ଆଇନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବୋଧହୁଏ ସର୍ବାଧିକ ଉଦ୍ଧୃତ, ବ୍ରିଟେନ୍ର ନ୍ୟାୟିକ ଇତିହାସରେ ବୋଧହୁଏ ସର୍ବାଧିକ ପ୍ରସିଦ୍ଧ ନ୍ୟାୟମୂର୍ତ୍ତି, ବିଂଶ ଶତାବ୍ଦୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କର ଶତାୟୁ ଜୀବନ କାଳ ଦ୍ବାରା ବ୍ରିଟିସ୍ ନ୍ୟାୟିକ ଦୃଶ୍ୟପଟକୁ ଆଚ୍ଛାଦିତ କରିଥିବା ଲର୍ଡ ଡେନିଙ୍ଗ୍ ଆଇନର ତର୍ଜମାରେ ସାଧାରଣ ଜ୍ଞାନର ଭୂମିକାକୁ ବିଶେଷ ଗୁରୁତ୍ବ ପ୍ରଦାନ ପାଇଁ ଜଣାଶୁଣା ଥିଲେ। ଯେତେବେଳେ ଆଇନର ପ୍ରୟୋଗରେ ସାଧାରଣ ଜ୍ଞାନର ଗୁରୁତର ଅନୁପସ୍ଥିତି ତାଙ୍କର ଦୃଷ୍ଟିଗୋଚର ହେଉଥିଲା, ସେ ସାହିତ୍ୟରୁ ଯେଉଁ ଏକ ଉଦାହରଣ ଉଲ୍ଲେଖ କରିବାକୁ ଭଲ ପାଉଥିଲେ, ତାହା ହେଲା ଚାର୍ଲ୍ସ ଡିକେନ୍ସଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଅଲିଭର୍ ଟ୍ବିଷ୍ଟ୍’ର ଏହି ଦୃଶ୍ୟ, ଯେଉଁଥିରେ ଜଣେ ପତ୍ନୀ-ନିୟନ୍ତ୍ରିତ ସ୍ବାମୀ, ମିଷ୍ଟର୍ ବମ୍ବ୍ଲ ନ୍ୟାୟ ପାଇଁ ଅଦାଲତରେ ଉପସ୍ଥିତ ହୋଇଥିବା ଅବସରରେ ଏହି ମନ୍ତବ୍ୟ ପ୍ରଦାନ କରିଥା’ନ୍ତି: ‘‘... ଆଇନ ହେଉଛି ଏକ ଗଧ...।’’
ମିଷ୍ଟର୍ ବମ୍ବ୍ଲ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ ତାଙ୍କୁ ଯେତେବେଳେ କୁହାଗଲା ଯେ ଭିକ୍ଟୋରିଆନ୍ ଆଇନ ଦୃଷ୍ଟିରେ ଜଣେ ପତ୍ନୀ ସର୍ବଦା ତାଙ୍କ ପତିଙ୍କର ନିର୍ଦ୍ଦେଶରେ ପରିଚାଳିତ ହୋଇଥା’ନ୍ତି; ତେଣୁ ପତ୍ନୀଙ୍କର ସମସ୍ତ କାର୍ଯ୍ୟ ପାଇଁ ତାଙ୍କର ପତି ହିଁ ଆଇନଗତ ଭାବରେ ଦାୟୀ ହେବେ। ଆଇନର ଏଭଳି ଦୃଷ୍ଟିକୋଣକୁ ସାଧାରଣ ଜ୍ଞାନର ଘୋର ଅଭାବ ରୂପେ ବିଚାର କରି ମିଷ୍ଟର୍ ବମ୍ବ୍ଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ: ‘‘ ଯଦି ଏହା ହେଉଛି ଆଇନର ଧାରଣା, ... ତେବେ ଆଇନ ହେଉଛି ଏକ ଗଧ।’’ ତା’ପରେ ସେ କହିଥିଲେ ଯେ ବୋଧହୁଏ ଆଇନ ଅବିବାହିତ ହୋଇଥିବାରୁ ଏଭଳି ଭ୍ରମ ଧାରଣାର ବଶବର୍ତ୍ତୀ ହୋଇଛି, ଏବଂ କେବଳ ଅନୁଭୂତି ସଂଗ୍ରହ (ଅର୍ଥାତ୍ ବିବାହ) ଦ୍ବାରା ହିଁ ଏ ଭ୍ରମ ଧାରଣା ଦୂର ହେବ ବୋଲି ସେ ଆଇନକୁ ଆହ୍ବାନ ଦେଇଥିଲେ।
