ଫଁ!

ଆମେ ଯେଉଁମାନେ ପ୍ରତ୍ୟହ ନିଜ ଗାଡ଼ି-ମଟର‌େର ପେଟ୍ରୋଲ ବା ଡିଜେଲ ଭରିବା ସମୟରେ ବା ପାକଶାଳାରେ ରନ୍ଧନ ଗ୍ୟାସ୍‌ ସିଲିଣ୍ତର ବଦଳାଇବା ବେଳେ ଏହାର ଦର ବୃଦ୍ଧି ବା ହ୍ରାସ ନେଇ ଆଲୋଡ଼ିତ ହୋଇଥାଉଁ, ବୋଧହୁଏ ଜାଣିନାହେଁ ଯେ ତୈଳ ଉତ୍ପାଦନ ଏବ˚ ରପ୍ତାନିକାରୀ ରାଷ୍ଟ୍ର ସମୂହ ବା ‘ଓପେକ୍‌’ ଏବ˚ ଭାରତ ଭଳି ବୃହତ୍‌ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ମଧୢରେ ସ˚ପ୍ରତି ମୂଷିକ-ବିରାଡ଼ି ଛକାପ˚ଝା ତୁଲ୍ୟ ଏକ ଖେଳର ସୂତ୍ରପାତ ହୋଇଛି। ପ୍ରଥମେ ସମସ୍ତେ ଅବଗତ ହେବା ଉଚିତ ଯେ ପୃଥିବୀରେ ଖଣିଜ ତୈଳ ଚାହିଦାର ବିପୁଳତା ସମ୍ମୁଖରେ ଯୋଗାଣ ସର୍ବଦା କମ୍‌ ରହି ଆନ୍ତର୍ଜାତିକ ତୈଳ ବଜାରକୁ ଏକ ବିକ୍ରେତାଙ୍କ ବଜାରରେ ପରିଣତ କରିଛି, ଯେଉଁଠି ବିକ୍ରେତା ହିଁ ସର୍ବଦା ଶେଷ କଥାଟି କହିଥାଆନ୍ତି। ଏହି ପରିପ୍ରେକ୍ଷୀରେ କୁହାଯିବା ଉଚିତ ଯେ ସ˚ପ୍ରତି ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ବୃଦ୍ଧି ଘଟି ତାହା କ୍ରେତା ରାଷ୍ଟ୍ରଗୁଡ଼ିକ ଲାଗି ଉଦ୍‌ବେଗର କାରଣ ହୋଇଛି; କାରଣ କରୋନା ପାନ୍‌ଡେମିକ୍‌ଜନିତ ଭୟାବହ ଆର୍ଥିକ ଦୁର୍ଦଶା ପରେ ଅନେକ ରାଷ୍ଟ୍ରର ସ୍ଥିତିରେ ସୁଧାର ଆସୁଥିବା ବେଳେ ଅଶୋଧିତ ତୈଳ ଦରରେ ବୃଦ୍ଧି ମୁଦ୍ରାସ୍ଫୀତି ଠାରୁ ଆରମ୍ଭ କରି ରାଜକୋଷୀୟ ନିଅଣ୍ଟକୁ ସ୍ଫୀତ କରିବାରେ ଲାଗିଛି। ଏଭଳି ଏକ ପରିସ୍ଥିତିରେ ପୃଥିବୀର ପ୍ରମୁଖ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ସଦ୍ୟ ଯେଉଁ ଏକ ପ୍ରତୀକାତ୍ମକ ପଦକ୍ଷେପ ନେଇଛନ୍ତି, ତାହା ଏହି ଛକାପ˚ଝା ଖେଳର ଦୃଶ୍ୟପଟକୁ ଜନ୍ମ ଦେଇଥାଏ, ଯାହାର ଏକ ସ˚କ୍ଷିପ୍ତ ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୁଏ।

ଉପର ବର୍ଣ୍ଣିତ ସେହି ପଦକ୍ଷେପଟି ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଭାରତ, ଜାପାନ, ଦକ୍ଷିଣ କୋରିଆ ଏବ˚ ୟୁ.