ରାଜସ୍ଥାନର ଗ୍ରାମମାନଙ୍କରେ କୌଣସି ଉଚ୍ଚ ବ˚ଶଜଙ୍କ ମୃତ୍ୟୁରେ ପାର˚ପରିକ ରୂପେ ‘ରୁଦାଲୀ’ ଭାବେ ଅଭିହିତ ମହିଳାମାନଙ୍କୁ ଭଡ଼ା ସୂତ୍ରରେ ଅଣାଯାଇ ଗୃହାଙ୍ଗନରେ ଉଚ୍ଚ ସ୍ବରରେ କ୍ରନ୍ଦନର ଏକ ଆୟୋଜନ କରାଯାଇଥାଏ। ତହିଁରେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା କଳା ବସ୍ତ୍ର ପରିହିତା ଏହି ମହିଳାମାନେ ନିଜ ଛାତି ଓ ମାଟିକୁ ସଜୋରେ ଦୁଇ ହାତରେ ପିଟି ଅତ୍ୟୁଚ୍ଚ ସ୍ବରରେ କ୍ରନ୍ଦନ କରୁଥିବା ଏବ˚ ତଦ୍ଦ୍ବାରା କେତେକଙ୍କ ଚକ୍ଷୁରୁ ଲୋତକ ଧାର ବହୁଥିବା ସତ୍ତ୍ବେ ସେମାନଙ୍କ ହୃଦୟରେ ତିଳେ ମାତ୍ର ଦୁଃଖ ବା ବିଷାଦ ନ ଥାଇ ପାରେ! ଏହି ସ˚ଦର୍ଭରେ ଗଲା ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ଅତ୍ୟନ୍ତ ଉଦ୍ବେଗଜନକ ବାୟୁ ପ୍ରଦୂଷଣକୁ ନେଇ ସୃଷ୍ଟ କୋଳାହଳ ଏଭଳି ଅନୁଶୋଚନା ବିହୀନ କାନ୍ଦଣା ଭଳି ମନେ ହୋଇଥାଏ, ଯହିଁରେ ଜନ-ପ୍ରତିନିଧି, ରାଜନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଗଣମାଧୢମ ଏବ˚ ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏଭଳି ‘ରୁଦାଲୀ’ମାନଙ୍କ ଭଳି ପ୍ରତୀତ ହୋଇଥାଆନ୍ତି। ତେବେ, ଏଠାରେ ଏଭଳି ଏକ ନିଷ୍କର୍ଷରେ ଉପନୀତ ହେବା ପଛରେ କେଉଁ କାରଣମାନ ରହିଛି ସେ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା କିଭଳି ସା˚ଘାତିକ, ତା’ ଉପରେ କିଞ୍ଚିତ ଦୃଷ୍ଟିପାତ କରାଯାଉ। ଏକ ଅନୁଧୢାନରୁ ଜଣାପଡ଼ିଛି ଯେ ୧୯୮୧ ମସିହାରେ ପାରିତ ହୋଇଥିବା ‘ଏୟାର୍ ଆକ୍ଟ’ ବା ‘ବାୟୁ ଆଇନ’ ଅନୁସାରେ ଏକ ସହନୀୟ ବାୟୁ ପ୍ରଦୂଷଣର ସ୍ତର ଯାହା ରହିବା କଥା, ଦିଲ୍ଲୀର ପ୍ରଦୂଷଣ ତା’ର ଛଅ ଗୁଣ ଅଧିକ ଖରାପ ସ୍ଥିତିରେ ପହଞ୍ଚିଲାଣି। ଅନ୍ୟ ଏକ ଅନୁଶୀଳନ କହିଥାଏ ଯେ ଉତ୍ତର ଭାରତର ଫୁସ୍ଫୁସ୍ କର୍କଟ ରୋଗୀଙ୍କ ମଧୢରୁ ପ୍ରାୟ ୪୦ ପ୍ରତିଶତ ଧୂମପାନ କରନ୍ତି ନାହିଁ, ଯାହାର ଅର୍ଥ ପ୍ରଦୂଷିତ ବାୟୁକୁ ପ୍ରଶ୍ବାସରେ ଗ୍ରହଣ କରିବାର ଏଭଳି ଘାତକ ମୂଲ୍ୟ ସେମାନଙ୍କୁ ଦେବାକୁ ପଡୁଛି। ସେହିଭଳି ୨୦୧୯ରେ ପ୍ରକାଶିତ ଏକ ଗବେଷଣାରୁ ଜଣାଯାଏ ଯେ ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀ ବାସିନ୍ଦାଙ୍କ ଆୟୁଷରେ ହାରାହାରି ୯.୭ ବର୍ଷ ହ୍ରାସ ପାଇବାରେ। ସୁତରା˚, ଏଭଳି ଏକ ସ୍ଥିତିରେ ଯାହା ଏକ ବିଡ଼ମ୍ବନା ସ୍ବରୂପ ଆବିର୍ଭୂତ ହୋଇଛି, ତାହା ହେଲା ଏହା ସମସ୍ତଙ୍କୁ ଯଥେଷ୍ଟ ଉଦ୍ବିଗ୍ନ କରୁଥିବା ସତ୍ତ୍ବେ ଦିଲ୍ଲୀ ବାୟୁ ପ୍ରଦୂଷଣ ହ୍ରାସ ପାଇବାର କୌଣସି ସ˚କେତ ଦିଶୁ ନାହିଁ ଏବ˚ ପ୍ରତି ବର୍ଷ ଶୀତ ଦିନେ ଏବ˚ ଅଧିକ ନିର୍ଦ୍ଦିଷ୍ଟ ଭାବେ କହିଲେ ଦୀପାବଳି ପରେ ଏ ନେଇ କ୍ରନ୍ଦନ ରୋଳ ଏକ ଉଚ୍ଚତାରେ ପହଞ୍ଚିବା ଗତାନୁଗତିକତାରେ ପରିଣତ ହୋଇଥିଲେ ସୁଦ୍ଧା, ସର୍ବଜନବିଦିତ ଯେଉଁ ସବୁ ମନୁଷ୍ୟକୃତ ଦୋଷରୁ ଏହାର ସୃଷ୍ଟି ତହିଁରେ ପରିମାର୍ଜନା ଆଣିବା ଲାଗି ବିଶେଷ କୌଣସି ଉଦ୍ୟମ ପରିଲକ୍ଷିତ ହେଉନାହିଁ।
ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ଆଲୋଚନା କରାଗଲା ବେଳେ କାନପୁର ଆଇ.ଆଇ.ଟି.ର ଦୁଇ ଜଣ ବରିଷ୍ଠ ପ୍ରଫେସରଙ୍କ ଦ୍ବାରା ହୋଇଥିବା ଗଭୀର ଅନୁଶୀଳନ ପ୍ରସୂତ ଏକ ରିପୋର୍ଟ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା ଏହି ପ୍ରଦୂଷଣର ଚରିତ୍ରକୁ ଭଲ ଭାବେ ବୁଝିବାରେ ସହାୟକ ହେବା ସହିତ କିଭଳି ପ୍ରଦୂଷଣ ସ୍ତରକୁ ହ୍ରାସ କରାଯାଇ ପାରିବ, ସେ ସମ୍ବନ୍ଧରେ କେତେକ ମାର୍ଗଦର୍ଶନ ମଧୢ କରିଥାଏ। ତହିଁରେ କୁହାଯାଇଛି ଯେ ଗ୍ରୀଷ୍ମ ଓ ଶୀତ କାଳରେ ବାୟୁର ବେଗ ଓ ଦିଗର ତାରତମ୍ୟ ହେତୁ ଦିଲ୍ଲୀ ବାୟୁମଣ୍ତଳ ପ୍ରଦୂଷଣରେ ଚରିତ୍ରଗତ ପ୍ରଭେଦ ଦେଖିବାକୁ ମିଳିଥାଏ, ଯାହା ଅପେକ୍ଷାକୃତ ସ୍ଥିର ବାୟୁ ହେତୁ ଶୀତକାଳୀନ ପ୍ରଦୂଷଣକୁ ଅଧିକ ସାନ୍ଦ୍ର କରିଥାଏ ସିନା, ବର୍ଷ ତମାମ ଦିଲ୍ଲୀର ପ୍ରଦୂଷିତ ବାୟୁ ମନୁଷ୍ୟ ସ୍ବାସ୍ଥ୍ୟ ଲାଗି ଏକ ଚ୍ୟାଲେ˚ଜ୍ ହୋଇ ଉଭା ହୋଇଥାଏ। ଏହି ରିପୋର୍ଟ ଅନୁସାରେ ୨.୫ ମାଇକ୍ରୋଗ୍ରାମ୍ରୁ ୧୦ ମାଇକ୍ରୋଗ୍ରାମ୍ ପର୍ଯ୍ୟନ୍ତ ଅପେକ୍ଷାକୃତ ବଡ଼ ଆକାରର ଭାସମାନ କଣିବା ବା ‘ସସ୍ପେନ୍ଡେଡ୍ ପାର୍ଟିକୁଲେଟ୍ ମ୍ୟାଟର୍’ ବା ‘ଏସ୍.ପି.ଏମ୍.’ର ଏକ ବୃହତ୍ ଭାଗ ଅର୍ଥାତ୍ ୫୬ ପ୍ରତିଶତ ସଡ଼କରୁ ଉଡୁଥିବା ଧୂଳି ଦ୍ବାରା ଅଧିକୃତ ହୋଇଥାଏ। ତେବେ ଗ୍ରୀଷ୍ମ କାଳରେ ଏହାର ପରିମାଣ ବୃଦ୍ଧି ପାଉଥିବା ବେଳେ ଶୀତ କାଳରେ ଏହା କମ୍ ହୋଇଥାଏ। ସେମିତି କୋଠାବାଡ଼ି ନିର୍ମାଣ ବା ଭଙ୍ଗାରୁଜା ଅଥବା ସିମେଣ୍ଟର ପରିବହନ ଓ ବ୍ୟବହାର କାରଣରୁ ଉଡୁଥିବା କଂକ୍ରିଟ୍ ଧୂଳି କଣିକାମାନ ବାୟୁ ପ୍ରଦୂଷଣର ୧୦ ପ୍ରତିଶତ ଅଧିକାର କରନ୍ତି। ଯାନବାହନର ଧୂଆଁ ଦ୍ବାରା ସୃଷ୍ଟ ପ୍ରଦୂଷଣ ଗ୍ରୀଷ୍ମ ଦିନର ବାୟୁ ଚଳାଚଳ ହେତୁ ମାତ୍ର ୯ ପ୍ରତିଶତ ହୋଇଥିବା ବେଳେ ଶୀତ ଦିନେ ଏହା ୨୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ, ଯାହା ‘ସ୍ମୋଗ୍’ ଆକାରରେ ବାୟୁମଣ୍ତଳରେ ଝୁଲି ରହିଥାଏ। ସେମିତି ଶସ୍ୟ ରୁଢ଼ର ପୋଡ଼ି ଦ୍ବାରା ସୃଷ୍ଟ ପ୍ରଦୂଷଣ ଶୀତ ଦିନେ ୩୦ ପ୍ରତିଶତ ଭାଗ ଅଧିକାର କରିପାରେ। ତେବେ ତହିଁରେ ଯେଉଁ ବିଚାର ଅସ˚ଗତି ବିଷୟରେ ଇଙ୍ଗିତ କରାଯାଇଛି ତାହା ହେଲା ଯାନବାହନ ଚଳାଚଳରୁ ବା ଦୀପାବଳିରେ ଫୋଟକା ଫୁଟାରୁ ଅଥବା ଚାଷୀମାନଙ୍କ ଦ୍ବାରା ଫସଲର ରୁଢ଼ ପୋଡ଼ିରୁ ହେଉଥିବା ବାୟୁ ପ୍ରଦୂଷଣ ନେଇ ବିଶେଷ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ଦିଲ୍ଲୀରେ ବିଭିନ୍ନ ଗୃହରେ ବ୍ୟବହୃତ କୋଇଲା ବା ଗୋବର ଘଷି ଭଳି ଜାଳେଣି ଏବ˚ ବିଭିନ୍ନ ଢାବା ଏବଂ ରେସ୍ତୋରାଁରେ ବ୍ୟବହୃତ ତନ୍ଦୁର ଚୁଲାର ଜାଳରୁ ଉତ୍ପନ୍ନ ଏସ୍.ପି.ଏମ୍.ର ପରିମାଣ ୧୫ ପ୍ରତିଶତ ହୋଇଥିବା ସତ୍ତ୍ବେ ତାହା ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇ ନ ଥାଏ। ସେମାନଙ୍କ ପରାମର୍ଶ ଅନୁସାରେ କେବଳ ଦିଲ୍ଲୀରେ ରହିଥିବା ୯୦୦୦ଟି ତନ୍ଦୁର ଚୁଲିରେ ଯଦି କୋଇଲା ବଦଳରେ ଗ୍ୟାସ୍କୁ ଇନ୍ଧନ ରୂପେ ବ୍ୟବହାର କରାଯାଆନ୍ତା, ତାହା ହେଲେ ପ୍ରଦୂଷଣରେ ଏକ ଅଷ୍ଟମାଂଶ ଭାଗ ହ୍ରାସ ଘଟନ୍ତା। ଏହି ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀର ସଡ଼କକୁ ନିୟମିତ ଭାବେ ‘ଭ୍ୟାକୁମ୍ କ୍ଲିନ୍’ କରାଯିବାର ବ୍ୟବସ୍ଥା ବା ବା ଗୃହ ନିର୍ମାଣ ବା କୋଠାବାଡ଼ି ଚୂର୍ଣ୍ଣ କରାଗଲା ବେଳେ ଜଳ ସି˚ଚନ ବା ଉପଯୁକ୍ତ ଘୋଡ଼ଣିର ପ୍ରାବଧାନ ଭଳି କିଛି କ୍ଷୁଦ୍ର ପଦକ୍ଷେପ ଦିଲ୍ଲୀର ବାୟୁକୁ ଅପେକ୍ଷାକୃତ ଅଧିକ ନିର୍ମଳ କରି ପାରନ୍ତା। ସେମାନଙ୍କ ମତରେ ବଡ଼ ବଡ଼ ପଦକ୍ଷେପ ସହିତ କାହାର ଚିନ୍ତାରେ ନ ଥିବା ଭଳି ଏଭଳି କ୍ଷୁଦ୍ର ପ୍ରୟାସ ପ୍ରଦୂଷଣ ହ୍ରାସ ଦିଗରେ ବିଶେଷ ସହାୟକ ହେବ।
କହିବା ବାହୁଲ୍ୟ ଯେ ପ୍ରଦୂଷଣ ସ୍ତର ହ୍ରାସ କରିବା ଲାଗି କିଭଳି ଆଭିମୁଖ୍ୟ ପୋଷଣ କରାଯିବା ଉଚିତ, ସେ ନେଇ ଊଣା ଅଧିକେ ପ୍ରାୟ ସମସ୍ତ ଦିଲ୍ଲୀବାସୀ ସଚେତନ ଥିବେ। ଗଣମାଧୢମର ପ୍ରସାଦରୁ ଅନେକ ଏ ନେଇ ମଧୢ ସଚେତନ ହେବେଣି ଯେ ବାୟୁମଣ୍ତଳକୁ ଅସ୍ବଚ୍ଛ ଓ ଧୂମାଭ କରି ରଖୁଥିବା ବଡ଼ ଭାସମାନ କଣିକା ଆମକୁ ପ୍ରଦୂଷଣର ଏକ ଇନ୍ଦ୍ରିୟାନୁଭୂତି ପ୍ରଦାନ କରିଥାଏ ସିନା, ୨.୫ ମାଇକ୍ରୋଗ୍ରାମ୍ରୁ ଛୋଟ କ୍ଷୁଦ୍ର ଭାସମାନମାନ ଆମକୁ ଦୃଶ୍ୟମାନ ହେଉ ନ ଥିବାରୁ ଆମ ଅଲକ୍ଷ୍ୟରେ ପ୍ରଶ୍ବାସରେ ଆମ ଶରୀରକୁ ପ୍ରବେଶ କରି ଫୁସ୍ଫୁସ୍ରେ ଆସ୍ଥାନ ଜମାଇ ପାରନ୍ତି ବା ରକ୍ତ ସ୍ରୋତରେ ପ୍ରବାହିତ ହୋଇ ଅନେକ ଦୁରାରୋଗ୍ୟ ବ୍ୟାଧିକୁ ଜନ୍ମ ଦେଇପାରନ୍ତି। ତେଣୁ ଏଭଳି ଏକ ସ୍ଥିତିରେ ବାୟୁ ପ୍ରଦୂଷଣ ବାବଦରେ ଦୀପାବଳିରେ ଫୋଟକା ଫୁଟା ବା ଚାଷ ଜମିରେ ଶସ୍ୟ ରୁଢ଼ ପୋଡ଼ି ଅଥବା ଯାନବାହନର ଧୂଆଁ ଇତ୍ୟାଦିକୁ ନିଜକୁ ସୁହାଇଲା ଭଳି ଢଙ୍ଗରେ ଦୋଷାରୋପ କରିବାର ଚେଷ୍ଟା କେବଳ ଅପରିଣାମଦର୍ଶୀ ନୁହେଁ, ଆତ୍ମଘାତୀ ମଧୢ। ଏହାର ଉଦାହରଣମାନ ମଧୢ ଦେଖିବାକୁ ମିଳିଥାଏ, ଯେତେବେଳେ ଚାଷୀମାନଙ୍କ ଦ୍ବାରା ରୁଢ଼ ପୋଡ଼ି ପ୍ରତି ଦିଲ୍ଲୀ ସହରବାସୀଙ୍କ ଅଙ୍ଗୁଳି ନିର୍ଦ୍ଦେଶର ଉତ୍ତରରେ ଚାଷୀମାନେ ସହରବାସୀଙ୍କ ଦ୍ବାରା ଯାନବାହନର ମାତ୍ରାଧିକ ବ୍ୟବହାର ବା ଦୀପାବଳିର ଫୋଟକା ଫୁଟା ଆଡ଼କୁ ଇଙ୍ଗିତ କରିଥାଆନ୍ତି। ଏହି ପରିପ୍ରେକ୍ଷୀରେ କହିବା ଉଚିତ ହେବ ଯେ ପରସ୍ପର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅଥବା ସବୁ କିଛି ବନ୍ଦ କରିଦେବା ଭଳି କୌଣସି ଅତ୍ୟନ୍ତ କଠୋର ଆଇନ ଆଣି ଏହି ସଂକଟର ସମାଧାନ କରାଯାଇପାରିବ ନାହିଁ। ବର˚, ଏହି ବିଷାକ୍ତ ବାୟୁର ହତଭାଗ୍ୟ ସେବନକାରୀ ରୂପେ ଆପଣା ସ୍ଥିତିର ଜଟିଳତାକୁ ହୃଦୟଙ୍ଗମ କରି ଦିଲ୍ଲୀ ବାସିନ୍ଦାମାନେ ଏକ ସମନ୍ବିତ ଏବ˚ ବିବେଚନାପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶନ କରିବା ଉଚିତ। ତାହା ନ କରି କେବଳ କୋଳାହଳ କଲେ ରୁଦାଲୀମାନଙ୍କ ଭାବହୀନ କ୍ରନ୍ଦନ ତୁଲ୍ୟ ତାହା ଗଗନ ପ୍ରକ˚ପିତ କରିବା ସିନା, ତହିଁରୁ କାହାର କିଛି ହିତ ସାଧିତ ହେବ ନାହିଁ।