କେତେଦିନ ତଳେ ଦେଶବ୍ୟାପୀ ଏଇଭଳି ଏକ ମିଷ୍ଟର୍ ବମ୍ବ୍ଲସୁଲଭ ପ୍ରତିକ୍ରିୟା ସୃଷ୍ଟି କରିଥିବା ବମ୍ବେ ହାଇକୋର୍ଟର ଏକ ରାୟକୁ ନାକଚ କରି ଗତ ଗୁରୁବାର ଦିନ ଭାରତର ସୁପ୍ରିମ୍ କୋର୍ଟ ଏଠାରେ ଆଇନର ମର୍ଯ୍ୟାଦା ଫେରାଇ ଆଣିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକ ୧୨ ବର୍ଷ ବୟସର ବାଳିକା ସମ୍ମୁଖୀନ ହୋଇଥିବା ଏକ ଯୌନ ଶୋଷଣ ମାମଲାର ବିଚାର କରି ବମ୍ବେ ହାଇକୋର୍ଟର ବିଚାରପତି ଶ୍ରୀମତୀ ପୁଷ୍ପା ଗାନେଡ଼ିୱାଲା ଜାନୁଆରି, ୨୦୨୧ରେ ପ୍ରଦାନ କରିଥିବା ଯେଉଁ ରାୟ ଆଇନରେ ଜ୍ଞାନ ଥିବା ଓ ନ ଥିବା ସମସ୍ତ ଦେଶବାସୀଙ୍କୁ ହତଚକିତ କରିଦେଇଥିଲା, ସେଥିରେ ପରିଲକ୍ଷିତ ହୋଇଥିବା ମୌଳିକ ସାଧାରଣ ଜ୍ଞାନର ଅଭାବ ଅବିଶ୍ବାସ୍ୟ ଶ୍ରେଣୀର ଥିଲା।
ସମ୍ପୃକ୍ତ ମାମଲାଟି ଘଟିଥିଲା ଡିସେମ୍ବର ୨୦୧୬ରେ ଯେଉଁଥିରେ ଉକ୍ତ ୧୨ ବର୍ଷୀୟା ବାଳିକା ଜଣକର ଶରୀରର ସମ୍ବେଦନଶୀଳ ଅଞ୍ଚଳରେ ଜଣେ ୩୯ ବର୍ଷୀୟ ପୁୁରୁଷ ଯୌନ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ହସ୍ତ ସଞ୍ଚାଳନ କରିବାର ଅଭିଯୋଗ ହୋଇଥିଲା। ଏହାର ଚାରି ବର୍ଷ ପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ର ମୁଖ୍ୟ ଜଷ୍ଟିସ୍ ପୁଷ୍ପା ଗାନେଡ଼ିୱାଲା ମାମଲାର ବିଚାର କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଅଭିଯୁକ୍ତ ଜଣକ ବାଳିକାଟିର ଶରୀରରେ ହସ୍ତ ସଞ୍ଚାଳନ କରିଥିଲେ ହେଁ ଏହା ‘ପୋକ୍ସୋ’ ଆଇନ ଅନ୍ତର୍ଗତ ଏକ ଯୌନ ଆକ୍ରମଣ ରୂପେ ବିବେଚିତ ହୋଇପାରିବ ନାହିଁ; କେବଳ ଏକ ଅପେକ୍ଷାକୃତ କମ୍ ଗୁରୁତର ଭାରତୀୟ ପିଙ୍ଗଳ କୋଡ୍ (‘ଆଇପିସି’)ର ଧାରା-୩୫୪ ଅନ୍ତର୍ଗତ ମହିଳାଙ୍କ ମର୍ଯ୍ୟାଦା ହାନିକାରକ ଆଚରଣଜନିତ ଅପରାଧ ରୂପେ ବିବେଚିତ ହେବ।
