କୃଷ୍ଣ ଲୀଳା!
‘‘ଗହନ କାନନ ବନରେ ଘୋର ବରଷା କାଳ/ଗିରି ବାମ କରେ ଧରିଲେ ନନ୍ଦ ଯଶୋଦା ବାଳ।’’ କଳା କଳେବର ଚଉତିଶାରେ ଭକ୍ତଚରଣ ଦାସ ବର୍ଣ୍ଣନା କରିଥିବା ବାଳକ ଶ୍ରୀକୃଷ୍ଣଙ୍କର ଏହି ଗୋବର୍ଦ୍ଧନ-ଗିରି-ଟେକା ପ୍ରତିମୂର୍ତ୍ତି ନଭେମ୍ବର ୧୪ ରବିବାର ଦିନ ସେଠାରେ ଦର୍ଶକମାନଙ୍କ ପାଇଁ ଉନ୍ମୋଚିତ ହେବା ପୂର୍ବରୁ ଆମେରିକାର ଓହାଇଓ ରାଜ୍ୟର କ୍ଲିଭ୍ଲ୍ୟାଣ୍ତ ନଗରୀସ୍ଥିତ ଯଦୁଘର, ‘ଦି କ୍ଲିଭ୍ଲ୍ୟାଣ୍ତ ମ୍ୟୁଜିଅମ୍ ଅଫ୍ ଆର୍ଟ୍’ (‘ସିଏମ୍ଏ’) ଏ ସମ୍ବନ୍ଧରେ ଯେଉଁ ସୂଚନା ପ୍ରକାଶ କରିଥିଲା, ତାହାର ଶୀର୍ଷକ ରଖିଥିଲା: ‘‘ଟର୍ଣ୍ଣିଙ୍ଗ୍ ବ୍ୟାକ୍ ଟାଇମ୍: କନ୍-ଜର୍ଭିଙ୍ଗ୍ ସିଏମ୍ଏ’ସ୍ କ୍ରିଷ୍ଣା ସ୍କଲ୍ପଚର୍’’ (‘‘ସମୟକୁ ପଶ୍ଚାତ୍ଗତି ପ୍ରଦାନ: ‘ସିଏମ୍ଏ’ର କୃଷ୍ଣ ପ୍ରତିମୂର୍ତ୍ତିର ସ˚ରକ୍ଷଣ’’)।
Sambad is now on WhatsApp
Join and get latest news updates delivered to you via WhatsApp
‘ସିଏମ୍ଏ’ ଠାରେ ଉନ୍ମୋଚିତ ଏହି ବାଳକୃଷ୍ଣଙ୍କ ପ୍ରତିମୂର୍ତ୍ତିର ଅବଶ୍ୟ ଭକ୍ତଚରଣ ଦାସଙ୍କ ସହିତ କୌଣସି ସମ୍ପର୍କ ନାହିଁ, କାରଣ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାର ଏହି କବିଙ୍କ ସମୟର ଏକ ହଜାର ବର୍ଷରୁ ଅଧିକ କାଳ ପୂର୍ବରୁ ସପ୍ତମ ଶତାବ୍ଦୀର ଠିକ୍ ଆରମ୍ଭ ସମୟରେ ଯେଉଁ ଏକ ଭିନ୍ନ ଭୌଗୋଳିକ ସ୍ଥାନରେ ଏହି ମୂର୍ତ୍ତି ପ୍ରଥମେ ନିର୍ମିତ ହୋଇ ଥିଲା, ତାହା ହେଉଛି ପୂର୍ବ ଏସିଆସ୍ଥିତ ଦେଶ ଆଜିର କାମ୍ବୋଡ଼ିଆ। ସମୟ କ୍ରମେ ମନୁଷ୍ୟ ହାତରେ ଖଣ୍ତବିଖଣ୍ତିତ ହୋଇ ପଡ଼ିଥିବା ଗିରିଧର କୃଷ୍ଣଙ୍କର ଏହି ପ୍ରତିମୂର୍ତ୍ତିକୁ ତା’ର ସେଇ ପ୍ରାଚୀନ ମୂଳ ଅବସ୍ଥାକୁ ଫେରାଇ ନେବା ଉଦ୍ୟମକୁ ‘ସିଏମ୍ଏ’ ସମୟକୁ ପଛ ମୁହାଁ କରାଯାଇଛି ବୋଲି ଦାବି କରିଥିଲେ ହେଁ, ସେମାନଙ୍କର ଜାଣତରେ କିମ୍ବା ଅଜାଣତରେ ସେମାନେ ଏହା ଦ୍ବାରା ପଦାର୍ଥ ବିଜ୍ଞାନର ଏକ ସୁପରିଚିତ ନିୟମରେ ବ୍ୟତିକ୍ରମ ଘଟାଇଛନ୍ତି ବୋଲି ରହସ୍ୟରେ କୁହାଯାଇପାରେ।
ନିୟମଟିର ଏଠାରେ ଉପସ୍ଥାପନ କରିବା ପୂର୍ବରୁ ପଦାର୍ଥବିଜ୍ଞାନୀମାନେ ଏହାକୁ ବୁଝାଇବାକୁ ଯାଇ ଯେଉଁ ଏକ ଉଦାହରଣ ଦେବାକୁ ଭଲ ପାଇଥାନ୍ତି, ତାହାର ଏହି ଖଣ୍ତ ବିଖଣ୍ତିତ କୃଷ୍ଣମୂର୍ତ୍ତି ସହିତ ଥିବା ସାମଞ୍ଜସ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ। ସେମାନେ କହନ୍ତି, ମନେକର ତୁମେ ଚା’କପ୍ଟି ଓଠରେ ଲଗାଇବା ସମୟରେ କୌଣସି କାରଣରୁ କପ୍ଟି ହାତରୁ ଖସି ପଡ଼ି ଖଣ୍ତବିଖଣ୍ତିତ ହୋଇଗଲା ଓ ଚା’ତକ ଚଟାଣ ସାରା ଛିଟ୍କି ପଡ଼ିଲା। ଏକ ଅକ୍ଷତ କପ୍ ଓ ସେଥିରେ ଥିବା ଚା’ ହେଉଛି ସୁବିନ୍ୟସ୍ତ ସ˚ହତିର ସୂଚକ, ଏକ ଖଣ୍ତବିଖଣ୍ତିତ କପ ଓ ଛିଟ୍କି ପଡ଼ିଥିବା ଚା’ ହେଉଛି ଅବିନ୍ୟସ୍ତ ଅସ˚ହତିର ସୂଚକ। କୌଣସି ଏକ ପାର୍ଥିବ ବ୍ୟବସ୍ଥା (ଯେମିତି ଚା’ କପ୍)ର ସ˚ହତିରୁ ଅସ˚ହତି ଦିଗରେ ଏହି ଗମନ ହେଉଛି ପଦାର୍ଥ ବିଜ୍ଞାନର ସେଇ ଏକମାତ୍ର ନିୟମର ପରିଚାୟକ, ଯାହା ଅତୀତ ଓ ଭବିଷ୍ୟତ ମଧୢରେ ପାର୍ଥକ୍ୟ ସୂଚାଇଥାଏ।
ଅନ୍ୟ ଭାଷାରେ କହିଲେ ଏହା ସମୟର ତୀରକୁ ସୂଚାଇ ଥାଏ, ଯାହା ସର୍ବଦା ଏକ ମୁହାଁ ହୋଇ ଅତୀତରୁ ଭବିଷ୍ୟତ ଦିଗରେ ଗତି କରିଥାଏ। ଅକ୍ଷତ ଚା’ଭର୍ତ୍ତି କପ୍ ହେଉଛି ଅତୀତ; ଭଙ୍ଗା କପ୍ ଓ ଛିଟ୍କି ପଡ଼ିଥିବା ଚା’ ହେଉଛି ଭବଷ୍ୟତ। ସମୟର