ଜୋସେଫ ଷ୍ଟାଲିନ୍ ଥିଲେ ପ୍ରଖ୍ୟାତ ହାସ୍ୟ ଅଭିନେତା ଚାର୍ଲି ଚାପ୍ଲିନ୍ଙ୍କ ଜଣେ ବିଦଗ୍ଧ ପ୍ରଶ˚ସକ, ଯିଏ ନିଜ ବାସଭବନରେ ଥିବା ଘରୋଇ ପ୍ରେକ୍ଷାଳୟରେ ତାଙ୍କ ସିନେମା ବାରମ୍ବାର ଦେଖୁଥିଲେ ଏବ˚ କଥିତ ଅଛି ଯେ ଚାପ୍ଲିନ୍ଙ୍କ ‘ସିଟି ଲାଇଟ୍ସ’ ସିନେମାଟି ଦେଖି ଅଭିଭୂତ ହୋଇ ସେ କୁଆଡ଼େ କାନ୍ଦି ପକାଇଥିଲେ! ସେହି ସମୟରେ ଏକଛତ୍ରବାଦୀ ଷ୍ଟାଲିନ୍ଙ୍କ ଆଦେଶରେ ରୁଷିଆରେ ନର ନିପୀଡ଼ନ ଏବ˚ ସ˚ହାର ପର୍ବ ଚାଲିଥାଏ; ଯାହାକୁ ରାଜନୈତିକ ଭାବେ ଅତ୍ୟନ୍ତ ସଚେତନ ଚାର୍ଲି ଚାପ୍ଲିନ୍ କିନ୍ତୁ ଆଦୌ ସମାଲୋଚନା କରୁ ନ ଥାଆନ୍ତି। ସେତିକିବେଳେ ରୁଷିଆରେ ଲୁଚାଛପାରେ ପ୍ରକାଶିତ ହାତଗଣତି ମୁଷ୍ଟିମେୟ ଛୋଟ ଖବରକାଗଜ ଭିତରୁ ଗୋଟିକରେ ଏକ କାର୍ଟୁନ୍ ଷ୍ଟ୍ରିପ୍ ପ୍ରକାଶିତ ହେଲା; ଯହିଁରେ କୌଣସି ନାମହୀନ ବ୍ୟଙ୍ଗକାର ଷ୍ଟାଲିନ୍ ଏବ˚ ଚାପ୍ଲିନ୍ କଥୋପକଥନ ହେଉଥିବାର ଚିତ୍ର ଆଙ୍କିଥିଲେ ଏବ˚ ଚିତ୍ର ତଳେ ଏହି ଭଳି ଲେଖିଥିଲେ: ଷ୍ଟାଲିନ୍ ଚାପ୍ଲିନ୍ଙ୍କୁ ପଚାରୁଛନ୍ତି- ‘ଆମ ଦେଶ ବିଷୟରେ ତୁମର ଧାରଣା କ’ଣ?’ ଚାପ୍ଲିନ୍ କହୁଛନ୍ତି- ‘ତୁମର ଯାହା, ମୋର ବି ତାହା।’ ଷ୍ଟାଲିନ୍ ରାଗିଯାଇ ଚିତ୍କାର କରୁଛନ୍ତି, ‘କେ ଅଛ! ଏହାକୁ ଗିରଫ କର!’
