ଶିଶୁ-ସଇତାନ

‘‘ଅଧା ସଇତାନ, ଅଧା ଶିଶୁ।’’ ଏହା ଥିଲା ସାହିତ୍ୟରେ ନୋବେଲ ପୁରସ୍କାରପ୍ରାପ୍ତ ସାମ୍ରାଜ୍ୟବାଦୀ ଇଂରେଜ ଗାଳ୍ପିକ ଓ କବି ରଡ୍‌ୟାର୍ଡ କିପ୍‌ଲିଙ୍ଗ୍‌ଙ୍କର ଉପନିବେଶମାନଙ୍କର ଅଣଶ୍ବେତାଙ୍ଗ ଅଧିବାସୀମା‌ନଙ୍କ ସମ୍ବନ୍ଧରେ ଧାରଣା। ତାଙ୍କର ଯେଉଁ ପ୍ରସିଦ୍ଧ କବିତାରୁ ଉପରୋକ୍ତ ଧାଡ଼ିଟି ଉଦ୍ଧାର କରାଯାଇଛି, ତାହାର ଶୀର୍ଷକ ହେଉଛି: ‘‘ଦି ହ୍ବାଇଟ୍ ମ୍ୟାନ୍‌’ସ ବର୍ଡ‌୍ନ’’ (‘‘ଶ୍ବେତାଙ୍ଗର ଭାର’’)। ଚୁମ୍ବକରେ କହିଲେ, କିପ୍‌ଲିଙ୍ଗ୍‌ଙ୍କ ଦୃଷ୍ଟିରେ ଇଉରୋପୀୟ ମୂଳର ଶ୍ବେତାଙ୍ଗମାନେ ସଭ୍ୟ ଶିକ୍ଷିତ ହୋଇଥିବା ବେଳେ ଏସିଆର ଉପନିବେଶମାନଙ୍କର ଅଣଶ୍ବେତାଙ୍ଗ ଅଧିବାସୀମାନେ ହୋଇଥା’ନ୍ତି ଅଶିକ୍ଷିତ, ବର୍ବର; ଏବଂ ଏହି ‘ଅଧା ସଇତାନ, ଅଧା ଶିଶୁ’ମାନଙ୍କୁ ସଭ୍ୟ ଶିକ୍ଷିତ କରିବାର ଦାୟିତ୍ବ ହେଉଛି ଶ୍ବେତାଙ୍ଗମାନଙ୍କର, ଯାହାକୁ ସେ ‘ଶ୍ବେତାଙ୍ଗର ଭାର‘ ରୂପେ ବର୍ଣ୍ଣନା କରିଥିଲେ। ଏହ ମହତ୍ ଭାର ବହନ କରିବାକୁ ଶ୍ବେତାଙ୍ଗମାନେ ପଛଘୁଞ୍ଚା ନ ଦେବା ପାଇଁ କିପ୍‌ଲିଙ୍ଗ୍ ତାଙ୍କ କବିତାରେ ଆହ୍ବାନ ଦେଇଥିଲେ।

ଯେତେବେଳେ ପ୍ରାୟ ଦୁଇ ବର୍ଷ ତଳେ ଚୀନା କରୋନା ଭୂତାଣୁ ପୃଥିବୀସାରା ବ୍ୟାପି ଯାଇ ଏକ ଭୟଙ୍କର ପାଣ୍ଡେମିକ୍‌ର ସୂତ୍ରପାତ କଲା ସେତେବେଳେ କିପ୍‌ଲିଙ୍ଗ୍‌ଙ୍କର ସେଇ ସଭ୍ୟ ପାଶ୍ଚାତ୍ୟ ଜଗତ୍‌ରେ ଏକ ଚିନ୍ତା ପ୍ରକଟିତ ହେବା ଦେଖା ଯାଇଥିଲା ଯେ ଏହି ଭୂତାଣୁ ଯେତେବେଳେ ଭାରତରେ ପହଞ୍ଚିଯିବ, ସେତେବେଳେ ଏହାର ପ୍ରସାରକୁ ପ୍ରତିରୋଧ କରିବା ଅସମ୍ଭବ ହୋଇପଡ଼ିବ। ଏ ଦେଶର ସଘନ ଜନସଂଖ୍ୟା, ଦାରିଦ୍ର୍ୟ, ଅସ୍ବାସ୍ଥ୍ୟକର ପରିବେଶ ଆଦି ସହିତ ସଚେତନତାର ଅଭାବ ମିଶି କୋଭିଡ୍ ମହାମାରୀ ବ୍ୟାପିବା ପାଇଁ ଏକ ସଂପୂର୍ଣ୍ଣ ଅନୁକୂଳ ପରିବେଶ ଦେଖାଦେବ ବୋଲି ସମସ୍ତେ ଚିନ୍ତିତ ହୋଇ ପଡ଼ିିଥିଲେ। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକା ଉପଲବ୍‌ଧ ହେବା ପରେ ମଧ୍ୟ ଅଜ୍ଞତା ହେତୁ ଏହି ‘ଅଧା ସଇତାନ, ଅଧା ଶିଶୁ’ମାନଙ୍କୁ ଟିକା ନେବା ପାଇଁ ରାଜି କରାଇବା ଅସମ୍ଭବ ବ୍ୟାପାର ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଥିଲା।

ଏଣୁ କିପ୍‌ଲିଙ୍ଗ୍ ଯଦି ଉପରେ ଥାଇ ଦେଖିପାରୁଥିବେ, ସ୍ତବ୍‌ଧ ହୋଇ ଯାଉଥିବେ ଯେ ଆଜି ଭାରତ ଭଳି ଦେଶରେ ଯେତେବେଳେ ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ସର୍ବନିମ୍ନ ଦୈନିକ ସଂକ୍ରମଣ ଘଟଣା ଦେଖାଯାଉଛି, ଇଉରୋପ୍‌ରେ ସେଇ ସମୟରେ ତାହା ସର୍ବୋଚ୍ଚ ସ୍ତର ଛୁଇଁଛି। ଯାହା ତାଙ୍କୁ ସବୁଠାରୁ ଅଧିକ ହତାଶ କରନ୍ତା, ତାହା ହେଲା, ଭାରତରେ ଯେତେବେଳେ ପ୍ରାୟ ୮୦ କୋଟି ଲୋକ ପ୍ରଥମ ପାନ ଟିକା ଓ ପ୍ରାୟ ୪୦ କୋଟି ଲୋକ ଦୁଇପାନ ଯାକ ଟିକା ନେଇ ସାରି ବୁଷ୍ଟର୍ ଡୋଜ୍ ଦେବା ପାଇଁ ଦାବି କରିବା ଆରମ୍ଭ କଲେଣି ( ଗତକାଲି ଉଦାହରଣ ସ୍ବରୂପ ଛତିଶଗଡ଼ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଏକ ପତ୍ର ଲେଖିଥିବା ପ୍ରକାଶ ପାଇଛି), ‌ଶ୍ବେତାଙ୍ଗ ଇଉରୋପୀୟମାନେ ସେତେବେଳେ ବାଧ୍ୟତାମୂଳକ ଟିକାଦାନକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଉଛି।

ଏହି ବିରୋଧର ଗୁରୁତ୍ବ ହୃଦୟଙ୍ଗମ କରିବା ନିମିତ୍ତ ନମୁନା ଭାବରେ ଏହି ବିକ୍ଷୋଭ ପ୍ରଦର୍ଶନ ଚିତ୍ରର ଏକ ଅଧିକ ସ୍ପଷ୍ଟ ଉପସ୍ଥାପନ ଯଥାର୍ଥ ମନେ ହୁଏ। ସାଂସ୍କୃତିକ ଉତ୍କର୍ଷ ଦୃଷ୍ଟିରୁ ଇଉରୋପ୍‌ର ଏକ ଅଗ୍ରଗଣ୍ୟ ଦେଶ ରୂପେ ବିବେଚିତ ଅଷ୍ଟ୍ରିଆରେ ଏବେ ପ୍ରାୟ ୪୦,୦୦୦ ଟିକା-ବିରୋଧୀ ଏକତ୍ର ହୋଇ ରାଜଧାନୀ ଭିଏନାର ରାଜରାସ୍ତାରେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଥିଲା। ସେମାନେ ପାଣ୍ଡେମିକ୍‌ର ପ୍ରସାରକୁ ଅଟକାଇବା ନିମିତ୍ତ ସରକାର ଲାଗୁ କରିଥିବା ଲକ୍‌-ଡାଉନ୍‌କୁ ମଧ୍ୟ ତୀବ୍ର ବିରୋଧ କରିଥିଲେ। କୌଣସି ସାମାଜିକ ଦୂରତ୍ବ ରକ୍ଷା ନ କରି ଏତେ ସଂଖ୍ୟକ ଲୋକ ରାଜପଥରେ ରୁଣ୍ଡ ହୋଇ ଅପର ପକ୍ଷେ କୋଭିଡ୍‌ର ପ୍ରସାରକୁ ଯେପରି ସୁଗମ କରିଥିଲେ, ତାହା କୌଣସି ସଭ୍ୟ, ସଚେତନ ନାଗରିକମାନଙ୍କ ଠାରୁ ଆଶା କରାଯାଏ ନାହିଁ।