ତୀର ଯଦି ଓଲଟ ଗତିି କରି ପାରୁଥାନ୍ତା, ତେବେ କପ୍ଟିର ଭଗ୍ନା˚ଶ ସବୁ ପୁଣି ଓଲଟ ଗତି କରି ଆପେ ଯୋଡ଼ି ହୋଇଯାଇ ଏକ ଅକ୍ଷତ କପ୍ରେ ପରିଣତ ହୋଇଯାଆନ୍ତେ ଏବ˚ ତଳେ ଛିଟ୍କି ପଡ଼ିଥିବା ଚା’ ପୁଣି ଆପେ ଆପେ ଫେରିଯାଇ କପ୍ରେ ଭର୍ତ୍ତି ହୋଇଯାଆନ୍ତେ (ଯେମିତି ଏକ ସିନେମା ରିଲ୍କୁ ଓଲଟା ଚଳାଇଲେ ଦିଶିଥାଏ)। କିନ୍ତୁ ଆମେ କେବେ ହେଲେ ଏମିତି ଘଟିବା (କିମ୍ବା ଏକ ଜନ୍ମିତ ଶିଶୁ ମାତୃ ଗର୍ଭକୁ ପ୍ରତ୍ୟାବର୍ତ୍ତନ କରିବା, କିମ୍ବା ରାଜା ରବି ବର୍ମାଙ୍କ ଦ୍ବାରା ଅଙ୍କିତ ଏକ ତୈଳ ଚିତ୍ରର ନାୟିକା କାନ୍ଭାସ୍ରୁ ଫେରିଆସି ପୂର୍ବ ଭଳି ଏକ ଫାଙ୍କା କାନ୍ଭାସ୍ ସୃଷ୍ଟି କରି ପୁଣି ବିଭିନ୍ନ ରଙ୍ଗରେ ପରିଣତ ହୋଇ ପ୍ୟାଲେଟ୍ର ଖୋପମାନଙ୍କରେ ଆଶ୍ରୟ ନେବା, କିମ୍ବା….) ଦେଖିବାକୁ ନ ପାଇବା ପଛରେ ପଦାର୍ଥବିଜ୍ଞାନର ଯେଉଁ ପୂର୍ବ ସୂଚିତ ନିୟମ କାର୍ଯ୍ୟ କରିଥାଏ, ତାହା ‘ଥର୍ମୋଡାଇନାମିକ୍ସର ଦ୍ବିତୀୟ ନିୟମ’ ରୂପେ ପଦାର୍ଥ ବିଜ୍ଞାନର ଛାତ୍ରମାନଙ୍କର ସୁପରିଚିତ।
ଅତି ସ˚କ୍ଷେପରେ କହିଲେ ଏହି ନିୟମ ଘୋଷଣା କରିଥାଏ: ଏକ ବ୍ୟବସ୍ଥାର ‘ଏଣ୍ଟ୍ରପି’ରେ ଅନବରତ ବୃଦ୍ଧି ଘଟି ଚାଲିଯାଏ। ସେହିପରି ଅତି ସ˚କ୍ଷେପରେ କହିଲେ, ‘ଏଣ୍ଟ୍ରପି’ ହେଉଛି ଅବିନ୍ୟସ୍ତ ଅସ˚ହତିର ଏକ ପରିମାପକ। ଲୁଡ୍ଵିଗ୍ ବୋଲ୍ଜମ୍ୟାନଙ୍କ ଦ୍ବାରା ସାବ୍ୟସ୍ତ ହୋଇଥିବା ଭଳି ନୀଚା ‘ଏଣ୍ଟ୍ରପି’ ଯୁକ୍ତ ସୁବିନ୍ୟସ୍ତ ସ˚ହତି ସର୍ବଦା ଅତୀତର ଅ˚ଶ ହୋଇଥିବା ବେଳେ ଉଚ୍ଚା ‘ଏଣ୍ଟ୍ରପି’ ଯୁକ୍ତ ଅବିନ୍ୟସ୍ତ ଅସ˚ହତି ହେଉଛି ଭବିଷ୍ୟତ।