କେ. ଭଳି ଛଅଟି ପ୍ରମୁଖ ତୈଳ ଆମଦାନିକାରୀ ରାଷ୍ଟ୍ର ସେମାନଙ୍କ ନିଜ ନିଜ ଦେଶରେ ରହିଥିବା ‘ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭ’ ବା ‘ରଣନୈତିକ(ଆପତ୍‌କାଳୀନ) ତୈଳ ଭଣ୍ତାର’ରୁ କିଛି ପରିମାଣର ଅଶୋଧିତ ତୈଳ ନିଜ ନିଜ ରାଷ୍ଟ୍ରରେ ବ୍ୟବହୃତ ହେବା ଲାଗି ଛାଡ଼ିଛନ୍ତି। ଏହାର ପରିମାଣ ଏହିଭଳି: ଯୁକ୍ତରାଷ୍ଟ୍ର ଆମେରିକା ୫୦ ନିୟୁତ ବ୍ୟାରେଲ, ଚୀନ ୭.୫ ନିୟୁତ ବ୍ୟାରେଲ, ଭାରତ ୫ ନିୟୁତ ବ୍ୟାରେଲ, ଜାପାନ ୩.୫ ନିୟୁତ ବ୍ୟାରେଲ, ଦକ୍ଷିଣ କୋରିଆ ୨.୫ ନିୟୁତ ବ୍ୟାରେଲ ଏବ˚ ୟୁ.କେ. ୨.୫ ନିୟୁତ ବ୍ୟାରେଲ। ଯଦିଓ ଏହି ତୈଳର ପରିମାଣ ଯାହା, ତହିଁରେ ସେ ସବୁ ରାଷ୍ଟ୍ରର ମାତ୍ର ଦିନେ ବା ଦେଢ଼ ଦିନର ଚାହିଦା ପୂରଣ କରାଯାଇ ପାରିବ (ଉଦାହରଣ ସ୍ବରୂପ ଭାରତର ଦୈନିକ ତୈଳ ଚାହିଦା ହେଉଛି ପ୍ରାୟ ୪.୭୫ ନିୟୁତ ବ୍ୟାରେଲ); ତଥାପି ଏହି ପଦକ୍ଷେପ ଯେ ଏକ ମୃଦୁ ସତର୍କ-ବାର୍ତ୍ତା ପ୍ରେରଣ କରିଛି, ତାହା ବୁଝିବା କଷ୍ଟକର ହୋଇ ନ ଥାଏ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ଦ୍ବାରା ଏଭଳି କିଛି ପଦକ୍ଷେପ ନିଆଯିବାର ଅନୁମାନ କରି ନିକଟରେ ‘ଓପେକ୍‌’ ଦ୍ବାରା ଅଶୋଧିତ ତୈଳ ଦରରେ ହ୍ରାସ ଘଟାଇ ବ୍ୟାରେଲ ପିଛା ୮୫ ଡଲାର୍‌ରୁ ୭୮ ଡଲାର୍‌କୁ ଖସାଇ ଆଣିଥିଲା। ସୁତରାଂ, ସେମାନେ ଆଶଙ୍କା କରୁଥିବା ଭଳି ‘ଷ୍ଟ୍ରାଟେଜିକ୍‌ ରିଜର୍ଭ’ରୁ ଏକ ବିପୁଳ ପରିମାଣର ତୈଳ ଛଡ଼ା ନ ଯିବା ସେମାନଙ୍କୁ ନିଶ୍ଚିତ ଆଶ୍ବସ୍ତ କରିଥିବ। କିନ୍ତୁ ତା’ ବୋଲି ଏହି ପଦକ୍ଷେପରେ ନିହିତ ଥିବା ବାର୍ତ୍ତାକୁ ନଜରଅନ୍ଦାଜ କରିଯିବା ସେମାନଙ୍କ ଲାଗି ଅପରିଣାମଦର୍ଶୀ ହୋଇପାରେ।

କହିବା ଅନାବଶ୍ୟକ ଯେ ସେହି ବାର୍ତ୍ତାଟି ହେଉଛି ତୈଳ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକ ଭଳି ପ୍ରମୁଖ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ଦ୍ବାରା ଗୋଷ୍ଠୀବଦ୍ଧ ହେବାର ଉଦ୍ୟମ। ସୁତରା˚, ଏକ ସମ୍ଭାବନାର ଉଦୟ ହୋଇଛି ଯେ ତୈଳ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକର ବଜାର-ଏକାଧିପତ୍ୟ ଅଣାୟତ୍ତ ହେଲେ ପ୍ରମୁଖ କ୍ରେତା ରାଷ୍ଟ୍ରଗୁଡ଼ିକ ମଧୢ ଏକତ୍ର ହୋଇ ସେମାନଙ୍କ ଚାହିଦାରେ ହ୍ରାସ ଘଟାଇ ପାରିବେ, ଯଦ୍ଦ୍ବାରା ରପ୍ତାନିରେ ସ˚କୋଚନ ଘଟି ତାହା ବିକ୍ରେତାମାନଙ୍କ ସକାଶେ ମୁଣ୍ତ ବ୍ୟଥା ପାଲଟିବ। ଉଲ୍ଲେଖନୀୟ ଯେ ‘ଓପେକ୍‌’ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ତୈଳ ଉତ୍ପାଦନରେ ବୃଦ୍ଧି କରି ଅଶୋଧିତ ତୈଳ ଦରକୁ ନୀଚା ରଖନ୍ତୁ ବୋଲି କ୍ରେତା ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିବା ସତ୍ତ୍ବେ ତାହା ସେମାନଙ୍କ କର୍ଣ୍ଣ ଗହ୍ବରରେ ପ୍ରବେଶ କରି ନ ଥାଏ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରବଳ ଚାପ ହେତୁ ‘ଓପେକ୍‌’ ରାଷ୍ଟ୍ରଗୁଡ଼ିକ ତୈଳ ଉତ୍ପାଦନରେ ଦୈନିକ ମାତ୍ର ୪ ଲକ୍ଷ ବ୍ୟାରେଲ ବୃଦ୍ଧି କରିଥିଲେ; ଯାହା ଚାହିଦାର ବିଶାଳତା ତୁଳନାରେ କେବଳ ନାମକୁ ମାତ୍ର! ଏଠାରେ ସ୍ମରଣଯୋଗ୍ୟ ଯେ ସପ୍ତମ ଦଶକର ‘ୟମ କିପୁର’ ଯୁଦ୍ଧରେ ଆରବ ରାଷ୍ଟ୍ରଗୁଡ଼ିକ ଇଦ୍ରାଏଲ୍‌ ଦ୍ବାରା ପରାଜିତ ହେବା ପରେ ନିଜ ଆଧିପତ୍ୟ ସାବ୍ୟସ୍ତ କରିବା ଲାଗି ସେମାନେ ଗୋଷ୍ଠୀବଦ୍ଧ ହୋଇ ଆନ୍ତର୍ଜାତିକ ତୈଳ ବଜାରକୁ ଦଖଲକୁ ନେଇଥିଲେ। ସେହିଭଳି, ‘ଓପେକ୍‌’ର ଏକାଧିପତ୍ୟ ହେତୁ ବଜାରରେ ସୃଷ୍ଟ ଅସ˚ଗତି ପ୍ରଥମ ଥର ଲାଗି କ୍ରେତା ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ବିଦ୍ବେଷ ସତ୍ତ୍ବେ ଏକତ୍ର କରିପାରିଛି।

ଏହି ପରିପ୍ରେକ୍ଷୀରେ ରଣନୈତିକ ତୈଳ ଭଣ୍ତାର ସ˚ପର୍କରେ ଏକ ଧାରଣା ଲାଭ କରିବା ଆବଶ୍ୟକ ବୋଲି ମନେ ହୋଇଥାଏ। କୌଣସି କାରଣରୁ ତୈଳ ଯୋଗାଣରେ ଦୀର୍ଘ କାଳର ବ୍ୟାଘାତ ଘଟି ଏହି ଅତ୍ୟାବଶ୍ୟକ ‘ତରଳ ସୁବର୍ଣ୍ଣ’ର ଉପଲବ୍‌ଧତା ନେଇ ଉତ୍କଟ ସ˚କଟ ସୃଷ୍ଟି ହେବାର ଆଶଙ୍କାରେ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ଏଭଳି ଭଣ୍ତାରମାନ ସ୍ଥାପନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ‘ଷ୍ଟ୍ରାଟେଜିକ୍‌’ ଭଣ୍ତାରରେ ଗଚ୍ଛିତ ତୈଳ ସେହି ରାଷ୍ଟ୍ରର ଛଅ ମାସର ଆମଦାନି ଚାହିଦା ପୂରଣ କରିବାକୁ ସମର୍ଥ।