ବାଇବଲ୍ରେ ‘ବିଟିଚ୍ୟୁଡ୍’ ଭାବେ ସ୍ବୀକୃତ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଆଠଟି ମହତ୍ ବାଣୀ ବା ‘ସର୍ମନ୍’ ମଧୢରୁ ଯେଉଁ ଗୋଟିକ ଖୁବ୍ ପ୍ରସିଦ୍ଧ ଏବ˚ ଅନେକଙ୍କ ଦ୍ବାରା ଭୁଲ୍ ବୁଝାମଣାର ଶିକାର; ତାହା ହେଲା ‘ବ୍ଲେସ୍ଡ ଆର୍ ଦ ମିକ୍ ଫର୍ ଦେ ସାଲ୍ ଇନହେରିଟ୍ ଦ ଆର୍ଥ୍’, ଯାହାର ଓଡ଼ିଆ ମର୍ମାର୍ଥ ହେଉଛି ‘ନମ୍ର ସ୍ବଭାବର ବ୍ୟକ୍ତି(ମିକ୍)ମାନେ ହିଁ ଭାଗ୍ୟବନ୍ତ, କାରଣ ସେମାନେ ଏ ପୃଥିବୀର ଉତ୍ତରାଧିକାରୀ ହେବେ।’ ଯୀଶୁ ଏଭଳି ମହତ୍ ବାଣୀ ପ୍ରଦାନ କରିଥିବା ସମୟରେ ପୃଥିବୀ ସମର-ବିବର୍ଣ୍ଣ ଥିଲା ଏବ˚ ତତ୍କାଳୀନ ଗ୍ରେକୋ-ରୋମାନ୍ ସଭ୍ୟତାର ବିଚାରରେ ବଳ ବା ଶୌର୍ଯ୍ୟ ଏବ˚ ଯୋଦ୍ଧାସୁଲଭ ଆକ୍ରମଣାତ୍ମକ ମନୋଭାବ ହିଁ ଥିଲା ପୃଥିବୀକୁ ଅଧିକାର କରିବାର ଏକ ମାତ୍ର ବାଟ। କହିବା ବାହୁଲ୍ୟ, ଏବେ ମଧୢ ମାନବ ଜାତିର ଏକ ବୃହଦା˚ଶ ଠାରେ ଏହି ଧାରଣା ବଦ୍ଧମୂଳ ହୋଇ ରହିଛି। କିନ୍ତୁ ଏହା ସତ୍ତ୍ବେ ‘ମିକ୍’ ବା ‘ବିନମ୍ର ସ୍ବଭାବଧାରୀ’ମାନଙ୍କ ପ୍ରଭାବ ଯେ ଏକ ଅନ୍ତଃ-ସଲିଳ ରୂପେ ମାନବ ଜାତି ମଧୢରେ ପ୍ରବାହିତ ହୋଇ ପୃଥିବୀକୁ ଆପ୍ଳୁତ କରି ରଖିଛି; ତାହା ମଧୢ ଦୃଷ୍ଟାନ୍ତର ସହିତ ପ୍ରମାଣ କରାଯାଇପାରେ। ତେବେ, ଏଠାରେ ଯୀଶୁଙ୍କ ଏହି ବାଣୀ ସ୍ମରଣକୁ ଆସିବାର କାରଣ ହେଲା ଗଲା ନଭେମ୍ବର ୧୩ ତାରିଖରେ କଟକରେ ଦୃଶ୍ୟମାନ ହୋଇଥିବା ଏକ ଅତ୍ୟନ୍ତ ବିରଳ ଘଟଣା, ଯହିଁରେ ମିନତି ପଟ୍ଟନାୟକ ନାମକ ଜଣେ ଭଦ୍ର ମହିଳା ତାଙ୍କର ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସ˚ପତ୍ତିକୁ ବୁଢ଼ା ସାମଲ ନାମକ ଜଣେ ରିକ୍ସା ଚାଳକଙ୍କ ହାତରେ କାନୁନଗତ ଭାବେ ଅର୍ପଣ କରି ଦେଇଛନ୍ତି। ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ଯେଉଁ ଅତ୍ୟନ୍ତ ବିରଳ ମାନବୀୟ ଆଦର୍ଶ ଓ ଦୃଷ୍ଟିକୋଣର ପ୍ରତୀକ ଭାବେ ବିଦ୍ୟମାନ, ତହିଁରେ ‘ମିକ୍’ମାନଙ୍କ ଦ୍ବାରା ପୃଥିବୀ ଜିଣାଯିବାର ସମ୍ଭାବନା ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୋଇଥାଏ।