ସେମାନେ ଟିକାଦାନ ଓ ଲକ୍‌-ଡାଉନ୍‌ର ବିରୋଧ କରି ହାତରେ ଯେଉଁ ପ୍ଲାାକାର୍ଡମାନ ଧରିଥିଲେ, ସେଥିରେ ଲେଖା ଥିବା ସ୍ଲୋଗାନ୍‌ମାନ କିଭଳି ଉଗ୍ର ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିିଷ୍ଟ ଥିଲା, ତାହା ହୃଦୟଙ୍ଗମ କରିବା ନିମିତ୍ତ ଏକ ନମୁନା ପ୍ଲାକାର୍ଡ ଉପରେ ନଜର ପକା ଯାଇପାରେ। ସେଥିରେ ସେ ଦେଶର ନୂତନ ଚାନ୍‌ସେଲର୍ (ରାଷ୍ଟ୍ରମୁଖ୍ୟ) ଆଲେକ୍‌ଜାଣ୍ଡର୍ ସ୍କାଲେନ୍‌ବର୍ଗଙ୍କୁ ଜୋସେଫ୍ ମେଙ୍ଗେଲ୍‌ଙ୍କ ସହିତ ତୁଳନା କରାଯାଇଥିଲା। ମେଙ୍ଗେଲ୍ ହେଉଛନ୍ତି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଅସ୍‌ୱିଟ୍‌ସସ୍ଥିତ କୁଖ୍ୟାତ ନାତ୍‌ସି କନ୍‌ସେ‌େଣ୍ଟ୍ରସନ୍ କ୍ୟାମ୍ପ୍‌ରେ କାର୍ଯ୍ୟ କରୁଥିବା ସେଇ ଚିକିତ୍ସକ ଯାହାଙ୍କୁ ‘ମୃତ୍ୟୁ ଦୂତ’ ରୂପେ ସମ୍ବୋଧନ କରାଯାଉଥିଲା। ସେ ବନ୍ଦୀ ଶିବିରରେ ଥିବା ଇହୁଦୀ ବନ୍ଦୀମାନଙ୍କ ଉପରେ (ମହିଳା ଓ ଶିଶୁମାନେ ମଧ୍ୟ ବାଦ୍ ପଡ଼ିନଥିଲେ) ବଳପୂର୍ବକ ବିିଭିନ୍ନ ଔଷଧପତ୍ର ଓ ଚିକିତ୍ସା ପଦ୍ଧତି ସବୁର ପରୀକ୍ଷାମୂଳକ ପ୍ରୟୋଗ କରୁଥିଲେ, ଯାହାର ପରିଣାମ ସ୍ବରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତ୍ୟୁ ମୁଖରେ ପଡୁଥିଲେ ଓ ଅନେକ ବିକଳାଙ୍ଗ ହୋଇ ଯାଉଥିଲେ। ‌େମଙ୍ଗେଲ୍ ମଧ୍ୟ ଗ୍ୟାସ୍ ଚାମ୍ବର୍‌ରେ ଭର୍ତ୍ତି ହୋଇ ମୃତ୍ୟୁ ଲାଭ କରିବା ପାଇଁ ବନ୍ଦୀ ଚୟନ କରୁଥିଲେ ତଥା ଗ୍ୟାସ୍ ପ୍ରୟୋଗ ଦାୟିତ୍ବରେ ଥିଲେ।