ଭାରତରେ ୧୯୯୮ ମସିହାରୁ ସୃଷ୍ଟି ହୋଇଥିବା ଏଭଳି ତୈଳ ଭଣ୍ତାର ରାଷ୍ଟ୍ରର ଦଶ ଦିନର ଚାହିଦା ପୂରଣ କରିବାକୁ ସମର୍ଥ। କିନ୍ତୁ ଏହା ସହିତ ବିଭିନ୍ନ ତୈଳ ବିଶୋଧାନାଗାରଗୁଡ଼ିକରେ ଗଚ୍ଛିତ ତୈଳ ଆହୁରି ଅତିରିକ୍ତ ୬୫ ଦିନ ସକାଶେ ରାଷ୍ଟ୍ରର ତୈଳ ଆବଶ୍ୟକତା ପୂରଣ କରିପାରିବ। ସ˚ପ୍ରତି ଆମ ଦେଶରେ ତିନିଟି ତୈଳ ଭଣ୍ତାର ଥିବା ବେଳେ ଆହୁରି ତିନିଟି ବିଶାଳ ତୈଳ ଭଣ୍ତାର ନିର୍ମାଣାଧୀନ ରହିଛି (ବୃହତ୍ତମଟି ଆମ ରାଜ୍ୟର ଚଣ୍ତୀଖୋଲରେ)। ଏହି ଆଲୋଚନା ବେଳେ ସ୍ମରଣକୁ ଆସିଥାଏ କିଭଳି ପାନ୍‌ଡେମିକ୍‌କାଳୀନ ଲକ୍‌ଡାଉନ୍‌ ସମୟରେ ଯାନବାହନ ଚଳାଚଳ ସ˚ପୂର୍ଣ୍ଣ ବନ୍ଦ ହୋଇଯିବା ହେତୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ନିଜକୁ ଏକ କ୍ରେତାଶୂନ୍ୟ ବଜାରରେ ଆବିଷ୍କାର କରି ବିଯୁକ୍ତାତ୍ମକ ଦରରେ ତୈଳ ବିକ୍ରୟ ଲାଗି ବାଧୢ ହୋଇଥିଲେ। ଏହା ସେମାନଙ୍କୁ କ୍ରେତାମାନଙ୍କ ଠାରେ ନିହିତ ଥିବା ଶକ୍ତିର ଏକ ଆଭାସ ପ୍ରଦାନ କରିଥିବ ନିଶ୍ଚୟ, ଯାହା ସେମାନଙ୍କୁ ଅଧିକ ଉପଦ୍ରବୀ ହେବାରୁ ନିବୃତ୍ତ କରିପାରେ।

ଏ ପରିପ୍ରେକ୍ଷୀରେ ଏକ ଜନପ୍ରିୟ ଲୋକ ଗଳ୍ପରେ ବର୍ଣ୍ଣିତ ସାପର ‘ଫଁ’ ବିଷୟ ସ୍ମରଣକୁ ଆସିଥାଏ; ଯହିଁରେ ସର୍ପମାନଙ୍କୁ ଈଶ୍ବର ଏକ ପରାମର୍ଶ ପ୍ରଦାନ କରି କହିଥିଲେ ଯେ ସେମାନେ ଦ˚ଶନ କରିବାକୁ ଏକ ଶେଷ ଅସ୍ତ୍ର ଭାବେ ପ୍ରୟୋଗ କରିବେ ସିନା, ତା ପୂର୍ବରୁ ‘ଫଁ’ ଶବ୍ଦ କରି ସେମାନଙ୍କ ଉପସ୍ଥିତି ଜଣାଇ ସତର୍କ କରାଇ ପାରିବେ! ‘ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭ’ରୁ ତୈଳ ଛଡ଼ାଯିବା ଭଳି ପଦକ୍ଷେପ ହେଉଛି ସମ୍ଭବତଃ ଏଭଳି ଗୋଟାଏ ‘ଫଁ’। ‘ଓପେକ୍‌’ ରାଷ୍ଟ୍ରଗୁଡ଼ିକ ଏହାକୁ ଅଣଦେଖା କରିବା ଅନୁଚିତ। ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ବାରା ୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଛାଡ଼ିବାର ନିଷ୍ପତ୍ତିକୁ କେ‌େତକ ମହଲରେ ନାପସନ୍ଦ କରାଯାଇଛି; କୁହାଯାଉଛି ଯେ ରଣନୈତିକ ତୈଳ ଭଣ୍ତାରର ଉପଯୋଗ କେବଳ ଅତ୍ୟନ୍ତ ଜରୁରୀ ସ˚କଟ କାଳରେ କରାଯିବା ଉଚିତ। କିନ୍ତୁ ଏହା ମଧୢ ସତ ଯେ ‘ଫଁ’ର ଶବ୍ଦକୁ ଉଚ୍ଚ କରିବା ଲାଗି ଗୋଟିଏ ଦୁର୍ଦଶାର ସହଭାଗୀମାନେ ଏକତ୍ର ହେବା ନିତାନ୍ତ ଜରୁରୀ।

ସମ୍ବନ୍ଧିତ ଖବର