ସେ ଦିନ ସେହି କାର୍ଟୁନ୍ରେ ଯାହା ଦେଖିବାକୁ ମିଳିଥିଲା, ତାହା ହେଉଛି ଖୁବ୍ ସ୍ବଳ୍ପ ଶବ୍ଦ ବ୍ୟୟରେ ଷ୍ଟାଲିନ୍ଙ୍କ ଅପଶାସନର ଏକ କଟାକ୍ଷ ଏବ˚ ତା’ ସହିତ ଏଭଳି ଏକ ବିମର୍ଷକର ସମୟରେ ଷ୍ଟାଲିନ୍ ପୀଡ଼ିତ ଜନସାଧାରଣଙ୍କ ମୁହଁରେ ଧାରେ ହସ ଫୁଟାଇବାର ପ୍ରଚେଷ୍ଟା।
ଉଲ୍ଲେଖନୀୟ ଯେ ଶୀତଳ ଯୁଦ୍ଧ କାଳରେ କମ୍ୟୁନିଷ୍ଟ ଶାସିତ ସୋଭିଏତ୍ ରୁଷିଆ ଏବ˚ ତା’ର ସମର୍ଥକ ‘ଇଷ୍ଟର୍ନ ବ୍ଲକ୍’ରେ ଗୋପନରେ ପ୍ରସାରିତ ହେଉଥିବା ଏଭଳି ହାସ୍ୟ ଉଦ୍ରେକକାରୀ ମର୍ମଭେଦୀ ବ୍ୟଙ୍ଗର ଅସ˚ଖ୍ୟ ଉଦାହରଣମାନ ଦେଖିବାକୁ ମିଳୁଥିଲା। ତେବେ, ଏହା ମଧୢ ସତ ଯେ ଗଣତାନ୍ତ୍ରିକ ବ୍ରିଟେନ୍ ବା ଯୁକ୍ତରାଷ୍ଟ୍ର ଆମେରିକା ବା ଜର୍ମାନି ବା ଫ୍ରାନ୍ସ ଅଥବା ଭାରତରେ ମଧୢ ଏଭଳି ବ୍ୟଙ୍ଗକାରମାନେ ସରକାର, ସମାଜ, ପ୍ରଥା ଓ ପର˚ପରା ଇତ୍ୟାଦିରେ ସ୍ପଷ୍ଟ-ଅସ୍ପଷ୍ଟ ଭାବେ ଦିଶୁଥିବା କିଂବା ନିହିତ ଥିବା ବିଚ୍ୟୁତିର ପରିହାସ କରିବା ସହିତ ଜନସାଧାରଣଙ୍କ ମୁହଁରେ ହସ ଉଦ୍ରେକ କରିବାର ପ୍ରୟାସରେ ରହି ଆସିଛନ୍ତି; କିନ୍ତୁ ଏକଛତ୍ରବାଦୀ କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକ ଭଳି ଗୋପନରେ ନୁହେଁ ପ୍ରକାଶ୍ୟରେ। ସମସ୍ତ ରାଷ୍ଟ୍ରରେ ପ୍ରାୟ ସମସ୍ତ ଭାଷାରେ ମୁଦ୍ରିତ ଗଣମାଧୢମରେ ଖବରର ନିରନ୍ଧ୍ର ନିଘଞ୍ଚତା ଭିତରେ ଏକ କ୍ଷୁଦ୍ର ବାତାୟନ ସ୍ବରୂପ ଆବିର୍ଭୂତ ହୋଇ କ୍ଷୁଦ୍ର ରେଖାଚିତ୍ର ସହିତ ମାତ୍ର ଧାଡ଼ିଏ ବା ଦୁଇ ଧାଡ଼ିର ଲେଖା ଜରିଆରେ କାର୍ଟୁନ୍ମାନ ପାଠକ-ପାଠିକାଙ୍କ ମୁହଁରେ ଏକ ଉଜ୍ଜ୍ବଳ ହସ ସୃଷ୍ଟି କରିବା ସହିତ ଅନେକ ସମୟରେ ଗହନ ମନ ଭିତରେ ବେଶ୍ କିଛି ସମୟ ଧରି ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥାଆନ୍ତି। ବୋଧହୁଏ, ସେହି କାରଣରୁ ପତଳା ଚର୍ମଧାରୀ ଶାସକ ଓ ସରକାରମାେନ ଏଭଳି କାର୍ଟୁନ୍ ଏବ˚ ତା’ର ସ୍ରଷ୍ଟାମାନଙ୍କୁ ଭୟ କରିଥାଆନ୍ତି। ତାହା ହୋଇ ନ ଥିଲେ ଉଭୟ ଏକଛତ୍ରବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅସ୍ବସ୍ତି ସୃଷ୍ଟିକାରୀ ବ୍ୟଙ୍ଗକାରମାନଙ୍କୁ ସେମାନଙ୍କ ଥଟ୍ଟା-ପରିହାସ ଲାଗି ଦଣ୍ତିତ, ଲା˚ଛିତ ଏବ˚ ନିର୍ଯାତିତ ହେବାକୁ ପଡୁ ନ ଥାଆନ୍ତା।
ସ୍ବାଧୀନତା ପରବର୍ତ୍ତୀ କାଳରେ ଭାରତର ପ୍ରସିଦ୍ଧ କାର୍ଟୁନିଷ୍ଟ ଶଙ୍କର (ଭାରତରେ ରାଜନୈତିକ କାର୍ଟୁନ୍ର ଜନକ ଭାବେ ପରିଚିତ)ଙ୍କୁ ଉଦାରଚେତା ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ‘ଡୋନ୍ଟ ସ୍ପେଆର୍ ମି ଶଙ୍କର’ (ଶଙ୍କର, ମୋତେ ଛାଡ଼ ନାହିଁ) ବୋଲି କହିଥିବା ବାକ୍ୟଟି ନେହରୁଙ୍କ ପ୍ରଶସ୍ତ ବିଚାରର ପରିଚୟ ବହନ କରୁଥିବା ଦୃଷ୍ଟାନ୍ତ ଭାବେ ବହୁଳ ଭାବେ ପ୍ରଦାନ କରାଯାଇଥାଏ। କିନ୍ତୁ ଏହି ବିଶାଳତା ତାଙ୍କ କନ୍ୟା ଇନ୍ଦିରା ଗାନ୍ଧୀଙ୍କ ନିକଟରେ ପରିଦୃଷ୍ଟ ହୋଇ ନ ଥିଲା। ତାଙ୍କ ଦ୍ବାରା ଜାରି ‘ଇମର୍ଜେନ୍ସି’ କାଳରେ ଗଣମାଧୢମ ଉପରେ ଲଗାଯାଇଥିବା କଟକଣାଗୁଡ଼ିକ ଅଭିବ୍ୟକ୍ତିର ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବାରୁ କି˚ବଦନ୍ତୀୟ କାର୍ଟୁନିଷ୍ଟ୍ ଆର୍.କେ. ଲକ୍ଷ୍ମଣ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କ ନିକଟକୁ ଯାଇ ମୁକ୍ତ ବିଚାର ସ˚ପନ୍ନ କାର୍ଟୁନ୍ କରିବାକୁ ଜିଦି ଧରି ବସିବାରୁ ତାଙ୍କୁ ଯେଉଁ ଉତ୍ତର ଶୁଣିବାକୁ ପଡ଼ିଥିଲା ତାହା ହେଉଛି: ‘ଆଇନ ସମସ୍ତଙ୍କ ଲାଗି ସମାନ। ତେଣୁ ତୁମେ କରିପାରିବ ନାହିଁ।’ ପରବର୍ତ୍ତୀ କାଳରେ ଏହାର ସ୍ମୃତିଚାରଣ କରି ଏକ ପତ୍ରିକା ସହିତ ସାକ୍ଷାତ୍କାର ବେଳେ ଲକ୍ଷ୍ମଣ କହିଥିଲେ ଯେ ଇମର୍ଜେନ୍ସି ପର ନିର୍ବାଚନରେ ଇନ୍ଦିରା ଗାନ୍ଧୀ ପରାଜିତ ହେବା ପର୍ଯ୍ୟନ୍ତ ଭାରତର ଖବରକାଗଜଗୁଡ଼ିକରୁ କାର୍ଟୁନ୍ଗୁଡ଼ିକ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ଏବଂ ଏକ ବିମର୍ଷକର ସମୟରେ ବିଷଣ୍ଣ ଭାରତୀୟଙ୍କ ମୁହଁରେ ସକାଳର ଖବରକାଗଜ ଦ୍ବାରା ଧାରେ ହସ ସୃଷ୍ଟି ହେବାର ସମ୍ଭାବନା ଲୋପ ପାଇଥିଲା।