ଅଷ୍ଟ୍ରିଆ ସରକାର କୋଭିଡ୍ ଟିକା ନେବା ପାଇଁ ନାଗରିକମାନଙ୍କୁ ବାଧ୍ୟ କରୁଥିବାରୁ ବିକ୍ଷୋଭକାରୀମାନେ ଚାନ୍‌ସେଲର୍ ସ୍କାଲେନ୍‌ବର୍ଗଙ୍କୁ ଡାକ୍ତର ମେଙ୍ଗେଲ୍‌ଙ୍କ ସହିତ ଏଭଳି ତୁଳନା କରିଥିଲେ। ସେତିକି ନୁହେଁ, ଏହି ତୁଳନାକୁ ଆଉ ଟିକିଏ ଅଧିକ ଦୃଶ୍ୟମାନ କରିବା ଉଦ୍ଦେଶ୍ୟରେ କେତେକ ବିକ୍ଷୋଭ ପ୍ରଦର୍ଶନକାରୀ ହଳଦିଆ ରଙ୍ଗର ବ୍ୟାଜ୍ ପରିଧାନ କରିଥିଲେ। ଏହାର ମର୍ମ ହେଲା ହିଟ୍‌ଲର୍‌ଙ୍କ ନାତ୍‌ସି ସରକାର ସହଜରେ ଚିହ୍ନଟ ହେବା ପାଇଁ ଜର୍ମାନି ଓ ଅନ୍ୟାନ୍ୟ ଅଧିକୃତ ଦେଶମାନଙ୍କରେ ଥିବା ଇହୁଦୀ ଅଧିବାସୀମାନଙ୍କୁ ହଳଦିଆ ବ୍ୟାଜ୍ ପରିଧାନ କରିବା ପାଇଁ ବାଧ୍ୟ କରୁଥିଲା। ସେମାନଙ୍କ ବ୍ୟାଜ୍‌ରେ ଲେଖାଥିବା ‘ଇହୁଦୀ’ ସ୍ଥାନରେ ଭିଏନାର ବି‌େକ୍ଷାଭକାରୀମାନଙ୍କ ବ୍ୟାଜ୍‌ରେ ଲେଖାଯାଇଥିଲା- ‘ଟିକା ନେଇ ନାହିଁ’।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’)ର ରିପୋର୍ଟ ଅନୁସାରେ ନଭେମ୍ବର ଦ୍ବିତୀୟ ସପ୍ତାହରେ ଇଉରୋପ୍‌ରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟାରେ ୫ ଶତାଂଶ ବୃଦ୍ଧି ଘଟିଥିଲା, ଯାହା ହେଉଛି ପୃଥିବୀର ଏକ ମାତ୍ର ଅଞ୍ଚଳ ଯେଉଁଠି କୋଭିଡ୍ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବା ଦେଖାଯାଇଛି। ଇଉରୋପ ପାଇଁ ‘ହୁ’ର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍‌ସ କ୍ଲୁଗ୍ ସତର୍କ ବାଣୀ ଶୁଣାଇଛନ୍ତି ଯେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଇଉରୋପ୍‌ରେ ଆଉ ପାଞ୍ଚ ଲକ୍ଷ ଲୋକଙ୍କର କୋଭିଡ୍ ଯୋଗୁଁ ମୃତ୍ୟୁ ଘଟିବାକୁ ଯାଉଛି। ସେମାନଙ୍କ ଯୋଗୁଁ ଯେ ପୃଥିବୀରେ ଆଉ ଏକ କୋଭିଡ୍ ଲହରୀ ସୃଷ୍ଟି ନ ହେବ, କିଏ କହିବ? ଏମାନଙ୍କର ଚୈତନ୍ୟ ଉଦୟର ଭାର କିପ୍‌ଲିଙ୍ଗ୍ କାହା ଉପରେ ନ୍ୟସ୍ତ କରନ୍ତେ? ଏବେ ଅଧା ସଇତାନ, ଅଧା ଶିଶୁ ପ୍ରକୃତରେ କିଏ?

ସମ୍ବନ୍ଧିତ ଖବର