ଷ ବିତି ଯାଇଥିଲେ ହେଁ କେହି ଭୁଲି ନ ଥିବେ ଯେ ଦେଶରୁ କଳାଧନ ମୂଳପୋଛ କରିବା ଉଦ୍ଦେଶ୍ୟରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ ତାରିଖରେ ନାଟକୀୟ ଢଙ୍ଗରେ ଦେଶରେ ପ୍ରଚଳିତ ୧୫.୪୧ ଲକ୍ଷ କୋଟି ଟଙ୍କାର ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ଅଚଳ କରି ଦିଆଗଲା ବୋଲି ଘୋଷଣା କରିବା ପରେ ଅନତି ବିଳମ୍ବେ ସେଥି ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କାର ନୋଟ୍ ଧଳାଧନ ରୂପରେ ପୁଣି ବ୍ୟାଙ୍କ୍ମାନଙ୍କ ନିକଟକୁ ଫେରି ଆସିଥିଲା- ଅର୍ଥାତ୍ ୯୯.୩ ଶତାଂଶ, ଯାହାକୁ ଶତ ପ୍ରତିଶତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ସରକାରଙ୍କ ଏହି କଳାଧନ ଅନୁସନ୍ଧାନ ଦାର୍ଶନିକ ୱିଲିଅମ୍ ଜେମ୍ସଙ୍କର ସେଇ ପ୍ରସିଦ୍ଧ ଉକ୍ତିକୁ ଅନୁସରଣ କରିବା ଭଳି ହୋଇଗଲା, ଯେଉଁଥିରେ ଏକ ଅନ୍ଧାର କୋଠରିରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଏକ କଳା ବିଲେଇକୁ ଖୋଜୁଥା’ନ୍ତି, ଯିଏ ସେଠାରେ ମୂଳରୁ ନ ଥାଏ।
ଏପରି ଅପ୍ରସ୍ତୁତ ହୋଇଯିବା ପରେ ସରକାର ବିଭିନ୍ନ ସମୟରେ କାହାଣୀର ମୋଡ଼ ବଦଳାଇ ଚାଲିଲେ। ଏକ ଉଦାହରଣ ସ୍ବରୂପ କୁହାଗଲା ଯେ ଦେଶରେ ନଗଦ ମୁଦ୍ରା ବା କରେନ୍ସି ପ୍ରଚଳନରେ ସଂକୋଚନ ଘଟାଇ ଡିଜିଟାଲ୍ ଦେଣନେଣକୁ ପ୍ରୋତ୍ସାହିତ କରି ଅର୍ଥନୀତିର ଆଧୁନିକୀକରଣ ତ୍ବରାନ୍ବିତ କରିବା ହେଉଛି ବିମୁଦ୍ରୀକରଣର ଲକ୍ଷ୍ୟ। କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ଚିତ୍ର ଦେଖିବାକୁ ମିଳିଛି, ତାହା ସମ୍ପୂର୍ଣ୍ଣ ଭିନ୍ନ। ଦେଶରେ ପ୍ରଚଳନ ହେଉଥିବା ନଗଦ ମୁଦ୍ରା ବା ‘କରେନ୍ସି ଇନ୍ ସାର୍କୁଲେସନ୍’ (‘ସିଆଇସି’)ରେ ସଂକୋଚନ ଘଟିବ କ’ଣ, ବରଂ ଦେଖାଯାଇଛି ଯେ ବିମୁଦ୍ରୀକରଣ ପରର ପାଞ୍ଚ ବର୍ଷ ସମୟରେ ଦେଶରେ ‘ସିଆଇସି’ ଏବଂ ଜନସାଧାରଣଙ୍କ ପାଖରେ ରହିଥିବା କରେନ୍ସି ପରିମାଣ ଦୁଇ ଗୁଣରୁ ଅଧିକ ହୋଇ ଯାଇଛି; କେବଳ ତାହା ନୁହେଁ, ଏହି ବୃଦ୍ଧି ହାର ଦେଶର ‘ଜିଡିପି’ରେ ଘଟିଥିବା ବୃଦ୍ଧି ହାର ଠାରୁ ମଧ୍ୟ ଅଧିକ ହୋଇଛି। କେବଳ ବୁଝାପଡ଼ୁଥିବା କାରଣ ଯୋଗୁଁ ବିମୁଦ୍ରୀକରଣ ଘଟିଥିବା ବର୍ଷରେ ଯାହା ପୂର୍ବ ବର୍ଷ ତୁଳନାରେ ଏହି ‘ସିଆଇସି’ ପରିମାଣରେ ଏକ ହ୍ରାସ ଦେଖା ଯାଇଥିଲା।
ରିଜର୍ଭ ବ୍ୟାଙ୍କ୍ ଦ୍ବାରା ପ୍ରକାଶିତ ସୂଚନା ଅନୁଯାୟୀ ୨୦୧୧-୧୨ରୁ ୨୦୧୫-୧୬ ମଧ୍ୟରେ ଦେଶରେ ‘ସିଆଇସି’ରେ ବାର୍ଷିକ ୧୧-୧୨ ଶତାଂଶ ହାରରେ ବୃଦ୍ଧି ଘଟିଥିବା ବେଳେ ବିମୁଦ୍ରୀକରଣର ଠିକ୍ ପର ବର୍ଷ, ୨୦୧୭-୧୮ରେ ଏଥିରେ ଘଟିଥିବା ବୃଦ୍ଧି ହାର ଥିଲା ଏକ ଅବିଶ୍ବାସ୍ୟ ଭାବରେ ଉଚ୍ଚା ୩୯ ଶତାଂଶ। ୨୦୨୦-୨୧ରେ ଭାରତରେ ‘ସିଆଇସି’ର ଅନୁପାତ ଥିଲା ‘ଜିଡିପି’ର ୧୪.୪୫ ଶତାଂଶ। ଏଇ ମାତ୍ର ଅକ୍ଟୋବର ୨୯ରେ ଦେଶରେ ‘ସିଆଇସି’ ପରିମାଣ ଥିଲା ୨୯.୪୫ ଲକ୍ଷ କୋଟି ଟଙ୍କା, ଯାହା ହେଉଛି ବଜେଟ୍ରେ ଦର୍ଶା ଯାଇଥିବା ୨୦୨୧-୨୨ ବିତ୍ତ ବର୍ଷ ପାଇଁ ‘ଜିଡିପି’ର ୧୩.୨ ଶତାଂଶ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବିମୁଦ୍ରୀକରଣର ଠିକ୍ ପୂର୍ବରୁ ଏହି ‘ସିଆଇସି’- ‘ଜିଡିପି’ ଅନୁପାତ ଥିଲା ଏହାର ତଳେ, ୧୧.୭ ଶତାଂଶ।
ଲୋକମାନେ କାରବାରରେ କେଉଁ ମାଧ୍ୟମ ବ୍ୟବହାର କରିବେ, ସେଥିରେ ବିମୁଦ୍ରୀକରଣର ଭୂମିକା କ’ଣ, ତାହା ବୁଝା ପଡ଼େ ନାହିଁ। ତଥାପି ସରକାର ଦାବି କରିବା ଦେଖାଯାଇଥିଲା ଯେ ବିମୁଦ୍ରୀକରଣ ଯୋଗୁଁ ଲୋକମାନେ କାରବାରରେ ନଗଦ ମୁଦ୍ରା ପରିବର୍ତ୍ତେ ଅଧିକରୁ ଅଧିକ କ୍ରେଡିଟ୍ କାର୍ଡ ବା ଡେବିଟ୍ କାର୍ଡ ଆଦି ବ୍ୟବହାର କରିବେ। ବାସ୍ତବରେ ବିମୁଦ୍ରୀକରଣ ବର୍ଷ କାର୍ଡ ବ୍ୟବହାରରେ ଏକ ବିସ୍ଫୋରକ ବୃଦ୍ଧି ଘଟିବା ଦେଖାଯାଇଥିଲା- ୬୫ ଶତାଂଶ ହାରରେ ବୃଦ୍ଧି। ତା’ ପର ବର୍ଷ, ୨୦୧୭-୧୮ରେ ଏହି ବୃଦ୍ଧି ହାର ୪୩ ଶତାଂଶକୁ ଖସି ଆସିଥିବା ବେଳେ, ୨୦୧୮-୧୯ରେ ସେଇ ହାର ହୋଇଯାଇଥିଲା ୧୩ ଶତାଂଶ ମାତ୍ର। କୋଭିଡ୍ ସମୟରେ କାର୍ଡ ବ୍ୟବହାରରେ ତୀବ୍ର ସ୍ଖଳନ ଘଟିବା ଦେଖାଯାଇଛି।
ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା, ସରକାରଙ୍କର ବିମୁଦ୍ରୀକରଣ ଅଭିଯାନ କେବଳ ଯେ ତା’ର ମୂଳ ଉଦ୍ଦେଶ୍ୟ- କଳାଧନ ବିଲୋପ- ସାଧନରେ ବିଫଳ ହୋଇଛି, ତାହା ନୁହେଁ, ଦେଶରୁ ନଗଦ-ନିର୍ବାସନ ଘଟାଇବା ଭଳି ପରବର୍ତ୍ତୀ ସମୟରେ ଚିନ୍ତା କରାଯାଇଥିବା ପାର୍ଶ୍ବ ଉଦ୍ଦେଶ୍ୟ ସାଧନରେ ମଧ୍ୟ ବିଫଳ ହୋଇଛି (ଅବଶ୍ୟ ମନେ ରଖିବା କଥା ଏ ପାର୍ଶ୍ବ ଉଦ୍ଦେଶ୍ୟ ହାସଲ ପାଇଁ ବିମୁଦ୍ରୀକରଣର କୌଣସି ଆବଶ୍ୟକତା ନାହିଁ)। ଅପର ପକ୍ଷେ ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି କିପରି ଗୁରୁତର ଭାବେ ଆହତ ହୋଇଥିଲା- ବ୍ୟାପକ ବେକାରି, କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟ, ନଗଦ ସଂକଟ, ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ନଗଦ ପାଇବାକୁ ବ୍ୟାଙ୍କ୍ମାନଙ୍କ ସମ୍ମୁଖରେ ଦେଖା ଦେଇଥିବା ଲମ୍ବା ସର୍ପିଳ ଧାଡ଼ି ଇତ୍ୟାଦି ସୃଷ୍ଟି କରିଥିବା ନିଷ୍ଠୁର ମାନବୀୟ ଯନ୍ତ୍ରଣା...-, ତାହା ଏ ପର୍ଯ୍ୟନ୍ତ କେହି ଭୁଲି ନାହାନ୍ତି। ପାଞ୍ଚବର୍ଷ ପରେ ଯାହା ସ୍ପଷ୍ଟ ହୋଇଛି, ତାହା ହେଲା ବିମୁଦ୍ରୀକରଣ ନିଷ୍ପତ୍ତି ନେବା ମୋଦୀ ସରକାରଙ୍କ ପାଇଁ ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିବା ଭଳି ହିଁ ଥିଲା।