ମନୁଷ୍ୟର ଦୁର୍ବଳତାକୁ ଢାଙ୍କିବା ଲାଗି ନମ୍ର ସ୍ବଭାବ ଏକ ଛଦ୍ମ ଆବରଣ ବୋଲି ଅନେକ ବିଚାର କରନ୍ତି। ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ ଦାର୍ଶନିକ ଫ୍ରେଡରିକ ନିଚା ମଧୢ ଅନୁରୂପ ଧାରଣାର ବଶବର୍ତ୍ତୀ ହୋଇ କହିଥିଲେ ଯେ ବିନମ୍ରତା ଜଣେ କାପୁରୁଷ ସକାଶେ ତିଷ୍ଠି ରହିବାର ଗଳା ବାଟ ମାତ୍ର। କିନ୍ତୁ ଏହି ଧାରଣାର ବିପରୀତରେ ଯାଇ ମାନବ ଜାତି ପୃଥିବୀ ପୃଷ୍ଠରେ ଏଭଳି ‘ମିକ୍’ମାନଙ୍କ ଦୃଷ୍ଟାନ୍ତ ସୃଷ୍ଟି କରିଛି, ଯେଉଁମାନେ ହିଁ ବାସ୍ତବରେ ଜଣେ ଜଣେ ଚିରନ୍ତନ ବିଶ୍ବ-ଚକ୍ରବର୍ତ୍ତୀ ରୂପେ ଉଭା ହୋଇଥାଆନ୍ତି। ଗୌତମ ବୁଦ୍ଧ, ମହାବୀର ଜୈନ, ଯୀଶୁଖ୍ରୀଷ୍ଟ, ଗୁରୁ ନାନକ, ମହାତ୍ମା ଗାନ୍ଧୀ ଇତ୍ୟାଦି ହେଉଛନ୍ତି ଏଭଳି ‘ମିକ୍’ମାନଙ୍କ ପ୍ରତିନିଧି, ଯେଉଁମାନଙ୍କ ଦିଗ୍ବିଜୟ ସମକ୍ଷରେ ଆଲେକ୍ଜାଣ୍ତର ବା ଆଟିଲା ଦ ହୁଣ୍ ବା ଚିଙ୍ଗିଜ ଖାଁ ଇତ୍ୟାଦି ଅତ୍ୟନ୍ତ ନିଷ୍ପ୍ରଭ ଦିଶନ୍ତି। କହିବା ବାହୁଲ୍ୟ ଯେ ଏହି ସୁପୁରୁଷମାନେ ହିଁ ସେମାନଙ୍କ କାର୍ଯ୍ୟ ଦ୍ବାରା ‘ମିକ୍’ ଚରିତ୍ରକୁ ପ୍ରଶସ୍ତ କରି ତହିଁରେ ଯେଉଁ ସବୁ ମାନବୀୟ ଗୁଣମାନଙ୍କୁ ଅନ୍ତର୍ଭୁକ୍ତ କରିଥାଆନ୍ତି, ସେଗୁଡ଼ିକ ମଧୢରେ ଅଛନ୍ତି ସୁଶୀଳତା, ସହନଶୀଳତା, ଧୈର୍ଯ୍ୟ, କ୍ଷମା-ଭାବ, କରୁଣା, ଶ୍ରଦ୍ଧା, ସହିଷ୍ଣୁତା, ତ୍ୟାଗ ଇତ୍ୟାଦି, ଯାହା ପ୍ରକୃତରେ ମନୁଷ୍ୟ ଚରିତ୍ରର ଦୃଢ଼ତା ଭାବେ ସାବ୍ୟସ୍ତ ହୋଇଥାଆନ୍ତି ଏବ˚ ଯେଉଁ ସବୁ ଗୁଣ ମାନବ ହୃଦୟକୁ ଭେଦି ଯାଇ ତାକୁ କୋମଳାର୍ଦ୍ର କରି ରଖିଛି।
