ନେହରୁ ମୁହୂର୍ତ୍ତ!

ମୌଖିକ ପ୍ରତିଶ୍ରୁତି କିଭଳି ନିର୍ଭରଯୋଗ୍ୟ ହୋଇ ନ ଥାଏ, ତାହା ବର୍ଣ୍ଣନା କରି ନିଜ ରଚନାରୁ ଗାୟକ ଅକ୍ଷୟ ମହାନ୍ତି ଯେଉଁ ଅତ୍ୟନ୍ତ ଲୋକପ୍ରିୟ ଗୀତଟି ଗାଇଥିଲେ, ତହିଁରେ ଘୋଷା ଧାଡ଼ିଟି ହେଉଛି ‘କଥାର ଭରସା କିଛି ନାହିଁ, ଯେଣୁ କଥା ବି ପବନ ମିଶିଗଲା ପବନରେ।’ ସେହି ଗୀତର ପୃଷ୍ଠଭୂମିରେ ଆମେ ଦେଖିଥାଉଁ ଏକ ନିଭୃତ କ୍ଷଣରେ ପ୍ରେମିକାଟି ପ୍ରଦାନ କରିଥିବା ପ୍ରତିଶ୍ରୁତି ରଖି ନ ଥିବାରୁ ପ୍ରେମିକ ଜଣକ ପବନରେ ମିଳାଇ ଯାଉଥିବା ‘କଥା’ର ନିରର୍ଥକତାକୁ ନେଇ ଏଭଳି ଅଭିମାନ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇ˚ଲାଣ୍ତର ଗ୍ଲାସ୍‌ଗୋ ନଗରୀରେ ଅନୁଷ୍ଠିତ ବିଶ୍ବ ଜଳବାୟୁ ଶିଖର ସମ୍ମେଳନ ବା ‘କପ୍‌-୨୬’ (ଗତକାଲି ଉଦ୍‌ଯାପିତ ହୋଇଛି)ରେ ‘୨୦୭୦ ମସିହା ସୁଦ୍ଧା ଭାରତକୁ ନେଟ୍‌-ଜିରୋ ରାଷ୍ଟ୍ର’ରେ ପରିଣତ କରିବା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଅତ୍ୟନ୍ତ ଉଚ୍ଚାଭିଳାଷୀ ପ୍ରତିଶ୍ରୁତି ତାର ଭରସା ଯୋଗ୍ୟତା ନେଇ ସନ୍ଦେହ ସୃଷ୍ଟି କରିଥିବାରୁ ଉପର ବର୍ଣ୍ଣିତ ଗୀତଟି ମନକୁ ଆସିଥାଏ। ପ୍ରସଙ୍ଗ କ୍ରମେ, ‘ନେଟ୍‌- ଜିରୋ’ ହେଉଛି ଏଭଳି ଏକ ଆଦର୍ଶ ସ୍ଥିତି ଯହିଁରେ ବାୟୁମଣ୍ତଳକୁ ଉତ୍ସର୍ଜିତ ହେଉଥିବା ଅଙ୍ଗାରକାମ୍ଳର ପରିମାଣ ତହିଁରୁ ଅପସାରିତ ହେଉଥିବା ଅଙ୍ଗାରକାମ୍ଳ ସହିତ ସମତୁଲ ହୋଇ ପରିବେଶକୁ ଅଙ୍ଗାରକାମ୍ଳ-ଶୂନ୍ୟ କରି ରଖିବ। ଏହି ସଂଦର୍ଭରେ ମୁଣ୍ତ ଟେକୁଥିବା ପ୍ରଶ୍ନଟି ହେଉଛି ଆଉ ଅର୍ଧ-ଶତାବ୍ଦୀର ସମୟ ଖଣ୍ତ ମଧୢରେ ଭାରତ ଦ୍ବାରା ଏଭଳି ଏକ ଅତ୍ୟନ୍ତ ଆହ୍ବାନଭରା ଲକ୍ଷ୍ୟ ହାସଲ ସମ୍ଭବ ହେବ ତ?