କିନ୍ତୁ ଏହି ସ˚ଦର୍ଭରେ ଯାହା ଉଦ୍ବେଗଜନକ ତାହା ହେଲା ବ୍ୟଙ୍ଗରୁ ହାସ୍ୟରସ ଆହରଣ କରିବା ସହିତ ତହିଁରେ ଥିବା ସନ୍ଦେଶରୁ ଆତ୍ମ-ନିରୀକ୍ଷଣ କରିବାର ସାମର୍ଥ୍ୟରେ ଦୟନୀୟ ଅଭାବ ଏବେ କେବଳ ଶାସକ (ସରକାର) ବା ଧର୍ମୀୟ ବା ସା˚ପ୍ରଦାୟିକ ନେତୃତ୍ବ ମଧୢରେ ସୀମିତ ନ ରହି ଅନ୍ୟାନ୍ୟ ଅନେକ କ୍ଷେତ୍ରକୁ ସ˚ଚରି ଯାଇ ଅସହିଷ୍ଣୁତାର ଏକ ନୂଆ ଧାରା ସୃଷ୍ଟି କଲାଣି। ଏହାର ଉଦାହରଣ ସ୍ବରୂପ ଦୁଇ ବର୍ଷ ତଳେ ରାହୁଳ ସୁବ୍ରମଣ୍ୟମ ନାମକ ଜଣେ ବ୍ୟଙ୍ଗକାର (ଷ୍ଟାଣ୍ତ୍ ଅପ୍ କମେଡିଆନ୍)ଙ୍କ ବକ୍ରୋକ୍ତି ହେତୁ ତାଙ୍କୁ ଏଫ୍ଏମ୍ ଚ୍ୟାନେଲ୍ରେ କାର୍ଯ୍ୟ କରୁଥିବା କେତେକ ‘ଡିସ୍କ ଜକି’ଙ୍କ ଆକ୍ରମଣର ଶରବ୍ୟ ହେବାକୁ ପଡ଼ିଥିଲା ଏବ˚ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ତ୍ର ମୋଟର ସାଇକେଲର ବ୍ୟଙ୍ଗ କରିଥିବା ହେତୁ ବ୍ୟଙ୍ଗକାର ଗୌରବ କପୁର ‘ଦିଲ୍ଲୀ ବାଇକି˚ ଆସୋସିଏସନ୍’ର ସଦସ୍ୟମାନଙ୍କ ରୋଷ ଦ୍ବାରା ଜର୍ଜରିତ ହୋଇଥିଲେ।
ଏଭଳି ଅସହିଷ୍ଣୁତାର କାରଣ କ’ଣ ହୋଇପାରେ? ଏହା କ’ଣ ଏକ ଅସୁଖୀ ଭାରତର ଚାରିତ୍ରିକ ନିଦର୍ଶନ? ପ୍ରକାଶ ଥାଉ କି କ୍ରମାନ୍ବୟରେ ସାତ ବର୍ଷ ଧରି ଭାରତ ସୁଖୀ ରାଷ୍ଟ୍ରଙ୍କ ତାଲିକାରେ ନିମ୍ନ ଦଶଟିଙ୍କ ମଧୢରେ ରହି ଆସୁଛି। ଯେଉଁ ସବୁ ମାପକାଠି ପ୍ରୟୋଗ କରି ରାଷ୍ଟ୍ରଗୁଡ଼ିକର ସୁଖ ବା ଅସୁଖ ନିରୂପଣ କରାଯାଇଥାଏ, ତହିଁରେ ରହିଛି ସେହି ରାଷ୍ଟ୍ରରେ ପରିଦୃଷ୍ଟ ରାଜନୈତିକ ସ୍ବାଧୀନତା, ଦୁର୍ନୀତିର ସ୍ଥିତି, ଜୀବନଯାପନର ମାନ, ମୁଣ୍ତ ପିଛା ଜାତୀୟ ଆୟ ଇତ୍ୟାଦି। ତେବେ ଏହି ସବୁ କାରଣ ଭିତରେ ଯେଉଁ କାରଣଟି ଅନୁପସ୍ଥିତ, ତାକୁ ଏକଦା ଦର୍ଶାଇଥିଲେ ପ୍ରସିଦ୍ଧ କାର୍ଟୁନିଷ୍ଟ ସୁଧୀର ତୈଲାଙ୍ଗ। ତାଙ୍କ ମତରେ ଆମ ରାଷ୍ଟ୍ର ଅସୁଖୀ ହେବାର ଏକ ବଡ଼ କାରଣ ହେଉଛି ଦ୍ରୁତ ସହରୀକରଣ; ଯାହା ମନୁଷ୍ୟକୁ ସ୍ବାର୍ଥପର, ତୀବ୍ର ପ୍ରତିଦ୍ବନ୍ଦ୍ବିତା-ପ୍ରବଣ, ନିଃସଙ୍ଗ ଓ ଅସହାୟ କରି ପକାଇବା ସହିତ ତା’ ଠାରେ ଏଭଳି ଅସୁରକ୍ଷାର ଭାବ ସୃଷ୍ଟି କରିଛି ଯେ ତହିଁରେ ଚରମ ଅସହିଷ୍ଣୁତା ଏକ ସ୍ବାଭାବିକ ଉପଜ ଭାବେ ଆବିର୍ଭୂତ ହୋଇଛି। ସେ କହିଥାଆନ୍ତି ଯେ ଏହି କାରଣରୁ ଏବେ ମଧୢ ଭାରତର ଗ୍ରାମାଞ୍ଚଳରେ ହାସ୍ୟରସ, ଥଟ୍ଟା ପରିହାସ, ଗୋଡ଼ ଟଣାଟଣି, ରୁଢ଼ି ପ୍ରୟୋଗ ଇତ୍ୟାଦି ବଞ୍ଚି ରହିଛି ଏବ˚ ସହରୀମାନଙ୍କ ଚେହେରାରେ ହସର ଆଲୋକ ଲିଭି ଲିଭି ଯାଉଛି।
ଏଠାରେ ଏହି ପ୍ରସଙ୍ଗମାନ ଉତ୍ଥାପିତ ହେବାର କାରଣ ହେଲା ଗଲା ୮ ତାରିଖରେ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦୀର୍ଘ ୩୦ ବର୍ଷ ଧରି ‘କଟାକ୍ଷ’ ଶୀର୍ଷକ ପକେଟ୍ କାର୍ଟୁନ୍ ଶୃଙ୍ଖଳାେର ବ୍ୟଙ୍ଗ ଚିତ୍ର ସହିତ ତାଙ୍କ ଅନିର୍ବଚନୀୟ ଲାଳିକା ସାହାଯ୍ୟରେ ଅସ˚ଖ୍ୟ ଓଡ଼ିଆଙ୍କ ମୁହଁରେ ଧାରେ ହସ ସୃଷ୍ଟି କରି ଚାଲିଥିବା ‘କିଶୋର’ଙ୍କ ଅସମୟରେ ଦେହାବସାନ ହୋଇଯାଇଛି। ତାଙ୍କ ତୀକ୍ଷ୍ଣ ବ୍ୟଙ୍ଗରେ ନିହିତ ଥିବା ହାସ୍ୟରସ ଆହରଣ କରିବାର ଏକ ବୈଦ୍ୟୁତିକ କ୍ଷଣ, ସୁଯୋଗ ଓ ସାମର୍ଥ୍ୟ ସେ ଆମକୁ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ବିଷଣ୍ଣ ଦେଶର ନାଗରିକ ଭାବେ ମନରେ ଅଯଥା ଅସହିଷ୍ଣୁତାକୁ ସ୍ଥାନ ଦେଇ ପରିହାସରୁ ହସ ଆସ୍ବାଦନ କରିବାର ସାମର୍ଥ୍ୟ ଆମେ ଯେମିତି ନ ହରାଉ; ତାହା ଆମର ଧେୢୟ ହେବା ଉଚିତ। ତାହା ହେଲେ ଆମମାନଙ୍କ ମୁହଁରୁ ହସର ଧାର ଲିଭିବ ନାହିଁ, ଯାହା ଫୁଟାଇବାର ଦାୟିତ୍ବ ଏତେ କାଳ ଧରି କିଶୋର ନେଇଥିଲେ।