ତେବେ, ଏହି ସ˚ଦର୍ଭରେ କହି ହେବ କି କଟକର ବୁଢ଼ା ସାମଲ ମଧୢ ‘ମିକ୍’ମାନଙ୍କର ଜଣେ ପ୍ରତିନିଧି? କଟକ ଘଟଣାର ପୃଷ୍ଠଭୂମିରୁ ଯାହା ଜଣାପଡ଼ିଥାଏ, ତାହା ହେଲା ଯେ ବିଗତ ଦୀର୍ଘ ପଚିଶ ବର୍ଷ ଧରି କଟକର ସ˚ଭ୍ରାନ୍ତ ପଟ୍ଟନାୟକ ପରିବାର ସହିତ ବୁଢ଼ା ସାମଲଙ୍କ ସ˚ପର୍କ ରହି ଆସିଛି, ଯାହା ସମ୍ଭବତଃ ପରିବାରର କୁନି ଝିଅଟିକୁ ନିଜ ରିକ୍ସାରେ ସ୍କୁଲ୍ ନେଇ ଯିବା ସମୟରେ ଏକ ବୀଜ ରୂପେ ଆରମ୍ଭ ହୋଇ ଚେର ପ୍ରସାର କରିଥିବ ଏବ˚ ଅବଲୀଳା କ୍ରମେ ତାହା ପରିବାରର ଦୈନନ୍ଦିନ ଜୀବନର ସୂକ୍ଷ୍ମତର ପ୍ରଦେଶକୁ ସ୍ପର୍ଶ କରି ସେଠାରେ ଦୃଢ଼ମୂଳ ହେବା ସହିତ ଏକ ପାରିବାରିକ ବନ୍ଧନ ରୂପେ ପଲ୍ଲବିତ ହୋଇଥିବ। କହିବା ଅନାବଶ୍ୟକ ଯେ ବୁଢ଼ା ସାମଲ ସ˚ପୂର୍ଣ୍ଣ ରୂପେ ମହତ୍ତ୍ବାକା˚କ୍ଷା-ରହିତ ହୋଇ ନିଃସ୍ବାର୍ଥପର ଭାବେ ପଟ୍ଟନାୟକ ପରିବାରର ସୁଖ ଓ ଦୁଃଖରେ ଛିଡ଼ା ହୋଇଥିବେ। ଏ ସ˚ଦର୍ଭରେ ବିଭିନ୍ନ ଗଣମାଧୢମରେ ପ୍ରସାରିତ ଓ ପ୍ରକାଶିତ ସମ୍ବାଦ ଅନୁସାରେ ଗଲା ବର୍ଷକ ମଧୢରେ ଏକ ନିଦାରୁଣ ଟ୍ରାଜେଡି ରୂପେ ମିନତି ପଟ୍ଟନାୟକ ପ୍ରଥମେ ନିଜ ସ୍ବାମୀ ଏବ˚ ପରେ ଏକ ମାତ୍ର କନ୍ୟାଙ୍କୁ ଅତ୍ୟନ୍ତ ସ୍ବଳ୍ପ ସମୟ ବ୍ୟବଧାନରେ ହରାଇ ସ˚ପୂର୍ଣ୍ଣ ବିଧ୍ବସ୍ତ ହୋଇ ଯାଇଥିଲେ। ସେତିକି ବେଳେ ନିଜ ସମୀପରେ ଆପଣା ପରିବାରର ପ୍ରିୟ ପରିଜନଙ୍କ ବଦଳରେ ସେ ଯାହାଙ୍କୁ ପାଇଥିଲେ, ସେ ଥିଲେ ବୁଢ଼ା ସାମଲ। ଗଣମାଧ୍ୟମାରେ ପ୍ରସାରିତ ମିନତି ପଟ୍ଟନାୟକଙ୍କ ପ୍ରଦତ୍ତ ବକ୍ତବ୍ୟରେ ଶୁଣିବାକୁ ମିଳିଥାଏ ଯେ ବୁଢ଼ାଙ୍କୁ ସେ ପ୍ରଦାନ କରିଥିବା ଇଟା-ସିମେଣ୍ଟର ଘର ବା ଅଳଙ୍କାର ବା ଅନ୍ୟାନ୍ୟ ଆସବାବପତ୍ରର ମୂଲ୍ୟାୟନ କରାଯିବା ସମ୍ଭବ; କିନ୍ତୁ ପ୍ରତିବଦଳରେ ବୁଢ଼ାଙ୍କ ଠାରୁ ସେ ଯେଉଁ ବିରଳ ସାହାଯ୍ୟ ଓ ସହଯୋଗ ଲାଭ କରିଛନ୍ତି, ତାହା ମୂଲ୍ୟାତୀତ। ସୁତରା˚, ଏଥିରୁ ପ୍ରା˚ଜଳ ହୋଇ ନ ଥାଏ କି ବୁଢ଼ା ଯୀଶୁ କହିଥିବା ଭଳି ‘ମିକ୍’ମାନଙ୍କ ମଧୢରୁ ଅନ୍ୟତମ, ଯିଏ ସ୍ବାଭାବିକ ଭାବେ ‘ଉତ୍ତରାଧିକାରୀ’ ହେବାର ଯୋଗ୍ୟତା ବହନ କରନ୍ତି?