ଏଭଳି ସନ୍ଦେହର ମୂଳ କାରଣ ହେଲା ଭାରତର ବିକାଶର ଧାରା ଭବିଷ୍ୟତ୍‌ରେ ଆହୁରି ବେଗବାନ ହେବା ନିଶ୍ଚିତ। ଏଭଳି ସ୍ଥଳେ ଏହି ବେଗ ପ୍ରଦାନ କରିବା ଲାଗି ଯେଉଁ ଅପରିମେୟ ଶକ୍ତିର ଆବଶ୍ୟକତା ପଡ଼ିବ, ତାହା କ’ଣ ପାର˚ପରିକ ଶକ୍ତି ଉତ୍ସ (କୋଇଲା ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ)କୁ ବିଦାୟ ଦେଇ ଅଣ ପାର˚ପରିକ ବା ପୁନଃ ନବୀକରଣକ୍ଷମ ନିର୍ମଳ ଅକ୍ଷୟ ଶକ୍ତିର ଉତ୍ସ (ବାୟୁ ଏବ˚ ସୌର)ରୁ ଆହରଣ କରାଯାଇ ପାରିବା ସମ୍ଭବ? ଏହି ସ୍ତମ୍ଭକୁ ପାଠ କରୁଥିବା ପ୍ରାୟ ସମସ୍ତ ପାଠକ-ପାଠିକା ଅବଗତ ଥିବେ ଯେ ଜୀବାଶ୍ମ ଇନ୍ଧନର ଦହନରୁ ଶକ୍ତି ଉତ୍ପାଦନ କ୍ରମରେ ବାୟୁମଣ୍ତଳକୁ ଅତ୍ୟନ୍ତ ଅଧିକ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହୋଇଥାଏ, ଯହିଁରେ ବିରାମ ଲଗାଇବା ଏବେ ଭାରତ ଭଳି ରାଷ୍ଟ୍ରଙ୍କ ସକାଶେ ଏକ ବିଶାଳ ଦାୟିତ୍ବ ଭାବେ ଅବତୀର୍ଣ୍ଣ ହୋଇଛି। ପ୍ରକାଶ ଥାଉ କି ଭାରତରେ ପ୍ରାକୃତିକ ଭାବେ ଗଚ୍ଛିତ ଥିବା ବିଶାଳ କୋଇଲା ଭଣ୍ତାର ହେତୁ ଆମ ରାଷ୍ଟ୍ର ତାପଜ ବିଦ୍ୟୁତ୍‌ ଶକ୍ତି ଉପରେ ପ୍ରମୁଖ ଭାବେ ନିର୍ଭରଶୀଳ ହୋଇ ରହିଛି; ଯହିଁରେ ଅଣ ପାର˚ପରିକ ଉତ୍ସରୁ ଉତ୍ପାଦିତ ନିର୍ମଳ ଶକ୍ତିର ଭାଗ ମାତ୍ର ୧୨ ପ୍ରତିଶତ। କିନ୍ତୁ ଏଣେ ଆମ ଦେଶରେ ବିଦ୍ୟୁତ୍‌ ଶକ୍ତିର ଚାହିଦା ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ସୂତ୍ରରୁ ଲବ୍‌ଧ ‘ଡାଟା’ ଅନୁସାରେ ଆଉ ଦଶ ବର୍ଷ ପରେ ଅର୍ଥାତ୍‌ ୨୦୩୦ ମସିହା ବେଳକୁ ଭାରତର ବିଦ୍ୟୁତ୍‌ ଶକ୍ତି ଚାହିଦା ହୋଇଥିବ ୨.୫ ଟ୍ରିଲିଅନ୍‌ କିଲୋଵାଟ୍‌ ଆଵାର‌୍‌ (ଘଣ୍ଟା), ଯାହା ଏହି ଦଶନ୍ଧିର ପ୍ରାରମ୍ଭରେ ବା ୨୦୨୦ ମସିହାରେ ଥିବା ଚାହିଦାର ପ୍ରାୟ ଦୁଇ ଗୁଣ। ଏଭଳି ଏକ ସ୍ଥିତିରେ ତାପଜ ବିଜୁଳି ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କେତେ ଶୀଘ୍ର ଭାରତର ଭୂମି ଉପରୁ ଉଚ୍ଛେଦ କରାଯାଇ ପାରିବ, ତାହା ଏକ ବଡ଼ ପ୍ରଶ୍ନ।