ଆଜକୁ ପ୍ରାୟ ପନ୍ଦର ଶହ ବର୍ଷ ତଳେ ଦକ୍ଷିଣ କାମ୍ବୋଡ଼ିଆର ‘ନମ୍ ଦା’ ପାହାଡ଼ର ଏକ ଗୁମ୍ଫା-ମନ୍ଦିର ଭିତରେ ଖଣ୍ତିଏ ମାତ୍ର ବଡ଼ ପଥରରୁ ଖୋଦେଇ ହୋଇ ନିର୍ମିତ ହୋଇଥିବା ପ୍ରାୟ ଦଶ ଫୁଟ ଉଚ୍ଚତା ବିଶିଷ୍ଟ ଏହି କୃଷ୍ଣମୂର୍ତ୍ତି ଏପରି ଛିଡ଼ା ହୋଇଥିଲେ ଯେ ମନେ ହେଉଥିଲା ସତେ ଯେପରି ସେ ପୂରା ‘ନମ୍ ଦା’ ପାହାଡ଼ଟିକୁ ଗୋବର୍ଦ୍ଧନ ଗିରି ପରି ନିଜର ବାମ ହାତର କାଣୀ ଆଙ୍ଗୁଠିରେ ଟେକି ଧରିଥିଲେ। କାଳକ୍ରମେ ସେ ମୂର୍ତ୍ତିର ସେଇ ନୀଚା ‘ଏଣ୍ଟ୍ରପି’ ଯୁକ୍ତ ସ˚ହତିରେ ଅବକ୍ଷୟ ଘଟି ତାହାର ଖଣ୍ତବିଖଣ୍ତିତ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଏକ ଭଗ୍ନ ଚା’ କପ୍ର ବିଖଣ୍ତିତ ଅ˚ଶ ମାନ ଭଳି ଇତଃ-ସ୍ତତଃ ଭାବରେ କାମ୍ବୋଡ଼ିଆ, ଫ୍ରାନ୍ସ ଓ ଆମେରିକାର ବିଭିନ୍ନ ସ୍ଥାନରେ ଅବିନ୍ୟସ୍ତ ଭାବରେ ବିଛାଡ଼ି ହୋଇ ଏକ ଉଚ୍ଚା ‘ଏଣ୍ଟ୍ରପି’ ବହନ କରି ପଡ଼ି ରହିଥିଲେ। ସମୟ କ୍ରମେ ସେଥିମଧୢରୁ ଅଧିକା˚ଶ ଆସି ‘ସିଏମ୍ଏ’ରେ ପହଞ୍ଚି ଯାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏହି କୃଷ୍ଣ ମୂର୍ତ୍ତିର ସମସାୟିକ ‘ନମ୍ପେନ୍ କୃଷ୍ଣ’ ନାମକ ଅନ୍ୟ ଏକ ମୂର୍ତ୍ତି ମଧୢ କାଳକ୍ରମେ ଅନୁରୂପ ଢ଼ଙ୍ଗରେ ଯାଇ କାମ୍ବୋଡ଼ିଆର ‘ନେସନାଲ୍ ମ୍ୟୁଜିଅମ୍’ରେ ସ୍ଥାପିତ ହୋଇଥିଲେ। କିନ୍ତୁ ଯେହେତୁ ଖଣ୍ତବିଖଣ୍ତିତ ଅଙ୍ଗପ୍ରତ୍ୟଙ୍ଗ ସବୁକୁ ଯୋଡ଼ାଯୋଡ଼ି କରି ଉଭୟ ମୂର୍ତ୍ତିଙ୍କର ପୁନର୍ଗଠନ କରା ଯାଇଥିଲା, ବିଶେଷଜ୍ଞମାନେ ସର୍ବଦା ସନ୍ଦେହ ପ୍ରକାଶ କରି ଆସୁଥିଲେ ଯେ ଉଭୟ ମୂର୍ତ୍ତିଙ୍କ ମଧୢରେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଦଳ ବଦଳ ହୋଇ ଭ୍ରମାତ୍ମକ ଭାବରେ ଖଞ୍ଜା ଯାଇଛି। ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ସେ ଭୁଲ୍ ସବୁକୁ ଚିହ୍ନଟ କରାଯିବା ପରେ ବର୍ଷ ବର୍ଷ ଧରି ସଯତ୍ନ ପରିଶ୍ରମ କରି ଯୋଡ଼ା ଯାଇଥିବା ଅଙ୍ଗପ୍ରତ୍ୟଙ୍ଗ ସବୁକୁ ପୁଣି ବାହାର କରି ଉଭୟ ମ୍ୟୁଜିଅମ୍ ମଧୢରେ ବିନିମୟ କରାଯାଇ ‘କ୍ଲିଭ୍ଲ୍ୟାଣ୍ତ କୃଷ୍ଣ’ଙ୍କର ଅସଲି ଅଙ୍ଗପ୍ରତ୍ୟଙ୍ଗ ସବୁକୁ କ୍ଲିଭ୍ଲ୍ୟାଣ୍ତ କୃଷ୍ଣ ମୂର୍ତ୍ତିରେ ଓ ‘ନମ୍ପେନ୍ କୃଷ୍ଣ’ଙ୍କର ଅସଲି ଅଙ୍ଗପ୍ରତ୍ୟଙ୍ଗ ନମ୍ପେନ୍ କୃଷ୍ଣମୂର୍ତ୍ତିରେ ଖଞ୍ଜା ଯାଇଛି।
ରବିବାର ଦିନ ‘ସିଏମ୍ଏ’ ଠାରେ ଏହି ପୁନର୍ଗଠିତ ଅସଲି ‘ନମ୍ ଦା’ କୃଷ୍ଣ ମୂର୍ତ୍ତି ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା ଓ ସେଥି ସହିତ ଏକ ‘ଐନ୍ଦ୍ରଜାଲିକ ଡିଜିଟାଲ ସୋ’ ମାଧୢମରେ କୃଷ୍ଣଙ୍କର ଗୋବର୍ଦ୍ଧନ ଗିରି ଟେକା ଭାଗବତ କାହାଣୀ ଓ ଉକ୍ତ ମୂର୍ତ୍ତିର ମୂଳ ଆସ୍ଥାନ ‘ନାମ୍ ଦା’ ପାହାଡ଼ର ଦୃଶ୍ୟମାନ ପ୍ରଦର୍ଶିତ ହୋଇ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହାର ଆବେଶରେ ସେମାନଙ୍କ ମଧୢରୁ କେହି ଯଦି ବିଶ୍ବାସ କରିଥିବେ ଯେ କାଣୀ ଆଙ୍ଗୁଠିରେ ପାହାଡ଼ ଟେକିଥିବା ଭଳି ଅଲୌକିକ ଲୀଳା ରଚନା କରିଥିବା ଶ୍ରୀକୃଷ୍ଣ ମଧୢ ‘ଥର୍ମୋଡାଇନାମିକ୍ସ’ର ଦ୍ବିତୀୟ ନିୟମରେ ବ୍ୟତିକ୍ରମ ଘଟାଇ, ‘ଏଣ୍ଟ୍ରପି’ରେ ହ୍ରାସ ଘଟାଇ, ସମୟ ତୀରକୁ ଓଲଟ ଚଳାଇ ନିଜର ଖଣ୍ତବିଖଣ୍ତିତ ମୂର୍ତ୍ତିକୁ ପୁଣି ଆଦ୍ୟ ଅବସ୍ଥାକୁ ଫେରାଇ ନେଇଛନ୍ତି- ସେଥିପାଇଁ ସେମାନଙ୍କୁ ଦୋଷ ଦେଇ ହେବ ନାହିଁ। ଏଣୁ ‘ସିଏମ୍ଏ’ ବ୍ୟବହାର କରିଥିବା ଉପରୋକ୍ତ ଓଲଟ- ସମୟ ଶୀର୍ଷକ ଯଥାର୍ଥ ମନେ ହୋଇଥାଏ।