ଏଠାରେ ଏହି ଆଲୋଚନା ବେଳେ ପ୍ରସଙ୍ଗ କ୍ରମେ ନିଃସଙ୍ଗ ପରିଣତ ବୟସ୍କଙ୍କ ବିଷୟ ମନକୁ ଆସିଥାଏ, ମିନତି ଦେବୀ ଯେଉଁମାନଙ୍କ ମଧୢରୁ ଜଣେ। ୨୦୧୭ ମସିହାରେ ହୋଇଥିବା ‘ଚେନ୍ଜି˚ ନିଡ୍ସ ଏଣ୍ତ୍ ରାଇଟ୍ସ ଅଫ୍ ଓଲ୍ଡର ପିପୁଲ ଅଫ ଇଣ୍ତିଆ’ ଶୀର୍ଷକ ଏକ ସର୍ଭେ କହିଥାଏ ଯେ ଭାରତରେ ୪୭.୪୯ ପ୍ରତିଶତ ବା ପ୍ରାୟ ଅର୍ଧେକ ବରିଷ୍ଠ ନାଗରିକ ଗଭୀର ନିଃସଙ୍ଗତା ଓ ଅସହାୟତାବୋଧର ଶିକାର; ସହରାଞ୍ଚଳରେ ବାସ କରୁଥିବା ଏଭଳି ବରିଷ୍ଠମାନଙ୍କ ହାର ହେଉଛି ୬୧ ପ୍ରତିଶତ। ଏହାର ଅନେକ କାରଣ ମଧୢରୁ ମୁଖ୍ୟ ଦୁଇଟି ହେଲେ, ସେମାନଙ୍କ ଉଚ୍ଚାଭିଳାଷୀ ସନ୍ତାନମାନେ ନିଜ ନିଜ ସ୍ବପ୍ନର ନୀଡ଼ ଗଢ଼ି ସ୍ଥାନାନ୍ତରିତ ହୋଇଛନ୍ତି; ଏବଂ ଏକ ବିସ୍ତୀର୍ଣ୍ଣ ପରିବାରକୁ ଯୋଡ଼ି ରଖିବା ଲାଗି ଲୋଡ଼ା ସ˚ପର୍କର ରଜ୍ଜୁ ବିଭିନ୍ନ କାରଣରୁ ଶିଥିଳ ପଡ଼ି ପରିବାର ସଦସ୍ୟମାନଙ୍କୁ ଏଭଳି ବିକ୍ଷିପ୍ତ ଓ ନିର୍ଲିପ୍ତ କରି ପକାଇଛି ଯେ ସମସ୍ତେ ଏକା ଭଳି ଦୁର୍ବିଷହ ସଙ୍ଗହୀନ ଜୀବନ କାଟିବାକୁ ବାଧୢ ହେଉଛନ୍ତି। ଏହି ସର୍ଭେରୁ ଫୁଟି ଉଠିଥିବା ଏକ ବିକଳ ଚିତ୍ର ହେଲା ଏହି ବରିଷ୍ଠ ନାଗରିକମାନେ ଶାରୀରିକ ସାମର୍ଥ୍ୟର ଅଭାବରୁ ରୋଷେଇ କରି ନ ପାରି କୌଣସିମତେ ବଞ୍ଚିବା ଲାଗି କାମଚଳା ଆହାର କରୁଥିବାରୁ କୁପୋଷଣର ଶିକାର; ସେମାନଙ୍କ ବାସଗୃହଗୁଡ଼ିକ ସଫେଇ ଅଭାବରୁ ଅତ୍ୟନ୍ତ ଅପରିଚ୍ଛନ୍ନ ରହି ସେମାନଙ୍କ ଲାଗି ବିଭିନ୍ନ ରୋଗର କାରଣ ହେଉଛି ଏବ˚ ବିଭିନ୍ନ ସମୟରେ ଶାରୀରିକ ଦୌର୍ବଲ୍ୟ ହେତୁ ପଡ଼ି ଯାଇ ସେମାନେ ଗୁରୁତର ଆଘାତ (ହାଡ଼ ଭଙ୍ଗା ଭଳି) ପ୍ରାପ୍ତ ହେଉଛନ୍ତି।