ତେବେ, ଧରି ନିଆଯାଉ ଯେ ଭବିଷ୍ୟତ୍‌ରେ ଅଣ ପାର˚ପରିକ ଶକ୍ତି ଉତ୍ସରେ ଅକଳ୍ପନୀୟ ବିକାଶ ଘଟାଇ କେବଳ ତାରି ବଳରେ ଭାରତ ତା’ର ବିଜୁଳି ଶକ୍ତିର ଚାହିଦା ପୂରଣ କରିବାକୁ ସମର୍ଥ ହେଲା; ଏଥିରେ ମଧୢ ଗୋଟିଏ ସମସ୍ୟା ଦୃଷ୍ଟିଗୋଚର ହେବ। ଏ ସ˚ପର୍କରେ ‘ବ୍ଲୁମବର୍ଗ‌୍‌’ରେ ପ୍ରକାଶିତ ଏକ ନିବନ୍ଧରେ ତା’ର ଲେଖକ ଆଣ୍ତି ମୁଖାର୍ଜୀ କହିଥାଆନ୍ତି ଯେ ସ˚ପ୍ରତି ଭାରତରେ ବିଜୁଳି ବିତରଣ କରୁଥିବା କ˚ପାନିଗୁଡ଼ିକ ଅନାଦାୟ ଦେୟ, ବିଜୁଳି ଚୋରି ଏବ˚ ସରବରାହ ଜନିତ ବିଜୁଳି ନଷ୍ଟ କାରଣରୁ ସହୁଥିବା ବିପୁଳ କ୍ଷତିର ପରିମାଣ ପ୍ରାୟ ୮୦ ବିଲିଅନ ଆମେରିକୀୟ ଡଲାର ବା ୬ ଟ୍ରିଲିଅନ (ଏକ ଟ୍ରିଲିଅନ ହେଉଛି ୧୦୦୦ ବିଲିଅନ) ଟଙ୍କା। ଉଲ୍ଲେଖଯୋଗ୍ୟ ଯେ ସରକାରୀ ‘ଡାଟା’ ଅନୁସାରେ ବିତରକ କ˚ପାନିଗୁଡ଼ିକ ‘ଟେକ୍‌ନିକାଲ୍‌ ଓ କମର୍ସିଆଲ୍‌’ କାରଣରୁ ସହୁଥିବା ବିଜୁଳି ଶକ୍ତିରେ କ୍ଷତିର ପରିମାଣ ପ୍ରାୟ ୨୨.୩ ପ୍ରତିଶତ। ବିଦ୍ୟୁତ୍‌ ବିତରକ କ˚ପାନିଗୁଡ଼ିକ ଉପରେ ବକେୟା ପଡ଼ିଥିବା ଅର୍ଥର ପରିମାଣ ୧୪ ବିଲିଅନ ଡଲାର ବା ଏକ ଟ୍ରିଲିଅନ ଟଙ୍କା, ଯାହାର ଏକ ପଞ୍ଚମା˚ଶ ଭାଗ ଅଣ ପାର˚ପରିକ ଶକ୍ତି ଉତ୍ପାଦନକାରୀ କ˚ପାନିଗୁଡ଼ିକ ପାଇବା କଥା। ସୁତରା˚, ଯାହା ସହଜରେ ବୋଧଗମ୍ୟ ତାହା ହେଲା, ଅଣ ପାର˚ପରିକ ଶକ୍ତି ଉତ୍ପାଦନକାରୀ କ˚ପାନିଗୁଡ଼ିକ କ୍ରମେ ବିଜୁଳି ଯୋଗାଣ ଲାଗି ସମର୍ଥ ହୋଇ ଆସୁଥିବା ବେଳେ ଏହି ବିପୁଳ ବକେୟାର ଭାର ସେମାନଙ୍କ ଉପରେ ଅଧିକ ମାଡ଼ି ବସିବ, ଯାହା ବହନ କରିବା ସେମାନଙ୍କ ସକାଶେ ଏକ ଅତ୍ୟନ୍ତ ଦୁରୂହ ବ୍ୟାପାର ହେବ। ସୁତରା˚, ସବୁଜ ବା ନିର୍ମଳ ଶକ୍ତି ଉତ୍ପାଦନ ଲାଗି ସମ୍ବଳ ବିନିଯୋଗ କରିବାକୁ ଉଦ୍ୟତ କ˚ପାନିଗୁଡ଼ିକ ବିତରଣ ସମ୍ବନ୍ଧିତ ଦୁରବସ୍ଥା କାରଣରୁ ନିରୁତ୍ସାହିତ ହେବା ସ୍ବାଭାବିକ। ତେଣୁ ଏଭଳି ବିଶାଳ ପ୍ରତିବନ୍ଧମାନ ଅତିକ୍ରମ କରି ୨୦୭୦ ବେଳକୁ ଭାରତ ଏକ ‘ନେଟ୍‌ ଜିରୋ’ ରାଷ୍ଟ୍ର ହେବା ନେଇ ସନ୍ଦେହ ପ୍ରକଟିତ ହେବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ।