ଜଷ୍ଟିସ୍ ଗାନେଡ଼ିୱାଲାଙ୍କ ବିଚାରରେ ଉକ୍ତ ଅପରାଧର ଗୁରୁତ୍ବ ହ୍ରାସର କାରଣ କ’ଣ ଥିଲା? କାରଣ ହେଲା, ଯେହେତୁ ଅଭିଯୁକ୍ତ ଜଣକ ହସ୍ତ ସଞ୍ଚାଳନ କରିବା ସମୟରେ ବାଳିକା ଜଣକର ଶରୀରର ସମ୍ପୃକ୍ତ ଅଂଶ ଏକ ପୋଷାକ ଦ୍ବାରା ଆବୃତ ଥିଲା ଏବଂ ସେଥିଯୋଗୁଁ ଅଭିଯୁକ୍ତ ଜଣକର ହସ୍ତ ବାଳିକାର ଶରୀରର ଚର୍ମ ସ୍ପର୍ଶ କରି ନ ଥିଲା, ସେଇ କାରଣରୁ ଆଇନ ଦୃଷ୍ଟିରେ ତା’ର କାର୍ଯ୍ୟକୁ ଏକ ଯୌନ ଆକ୍ରମଣ ରୂପେ ବିଚାର କରାଯାଇ ପାରିବ ନାହିଁ। ଶିଶୁମାନଙ୍କୁ ଯୌନ ଆକ୍ରମଣରୁ ସୁରକ୍ଷା ପ୍ରଦାନ ନିମିତ୍ତ ୨୦୧୨ରେ ପ୍ରଣୀତ ‘ପୋକ୍ସୋ’ ଆଇନରେ ଏଭଳି ଯୌନ ଆକ୍ରମଣର ଯେଉଁ ବିଶଦ ବର୍ଣ୍ଣନା କରାଯାଇଛି, ସେଥିରେ ‘ଯୌନ ଉଦ୍ଦେଶ୍ୟ ପ୍ରଣୋଦିତ ଦୈହିକ ସ୍ପର୍ଶ’କୁ ମୌଳିକ ଆବଶ୍ୟକତା ରୂପେ ଅନ୍ତର୍ଭୁକ୍ତ କରାଯାଇଛି। ଜଷ୍ଟିସ୍ ଗାନେଡ଼ିୱାଲାଙ୍କ ତର୍ଜମା ଅନୁସାରେ କେବଳ ଚର୍ମ ସହିତ ଚର୍ମର ସ୍ପର୍ଶ ଦ୍ବାରା ହିଁ ‘ଦୈହିକ ସ୍ପର୍ଶ’ ଘଟିଥାଏ। ଜଷ୍ଟିସ୍ ପୁଷ୍ପା ଗାନେଡ଼ିୱାଲାଙ୍କର ଏଭଳି ଉଦ୍ଭଟ ଆଭିମୁଖ୍ୟର ଯେଉଁ ସବୁ ଅସୁମାରି ବିକୃତ ତର୍ଜମାମାନଙ୍କର ପରିକଳ୍ପନା କରାଯାଇ ପାରିବ, ସେ ସବୁର ଅଧିକ ବ୍ୟାଖ୍ୟାନର ଆବଶ୍ୟକତା ନାହିଁ।
ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ବମ୍ବେ ହାଇକୋର୍ଟଙ୍କର ଏହି ରାୟକୁ ଅସିଦ୍ଧ ଘୋଷଣା କରି ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ଚର୍ମ ସହିତ ଚର୍ମର ସ୍ପର୍ଶ ଘଟିଥାଉ କି ନ ଥାଉ, ଯୌନ ଆକ୍ରମଣ ପାଇଁ ତା’ର ଆଚରଣରେ ନିହିତ ଥିବା ଅଭିଯୁକ୍ତର ଉଦ୍ଦେଶ୍ୟ ତାକୁ ଅପରାଧୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ। ଶିଶୁର ସ୍ବାଧୀନତା ଓ ସମ୍ମାନକୁ ଅବାଞ୍ଛିତ ଅନୁପ୍ରବେଶକାରୀମାନଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ପ୍ରଣୟନ କରାଯାଇଥିବା ‘ପୋକ୍ସୋ’ ଆଇନର ଏହା ହିଁ ହେଉଛି ଆନ୍ତରିକ ଉଦ୍ଦେଶ୍ୟ। ଆଇନର