ପୃଥିବୀ ସାରା ତାଙ୍କର ଅଗଣିତ ଅନୁରାଗୀମାନଙ୍କର ଦୀର୍ଘକାଳର ଉତ୍କଣ୍ଠାରେ ଅବସାନ ଘଟାଇ ୨୦୧୫ରେ କାଳଜୟୀ ଉପନ୍ୟାସ ‘ଟୁ କିଲ୍‌ ଏ ମକିଙ୍ଗ୍‌ ବାଡ୍‌ର୍’ର ରଚୟିତା ହାର୍ପର୍‌ ଲି’ଙ୍କର ଅର୍ଧ ଶତାବ୍ଦୀରୁ ଅଧିକ କାଳ ତଳେ ରଚିତ ଦ୍ୱିତୀୟ ଉପନ୍ୟାସଟି ଯେତେବେଳେ ଆବିଷ୍କୃତ ହୋଇ ପ୍ରକାଶିତ ହେଲା, ସେତେବେଳେ ଅନ୍ୟତ୍ର ଭଳି ଭାରତରେ ମଧ୍ୟ ହାର୍ପର୍‌ ଲି-ପ୍ରେମୀମାନଙ୍କ ମଧ୍ୟରେ ଘୋର ଉଚ୍ଚାଟ ସୃଷ୍ଟି ହୋଇଥିଲା। ସଂଯୋଗ କ୍ରମେ ଲି’ଙ୍କର ଏହି ଦ୍ୱିତୀୟ ତଥା ଏକମାତ୍ର ଅନ୍ୟ ଉପନ୍ୟାସଟି (ଏହା ପ୍ରକାଶିତ ହେବାର ବର୍ଷକ ମଧ୍ୟରେ ଏହି ମହାନ୍‌ ଔପନ୍ୟାସିକା ପରଲୋକ ଗମନ କରିଥିଲେ) ବର୍ଣ୍ଣବୈଷମ୍ୟ ଅଧ୍ୟୁଷିତ ତତ୍କାଳୀନ ଆମେରିକୀୟ ସମାଜ ଉପରେ ଆଧାରିତ ହୋଇଥିଲେ ହେଁ (ଏହାକୁ ପ୍ରକୃତରେ ‘ମକିଙ୍ଗ୍‌ ବାଡ୍‌ର୍’ର ପୂର୍ବ ଭାଗ ରୂପେ ବିଚାର କରାଯାଏ), ଏହାର ଶୀର୍ଷକ ଓ ତା’ର ତାତ୍ପର୍ଯ୍ୟ ବିଦଗ୍‌ଧ ଭାରତୀୟ ପାଠକ ପାଠିକା ମାନଙ୍କ ମଧ୍ୟରେ ସେଇ ସମୟରେ ଏକ ପରିଚିତ ପ୍ରତିଧ୍ୱନି ସୃଷ୍ଟି କରିଥିଲା।

Advertisment

ଉପନ୍ୟାସଟି ପାଇଁ ହାର୍ପର୍‌ ଲି ଯେଉଁ ଶୀର୍ଷକ ବାଛି ଥିଲେ ତାହା ହେଲା- ‘ଗୋ ସେଟ୍‌ ଏ ଓ୍ଵାଚ୍‌ମ୍ୟାନ୍‌’ (ଯୋଗ୍ୟ ଚୌକିଦାରଟିଏ ନିଯୁକ୍ତ କର’)। ଲି ତାଙ୍କର ପୁସ୍ତକର ଏହି ଶୀର୍ଷକଟିକୁ ବାଇବ୍‌ଲରୁ ଉଦ୍ଧାର କରିଥିଲେ। କିଙ୍ଗ୍‌ ଜେମ୍‌ସ ବାଇବ୍‌ଲର ‘ବୁକ୍‌ ଅଫ୍‌ ଦି ପ୍ରଫେଟ୍‌ ଇସାଇଆ’ରେ ବେବିଲୋନ୍‌କୁ ଅନୈତିକତା ଓ ଶଠତାରୁ ଉଦ୍ଧାର କରିବା ପାଇଁ ଜଣେ ଚୌକିଦାର ବା ଜଗୁଆଳି ନିଯୁକ୍ତ କରିବାକୁ ଈଶ୍ୱର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମହାପୁରୁଷ ଇସାଇଆ ପ୍ରକାଶ କରିଥିଲେ। ଈଶ୍ୱର ତାଙ୍କୁ କହିଥିଲେ: ‘‘ଗୋ, ସେଟ୍‌ ଏ ଓ୍ଵାଚ୍‌ମ୍ୟାନ୍‌, ଲେଟ୍‌ ହିମ୍‌ ଡିକ୍ଲେଆର୍‌ ହ୍ଵାଟ୍‌ ହି ସିଥ୍‌’’ (‘‘ଯାଅ, ଚୌକିଦାରଟିଏ ନିଯୁକ୍ତ କର, ସେ ଯାହା ଦେଖିବ ତାହା ପ୍ରକାଶ କରୁ’’)। ଅର୍ଥାତ୍‌ କୌଣସି ଅନୈତିକ କାର୍ଯ୍ୟ ଚୌକିଦାରର ସତର୍କ ଦୃଷ୍ଟିକୁ ଏଡ଼ାଇ ପାରିବ ନାହିଁ। ଚୌକିଦାର ପହରା ଦେଇ ବେବିଲୋନ୍‌କୁ ସୁରକ୍ଷିତ ରଖିବ।

ଏହି ପୁସ୍ତକ ପ୍ରକାଶ ପାଇବାର ପ୍ରାୟ ବର୍ଷକ ପୂର୍ବରୁ ଭାରତୀୟମାନେ ଠିକ୍‌ ଏଇଭଳି ଜଣେ ବାଇବ୍‌ଲ-ବର୍ଣ୍ଣିତ ଚୌକିଦାରକୁ ନିଜ ଦେଶରେ ନିଯୁକ୍ତ କରିଥିଲେ। ନିର୍ବାଚନ ମାଧ୍ୟମରେ ନିଯୁକ୍ତି ଲାଭ ପୂର୍ବରୁ ଏହି ପ୍ରାର୍ଥୀ ଜଣକ ଉଚ୍ଚ କଣ୍ଠରେ ଦେଶବାସୀଙ୍କୁ ଅନୁରୋଧ କରି କହିବାରେ ଲାଗିଥିଲେ: ‘‘ଭାଇ ଓ ଭଉଣୀମାନେ, ଆପଣମାନେ ମୋତେ ପ୍ରଧାନମନ୍ତ୍ରୀ କରନ୍ତୁ ନାହିଁ, ଆପଣମାନେ ମୋତେ ଚୌକିଦାର ବନାନ୍ତୁ, ମୁଁ ଦିଲ୍ଲୀରେ ଯାଇ ଚୌକିଦାର ହୋଇ ବସିବି ଏବଂ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ହିନ୍ଦୁସ୍ତାନର ରାଜକୋଷରେ କାହାରିକୁ ହାତ ମାରିବାକୁ ଦେବି ନାହିଁ।.... ମୁଁ ଚୌକିଦାର ରୂପେ ହିଁ ଆପଣମାନଙ୍କର ସେବା କରିବାକୁ ଚାହୁଁଛି।’’ ଅବଶ୍ୟ ଦେଶବାସୀ ବୁଝିବା ବାକି ନଥିଲା ଯେ କଂଗ୍ରେସ ଶାସନ ସମୟରେ କେଳେଙ୍କାରୀପୂର୍ଣ୍ଣ ବେବିଲୋନ୍‌ରେ ପରିଣତ ହୋଇଥିବା ଭାରତକୁ ଏ ଚୌକିଦାର ଜଣକ ଏପରି ଜଗିବେ ଯେ କେହି ଆଉ ଜାତୀୟ ସମ୍ପଦରୁ ଟଙ୍କାଟିଏ ବି ହଡ଼ପ କରି ଖସି ଯାଇ ପାରିବେ ନାହିଁ।

ଉଲ୍ଲେଖ ଅନାବଶ୍ୟକ ଚୌକିଦାର ଜଣକ ହେଉଛନ୍ତି ନରେନ୍ଦ୍ର ମୋଦୀ, ଯିଏ ପ୍ରାୟ ଚାରିବର୍ଷ ହେଲା ଦେଶର ତହବିଲ୍‌କୁ ଅହର୍ନିଶ ଜଗି ରହିଛନ୍ତି। ସମସ୍ତଙ୍କୁ ଜଣା ସେ ତାଙ୍କର ଦାୟିତ୍ୱକୁ ଏପରି ଗୁରୁତ୍ୱର ସହ ନେଇଛନ୍ତି ଯେ ସେ ରାତିରେ ପ୍ରାୟ ଶୁଅନ୍ତି ନାହିଁ କହିଲେ ଚଳେ। ତେଣୁ ସମସ୍ତେ ବର୍ତ୍ତମାନ ଆଶ୍ଚର୍ଯ୍ୟ ଓ ସ୍ତବ୍‌ଧ ଯେ ଏଭଳି ଜଣେ ଚୌକିଦାର ଜଗି ରହିଥିବା ସମୟରେ ହିଁ ଜଣକ ପରେ ଜଣେ ଦେଶର ତିନିଜଣ ଏକୁ ଆରେକ ବଳୀୟାର ଅର୍ଥ ହଡ଼ପକାରୀ ଫାଟକ ଅତିକ୍ରମ କରି ଦେଶ ବାହାରକୁ ପଳାଇ ଯାଇଛନ୍ତି। ସେମାନେ ହେଲେ ମଦସମ୍ରାଟ୍‌ ବିଜୟ ମାଲ୍ୟା, କ୍ରିକେଟ୍‌ ଅଧିପତି ଲଳିତ ମୋଦୀ ଓ ବର୍ତ୍ତମାନର ମଉଡ଼ମଣି ହୀରା ବେପାରି ନିରବ ମୋଦୀ। ଏହି ସ୍ତମ୍ଭର ଏକ ନିୟମିତ ଚରିତ୍ରରେ ପରିଣତ ହୋଇଥିବା ଜେମ୍‌ସ୍‌ ବଣ୍ଡ୍‌ କାହାଣୀର ଭିଲେନ୍‌ ଗୋଲ୍‌ଡ ଫିଙ୍ଗର୍‌ର ଭାଷାରେ- ଥରେ ଘଟିବା ଅଚାନକ ହୋଇପାରେ, ଦ୍ୱିତୀୟ ଥର ଘଟିବା ସଂଯୋଗ ହୋଇପାରେ, ତୃତୀୟ ଥର ଘଟିବା କିନ୍ତୁ ନିଶ୍ଚିତ ରୂପେ ଶତ୍ରୁର କାର୍ଯ୍ୟ। ତେଣୁ ମୋଦୀଙ୍କ ପକ୍ଷ ଯେତେ ସଫେଇ ଦେଲେ କ’ଣ ହେବ ଯେ ଏ ତିନିଟି ଯାକ ହଡ଼ପ ଘଟିଛି ବା ଆରମ୍ଭ ହୋଇଛି ୟୁପିଏ (କଂଗ୍ରେସ) ସରକାର ସମୟରେ, ଯାହା ସେମାନଙ୍କୁ ଦେଶବାସୀଙ୍କର ସନ୍ଦେହ ଦୃଷ୍ଟିରୁ ରକ୍ଷା କରିପାରିବ ନାହିଁ ତାହା ହେଲା ଏ ତିନିଜଣ ଯାକ ଜାଲିଆତି ଅଭିଯୁକ୍ତ ଦେଶରୁ ସପରିବାର ଖସି ପଳାଇଛନ୍ତି ଚୌକିଦାର ମୋଦୀଙ୍କ ଫାଟକ ଜଗିବା ସମୟରେ ହିଁ। ବାଇବ୍‌ଲ ଅନୁସାରେ ଯିଏ ଚୌକିଦାର ରୂପେ ନିଯୁକ୍ତ ହେବ, ସେ ଯାହା ଦେଖିବ ତାହା ପ୍ରକାଶ କରିଦେବ। ଚୌକିଦାର ମୋଦୀ କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ ନିରବ। ଏବଂ ବୋଧହୁଏ ତାଙ୍କ ନିର୍ଦ୍ଦେଶ ପାଳନକରି ତାଙ୍କର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ସମାନ ଭାବରେ ନିରବ।

ଆଉ ସେ ଯେ ଜଗିଥିବା ବେଳେ ଦେଖି ନ ଦେଖିବା ଭଳି ରହିଛନ୍ତି, ତା’ର ଅକାଟ୍ୟ ପ୍ରମାଣ ହେଉଛି ସଦ୍ୟତମ ନିରବ ମୋଦୀ ଜାଲିଆତି ଘଟଣା। ୨୦୧୧ରୁ ଆରମ୍ଭ କରି ଦେଶର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ (ପିଏନ୍‌ବି)ରୁ ଏ ଯାଏଁ ମୋଟ୍‌ ୧୧,୩୦୦ କୋଟି ଟଙ୍କାରୁ ଅଧିକ ରାଶି ଜାଲିଆତି କରି ଠକି ନେଇଥିବା ନିରବ ମୋଦୀଙ୍କ କାର୍ଯ୍ୟ ସମ୍ବନ୍ଧରେ ଚୌକିଦାର ମୋଦୀ ଯେ ଅବଗତ ନଥିଲେ, ଏପରି ନୁହେଁ। ଏହା ବର୍ତ୍ତମାନ ଜଣାଶୁଣା ଯେ ହରିପ୍ରସାଦ ନାମକ ଜଣେ ବ୍ୟକ୍ତି ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିରବ ମୋଦୀଙ୍କୁ କେନ୍ଦ୍ର କରି ‘ପିଏନ୍‌ବି’ରେ ହେଉଥିବା ଅନିୟମିତ କାର୍ଯ୍ୟମାନ ସମ୍ବନ୍ଧରେ ପତ୍ର ଲେଖି ଜଣାଇ ଥିଲେ। ଅଭିଯୋଗକାରୀ ଜଣକ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ପ୍ରାପ୍ତି ସ୍ୱୀକାର ରସିଦ ମଧ୍ୟ ପାଇଥିଲେ। ଏବେ ଯାହା ଜଣାପଡ଼ିଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗଟିକୁ ‘ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌’ ଦପ୍ତରକୁ ପ୍ରେରଣ କରି ଦେଇ ଚୁପ୍‌ ହୋଇ ବସିଗଲା। ଏଠାରେ ଯାହା ଅବିଶ୍ୱାସ୍ୟ ତାହା ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅମଲାମାନେ (ନୃପେନ୍ଦ୍ର ମିଶ୍ର, ପ୍ରମୋଦ ମିଶ୍ର) ଏତେ ବଡ଼ ଏକ ଦୁର୍ନୀତି ଅଭିଯୋଗ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ ନ କରାଇ ଅଭିଯୋଗ ପତ୍ରକୁ ଅନ୍ୟତ୍ର ପଠାଇ ଦେଲେ। ମୋଦୀ କିପରି ଦୁର୍ନୀତି ନିବାରଣକୁ ସର୍ବାଧିକ ପ୍ରାଧାନ୍ୟ ଦିଅନ୍ତି ତାହା ସମଗ୍ର ଦେଶବାସୀଙ୍କୁ ଜଣା ଓ ଏ ବାବୁମାନଙ୍କୁ ମଧ୍ୟ ଜଣା। କାରଣ, କଂଗ୍ରେସର ଦୁର୍ନୀତି ଉପରେ ଆକ୍ରମଣ କରି ହିଁ ମୋଦୀ କ୍ଷମତାକୁ ଆସିଛନ୍ତି।

ସ୍ୱାଭାବିକ ଭାବରେ ପରବର୍ତ୍ତୀ ପ୍ରଶ୍ନ ଉଠୁଛି, ଯଦି ମୋଦୀ ନିରବଙ୍କ ଜାଲିଆତି ସମ୍ବନ୍ଧରେ ଅବଗତ ଥିଲେ ତେବେ ଚୁପ୍‌ ରହିଲେ କାହିଁକି? ଏହାର ଉତ୍ତର ସ୍ୱରୂପ କଂଗ୍ରେସ ଗତ ମାସରେ ସ୍ୱିଜର୍‌ଲାଣ୍ଡ୍‌ର ଡାଭସ୍‌ଠାରେ ଅନୁଷ୍ଠିତ ଓ୍ଵାର୍ଲଡ୍‌ ଇକନମିକ୍‌ ଫୋରମ୍‌ ସମ୍ମିଳନୀରେ ଉଠାଯାଇଥିବା ଏକ ଗ୍ରୁପ୍‌ ଫଟୋ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ନିରବ ମୋଦୀ। ନରେନ୍ଦ୍ର ମୋଦୀ ଜଣେ ଅତି ଚତୁର ଏବଂ ପୋଖତ ରାଜନୈତିକ ପ୍ରାଣୀ। ଫଟୋରେ ତାଙ୍କ ସହିତ ଆଉ କିଏ ରହିବେ ସେ ଯାଞ୍ଚ ନ କରି ଫଟୋ ଉଠାଇବା ପାଇଁ ଅନୁମତି ଦେବା ଅସମ୍ଭବ। ଏଣୁ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧିମାନେ ଯେତେ ସଫେଇ ଦେଲେ ବି, ନରେନ୍ଦ୍ରଙ୍କ ନିରବଙ୍କ ସହିତ ଘନିଷ୍ଠତା ଯୋଗୁଁ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରୋକ୍ତ ଅଭିଯୋଗକୁ ଚାପି ଦେଲା, ପରୋକ୍ଷରେ କଂଗ୍ରେସ ତାହାହିଁ ଅଭିଯୋଗ କରିଛି। ନରେନ୍ଦ୍ର ମୋଦୀଙ୍କ ପାଖରେ ଏହାର କୌଣସି ସନ୍ତୋଷଜନକ ଉତ୍ତର ନଥିବା ବେଳେ, ନିରବଙ୍କ ସମ୍ବନ୍ଧରେ ତାଙ୍କର ଏପର୍ଯ୍ୟନ୍ତର ନିରବତା ତାଙ୍କୁ ସନ୍ଦେହ ମୁକ୍ତ କରିବାରେ ସହାୟକ ହୋଇନାହିଁ। ଯାହା ଅନ୍ତତଃ ନିଃସନ୍ଦେହ, ତାହା ହେଉଛି ଚୌକିଦାରର ଅପାରଗତା।