ମୋଦୀଙ୍କ ଦ୍ବାରା ପ୍ରତିଶ୍ରୁତ ସମୟ ୨୦୭୦ ଉପନୀତ ହେବା ବେଳକୁ ଗ୍ଲାସ୍‌ଗୋରେ ଉପସ୍ଥିତ ଥିବା ନେତୃବୃନ୍ଦଙ୍କ ମଧୢରୁ କେହି ଜଣେ ହେଲେ ଜୀବିତ ରହିଥିବା ପ୍ରାୟ ଅସମ୍ଭବ। ପୁନଶ୍ଚ ଏକ ନିଭୃତ କ୍ଷଣରେ ପ୍ରଦାନ କରା ନ ଯାଇ ବିଶ୍ବ ମଞ୍ଚରେ ଦିଆଯାଇଥିବାରୁ, ଅକ୍ଷୟ ମହାନ୍ତିଙ୍କ ଗୀତରେ କୁହାଯାଇଥିବା ଭଳି ଏହା ‘ପବନରେ ମିଳାଇ ଯିବା’ ମଧୢ ସମ୍ଭବ ନୁହେଁ। ଏହା ମଧ୍ୟ କହିବା ଅନାବଶ୍ୟକ ଯେ ବର୍ତ୍ତମାନ ଯେଉଁ ଧାରା ଚାଲିଛି, ତାହା ଅପରିବର୍ତ୍ତିତ ରହିଲେ ୨୦୭୦ ମସିହା ବେଳକୁ ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବାଧିକ ବିପଜ୍ଜନକ ଜାଗତିକ ସ˚କଟ ରୂପେ ଉଭା ହୋଇଥିବ। ସୁତରା˚, ସେତିକିବେଳେ ମୋଦୀ ସରକାରର ଉତ୍ତର ଦାୟାଦମାନଙ୍କୁ (ସେମାନେ ଯେଉଁ ରାଜନୈତିକ ଦଳର ହୋଇଥାଆନ୍ତୁ ନା କାହିଁକି) ଏହି ପ୍ରତିଶ୍ରୁତି ବାବଦରେ ଜବାବଦେହୀ ହେବାକୁ ପଡ଼ିବ। ଏଭଳି ଏକ ସ୍ଥିତିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ସ୍ମରଣକୁ ଆସିଥା’ନ୍ତି, ଯିଏ ୧୯୪୭ ମସିହାରେ ଭାରତ ସହିତ ଜାମ୍ମୁ କାଶ୍ମୀରର ମିଶ୍ରଣ ସ˚ଦର୍ଭରେ ବେତାର ମାଧୢମରେ ଏକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଜାମ୍ମୁ କାଶ୍ମୀରର ଭବିଷ୍ୟତ୍‌ ସେଠାକାର ଜନମତ ଆଧାରରେ ନିର୍ଦ୍ଧାରିତ ହେବ। ଭବିଷ୍ୟତ୍‌ରେ ସ୍ଥିତି କିଭଳି ପଟ ପରିବର୍ତ୍ତନ କରିପାରେ, ତାହାର କୌଣସି ଧାରଣା ମନରେ ସୃଷ୍ଟି କରି ପାରି ନ ଥିବା ନେହରୁ ଏକ ସମସ୍ୟାର ତାତ୍କାଳିକ ସମାଧାନ ସ୍ବରୂପ ଏଭଳି ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହା ଅପରିଣାମଦର୍ଶୀ ରୂପେ ଆଖ୍ୟାୟିତ ହୋଇ ତାଙ୍କର ଏକ ‘ଅକ୍ଷମଣୀୟ ତ୍ରୁଟି’ ରୂପେ ତାକୁ ଦର୍ଶାଯାଉଛି। ଏହି ଆଧାରରେ କୁହାଯାଇପାରେ ଯେ ୨୦୭୦ ମସିହାରେ ପୃଥିବୀରେ ପରିବେଶ ସ˚କଟ ଅତ୍ୟନ୍ତ ଘନୀଭୂତ ହୋଇ ମାନବ ସମାଜ ତ୍ରାହି ତ୍ରାହି ଡାକୁଥିବା ବେଳେ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦତ୍ତ ପ୍ରତିଶ୍ରୁତି ସକାଶେ ହୁଏ’ତ ଏକ ‘ନେହରୁ ମୁହୂର୍ତ୍ତ’ର ଆବିର୍ଭାବ ଘଟିପାରେ। ଯଦି ଏଭଳି ସ୍ଥିତି ଉପୁଜିବା ଉଚିତ ନୁହେଁ ବୋଲି ସରକାର ଚାହୁଥାନ୍ତି, ତେବେ କାଳ ବିଳମ୍ବ ନ କରି ବର୍ତ୍ତମାନ ଠାରୁ ହିଁ ‘ନେଟ୍‌-ଜିରୋ’ ସ୍ଥିତି ସକାଶେ ପଥିକୃତ୍‌ ଉଦ୍ୟମ ଆରମ୍ଭ କରାଯିବା ଜରୁରୀ।

ସମ୍ବନ୍ଧିତ ଖବର