କେବଳ ସେତିକି ନୁହେଁ, ଏଭଳି ନିଘଞ୍ଚ ନିଃସଙ୍ଗତା, ଅସହାୟତା ଏବ˚ ଅସୁରକ୍ଷା ଭାବ ସେମାନଙ୍କ ମଧୢରୁ ଅଧିକା˚ଶଙ୍କ ସକାଶେ ମନୋଚିକିତ୍ସା ଅନିବାର୍ଯ୍ୟ କରିଥିବା ସତ୍ତ୍ବେ ସେମାନେ ତହିଁରୁ ବଞ୍ଚିତ ହୋଇ ରହିଛନ୍ତି। କିନ୍ତୁ ଏହି ପରିପ୍ରେକ୍ଷୀରେ ବିଡ଼ମ୍ବନାଟି ହେଲା ଆମ ସମାଜରେ ବୁଢ଼ା ସାମଲମାନଙ୍କ ଭଳି ଚରିତ୍ରମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ।
ରାମାୟଣରେ ବର୍ଣ୍ଣିତ ରହିଛି କିଭଳି ସେତୁବନ୍ଧ ବନ୍ଧା ଯାଉଥିବା ବେଳେ ମହାବଳୀ ବାନର ସେନାଙ୍କ ଭୀମକାୟ ପ୍ରୟାସ ମଧୢରେ ଏକ କ୍ଷୁଦ୍ର ଗୁଣ୍ତୁଚି ମୂଷା ଖୁବ୍ ସନ୍ତର୍ପଣରେ କିଛି ବାଲି କଣିକା ନିଜ ପିଠିରେ ବହନ କରି ବନ୍ଧ ଉପରେ ଝାଡ଼ି ଦେଉଥିବାର ଅକ୍ଳାନ୍ତ ଓ ବାରମ୍ବାର ଉଦ୍ୟମର ଦୃଶ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଏଭଳି ବିମୋହିତ କରି ପକାଇଥିଲା ଯେ ସେ ସ୍ନେହରେ ତାକୁ ଆଉଁଷି ଦେଇ ଚିରନ୍ତନ କାଳ ସକାଶେ ଶ୍ରଦ୍ଧା ଓ କୃତଜ୍ଞତାର ସନ୍ତକ ସ୍ବରୂପ ତା’ର ପିଠିରେ ଆଙ୍ଗୁଳି ସ୍ପର୍ଶର ଚିହ୍ନ ରଖି ଦେଇ ଯାଇଛନ୍ତି। ଏହା ଅନସ୍ବୀକାର୍ଯ୍ୟ ଯେ ଗୁଣ୍ତୁଚି ମୂଷା ମଧୢ ବୁଢ଼ା ସାମଲଙ୍କ ଭଳି ‘ମିକ୍’ ଚରିତ୍ରର ନିଦର୍ଶନ; ଯିଏ ସ˚ପର୍କର ସେତୁବନ୍ଧ ଗଢ଼ିବାରେ ଏକ ଅନିର୍ବଚନୀୟ ଦୃଷ୍ଟାନ୍ତ ସ୍ଥାପନ କରି ପ୍ରତିବଦଳରେ କୃତଜ୍ଞତା ଓ ଶ୍ରଦ୍ଧାର ଆଉଁଷା ଲାଭ କରିଛନ୍ତି।