ଏହି ସ୍ପଷ୍ଟ ଉଦ୍ଦେଶ୍ୟରେ ବମ୍ବେ ହାଇକୋର୍ଟର ଉପରୋକ୍ତ ରାୟ ଏକ ଦ୍ବିଧା ଭାବ ସୃଷ୍ଟି କରିଥାଏ ବୋଲି ସୁପ୍ରିମ୍ କୋର୍ଟ ବିରକ୍ତି ପ୍ରକାଶ କରି କହିଛନ୍ତି ଯେ ଏହା ଶିଶୁମାନଙ୍କ ପାଇଁ ଏକ ଅତ୍ୟନ୍ତ କ୍ଷତିକାରକ ପରିସ୍ଥିତି ସୃଷ୍ଟି କରିବ, ଯାହା ଏକ ଧାରଣାକୁ ଜନ୍ମ ଦେବ ଯେ ‘‘ଗ୍ଲୋଭ୍ସ, କଣ୍ଡୋମ୍, ଚାଦର କିମ୍ବା କପଡ଼ା ମାଧ୍ୟମରେ ଏକ ଶିଶୁର ଶରୀରକୁ ଯୌନ ଉଦ୍ଦେଶ୍ୟମୂଳକ ଭାବରେ ସ୍ପର୍ଶ କଲେ ମଧ୍ୟ ‘ପୋକ୍ସୋ ଆକ୍ଟ୍’ର ଧାରା-୭ ଅନୁସାରେ ତାହା ଏକ ଯୌନ ଆକ୍ରମଣ ରୂପେ ବିବେଚିତ ହେବ ନାହିଁ।’’
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଦି ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ (ପୋକ୍ସୋ) ଆକ୍ଟ୍’ ପ୍ରାୟ ଏକ ଦଶନ୍ଧି ଧରି ବଳବତ୍ତର ରହି ଆସିଥିଲେ ହେଁ କେବଳ ଗତ ବର୍ଷ ଦେଶରେ ପ୍ରାୟ ୪୩,୦୦୦ ‘ପୋକ୍ସୋ’ ଅପରାଧ ସଂଘଟିତ ହୋଇଥିବାର ରିପୋର୍ଟ ରହିଛି। ଏଥିରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ହାର ନଗଣ୍ୟ ହୋଇଥିବା ବେଳେ ଆଇନର ତର୍ଜମାରେ ଜଷ୍ଟିସ୍ ପୁଷ୍ପା ଗାନେଡ଼ିୱାଲାଙ୍କ ଭଳି ସାଧାରଣଜ୍ଞାନଶୂନ୍ୟ ଦ୍ବିଧା ପ୍ରଦର୍ଶନ (ସୁପ୍ରିମ୍ କୋର୍ଟର କଲେଜିଅମ୍ ତାଙ୍କୁ ଅତିରିକ୍ତ ବିଚାରପତିରୁ ପଦୋନ୍ନତି ଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି) ଆମ ଦେଶରେ ଶିଶୁମାନଙ୍କୁ ଆହୁରି ଅଧିକ ଯୌନ ରାକ୍ଷସମାନଙ୍କ କବଳକୁ ଠେଲି ଦିଅନ୍ତା। ସେଇ ବିଚାରପତିଙ୍କର ଆଉ ଜଣେ ପାଞ୍ଚ ବର୍ଷୀୟା ବାଳିକା ସମ୍ପର୍କିତ ଅନୁରୂପ ରାୟ ମଧ୍ୟ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଅଛି। ଆଶା, ସର୍ବୋଚ୍ଚ ଅଦାଲତ ସେଥିରେ ମଧ୍ୟ ଅନୁରୂପ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରି ଆଇନକୁ ଗଧ ଅବସ୍ଥାରୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ।